Categories
ବିଶେଷ ଖବର

ଜି-୨୦ ଶିଖର ସମ୍ମିଳନୀ ପରିଣାମର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପିକେ ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଜି-୨୦ ନେତୃମଣ୍ଡଳୀ ସମ୍ମିଳନୀର ଫଳାଫଳକୁ ନେଇ ହୋଇଥିବା ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ବୈଠକରେ ଭାରତର ଜି-୨୦ ଶେରପା ଅମିତାଭ କାନ୍ତ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ବିନୟ ମୋହନ କ୍ୱାତ୍ରା ଏବଂ ଆର୍ଥିକ ବ୍ୟାପାର ବିଭାଗ ସଚିବ ଅଜୟ ସେଠ୍‌ ଯୋଗ ଦେଇଥିଲେ।

ଡଃ ମିଶ୍ର କହିଛନ୍ତି ଯେ ଜି-୨୦ ଶିଖର ସମ୍ମିଳନୀ ଏକ ସମୟର ବ୍ୟାପାର ନୁହେଁ ଏବଂ ଭାରତୀୟ ଅଧ୍ୟକ୍ଷତା ଦୃଢ଼ ପରିଣାମ ପ୍ରଦାନ କରିଛି ଯାହାକୁ ନିବିଡ଼ ଭାବରେ ଅନୁସରଣ ଏବଂ ତଦାରଖ କରାଯାଉଛି । ବିଭିନ୍ନ କାର୍ଯ୍ୟକାରୀ ଗୋଷ୍ଠୀର ନେତୃତ୍ୱ ନେଉଥିବା ସମସ୍ତ ସଂପୃକ୍ତ ମନ୍ତ୍ରଣାଳୟଗୁଡ଼ିକୁ ସେମାନଙ୍କ କ୍ଷେତ୍ର-ଆଧାରିତ ଫଳାଫଳ କାର୍ଯ୍ୟକାରୀ କରିବାକୁ ଦାୟିତ୍ୱ ଦିଆଯାଇଛି। ଏକ ଉଚ୍ଚସ୍ତରୀୟ ଅନୁଧ୍ୟାନ ଗୋଷ୍ଠୀ ମଧ୍ୟ ଗଠନ କରାଯାଉଛି ।

ପ୍ରଧାନମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିବା ଜି-୨୦ ଭର୍ଚୁଆଲ୍ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତ ରହିବାକୁ ଏହି ବୈଠକରେ ଡ. ପି.କେ ମିଶ୍ର ଅଧିକାରୀମାନଙ୍କୁ କହିଥିଲେ।

ଭର୍ଚୁଆଲ୍ ଜି-୨୦ କୁ କାର୍ଯ୍ୟକାରୀ କରିବା ପାଇଁ ଜି-୨୦ ସଚିବାଳୟ, ଆର୍ଥିକ ବ୍ୟାପାର ବିଭାଗ, ବୈଦେଶିକ ମନ୍ତ୍ରଣାଳୟ ଆଦି ସମସ୍ତେ ଘନିଷ୍ଠ ଭାବେ କାର୍ଯ୍ୟ କରୁଛନ୍ତି।

ଜି-୨୦ ଘୋଷଣାପତ୍ର ଏବଂ ପୂର୍ବରୁ ମନ୍ତ୍ରୀ/କାର୍ଯ୍ୟକାରୀ ଗୋଷ୍ଠୀ ବୈଠକର ପରିଣାମ ଉପରେ ଧ୍ୟାନ ଦେବାକୁ ଡ. ମିଶ୍ର ସମସ୍ତ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଅଂଶୀଦାରମାନଙ୍କ ସହିତ ୱେବିନାର ଆୟୋଜନ କରିବା ଏବଂ ଏହି ପ୍ରକ୍ରିୟାରେ ରାଜ୍ୟ ସରକାର ଏବଂ ଥିଙ୍କଟ୍ୟାଙ୍କମାନଙ୍କୁ ସାମିଲ କରିବାକୁ ସେ ମନ୍ତ୍ରଣାଳୟଗୁଡ଼ିକୁ କହିଛନ୍ତି।

ବିଶେଷ କରି ଆଫ୍ରିକୀୟ ସଂଘ ଏବଂ ସାଧାରଣତଃ ଦକ୍ଷିଣ ବିଶ୍ୱ ପ୍ରତି ଆମର ସମର୍ଥନ ସମସ୍ତ କାର୍ଯ୍ୟରେ ଜାରି ରହିବା ଉଚିତ ବୋଲି ଡ. ମିଶ୍ର କହିଛନ୍ତି। ସେ କହିଛନ୍ତି ଯେ ଆଫ୍ରିକା ସଂଘ ସହ ସମ୍ପର୍କ ବଢ଼ାଇବା ପାଇଁ ଆମକୁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ପଡିବ ।

ବୈଠକରେ ସୂଚନା ଦିଆଯାଇଥିଲା ଯେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱିତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି, ଯାହା ପ୍ରଧାନମନ୍ତ୍ରୀଙ୍କ ହୃଦୟର ଅତି ନିକଟତର ବିଷୟ। ଜି-୨୦ ସଂକଳ୍ପରେ ଦକ୍ଷିଣ ବିଶ୍ୱ ପାଇଁ ସମର୍ଥନ ଓ ସହାୟତା ଦୃଷ୍ଟିରୁ ଭାରତର ଅଧ୍ୟକ୍ଷତା ଏକ ଅଭୂତପୂର୍ବ ଉପଲବ୍ଧି ବୋଲି କୁହାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ପୁଣି ଚିନ୍ତା ବଢାଇଲା କରୋନା ଭୂତାଣୁର ନୂଆ ପ୍ରତିରୂପ: ଉଚ୍ଚସ୍ତରୀୟ ବୈଠକ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ବିଶ୍ୱସ୍ତରରେ କରୋନା ଭୂତାଣୁର କେତେକ ନୂଆ ପ୍ରତିରୂପ ଚିହ୍ନଟ ହେବାକୁ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ବିଶ୍ୱସ୍ତରରେ ଏବଂ ଭାରତରେ ବର୍ତ୍ତମାନର କୋଭିଡ ସ୍ଥିତି, ସଂକ୍ରମିତ ହେଉଥିବା ନୂଆ କରୋନା ଭୂତାଣୁ ପ୍ରତିରୂପ ଏବଂ ଜନ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ଆଦି ବିଷୟ ଏହି ବୈଠକରେ ସମୀକ୍ଷା କରାଯାଇଛି।

ଉଚ୍ଚ ସ୍ତରୀୟ ବୈଠକରେ ନୀତି ଆୟୋଗ ସଦସ୍ୟ ଡକ୍ଟର ବିନୋଦ ପଲ, କ୍ୟାବିନେଟ ସଚିବ ରାଜୀବ ଗୌବା, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଅମିତ ଖାରେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ସୁଧାଂଶୁ ପନ୍ତ, ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ତଥା ଆଇସିଏମଆର ମହାନିର୍ଦ୍ଦେଶକ ରାଜୀବ ବେହଲ, ବାୟୋଟେକ୍ନୋଲୋଜି ବିଭାଗ ସଚିବ ରାଜେଶ ଏସ. ଗୋଖଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ପୂଣ୍ୟ ସଲିଳା ଶ୍ରୀବାସ୍ତବ ପ୍ରମୁଖ ଯୋଗ ଦେଇଥିଲେ।

ବିଶ୍ୱସ୍ତରରେ ସାର୍ସ-କୋଭ-୨ ଭୂତାଣୁର ନୂଆ ପ୍ରତିରୂପ ବିଏ.୨.୮୬ (ପିରୋଲା) ଏବଂ ଇଜି.୫ (ଏରିସ)ର ସଂକ୍ରମଣ ସମେତ ବିଶ୍ୱରେ କୋଭିଡ-୧୯ ପରିସ୍ଥିତି ସମ୍ପର୍କରେ ସ୍ୱାସ୍ଥ୍ୟ ସଚିବ ତଥ୍ୟ ପ୍ରଦାନ କରିଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ତଥ୍ୟ ଅନୁଯାୟୀ, ୫୦ରୁ ଅଧିକ ଦେଶରେ ଇଜି.୫ (ଏରିସ) ଚିହ୍ନଟ ହୋଇଛି ଏବଂ ବିଏ.୨.୮୬ (ପିରୋଲା) ଚାରିଟି ଦେଶରେ ଚିହ୍ନଟ କରାଯାଇଛି।

ବୈଠକରେ ସୂଚନା ଦିଆଯାଇଥିଲା ଗତ ୭ ଦିନ ମଧ୍ୟରେ ବିଶ୍ୱସ୍ତରରେ ୨,୯୬,୨୧୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ବିଶ୍ୱ ଜନସଂଖ୍ୟାର ୧୭ ପ୍ରତିଶତ ଲୋକ ରହୁଥିବା ଭାରତରେ ଗତ ଏକ ସପ୍ତାହ ମଧ୍ୟରେ ମାତ୍ର ୨୨୩ ଜଣ ସଂକ୍ରମିତ (ବିଶ୍ୱରେ ନୂଆ ସଂକ୍ରମିତଙ୍କ ୦.୦୭୫%) ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ସଚିବ କହିଥିଲେ, ଦେଶବ୍ୟାପୀ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହେବାର ଦୈନିକ ହାରାହାରୀ ସଂଖ୍ୟାକୁ ୫୦ ତଳେ ରଖିବାରେ ସଫଳତା ମିଳିଛି। ସେହିପରି ସାପ୍ତାହିକ ସଂକ୍ରମଣ ହାରକୁ ୦.୨% ସ୍ତରରେ ରଖିବାରେ ଭାରତ ସଫଳ ହୋଇଛି। ଭାରତରେ ପ୍ରସାରିତ ହେଉଥିବା ବିଭିନ୍ନ କରୋନା ଭୂତାଣୁ ପ୍ରତିରୂପ ଜିନ୍‌ ଅନୁଶୀଳନ ବା ଜିନୋମ୍‌ ସିକୁଏନ୍ସିଂ ସମ୍ପର୍କରେ ବୈଠକରେ ସୂଚନା ଦିଆଯାଇଥିଲା।

ସବିଶେଷ ଆଲୋଚନା ଓ ସମୀକ୍ଷା ପରେ ଡକ୍ଟର ପି.କେ. ମିଶ୍ର କହିଥିଲେ ଯେ, ଦେଶରେ କୋଭିଡ-୧୯ ସ୍ଥିତି ସ୍ଥିର ରହିଛି ଏବଂ ଜନ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପ୍ରସ୍ତୁତ ରଖାଯାଇଛି। ତେବେ ରାଜ୍ୟମାନେ ଆଇଏଲଆଇ/ଏସଏଆରଆଇ (ଥଣ୍ଡା, ସର୍ଦ୍ଦି, ଶ୍ୱାସରୋଗ ଜନିତ ଅସୁସ୍ଥତା) ପୀଡ଼ିତ ଲୋକଙ୍କ ଉପରେ ଧ୍ୟାନ ଦେବା, କୋଭିଡ-୧୯ ପରୀକ୍ଷା ପାଇଁ ଯଥେଷ୍ଟ ନମୁନା ପଠାଇବା ସହିତ ସମ୍ପୂର୍ଣ୍ଣ ଜିନ ଅନୁଶୀଳନ ଏବଂ ବିଶ୍ୱସ୍ତରରେ ନୂଆ କରୋନା ଭୂତାଣୁ ପ୍ରତିରୂପ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

