ଭୁବନେଶ୍ଵର: ଓଡ଼ିଶା ଉପକୂଳ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ୦୭ ଡିସେମ୍ବର, ୨୦୨୩ରେ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍କ୍ଷେପଣ ସଫଳ ହୋଇଛି। ଅଗ୍ନି-୧ ହେଉଛି ଏକ ପ୍ରମାଣିତ ଅତ୍ୟନ୍ତ ନିର୍ଦ୍ଦିଷ୍ଟ କ୍ଷେପଣାସ୍ତ୍ର ପ୍ରଣାଳୀ। ରଣନୀତିକ ବାହିନୀ କମାଣ୍ଡ ଅଧୀନରେ ବ୍ୟବହାରକାରୀ ପ୍ରଶିକ୍ଷଣ ଉତ୍କ୍ଷେପଣ ସଫଳତାର ସହିତ ସମସ୍ତ ପରିଚାଳନାଗତ ଏବଂ ବୈଷୟିକ ମାପଦଣ୍ଡକୁ ପ୍ରମାଣିତ କରିଥିଲା।
Tag: ଓଡ଼ିଶା ଉପକୂଳ
ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ ଖରା ତାତିରୁ ମିଳବ ଆଶ୍ୱସ୍ତି। ମେ ୫ ତାରିଖ ପର୍ଯ୍ୟନ୍ତ ବଢ଼ିବନି ଦିନର ତାପମାତ୍ରା। ବଙ୍ଗୋପ ସାଗର ସଂଲଗ୍ନ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ସମୁଦ୍ର ଆଡୁ ଜଳକଣାପୂର୍ଣ୍ଣ ପବନ ପ୍ରବାହିତ ହୋଇଥିବାରୁ ତାପମାତ୍ରା ବୃଦ୍ଧି ପାଇବ ନାହିଁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଜଳବାୟୁ ଓ ପରିବେଶ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।
ଏହି ଆଂଟି ସାଇକ୍ଲୋନିକ ପ୍ରବାହ ଓଡ଼ିଶା ପାଇଁ ଅନୁକୂଳ ହୋଇଥିବା ବେଳେ କେତେକ ସ୍ଥାନରେ ବର୍ଷା ହେବା ସହ କାଳବୈଶାଖୀର ମଧ୍ୟ ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି।
ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବାରମ୍ବାର କାଳବୈଶାଖୀ ହେବାର ସମ୍ଭାବନା ଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି।
ମେ ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇ ୩୮ ଡିଗ୍ରୀ ସେଲସିୟସ୍ ହେବାର ସମ୍ଭାବନା ଥିବା ବେଳେ ଅନ୍ୟ ଦିନଗୁଡ଼ିକରେ ଦିନର ତାପମାତ୍ରା ୩୫ କିମ୍ବା ୩୬ ଡିଗ୍ରୀ ରହିବ ବୋଲି ଆକଳନ କରାଯାଇଛି।
ପଶ୍ଚିମ ଦିଗରୁ ଅପରଏୟାର ଟ୍ରଫ୍ ଏବଂ ବଙ୍ଗୋପ ସାଗର ଆଡୁ ପବନରେ ଆର୍ଦ୍ରତାର ପରିମାଣ ବୃଦ୍ଧି ପାଇବା ଯୋଗୁଁ ମେ ୧ ତାରିଖରୁ କାଳବୈଶାଖୀ ଅଧିକ ମାତ୍ରାରେ ହେବାର ସମ୍ଭାବନା ରହିଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ବର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ପକ୍ଷରୁ ପ୍ରତିରକ୍ଷା ବାଲିଷ୍ଟିକ କ୍ଷେପଣାସ୍ତ୍ର (ବିଏମଡି) ଇଣ୍ଟରସେପ୍ଟର ପର୍ଯ୍ୟାୟ-୨ର ପ୍ରଥମ ସଫଳ ପରୀକ୍ଷଣ ହୋଇଛି। ୨ ନଭେମ୍ବର, ୨୦୨୨ରେ ଉପକୂଳସ୍ଥିତ ଏପିଜେ ଅବଦୁଲ କାଲାମ ଦ୍ବୀପରୁ ଅଧିକ ମାରକ ଉଚ୍ଚତା ପରିଧି ସହିତ ଏହି ଇଣ୍ଟରସେପ୍ଟର ଏଡି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ବିଭିନ୍ନ ଭୌଗଳିକ ସ୍ଥାନରେ ରହିଥିବା ସବୁ ବିଏମଡି ଅସ୍ତ୍ର ପ୍ରଣାଳୀ ଉପକରଣକୁ ସାମିଲ କରାଯାଇ ଏହି ଫ୍ଲାଇଟ୍ ଟେଷ୍ଟ ସମ୍ପାଦନ କରାଯାଇଥିଲା।
ଏଡି-୧ ହେଉଛି ଏକ ଦୀର୍ଘ ଦୂରଗାମୀ ଇଣ୍ଟରସେପ୍ଟର ବା ପ୍ରତିରୋଧୀ କ୍ଷେପଣାସ୍ତ୍ର। ଏହାକୁ ଉଭୟ ନିମ୍ନ ବାହ୍ୟବାୟୁମଣ୍ଡଳୀୟ (ଏକ୍ସୋ-ଏଟମୋସଫିୟରିକ) ଏବଂ ଆଭ୍ୟନ୍ତରୀଣ (ଏଣ୍ଡୋ-ଏଟମୋସଫିୟରିକ) ଇଣ୍ଟରସେପ୍ସନ ବା ପ୍ରତିରୋଧ ପାଇଁ ଡିଜାଇନ କରାଯାଇଛି। ଏହା ଦୀର୍ଘ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ସହିତ ବିମାନର ଇଣ୍ଟରସେପ୍ସନ ବା ବିଧ୍ବଂସ କରିବାକୁ ସକ୍ଷମ। ଏହି ପ୍ରଣାଳୀ ଦୁଇଟି-ପର୍ଯ୍ୟାୟ ବିଶିଷ୍ଟ ଦୃଢ଼ ମୋଟର ଦ୍ବାରା ପରିଚାଳିତ ହୋଇଥାଏ। ବାହନକୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପର୍ଯ୍ୟନ୍ତ ସଠିକ ଭାବେ ମାର୍ଗଦର୍ଶନ କରିବା ଲାଗି ଏଥିରେ ସ୍ବଦେଶୀ ଭାବେ ବିକଶିତ ଉନ୍ନତ ନିୟନ୍ତ୍ରଣ ପ୍ରଣାଳୀ, ନାଭିଗେସନ ବା ଦିଗ ନିର୍ଣ୍ଣୟ ବ୍ୟବସ୍ଥା ଏବଂ ମାର୍ଗଦର୍ଶୀ ଆଲଗୋରିଦିମ ଏଥିରେ ଖଞ୍ଜା ଯାଇଛି।
