Categories
ବିଶେଷ ଖବର

ବାତ୍ୟା “ବିପର୍ଯ୍ୟୟ”ର ମୁକାବିଲା ପ୍ରସ୍ତୁତି ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ର୍ରିକ ବାତ୍ୟା ଭୀଷଣ ଆକାର ଧାରଣ କରି ଗୁଜରାଟ ଉପକୂଳ ଆଡେ ମୁହାଁଇଛି। ‘ବିପର୍ଯ୍ୟୟ’ ନାମକ ଏହି ସାମୁଦ୍ରିକ ବାତ୍ୟାର ମୁକାବିଲା କରି କ୍ଷୟକ୍ଷତିକୁ କିପରି ଯଥା ସାଧ୍ୟ କମ୍ କରାଯାଇପାରିବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଜି ଏଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହା, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମକର୍ତ୍ତା  ଯୋଗ ଦେଇଥିଲେ।

ବାତ୍ୟା ଆସୁଥିବାରୁ ଗୁଜରାଟର ତଟବର୍ତ୍ତୀ ତଳିଆ ଅଞ୍ଚଳ ଓ ବିପଜ୍ଜନକ ଇଲାକାରେ ବସବାସ କରୁଥିବା ଲୋକମାନଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାଛଡା ପାନୀୟ ଜଳ ଯୋଗାଣ, ଟେଲିଫୋନ, ବିଜୁଳି ସମେତ ସବୁ ଅତ୍ୟାବଶ୍ୟକ ସେବାକୁ ଅବ୍ୟାହତ ରଖିବାକୁ ସେ ଗୁଜରାଟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଭାବିତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ଯେପରି ଅଭାବ ନ ରହେ ତାହା ମଧ୍ୟ ନିଶ୍ଚିତ କରିବାକୁ ସେ କହିଛନ୍ତି।