Categories
ବିଶେଷ ଖବର

ବାତ୍ୟା “ବିପର୍ଯ୍ୟୟ”ର ମୁକାବିଲା ପ୍ରସ୍ତୁତି ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ର୍ରିକ ବାତ୍ୟା ଭୀଷଣ ଆକାର ଧାରଣ କରି ଗୁଜରାଟ ଉପକୂଳ ଆଡେ ମୁହାଁଇଛି। ‘ବିପର୍ଯ୍ୟୟ’ ନାମକ ଏହି ସାମୁଦ୍ରିକ ବାତ୍ୟାର ମୁକାବିଲା କରି କ୍ଷୟକ୍ଷତିକୁ କିପରି ଯଥା ସାଧ୍ୟ କମ୍ କରାଯାଇପାରିବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଜି ଏଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହା, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମକର୍ତ୍ତା  ଯୋଗ ଦେଇଥିଲେ।

ବାତ୍ୟା ଆସୁଥିବାରୁ ଗୁଜରାଟର ତଟବର୍ତ୍ତୀ ତଳିଆ ଅଞ୍ଚଳ ଓ ବିପଜ୍ଜନକ ଇଲାକାରେ ବସବାସ କରୁଥିବା ଲୋକମାନଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାଛଡା ପାନୀୟ ଜଳ ଯୋଗାଣ, ଟେଲିଫୋନ, ବିଜୁଳି ସମେତ ସବୁ ଅତ୍ୟାବଶ୍ୟକ ସେବାକୁ ଅବ୍ୟାହତ ରଖିବାକୁ ସେ ଗୁଜରାଟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଭାବିତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ଯେପରି ଅଭାବ ନ ରହେ ତାହା ମଧ୍ୟ ନିଶ୍ଚିତ କରିବାକୁ ସେ କହିଛନ୍ତି।

ବାତ୍ୟାର ପ୍ରଭାବରେ କ୍ଷୟକ୍ଷତି ଯେତେ କମ୍ ହେବ ସେଥି ପାଇଁ ଆବଶ୍ୟକ ପ୍ରସ୍ତୁତି  କରିବା ସହିତ ତୋଫାନ ପରେ ହୋଇଥିବା କ୍ଷୟକ୍ଷତିର ପୁନରୁଦ୍ଧାର କାର୍ଯ୍ୟ ଯଥା ସମ୍ଭବ ଶେଷ କରିବାକୁ ପ୍ରଧାନମନ୍ତ୍ରୀ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିଗ୍ରସ୍ତ  ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ, ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଶେଷକରି ବିଜୁଳି, ଟେଲିଫୋନ, ଜଳଯୋଗାଣ ଓ ସଡକ ଯୋଗାଯୋଗ ବ୍ୟବସ୍ଥା ଆଦିକୁ କ୍ଷତିଗ୍ରସ୍ତ ଅଞ୍ଚଳରେ ଯଥାଶୀଘ୍ର ସ୍ୱାଭାବିକ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି। ବାତ୍ୟା ଯୋଗୁଁ ଗୃହପାଳିତ ପଶୁ ପକ୍ଷୀ, ବିଶେଷକରି ପଶୁ ସମ୍ପଦର ଯେପରି ବିଶେଷକ କିଛି କ୍ଷତି ନ ଘଟେ ତାହା ସୁନିଶ୍ଚିତ କରିବାକୁ ସେ କହିଛନ୍ତି। ବାତ୍ୟା ନିୟନ୍ତ୍ରଣ କକ୍ଷକୁ ରାଜ୍ୟ ସରକାର ୨୪ଘଣ୍ଟା ଚାଲୁ ରଖିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହି ସମୀକ୍ଷା ବୈଠକ ଅବସରରେ ଭାରତୀୟ ପାଣିପାଗ ବିଭାଗର ଅଧିକାରୀମାନେ କହିଥିଲେ ଯେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା “ବିପର୍ଯ୍ୟୟ” ଜୁନ ୧୫ତାରିଖ ମଧ୍ୟାହ୍ନ ସୁଦ୍ଧା ଗୁଜରାଟର ମାଣ୍ଡବୀରୁ ପାକିସ୍ତାନର କରାଚି ମଧ୍ୟରେ ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ଅତିକ୍ରମ କରିବ। ଏହି ବାତ୍ୟା ଗୁଜରାଟର ଏକ କ୍ଷୁଦ୍ର ବନ୍ଦର ଜଖାଉ ନିକଟରେ ସ୍ଥଳଭାଗ ସ୍ପର୍ଶ କରିବାର ସମ୍ଭାବନା ରହିଛି। ଏହା ଏକ ଶକ୍ତିଶାଳୀ ବାତ୍ୟା ଏବଂ ଏହାର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫କିମି. ରହିବ। ମଝିରେ ମଝିରେ ଏହି ବେଗ ୧୪୫ କି.ମି. ଯାଏ ପହଂଚିପାରେ। ଏହାର ପ୍ରଭାବରେ ଗୁଜରାଟ ଉପକୂଳ ସମେତ କଚ୍ଛ, ଦେବ ଭୂମି ଦ୍ୱାରିକା ଓ ଜାମନଗରରେ ପ୍ରବଳରୁ ଅତି ପ୍ରବଳ ବର୍ଷା  ହେବାର ସମ୍ଭାବନା ରହିଛି। ପୋରବନ୍ଦର, ରାଜକୋଟ, ମୋରବି ଓ ଜୁନାଗଡ ଜିଲ୍ଳାରେ ମଧ୍ୟ ପ୍ରବଳ ବର୍ଷା ହେବବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି। ଜୁନ ୬ରୁ ଏହି ବାତ୍ୟାର ଉତ୍ପତ୍ତି କଥା ଜଣା ପଡିବା ପରେ ପାଣିପାଗ ବିଭାଗ ନିୟମିତ ବୁଲେଟିନ ଜରିଆରେ ଏହାର ଗତିପଥ ସମ୍ପର୍କରେ ସତର୍କ ସୂଚନା ଲୋକଙ୍କୁ ଦେଇ ଆସୁଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ଗୁଜରାଟ ବାତ୍ୟା ସ୍ଥିତି ସମ୍ପର୍କରେ  ନିୟମିତ ସମୀକ୍ଷା କରିବା ସହିତ ରାଜ୍ୟ ସରକାରଙ୍କ ସହିତ ବରାବର ଯୋଗାଯୋଗରେ ରହିଛି। ପ୍ରଭାବିତ ହେବାକୁ ଥିବା ଅଞ୍ଚଳକୁ ଏନ୍‌ଡିଆରଏଫ ୧୨ଟି ଦଳ ଆଗୁଆ ପଠାଇ ସାରିଛି। ସେମାନେ ସାଙ୍ଗରେ, ବୋଟ୍‌, ଗଛକଟା ମେସିନ, ଟେଲିକମ୍ ଯନ୍ତ୍ରପାତି ଆଦି ନେଇଛନ୍ତି। ଏହାଛଡା ଆଉ ୧୫ଟି ଦଳକୁ ପ୍ରସ୍ତୁତ କରି ରଖାଯାଇଛି।

ଭାରତୀୟ ତଟରକ୍ଷୀ ବାହିନୀ ଓ ନୌବାହିନୀ ମଧ୍ୟ ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକୋପ୍ଟର ଓ ଜାହାଜକୁ ମୁତୟନ କରିଛନ୍ତି। ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ପାଇଁ ବାୟୁସେନା ଓ ସ୍ଥଳସେନାର ଯବାନମାନେ ପ୍ରସ୍ତୁତ ଅଛନ୍ତି। ବିପର୍ଯ୍ୟୟ ରିଲିଫ ଟିମ୍‌(ଡିଆର୍‌ଟି), ସେନାର ମେଡିକାଲ ଟିମ୍ ଆଦିକୁ ପ୍ରସ୍ତୁତ କରି ରଖାଯାଇଛି।

ପ୍ରଧାନମନ୍ତ୍ରୀଙ୍କୁ ଗୁଜରାଟ ସରକାରଙ୍କ ବାତ୍ୟା ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଯାଇଥିଲା। ସେଠାକାର ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଜିଲ୍ଲାପାଳ ଓ ସାହାଯ୍ୟ ଉଦ୍ଧାର କାର୍ଯ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହିତ ନିରନ୍ତର ଯୋଗାଯୋଗ ରକ୍ଷା କରି ସବୁ କଥା ବୁଝୁଛନ୍ତି। ସମଗ୍ର  ରାଜ୍ୟ ପ୍ରଶାସନକୁ ବାତ୍ୟା ପାଇଁ ପ୍ରସ୍ତୁତ କରି ରଖାଯାଇଛି। ଗୁଜରାଟର ମୁଖ୍ୟ ସଚିବଙ୍କ ସହିତ କେନ୍ଦ୍ର  କ୍ୟାବିନେଟ ଓ ସ୍ୱରାଷ୍ଟ୍ର ସଚିବ ନିୟମିତ ସମ୍ପର୍କରେ ରହି ପ୍ରସ୍ତୁତି କାର୍ଯ୍ୟ ବୁଝୁଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥାକୁ  ମଧ୍ୟ ଏହି ବାତ୍ୟା ପାଇଁ ସତର୍କ ରଖାଯାଇଛି।

Categories
ବିଶେଷ ଖବର

କୋଭିଡ-୧୯ ର ମୁକାବିଲା ଲାଗି ଜନସ୍ୱାସ୍ଥ୍ୟ ପ୍ରତିକ୍ରିୟାର ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ନିକଟରେ ସମଗ୍ର ଭାରତରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶରେ କୋଭିଡ-୧୯ ସ୍ଥିତିର ଆକଳନ ଲାଗି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ର ଅଧ୍ୟକ୍ଷତା କରିଥିଲେ ଯେଉଁଠାରେ ବଢୁଥିବା କୋଭିଡ-୧୯କୁ ପ୍ରତିହତ ଲାଗି ସ୍ୱାସ୍ଥ୍ୟ ଭିତ୍ତିଭୂମି ଯଥା ଲଜିଷ୍ଟିକ୍ସ, ଔଷଧ, ଟିକାକରଣ ଅଭିଯାନର ସ୍ଥିତି ଏବଂ ପ୍ରସ୍ତୁତିର ସମୀକ୍ଷା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦେଇଥିଲେ।

