Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନେତାଙ୍କୁ ଜନତା ଦରକାର, ଜନତାଙ୍କୁ ନେତା ନୁହେଁ : ପ୍ରଣବ ପ୍ରକାଶ ଦାସ

ସମ୍ବଲପୁର: ସମ୍ବଲପୁର ଲୋକସଭା କ୍ଷେତ୍ର ଅର୍ନ୍ତଗତ କୁଚିଣ୍ଡା ବିଧାନସଭା ମଣ୍ଡଳୀ ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ସ୍ଥାନୀୟ ସିନେମା ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମ୍ୱଲପୁର ଲୋକସଭା ପ୍ରାର୍ଥୀ ତଥା ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ କର୍ମକର୍ତ୍ତା ମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ।

ପ୍ରଣବ ପ୍ରକାଶ ଦାସଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା କରିଥିବାରୁ କୁଚିଣ୍ଡାବାସୀଙ୍କୁ କୃତଜ୍ଞତା ଜଣାଇଥିଲେ। ବିଜୁ ଜନତା ଦଳ ଲୋକଙ୍କ ଦଳ। ନେତାଙ୍କୁ ଜନତା ଦରକାର, ଜନତା ଙ୍କୁ ନେତା ନୁହେଁ। ତେଣୁକରି ଆମେ ସମସ୍ତେ ସମାନ ବୋଲି କହି ପ୍ରଣବ ପ୍ରକାଶ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆଙ୍କୁ ପ୍ରାର୍ଥୀ କରିଛନ୍ତି।

ଏଣୁ ସମସ୍ତ ମତଭେଦ ଦୂର କରି ସମସ୍ତେ ଏକ ହୋଇ ଦଳ ପାଇଁ କାମ କରିବା ସହିତ ଶଙ୍ଖ ଚିହ୍ନରେ ବିପୁଳ ମାତ୍ରାରେ ଭୋଟଦେଇ ବିଜୟୀ କରାଇବା ବୋଲି କହିଥିଲେ। ସମ୍ୱଲପୁର ଜିଲ୍ଲାରେ ଯେପରି ଶଙ୍ଖ ଚିହ୍ନରେ ଅଧିକରୁ ଅଧିକ ଭୋଟ ହୋଇପାରିବ ସେଥିପାଇଁ ସମସ୍ତଙ୍କୁ କାମ କରିବାକୁ ପଡିବ ବୋଲି ଆହ୍ୱାନ କରିଥିଲେ।

ସଭା କାର୍ଯ୍ୟକ୍ରମରେ ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ଏନଏସି ଅଧ୍ୟକ୍ଷ ପ୍ରଦ୍ୟୁତ କୁମାର ମହାନ୍ତି, ସଞ୍ଜିତ ମହାନ୍ତି, ପୂର୍ବତନ ନଗର ସଭାପତି ଗଣେଶ ରାମ ଅଗ୍ରୱାଲ, ଭୀମରାଜ ପ୍ରସାଦ, ଗଗନ ଶର୍ମା, ସଞ୍ଜୟ ବେହେରା, ଲକ୍ଷ୍ମଣ ସା, ଗଣେଶ ଅଗ୍ରୱାଲ, ମିଳନ ଖୁଣ୍ଟିଆ, ତନୟା ଧୁରୁଆ, ଜିଲ୍ଲା ପରିଷଦ ସଭ୍ୟ ଜମନକିରା ସୁଜତା ଖୁଣ୍ଟିଆ, ଅଜିତ ମହାପାତ୍ର, ଭୁବନେଶ୍ୱର କିଷାନ, ମୁନୁ ମିଶ୍ର, ଅଶୋକ ପରିଡାଙ୍କ ସହିତ ବାମରା, କୁଚିଣ୍ଡା ଓ ଜମନକିରା ଅଞ୍ଚଳର ନେତୃବୃନ୍ଦ ଓ ଶତାଧିକ କର୍ମୀ ଉପସ୍ଥିତ ରହି କାର‌୍ୟ୍ୟକ୍ରମକୁ ସଫଳ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ସମ୍ବଲପୁରରୁ ମୌର୍ଯ୍ୟ ଏକ୍ସପ୍ରେସର ଶୁଭାରମ୍ଭ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଷ୍ଟେସନ ଠାରେ ସମ୍ବଲପୁର-ହଟିଆ-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ ଟ୍ରେନ ର ଶୁଭାରମ୍ଭ କରିଛନ୍ତି।

