ଏପ୍ରିଲ୍ ୨୪ ପରେ ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା: ସିଇସି

Published: Apr 21, 2022, 7:19 pm IST

ଭୁବେନେଶ୍ୱର: ଏପ୍ରିଲ୍ ୨୪ ତାରିଖ ପରେ ରାଜ୍ୟରେ ବଢ଼ିବ ରୌଦ୍ର ତାପ। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ତାତି ୪୩ ଡିଗ୍ରୀରୁ ୪୬ ଡିଗ୍ରୀ ସେଲ୍‌ସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍ ଉପରେ ରହିବାର ଆଶଙ୍କା କରାଯାଉଛି।

ମୁଖ୍ୟତଃ ଉତର-ପଶ୍ଚିମ ଭାରତ ଏବଂ ତେଲେଙ୍ଗାନା ଭଳି ରାଜ୍ୟ ଆଡୁ ଉତପ୍ତ ପବନ ପ୍ରବାହିତ ହେବା ତଥା ସମୁଦ୍ର ଆଡୁ ବାୟୁ ପ୍ରବାହ ବନ୍ଦ ରହିବା କାରଣରୁ ଏଭଳି ତାପମାତ୍ରା ବୃଦ୍ଧି ପାଇବ। ଏଭଳି ପରିସ୍ଥିତି ଏକ ସପ୍ତାହ ପର୍ଯ୍ୟନ୍ତ ଜାରୀ ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ଏହା ଛଡା ଆନ୍ଧ୍ର ପ୍ରଦେଶ-ତାମିଲନାଡୁ ଉପକୂଳରେ ରହିଥିବା ଆଂଟି-ସାଇକ୍ଲୋନ୍ ହେତୁ ଆନ୍ଧ୍ରପ୍ରଦେଶ ଆଡୁ ଓଡ଼ିଶାକୁ ଆର୍ଦ୍ର ବାୟୁ ପ୍ରବାହିତ ହେଉଥିବାରୁ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍ କମ୍ ରିହବାର ସମ୍ଭାବନା ଅଛି।

ଏହି ଆଂଟି-ସାଇକ୍ଲୋନ୍ ଓ ଉତର ଓଡ଼ିଶାରେ ଏକ ସାକ୍ଲୋନିକ୍ ସର୍କୁଲେସନ୍ ରହିଥିବାରୁ ଗୁରୁବାର ରାତି ଓ ଶୁକ୍ରବାର ଉପକୂଳ ଓ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ହୋଇପାରେ। ଏହି ସମୟରେ ତାପମାତ୍ର ୪୦ ଡିଗ୍ରୀ ସେଲ୍‌ସିୟସ୍‌ରୁ କମ୍ ରହିଲେ ମଧ୍ୟ ଏପ୍ରିଲ୍ ୨୫ରୁ ଏହା ବୃଦ୍ଧି ପାଇବ।

Related posts