ଫ୍ଲାଇଟ୍ ଟେଷ୍ଟ ସମୟରେ, ସବୁ ଉପପ୍ରଣାଳୀଗୁଡ଼ିକ ଆଶାନୁରୂପ ପ୍ରଦର୍ଶନ କରିଥିଲା। ଫ୍ଲାଇଟର ତଥ୍ୟ ସଂଗ୍ରହ କରିବା ଲାଗି ମୁତୟନ ରାଡାର, ଟେଲିମେଟ୍ରୀ ଓ ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ଷ୍ଟେସନ ସମେତ ସଂଖ୍ୟାଧିକ ରେଞ୍ଜ ସେନ୍ସର ଦ୍ବାରା ସଂଗୃହିତ ତଥ୍ୟ, କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଦର୍ଶନକୁ ପ୍ରମାଣିତ କରିଥିଲା।
ଡିଆରଡିଓ ଏବଂ ଏଡି-୧ର ସଫଳ ଫ୍ଲାଇଟ୍ ପରୀକ୍ଷଣ ସହ ଜଡ଼ିତ ସବୁ ସହଯୋଗୀମାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଅଭିନନ୍ଦନ ଜଣାଇଛନ୍ତି। ସେ ଏହାକୁ ଏକ ଅଭିନବ ଇଣ୍ଟରସେପ୍ଟର ଭାବେ ଅଭିହିତ କରିବା ସହିତ ବିଶ୍ବର ମାତ୍ର ଅଳ୍ପ କେତୋଟି ରାଷ୍ଟ୍ର ନିକଟରେ ଏହା ଉପଲବ୍ଧ ଥିବା କହିଛନ୍ତି। ଏହା ଦେଶର ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ବିଶ୍ବାସ ପ୍ରକଟ କରିଛନ୍ତି।
ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି କାମାତ ନିଜର ସହଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ଇଣ୍ଟରସେପ୍ଟର ପ୍ରଣାଳୀ ବ୍ୟବହାରକାରୀଙ୍କୁ ଅଧିକ ପରିଚାଳନାଗତ ନମନୀୟତା ପ୍ରଦାନ କରିବ। ବିଭିନ୍ନ ପ୍ରକାରର ଲକ୍ଷ୍ୟ ବା ଟାର୍ଗେଟକୁ ବିଧ୍ବଂସ କରିବାର କ୍ଷମତା ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ନିକଟରେ ରହିଛି।
ଭୁବନେଶ୍ବର: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ସେନା ଓଡ଼ିଶା ଉପକୂଳର ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ କୁଇକ୍ ରିଆକ୍ସନ୍ ସର୍ଫେସ୍ ଟୁ ଏୟାର ମିସାଇଲ୍ (କ୍ୟୁଆରଏସଏଏମ) ବ୍ୟବସ୍ଥାର ପରୀକ୍ଷଣକୁ ସଫଳତାର ସହ ସମାପ୍ତ କରିଛନ୍ତି। ଭାରତୀୟ ସେନା ଦ୍ୱାରା ମୂଲ୍ୟାଙ୍କନ ପରୀକ୍ଷଣର ଏକ ଅଂଶ ଭାବରେ ଏହି ପରୀକ୍ଷା କରାଯାଇଥିଲା।
ବିଭିନ୍ନ ପରିସ୍ଥିତିରେ ଅସ୍ତ୍ରଶସ୍ତ୍ରର ମାରକ କ୍ଷମତାକୁ ଆକଳନ କରିବା ପାଇଁ ବିଭିନ୍ନ ପ୍ରକାରର ବିପଦକୁ ଠାବ ସହିତ ଆକାଶରେ ଆସୁଥିବା ଦ୍ରୁତଗାମୀ ଲକ୍ଷ୍ୟ ବିରୁଦ୍ଧରେ ଏହି ପରୀକ୍ଷା କରାଯାଇଥିଲା, ଯେଉଁଥିରେ ଦୂରଗାମୀ ମଧ୍ୟମ ଉଚ୍ଚତା, ସ୍ୱଳ୍ପ ଦୂରତା, ଅଧିକ ଉଚ୍ଚତାରେ ଲକ୍ଷ୍ୟକୁ ପରିଚାଳନା, କମ୍ ଉଚ୍ଚତାରେ ରାଡାର ଦ୍ୱାରା ଏହାକୁ ଠାବ କରିବା ସହିତ ଲକ୍ଷ୍ୟଭେଦ ଏବଂ ସାମୂହିକ ଭାବେ ଦୁଇଟି କ୍ଷେପଣାସ୍ତ୍ରକୁ କ୍ରମାଗତ ଭାବରେ ଛଡାଯାଇଥିଲା। ଉଭୟ ଦିନ ଓ ରାତି ପରିସ୍ଥିତିରେ ଏହାର କାର୍ଯ୍ୟଦକ୍ଷତାକୁ ମଧ୍ୟ ମୂଲ୍ୟାଙ୍କନ କରାଯାଇଥିଲା।
ଏହି ପରୀକ୍ଷଣ ସମୟରେ, ଅତ୍ୟାଧୁନିକ ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ୱାରହେଡ୍ ଚେନ୍ ସହିତ କଣ୍ଟ୍ରୋଲ୍ ଆଲଗୋରିଦମ ଅସ୍ତ୍ର ପ୍ରଣାଳୀର ଶତ ପ୍ରତିଶତ ସଠିକତାର ସହ ମିଶନର ସମସ୍ତ ଉଦ୍ଦେଶ୍ୟ ପୂରଣ ହୋଇଥିଲା। ଆଇଟିଆର ଦ୍ୱାରା ନିୟୋଜିତ ଟେଲିମେଟ୍ରି, ରାଡାର ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ୍ (ଇଓଟିଏସ୍) ପରି ଅନେକ ଯନ୍ତ୍ରାଂଶ ଦ୍ୱାରା ଏକତ୍ର ହୋଇଥିବା ତଥ୍ୟରୁ ଏହାର କାର୍ଯ୍ୟଦକ୍ଷତା ନିଶ୍ଚିତ ହୋଇଛି। ଏହି ଉତକ୍ଷେପଣ ସମୟରେ ଡିଆରଡିଓ ଏବଂ ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ପରୀକ୍ଷଣଗୁଡିକ ସ୍ୱଦେଶୀ ରେଡିଓ ଫ୍ରିକ୍ୱେନ୍ସି (ଆରଏଫ୍) ସନ୍ଧାନକାରୀ, ଭ୍ରାମ୍ୟମାଣ ଲଞ୍ଚର୍, ସମ୍ପୂର୍ଣ୍ଣ ସ୍ୱୟଂଚାଳିତ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସିଷ୍ଟମ୍, ସିସିଟିଭି ଏବଂ ମଲ୍ଟି ଫଙ୍କସନ୍ ରାଡାର ସହିତ ସମସ୍ତ ସ୍ୱଦେଶୀ-ବିକଶିତ ସବ୍-ସିଷ୍ଟମକୁ ନେଇ ଚୂଡାନ୍ତ ପରୀକ୍ଷଣ କରାଯାଇଥିଲା। କ୍ୟୁଆରଏସଏଏମ୍ ଅସ୍ତ୍ର ପ୍ରଣାଳୀର ସ୍ୱତନ୍ତ୍ରତା ହେଉଛି ଏହା ସର୍ଚ୍ଚ ଏବଂ ଟ୍ରାକ୍ ସାମର୍ଥ୍ୟ ଏବଂ ଅଳ୍ପ ସମୟରେ ଉତକ୍ଷେପଣ କରିପାରିବ। ଏହା ପୂର୍ବରୁ କରାଯାଇଥିବା ପରୀକ୍ଷା ସମୟରେ ଏହା ପ୍ରମାଣିତ ହୋଇଛି।