ବାତ୍ୟାର ପ୍ରଭାବରେ କ୍ଷୟକ୍ଷତି ଯେତେ କମ୍ ହେବ ସେଥି ପାଇଁ ଆବଶ୍ୟକ ପ୍ରସ୍ତୁତି  କରିବା ସହିତ ତୋଫାନ ପରେ ହୋଇଥିବା କ୍ଷୟକ୍ଷତିର ପୁନରୁଦ୍ଧାର କାର୍ଯ୍ୟ ଯଥା ସମ୍ଭବ ଶେଷ କରିବାକୁ ପ୍ରଧାନମନ୍ତ୍ରୀ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିଗ୍ରସ୍ତ  ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ, ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଶେଷକରି ବିଜୁଳି, ଟେଲିଫୋନ, ଜଳଯୋଗାଣ ଓ ସଡକ ଯୋଗାଯୋଗ ବ୍ୟବସ୍ଥା ଆଦିକୁ କ୍ଷତିଗ୍ରସ୍ତ ଅଞ୍ଚଳରେ ଯଥାଶୀଘ୍ର ସ୍ୱାଭାବିକ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି। ବାତ୍ୟା ଯୋଗୁଁ ଗୃହପାଳିତ ପଶୁ ପକ୍ଷୀ, ବିଶେଷକରି ପଶୁ ସମ୍ପଦର ଯେପରି ବିଶେଷକ କିଛି କ୍ଷତି ନ ଘଟେ ତାହା ସୁନିଶ୍ଚିତ କରିବାକୁ ସେ କହିଛନ୍ତି। ବାତ୍ୟା ନିୟନ୍ତ୍ରଣ କକ୍ଷକୁ ରାଜ୍ୟ ସରକାର ୨୪ଘଣ୍ଟା ଚାଲୁ ରଖିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହି ସମୀକ୍ଷା ବୈଠକ ଅବସରରେ ଭାରତୀୟ ପାଣିପାଗ ବିଭାଗର ଅଧିକାରୀମାନେ କହିଥିଲେ ଯେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା “ବିପର୍ଯ୍ୟୟ” ଜୁନ ୧୫ତାରିଖ ମଧ୍ୟାହ୍ନ ସୁଦ୍ଧା ଗୁଜରାଟର ମାଣ୍ଡବୀରୁ ପାକିସ୍ତାନର କରାଚି ମଧ୍ୟରେ ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ଅତିକ୍ରମ କରିବ। ଏହି ବାତ୍ୟା ଗୁଜରାଟର ଏକ କ୍ଷୁଦ୍ର ବନ୍ଦର ଜଖାଉ ନିକଟରେ ସ୍ଥଳଭାଗ ସ୍ପର୍ଶ କରିବାର ସମ୍ଭାବନା ରହିଛି। ଏହା ଏକ ଶକ୍ତିଶାଳୀ ବାତ୍ୟା ଏବଂ ଏହାର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫କିମି. ରହିବ। ମଝିରେ ମଝିରେ ଏହି ବେଗ ୧୪୫ କି.ମି. ଯାଏ ପହଂଚିପାରେ। ଏହାର ପ୍ରଭାବରେ ଗୁଜରାଟ ଉପକୂଳ ସମେତ କଚ୍ଛ, ଦେବ ଭୂମି ଦ୍ୱାରିକା ଓ ଜାମନଗରରେ ପ୍ରବଳରୁ ଅତି ପ୍ରବଳ ବର୍ଷା  ହେବାର ସମ୍ଭାବନା ରହିଛି। ପୋରବନ୍ଦର, ରାଜକୋଟ, ମୋରବି ଓ ଜୁନାଗଡ ଜିଲ୍ଳାରେ ମଧ୍ୟ ପ୍ରବଳ ବର୍ଷା ହେବବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି। ଜୁନ ୬ରୁ ଏହି ବାତ୍ୟାର ଉତ୍ପତ୍ତି କଥା ଜଣା ପଡିବା ପରେ ପାଣିପାଗ ବିଭାଗ ନିୟମିତ ବୁଲେଟିନ ଜରିଆରେ ଏହାର ଗତିପଥ ସମ୍ପର୍କରେ ସତର୍କ ସୂଚନା ଲୋକଙ୍କୁ ଦେଇ ଆସୁଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ଗୁଜରାଟ ବାତ୍ୟା ସ୍ଥିତି ସମ୍ପର୍କରେ  ନିୟମିତ ସମୀକ୍ଷା କରିବା ସହିତ ରାଜ୍ୟ ସରକାରଙ୍କ ସହିତ ବରାବର ଯୋଗାଯୋଗରେ ରହିଛି। ପ୍ରଭାବିତ ହେବାକୁ ଥିବା ଅଞ୍ଚଳକୁ ଏନ୍‌ଡିଆରଏଫ ୧୨ଟି ଦଳ ଆଗୁଆ ପଠାଇ ସାରିଛି। ସେମାନେ ସାଙ୍ଗରେ, ବୋଟ୍‌, ଗଛକଟା ମେସିନ, ଟେଲିକମ୍ ଯନ୍ତ୍ରପାତି ଆଦି ନେଇଛନ୍ତି। ଏହାଛଡା ଆଉ ୧୫ଟି ଦଳକୁ ପ୍ରସ୍ତୁତ କରି ରଖାଯାଇଛି।

ଭାରତୀୟ ତଟରକ୍ଷୀ ବାହିନୀ ଓ ନୌବାହିନୀ ମଧ୍ୟ ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକୋପ୍ଟର ଓ ଜାହାଜକୁ ମୁତୟନ କରିଛନ୍ତି। ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ପାଇଁ ବାୟୁସେନା ଓ ସ୍ଥଳସେନାର ଯବାନମାନେ ପ୍ରସ୍ତୁତ ଅଛନ୍ତି। ବିପର୍ଯ୍ୟୟ ରିଲିଫ ଟିମ୍‌(ଡିଆର୍‌ଟି), ସେନାର ମେଡିକାଲ ଟିମ୍ ଆଦିକୁ ପ୍ରସ୍ତୁତ କରି ରଖାଯାଇଛି।

