ସମ୍‌ ଓ କିମ୍‌ସ ସହାୟତାରେ ନିର୍ମିତ ହେବ 1000 ଶଯ୍ୟା ବିଶିଷ୍ଟ 2 କୋଭିଡ୍‌ ହସ୍ପିଟାଲ୍‌

Published: Mar 26, 2020, 6:50 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଅବସରରେ 1000 ଶଯ୍ୟାବିଶିଷ୍ଟ ଦୁଇଟି ସ୍ବତନ୍ତ୍ର କୋଭିଡ୍‌ 19 ହସ୍ପତଟାଲ ପ୍ରତିଷ୍ଠା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ପଡୋଶୀ ରାଜ୍ୟ ମାନଙ୍କରେ ଅଟକି ରହିଥିବା ଓଡିଶା ବାସୀଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଅନ୍ୟ ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି ।
ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ :

1. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋଭିଡ୍‌-୧୯ ରୋଗୀମାନଙ୍କ ଚିକିତ୍ସା ସକାଶେ ଅତ୍ୟାଧୁନିକ ସୁବିଧା ଥିବା ୧୦୦୦ ଶଯ୍ୟାବିଶିଷ୍ଟ ୨ଟି ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରିବା ନିମନ୍ତେ ଆଜି ଲୋକସେବା ଭବନରେ ରାଜ୍ୟ ସରକାର, ସମ୍‌ ମେଡିକାଲ୍‌ କଲେଜ୍‌ ଓ କିମସ୍‌ ମେଡିକାଲ୍‌ କଲେଜ୍‌ ମଧ୍ୟରେ ଦୁଇଟି ତ୍ରିପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହୋଇଛି । ଆସନ୍ତା ୧୫ ଦିନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଏହି ହସ୍‌ପିଟାଲ୍‌ ନିମନ୍ତେ ଓଡ଼ିଶା ଖଣି ନିଗମ ଓ ମହାନଦୀ କୋଲ୍‌ ଫିଲ୍‌ଡସ୍‌ ସେମାନଙ୍କ ଔଦ୍ୟୋଗିକ ସାମାଜିକ ପ୍ରତିବଦ୍ଧତା (ସିଏସ୍‌ଆର୍‌) ପାଣ୍ଠିରୁ ଅର୍ଥ ଯୋଗାଇଦେବେ ।

2. ନବୀନ ପଟ୍ଟନାୟକ ଦେଶର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସେମାନଙ୍କ ରାଜ୍ୟରେ ଲକ୍‌ ଡାଉନ୍‌ ଯୋଗୁଁ ଅଟକି ଯାଇଥିବା ଓଡ଼ିଶାର ବିଭିନ୍ନ ବ୍ୟକ୍ତି କିମ୍ବା ବ୍ୟକ୍ତି ସମୁଦାୟଙ୍କୁ ଆବଶ୍ୟକୀୟ ସହଯୋଗ ଯଥା: ଖାଦ୍ୟପେୟ, ରହଣି ଓ ନିରାପତ୍ତା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି । ଏ ବାବଦରେ ହୋଇଥିବା ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ।

3. ସେହିପରି ଓଡ଼ିଶାରେ ରହିଯାଇଥିବା ଅନ୍ୟ ରାଜ୍ୟର ଲୋକମାନଙ୍କୁ ସମସ୍ତ ସହାୟତା ଯୋଗାଇଦେବା ନିମନ୍ତେ ପ୍ରତିଶ୍ରୁତି ଦେବା ସହିତ ଏ ବାବଦ ବ୍ୟୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଭରଣା କରାଯିବ ବୋଲି ସେ କହିଛନ୍ତି । ଏ ସଂପର୍କରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

