ଫେବୃଆରୀ 29ରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଉଦ୍‌ଘାଟନ

Published: Feb 27, 2020, 5:21 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ସ୍ୱାସ୍ଥ୍ୟ ସେବା ଓ ବୃତିଗତ ଶିକ୍ଷା କ୍ଷେତ୍ରରେ ପୂର୍ବ ଭାରତରେ ଅଗ୍ରଣୀ ଭୂମିକା ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛି । ଏହି ପଦକ୍ଷେପ ଅନୁଯାୟୀ ରାଜଧାନୀ ଭୁବନେଶ୍ବରରେ ସମ୍‌ ଅଲ୍ଟିମେଟ୍‌ ମେଡିକେୟାର (ସମ୍ମମ) ସେବାର ଆରମ୍ଭ କରିବାକୁ ଯାଉଛି । ଦେଶବାସୀଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଉଦ୍ଦେଶ୍ୟ ରଖି ସମ୍ମମର ମୂଳଦୁଆ ସ୍ଥାପନ କରାଯାଇଥିବା ବେଳେ ରୋଗୀଙ୍କ ଚିକିତ୍ସାପାଇଁ ସର୍ବୋତମ ବ୍ୟବସ୍ଥା ଓ ଜ୍ଞାନ କୌଶଳ ରହିଛି । 9 ମହଲା ବିଶିଷ୍ଟ ଏହି ହସ୍ପିଟାଲଟି 10 ଏକର ବିଶିଷ୍ଟ ଅଞ୍ଚଳରେ ପରିବ୍ୟାପ୍ତ ଏବଂ ଏଠାରେ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ଆସନ୍ତା ଫେବୃୟାରୀ 29 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ହସ୍ପିଟାଲର ଉଦ୍‌ଘାଟନ କରାଯିବ ।

ସମସ୍ତ ଭାରତୀୟଙ୍କୁ ବିଶ୍ୱସ୍ତରୀୟ ଡାକ୍ତରୀ ଚିକିତ୍ସା ମିଳିବା ଆବଶ୍ୟକ । ଆମ ସହରରେ ବିଶ୍ୱସ୍ତରୀୟ ଡାକ୍ତରଖାନା କରିବା ନିମନ୍ତେ ସୋଆର ଏକ ସ୍ୱପ୍ନ ରହିଥିଲା ଏବଂ ସ୍ୱାସ୍ଥ୍ୟ ସେବା ଖୁବ୍ ସହଜରେ ସମସ୍ତଙ୍କୁ ମିଳିବା ଏହାର ଲକ୍ଷ୍ୟ । ସମ୍ମମ୍ ଆରମ୍ଭ ହେବା ଫଳରେ ସମାଜକୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ସ୍ୱପ୍ନ ପୂରଣ ହୋଇପାରିବ ବୋଲି କହିଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡଃ ମନୋଜ ରଞ୍ଜନ ନାୟକ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତନ ଆଣିବା ସହ ଭବିଷ୍ୟତରେ ଏକ ବିଶାଳ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ପରିଣତ ହେବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସିଇଓ ଡ. ଶ୍ୱେତପଦ୍ମା ଦାସ ।

Related posts