ପ୍ରଧାନମନ୍ତ୍ରୀଙ୍କୁ ଗୁଜରାଟ ସରକାରଙ୍କ ବାତ୍ୟା ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଯାଇଥିଲା। ସେଠାକାର ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଜିଲ୍ଲାପାଳ ଓ ସାହାଯ୍ୟ ଉଦ୍ଧାର କାର୍ଯ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହିତ ନିରନ୍ତର ଯୋଗାଯୋଗ ରକ୍ଷା କରି ସବୁ କଥା ବୁଝୁଛନ୍ତି। ସମଗ୍ର  ରାଜ୍ୟ ପ୍ରଶାସନକୁ ବାତ୍ୟା ପାଇଁ ପ୍ରସ୍ତୁତ କରି ରଖାଯାଇଛି। ଗୁଜରାଟର ମୁଖ୍ୟ ସଚିବଙ୍କ ସହିତ କେନ୍ଦ୍ର  କ୍ୟାବିନେଟ ଓ ସ୍ୱରାଷ୍ଟ୍ର ସଚିବ ନିୟମିତ ସମ୍ପର୍କରେ ରହି ପ୍ରସ୍ତୁତି କାର୍ଯ୍ୟ ବୁଝୁଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥାକୁ  ମଧ୍ୟ ଏହି ବାତ୍ୟା ପାଇଁ ସତର୍କ ରଖାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ବାତ୍ୟା ପରବର୍ତ୍ତି ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ କଲେ ସମୀକ୍ଷା ବୈଠକ

ନୂଆଦିଲ୍ଲୀ, ୟସ ବାତ୍ୟାର ପ୍ରଭାବ ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରସ୍ତୁତି, କ୍ଷୟକ୍ଷତି ଆକଳନ ଏବଂ ତତ୍ ସଂକ୍ରାନ୍ତ ବିଷୟର ବିଭିନ୍ନ ଦିଗ ଉପରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ।

ଓଡ଼ିଶା ଓ ପଶ୍ଚିମବଙ୍ଗରେ 46ଟି ଲେଖାଏଁ ଦଳ ସହିତ ଏନଡିଆରଏଫର ମୋଟ 106ଟି ଦଳ ନିୟୋଜିତ କରାଯାଇଥିଲା। ଏମାନେ ଏକ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରିବା ସହିତ ରାସ୍ତା ଅବରୋଧ କରିଥିବା 2500 ଗଛ ଏବଂ ବିଦ୍ୟୁତ ଖୁଣ୍ଟ ହଟାଇବା ପାଇଁ ପଦକ୍ଷେପ ନେଇଥିଲେ। ସ୍ଥଳ ସେନା ଓ ତଟରକ୍ଷୀ ବାହିନୀ ପକ୍ଷରୁ ଅସହାୟ ଲୋକମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନୌସେନା ଓ ବାୟୁସେନାକୁ ସଜାଗ ରଖାଯାଇଥିଲା।

ୟାସ ବାତ୍ୟା ଯିବା ପରେ ରାଜ୍ୟଗୁଡ଼ିକ ପକ୍ଷରୁ କ୍ଷୟକ୍ଷତି ଆକଳନ ଆରମ୍ଭ କରାଯାଇଛି। ପ୍ରାଥମିକ ରିପୋର୍ଟରୁ ଯାହା ଜଣାଯାଇଛି, ସଠିକ୍ ପୂର୍ବାନୁମାନ, ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ପ୍ରଭାବୀ ଢଙ୍ଗରେ ସୂଚୀତ କରିବା ଓ ଠିକଣା ସମୟରେ ଉଦ୍ଧାର କରିବା ଲାଗି ରାଜ୍ୟ ଓ କେନ୍ଦ୍ର ସରକାରୀ ଏଜେନ୍ସିଗୁଡ଼ିକ ସୁନିଶ୍ଚିତ ପଦକ୍ଷେପ ନେବା କାରଣରୁ ଧନଜୀବନ ହାନିକୁ ସର୍ବନିମ୍ନ ସ୍ତରରେ ରଖାଯାଇପାରିଛି। ତେବେ, ବନ୍ୟା କାରଣରୁ, କ୍ଷୟକ୍ଷତି ହୋଇଛି, ଯାହାକୁ ଏବେ ଆକଳନ କରାଯାଉଛି। ଅଧିକାଂଶ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଓ ଟେଲିଯୋଗାଯୋଗ ସେବାକୁ ସ୍ବାଭାବିକ କରାଯାଇପାରିଛି।