4. କୋଭିଡ୍‌-୧୯ ଜନିତ ଲକ୍‌ ଡାଉନ୍‌ ସମୟରେ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଏବଂ ଅନ୍ୟ ରାସ୍ତାରେ ସମସ୍ତ ମାଲବାହୀ ଗାଡ଼ିଗୁଡ଼ିକର ଅବାଧ ଚଳପ୍ରଚଳ ପାଇଁ ରାଜ୍ୟ ପୋଲିସ୍‌ ତରଫରୁ ଏକ ‘ହେଲ୍ପ ଲାଇନ୍‌’ ୦୬୭୪-୨୬୨୦୨୦୦ ଟେଲିଫୋନ୍‌ ନମ୍ବରରେ ଆରମ୍ଭ କରାଯାଇଛି । ଏହା ପ୍ରତ୍ୟେକ ଦିନ ସକାଳ ୮ ଘଟିକାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲାରହିବ । ଗାଡ଼ି ଚାଳକ କିମ୍ବା ମାଲ ପରିବହନ ସଂସ୍ଥାର ପରିଚାଳକମାନେ ଏହି ହେଲ୍ପ ଲାଇନ୍‌ର ସାହାଯ୍ୟ ଓ ପରାମର୍ଶ ନେଇପାରିବେ ।

5. ତାଲାବନ୍ଦ (ଲକ୍‌ ଡାଉନ୍‌) କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ବିଷୟ ପରିଚାଳନା ନିମନ୍ତେ ଆଜିଠାରୁ ଗୃହ ବିଭାଗରେ ଏକ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ ଆରମ୍ଭ କରିଛି । ଏହି ନିୟନ୍ତ୍ରଣ କକ୍ଷରୁ ୦୬୭୪-୨୩୯୨୧୧୫ ଏବଂ ୯୪୩୮୯୧୫୯୮୬ ନମ୍ବର ସହ ସଂଯୋଗ କରାଯାଇଛି । ରାଜ୍ୟ ବାହାରେ ଦେଶର ବିଭିନ୍ନ ସ୍ଥାନରେ ତାଲାବନ୍ଦ ଯୋଗୁଁ ଅଟକି ରହିଥିବା ଓଡ଼ିଆମାନଙ୍କ ବିଷୟ ମଧ୍ୟ ନିୟନ୍ତ୍ରଣ କକ୍ଷକୁ ଅବଗତ କରାଯାଇପାରିବ ।

6. ଗତ ୪୮ ଘଣ୍ଟା ମଧ୍ୟରେ କୋଭିଡ୍‌-୧୯ ସଂପର୍କିତ ମାର୍ଗଦର୍ଶିକା ଓ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ମୋଟ ୪୦୪ ଟି ମାମଲା ରୁଜୁ କରାଯାଇଛି । ଏଥି ମଧ୍ୟରେ ‘ଲକ୍‌ ଡାଉନ୍‌’ ନିୟମ ଉଲ୍ଲଂଘନ ଅଭିଯୋଗରେ ୩୮୦ଟି, ‘ହୋମ୍‌ କ୍ୱାରାଣ୍ଟାଇନ୍‌’ (ସଙ୍ଗରୋଧ) ଉଲ୍ଲଂଘନ ଅଭିଯୋଗରେ ୧୦ଟି ଓ କୋଭିଡ୍‌-୧୯ ନିୟମାବଳୀ ଉଲ୍ଲଂଘନ ଅଭିଯୋଗରେ ୧୪ଟି ମାମଲା ଅନ୍ତର୍ଭୁକ୍ତ ।

7. ସମ୍ବାଦପତ୍ର ସଂସ୍ଥାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ଖବରକାଗଜ ବିତରଣକୁ ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ କରାଯାଇ ନିଉଜ୍‌ ପ୍ରିଣ୍ଟ, ଖବରକାଗଜ ଇତ୍ୟାଦିର ପରିବହନ ପାଇଁ ବ୍ୟବହୃତ ଯାନଗୁଡ଼ିକୁ କଟକଣାମୁକ୍ତ କରାଯାଇଛି । ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଖବରକାଗଜ ବିକ୍ରୟ କେନ୍ଦ୍ର ଖୋଲାରହିବ ଓ ଖବରକାଗଜ ବିତରଣ କରୁଥିବା ହକର୍‌ମାନେ ଭୋର ୪ଟାରୁ ୭ଟା ପର୍ଯ୍ୟନ୍ତ ଯାତାୟତ କରିପାରିବେ । ମାତ୍ର ଏ ବାବଦରେ ହାତ ଧୁଆ ଓ ସାମାଜିକ ଦୂରତା ପରି ନିୟମ ଅନୁସରଣ କରିବାକୁ ହେବ ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