ଗୋରଖପୁର-ହଟିଆ-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସର ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ସମ୍ବଲପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଙ୍ଗାଲୀର ମାନ୍ୟବର ବିଧାୟକ ନାଉରି ନାୟକ ଉପସ୍ଥିତ ଥିବାବେଳେ ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଆଜି ଶୁଭାରମ୍ଭ ଟ୍ରେନ୍ ସମ୍ବଲପୁରରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରିଛି। ଏହି ଟ୍ରେନ୍ ର ନିୟମିତ ଚଳାଚଳ ସମ୍ପର୍କରେ ଖୁବ ଶୀଘ୍ର ସୂଚନା ଦିଆଯିବ। ହଟିଆ ଏବଂ ଗୋରଖପୁର ମଧ୍ୟରେ ଏହି ଟ୍ରେନ୍ ପାଇଁ ସ୍ଥିରୀକୃତ ରହଣି ଷ୍ଟେସନ ଓ ସମୟ ସାରଣୀରେ କୌଣସି ପରିବର୍ତ୍ତନ କରାନଯାଇ ଏହି ଟ୍ରେନ୍ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି।

ସମ୍ବଲପୁରକୁ ଏହି ଟ୍ରେନର ସମ୍ପ୍ରସାରଣ ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶର ଲୋକଙ୍କ ପାଇଁ ଏକ ପରିବର୍ତ୍ତନକାରୀ ଯାତ୍ରା ସଂଯୋଗ ହେବ। ଏହି ଟ୍ରେନ ସମ୍ବଲପୁରରୁ ଗୋରଖପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ପଶ୍ଚିମ ଓଡ଼ିଶାର ବାସିନ୍ଦାଙ୍କ ପାଇଁ ବ୍ୟବସାୟ, ଶିକ୍ଷା, ତୀର୍ଥ ଯାତ୍ରା ଏବଂ ଚିକିତ୍ସା ଭଳି ବିଭିନ୍ନ କାରଣରୁ ଯାତ୍ରା କରିବା ପାଇଁ ଏକ ଜୀବନ ରେଖା ଭାବରେ କାର୍ଯ୍ୟ କରିବ। ଏହା ବ୍ୟତୀତ ଏହା ଗୋରଖପୁର ଏବଂ ସମ୍ବଲପୁର ମଧ୍ୟରେ ସିଧାସଳଖ ସଂଯୋଗ ଥିବା ପର୍ଯ୍ୟଟନ ଏବଂ ସାଂସ୍କୃତିକ ବିନିମୟକୁ ମଧ୍ୟ ବୃଦ୍ଧି କରିବ।

ସମ୍ପ୍ରସାରଣ ମାର୍ଗରେ ଏହି ଟ୍ରେନ ହଟିଆ ଓ ସମ୍ବଲପୁର ମଧ୍ୟରେ ରେଙ୍ଗାଲି, ଝାରସୁଗୁଡା ଏବଂ ରାଉରକେଲା ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣି କରିବ ରହିବ। ପ୍ରାରମ୍ଭରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ତୁଷାର କାନ୍ତ ପାଣ୍ଡେ ଅତିଥି ପଣଙ୍କୁ ସ୍ୱାଗତ କରିବା ସହିତ ଏହି ଟ୍ରେନ ର ଉପକାରିତା ସମ୍ବନ୍ଧରେ ବର୍ଣନା କରିଥିଲେ।

Categories
ଆଞ୍ଚଳିକ

ଅଜଣା ଗାଡି ଧକ୍କାରେ ଯୁବକ ମୃତ: ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକ

ରେଢାଖୋଲ (କନ୍ଦର୍ପ ବେହେରା): ଆଜି ଅପରାହ୍ନ ୩ ଟା ସମୟରେ ଉଦ୍ୟାନ ବିଭାଗ ଅଫିସ୍ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜନୈକ ଯୁବକ ମୃତ୍ୟୁବରଣ କରିଥିବା ଜଣା ପଡିଛି। ମୃତକ ଜଣଙ୍କ ହେଲେ ଚାରମାଳ ଗ୍ରାମର ଲିଟୁ ଦାସ ବୋଲି ଜଣାପଡିଛି।