ବାତ୍ୟା ଯୋଗୁ ଦେଖାଦେଇଥିବା ଆହ୍ବାନର ମୁକାବିଲା କରିବାରେ କେନ୍ଦ୍ର ଓ ରାଜ୍ୟ ସରକାରୀ ଏଜେନ୍ସିଗୁଡ଼ିକ ପ୍ରଭାବୀ ଓ ସକ୍ରିୟ ଭୂମିକା ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ତେବେ ପ୍ରଭାବିତ ଅଞ୍ଚଳରେ ସାଧାରଣ ଜନଜୀବନକୁ ସ୍ବାଭବିକ କରିବା ଦିଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ଲାଗି ସେ ସମ୍ପୃକ୍ତ ଏଜେନ୍ସିଗୁଡ଼ିକୁ ପରାମର୍ଶ ଦେଇଥିଲେ। ସେହିପରି ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ଉପଯୁକ୍ତ ଭାବେ ସହାୟତା ଯୋଗାଇ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ଶକ୍ତି ସଚିବ, ଟେଲି ଯୋଗାଯୋଗ ସଚିବ, ଆଇଏମଡି ଡିଜିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଆସୁଛି ବାତ୍ୟା: ଲୋକଙ୍କୁ ନିରପଦ ସ୍ଥାନକୁ ସ୍ଥାନାନ୍ତରଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ତଥା ଏଜେନ୍ସିମାନଙ୍କ ସହିତ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସାମୁଦ୍ରିକ ଘୂର୍ଣ୍ଣବାତ୍ୟା “ତାଉତେ”ର ଉପଯୁକ୍ତ ମୁକାବିଲା ସକାଶେ ସମ୍ଭାବ୍ୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି ।

ଆଜିର ସମୀକ୍ଷା ବୈଠକରେ କରାଯାଇଥିବା ଆଲୋଚନା ଅନୁସାରେ କ୍ୟାବିନେଟ୍ ସଚିବ ଘୂର୍ଣ୍ଣିବାତ୍ୟା ସଂପର୍କରେ ସମସ୍ତ ତଟୀୟ ରାଜ୍ୟମାନଙ୍କ ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଏବଂ ଏଜେନ୍ସିମାନଙ୍କ ସହିତ ନିରବଚ୍ଛିନ୍ନ ଭାବେ ସମ୍ପର୍କରେ ରହିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ (ଏମଏଚଏ) ପକ୍ଷରୁ ଘୂର୍ଣ୍ଣିବାତ୍ୟା “ତାଉତେ” ସମ୍ପର୍କରେ ୨୪*୭ ସମୀକ୍ଷା କରାଯାଉଛି ଏବଂ ସଂପୃକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ର ସରକାର ତଥା କେନ୍ଦ୍ରୀୟ ଏଜେନ୍ସିମାନଙ୍କ ସହିତ ପରିସ୍ଥିତିର ସମୀକ୍ଷା କରାଯାଉଛି ।

ଜାତୀୟ ବିପର‌୍ୟ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ) ପକ୍ଷରୁ ଇତି ମଧ୍ୟରେ ସଂପୃକ୍ତ ଛଅଟି ତଟୀୟ ରାଜ୍ୟର ବିଭିନ୍ନ ସ୍ଥାନରେ ୪୨ଟି ଦଳଙ୍କୁ ଆଗୁଆ ମୁତୟନ କରାଯାଇଛି ଏବଂ ସେମାନଙ୍କ ନିକଟରେ ବୋଟ, ଗଛକଟା ଯନ୍ତ୍ର, ଟେଲିକମ୍ ଉପକରଣ ଆଦି ମହଜୁଦ ରଖାଯାଇଛି । ଏହା ବ୍ୟତୀତ ଅନ୍ୟ ୨୬ଟି ଦଳଙ୍କୁ ଅତିରିକ୍ତ ଭାବେ ଜାଗତିଆର ରଖାଯାଇଛି।