ଏହି ବୈଠକରେ କ୍ୟାବିନେଟ୍‍ ସଚିବ ରାଜୀବ ଗୌବା, ନୀତି ଆୟୋଗର ସଦସ୍ୟ ଡକ୍ଟର ବିନୋଦ ପଲ, ଅର୍ଥ ସଚିବ ଟି.ଭି.ସୋମନାଥନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣ, ଫାର୍ମାସ୍ୟୁଟିକାଲ ସଚିବ ଏସ. ଅପର୍ଣ୍ଣା, ବେସାମରିକ ବିମାନ ଚଳାଚଳ ସଚିବ ରାଜୀବ ବଂଶଲ, ଆୟୁଷ ସଚିବ ରାଜେଶ କୋଟେଚା, ଡିଏଚଆର ସଚିବ ଏବଂ ଆଇସିଏମଆର ମହାନିର୍ଦ୍ଦେଶକ ରାଜୀବ ଭାଲ, ବାୟୋଟେକ୍ନୋଲୋଜି ସଚିବ ରାଜେଶ ଏସ ଗୋଖଲେ ଏବଂ ସୂଚନା ଏବଂ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ରା ପ୍ରମୁଖ ଯୋଗ ଦେଇଥିଲେ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣଙ୍କ ଦ୍ୱାରା ବିଶ୍ୱର କୋଭିଡ-୧୯ ପରିସ୍ଥିତି ଉପରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ସେ ଦର୍ଶାଇଥିଲେ ଯେ ଭାରତରେ କୋଭିଡ -୧୯ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ୮ ଟି ରାଜ୍ୟ (କେରଳ, ଦିଲ୍ଲୀ, ମହାରାଷ୍ଟ୍ର, ହରିଆନା, ଉତ୍ତରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ଏବଂ ରାଜସ୍ଥାନ) ରେ ଅଧିକାଂଶ ମାମଲା ଦେଖାଦେଇଛି। ଆହୁରି ମଧ୍ୟ ଦେଶରେ ଚାଲିଥିବା ପରୀକ୍ଷଣର ସ୍ଥିତି ସହିତ ପଜିଟିଭ ସଂଖ୍ୟା ବୃଦ୍ଧି ଉପରେ ଆଲୋକପାତ କରାଯାଇଥିଲା। ଏହି ୮ଟି ରାଜ୍ୟ ମଧ୍ୟରେ ସକ୍ରିୟ ମାମଲାଗୁଡ଼ିକର ବିସ୍ତୃତ ବିଶ୍ଳେଷଣ ଉପସ୍ଥାପିତ ହୋଇଥିଲା ଏବଂ ହାରାହାରି ୯୨% ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଥିବା ଦର୍ଶାଯାଇଥିଲା।

ଏହି ଉପସ୍ଥାପନାରେ ଜାନୁୟାରୀ ୨୦୨୩ ଠାରୁ ବିଭିନ୍ନ ପ୍ରକାରର ଜେନୋମ୍ ସିକ୍ୱେନ୍ସିଂର ଏକ ସୂଚନା ମଧ୍ୟ ପ୍ରଦାନ କରାଯାଇଥିଲା ଏବଂ ଭାରତରେ ଦେଖାଯାଉଥିବା ଭାରିଏଣ୍ଟ ସଂକ୍ରାନ୍ତରେ ଉଲ୍ଲେଖ କରାଯାଇଥିଲା। ଟୀକାକରଣର ସ୍ଥିତି ଉପରେ ଆଲୋଚନା କରାଯାଇଥିଲା, ତା’ପରେ ଦେଶରେ ଔଷଧ ଉପଲବ୍ଧତା ଏବଂ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, କାର୍ଯ୍ୟକ୍ଷମ ଭିତ୍ତିଭୂମିର ମୂଲ୍ୟାଙ୍କନ ପାଇଁ ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଇଥିଲା ଏବଂ ଅଂଶଗ୍ରହଣକାରୀମାନଙ୍କୁ ମକ୍ ଡ୍ରିଲର ସ୍ଥିତି ଉପସ୍ଥାପନ କରାଯାଇଥିଲା । ଏହାବାଦ୍‍ କୋଭିଡ-୧୯ ଟୀକାକରଣ କାର୍ଯ୍ୟକ୍ରମର ବ୍ୟୟ ଏବଂ ଔଷଧ ଏବଂ ଟିକା ଲାଗି ଆବଶ୍ୟକ କଞ୍ଚାମାଲ ପାଇଁ ବଜେଟ୍ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯାଇଥିଲା ।

ସ୍ୱାସ୍ଥ୍ୟ ସଚିବ ଏହା ମଧ୍ୟ ସୂଚନା ଦେଇଥିଲେ ଯେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୌଣସି ପୂର୍ବ ଅନୁମୋଦନ ବିନା ଉତ୍ପାଦନକାରୀଙ୍କଠାରୁ ଆବଶ୍ୟକ କୋଭିଡ ଟିକା କ୍ରୟ ପାଇଁ ପଦକ୍ଷେପ ନେଇପାରନ୍ତି । ରାଜ୍ୟଗୁଡିକରେ ଅବସ୍ଥିତ ଘରୋଇ ହସ୍ପିଟାଲଗୁଡିକ ମଧ୍ୟ ର୍ନିମାତାଙ୍କଠାରୁ ଏହିପରି ଟିକା କ୍ରୟ କରିପାରିବେ । ଥରେ କିଣାଯାଇଥିବା ଏହି ଟିକାଗୁଡ଼ିକ ବିଦ୍ୟମାନ କୋଭିଡ ଟୀକାକରଣ ନିର୍ଦ୍ଦେଶାବଳୀ ଅନୁଯାୟୀ ଦିଆଯାଇପାରେ ।

ବିସ୍ତୃତ ଉପସ୍ଥାପନା ପରେ ଡକ୍ଟର ପି.କେ ମିଶ୍ର ସ୍ଥାନୀୟ ଅଞ୍ଚଳରେ ବଢୁଥିବା ମାମଲାର ପରିଚାଳନା ପାଇଁ ଉପ-ଜିଲ୍ଲା ସ୍ତରରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପଲବ୍ଧ ହେବା ଜରୁରୀ ଅଟେ ଏବଂ ରାଜ୍ୟମାନଙ୍କ ସହିତ ପରାମର୍ଶରେ ଏହା ନିଶ୍ଚିତ ହୋଇପାରିବା ଉପରେ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ବଢୁଥିବା ସ୍ଥିତିକୁ ଆଧାର କରି ରାଜ୍ୟଗୁଡିକୁ ମାର୍ଗଦର୍ଶନ କରିବା ପାଇଁ ଉପଦେଶଗୁଡିକ ମୂଲ୍ୟାଙ୍କନ କରାଯିବା ଉଚିତ ଏବଂ ସେହି ଅନୁଯାୟୀ ଅପଡେଟ୍‍ କରାଯିବା ଉଚିତ୍‍ ।

ଆହୁରି ମଧ୍ୟ, ଉପସ୍ଥିତ ବ୍ୟକ୍ତିମାନେ ବିଚାର ଆଲୋଚନା କରିଥିଲେ ଯେ ବଢୁଥିବା ହଟସ୍ପଟ୍ ଚିହ୍ନଟ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ ଏବଂ ରାଜ୍ୟଗୁଡିକ ଆଇଏଲଆଇ / ଏସ୍‍ଏଆରଆଇ ମାମଲାର ଧାରା ଉପରେ ନଜର ରଖିବା, କୋଭିଡ୍ -୧୯ ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ନମୁନା ପଠାଇବା ଏବଂ ସବୁଗୁଡିକର ଜେନୋମ୍ ସିକ୍ୱେନ୍ସିଙ୍ଗ୍ କରିବା ଉଚିତ୍‍ ।

ଡକ୍ଟର ପି.କେ. ମିଶ୍ର କହିଛନ୍ତି ଯେ ଟେଷ୍ଟ-ଟ୍ରାକ-ଟ୍ରିଟ-ଟୀକାକରଣ ଏବଂ କୋଭିଡ ଉପଯୁକ୍ତ ଆଚରଣ ପାଳନ ପାଇଁ ସମୟ ପରୀକ୍ଷିତ ପଞ୍ଚସୂତ୍ରୀ ରଣନୀତି ଲାଗୁ କରାଯିବା ଆବଶ୍ୟକ ଏବଂ କୋଭିଡ ଉପଯୁକ୍ତ ଆଚରଣର ସମ୍ବନ୍ଧରେ ଗୋଷ୍ଠି ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ନାଗରିକମାନଙ୍କୁ ଆତ୍ମସନ୍ତୋଷରୁ ସତର୍କ କରାଇବା ଆବଶ୍ୟକ ।

କୋଭିଡ -୧୯ ପରିସ୍ଥିତି ଉପରେ କଡା ସଜାଗ ରହିବାକୁ ଏବଂ କୋଭିଡ-୧୯ ବ୍ୟାପିବାକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

Categories
ବିଶେଷ ଖବର ସ୍ବାସ୍ଥ୍ୟ

କୋଭିଡ-୧୯ ଓ ଇନ୍‌ଫ୍ଲୁଏଞ୍ଜା ପାଇଁ ଜନ ସ୍ୱାସ୍ଥ୍ୟ ମୁକାବିଲା ସ୍ଥିତି ଓ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହିତ ଦେଶରେ କୋଭିଡ-୧୯ ଏବଂ ଇନଫ୍ଲୁଏଞ୍ଜାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ବୈଠକରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଲଜିଷ୍ଟିକ୍ସର ପ୍ରସ୍ତୁତି, ଟିକାକରଣ ଅଭିଯାନର ସ୍ଥିତି, ନୂଆ କୋଭିଡ-୧୯ ଭେରିଏଣ୍ଟ ଓ ଇନଫ୍ଲୁଏଞ୍ଜା ବା ସର୍ଦ୍ଦିରୋଗର ପ୍ରକାର ଏବଂ ଦେଶର ଜନସ୍ୱାସ୍ଥ୍ୟ ଉପରେ ସେଗୁଡ଼ିକର ପ୍ରଭାବ ସମ୍ପର୍କରେ ସମୀକ୍ଷା କରିଥିଲେ। ଦେଶରେ ଇନଫ୍ଲୁଏଞ୍ଜା ଭଳି ସର୍ଦ୍ଦିରୋଗ ଓ ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବଂ ଗତ ଦୁଇ ସପ୍ତାହ ମଧ୍ୟରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଦୃଷ୍ଟିରୁ ଏହି ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରାଯାଇଥିଲା।

ଏଥିପୂର୍ବରୁ ୨୨ ଡିସେମ୍ବର ୨୦୨୨ରେ ପ୍ରଧାନମନ୍ତ୍ରୀ କୋଭିଡ-୧୯ ସମୀକ୍ଷା ବୈଠକରେ କେତେକ ନିର୍ଦ୍ଦେଶ ଦେଇଥିଲେ, ସେ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଜିର ବୈଠକରେ ସମୀକ୍ଷା କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ଯେ ୨୦ଟି ମୁଖ୍ୟ କୋଭିଡ ଔଷଧ, ୧୨ଟି ଅନ୍ୟାନ୍ୟ ଔଷଧ, ୮ଟି ବଫର ଔଷଧ ଏବଂ ଗୋଟିଏ ଇନଫ୍ଲୁଏଞ୍ଜା ଔଷଧ ଦର ପ୍ରତି ନଜର ରଖାଯାଇଛି । ଦେଶର ୨୨ ହଜାର ଡାକ୍ତରଖାନାରେ ଗତ ୨୭ ଡିସେମ୍ବର ୨୦୨୨ରେ ଏକ ମକ୍‌ଡ୍ରିଲ ଅନୁଷ୍ଠିତ ହୋଇଥିଲା ଏବଂ ଏହାପରେ ଡାକ୍ତରଖାନାଗୁଡ଼ିକ ଦ୍ୱାରା ନିରାକରଣ ପଦକ୍ଷେପ ଗ୍ରହଣ କରାଯାଇଥିଲା।

ବିଶେଷ କରି ଗତ କିଛି ମାସ ମଧ୍ୟରେ ଏଚୱାନ୍‌ଏନୱାନ୍‌ ଏବଂ ଏଚ୍‌ଥ୍ରୀଏନ୍‌ଟୁ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କୁ ଇନଫ୍ଲୁଏଞ୍ଜା ସ୍ଥିତି ସମ୍ପର୍କରେ ଅବଗତ କରାଯାଇଥିଲା।

