Categories
ଆଜିର ଖବର ରାଜ୍ୟ ଖବର

ଜୁଲାଇ ୪ରେ ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ପୂର୍ବ ଭାରତରେ ପଶ୍ଚିମା ପବନ ପ୍ରବାହିତ ହେବା ଦ୍ୱାରା ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୂର୍ବଳ ହୋଇପଡ଼ିଥିବା ସତ୍ତ୍ୱେ ପଶ୍ଚିମ କେନ୍ଦ୍ର ବଙ୍ଗୋପ ସାଗର ଏବଂ ଏହାର ନିକଟବର୍ତ୍ତୀ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ଏକ ଲଘୁଚାପରେ ପରିଣତ ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍ଥାନୀୟ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ଆଜି ସୂଚନା ଦେଇଛି।

ଜୁଲାଇ ୪ ରେ ଏହି ଲଘୁଚାପ ଦକ୍ଷିଣ ଓଡ଼ିଶା ଓ ଉତର ଆନ୍ଧ୍ର ପ୍ରଦେଶ ଉପକୂଳରେ ସୃଷ୍ଟି ହୋଇପାରେ ଓ ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଜୁଲାଇ ୩ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଜୁଲାଇ ୫ରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜୁଲାଇ ୬ ରୁ ୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ କମ୍ ବୃଷ୍ଟିପାତ ହେବ ବୋଲି ସିଇସି ପକ୍ଷରୁ କୁହାଯାଇଛି।

ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ଏବଂ ଏହାର ଆଖପାଖ ଅଂଚଳଗୁଡ଼ିକରେ ଜୁଲାଇ ୯ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ଓ ଏହା ଫଳରେ ଜୁଲାଇ ୧୦ କିମ୍ବା ୧୧ରେ ମଧ୍ୟ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ସିଇସି ପକ୍ଷରୁ ସୂଚନା ମିଳିଛି। ସେହିପରି ଜୁଲାଇ ୯ ତାରିଖରେ ଉତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବୃଷ୍ଟିପାତର ତୀବ୍ରତା ବୃଦ୍ଧି ପାଇବ।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା, ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ: ସିଇସି

ଭୁବନେଶ୍ୱର: ଆରବ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଜୁନ୍ ୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ଦକ୍ଷିଣ ଓ ପୂର୍ବ ଭାରତକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ଏନ୍‌ଭାଇରନ୍‌ମେଂଟ ଆଣ୍ଡ କ୍ଲାଇମେଟ (ସିଇସି) ପକ୍ଷରୁ ମଙ୍ଗଳବାର କୁହାଯାଇଛି।

ଏହି ଲଘୁଚାପ କ୍ଷେତ୍ରର ତୀବ୍ରତା ଓ ଗତିପଥକୁ ନେଇ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ନିର୍ଭର କରିପାରେ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।
ଡକ୍ଟର ସାହୁ କହିଛନ୍ତି ଯେ ଜୁନ୍ ୨ ତାରିଖ ରୁ ୯ତାରିଖ ମଧ୍ୟରେ ଦିନର ତାପମାତ୍ରାରେ ବୃଦ୍ଧି ହେବ ଓ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

ବର୍ତ୍ତମାନ ଅନୁଭୂତ ହେଉଥିବା ପାଗ ଅନୁଯାୟୀ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଆଭ୍ୟନ୍ତରୀଣ ଅଂଚଳରେ ଦିନର ତାପମାତ୍ରା ୪୨ ଡିଗ୍ରୀ ସେଲ୍‌ସିୟସ୍ ରୁ କମ୍ ଏବଂ ଉପକୂଳ ଅଂଚଳରେ ୪୦ ଡିଗ୍ରୀ ସେଲସିୟସରୁ କମ୍ ରହିବ। ଉତର ଆରବ ସାଗରରେ ଆଂଟିସାଇକ୍ଲୋନ୍ ଓ ବଙ୍ଗୋପ ସାଗରରୁ ପ୍ରବାହିତ ପବନ ହେତୁ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମେ ୫ ଯାଏଁ ଆଶ୍ୱସ୍ତି, ବୃଦ୍ଧି ପାଇବନି ଦିନର ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ ଖରା ତାତିରୁ ମିଳବ ଆଶ୍ୱସ୍ତି। ମେ ୫ ତାରିଖ ପର୍ଯ୍ୟନ୍ତ ବଢ଼ିବନି ଦିନର ତାପମାତ୍ରା। ବଙ୍ଗୋପ ସାଗର ସଂଲଗ୍ନ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ସମୁଦ୍ର ଆଡୁ ଜଳକଣାପୂର୍ଣ୍ଣ ପବନ ପ୍ରବାହିତ ହୋଇଥିବାରୁ ତାପମାତ୍ରା ବୃଦ୍ଧି ପାଇବ ନାହିଁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଜଳବାୟୁ ଓ ପରିବେଶ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।