ଭାରତୀୟ ତଟରକ୍ଷୀ ବାହିନୀ ଏବଂ ନୌସେନା ପକ୍ଷରୁ ରିଲିଫ, ଖୋଜା ଏବଂ ଉଦ୍ଧାର କାର‌୍ୟ୍ୟ ନିମନ୍ତେ ଜାହାଜ ଏବଂ ହେଲିକପ୍ଟରକୁ ପ୍ରସ୍ତୁତ ରଖାଯାଇଛି । ସେହିଭଳି ବାୟୁସେନା ଏବଂ ସ୍ଥଳସେନାର ଇଂଜିନିୟର ଟାସ୍କ ଫୋର୍ସ ୟୁନିଟକୁ ବୋଟ୍, ଉଦ୍ଧାରକାରୀ ସରଞ୍ଜାମ ସହିତ ପ୍ରସ୍ତୁତ ରଖାଯାଇଛି ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ ତୁରନ୍ତ ମୁତୟନ କରାଯାଇପାରିବ । ଅପର ପକ୍ଷରେ ପଶ୍ଚିମ ତଟରେ ସାତଟି ଜାହାଜକୁ ମାନବୀୟ ସହାୟତା ଏବଂ ବିପର‌୍ୟ୍ୟୟ ରିଲିଫ ୟୁନିଟ ଭାବେ ପ୍ରସ୍ତୁତ ରଖାଯାଇଛି । ପଶ୍ଚିମ ତଟ ସାରା ସର୍ଭେଲାନ୍ସ ବିମାନ ଏବଂ ହେଲିକପ୍ଟରଗୁଡି଼କ ଅହୋରାତ୍ର ପହରା ଦେଉଛନ୍ତି ।

ଏହା ବ୍ୟତୀତ ପଶ୍ଚିମ ଉପକୂଳର ତ୍ରିଭେନ୍ଦ୍ରମ୍, କନ୍ନୁର ଏବଂ ଅନ୍ୟାନ୍ୟ ସ୍ଥାନରେ ବିପର‌୍ୟ୍ୟୟ ରିଲିଫ ଦଳ (ଡିଆରଟି) ତଥା ମେଡ଼ିକାଲ ଟିମ୍ (ଏମଟି)ଙ୍କୁ ଅହୋରାତ୍ର ପ୍ରସ୍ତୁତ ରଖାଯାଇଛି। ଶକ୍ତି ମନ୍ତ୍ରଣାଳୟ ମଧ୍ୟ ନିଜର ଆପାତକାଳୀନ କାର‌୍ୟ୍ୟବ୍ୟବସ୍ଥାକୁ ସକ୍ରିୟ କରିଛି ଓ ଟ୍ରାନ୍ସଫର୍ମର, ଡିଜି ସେଟ୍ ଓ ଅନ୍ୟାନ୍ୟ ଉପକରଣମାନ ମହଜୁଦ ରଖିଛି ଯାହାଦ୍ୱାରା ଘୂର୍ଣ୍ଣିବାତ୍ୟାରେ ବିଜୁଳି ଲାଇନ କ୍ଷୟକ୍ଷତି ହେଲେ ତାହାକୁ ତୁରନ୍ତ ମରାମତି କରାଯାଇପାରିବ।

ଅପର ପକ୍ଷରେ ଟେଲିକମ୍ ବିଭାଗ ମଧ୍ୟ ଟେଲିକମ୍ ଟାୱାର ଓ ଏକ୍ସଚେଞ୍ଜଗୁଡ଼ିକ ଉପରେ ନିରବଚ୍ଛିନ୍ନ ଭାବେ ନିଘା ରଖିଛନ୍ତି ଓ ସମ୍ଭାବ୍ୟ କ୍ଷୟକ୍ଷତିକୁ ତୁରନ୍ତ ସଜାଡ଼ିବା ନିମନ୍ତେ ଜାଗତିଆର ରହିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରର ସରକାରମାନଙ୍କୁ ଯେଉଁମାନେ କି ଏହି ଘୂର୍ଣ୍ଣିବାତ୍ୟାଯେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ସେମାନଙ୍କୁ ଆଡଭାଇଜରୀ ଜାରି କରାଯାଇଛି ଓ ସେଥିରେ ସ୍ୱାସ୍ଥ୍ୟ କ୍ଷେତ୍ର ନିମନ୍ତେ ଆବଶ୍ୟକ ପ୍ରସ୍ତୁତି ତଥା କୋଭିଡ଼ ଉପଦ୍ରୁତ କ୍ଷେତ୍ରରେ ଚିକିତ୍ସା ଓ ଅନ୍ୟାନ୍ୟ କାର‌୍ୟ୍ୟ ଯଥାରୀତି ସମ୍ପାଦନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ୧୦ଟି କୁଇକ୍ ରେସପନ୍ସ ମେଡ଼ିକାଲ ଟିମ୍ ଏବଂ ୫ଟି ସ୍ୱାସ୍ଥ୍ୟ ସେସପନ୍ସ ଟିମକୁ ପ୍ରସ୍ତୁତ ରଖାଯାଇଛି ଯେଉଁମାନେ ଜରୁରି ପରିସ୍ଥିତିରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିପାରିବେ । ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଜାହାଜଗୁଡ଼ିକର ସୁରକ୍ଷା ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ବନ୍ଦରମାନଙ୍କରେ ଜରୁରି ତରୀମାନ ଜାଗତିଆର ରଖାଯାଇଛି ।