ସଫଳ ପରୀକ୍ଷଣ ପାଇଁ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଏବଂ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି। ସେ ଆତ୍ମବିଶ୍ୱାସର ସହ ଦର୍ଶାଇଛନ୍ତି ଯେ ସଶସ୍ତ୍ର ବାହିନୀ ପାଇଁ କ୍ୟୁଆରଏସଏଏମ୍ ଅସ୍ତ୍ର ପ୍ରଣାଳୀ ଏକ ଉତ୍କୃଷ୍ଟ ଶକ୍ତି ହେବ।
ପ୍ରତିରକ୍ଷା ଆର ଆଣ୍ଡ ଡି ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ସଫଳ ପରୀକ୍ଷଣ ସହିତ ଜଡିତ ଟିମ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି ଯେ ଭାରତୀୟ ସେନାରେ ସାମିଲ ପାଇଁ ଏହା ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ଭୁବନେଶ୍ୱର: ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ ୨୩ ଅଗଷ୍ଟ, ୨୦୨୨ରେ ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆରଏସଏଏମ)ର ସଫଳ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ଦ୍ୱାରା କ୍ଷେପଣାସ୍ତ୍ରର ଫ୍ଲାଇଟ୍ ଟେଷ୍ଟ ସଫଳତାପୂର୍ବକ ସମ୍ପନ୍ନ କରାଯାଇଥିଲା। ଫ୍ଲାଇଟ୍ ଟେଷ୍ଟ ବା ଆକାଶମାର୍ଗ ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ରର ଭୂଲମ୍ବ (ଭର୍ଟିକାଲ) ମାରକ କ୍ଷମତା ଜାଣିବା ଲାଗି ଚେଷ୍ଟା କରାଯାଇଥିଲା। ଆକାଶମାର୍ଗରେ ଥିବା ଏକ ଦ୍ରୁତଗାମୀ ମାନବବିହୀନ ଲକ୍ଷ୍ୟ ଉଦ୍ଦେଶ୍ୟରେ ଭାରତୀୟ ନୌସେନାର ଏକ ଜାହାଜରୁ କ୍ଷେପଣାସ୍ତ୍ରକୁ ନିକ୍ଷେପ କରାଯାଇଥିଲା। ଏହି କ୍ଷେପଣାସ୍ତ୍ରରେ ଲାଗିଥିବା ସମ୍ପୂର୍ଣ୍ଣ ସ୍ୱଦେଶୀ ରେଡିଓ ଫ୍ରିକୁଏନ୍ସି (ଆରଏଫ) ସିକର୍ ବା ଲକ୍ଷ୍ୟଭେଦ ପ୍ରଣାଳୀ ଉଚ୍ଚ ସଠିକତା ସହିତ ନିର୍ଦ୍ଧାରିତ ଲକ୍ଷ୍ୟକୁ ଧ୍ୱଂସ କରିବାରେ ସଫଳ ହୋଇଥିଲା। ଡିଆରଡିଓ ଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ପଦ୍ଧତିରେ ଭିଏଲ-ଏସଆରଏସଏଏମ ପ୍ରଣାଳୀକୁ ଡିଜାଇନ ଏବଂ ବିକଶିତ କରାଯାଇଛି।
ପରୀକ୍ଷଣ ସମୟରେ, ଫ୍ଲାଇଟ୍ ଡେଟାକୁ ବ୍ୟବହାର କରି କ୍ଷେପଣାସ୍ତ୍ରର ଗତିପଥ ଏବଂ ପ୍ରଦର୍ଶନ ମାନକ ଅନୁଧ୍ୟାନ କରାଯାଇଥିଲା। ଚାନ୍ଦିପୁର ଆଇଟିଆର ପକ୍ଷରୁ ମୁତୟନ କରାଯାଇଥିବା ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ (ଇଓଟିଏସ) ଏବଂ ଟେଲିମେଟ୍ରୀ ପ୍ରଣାଳୀ ଭଳି ବିଭିନ୍ନ ଦୂର ମାପନ ଉପକରଣ ସହାୟତାରେ ଏସବୁ ତଥ୍ୟ ସଂଗ୍ରହ କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ଡିଜାଇନ ଏବଂ ଏହାକୁ ବିକଶିତ କରିବାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରୟୋଗଶାଳା (ଡିଆରଡିଏଲ), ହାଇଦ୍ରାବାଦର ରିସର୍ଚ୍ଚ ସେଣ୍ଟର ଇମାରତ ଏବଂ ପୁଣେର ଆର ଏଣ୍ଡ ଡି ଇଞ୍ଜିନିୟର୍ସ ଭଳି ବିଭିନ୍ନ ଡିଆରଡିଓ ପ୍ରୟୋଗଶାଳାର ଯୋଗଦାନ ରହିଥିଲା। ଏସବୁ ପ୍ରୟୋଗଶାଳାର ବରିଷ୍ଠ ବୈଜ୍ଞାନିକମାନେ କ୍ଷେପଣାସ୍ତ୍ର ପ୍ରଣାଳୀର ପରୀକ୍ଷଣକୁ ଅନୁଧ୍ୟାନ କରିଥିଲେ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଏଲ-ଏସଆରଏସଏଏମ କ୍ଷେପଣାସ୍ତ୍ର ପ୍ରଣାଳୀର ସଫଳ ଆକାଶମାର୍ଗ ପରୀକ୍ଷଣ ନିମନ୍ତେ ଡିଆରଡିଓ, ଭାରତୀୟ ନୌସେନା ଏବଂ ଏହା ସହ ଜଡ଼ିତ ସମସ୍ତଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି କ୍ଷେପଣାସ୍ତ୍ର ଭାରତୀୟ ନୌସେନାର ଶକ୍ତିକୁ ବହୁଗୁଣିତ କରିବ ବୋଲି ସେ କହିଛନ୍ତି।
ସଫଳ ଫ୍ଲାଇଟ୍ ଟେଷ୍ଟରେ ନିୟୋଜିତ ସବୁ ବୈଜ୍ଞାନିକ ଏବଂ ଅନ୍ୟ ଅଧିକାରୀମାନଙ୍କୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ପରୀକ୍ଷଣ କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଭାବଶୀଳତାକୁ ପ୍ରମାଣିତ କରିଛି। ସେ ଆହୁରି କହିଛନ୍ତି ଯେ ସମୁଦ୍ର ଉପରେ ଦୋଳାୟମାନ ଗତିରେ ଆସୁଥିବା ବିପଦ (ସି-ସ୍କିମିଂ ଟାର୍ଗେଟ) ସମେତ ଆକାଶମାର୍ଗରୁ ଆସୁଥିବା ସବୁ ପ୍ରକାର ସ୍ୱଳ୍ପ ଦୂରଗାମୀ ବିପଦକୁ ବିଧ୍ୱଂସ କରିବାରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଭାରତୀୟ ନୌସେନାର କ୍ଷମତାକୁ ଅଧିକ ସୁଦୃଢ଼ କରିବ।