ଖବରରୁ ପ୍ରକାଶ ଯେ, ଲିଟୁ ଦାସ କୌଣସି କାମରେ ରେଢାଖୋଲ ଯାଇଥିଲେ। କାମ ସାରି ଅପରାହ୍ନ ପ୍ରାୟ ୩ ଟା ସମୟରେ ଚାରମାଳ ନିଜ ଘରକୁ ଫେରୁଥିବା ସମୟରେ ଉଦ୍ୟାନ ବିଭାଗ ଅଫିସ୍ ପାଖାପାଖି ସମ୍ବଲପୁର ପଟୁ ଆସୁଥିବା ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ଲିଟୁଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଡାକ୍ତରଖାନା ପଠାଇଥିଲା।

ପରିବାର ଲୋକେ ଆସିବା ବେଳକୁ ମୃତଦେହ ଡାକ୍ତରଖାନାରେ ଥିବା ଜାଣି ଲୋକମାନେ ଉତ୍ୟକ୍ତ ହୋଇପଡିଥିଲେ। ଘଟଣା ସ୍ଥଳରେ ହିଁ ଉତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଉଭୟ ପଟେ ଶହ ଶହ ଗାଡି ଦୀର୍ଘ ୩ ଘଂଟା ଅଟକି ରହିଥିବାରୁ ଟ୍ରାଫିକ୍ ସମସ୍ୟା ଦେଖା ଦେଇଥିଲା।

ଘଟଣା ସ୍ଥଳରେ ରେଢାଖୋଲ ଏସ୍ ଡି ପିଓ ଏଵଂ ରେଢାଖୋଲ ଉପଜିଲ୍ଲାପାଳ ପହଂଚି ରାସ୍ତାରୋକ କରିଥିବା ଜନସାଧାରଣଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।  ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସମ୍ବଲପୁରରେ ଉନ୍ନତିର ବର୍ଷା କରି ସବୁଜ ପତାକା ଉଡାଇଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ସମ୍ବଲପୁରରେ ହେବ ବିଗ ଫାଇଟ। ସେଠାରେ ଲଢେଇ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କୁ ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେଥିପାଇଁ ସେ ସେହି ଅଞ୍ଚଳର ବିକାଶ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାରେ ଲାଗିଛନ୍ତି। ଆଜି ବଡି ଭୋରରୁ ସମ୍ବଲପୁର ଗସ୍ତ କରି ସେ ସେହି ଅଞ୍ଚଳରେ ବିକାଶର ବର୍ଷା କରି ବିଜେଡିର ସବୁଜ ପତାକା ଉଡାଇଛନ୍ତି।

ସେ ଆଜି ସକାଳ ୬ ଟା ସମୟରେ ସମ୍ବଲପୁରର ପ୍ରଥମ ମହାନାଦୀ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ମାରାଥନରେ ୪୦୦୦ ରୁ ଅଧିକ ବିଭିନ୍ନ ବର୍ଗ ଲୋକେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି ଯେ ସମ୍ବଲପୁରର ଭଲ କ୍ରୀଡା ସଂସ୍କୃତି ରହିଛି ଏବଂ ଏହି ଜିଲ୍ଲାର ପ୍ରତିଭାମାନଙ୍କର ଆହୁରି ବିକାଶ କରିବା ପାଇଁ ସର୍ବୋତ୍ତମ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ୩୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ବୁର୍ଲାସ୍ଥିତ ଇନଡୋର ଷ୍ଟାଡିୟମର ଉଦଘାଟନ କରାଯାଇଛି।