ଏହି ଆଂଟି ସାଇକ୍ଲୋନିକ ପ୍ରବାହ ଓଡ଼ିଶା ପାଇଁ ଅନୁକୂଳ ହୋଇଥିବା ବେଳେ କେତେକ ସ୍ଥାନରେ ବର୍ଷା ହେବା ସହ କାଳବୈଶାଖୀର ମଧ୍ୟ ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି।

ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବାରମ୍ବାର କାଳବୈଶାଖୀ ହେବାର ସମ୍ଭାବନା ଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି।

ମେ ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇ ୩୮ ଡିଗ୍ରୀ ସେଲସିୟସ୍ ହେବାର ସମ୍ଭାବନା ଥିବା ବେଳେ ଅନ୍ୟ ଦିନଗୁଡ଼ିକରେ ଦିନର ତାପମାତ୍ରା ୩୫ କିମ୍ବା ୩୬ ଡିଗ୍ରୀ ରହିବ ବୋଲି ଆକଳନ କରାଯାଇଛି।

ପଶ୍ଚିମ ଦିଗରୁ ଅପରଏୟାର ଟ୍ରଫ୍ ଏବଂ ବଙ୍ଗୋପ ସାଗର ଆଡୁ ପବନରେ ଆର୍ଦ୍ରତାର ପରିମାଣ ବୃଦ୍ଧି ପାଇବା ଯୋଗୁଁ ମେ ୧ ତାରିଖରୁ କାଳବୈଶାଖୀ ଅଧିକ ମାତ୍ରାରେ ହେବାର ସମ୍ଭାବନା ରହିଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପ ସାଗରରେ ପୁଣି ଲଘୁଚାପ ସମ୍ଭାବନା, ଆସନ୍ତା ସପ୍ତାହରେ ବର୍ଷା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ଉପରେ ଆଉ ଏକ ଲଘୁଚାପ ସେପ୍ଟେମ୍ବର ୨୦ରେ ସୃଷ୍ଟି ହେବା ସମ୍ଭାବନା ରହିଛି। ଓଡ଼ିଶାରେ ଆସନ୍ତା ସପ୍ତାହରେ ପୁଣି ବର୍ଷା ହୋଇପାରେ ବୋଲି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆସନ୍ତା କାଲି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଏହା ନିକଟବର୍ତୀ ଅଂଚଳ ଉପରେ ଏକ ଅପର୍ ଏଆର ସର୍କୁଲେସନ୍ ସୃଷ୍ଟି ହେବାକୁ ଯାଉଥିବାରୁ ଏହା ଏହି ଲଘୁଚାପ କ୍ଷେତ୍ର ପ୍ରସ୍ତୁତ କରିବ ବୋଲି କେନ୍ଦ୍ର ପକ୍ଷରୁ ଏକ ବୁଲେଟିନ୍‌ରେ କୁହାଯାଇଛି।

ଏହି ସିଷ୍ଟମ୍ ସେପ୍ଟେମ୍ବର ୨୧ରେ ଉତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ଆଡ଼କୁ ମୁହାଁଇବ ମାତ୍ର ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ବର୍ଷା ଅନୁଭୁତ ହେବ।