ମାନ୍ୟତାପ୍ରାପ୍ତ ଆଇନଏସଏସିଓଜି ଜିନମ ସିକୁଏନ୍ସିଂ ପରୀକ୍ଷାଗାରଗୁଡ଼ିକରେ ପଜିଟିଭ ନମୁନାଗୁଡ଼ିକର ଜିନୋମ୍‌ ସିକୁଏନ୍ସିଂ ବା ଜିନ୍‌ ଅନୁଶୀଳନ ସଂଖ୍ୟା ବଢ଼ାଇବା ଲାଗି ବୈଠକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ। ଏହା ନୂଆ ଭେରିଏଣ୍ଟ ବା ଭୂତାଣୁ ପ୍ରତିରୂପକୁ ଚିହ୍ନଟ କରିବା କ୍ଷେତ୍ରରେ ସହାୟକ ହୋଇପାରିବ, ଯଦ୍ଦ୍ୱାରା ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ଭବ ହୋଇପାରିବ।

ଡାକ୍ତରଖାନା ପରିସରରେ ରୋଗୀ, ସ୍ୱାସ୍ଥ୍ୟସେବା ପେସାଦାର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ମାସ୍କ ପରିଧାନ ସମେତ କୋଭିଡ ଉପଯୁକ୍ତ ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ। ସେହିପରି ବରିଷ୍ଠ ନାଗରିକ ଓ ଅନ୍ୟାନ୍ୟ ରୋଗ ଥିବା ଲୋକମାନେ ଯେତେବେଳେ ଭିଡ଼ ଥିବା ଅଞ୍ଚଳକୁ ଯାଉଛନ୍ତି ସେମାନେ ମାସ୍କ ପିନ୍ଧିବା ଉଚିତ୍‌ ବୋଲି ସେ ବିଶେଷ ଭାବେ ପରାମର୍ଶ ଦେଇଥିଲେ।

ଆଇଆରଆଇ/ଏସଏଆରଆଇ ସଂକ୍ରମିତଙ୍କ ପ୍ରଭାବୀ ଅନୁଧ୍ୟାନ, ଏବଂ ଇନଫ୍ଲୁଏଞ୍ଜା, ସାର୍ସ-କୋଭ-୨ ଏବଂ ଆଡେନୋ ଭୂତାଣୁର ପରୀକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଦେଶର ସବୁ ଡାକ୍ତରଖାନାଗୁଡ଼ିକରେ ଯଥେଷ୍ଟ ଶଯ୍ୟା ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଉପଲବ୍ଧ ରଖିବା ସହିତ ଇନଫ୍ଲୁଏଞ୍ଜା ଓ କୋଭିଡ-୧୯ ପାଇଁ ଆବଶ୍ୟକ ଔଷଧ ଓ ସାମଗ୍ରୀ ମହଜୁଦ ରଖିବା ଉପରେ ଶ୍ରୀ ମୋଦୀ ଜୋର ଦେଇଥିଲେ।

ସେ ଜୋର ଦେଇ କହିଥିଲେ ଯେ କୋଭିଡ-୧୯ ମହାମାରୀ ଏବେ ସୁଦ୍ଧା ଦେଶରୁ ଯାଇନାହିଁ ଏବଂ ନିୟମିତ ଭାବେ ସାରା ଦେଶରେ ଏହାର ସ୍ଥିତି ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି। ପରୀକ୍ଷା-ଚିହ୍ନଟ-ଚିକିତ୍ସା-ଟିକାକରଣ ଏବଂ କୋଭିଡ ଉପଯୁକ୍ତ ଅଭ୍ୟାସର ପଞ୍ଚସୂତ୍ରୀ ରଣନୀତି ଉପରେ ନିରନ୍ତର ଭାବେ ଧ୍ୟାନ ଦେବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏଥିସହିତ ପରୀକ୍ଷାଗତାର ନିରୀକ୍ଷଣ ବଢ଼ାଇବା ଏବଂ ସବୁ ଗୁରୁତର ଜଟିଳ ଶ୍ୱାସରୋଗ ଅସୁସ୍ଥତା (ଏସଏଆରଆଇ) ସଂକ୍ରମିତଙ୍କ ପରୀକ୍ଷା କରବା ଲାଗି ସେ କହିଥିଲେ। ସବୁ ପ୍ରକାର ପରିସ୍ଥିତି ପାଇଁ ଆମର ଡାକ୍ତରଖାନାଗୁଡ଼ିକୁ ପ୍ରସ୍ତୁତ ରଖିବା ନିମନ୍ତେ ନିୟମିତ ଭାବେ ମକ୍‌ଡ୍ରିଲ ଆୟୋଜନ କରାଯିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ।

ଶ୍ୱାସଜନିତ ସ୍ୱଚ୍ଛତା ଅନୁସରଣ କରିବା ଏବଂ ଭିଡ଼ ଥିବା ସାର୍ବଜନୀନ ସ୍ଥାନରେ କୋଭିଡ ଅନୁକୂଳ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ଜନସମୁଦାୟଙ୍କୁ ଆହ୍ୱାନ କରିଥିଲେ।

ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର, ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପଲ, କ୍ୟାବିନେଟ ସଚିବ ରାଜୀବ ଗୌବା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ଫାର୍ମସ୍ୟୁଟିକାଲ୍ସ ବିଭାଗ ସଚିବ ଏବଂ ବାୟୋଟେକ୍ନୋଲୋଜି ବିଭାଗ ସଚିବଙ୍କ ସମେତ ଆଇସିଏମଆର ମହାନିର୍ଦ୍ଦେଶକ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପରାମର୍ଶଦାତା ଅମିତ ଖାରେ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୫୫୫ ପିଜିଟି ଶିକ୍ଷକ ନିଯୁକ୍ତି ନିମନ୍ତେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ଆଜି ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ୍‌.ଙ୍କ ଅଧ୍ୟକ୍ଷତାରେ ବେସରକାରୀ ଅନୁଦାନପ୍ରାପ୍ତ ୨୨୬ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଲିଥିବା ୫୫୫ ଜଣ ପିଜିଟି (PGT) ଶିକ୍ଷକଙ୍କୁ ନିଯୁକ୍ତି ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ରାଜ୍ୟର ପ୍ରବରଣ ଆୟୋଗ (SSB)ର ଅଧ୍ୟକ୍ଷ ପ୍ରଫେସର ଦକ୍ଷପ୍ରସାଦ ନନ୍ଦ ଏବଂ ସଂପାଦକ ଡ. ମଧୁସୂଦନ ମିଶ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଘୁରାମ ଆର୍‌. ଆୟାର, ସ୍ୱତନ୍ତ୍ର ଶାସନ ସଚିବ ଶୁଭଶ୍ରୀ ନନ୍ଦ, ଉପନିର୍ଦ୍ଦେଶକ ଡ. ଭାଗୀରଥି କାଣ୍ଡିଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ।

ଏହି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ପ୍ରବରଣ ଆୟୋଗ ତରଫରୁ ଖୁବ୍‌ଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବ।

Categories
ବିଶେଷ ଖବର

କୋଭିଡ ମୁକାବିଲା ପାଇଁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ସ୍ଥିତି ଏବଂ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଦେଶର କୋଭିଡ -୧୯ ପରିସ୍ଥିତି, ସ୍ୱାସ୍ଥ୍ୟ ଭିତ୍ତିଭୂମି ତଥା ପ୍ରସ୍ତୁତି, ଦେଶରେ ଟିକାକରଣ ଅଭିଯାନର ସ୍ଥିତି ଏବଂ ନୂତନ କୋଭିଡ -୧୯ ପ୍ରକାରର ଉତ୍ପତ୍ତି ଏବଂ ଜନସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି। ଏହି ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କେତେକ ଦେଶରେ କୋଭିଡ-୧୯ ମାମଲାରେ ବୃଦ୍ଧିକୁ ଦୃଷ୍ଟିରେ ରଖି ଅନୁଷ୍ଠିତ ହୋଇଛି।

ସ୍ୱାସ୍ଥ୍ୟ ସଚିବ ଏବଂ ନୀତି ଆୟୋଗର ସଦସ୍ୟଙ୍କ ଦ୍ୱାରା ଦେଶରେ ବୃଦ୍ଧି ପାଉଥିବା ମାମଲା ସମେତ ବିଶ୍ୱରେ କୋଭିଡ -୧୯ ପରିସ୍ଥିତିକୁ ନେଇ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ଯେ ଭାରତରେ ୨୨ ଡିସେମ୍ବର, ୨୦୨୨ ରେ ଶେଷ ହୋଇଥିବା ସପ୍ତାହରେ ଦୈନିକ ହାରାହାରି ମାମଲା ସଂଖ୍ୟା ୧୫୩ କୁ ଏବଂ ସାପ୍ତାହିକ ପଜିଟିଭ ହାର ୦.୧୪% ନିୟମିତ ହ୍ରାସ ପାଇବାରେ ଲାଗିଛି। ତେବେ ଗତ ୬ ସପ୍ତାହ ମଧ୍ୟରେ ସମଗ୍ର ବିଶ୍ୱରେ ହାରାହାରି ଦୈନିକ ୫.୯ ଲକ୍ଷ ମାମଲା ରିପୋର୍ଟ ହେଉଛି।

ପ୍ରଧାନମନ୍ତ୍ରୀ ଆତ୍ମସନ୍ତୋଷ ବିରୋଧରେ ଚେତାବନୀ ଦେଇଛନ୍ତି ଏବଂ କଡାକଡି ଭାବେ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି। ସେ ଦୋହରାଇଛନ୍ତି ଯେ କୋଭିଡ ଏପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ ଏବଂ ବିଶେଷ କରି ଅନ୍ତର୍ଜାତୀୟ ବିମାନବନ୍ଦରରେ ଚାଲିଥିବା ନୀରିକ୍ଷଣ ପଦକ୍ଷେପକୁ ଦୃଢ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସବୁ ସ୍ତରରେ କୋଭିଡ ଯନ୍ତ୍ରପାତି, ପ୍ରସ୍ତୁତି ପ୍ରକ୍ରିୟା ଏବଂ ମାନବ ସମ୍ବଳ ଦୃଷ୍ଟିରୁ ଭିତ୍ତିଭୂମିକୁ ଏକ ଉଚ୍ଚ ସ୍ତରରେ ପ୍ରସ୍ତୁତି ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଅମ୍ଳଜାନ ସିଲିଣ୍ଡର, ପିଏସ୍‍ଏ ପ୍ଲାଣ୍ଟ, ଭେଣ୍ଟିଲେଟର ଏବଂ ମାନବ ସମ୍ବଳ ସମେତ ହସ୍ପିଟାଲ ଭିତ୍ତିଭୂମିର କାର୍ଯ୍ୟ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ କୋଭିଡ ପାଇଁ ଥିବା ବ୍ୟବସ୍ଥାଗୁଡିକର ଅଡିଟ୍ କରିବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।

ପରୀକ୍ଷା ଏବଂ ଜେନୋମିକ୍ ସିକ୍ୱେନ୍ସିଂ ବଢାଇବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟମାନଙ୍କୁ ଜେନୋମ ସିକ୍ୱେନ୍ସିଂ ପାଇଁ ର୍ନିଦ୍ଦିଷ୍ଟ ଆଇଏନଏସଏସିଓଜି ଜେନୋମ ସିକ୍ୱେନ୍ସିଂ ପରୀକ୍ଷାଗାର (ଆଜିଏସଏଲଏସ) ସହିତ ଅଧିକ ସଂଖ୍ୟକ ନମୂନା ପଠାଇବାକୁ କୁହାଯାଇଛି। ଏହା ସଠିକ୍ ସମୟରେ ଏହି ନୂତନ ପ୍ରଜାତିକୁ ଚିହ୍ନଟ କରିପାରିବ, ଯଦି ଏହା ଥାଏ, ତେବେ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ସହଜ ହେବ।

ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ କୋଭିଡ ଉପଯୁକ୍ତ ଆଚରଣ ପାଳନ ବିଶେଷ କରି ଆଗାମୀ ଉତ୍ସବ ଋତୁକୁ ଦୃଷ୍ଟିରେ ରଖି ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଅନୁରୋଧ କରିଛନ୍ତି ଯେ ବିଶେଷ ଭାବରେ ସମ୍ବେଦନଶୀଳ ଏବଂ ବୟସ୍କ ବର୍ଗଙ୍କ ପାଇଁ ସତର୍କତାର ଡୋଜ୍‍ ଫଳପ୍ରଦ ହୋଇପାରେ।

ଔଷଧ, ଟିକା ଏବଂ ଡାକ୍ତରଖାନା ଶଯ୍ୟା ସମ୍ବନ୍ଧରେ ପର୍ଯ୍ୟାପ୍ତ ଉପଲବ୍ଧତା ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା। ଅତ୍ୟାବଶ୍ୟକ ଔଷଧର ଉପଲବ୍ଧତା ଏବଂ ମୂଲ୍ୟ ଉପରେ ନିୟମିତ ନଜର ରଖିବାକୁ ସେ ପରାମର୍ଶ ଦେଇଛନ୍ତି।

ସମୁଖ ଭାଗରେ ରହି କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସର୍ବଭାରତୀୟ ସ୍ତରରେ ପ୍ରଶଂସିତ କାର୍ଯ୍ୟକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ସମାନ ନିଃସ୍ୱାର୍ଥପର ତଥା ଉତ୍ସର୍ଗୀକୃତ ଢଙ୍ଗରେ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟ; ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର; ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀନ ପାୱାର; ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର, ନୀତି ଆୟୋଗ ସିଇଓ ପରମେଶ୍ୱରନ୍ ଆୟର, ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପାଲ; କ୍ୟାବିନେଟ ସଚିବ ରାଜୀବ ଗୌବା; ପିଏମଓ ଉପଦ୍ଦେଷ୍ଟା ଅମିତ ଖେର; ଗୃହ ସଚିବ ଏ କେ ଭଲ୍ଲା;  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣ, ସଚିବ (ଡିଏଚଆର) ଡକ୍ଟର ରାଜୀବ ବାହଲ, ସଚିବ ଫାର୍ମାସ୍ୟୁଟିକାଲ୍ସ (ଆଇ / ସି) ଅରୁଣ ବାରୋକାଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ବ୍ରିକ୍ସ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ: ବ୍ରିକ୍ସ ରାଷ୍ଟ୍ର ସମୂହର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକ ଆଭାସୀ ବ୍ୟବସ୍ଥାରେ ମେ ୧୩ତାରିଖରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବ୍ୟାପାର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଯୋଗଦେଇଥିଲେ।  ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣର ଗୁରୁତ୍ୱ ଦୃଷ୍ଟିରୁ ଏ ବିଷୟରେ ମିଳିତଭାବେ ଚିନ୍ତା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ଏବଂ ବ୍ରିକ୍ସର ଏହି ଉଚ୍ଚସ୍ତରୀୟ ବୈଠକ ଏ କ୍ଷେତ୍ରରେ ସହାୟକ ହେବ ବୋଲି ଶ୍ରୀ ଯାଦବ ମତପ୍ରକାଶ କରିଥିଲେ। ସେ କହିଥିଲେ ଯେ ଏବେ ପାରମ୍ପରିକ ଇନ୍ଧନର ବ୍ୟବହାରକୁ ଯଥେଷ୍ଟ ହ୍ରାସ କରି କମ୍ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା ଊର୍ଜାକୁ ଅଧିକରୁ ଅଧିକ ବ୍ୟବହାର କରିବା ସହିତ ବିକାଶ ପ୍ରକ୍ରିୟାକୁ ନିରନ୍ତର କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଆନ୍ତର୍ଜାତିକ ସହଯୋଗର ଗୁରୁତ୍ୱ ଅଧିକ।

ଏହି ଉଚ୍ଚସ୍ତରୀୟ ବୈଠକରେ ଚୀନର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ହୁଆଙ୍ଗ ରନ୍‌କି ଅଧ୍ୟକ୍ଷତା କରିଥିଲେ। ଏଥିରେ ଭାରତ ସମେତ ବ୍ରିକ୍ସ ରାଷ୍ଟ୍ର ବ୍ରାଜିଲ, ରୁଷିଆ, ଦକ୍ଷିଣ ଆଫ୍ରିକା ଆଦିର ବିଭାଗୀୟ ମନ୍ତ୍ରୀମାନେ ଯୋଗଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ତାଙ୍କ ଭାଷଣରେ କହିଥିଲେ ଯେ ଭାରତ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବାକୁ ଅଙ୍ଗୀକାରବଦ୍ଧ ଏବଂ ସମୂଳର ଯଥାର୍ଥ ଉପଯୋଗ କରି ଅପଚୟ ରୋକିବା ସହିତ ଜୀବନଶୈଳୀରେ ପରିବର୍ତ୍ତନ ଆଣି ନିରନ୍ତର ବିକାଶ ହାସଲ କରିବାରୁ ଉଦ୍ୟମ କରୁଛି। ଭାରତର ଦୂରଦ୍ରଷ୍ଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଇତିମଧ୍ୟରେ ଗ୍ରହଣ କରିସାରିଛି। ଅକ୍ଷୟଶକ୍ତି, ସହନଯୋଗ୍ୟ ବସବାସ, ଅତିରିକ୍ତ ଜଙ୍ଗଲ ଓ ବୃକ୍ଷରୋପଣ ଦ୍ୱାରା ଅତିରିକ୍ତ କାର୍ବନ ସିଙ୍କ୍ (ଅଙ୍ଗାର ନିଃଶୋଷଣ ବ୍ୟବସ୍ଥା) ସୃଷ୍ଟି, ବିକଳ୍ପ ଇନ୍ଧନଯୁକ୍ତ ପରିବହନ ବ୍ୟବସ୍ଥାକୁ କ୍ରମଶଃ ପରିବର୍ତ୍ତନ, ଇ-ମବିଲିଟି ଏବଂ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଘରୋଇ କ୍ଷେତ୍ରକୁ ସାମିଲ କରିବା ଆଦି ଭାରତ ଗ୍ରହଣ କରିଥିବା କେତେକ ବଳିଷ୍ଠ ପଦକ୍ଷେପର ଉଦାହରଣ ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଥିଲେ।

ଗ୍ରୀନହାଉସ ଗ୍ୟାସ ନିର୍ଗମନକୁ ହ୍ରାସ କରି ଭାରତ କିପରି ଅର୍ଥନୀତିକ ଅଭିବୃଦ୍ଧି ପ୍ରକ୍ରିୟା ବଢାଇବାରେ ସଫଳ ହେଉଛି ମନ୍ତ୍ରୀ ଶ୍ରୀ ଯାଦବ ତାହାର ଉଦାହରଣ ଦେଇଥିଲେ। ସେ କହିଥିଲେ ଯେ ବିକାଶଶୀଳ ଦେଶମାନଙ୍କ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟ ବିଭିନ୍ନ ବିଷୟ ଉପରେ  ନିର୍ଭର କରେ। ଏହା ବିକଶିତ ରାଷ୍ଟ୍ର ଓ ଅନ୍ୟାନ୍ୟ ଧନାଢ୍ୟ ସଂସ୍ଥା ଆବଶ୍ୟକ ଅର୍ଥ, ଟେକ୍‌ନୋଲୋଜି ଓ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ।

ୟୁଏନ୍‌ଏଫସିସି ଓ ପ୍ୟାରିସ ଚୁକ୍ତିର ସର୍ତ୍ତ ଅନୁସାରେ ଏଥିପାଇଁ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ଯେଉଁ ସାହାଯ୍ୟ ସହଯୋଗ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ତଦନୁସାରେ ଏହା କରାଯିବା ଉଚିତ ବୋଲି ସେ କହିଛନ୍ତି। ଗ୍ଲାସଗୋ ନିଷ୍ପତ୍ତି ଏବଂ କୋପ୍‌-୨୬ ପ୍ରେସିଡେନ୍ସି ଦ୍ୱାରା ପ୍ରକାଶିତ ଜଳବାୟୁ  ମୁକାବିଲା ବିତ୍ତଯୋଗାଣ ଯୋଜନା ଫଳରେ ଏହି ଅର୍ଥ ଯୋଗାଣ ଓ ଟେକେ୍‌ନୋଲୋଜି ହସ୍ତାନ୍ତର କାର୍ଯ୍ୟ ସମ୍ପନ୍ନ ହେବା ଘେନି ସେ ଦୃଢ ଆଶାବ୍ୟକ୍ତ କରିଛନ୍ତି।

ଏହି ବୈଠକରେ ବିକ୍ସ ରାଷ୍ଟ୍ର ସମୂହର ପରିବେଶ ମନ୍ତ୍ରୀମାନେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସହଯୋଗକୁ ସୁଦୃଢ କରିବାକୁ ଅଙ୍ଗୀକାର ପ୍ରକାଶ କରିଥିଲେ। ଆହୁରି ମଧ୍ୟ ସହଯୋଗର ବିଷୟବସ୍ତୁ ଓ କ୍ଷେତ୍ରକୁ ଅଧିକ ବ୍ୟାପକ କରିବାକୁ ସେମାନେ ରାଜି ହୋଇଛନ୍ତି। ବୈଠକ ଶେଷରେ ଜାରି ମିଳିତ ଘୋଷଣା ନାମରେ କୁହାଯାଇଛି ଯେ ବ୍ରିକ୍ସ ରାଷ୍ଟ୍ରମାନେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ନିଜ ନିଜ ମଧ୍ୟରେ ନୀତି ଅଦଳବଦଳ (ପଲିସି ଏକ୍ସଚେଞ୍ଜ) କରିବା ସହିତ ସହଯୋଗକୁ ଅଧିକ ନିବିଡ ଓ ବ୍ୟାପକ କରିବାକୁ ଏକମତ ହୋଇଛନ୍ତି।

Categories
ବିଶେଷ ଖବର

ଉଚ୍ଚସ୍ତରୀୟ ବୈଠକରେ ଜାତୀୟ ଶିକ୍ଷା ନୀତି (ଏନଇପି)-୨୦୨୦ର କାର୍ଯ୍ୟକାରିତା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏନଇପି ୨୦୨୦ କାର୍ଯ୍ୟକାରୀ ହେବାର ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏସବୁ କାର୍ଯ୍ୟକ୍ରମ ଜରିଆରେ ଜାତୀୟ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟ ସୁଲଭତା, ସମାନତା, ସମାବେଶିତା ଏବଂ ଗୁଣବତ୍ତା ଆଧାରିତ ଶିକ୍ଷାଦାନ ଉପରେ ଗୁରୁତ୍ବାରୋପ କରାଯାଇଛି। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଠାବ କରିବା ଏବଂ ସେମାନଙ୍କୁ ମୁଖ୍ୟଧାରାକୁ ଫେରାଇ ଆଣିବା, ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକାଧିକ ପ୍ରବେଶ ଓ ପ୍ରସ୍ଥାନର ବିକଳ୍ପ ଭଳି ପଦକ୍ଷେପ ନିଆଯାଇଛି। ଆମେ ସ୍ବାଧୀନତାର ‘ଅମୃତ କାଳ’ରେ ପ୍ରବେଶ କରୁଥିବାରୁ ଏସବୁ ପଦକ୍ଷେପ ରାଷ୍ଟ୍ର ପ୍ରଗତିକୁ ପରିଭାଷିତ କରିବା ସହିତ ଏଥିପାଇଁ ମାର୍ଗଦର୍ଶନ ମଧ୍ୟ କରିବ।