ଏନଡ଼ିଆରଏଫ ବିପର୍ଯ୍ୟୟ ପ୍ରସ୍ତୁତି କାର‌୍ୟ୍ୟରେ ରାଜ୍ୟ ଏଜେନ୍ସିମାନଙ୍କୁ ସହାୟତା ଯୋଗାଇଦେଉଛି ଏବଂ ଘୂର୍ଣ୍ଣବାତ୍ୟା ପରେ ଉପଦ୍ରୁତ ଲୋକମାନଙ୍କ କିଭଳି ଭାବେ କ୍ଷତିଗ୍ରସ୍ତ ସ୍ଥାନମାନଙ୍କରୁ ଉଦ୍ଧାର ଓ ସ୍ଥାନାନ୍ତର କରାଯିବ ସେଥି ନିମନ୍ତେ ସହାୟତା ପରାମର୍ଶ ଦିଆଯାଉଛି।ଏହା ବ୍ୟତୀତ ସମ୍ଭାବ୍ୟ ଘୂର୍ଣ୍ଣବାତ୍ୟାର ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ଜନସାଧାରଣଙ୍କୁ ଲଗାତାର ଭାବେ ପ୍ରଚାର ଅଭିଯାନ ମାଧ୍ୟମରେ ସଚେତନ କରାଯାଉଛି ।

ଏହି ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ଲୋକମାନଙ୍କ ନିରାପତ୍ତା ନିମନ୍ତେ ସକଳ ପ୍ରକାର ସମ୍ଭାବ୍ୟ ବ୍ୟବସ୍ଥା ଗ୍ରହଣ କରନ୍ତୁ ଏବଂ କିଭଳି ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇପାରିବ ସେ ସଂପର୍କରେ ରାଜ୍ୟ ସରକାରମାନଙ୍କ ସହିତ ଯୋଗାଯୋଗରେ ରହନ୍ତୁ ।

ବିଜୁଳି, ଟେଲିଯୋଗାଯୋଗ, ସ୍ୱାସ୍ଥ୍ୟ, ପାନୀୟ ଜଳ ଇତ୍ୟାଦି ଭଳି ଅନ୍ୟାବଶ୍ୟକ ସେବା ଜାରି ରଖିବା କିଭଳି ସୁନିଶ୍ଚିତ କରାଯିବ ସେଥିଘେନି ମଧ୍ୟ ପଦକ୍ଷେପ ଗ୍ରହଣ କରନ୍ତୁ । ବାତ୍ୟା ପରେ ସେସବୁ କିଭଳି ତୁରନ୍ତ ବହାଲ କରାଯାଇପାରିବ ସେଥିପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ।

ଏହି ସମୀକ୍ଷା ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ, ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ସ୍ୱରାଷ୍ଟ୍ର, ବେସାମରିକ ବିମାନ ଚଳାଚଳ, ଶକ୍ତି, ଟେଲିକମ୍, ଜାହାଜ ଚଳାଚଳ, ମତ୍ସ୍ୟଚାଷ ଆଦି ମନ୍ତ୍ରଣାଳୟର ସଚିବ, ଏନଡ଼ିଏମଏର ସଦସ୍ୟଗଣ ତଥା ସଦସ୍ୟ ସଚିବ, ରେଳବାଇ ବୋର୍ଡ଼ର ଅଧ୍ୟକ୍ଷ, ଏନଡ଼ିଆରଏଫ ଏବଂ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ତଥା ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।