8. ପ୍ରାଣୀସଂପଦ ସଂପର୍କିତ କାର୍ଯ୍ୟାବଳୀକୁ ଅତ୍ୟାବଶ୍ୟକୀୟ ସେବାର ଅନ୍ତର୍ଭୁକ୍ତ କରାଯାଇଛି । କ୍ଷୀର, ମାଂସ, ଅଣ୍ଡା, ମାଛ, ଗୋଖାଦ୍ୟ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଗାଡ଼ି ନିମନ୍ତେ ଅନୁମତି ପତ୍ର ପ୍ରଦାନ ପାଇଁ ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ଏବଂ ସହରାଞ୍ଚଳ ପୌରସଂସ୍ଥା ଅଧିକାରୀମାନଙ୍କୁ କ୍ଷମତା ଦିଆଯାଇଛି ।

9. ନିଜର ଓ ପରିବାରର ସୁରକ୍ଷା ନିମନ୍ତେ ଘରେ ରହିବା ଏବଂ ଲକ୍‌ ଡାଉନ୍‌କୁ ପାଳନ କରିବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ‘ମୋ ଜୀବନ’ ଶପଥ ଗ୍ରହଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଏହି ଆହ୍ୱାନ କ୍ରମେ ଏ ପର୍ଯ୍ୟନ୍ତ ୧୦ ଲକ୍ଷ ଲୋକ ଶପଥ ଗ୍ରହଣ କରିଛନ୍ତି ଏବଂ ସେଥିରୁ ୩ ଲକ୍ଷ ଲୋକ ଏହାର ଭିଡ଼ିଓ କରି ସୋସିଆଲ୍‌ ମିଡିଆ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି । ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା ସହ ଆହୁରି ଅଧିକ ଲୋକ ଅନୁରୂପ ଶପଥ ନେବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

10. ଆଜି ଦିନ ୧୨ଟା ସୁଦ୍ଧା ଓଡ଼ିଶାରେ ୧୬୪ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସମସ୍ତ ନମୁନାର ରିପୋର୍ଟ ହସ୍ତଗତ ହୋଇଛି । ଏ ପର୍ଯ୍ୟନ୍ତ ୨ଟି ପଜିଟିଭ୍‌ ରହିଥିବାବେଳେ ଆଉ କୌଣସି ନୂଆ ପଜିଟିଭ୍‌ ଚିହ୍ନଟ ହୋଇନାହିଁ ।

11. ଓଡ଼ିଶାରେ ସଂକ୍ରମଣ ଚିହ୍ନଟ ହୋଇଥିବା ୨ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ଉଭୟ ହସ୍‌ପିଟାଲ୍‌ରେ ଦିଆ ଯାଉଥିବା ଖାଦ୍ୟ ଖାଉଛନ୍ତି ।

12. ରୋଗୀଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୫ ଜଣ ଆସିଥିବା ତଥ୍ୟ ମିଳିଛି । ସମସ୍ତଙ୍କ ସହ ଯୋଗାଯୋଗ ହୋଇସାରିଛି ।

12. ଭୁବନେଶ୍ୱରରେ ୧୦ଟି ମନିଟରିଂ ଟିମ୍‌ ସମେତ ସାରା ରାଜ୍ୟରେ ୧୦୦ଟି ମନିଟରିଂ ଟିମ୍‌ ଏଥିପାଇଁ କାର୍ଯ୍ୟ କରୁଛନ୍ତି ।

13. ବର୍ତ୍ତମାନ ସୁଦ୍ଧା ୪୨୪୯ ଜଣ ୧୦୪ ହେଲ୍‌ପ ଲାଇନ୍‌ ଏବଂ ପୋର୍ଟାଲ୍‌ ଜରିଆରେ ପଞ୍ଜୀକରଣ କରିଛନ୍ତି ।

14. କୋଭିଡ୍‌-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୩୪ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍‌ରେ ରଖାଯାଇଛି ।

Related posts