ବିଦ୍ୟାଳୟ ଶିକ୍ଷା

ଜାତୀୟ ଷ୍ଟିଅରିଂ କମିଟିର ମାର୍ଗଦର୍ଶନରେ ଜାତୀୟ ପାଠ୍ୟକ୍ରମ ଢାଞ୍ଚାର ଗଠନ କାର୍ଯ୍ୟ ଜାରି ରହିଥିବା ନେଇ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଉନ୍ନତ ଅଧ୍ୟୟନ ପରିଣାମ ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ବାଲବାଟିକା ଗୁଡ଼ିକରେ ଇସିସିଇ ଭଳି ଗୁଣବତ୍ତା, ନିପୁଣ ଭାରତ, ବିଦ୍ୟା ପ୍ରବେଶ, ପରୀକ୍ଷାରେ ସଂସ୍କାର ଏବଂ କଳା ସହ ସମନ୍ବିତ ଶିକ୍ଷା, ଖେଳନା ଆଧାରିତ ଶିକ୍ଷାଶାସ୍ତ୍ର ଭଳି ଅଭିନବ ଶିକ୍ଷାଦାନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରଯୁକ୍ତି ଉପରେ ଅତ୍ୟଧିକ ନିର୍ଭରଶୀଳ ନହେବାକୁ ଦେବା ଲାଗି ଅନଲାଇନ ଏବଂ ଅଫଲାଇନ ଶିକ୍ଷାଦାନର ହାଇବ୍ରିଡ୍‌ ପଦ୍ଧତି ବିକଶିତ କରାଯିବା ଉଚିତ୍‌।

ପିଲାମାନେ ଅଙ୍ଗନବାଡ଼ିରୁ ସ୍କୁଲକୁ ଯାଇଥାନ୍ତି, ଏହାକୁ ଦୃଷ୍ଟିରେ ରଖି ଅଙ୍ଗନବାଡ଼ିରେ ରଖାଯାଉଥିବା ପିଲାମାନଙ୍କର ତଥ୍ୟ ବାଧାମୁକ୍ତ ଭାବେ ବିଦ୍ୟାଳୟର ଡାଟାବେସ ସହ ମିଶାଇବାର ଆବଶ୍ୟକତା ରହିଛି। ପ୍ରଯୁକ୍ତି ସହାୟତାରେ ବିଦ୍ୟାଳୟଗୁଡ଼ିକରେ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ ଓ ସ୍କ୍ରିନିଂ କରାଯିବା ଆବଶ୍ୟକ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଷୟଗତ କୌଶଳ ବିକାଶ କରିବା ଲାଗି ସ୍ବଦେଶୀ ଭାବେ ବିକଶିତ ଖେଳନାର ଉପଯୋଗ କରାଯିବା ଆବଶ୍ୟକ। ସେ ଆହୁରି ପରାମର୍ଶ ଦେଇଥିଲେ ଯେ, ବିଜ୍ଞାନ ପରୀକ୍ଷାଗାର ଥିବା ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ସ୍ଥାନୀୟ ଚାଷୀଙ୍କ ସହିତ ସମ୍ପର୍କ ସ୍ଥାପନ କରି ମୃତ୍ତିକା ପରୀକ୍ଷଣରେ ନିୟୋଜିତ ହେବା ଉଚିତ୍‌। ଏହା ମାଧ୍ୟମରେ ମୃତ୍ତିକା ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇ ପାରିବ।

 ବହୁବିଷୟ ଆଧାରିତ ଉଚ୍ଚଶିକ୍ଷା

ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ଯେ, ଉଚ୍ଚ ଶିକ୍ଷା କ୍ଷେତ୍ରରେ ନମନୀୟତା ପାଇଁ ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ସୁବିଧା ଲାଗି ୟୁଜିସି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହାସହିତ ଡିଜିଲକର ପ୍ଲାଟଫର୍ମରେ ଏକାଡେମିକ ବ୍ୟାଙ୍କ ଅଫ୍‌ କ୍ରେଡିଟ୍‌ର ଶୁଭାରମ୍ଭ କରାଯିବା ଫଳରେ ଛାତ୍ରଛାତ୍ରୀ ସେମାନଙ୍କ ସୁବିଧା ଓ ବିକଳ୍ପ ଅନୁଯାୟୀ ପାଠ ପଢ଼ିବାର ସୁଯୋଗ ପାଇବେ। ଜୀବନ ବ୍ୟାପୀ ଅଧ୍ୟୟନ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବା ଏବଂ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ କେନ୍ଦ୍ରୀୟ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଏବଂ ଆନ୍ତଃବିଷୟକ ଚିନ୍ତାଧାରା ବିକଶିତ କରିବା ଲାଗି, ୟୁଜିସି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହାକୁ ଆଧାର କରି ଛାତ୍ରଛାତ୍ରୀମାନେ ଏକକାଳୀନ ଦୁଇଟି ଶିକ୍ଷା ପାଠ୍ୟକ୍ରମରେ ପାଠ ପଢ଼ିପାରିବେ। ଜାତୀୟ ଉଚ୍ଚ ଶିକ୍ଷା ଯୋଗ୍ୟତା ଢାଞ୍ଚା (ଏନଏଚଇକ୍ୟୁଏଫ) ମଧ୍ୟ ପ୍ରସ୍ତୁତିର ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି । ଏନଏଚଇକ୍ୟୁଏଫ ଅନୁରୂପ ‘‘ସ୍ନାତକ ପାଠ୍ୟକ୍ରମ ପାଇଁ ବର୍ତ୍ତମାନର ପାଠ୍ୟକ୍ରମ ଢାଞ୍ଚା ଓ କ୍ରେଡିଟ୍‌ ସିଷ୍ଟମ’’ରେ ମଧ୍ୟ ୟୁଜିସି ସଂଶୋଧନ କରୁଛି।

ବହୁମୁଖି ଶିକ୍ଷାଦାନ

ଅନଲାଇନ, ମୁକ୍ତ ଏବଂ ବହୁମୁଖି ଶିକ୍ଷାଦାନ ବ୍ୟବସ୍ଥାକୁ ଉଭୟ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ସଂସ୍ଥାନରେ ବ୍ୟାପକ ଭାବେ ପ୍ରୋତ୍ସାହିତ କରାଯାଉଛି। ଏହି କାର୍ଯ୍ୟକ୍ରମ କୋଭିଡ ୧୯ ମହାମାରୀ ଜନିତ ପାଠପଢ଼ା କ୍ଷତିକୁ ହ୍ରାସ କରିବା ଏବଂ ଦେଶର ଉପାନ୍ତ ଓ ଅପହଞ୍ଚ ଇଲାକାରେ ଶିକ୍ଷାର ଆଲୋକ ପହଞ୍ଚାଇବା କ୍ଷେତ୍ରରେ ବିଶେଷ ଭାବେ ଯୋଗଦାନ ଦେଇପାରିବ। ସ୍ବୟମ, ଦିକ୍ଷା, ସ୍ବୟଂପ୍ରଭା, ଭର୍ଚୁଆଲ ଲାବ୍‌ ଏବଂ ଅନ୍ୟ ଅନଲାଇନ ରିସୋର୍ସ ପୋର୍ଟାଲଗୁଡ଼ିକ ଦିନକୁ ଦିନ ବୃଦ୍ଧି ପାଉଛି। ଏଗୁଡ଼ିକର ଲୋକପ୍ରିୟତା ବଢ଼ିବା ସହିତ ଏଥିରେ ଅଧିକରୁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ପଞ୍ଜୀକରଣ କରୁଛନ୍ତି। ଏସବୁ ପୋର୍ଟାଲରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସାଙ୍କେତିକ ଭାଷା ସମେତ ବିଭିନ୍ନ ଭାରତୀୟ ଭାଷାରେ ପାଠପଢ଼ା ସାମଗ୍ରୀ ଯୋଗାଇ ଦିଆଯାଉଛି।

ଉପରୋକ୍ତ ବ୍ୟତୀତ, ୟୁଜିସି ପକ୍ଷରୁ ମୁକ୍ତ ଓ ଦୂର ଅଧ୍ୟୟନ (ଓଡିଏଲ) ଏବଂ ଅନଲାଇନ ପାଠ୍ୟକ୍ରମ ନିୟାମକ ବ୍ୟବସ୍ଥା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଏହା ଅଧୀନରେ ୫୯ଟି ଉଚ୍ଚଶିକ୍ଷା ସଂସ୍ଥାନ ୩୫୧ଟି ପୂର୍ଣ୍ଣକାଳୀନ ଅନଲାଇନ ପାଠ୍ୟକ୍ରମ ସୁବିଧା କରିଛନ୍ତି। ସେହିପରି ୮୬ଟି ଉଚ୍ଚ ଶିକ୍ଷାନୁଷ୍ଠାନ ୧୦୮୧ଟି ଓଡିଏଲ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ଗୋଟିଏ ପାଠ୍ୟକ୍ରମରେ ଅନଲାଇନ ବିଷୟବସ୍ତୁର ଅନୁମତିପ୍ରାପ୍ତ ସୀମାକୁ ବୃଦ୍ଧି କରି ୪୦% କରି ଦିଆଯାଇଛି।

ନବସୃଜନ ଏବଂ ଷ୍ଟାର୍ଟଅପ୍

ଷ୍ଟାର୍ଟଅପ୍‌ ଓ ନବସୃଜନର ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୮ଟି ରାଜ୍ୟ ଏବଂ ୬ଟି କେନ୍ଦ୍ର ଶାସିତ ପ୍ରଦେଶରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ୨,୭୭୪ଟି ଶିକ୍ଷାନୁଷ୍ଠାନ ନବସୃଜନ ପରିଷଦ ପ୍ରତିଷ୍ଠା କରାଯାଇଛି। ଜାତୀୟ ଶିକ୍ଷା ନୀତି ଅନୁକୂଳ ନବସୃଜନ ଉପଲବ୍ଧି ଉପରେ ଶିକ୍ଷାନୁଷ୍ଠାନ ଗୁଡ଼ିକର ଅଟଳ ରେଙ୍କିଙ୍ଗ (ଏଆରଆଇଆଇଏ) ଡିସେମ୍ବର ୨୦୨୧ରେ ଆରମ୍ଭ ହୋଇଥିଲା। ଗବେଷଣା, ଉଦ୍ଭାବନ ଓ ଷ୍ଟାର୍ଟଅପ୍‌ ପାଇଁ ଏକ ସଂସ୍କୃତି ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ। ଏଆରଆଇଆଇଏରେ ୧୪୩୮ଟି ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରିଥିଲେ। ଘୋଷା ପାଠ ପରିବର୍ତ୍ତେ ପରୀକ୍ଷାମୂଳକ ଅଧ୍ୟୟନ ପାଇଁ ‘ବିଚାର ବିକାଶ, ମୂଲ୍ୟାୟନ ଏବଂ ପ୍ରୟୋଗ’(ଆଇଡିଆ) କାର୍ଯ୍ୟକ୍ରମ ପାଇଁ ଏଆଇସିଟିଇ ପକ୍ଷରୁ ଉଦ୍ୟୋଗ ଜଗତର ସହଭାଗିତାରେ ୧୦୦ଟି ଶିକ୍ଷାନୁଷ୍ଠାନକୁ ପାଣ୍ଠି ଯୋଗାଇ ଦିଆଯାଇଛି।

