Categories
Hockey Worldcup23 ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: ଆଜି କଟକରେ ଆୟୋଜିତ ହେଉଥିବା ହକି ବିଶ୍ବକପ ଉଦଘାଟନ ସମାରୋହରେ ଯୋଗଦେବା ପାଇଁ ଭୁବନେଶ୍ବର ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।  ଆଜି ଅନୁରାଗ ଅପରାହ୍ନ 1. 30 ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ଏଥିସହିତ ଓଡିଶା ବିଜେପି ନେତାମାନେ ମଧ୍ୟ ତାଙ୍କୁ ସ୍ବାଗତ କରିଥିଲେ।

ଆଜି କଟକ ବାରବାଟୀ ଷ୍ଟାଡିମରେ ହକି ବିଶ୍ବକପର ଉଦଘାଟନ ସମାରୋହର ଆୟୋଜନ କରାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଉଛନ୍ତି।

Categories
Hockey Worldcup23 ଖେଳ ବିଶେଷ ଖବର ରାଜ୍ୟ ଖବର

ରାଉରକେଲାରେ ସର୍ବ ବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିଅମକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ସାରା ଓଡିଶା ପାଇଁ ଆଜି ଆନନ୍ଦ ଓ ଉତ୍ସବର ଦିନ। ଖୁସିର ଦିନ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲାଠାରେ ସର୍ବବୃହତ ହକି ଷ୍ଟାଡିଅମ, ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।

ବିଶ୍ଵ କ୍ରୀଡା ଇତିହାସ ରେ ଯୋଡି ହେଲା ଏକ ସ୍ଵର୍ଣ୍ଣିମ ଅଧ୍ୟାୟ। ହକିକୁ ଭଲ ପାଉଥିବା ସମସ୍ତଙ୍କୁ, ଖେଳାଳୀ, ସାଧାରଣ ଜନତା, ଓଡିଶାର ହକିପ୍ରେମୀ ଦେଶର ହକି କ୍ରୀଡାବିତ୍‌ ସମସ୍ତଙ୍କ ଉଦ୍ଦେଶ୍ୟରେ ଏହି ଷ୍ଟାଡିଅମକୁ ମୁଁ ଉତ୍ସର୍ଗ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ହକିକୁ ଭଲ ପାଉଥିବା ସମସ୍ତଙ୍କୁ ହକି ବିଶ୍ଵ କପ୍ ଭବ୍ୟ ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିଲେ।

ବିଶ୍ଵ କପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳିଙ୍କୁ ଏକ କୋଟି ଟଙ୍କା ଦିଆଯିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଉପସ୍ଥିତ ଜନସାଧାରଣ ଓ କ୍ରୀଡାପ୍ରେମୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ଓଡିଶାର ସମଗ୍ର ଦେଶକୁ ସବୁଠାରୁ ଶ୍ରେଷ୍ଠ ଉପହାର। ଏହା ଭାରତକୁ ହକି କ୍ଷେତ୍ରରେ ଏକ ବଡ ଶକ୍ତି ଭାବରେ ଗଢି ତୋଳିବ ଏବଂ ଆଗାମୀ ଅନେକ ଦଶକ ପର୍ଯ୍ୟନ୍ତ ହକି ଖେଳରେ ଦେଶ ଏକ ମଜବୁତ ଦଳ ଭାବରେ ପ୍ରତିଷ୍ଠା ଲାଭ କରିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହକିର ସ୍ବର୍ଣ୍ଣକ୍ଷେତ୍ର ସୁନ୍ଦରଗଡରେ ଆଜି ବିଶ୍ବର ସବୁଠାରୁ ବଡ ଷ୍ଟାଡିଅମ ଓଡିଶା ମାଟିର ଗୌରବ ଗାନ କରୁଛି। ଏ ଷ୍ଟାଡିଅମ ସାରା ବିଶ୍ବ ପାଇଁ ହକିର ମୁଖ୍ୟ କେନ୍ଦ୍ର ହୋଇରହିବ ଏବଂ ଦେଶର ପ୍ରମୁଖ ଟିମ୍‌ ମାନଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ସୁଯୋଗ ଦେଇଚାଲିବ।

ଆମର ଏହି ଉଦ୍ୟମ ଦେଶର ଯୁବ ଖେଳାଳୀ ମାନଙ୍କୁ ପ୍ରେରଣା ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଦେଶରେ ଅନେକ ଚମ୍ପିଆନ ସୃଷ୍ଟି କରିବ ଏବଂ ଦେଶ ତଥା ରାଜ୍ୟର ଗୌରବ ବୃଦ୍ଧି କରିଚାଲିବ ବୋଲି ସେ କହିଥିଲେ।

