ଅଗଷ୍ଟ ୭ ତାରିଖରେ ଓଡ଼ିଶା ଉପକୂଳରେ ଲଘୁଚାପ ସମ୍ଭାବନା: ସିଇସି

Published: Jul 30, 2022, 5:36 pm IST

ଭୁବନେଶ୍ୱର: ବଙ୍ଗୋପ ସାଗର ଏବଂ ତତ୍‌ସଂଲଗ୍ନ ଓଡ଼ିଶା ଉପକୂଳରେ ଅଗଷ୍ଟ ୪ କିମ୍ବା ୫ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଅଗଷ୍ଟ ୭ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ଅଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ସିଇସି ପକ୍ଷରୁ ଜାରୀ ହୋଇଥିବା ଏକ ବୁଲେଟିନ୍ ଅନୁଯାୟୀ ଅଗଷ୍ଟ ୯ ତାରିଖ ବେଳକୁ ଏହା ଗଭୀର ଅବପାତ ଅର୍ଥାତ୍ ଡିପ୍ ଡିପ୍ରେସନ୍‌ରେ ପରିଣତ ହୋଇପାରେ। ଅଗଷ୍ଟ ୭ ତାରିଖରୁ ୯ ତାରିଖ ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ପରବର୍ତୀ ସମୟରେ ଆଭ୍ୟନ୍ତରୀଣ ଏବଂ ଉତର ଓଡ଼ିଶା ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସିଇସି ପକ୍ଷରୁ କୁହାଯାଇଛି।

ବର୍ତ୍ତମାନ ଜାରୀ ରହିଥିବା ଶୁଖିଲା ପାଗ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ରହିବାର ସୂଚନା ଥିବା ବେଳେ ଏହା ପରେ କେଉଁଠି କେଉଁଠି ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ଅଗଷ୍ଟ ୩ ତାରିଖରୁ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସିଇସି ସୂଚନା ଦେଇଛି। ପ୍ରବଳ ବର୍ଷା ସମୟରେ କୃଷକମାନେ ଧାନ ରୋପଣ କରିପାରିବେ ବୋଲି ସିଇସି ବୁଲେଟିନ୍‌ରେ କୁହାଯାଇଛି।

Related posts