ଭୁବନେଶ୍ୱର: ବଙ୍ଗୋପ ସାଗର ଏବଂ ତତ୍ସଂଲଗ୍ନ ଓଡ଼ିଶା ଉପକୂଳରେ ଅଗଷ୍ଟ ୪ କିମ୍ବା ୫ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଅଗଷ୍ଟ ୭ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ଅଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।
ସିଇସି ପକ୍ଷରୁ ଜାରୀ ହୋଇଥିବା ଏକ ବୁଲେଟିନ୍ ଅନୁଯାୟୀ ଅଗଷ୍ଟ ୯ ତାରିଖ ବେଳକୁ ଏହା ଗଭୀର ଅବପାତ ଅର୍ଥାତ୍ ଡିପ୍ ଡିପ୍ରେସନ୍ରେ ପରିଣତ ହୋଇପାରେ। ଅଗଷ୍ଟ ୭ ତାରିଖରୁ ୯ ତାରିଖ ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ପରବର୍ତୀ ସମୟରେ ଆଭ୍ୟନ୍ତରୀଣ ଏବଂ ଉତର ଓଡ଼ିଶା ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସିଇସି ପକ୍ଷରୁ କୁହାଯାଇଛି।
ବର୍ତ୍ତମାନ ଜାରୀ ରହିଥିବା ଶୁଖିଲା ପାଗ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ରହିବାର ସୂଚନା ଥିବା ବେଳେ ଏହା ପରେ କେଉଁଠି କେଉଁଠି ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି।
ତେବେ ଅଗଷ୍ଟ ୩ ତାରିଖରୁ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସିଇସି ସୂଚନା ଦେଇଛି। ପ୍ରବଳ ବର୍ଷା ସମୟରେ କୃଷକମାନେ ଧାନ ରୋପଣ କରିପାରିବେ ବୋଲି ସିଇସି ବୁଲେଟିନ୍ରେ କୁହାଯାଇଛି।
ଭୁବନେଶ୍ବର: ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟୀ (ଆଇଟିଆର) ଠାରେ ଭୂପୃଷ୍ଠରୁ ଆକାଶକୁ ମାଡ଼ କରାଯାଇପାରୁଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆର ସାମ୍)ର ଭୂଲମ୍ବ ଉତକ୍ଷେପଣ କରାଯାଇଛି। ୨୪ ଜୁନ୍ ୨୦୨୨ରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନାର ମିଳିତ ଉଦ୍ୟମରେ ଏହି କ୍ଷେପଣାସ୍ତ୍ରର ଫ୍ଲାଇଟ୍ ଟେଷ୍ଟ ବା ଆକାଶମାର୍ଗ ପରୀକ୍ଷଣ ସଫଳ ହୋଇଛି। ଭିଏଲ-ଏସଆର ସାମ୍ କ୍ଷେପଣାସ୍ତ୍ର ହେଉଛି ଯୁଦ୍ଧ ଜାହାଜରେ ଖଞ୍ଜା ହେଉଥିବା ଏକ ଅସ୍ତ୍ର ପ୍ରଣାଳୀ, ଯାହାକି ସମୁଦ୍ର ପତନ ଉପରେ କ୍ଷୀପ୍ର ବେଗରେ ଆସୁଥିବା ଲକ୍ଷ୍ୟ ବା ସି ସ୍କିମିଂ ଟାର୍ଗେଟ ସମେତ ଆକାଶମାର୍ଗରୁ ଆସୁଥିବା ବିଭିନ୍ନ ପ୍ରକାର ବିପଦ ଏବଂ ଯୁଦ୍ଧାସ୍ତ୍ରକୁ ନିଷ୍କ୍ରିୟ କରିବାକୁ ସକ୍ଷମ।
ଆକାଶମାର୍ଗରେ ଏକ ନକଲି ବିମାନରୁ ଦ୍ରୁତ ଗତିରେ ଆସୁଥିବା ଲକ୍ଷ୍ୟ ବିରୋଧରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀକୁ ଉତକ୍ଷେପଣ କରାଯାଇଥିଲା ଏବଂ ଏହା ସଫଳତା ପୂର୍ବକ ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ହୋଇଥିଲା। ଚାନ୍ଦୀପୁର ଆଇଟିଆର ପକ୍ଷରୁ ନିୟୋଜିତ ହୋଇଥିବା ଏକାଧିକ ଟ୍ରାକିଂ ଉପକରଣ ମାଧ୍ୟମରେ କ୍ଷେପଣାସ୍ତ୍ରର ଗତି ଓ ମାର୍ଗ ସମେତ ସମସ୍ତ କାର୍ଯ୍ୟକ୍ଷମତା ମାପଦଣ୍ଡ ନିରୀକ୍ଷଣ କରାଯାଇଥିଲା। ଡିଆରଡିଓ ଏବଂ ଭାରତୀୟ ନୌସେନାର ବରିଷ୍ଠ ଅଧିକାରୀମାନେ ଏହି କ୍ଷେପଣାସ୍ତ୍ର ପରୀକ୍ଷଣର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ଡିଆରଡିଓ, ଭାରତୀୟ ନୌସେନା ଏବଂ ଉଦ୍ୟୋଗ ଜଗତକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ସାମିଲ ହେବା ଫଳରେ ଆକାଶମାର୍ଗରୁ ଆସୁଥିବା ବିପଦ ବିରୋଧରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଗୁଡ଼ିକର କ୍ଷମତା ଆହୁରି ବୃଦ୍ଧି ପାଇବ।
ନୌସେନା ମୁଖ୍ୟ ଆଡମିରାଲ ଆର. ହରି କୁମାର ଭିଏଲ-ଏସଆର ସାମ୍ର ସଫଳ ଫ୍ଲାଇଟ୍ ଟେଷ୍ଟ ପାଇଁ ଭାରତୀୟ ନୌସେନା ଏବଂ ଡିଆରଡିଓ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ସ୍ୱଦେଶୀ କ୍ଷେପଣାସ୍ତ୍ର ପ୍ରଣାଳୀ ବିକଶିତ ହେବା ଦ୍ବାରା ଭାରତୀୟ ନୌସେନାର ପ୍ରତିରକ୍ଷା ସାମର୍ଥ୍ୟ ଅଧିକ ସୁଦୃଢ଼ ହେବ।