ମହାପ୍ରଭୁ ଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ସଦିଚ୍ଛା ଓ ଭଲପାଇବା ଯୋଗୁ ଆମର ସ୍ବପ୍ନ ସାକାର ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ସବୁକ୍ଷେତ୍ରରେ ଶ୍ରେଷ୍ଠ ହେବାର ଉଦ୍ୟମର ଏହା ପ୍ରତିଫଳନ। ଦେଶର କ୍ରୀଡା ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଏହି ଷ୍ଟାଡିଅମ ଓଡିଶାର ଛବିକୁ ଆହୁରି ଉଜ୍ଜଳ କରିଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଅନେକ ଯୁଗ ପର୍ଯ୍ୟନ୍ତ ଏହି ଷ୍ଟାଡିଅମ ଆମର ମୁକୁଟମଣି ହୋଇ ହକି ପ୍ରତି ଭାରତୀୟ ମାନଙ୍କର ଭାବାବେଗ ଓ ଭଲପାଇବାକୁ ପରିପ୍ରକାଶ କରିଚାଲିବ। ଏହା ଭାରତୀୟ ହକିର ଏନ୍ତୁଡିଶାଳା ହୋଇ ରହିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ତଥା କିମ୍ବଦନ୍ତୀ ପୁରୁଷ ବିର୍ସା ମୁଣ୍ଡାଙ୍କ ପ୍ରତି ତାଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । 261 କୋଟି ଟଙ୍କା ଖର୍ଚ୍ଚରେ ରେକର୍ଡ ପନ୍ଦର ମାସ ସମୟ ମଧ୍ୟରେ ଏହି ଷ୍ଟାଡିୟମ୍ ନିର୍ମିତ ହୋଇଛି।

ଏହି କାର୍ଯ୍ୟକ୍ରମରେ କ୍ରୀଡା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରା ,ହକି ଇଣ୍ଡିଆର ସଭାପତି ଶ୍ରୀ ଦିଲୀପ ତିର୍କୀ ,5T ସଚିବ ଶ୍ରୀ ପାଣ୍ଡିଆନ୍ ଓ ହକି ଇଣ୍ଡିଆ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଇଣ୍ଡିଆ A ଓ ଇଣ୍ଡିଆ B team ମଧ୍ୟରେ ଉଦଘାଟନୀ ମ୍ଯାଚ କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉଦଘାଟନ କରିଥିଲେ।

ମୁଖ୍ୟମନ୍ତ୍ରୀ ଆଜି ରାଉରକେଲାରେ ପହଞ୍ଚିବା ପରେ ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ପରିଦର୍ଶନ କରି ସେଠାରେ ଭାରତୀୟ ହକି ଟିମ୍‌ର ଖେଳାଳୀ ମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ଏହାପରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ମେଡିକାଲ କଲେଜ ଉଦ୍‌ଘାଟନ କରିବା ସହିତ ସୁନ୍ଦରଗଡ ପାଇଁ ଅନେକ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରାଉରକେଲା ସହରରେ ମୋ ବସ୍‌ ଚଳାଚଳର ଶୁଭାରମ୍ଭ ମଧ୍ୟ କରିଥିଲେ। ଏହାପରେ ସେ ହକି ଷ୍ଟାଡିଅମ ଉଦ୍‌ଘାଟନ କରିଥିଲେ।

Categories
Hockey Worldcup23 ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ ପହଞ୍ଚିଲା ହକି ବିଶ୍ୱକପ୍ ଟ୍ରଫି: ସଂଗୀତ ଓ ନୃତ୍ୟ ମାଧ୍ୟମରେ ସ୍ୱାଗତ କଲେ ସୋଆ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜି ଓଡ଼ିଶାରେ ପହଂଚିଥିବା ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରରେ ଶହ ଶହ ଛାତ୍ରଛାତ୍ରୀ ସଂଗୀତ ଓ ନୃତ୍ୟ ମାଧ୍ୟମରେ ଭବ୍ୟ ସ୍ୱାଗତ ଜଣାଇଛନ୍ତି।