ଭାରତୀୟ ଭାଷାକୁ ପ୍ରୋତ୍ସାହନ

କୌଣସି ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣ କ୍ଷେତ୍ରରେ ଇଂରାଜୀ ଜ୍ଞାନର ଅଭାବ ଯେପରି ବାଧା ସୃଷ୍ଟି ନକରିବ ତାହା ସୁନିଶ୍ଚିତ କରିବା ଲାଗି ବହୁଭାଷୀ ଶିକ୍ଷାଦାନ ଓ ପରୀକ୍ଷଣ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏହି ଲକ୍ଷ୍ୟକୁ ସାକାର କରିବା ଲାଗି ରାଜ୍ୟମାନେ ମୌଳିକ ଶିକ୍ଷା ସ୍ତରରେ ଦ୍ବିଭାଷୀ/ତ୍ରିଭାଷୀ ପାଠ୍ୟପୁସ୍ତକ ପ୍ରକାଶନ କରୁଛନ୍ତି ଏବଂ ଦୀକ୍ଷା ପ୍ଲାଟଫର୍ମରେ ୩୩ଟି ଭାରତୀୟ ଭାଷାରେ ପାଠ୍ୟ ବିଷୟ ପ୍ରସାରଣ କରାଯାଉଛି। ଏନଆଇଓଏସ ପକ୍ଷରୁ ମାଧ୍ୟମିକ ଶିକ୍ଷା ସ୍ତରରେ ଏକ ଭାଷା ବିଷୟ ଭାବେ ଭାରତୀୟ ସାଙ୍କେତିକ ଭାଷା ପ୍ରଚଳନ କରାଯାଇଛି।

ନେସନାଲ ଟେଷ୍ଟିଂ ଏଜେନ୍ସି-ଏନଟିଏ ୧୩ଟି ଭାଷାରେ ଜେଇଇ ପରୀକ୍ଷା ଆୟୋଜନ କରିଛି। ଏଆଇସିଟିଇ ପକ୍ଷରୁ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ଅନୁବାଦ ଆପ୍‌ ବିକଶିତ କରାଯାଇଛି ଏବଂ ପାଠ୍ୟ ବିଷୟକୁ ଭାରତୀୟ ଭାଷାରେ ଅନୁବାଦ କରାଯାଉଛି। ହିନ୍ଦୀ, ମରାଠୀ, ବେଙ୍ଗଲୀ, ତାମିଲ, ତେଲୁଗୁ ଏବଂ କନ୍ନଡ଼ ଭାଷାରେ ବୈଷୟିକ ପୁସ୍ତିକା ଲେଖା ଯାଉଛି। ୨୦୨୧-୨୨ ଠାରୁ ୧୦ଟି ରାଜ୍ୟର ୧୯ଟି ଇଞ୍ଜିନିୟରିଂ କଲେଜରେ ୬ଟି ଭାରତୀୟ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶିକ୍ଷା ଦିଆଯାଉଛି। ଏଆଇସିଟିଇ ଦ୍ବାରା ଆଞ୍ଚଳିକ ଭାଷାରେ ଅତିରିକ୍ତ ୩୦/୬୦ ସିଟ୍‌ ବ୍ୟବସ୍ଥା କରାଯାଇଛି ଏବଂ ମଞ୍ଜୁରି ପ୍ରାପ୍ତ ପ୍ରବେଶ ମଧ୍ୟରୁ ୫୦% ଆଞ୍ଚଳିକ ଭାଷାରେ ନିଆଯାଉଛି।

ଜାତୀୟ ଶିକ୍ଷା ନୀତି ୨୦୨୦ର ସୁପାରିସ ଅନୁଯାୟୀ ଭାରତୀୟ ଜ୍ଞାନ ପ୍ରଣାଳୀକୁ ପ୍ରୋତ୍ସାହିତ କରାଯାଉଛି। ଏଆଇସିଟିଇରେ ଏକ ଭାରତୀୟ ଜ୍ଞାନ ପ୍ରଣାଳୀ (ଆଇକେଏସ) ପ୍ରତିଷ୍ଠା କରାଯାଇଛି ଏବଂ ସାରା ଦେଶରେ ୧୩ଟି ଆଇକେଏସ କେନ୍ଦ୍ର ଖୋଲାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ସହିତ ଏହି ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର, ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସୁଭାଷ ସରକାର, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଶିକ୍ଷା ଓ ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ରାଜ କୁମାର ରଞ୍ଜନ ସିଂ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା, ୟୁଜିସି ଅଧ୍ୟକ୍ଷ, ଏଆଇସିଟିଇ ଅଧ୍ୟକ୍ଷ, ଏନସିଭିଇଟିର ଅଧ୍ୟକ୍ଷ, ଏନସିଇଆରଟିର ନିର୍ଦ୍ଦେଶକଙ୍କ ସମେତ ଶିକ୍ଷା ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଗ୍ରୀଷ୍ମ ପ୍ରବାହ ମୁକାବିଲା ଏବଂ ମୌସୁମୀ ପ୍ରସ୍ତୁତିର ସ୍ଥିତି ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ଏବଂ ମୌସୁମୀ ପ୍ରସ୍ତୁତିର ସ୍ଥିତି ସମୀକ୍ଷା କରିଛନ୍ତି।

ଏହି ବୈଠକରେ ଆଇଏମଡି ଏବଂ ଏନଡିଏମଏର ବରିଷ୍ଠ ପଦାଧିକାରୀମାନେ ଦେଶରେ ମାର୍ଚ୍ଚ-ମେ ୨୦୨୨ ମାସ ମଧ୍ୟରେ ଅନୁଭୂତ ହୋଇଥିବା କ୍ରମାଗତ ଉଚ୍ଚ ତାପମାତ୍ରା ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ରାଜ୍ୟ, ଜିଲ୍ଲା ଏବଂ ସହରାଞ୍ଚଳ ସ୍ତରରେ ଏକ ‘ମାନକ ମୁକାବିଲା ପ୍ରସ୍ତୁତି ଯୋଜନା’ ଭାବେ ଗ୍ରୀଷ୍ମପ୍ରବାହ ମୁକାବିଲା କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ନିମନ୍ତେ ରାଜ୍ୟମାନଙ୍କୁ ଏକ ‘ବନ୍ୟା ମୁକାବିଲା ପ୍ରସ୍ତୁତି ଯୋଜନା’ ବିକଶିତ କରିବା ଲାଗି କୁହାଯାଇଥିଲା।

ଅନୁରୂପ ଭାବେ ବନ୍ୟା ପ୍ରବଣ ରାଜ୍ୟମାନଙ୍କ ପାଇଁ ଉଦ୍ଧାରକାରୀ ଦଳ ନିୟୋଜନ ଯୋଜନା ବିକଶିତ କରିବା ଲାଗି ଏନଡିଆରଏଫକୁ ପରାମର୍ଶ ଦିଆଯାଇଥିଲା। ଜନସାଧାରଣଙ୍କୁ ସଚେତନ କରିବା ଲାଗି ସାମାଜିକ ଗଣମାଧ୍ୟମର ସକ୍ରିୟ ଉପଯୋଗ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ ଯେ, ଗ୍ରୀଷ୍ମପ୍ରବାହ କିମ୍ବା ଅଗ୍ନିକାଣ୍ଡ ଭଳି ଘଟଣା ଜନିତ ଜୀବନହାନି ରୋକିବା ଲାଗି ଆମ ସମସ୍ତଙ୍କୁ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଖୁବ୍‌ କମ୍‌ ସମୟ ମଧ୍ୟରେ ଏପରି ଘଟଣାର ମୁକାବିଲା କରାଯିବା ଉଚିତ୍‌।

ସେ ଜୋର ଦେଇ କହିଥିଲେ ଯେ ତାପମାତ୍ରା ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି, ଡାକ୍ତରଖାନା ମାନଙ୍କରେ ଅଗ୍ନି ସୁରକ୍ଷା ଅଡିଟ୍‌ କରାଯିବା ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ବିବିଧ ଜଙ୍ଗଲର ପ୍ରାକୃତିକ ପରିବେଶ ନିଆଁ ଦାଉରୁ ରକ୍ଷା କରିବା ପାଇଁ ମିଳିତ ପ୍ରୟାସ କରାଯିବା ଜରୁରି। ସମ୍ଭାବ୍ୟ ଅଗ୍ନିକାଣ୍ଡକୁ ଠିକ୍‌ ସମୟରେ ଠାବ କରିବା, ଅଗ୍ନି ନିର୍ବାପନ କରିବା ଏବଂ ଅଗ୍ନିକାଣ୍ଡ ପରେ ସ୍ଥିତି ସ୍ବାଭାବିକ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ବନ କର୍ମଚାରୀ ଓ ସଂସ୍ଥାର କ୍ଷମତା ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆଗାମୀ ସୌସୁମୀ ପ୍ରସ୍ତୁତି ସମୀକ୍ଷା କରି ପ୍ରଧାନମନ୍ତ୍ରୀ କେତେକ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।  ଜଳବାହିତ ରୋଗ ସଂକ୍ରମଣ ଏବଂ ପ୍ରସାରକୁ ନିରାକରଣ କରିବା ଲାଗି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ବିଶେଷ ବ୍ୟବସ୍ଥା କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିଲେ।

ଗ୍ରୀଷ୍ମ ପ୍ରବାହ ଓ ପରବର୍ତ୍ତୀ ମୌସୁମୀକୁ ଦୃଷ୍ଟିରେ ରଖି ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ସବୁ ବ୍ୟବସ୍ଥାକୁ ପ୍ରସ୍ତୁତ ରଖିବା ନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସଂସ୍ଥା ମଧ୍ୟରେ ପ୍ରଭାବୀ ସମନ୍ବୟ ସ୍ଥାପନ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତାଗଣ, କ୍ୟାବିନେଟ ସଚିବ, ସ୍ବରାଷ୍ଟ୍ର, ସ୍ବାସ୍ଥ୍ୟ, ଜଳ ଶକ୍ତି ମନ୍ତ୍ରଣାଳୟର ସଚିବଗଣ, ଏନଡିଏମଏ ସଦସ୍ୟ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଏନଡିଏମଏ), ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏବଂ ଏନଡିଆରଏଫର ମହାନିର୍ଦ୍ଦେଶକମାନେ ଅଂଶଗ୍ରହଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

କୋଭିଡ୍‌-୧୯ ଓ ଟିକାଦାନ ସ୍ଥିତି ସମ୍ପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଏକ ପୂର୍ଣ୍ଣାଙ୍ଗ ଉଚ୍ଚସ୍ତରୀୟ ବୈଠକରେ ଦେଶର କୋଭିଡ୍ ପରିସ୍ଥିତିର ସବିଶେଷ ସମୀକ୍ଷା କରିଛନ୍ତି। ପ୍ରାୟ ଦୁଇଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ନୂଆ କୋଭିଡ ଭୂତାଣୁ “ଓମିକ୍ରନ”ର ସଂକ୍ରମଣ, ଟିକାଦାନ, ଚିକିତ୍ସା ବ୍ୟବସ୍ଥା ଓ ଅନ୍ୟାନ୍ୟ ସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ।