ଏହି ସଫଳ ଫ୍ଲାଇଟ୍ ଟେଷ୍ଟରେ ସାମିଲ ଥିବା ଦଳକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ନୌସେନାର ଯୁଦ୍ଧ ଜାହାଜରେ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ ସାମିଲ ହେବା ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣରୁ ପ୍ରମାଣିତ ହୋଇଛି। ସେ ଆହୁରି କହିଛନ୍ତି ଯେ, ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଭାରତୀୟ ନୌସେନାର ଶକ୍ତିକୁ ବହୁଗୁଣିତ କରିବ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ ସଂକଳ୍ପୁ ସାକାର କରିବା ଦିଗରେ ଏକ ଆଉ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
ଭୁବନେଶ୍ବର: ଭାରତ ଗତକାଲି ଓଡିଶାର ଏକ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ସେଣ୍ଟରରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପୃଥ୍ବୀ-୨କୁ ସଫଳତାର ସହ ପରୀକ୍ଷଣ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ପୃଥ୍ବୀ-୨ କ୍ଷେପଣାସ୍ତ୍ର ରାତି ପ୍ରାୟ ୭.୩୦ ସମୟରେ ପରୀକ୍ଷଣ କରାଯାଇଥିଲା। ମନ୍ତ୍ରଣାଳୟ କହିଛି ଯେ, ପରୀକ୍ଷଣ ସମୟରେ ଏହି କ୍ଷେପଣାସ୍ତ୍ର ସମସ୍ତ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ଷମ ଏବଂ ବୈଷୟିକ ପାରାମିଟରକୁ ପୂରଣ କରିଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପୃଥ୍ବୀ-୨ ଜୁନ୍ ୧୫ ତାରିଖ ଦିନ ଓଡିଶାର ଚାନ୍ଦିପୁରର ଏକ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ସେଣ୍ଟରରୁ ସଫଳତାର ସହ ପରୀକ୍ଷଣ କରାଯାଇଥିଲା। ମନ୍ତ୍ରଣାଳୟ ଅନୁଯାୟୀ, ପୃଥ୍ବୀ-୨ କ୍ଷେପଣାସ୍ତ୍ର ପ୍ରଣାଳୀ ଅତ୍ୟନ୍ତ ସଫଳ ବୋଲି ବିବେଚନା କରାଯାଏ ଏବଂ ବହୁତ ଉଚ୍ଚ ସ୍ତର ସଠିକତା ସହିତ ଲକ୍ଷ୍ୟକୁ ମାରିବାରେ ସକ୍ଷମ ହୋଇଥାଏ।
ଉଲ୍ଲେଖ ଯୋଗ୍ୟ ଯେ ଗତ ବର୍ଷ ନଭେମ୍ବର ଏବଂ ଡିସେମ୍ବରରେ ଏହି କ୍ଷେପଣାସ୍ତ୍ର ମଧ୍ୟ ପରୀକ୍ଷା କରାଯାଇଥିଲା। ଏହି ପରମାଣୁ ସମୃଦ୍ଧ କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ଭୂପୃଷ୍ଠ କ୍ଷେପଣାସ୍ତ୍ରରେ ସକ୍ଷମ। ଗତ ବର୍ଷ ନଭେମ୍ବର ୨୦ ତାରିଖରେ ଏହି କ୍ଷେପଣାସ୍ତ୍ରଟି ଓଡିଶା ଉପକୂଳରୁ ରାତିରେ ପରୀକ୍ଷଣ କରାଯାଇଥିଲା। ୩୫୦ କିଲୋମିଟର ଷ୍ଟ୍ରାଇକ୍ ରେଞ୍ଜ ସହିତ ଏହି କ୍ଷେପଣାସ୍ତ୍ରର ନାଇଟ୍ ଟ୍ରାଏଲ୍ ଲଞ୍ଚ କମ୍ପାକ୍ଟ -୩ ରୁ ମୋବାଇଲ୍ ଲଞ୍ଚର୍ ସହିତ ସନ୍ଧ୍ୟା ୭ ରୁ ୭.୧୫ ମଧ୍ୟରେ କରାଯାଇଥିଲା।
୫୦୦ ରୁ ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ବହନ କରିବାକୁ ପୃଥ୍ବୀ-୨ ସକ୍ଷମ। ୩୦୦ କିଲୋମିଟରର ଭୂପୃଷ୍ଠରୁ ଭୂପୃଷ୍ଠର ଲକ୍ଷ୍ୟ ଭେଦୀ ପାରୁଥିବା ଏହି କ୍ଷେପଣାସ୍ତ୍ରର ଦୁଇଟି ତରଳ ଇନ୍ଧନ ଇଞ୍ଜିନ ଅଛି। ଏହା ଉଭୟ ତରଳ ଏବଂ କଠିନ ଇନ୍ଧନ ଦ୍ୱାରା ଚାଳିତ।
ବାଲେଶ୍ଵର: ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ ମେ ୧୮, ୨୦୨୨ରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ନୌସେନାର ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳ ହୋଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ପକ୍ଷରୁ ଏହି ପରୀକ୍ଷଣ ସମ୍ପାଦନ କରାଯାଇଥିଲା। ନୌସେନାର ଏକ ହେଲିକପ୍ଟର ଜରିଆରେ କ୍ଷେପଣାସ୍ତ୍ରର ବୈମାନିକ ପରୀକ୍ଷା ବା ଫ୍ଲାଇଟ୍ ଟେଷ୍ଟ କରାଯାଇଥିଲା। ଏହି ପରୀକ୍ଷଣ ସମସ୍ତ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିଥିଲା। ଭାରତୀୟ ନୌସେନା ପାଇଁ ଏହା ହେଉଛି ଆକାଶ ମାର୍ଗରୁ ନିକ୍ଷେପ କରାଯାଇ ପାରୁଥିବା ପ୍ରଥମ ସ୍ବଦେଶୀ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ର ପ୍ରଣାଳୀ।