ୱାର୍ଲଡ୍ କପ୍ ଟ୍ରଫି ବହନ କରିଥିବା ଗାଡିଟିକୁ ବାଦ୍ୟ ଓ ଆତସବାଜି ଦ୍ୱାରା ସ୍ୱାଗତ କରାଯିବା ସହ ସୋଆ କ୍ୟାମ୍ପସ୍ ର ନୂତନ ଷ୍ଟାଡିୟମ୍ ରେ ଏକ ସୁସଜ୍ଜିତ ପୋଡିୟମ୍ ରେ ଦୀର୍ଘ ୧ଘଂଟା ଧରି ରଖାଯାଇଥିଲା। ଏହି ସମୟ ମଧ୍ୟରେ ସୋଆର ବିଭିନ୍ନ ଅନୁଷ୍ଠାନ ର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସଂଗୀତ ଓ ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା।

ଦେଶବ୍ୟାପୀ ପ୍ରଦର୍ଶିତ ହେବା ପରେ ଟ୍ରଫିଟି ରବିବାର ଦିନ ସକାଳେ ଭୁବନେଶ୍ୱର ପଂହଚିଥିଲା ଏବଂ ସହର ର ବିଭିନ୍ନ ସ୍ଥାନ ବୁଲିବା ପରେ ସୋଆ ର ନୂତନ ଷ୍ଟାଡିୟମ୍ କୁ ଅଣାଯାଇଥିଲା। ଏଠାରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ବରିଷ୍ଠ କର୍ମକର୍ତ୍ତା,ଫ୍ୟାକ୍ଟଲି ଓ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଟ୍ରଫିକୁ ସ୍ୱାଗତ କରାଯାଇଥିଲା।
ଏନ୍‌ସିସି କ୍ୟାଡେଟ୍ ଓ ସୁମା ସିକ୍ୟୁରିଟି ଏଜେନ୍ସି ର ସୁରକ୍ଷା କର୍ମଚାରୀମାନଙ୍କ ପକ୍ଷରୁ ଟ୍ରଫିକୁ ଗାର୍ଡ ଅଫ୍ ଅନର୍ ଦିଆଯାଇ ପୋଡିୟମ୍ ପର୍ଯ୍ୟନ୍ତ ନିଆଯାଇଥିଲା।

ଓଡିଶା ସରକାରଙ୍କ ସାମାଜିକ ଉଦ୍ୟୋଗ, ବିଜ୍ଞାନ ଓ ପ୍ରଯୁକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାଶ, ଡେପୁଟି ମେୟର ମଞ୍ଜୁଲତା କହଁର, ବିଏମ୍‌ସି କମିଶନର ବିଜୟ ଅମ୍ରିତ୍ କୁଲାଙ୍ଗେ ଓ ବିଏମ୍‌ସି ର ବିଭିନ୍ନ ୱାର୍ଡର କପୋରେର୍ଟର ଓ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ।

ଶ୍ରୀ ପଣ୍ଡା ଟ୍ରଫିର ଏଭଳି ଅଭୁତପୂର୍ବ ସ୍ୱାଗତ ନିମନ୍ତେ ବିଶ୍ୱବିଦ୍ୟାଳୟକୁ ଧନ୍ୟବାଦ ଦେବା ସହ ଓଡିଶା ଦ୍ୱିତୀୟ ଥର ପାଇଁ ଏହି ବିଶ୍ୱ କପ୍ ର ଆୟୋଜନ କରିବା ରାଜ୍ୟର ସମ୍ମାନ ବଢାଇଛି ବୋଲି କହିଥିଲେ।

ମନ୍ତ୍ରୀ କହିଥିଲେ ଯେ, ଦ୍ୱିତୀୟ ଥର ପାଇଁ ପୁରୁଷ ହକି ବିଶ୍ୱକପ ର ଆୟୋଜନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି। ଓଡିଶାକୁ ଦେଶର କ୍ରୀଡା ରାଜଧାନୀ ରୂପେ ପ୍ରତିଷ୍ଠା କରିବା ମୁଖ୍ୟମନ୍ତ୍ରୀ ଙ୍କର ଲକ୍ଷ୍ୟ ବୋଲି ସେ କହିଥିଲେ।