ଏହି ବୈଠକ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ କୋଭିଡ ମହାମାରୀର ବୈଶ୍ୱିକ ଧାରା, ସଂକ୍ରମଣ ସ୍ଥିତି ଓ ଅନ୍ୟାନ୍ୟ ବିଷୟରେ ଅବଗତ କରାଯାଇଥିଲା। ମହାମାରୀ ଆରମ୍ଭ କାଳରୁ ବିଶ୍ୱର ବିଭିନ୍ନ ଦେଶରେ ତୁହାକୁ ତୁହା ନୂଆପ୍ରକାର ଭୂତାଣୁ ସଂକ୍ରମଣ ଘଟଣାମାନ ଘଟିଆସୁଛି ବୋଲି ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଓ ହାର  ସହିତ କୋଭିଡସ୍ଥିତି କ’ଣ ତାହା ମଧ୍ୟ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ।

ଏହି ବୈଠକରେ ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ  ଦେଶରେ କୋଭିଡ ଟିକାଦାନର ପ୍ରଗତି ସମ୍ପର୍କରେ ଅବଗତ କରାଯିବା ସହିତ “ହର ଘର ଦସ୍ତକ” ଅଭିଯାନ କିପରି କାର୍ଯ୍ୟକାରୀ ହେଉଛି ସେ ବିଷୟରେ ସୂଚିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଦ୍ୱିତୀୟ ଡୋଜ ଟିକା ପ୍ରଦାନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଓ କ୍ଷୀପ୍ରତର କରିବାର  ଆବଶ୍ୟକତା ରହିଛି। ଯେଉଁମାନେ ପ୍ରଥମ ଡୋଜ ଟିକା ନେଇସାରିଛନ୍ତି, ସେମାନଙ୍କୁ ନିର୍ଦ୍ଧାରିତ ସମୟରେ ଦ୍ୱିତୀୟ ଡୋଜ ଟିକାଦାନକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟମାନଙ୍କୁ ସଚେତନ କରାଇବାକୁ ପ୍ରଧାନମନ୍ତ୍ରୀ କହିଥିଲେ। ଦେଶରେ ସେରୋ ପଜିଟିଭିଟି ସ୍ଥିତି ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ବିଭିନ୍ନ ସମୟରେ ହେଉଥିବା ଏହି ପରୀକ୍ଷାର ସୁଫଳ ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ କିପରି ପଡୁଛି ତାହା ମଧ୍ୟ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ।

ଏବେ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ନୂଆ କରୋନା ଭୂତାଣୁ ‘ଓମିକ୍ରନ”, ଏହାର ଲକ୍ଷଣ, ବିଭିନ୍ନ ଦେଶରେ ପଡିଥିବା ଏହାର ପ୍ରଭାବ ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଭାରତ ଉପରେ ଏହି ଭୂତାଣୁର କି ପ୍ରକାର ସମ୍ଭାବ୍ୟ ପ୍ରଭାବ ପଡିପାରେ ତାହା ମଧ୍ୟ ଆଲୋଚିତ ହୋଇଥିଲା। ନୂଆ ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଏଥିପ୍ରତି ସତର୍କ ଓ ପ୍ରସ୍ତୁତ ରହିବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ଆହୁରି କହିଥିଲେ ଯେ ନୂଆ ସଂକ୍ରମଣ ପରିପ୍ରେକ୍ଷୀରେ ଜନସାଧାରଣ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରି ଚଳିବା ଆବଶ୍ୟକ। ବିଦେଶରୁ ଯେଉଁମାନେ ଦେଶକୁ ଆସୁଛନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ଅନୁସାରେ କରାଯିବା ଆବଶ୍ୟକ। ଯେଉଁ ଦେଶଗୁଡିକ ସଂକ୍ରମଣ ଦୃଷ୍ଟିରୁ ବିପଦପୂର୍ଣ୍ଣଭାବେ ଚିହ୍ନଟ ହୋଇଛନ୍ତି, ସେଠାରୁ ଆସୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ସେ କହିଛନ୍ତି। ଯେଉଁ ଦେଶଗୁଡିକ ସଂକ୍ରମଣମୁକ୍ତ ତାହାକୁ ପ୍ରମାଣଭିତ୍ତିରେ ଠାବ କରି ଆନ୍ତର୍ଜାତିକ ଭ୍ରମଣ କଟକଣାକୁ କୋହଳ କରିବାକୁ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ଦେଶରେ ଚାଲିଥିବା କରୋନା ବିରୋଧୀ ଅନୁ୍‌କ୍ରମଣ(ସିକ୍ୟୁଏନ୍ସିଂ)ପ୍ରୟାସ ତଥା ସଂକ୍ରମଣକାରୀ ଭୂତାଣୁଗୁଡିକ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିୟମ ଅନୁସାରେ ଆନ୍ତର୍ଜାତିକ ଯାତ୍ରୀ ଓ ସମୁଦାୟଙ୍କ ଜେନମ୍ ସିକ୍ୟୁଏନି୍ସଂ ନମୁନା ସଂଗ୍ରହ କରାଯିବା ଉଚିତ। ସମଗ୍ର ସିକୁଏନି୍ସଂ ପ୍ରକ୍ରିୟାକୁ ବ୍ୟାପକ ଓ ସୁସଂହତ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ଜିଲ୍ଲା ଓ ପ୍ରାଦେଶିକସ୍ତରରେ ନୂଆ ସଂକ୍ରମଣ ରୋକିବାକୁ ଆବଶ୍ୟକ ପ୍ରସ୍ତୁତିକୁ ଗୁରୁତ୍ୱ ଦେଇ ଏଥିପାଇଁ ରାଜ୍ୟମାନଙ୍କୁ ସତର୍କ ଓ  ସଚେତନ କରାଇବାକୁ ସେ କହିଥିଲେ। ଯେଉଁସବୁ ରାଜ୍ୟରେ ଅଧିକ ଭୂତାଣୁ ସଂକ୍ରମଣ ଘଟଣା ନିଜରକୁ ଆସୁଛି ସେଠାରେ ତଦାରଖ ଓ କଣ୍ଟେନମେଣ୍ଟ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଆବଶ୍ୟକ ପଡିଲେ ରାଜ୍ୟ ସରକାରମାନଙ୍କୁ ବୈଷୟିକ ସହାୟତା ଯୋଗାଇଦେବାକୁ କହିଥିଲେ। ବାୟୁ ସଂଚାର ଓ ପବନ ଦ୍ୱାରା କେତେକ କରୋନା ଭୂତାଣୁ ସଂକ୍ରମଣ ବ୍ୟାପୁଥିବାରୁ ସେଥିପ୍ରତି ସଚେତନତା ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ, କରୋନ ମୁକାବିଲା କ୍ଷେତ୍ରରେ ସେମାନେ ନୂଆ ଔଷଧପତ୍ରର ପ୍ରୟୋଗକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି ଏବଂ ଏହାର ସୁବିଧା ଉପଲବ୍ଧ କରାଉଛନ୍ତି । ସବୁ ରାଜ୍ୟରେ ଯେପରି ପର୍ଯ୍ୟାପ୍ତ ପରିମାଣର ଔଷଧପତ୍ର ମହଜୁଦ ରହେ ତାହା ନିଶ୍ଚିତ କରିବାକୁ ଉପଯୁକ୍ତ ସମନ୍ୱୟ ବ୍ୟବସ୍ଥା କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଆହୁରି ମଧ୍ୟ ସବୁ ରାଜ୍ୟର ସ୍ୱାସ୍ଥ୍ୟସେବା ସୁବିଧା, ଭିତ୍ତିଭୂମି ତଥା ବିଶେଷକରି ଶିଶୁଚିକିତ୍ସା  ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ କହିଥିଲେ। ରାଜ୍ୟମାନଙ୍କରେ ପିଏସ୍‌ଏ ଅକ୍ସିଜେନ ପ୍ଲାଣ୍ଟ ଓ ଭେଣ୍ଟିଲେଟର ସୁବିଧା କିପରି କାର୍ଯ୍ୟ କରୁଛି ତାହା ଦେଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା, ନୀତି ଆୟୋଗର ସଦସ୍ୟ(ସ୍ୱାସ୍ଥ୍ୟ) ଡକ୍ଟର ଭି.କେ.ପାଲ, ସ୍ୱରାଷ୍ଟ୍ର ସଚିବ ଏ.କେ. ଭଲ୍ଲା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣ, ବାୟୋ ଟେକ୍‌ନୋଲୋଜି ସଚିବ ଡକ୍ଟର ରାଜେଶ ଗୋଖଲେ, ଆଇସିଏମ୍‌ଆର ଡିଜି ଡକ୍ଟର ବଳରାମ ଭାର୍ଗବ, ଆୟୁଷ ସଚିବ ବୈଦ୍ୟ ରାଜେଶ କୋଟେଚା, ସହରାଞ୍ଚଳ ବିକାଶ ସଚିବ ଦୁର୍ଗାଶଙ୍କର ମିଶ୍ର, ଏନ୍‌ଏଚ୍‌ଏର ସିଇଓ ଆର.ଏସ୍‌.ଶର୍ମା ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟା ପ୍ରଫେସର କେ ବିଜୟ ରାଘବନ ଓ ଅନ୍ୟାନ୍ୟ ବରିଷ୍ଠ ସରକାରୀ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅମ୍ଳଜାନ ଅଭାବ ଓ ଯୋଗାଣ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା: ସୀମା ଶୁଳ୍କ ଛାଡ ନେଇ ଘୋଷଣା

ନୂଆଦିଲ୍ଲୀ: ଅମ୍ଳଜାନ ଅଭାବ ଓ ଯୋଗାଣ ନେଇ ଆଜି ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି। ଆଜିର ଏହି ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛି। ଅମ୍ଳଜାନ ଏବଂ ତତସମନ୍ଧୀୟ ଉପକରଣ ଉପରେ ସୀମା ଶୁଳ୍କ ଛାଡ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି। କରୋନା ମୁକାବିଲା ପାଇଁ କେନ୍ଦ୍ର ଏଭଳି ନିଷ୍ପତ୍ତି ନେଇଛି।

ଶୁଳ୍କ ଛାଡ ଦ୍ଵାରା ଅମ୍ଳଜାନ ଯୋଗାଣ ସହଜ ହେବ। ଏହାସହିତ ଅମ୍ଳଜାନ ସମ୍ପର୍କିତ ଉପକରଣ ଆମଦାନୀ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି କରୋନା ଟୀକା ଉପରେ ମଧ୍ୟ କେନ୍ଦ୍ର ସରକାର ସୀମା ଶୁଳ୍କ ଛାଡ କରିଛନ୍ତି। ସୀମା ଶୁଳ୍କ ଛାଡ ଦ୍ଵାରା ବିଦେଶରୁ ଟୀକା ମଧ୍ୟ ସୁଲଭ ଦରରେ ମିଳିପାରିବ। ଆମଦାନୀ ବେଳେ ଏସବୁ ଦ୍ରବ୍ୟରୁ ୩ ମାସ ଯାଏଁ ସୀମା ଶୁଳ୍କ ଛାଡ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।