ପରୀକ୍ଷା ସମୟରେ ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ସାମୁଦ୍ରିକ ମାର୍ଗରେ ଗତି କରିଥିଲା ଏବଂ ନିର୍ଦ୍ଧାରିତ ଲକ୍ଷ୍ୟକୁ ସମ୍ପୂର୍ଣ୍ଣ ସଠିକ୍ ଭାବେ ଭେଦ କରିବାରେ ସକ୍ଷମ ହୋଇଥିଲା। ଏଥିସହିତ ନିୟନ୍ତ୍ରଣ, ମାର୍ଗଦର୍ଶନ ଓ ମିଶନ ଆକଳନକୁ ସମ୍ପୂର୍ଣ୍ଣ ସଠିକ୍ ଭାବେ କାର୍ଯ୍ୟକାରୀ କରିଥିଲା। ଏହାର ସବୁ ଉପ-ପ୍ରଣାଳୀ ସନ୍ତୋଷଜନକ ପ୍ରଦର୍ଶନ କରିଥିଲା। ପରୀକ୍ଷଣ ରେଞ୍ଜର ବିଭିନ୍ନ ସ୍ଥାନରେ ଏବଂ ଇମ୍ପାକ୍ଟ ପଏଣ୍ଟରେ ଲାଗିଥିବା ସେନ୍ସର କ୍ଷେପଣାସ୍ତ୍ରର ଗତିପଥକୁ ନିରୀକ୍ଷଣ କରିଥିଲା ଏବଂ ସବୁ ଘଟଣାକ୍ରମକୁ ରେକର୍ଡ କରିଥିଲା।
ଏହି କ୍ଷେପଣାସ୍ତ୍ର ପ୍ରଣାଳୀରେ ଅନେକ ନୂଆ ଜ୍ଞାନକୌଶଳ ଖଞ୍ଜା ଯାଇଛି। ଏଥିରେ ହେଲିକପ୍ଟର ପାଇଁ ସ୍ବଦେଶୀ ଭାବେ ବିକଶିତ ଏକ ଲଞ୍ଚର୍ ସଂଯୋଗ କରାଯାଇଛି। କ୍ଷେପଣାସ୍ତ୍ରର ମାର୍ଗଦର୍ଶୀ ପ୍ରଣାଳୀରେ ଅତ୍ୟାଧୁନିକ ନାଭିଗେସନ ବ୍ୟବସ୍ଥା ଓ ସମନ୍ବିତ ଏଭିଓନିକ୍ସ ଖଞ୍ଜା ହୋଇଛି। ଆଜିର ଫ୍ଲାଇଟ୍ ଟେଷ୍ଟ ସମୟରେ ଡିଆରଡିଓ ଓ ଭାରତୀୟ ନୌସେନାର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।
ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ, ଭାରତୀୟ ନୌସେନା ଏବଂ ଆଜିର ଫ୍ଲାଇଟ୍ ଟେଷ୍ଟରେ ସମ୍ପୃକ୍ତ ଥିବା ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ସ୍ବଦେଶୀ ଡିଜାଇନ ଏବଂ କ୍ଷେପଣାସ୍ତ୍ର ପ୍ରଣାଳୀ ବିକାଶ କ୍ଷେତ୍ରରେ ଭାରତ ଉଚ୍ଚ ସ୍ତରୀୟ ସାମର୍ଥ୍ୟ ହାସଲ କରିଛି।
ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ଏବଂ ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ଏହି ସଫଳ ମିଶନରେ ସାମିଲ ଥିବା ପ୍ରକଳ୍ପ ଟିମ୍କୁ ଏହି ପରୀକ୍ଷଣ ପାଇଁ ପ୍ରଶଂସା କରିଛନ୍ତି। ପ୍ରକଳ୍ପ ପାଇଁ ସମର୍ଥନ ଯୋଗାଇ ଦେଇଥିବାରୁ ସେ ଭାରତୀୟ ନୌସେନା ଏବଂ ନୌସେନା ବିମାନ ପରୀକ୍ଷଣ ସ୍କ୍ବାଡର୍ଣ୍ଣଙ୍କୁ ପ୍ରଶଂସା କରିଛନ୍ତି। ଡକ୍ଟର ରେଡ୍ଡୀ କହିଛନ୍ତି ଯେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଦ୍ବାରା ଭାରତୀୟ ନୌସେନାର ଆକ୍ରମଣ କ୍ଷମତା ସୁଦୃଢ଼ ହେବ।
ବାଲେଶ୍ଵର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ‘ସଲିଡ୍ ଫୁଏଲ୍ ଡକ୍ଟେଡ୍ ରାମଜେଟ୍’ (ଏସଏଫଡିଆର) ବୁଷ୍ଟର ଜ୍ଞାନକୌଶଳର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କ୍ଷେତ୍ର (ଆଇଟିଆର)ରୁ ୮ ଏପ୍ରିଲ, ୨୦୨୨ରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ଫ୍ଲାଇଟ୍ ଟେଷ୍ଟ କରାଯାଇଥିଲା। ଏହି ଜଟିଳ କ୍ଷେପଣାସ୍ତ୍ର ପ୍ରଣାଳୀରେ ରହିଥିବା ସବୁ ଜରୁରି ଉପକରଣର ଭରସାଯୋଗ୍ୟ ପରିଚାଳନା ଆଜିର ସଫଳ ପରୀକ୍ଷଣରେ ପ୍ରଦର୍ଶିତ ହୋଇଥିଲା ଏବଂ ମିଶନର ସବୁ ଲକ୍ଷ୍ୟ ହାସଲ କରାଯାଇଥିଲା।
ଏସଏଫଡିଆର ଆଧାରିତ ପରିଚାଳନା ଶକ୍ତି ଶବ୍ଦ ଠାରୁ ଦ୍ରୁତ ବେଗରେ ଯାଇ ଅଧିକ ଦୂରବର୍ତ୍ତୀ ସ୍ଥାନରେ ଥିବା ବିପଦକୁ ଧ୍ବଂସ କରିବା ଲାଗି ଏକ କ୍ଷେପଣାସ୍ତ୍ରକୁ ସକ୍ଷମ କରିଥାଏ। ଆଇଟିଆର ପକ୍ଷରୁ ନିୟୋଜିତ ଟେଲିମେଟ୍ରୀ, ରାଡାର ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ପ୍ରଣାଳୀ ଭଳି ସଂଖ୍ୟାଧିକ ଦୂରମାପନ ଉପକରଣ କରଣ ଦ୍ବାରା ସଂଗୃହିତ ତଥ୍ୟ ମାଧ୍ୟମରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଦର୍ଶନ ସଠିଥିବା ସୁନିଶ୍ଚିତ କରାଯାଇ ପାରିଥିଲା। ହାଇଦ୍ରାବାଦ ଇମାରତସ୍ଥିତ ଗବେଷଣା କେନ୍ଦ୍ର ଏବଂ ପୁଣେସ୍ଥିତ ହାଇ ଏନର୍ଜି ମ୍ୟାଟେରିଆଲ୍ସ ରିସର୍ଚ୍ଚ ଲାବ୍ରୋଟୋରୀ ଭଳି ଡିଆରଡିଓର ଅନ୍ୟ ପରୀକ୍ଷାଗାର ସହିତ ମିଶି ହାଇଦ୍ରାବାଦସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ (ଡିଆରଡିଓ) ପରୀକ୍ଷାଗାର ପକ୍ଷରୁ ଏହି ଏସଏଫଡିଆର ଜ୍ଞାନକୌଶଳ ବିକଶିତ କରାଯାଇଛି।