ଏହି ବିଶ୍ୱକପ୍ ପାଇଁ ଓଡିଶା ଆସୁଥିବା ଆର୍ନ୍ତଜାତିକ ଖେଳାଳି, ଗଣମାଧ୍ୟମ ପ୍ରତିିନିଧି, କର୍ମକତା ଓ ସମର୍ଥକ ଙ୍କୁ ଉପଯୁକ୍ତ ସମ୍ମାନ ଦେବା ଓଡିଶାବାସୀ ଙ୍କ କର୍ତବ୍ୟ ବୋଲି ସେ କହିଥିଲେ ।ମେୟର ଶ୍ରୀମତୀ ଦାଶ ମଧ୍ୟ କହିଥିଲେ ଯେ ଚାମ୍ପିଅନସିପ୍ ସମୟ ରେ ଓଡିଶା ଆସୁଥିବା ବିଦେଶୀ କ୍ରୀଡା ପ୍ରେମୀଙ୍କୁ ଉଚିତ୍ ସାହାଯ୍ୟ ଓ ସହଯୋଗ କରିବା ସମସ୍ତଙ୍କ ର ଦାୟିତ୍ୱ।ସୋଆ କୁଳପତି ପ୍ରଫେସର ମହାପାତ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ କୁ ଟ୍ରଫି ଆସିଥିବା ନେଇ ଆନନ୍ଦ ବ୍ୟକ୍ତ କରିବା ସହ ଭାରତୀୟ ଦଳ ମଧ୍ୟ ଏହି ଚାମ୍ପିୟନସିପ୍ ରେ ଉତମ ପ୍ରଦର୍ଶନ କରି ବିଜୟୀ ହେବ ବୋଲି ଆଶା କରିଥିଲେ।

ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ବିଶ୍ୱକପ ହକି ଚାମ୍ପିଅନସିପ୍ ଅନୁଷ୍ଠିତ ହେଉଥିବା ବେଳେ ୨୦୧୮ର ବିଶ୍ୱ ଚାମ୍ପିଅନ୍‌ସିପ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜନ କରାଯାଇଥିଲା। ହକି ବିଶ୍ୱକପ୍‌ର ୧୫ ତମ ସଂସ୍କରଣର ମ୍ୟାଚଗୁଡ଼ିକ ଓଡ଼ିଶାର ଦୁଇଟି ସ୍ଥାନ- ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଏବଂ ରାଉରକେଲା ସ୍ଥିତ ନୂତନ ଭାବେ ନିର୍ମିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀକ ହକି ଷ୍ଟାଡିୟମ୍‌ରେ ଖେଳାଯିବ।

ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତା ଆସନ୍ତା ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଆୟୋଜିତ ହେବ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍‌, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଆଇଟିଇଆର ର ଡିନ୍ ପ୍ରଫେସର ପି.କେ.ସାହୁ ,ଆଇଡିଏସ୍ ର ଡିନ୍ ପ୍ରଫେସର ନୀତା ମହାନ୍ତି, ଆଇଏଏସ ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ନିର୍ଦ୍ଦେଶକ ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମ୍ ପ୍ରଫେସର ନଚିକେତା କେ. ଶର୍ମା, ନିର୍ଦ୍ଦେଶକ କର୍ପୋରେଟ ରିଲେସନ୍‌ସ ଦେବପ୍ରସାଦ ଦାଶ ଓ ପ୍ରଫେସର ରେଣୁ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Categories
Hockey Worldcup23 ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହକି ବିଶ୍ବକପ୍ ପାଇଁ ସବୁ ରାଜନୈତିକ ଦଳ ଏକାଠି, ନବୀନଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ପୁରୁଷ ବିଶ୍ବକପ୍‌ ହକି ୨୦୨୩ ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର କନ୍‌ଭେନସେଣ୍ଟରଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାରେ କ୍ରୀଡା ମହୋତ୍ସବର ସଫଳତା ପାଇଁ ସବୁ ରାଜନୈତିକ ଦଳର ସହଯୋଗ କାମନା କରିଥିଲେ ।

ବିଶ୍ବକପ୍‌ ହକି ୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଆମନ୍ତ୍ରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ବିଶ୍ବକପ୍‌ ହକି ପ୍ରସ୍ତୁତିରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଭାରତ ସରକାରଙ୍କୁ ବିଶେଷ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଶ୍ଵ କପ ହକି ର ଆୟୋଜନ ରେ କେବଳ ଓଡ଼ିଶା ନୂହେଁ ସାରା ଦେଶର ସମ୍ମାନ ଜଡିତ .ସେଥିପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ.