ସେପ୍ଟେମ୍ବର ୧୯ ମଧ୍ୟାହ୍ନରୁ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇ ସେପ୍ଟେମ୍ବର ୨୨ ରାତି ପର୍ଯ୍ୟନ୍ତ ଲାଗି ରହିବ। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାଗୁଡ଼ିକରେ ସେପ୍ଟେମ୍ବର ୧୯ ଓ ୨୦ରେ ମଧ୍ୟମ ଧରଣର ବର୍ଷା ଅନୁଭୁତ ହେବ ଓ ସେପ୍ଟେମ୍ବର ୨୦ ରାତିରୁ ଏହା ଉତର ଓଡ଼ିଶା ଆଡ଼କୁ ଗତି କରିବ।
ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସେପ୍ଟେମ୍ବର ୨୧ ଓ ୨୨ ରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ବୋଲି ବୁଲେଟିନ୍ ପ୍ରକାଶ କରିଛି। ସେପ୍ଟେମ୍ବର ୨୦ ଓ ୨୧ରେ ଭୁବନେଶ୍ୱରରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଏହା ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପ ସାଗରରେ ଲଘୁଚାପ: ୧୦ ରୁ ୧୪ ତାରିଖ ମଧ୍ୟରେ ଏହି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଥାଇଲାଣ୍ଡ ନିକଟରେ ସୃ୍‌ଷ୍ଟି ହୋଇଥିବା ଏକ ସାଇକ୍ଲୋଜିକ୍ ସର୍କୁଲେସନ୍ ପଶ୍ଚିମ ମୁହାଁ ହୋଇଥିବା ବେଳେ ଏହାର ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଲଘୁଚାପ ଘନୀଭୂତ ହେବା ସମ୍ଭାବନା ରହିଛି। ଏଥିପାଇଁ ଶନିବାର ସୁଦ୍ଧା ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସିଷ୍ଟମ୍ ସମୁଦ୍ର ମଧ୍ୟରେ ରହିଛି ଏବଂ ଉପକୂଳ ଠାରୁ ଯଥେଷ୍ଟ ଦୂରରେ ଥିବାରୁ ଏହା ଅବପାତର ରୂପ ନେବା ସହ ସେପ୍ଟେମ୍ବର ୧୨ ରୁ ୧୩ ମଧ୍ୟରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ଥିବା ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି।

ସେପ୍ଟେମ୍ବର ୧୩ ତାରିଖ ସୁଦ୍ଧା ଏହା ଉତ୍ତର ଓଡ଼ିଶା- ପଶ୍ଚିମ ବଂଗ ଉପକୂଳ ଦେଇ ଗତି କରିବା ପୂର୍ବରୁ ପ୍ରଥମେ ପଶ୍ଚିମ ମୁହାଁ ହୋଇ ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗ ଆଡକୁ ମୁହାଁଇବ ବୋଲି ଡ. ସାହୁ କହିବା ସହ ସେପ୍ଟେମ୍ବର ୧୨ ତାରିଖ ରାତି କିମ୍ବା ୧୩ ତାରିଖ ପୂର୍ବାହ୍ଣ ସୁଦ୍ଧା ଘୂର୍ଣ୍ଣିଝଡରେ ପରିଣତ ହେବାର ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି କହିଛନ୍ତି।

ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସେପ୍ଟେମ୍ବର ୧୦ ରୁ ୧୪ ତାରିଖ ମଧ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଉତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସେପ୍ଟେମ୍ବର ୧୨ ରୁ ୧୪ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି।

ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଢ଼େଙ୍କାନାଳ, ଦେବଗଡ, ଅନୁଗୁଳ, ସୁନ୍ଦରଗଡ, ବରଗଡ, ସମ୍ବଲପୁର, ଝାରସୁଗୁଡା, ସୋନ୍‌ପୁର, ବୌଦ୍ଧ, ବଲାଙ୍ଗୀର ଏବଂ ନୂଆପଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ସମୁଦ୍ର ପତନ କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱର ପ୍ରଭୃତି ଉପକୂଳବର୍ତୀ ଜିଲ୍ଲାରେ ସମୁଦ୍ର ପତନ ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପ ସାଗରରେ ଆସନ୍ତା କାଲି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଉପକୂଳ ଓଡ଼ିଶାରେ ଆସନ୍ତା ସପ୍ତାହରେ ପ୍ରବଳ ବର୍ଷା ହୋଇପାରେ। ଏହି ଲଘୁଚାପ ଘୂର୍ଣ୍ଣିଝଡ଼ ରେ ପରିଣତ ହେଲେ ମେ ୨୬ ତାରିଖରେ ଏହା ଓଡିଶା-ପଶ୍ଚିମ ବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗର ଆକଳନ ଅନୁଯାୟୀ ଏହି ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ମେ ୨୫ ତାରିଖ ସୁଦ୍ଧା ଘୁର୍ଣ୍ଣିଝଡ଼ରେ ପରିଣତ ହେବ ବୋଲି ଆକଳନ କରାଯାଉଛି। ଏହା ମୁଖତଃ ଉତ୍ତର -ଉତ୍ତର ପଶ୍ଚିମ ଦିଗରେ ଓଡିଶା ଉପକୂଳ ମୁହାଁ ହୋଇ ଓଡିଶା -ପଶ୍ଚିମ ବଙ୍ଗ ଉପକୂଳ ଆଡକୁ ଗତି କରିବ ବୋଲି କେନ୍ଦ୍ରର ନିର୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଏହି ଘୁର୍ଣ୍ଣିଝଡ଼ ଓଡିଶାର ଭଦ୍ରକ କିମ୍ବା ବାଲେଶ୍ୱର ଜିଲ୍ଲା ଅଥବା ପଶ୍ଚିମ ବଙ୍ଗ ର ଦିଘା ଉପକୂଳ ଦେଇ ଗତି କରିପାରେ ବୋଲି ସେ କହିଛନ୍ତି। ଡକ୍ଟର ସାହୁ କହିଛନ୍ତି ଯେ ଜଳବାୟୁ ବିଜ୍ଞାନ ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ର ଆଗମନ ପୂର୍ବରୁ ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ଅଧିକାଂଶ ଲଘୁଚାପ ଓ ତହିଁରୁ ଉତ୍ପନ୍ନ ଘୂର୍ଣ୍ଣିଝଡ଼ ପଶ୍ଚିମବଙ୍ଗ ଅଥବା ବାଂଲାଦେଶ ଆଡକୁ ଗତି କରିଥାଏ।

ଏହି ଲଘୁଚାପ ହୁଏତ ପ୍ରବଳ ଘୁର୍ଣ୍ଣିଝଡ଼ କିମ୍ବା ଘୁର୍ଣ୍ଣିଝଡ଼ ର ରୂପ ନେଇ ଉପକୂଳ ଅତିକ୍ରମ କରିପାରେ ବୋଲି ସେ କହିଛନ୍ତି।

ତେବେ ବାତ୍ୟାର ଗତି ଏବଂ ପବନ ବେଗର ସ୍ପଷ୍ଟ ଚିତ୍ର ମେ ୨୪ ରେ ହିଁ ଜଣା ପଡିବ ବୋଲି ଡକ୍ଟର ସାହୁ କହିଛନ୍ତି। ମୌସୁମୀର ପ୍ରଭାବ ଯୋଗୁଁ ଏହି ଘୁର୍ଣ୍ଣିଝଡ଼ ବିଶେଷ ଭାବେ ଘନୀଭୂତ ନ ହୋଇପାରେ ବୋଲି ସେ କହିଛନ୍ତି।

ଯଦି ଏହା ବାତ୍ୟାର ରୂପ ନେଇ ଓଡିଶା ଉପକୂଳ ଦେଇ ଗତି କରେ ତେବେ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୫ ରୁ ୯୦ କିଲୋମିଟର ହେବ ମାତ୍ର ଏହା ଯଦି ପ୍ରବଳ ଘୁର୍ଣ୍ଣିଝଡ଼ର ରୂପ ନିଏ ତେବେ ଏହାର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୧୦୦ କିମି ହୋଇପାରେ ବୋଲି ସେ କହିଛନ୍ତି।

ଏହି ସମୟରେ ଓଡିଶା ଉପକୂଳରେ ପବନର ଗତି ତୀବ୍ରତର ହେବା ସହ ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡ଼ା ଏବଂ ଯାଜପୁର ପ୍ରଭୃତି ଜିଲ୍ଲାରେ ମେ ୨୫ ତାରିଖ ରାତିରୁ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ।

ପରବର୍ତ୍ତୀ ସମୟରେ ଏହା ବିହାର ଆଡକୁ ଗତି କରିବ ବୋଲି ଡକ୍ଟର ସାହୁ କହିଛନ୍ତି।