ଏସଏଫଡିଆରର ସଫଳ ପରୀକ୍ଷଣ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓକୁ ଶୁଭକାମନା ଜଣାଇଛନ୍ତି। ଦେଶରେ ଗୁରୁତ୍ବପୂର୍ଣ୍ଣ କ୍ଷେପଣାସ୍ତ୍ର ଜ୍ଞାନକୌଶଳ ବିକାଶ ଦିଗରେ ଏହା ଏକ ମହତ୍ବପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ସେହିପରି ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ଏହି ପ୍ରଣାଳୀର ଡିଜାଇନ, ବିକାଶ ଏବଂ ପରୀକ୍ଷଣରେ ସମ୍ପୃକ୍ତ ବୈଜ୍ଞାନିକମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏସଏଫଡିଆର ଜ୍ଞାନକୌଶଳର ବିକାଶ ଫଳରେ ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା କ୍ଷେପଣାସ୍ତ୍ରର ଦୂରଗାମୀ କ୍ଷମତା ବୃଦ୍ଧି କରାଯାଇପାରିବ।
ବାଲେଶ୍ଵର: ଓଡ଼ିଶା ଉପକୂଳ ଚାନ୍ଦିପୁରରୁ ଜାନୁଆରୀ ୨୦, ୨୦୨୨ ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ସମୟରେ ପରିବର୍ଦ୍ଧିତ କ୍ଷମତା ସମ୍ପନ୍ନ ବ୍ରହ୍ମୋସ ସୁପରସୋନିକ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ବ୍ରହ୍ମୋସର ଏହି ସଂସ୍କରଣରେ ଅଧିକ ସ୍ୱଦେଶୀ ଉପକରଣ ଏବଂ ଉନ୍ନତ ପ୍ରଦର୍ଶନ କ୍ଷମତା ସଂଯୋଗ କରାଯାଇଛି। ବ୍ରହ୍ମୋସ ଏରୋସ୍ପେସ ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ବିଶେଷଜ୍ଞ ଦଳ ମଧ୍ୟରେ ଘନିଷ୍ଠ ସମନ୍ୱୟ ରକ୍ଷା କରାଯାଇ ଏହି କ୍ଷେପଣାସ୍ତ୍ର ଉତ୍କ୍ଷେପଣ କରାଯାଇଥିଲା। ପରୀକ୍ଷଣ ସମୟରେ ଏହି କ୍ଷେପଣାସ୍ତ୍ର ଆନୁମାନିକ ଉତ୍କ୍ଷେପଣ ପଥକୁ ଅନୁସରଣ କରି ମିଶନର ସମସ୍ତ ଲକ୍ଷ୍ୟ ପୂରଣ କରିଥିଲା।
ଏହି ପରୀକ୍ଷଣ ଆଗକୁ ବ୍ରହ୍ମୋସ କାର୍ଯ୍ୟକ୍ରମ ପାଇଁ ଏକ ବୃହତ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଉଚ୍ଚ ଗତିସମ୍ପନ୍ନ ବ୍ରହ୍ମୋସ କ୍ଷେପଣାସ୍ତ୍ର ସୁପରସୋନିକ୍ ଅର୍ଥାତ୍ ଶବ୍ଦ ଠାରୁ ଦ୍ରୁତ ବେଗରେ ସର୍ବାଧିକ ଦୂରଭେଦ କ୍ଷମତା ପର୍ଯ୍ୟନ୍ତ ଗତି କରିବା ସହିତ ମିଶନର ସମସ୍ତ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହୋଇଥିଲା। ଏହି କ୍ଷେପଣାସ୍ତ୍ରରେ ଆଧୁନିକ ସ୍ୱଦେଶୀ ପ୍ରଯୁକ୍ତି ଉପଯୋଗ କରାଯାଇଛି। ବର୍ଦ୍ଧିତ ଦକ୍ଷତା ଓ ଉନ୍ନତ ପ୍ରଦର୍ଶନ ଲାଗି ଏଥିରେ ପରିବର୍ତ୍ତିତ ସର୍ବୋତ୍ତମ ପ୍ରକ୍ଷେପକ ସଂଯୋଗ କରାଯାଇଛି। ପୂର୍ବତଟରେ ନିୟୋଜିତ ଟେଲିମେଟ୍ରି, ରାଡାର ଓ ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ସମେତ ରେଞ୍ଜ ଉପକରଣର ସମସ୍ତ ସେନ୍ସର ଓ ଡାଉନ୍ ରେଞ୍ଜ ଜାହଜ ଦ୍ୱାରା ଏହି କ୍ଷେପଣାସ୍ତ୍ରର ଉତକ୍ଷେପଣକୁ ନିରୀକ୍ଷଣ କରାଯାଇଥିଲା।
ଡିଆରଡିଓ ଏବଂ ରୁଷର ଏନପିଓଏମର ଦଳ ଏହି ପରୀକ୍ଷଣରେ ଅଂଶଗ୍ରହଣ କରିଥିଲେ । ସମୁଦ୍ର ଓ ଭୂପୃଷ୍ଠରେ ଥିବା ଲକ୍ଷ୍ୟକୁ ପ୍ରଭାବଶାଳୀ ତଥା ଘାତକ ଢଙ୍ଗରେ ଭେଦ କରିବା ଲାଗି ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଅତ୍ୟଧିକ ବହୁମୁଖି ବ୍ରହ୍ମୋସ କ୍ଷେପଣାସ୍ତ୍ରର ଲଗାତାର ଉନ୍ନତିକରଣ ପାଇଁ ବ୍ରହ୍ମୋସ ଏରୋସ୍ପେସ ଯୌଥ ଉଦ୍ୟୋଗ ଜରିଆରେ ଡିଆରଡିଓ ଏବଂ ରୁଷର ଏନପିଓଏମ ମିଳିତ ଭାବେ କାମ କରୁଛନ୍ତି। ବ୍ରହ୍ମୋସ ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପ୍ରଣାଳୀ ଯାହାକୁ ପୂର୍ବରୁ ସେନାବାହିନୀରେ ସାମିଲ କରାଯାଇସାରିଛି।
କ୍ଷେପଣାସ୍ତ୍ର ଉତ୍କ୍ଷେପଣ ସଫଳ ହୋଇଥିବାରୁ ବ୍ରହ୍ମୋସ, ଡିଆରଡିଓ ଦଳ ଏବଂ ଉଦ୍ୟୋଗକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ପ୍ରଶଂସା କରିଛନ୍ତି।
ଅସ୍ତ୍ର ପ୍ରଣାଳୀର ଦକ୍ଷତା ବୃଦ୍ଧି ଏବଂ ସ୍ୱଦେଶୀ ସରଞ୍ଜାମ ଉପଯୋଗ କରିବା ଲାଗି ନିରନ୍ତର ଭାବେ କାର୍ଯ୍ୟ କରୁଥିବାରୁ ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ ପ୍ରଶଂସା କରିଛନ୍ତି। ଏହି ପରୀକ୍ଷଣ ସହ ସମ୍ପୃକ୍ତ ଥିବା ଏନପିଓଏମ, ରୁଷ ଏବଂ ଡିଆରଡିଓ ଦଳକୁ ବ୍ରହ୍ମୋସ ମିଶନର ମହାନିର୍ଦ୍ଦେଶକ ଅତୁଲ ଡି ରାଣେ ଅଭିନନ୍ଦନ ଜଣାଇଛନ୍ତି।