ଆଲୋଚନାରେ ଭାଗ ନେଇ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଲଗାତର ଭାବେ ଦ୍ବିତୀୟ ଥର ବିଶ୍ବକପ୍‌ର ଆୟୋଜନ ସାରା ବିଶ୍ବରେ ଓଡିଶାର ପ୍ରତିଷ୍ଠା ବୃଦ୍ଧି କରିଛି ବୋଲି ମତ ଦେଇ କ୍ରୀଡାର ଏହି ଉନ୍ନତି ଦିଗରେ ସରକାରଙ୍କ ଉଦ୍ୟମ ପାଇଁ ସାଧୁବାଦ ଜଣାଇ ଥିଲେ।

ବୈଠକରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ଆୟୋଜନ ପାଇଁ ରାଜ୍ୟ ସରକାରଙ୍କର ପ୍ରଶଂସା କରିବା ସହ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶତବାର୍ଷିକୀ ଉତ୍ସବ ୨୦୩୬ ଅବସରରେ ଯେପରି ଓଡିଶାରୁ ୧୦୦ ଅଲମ୍ପିଆନ ବାହାରିପାରିବେ, ସେଥିପାଇଁ ସମସ୍ତେ ମିଳିମିଶି କାମ କରିବା ଉଚିତ ବୋଲି ମତପ୍ରକାଶ କରିଥିଲେ।

ଏତଦ୍‌ବ୍ୟତୀତ କ୍ରମାଗତଭାବେ ଦୁଇ ଥର ବିଶ୍ବକପ୍‌ ହକି ଆୟୋଜନ ଭଳି ବିରଳ ଘଟଣାକୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ଦେବା, ଉଭୟ ଭୁବନେଶ୍ବର-ରାଉରକେଲାର ସ୍ବଚ୍ଛତା ପାଇଁ ନାଗରିକ ମାନଙ୍କୁ ସାମିଲ କରିବା, ସ୍ଥାନୀୟ ଓଡିଆ ଖେଳର ପ୍ରସାର କରିବା, ରାଉରକେଲା-ଭୁବନେଶ୍ବର ରେଳପଥକୁ ହକି ପାଇଁ ବ୍ରାଣ୍ଡିଂ କରିବା ଆଦି ବିଭିନ୍ନ ସୁଚିନ୍ତିତ ମତାମତ ଦେଇ କେନ୍ଦ୍ରସରକାରଙ୍କ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ।

ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ନରସିଂହ ମିଶ୍ର କହିଲେ ଯେ ରାଜ୍ୟର ସବୁ ଜିଲ୍ଲାରେ ହକି ଷ୍ଟାଡିଅମ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଦଳର ଉପସଭାପତି ଶ୍ରୀ ସନ୍ତୋଷ ସିଂ ସାଲୁଜା, ବିଜୁ ଜନତା ଦଳର ଉପସଭାପତି ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ଶ୍ରୀ ଦେବୀପ୍ରସାଦ ମିଶ୍ର, ବିଜେଡିର ସଂଗଠନ ସଂପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ।

ସେହିପରି ବିଜେପିର ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ସିପିଆଇର ଜାତୀୟ ସଂପାଦକ ଶ୍ରୀ ରାମକୃଷ୍ଣ ପଣ୍ଡା, ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସିପିଆଇ ଏମ ର ରାଜ୍ୟ ସମ୍ପାଦକ ଶ୍ରୀ ଅଳିକିଶୋର ପଟ୍ଟନାୟକ, ସିପିଆଇ ର ଶ୍ରୀ ଅଭୟ ସାହୁ, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶ୍ରୀ ରବି ବେହେରା, ଆପ୍‌ର ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର, ଆରଜେଡିର ସଭାପତି ଶ୍ରୀ ହେମନ୍ତ କୁମାର ପ୍ରମୁଖ ଭାଗ ନେଇ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ।

କ୍ରୀଡା ମନ୍ତ୍ରୀ ଶ୍ରୀ ତୃଷାରକାନ୍ତି ବେହେରା ବୈଠକକୁ ସଂଯୋଜନା କରିଥିଲେ।

କ୍ରୀଡା ସଚିବ ଶ୍ରୀ ଆର. ଭିନିଲକ୍ରିଷ୍ଣା ଆଗାମୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ୧୭ ଦିନିଆ ଭବ୍ୟ କ୍ରୀଡା ମହୋତ୍ସବର ପ୍ରସ୍ତୁତି ଓ ବିଭିନ୍ନ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ବୈଠକରେ ଉପସ୍ଥାପନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଉପସ୍ଥିତ ରହି ଧନ୍ୟବାଦ ଅର୍ପଣ କରିଥିଲେ।

Categories
Hockey Worldcup23 ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର

ଦେଶ ଭ୍ରମଣରେ ବାହାରିଲା ପୁରୁଷ ହକି ବିଶ୍ୱକପ ଟ୍ରଫି, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଏଫଆଇଏଚ ଓଡିଶା ପୁରୁଷ ହକି ବିଶ୍ୱକପ ୨୦୨୩ ର ଟ୍ରଫି ଟୁର୍ ବା ଟ୍ରଫି ଭ୍ରମଣ ବା ପରିକ୍ରମାରେ ବାହାରିଛି। ଏହି ପରିକ୍ରମା ଆନୁଷ୍ଠାନିକ ଭାବେ ଆଜି ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଏହି ଟ୍ରଫିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କିଙ୍କୁ ପ୍ରଦାନ କରି ଯାତ୍ରାର ଶୁଭାରମ୍ଭ କରିଛନ୍ତି।

ଟ୍ରଫି ଯାତ୍ରାକୁ ଏକ ବଡ ସଫଳତା କାମନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ମୁଁ ଆଶା କରୁଛି ପୁରୁଷ ହକି ବିଶ୍ୱକପ ଟ୍ରଫି ଟୁର୍ ବା ପରିକ୍ରମା ସମଗ୍ର ଭାରତରେ ବିଶ୍ୱକପ ପାଇଁ ଉତ୍ସାହ ସୃଷ୍ଟି କରିବ। ଏଥିରେ ଆମେ ୧୬ ଟି ଦଳର ୧୬ ଟି ମ୍ୟାଚକୁ ଆମେ ଆୟୋଜନ କରିବୁ ଯାହା ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳାଯିବ।

ମୁଁ ନିଶ୍ଚିତ ଯେ ଏହା ଖେଳାଳୀ ଏବଂ ପ୍ରଶଂସକମାନଙ୍କ ପାଇଁ ଏକ ସ୍ମରଣୀୟ ବିଶ୍ୱକପ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତ ବେହେରା, ହକି ଇଣ୍ଡିଆର ମହାସଚିବ ଭୋଳାନାଥ ସିଂ, କ୍ରୀଡା କମିଶନର-କମ-ସଚିବ ଶ୍ରୀ ଆର ଭିନେଲ କୃଷ୍ଣା,  ହକି ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଶ୍ରୀବାସ୍ତବ ସହି ବିଭାଗୀୟ ଅଧିକାରୀ ଏବଂ ହକି ଖେଳାଳି ଉପସ୍ଥିତ ଥିଲେ।

ଏହି ଟ୍ରଫି ୧୩ ଟି ରାଜ୍ୟ ଏବଂ ଗୋଟିଏ ୟୁନିଅନ୍ ଟେରିଟୋରିରେ ଭ୍ରମଣ କରିବ। ଏହି ଟ୍ରଫିକୁ ବିଜୟ ଲାଭ କରିବାକୁ ଥିବା ଦଳ ନେବା ପୂର୍ବରୁ ତାହା ପ୍ରଶଂସକ ଏବଂ ଜନସାଧାରଣଙ୍କ ନିକଟରେ ପହଁଚି ପାରିବ। ୫ ରୁ ୨୫ ଡିସେମ୍ବରରେ ପର୍ଯ୍ୟନ୍ତ ଏହା ରାଜ୍ୟ ଭ୍ରମଣ କରିବ।

ଆସନ୍ତା ୨୧ ଦିନରେ ଏହି ଟ୍ରଫି ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାଡଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାନା, ନୂଆଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, କର୍ଣ୍ଣାଟକ ଏବଂ ଛତିଶଗଡ ପ୍ରଭୃତି ରାଜ୍ୟ ଦେଇ ଯାତ୍ରା କରିବ।

ଭାରତ ଭ୍ରମଣ ପରେ ଓଡ଼ିଶାକୁ ଏହି ହକି ପୁରୁଷ ବିଶ୍ୱକପ ଟ୍ରଫି ଫେରିବା ପରେ ରାଜ୍ୟର ସମସ୍ତ ଜିଲ୍ଲା ଭ୍ରମଣ କରିବ। ଏହି ଟ୍ରଫି ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲାର ୧୭ ଟି ବ୍ଲକରେ ଭ୍ରମଣ କରିବ।

ରାଉରକେଲାରେ ଏହି ଭ୍ରମଣ ଶେଷ ହେବ। ଶେଷରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମକୁ ଏହା ଫେରିବ। କାରଣ ୨୯ ଜାନୁୟାରୀ ୨୦୨୩ ରେ କଳିଙ୍ଗ ଷ୍ଟାଡିୟନରେ ଫାଇନାଲ ଖେଳାଯିବ।