ବଙ୍ଗୋପ ସାଗରରେ ପୁଣି ଲଘୁଚାପ ସମ୍ଭାବନା, ଆସନ୍ତା ସପ୍ତାହରେ ବର୍ଷା

Published: Sep 16, 2022, 5:39 pm IST

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ଉପରେ ଆଉ ଏକ ଲଘୁଚାପ ସେପ୍ଟେମ୍ବର ୨୦ରେ ସୃଷ୍ଟି ହେବା ସମ୍ଭାବନା ରହିଛି। ଓଡ଼ିଶାରେ ଆସନ୍ତା ସପ୍ତାହରେ ପୁଣି ବର୍ଷା ହୋଇପାରେ ବୋଲି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆସନ୍ତା କାଲି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଏହା ନିକଟବର୍ତୀ ଅଂଚଳ ଉପରେ ଏକ ଅପର୍ ଏଆର ସର୍କୁଲେସନ୍ ସୃଷ୍ଟି ହେବାକୁ ଯାଉଥିବାରୁ ଏହା ଏହି ଲଘୁଚାପ କ୍ଷେତ୍ର ପ୍ରସ୍ତୁତ କରିବ ବୋଲି କେନ୍ଦ୍ର ପକ୍ଷରୁ ଏକ ବୁଲେଟିନ୍‌ରେ କୁହାଯାଇଛି।

ଏହି ସିଷ୍ଟମ୍ ସେପ୍ଟେମ୍ବର ୨୧ରେ ଉତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ଆଡ଼କୁ ମୁହାଁଇବ ମାତ୍ର ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ବର୍ଷା ଅନୁଭୁତ ହେବ।

ସେପ୍ଟେମ୍ବର ୧୯ ମଧ୍ୟାହ୍ନରୁ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇ ସେପ୍ଟେମ୍ବର ୨୨ ରାତି ପର୍ଯ୍ୟନ୍ତ ଲାଗି ରହିବ। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାଗୁଡ଼ିକରେ ସେପ୍ଟେମ୍ବର ୧୯ ଓ ୨୦ରେ ମଧ୍ୟମ ଧରଣର ବର୍ଷା ଅନୁଭୁତ ହେବ ଓ ସେପ୍ଟେମ୍ବର ୨୦ ରାତିରୁ ଏହା ଉତର ଓଡ଼ିଶା ଆଡ଼କୁ ଗତି କରିବ।
ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସେପ୍ଟେମ୍ବର ୨୧ ଓ ୨୨ ରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ବୋଲି ବୁଲେଟିନ୍ ପ୍ରକାଶ କରିଛି। ସେପ୍ଟେମ୍ବର ୨୦ ଓ ୨୧ରେ ଭୁବନେଶ୍ୱରରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଏହା ସୂଚନା ଦେଇଛି।

Related posts