ଭୁବନେଶ୍ବର: ଭାରତ ଏକ ସ୍ୱଳ୍ପ ଦୂରଗାମୀ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର (VL-SRSAM) କୁ ସଫଳତାର ସହ ପରୀକ୍ଷଣ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଏହି ପରୀକ୍ଷା ଓଡିଶା ଉପକୂଳରେ କରାଯାଇଛି।
ଏହି ବାୟୁ ପ୍ରତିରକ୍ଷା ପ୍ରଣାଳୀ କେବଳ ୧୫ କିଲୋମିଟର ଦୂରତାରେ ଲକ୍ଷ୍ୟକୁ ଛୁଇଁପାରେ। ନୌସେନା ଯୁଦ୍ଧ ଜାହାଜ ପାଇଁ DRDO ଦ୍ୱାରା ଏହା ପ୍ରସ୍ତୁତ ହେଉଛି। ନୌସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ପରୀକ୍ଷା କରାଯାଇଥିଲା। ନୌସେନାର ଯୁଦ୍ଧ ଜାହାଜ ପାଇଁ ବାୟୁରୁ ଆସୁଥିବା ବିପଦକୁ ଆକାଶରେ ଏହି କ୍ଷେପଣାସ୍ତ୍ର ନଷ୍ଟ କରିଦେବ। ଏହି କ୍ଷେପଣାସ୍ତ୍ର ପୁରୁଣା ବରାକ -୧ ଭୁପୃଷ୍ଠରୁ ଆକାଶ ମିସାଇଲର ସ୍ଥାନ ନେବ। ଏବଂ ଆକାଶରୁ ସମ୍ଭାବ୍ୟ ବିପଦରୁ ୩୬୦-ଡ଼ିଗ୍ରୀ ସୁରକ୍ଷା ଯୋଗାଇବ।
ଗତ ମାସ ଆରମ୍ଭରେ, ଡିଆରଡିଓ ସଫଳତାର ସହିତ ହାଇ ସ୍ପିଡ୍ ବିସ୍ତାରଯୋଗ୍ୟ ଏରିଆଲ୍ ଟାର୍ଗେଟ୍ (HEAT), ABHYAS କୁ ପରୀକ୍ଷଣ କରିଥିଲା। ଯାହା ବିଭିନ୍ନ କ୍ଷେପଣାସ୍ତ୍ର ପ୍ରଣାଳୀର ମୂଲ୍ୟାଙ୍କନ ପାଇଁ ବ୍ୟବହୃତ ହୁଏ। ଏହାକୁ ବାଲେଶ୍ଵରର ଚାନ୍ଦିପୁର ଘାଟିରୁ ସଫଳ ପରକ୍ଷଣ କରାଯାଇଥିଲା।
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ୟଶ’ ବର୍ତ୍ତମାନ ପାରାଦୀପ ଠାରୁ ୨୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦୂରରେ ଥିବା ବେଳେ ବୁଧବାର ସକାଳ ସୁଦ୍ଧା ଏହା ବାଲେଶ୍ୱର ଜିଲ୍ଲା ସୋର- ବାହାନଗା ନିକଟରେ ଓଡିଶା ଉପକୂଳ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି।
ଏହି ସାମୁଦ୍ରିକ ଝଡ଼ ଉତ୍ତର-ଉତ୍ତରପୂର୍ବ ଦିଗ ଦେଇ ଗତି କରିବାର ସମ୍ଭାବନା ଥିବାବେଳେ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୨୦ କିଲୋମିଟର ହେବ ବୋଲି ସିଇସି ର ନିର୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।
ଏହି ଝଡ ବୁଧବାର ମଧ୍ୟରାତ୍ରି ଓ ଭୋର ୪ଟ। ମଧ୍ୟରେ ଲାଣ୍ଡଫଲ କରିପାରେ ବୋଲି ଆକଳନ କରିଛନ୍ତି ଡକ୍ଟର ସାହୁ।
ଭୁବନେଶ୍ୱରରେ ମଙ୍ଗଳବାର ସନ୍ଧ୍ୟାରୁ ସାମାନ୍ୟ ରୁ ମଧ୍ୟମ ଧରଣର ବର୍ଷା ହେବା ସହ ଏହି ସମୟରେ ପବନର ବେଗ ଘଂଟାପ୍ରତି ୪୦ ରୁ ୫୦ କିଲୋମିଟର ହେବ ବୋଲି ଆଶଙ୍କା କରାଯାଉଛି।
ମଙ୍ଗଳବାର ଅପରାହ୍ନରୁ ଓଡିଶା ଉପକୂଳବର୍ତ୍ତୀ ଜଗତସିଂହପୁରରୁ ବାଲେଶ୍ୱର ଜିଲ୍ଲା ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୭୦ ରୁ ୧୦୦ କିଲୋମିଟର ହୋଇପାରେ ବୋଲି ଡକ୍ଟର ସାହୁ କହିଛନ୍ତି।
କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର,ମୟୁରଭଞ୍ଜ, ଯାଜପୁର, କେଉଁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡା, ସମ୍ବଲପୁର, ଢେଙ୍କାନାଳ, ଏବଂ ଅନୁଗୁଳ ପ୍ରଭୃତି ଜିଲ୍ଲା ଗୁଡିକର କେତେକ ଅଂଚଳରେ ମଙ୍ଗଳବାର ରାତିରୁ ଅତି ପ୍ରବଳ ବର୍ଷା ହେବାର ସେ ଅନୁମାନ କରିଛନ୍ତି।
ବାଲେଶ୍ୱର,ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ଯାଜପୁର ଏବଂ ଢେଙ୍କାନାଳ ପ୍ରଭୃତି ଜିଲ୍ଲାରେ ୨୫୦ ମିଲିମିଟର ରୁ ଅଧିକ ପରିମାଣର ବୃଷ୍ଟିପାତ ହେବାର ସମ୍ଭାବନା ଥିବା ସେ କହିଛନ୍ତି।
ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠୁ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାର ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ଛୁଇଁବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ମୌସୁମୀ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ । ଆସନ୍ତା 11 ତାରିଖରୁ 12 ତାରିଖ ଭିତରେ ଓଡ଼ିଶା ମୌସୁମୀ ଆସିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଜୁନ୍ 17 ବେଳକୁ ସମଗ୍ର ଓଡ଼ିଶାକୁ ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।