ସମୁଦାୟ ୧୦୦ କୋଟି ଟଙ୍କା ବ୍ୟୟରେ ହକି ଷ୍ଟାଡିୟମ ଏବଂ ଇନଡୋର କ୍ରୀଡା ସୁବିଧା ସମେତ ସମ୍ବଲପୁର ଫୁଟବଲ ଏକାଡେମୀ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏକ ନୂତନ ଫୁଟବଲ ଷ୍ଟାଡିୟମ ନିର୍ମାଣ ଏବଂ ଭିଏସଏସ କ୍ରିକେଟ ଷ୍ଟାଡିୟମକୁ ଆଧୁନିକ ଷ୍ଟାଡିୟମରେ ନବୀକରଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଷ୍ଟାଡିୟମଗୁଡିକର ଆନୁମାନିକ ମୂଲ୍ୟ ୩୫୦ କୋଟିରୁ ଅଧିକ ହେବ। ଏହା ଦ୍ବାରା ଜିଲ୍ଲାର କ୍ରୀଡା ବିକାଶ ପାଇଁ ଏକ ପ୍ରମୁଖ ପେଣ୍ଠ ପାଲଟିବ।

କାର୍ତ୍ତିକ ପାଣ୍ଡିଆନ୍ ଭିଏସ୍ଏସ୍ ଷ୍ଟାଡିୟମ୍ ପରିଦର୍ଶନ କରି ଖେଳାଳିଙ୍କ ସହ କଥାବାର୍ତ୍ତା କରିଥିଲେ। ସେ ନିଜେ ଜଣେ କ୍ରୀଡ଼ାବିତ୍ ଥିଲେ ଏବଂ ସ୍ପୋର୍ଟସ୍ ହଷ୍ଟେଲରେ ରହିଥିଲେ। ସେଠାରେ ସେ ଖେଳାଳିଙ୍କ ସହ ତାଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ଏଥିସହିତ ସେ ଖେଳାଳିଙ୍କ ସହ କ୍ରିକେଟ୍ ମଧ୍ୟ ଖେଳିଥିଲେ। ଖେଳାଳିମାନେ କାର୍ତ୍ତିକ ପାଣ୍ଡିଆନଙ୍କୁ ପଡ଼ିଆରେ ଖେଳୁଥିବା ଦେଖି ଉତ୍ସାହିତ ହୋଇଥିଲେ।

ପରେ କାର୍ତ୍ତିକ ପାଣ୍ଡିଆନ୍ ନିର୍ଦ୍ଦେଶକ ତଥା ବରିଷ୍ଠ ଡାକ୍ତର ଏବଂ କର୍ମଚାରୀଙ୍କ ସହ ବୀର ସୁରେନ୍ଦର ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ର ବିକାଶ ବିଷୟରେ ଆଲୋଚନା କରିଥିଲେ। ପ୍ରଥମ ପର‌୍ୟ୍ୟାୟରେ ୭୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସହିତ ମା ଏବଂ ଶିଶୁ ସ୍ୱାସ୍ଥ୍ୟ ସେବା (ପେଡିଆଟ୍ରିକ୍ସ) କୁ ପ୍ରାଥମିକତା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

କ୍ରୀଡା କମ୍ପ୍ଲେକ୍ସ ସହିତ ହଷ୍ଟେଲ କ୍ୟାମ୍ପସକୁ ଉନ୍ନତି କରାଯିବ। କର୍ମଚାରୀଙ୍କ ଆବାସକୁ ମଧ୍ୟ ପ୍ରାଥମିକତା ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ। ଏହି ପ୍ରକଳ୍ପ ମୂଲ୍ୟ ୧୦୦୦ କୋଟି ଟଙ୍କା ହେବ ବୋଲି ସେ କହିଥିଲେ। ଜମି ଉପଲବ୍ଧତା ଅନୁଯାୟୀ ବିଭିନ୍ନ ପର୍ଯ୍ୟାୟରେ କ୍ୟାମ୍ପସର ସାମଗ୍ରିକ ବିକାଶ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯିବ ବୋଲି ପାଣ୍ଡିଆନ କହିଛନ୍ତି।

କାର୍ତ୍ତିକ ପାଣ୍ଡିଆନ୍ ଖିଣ୍ଡାରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନର ବିକାଶ ପାଇଁ ଏହି ପ୍ରକଳ୍ପର ସମୀକ୍ଷା କରିଥିଲେ। କାର୍ଯ୍ୟର ଅଗ୍ରଗତିକୁ ତ୍ୱରାନ୍ୱିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ସେ ମା ସମାଲେଶ୍ୱରୀ ମନ୍ଦିର ପରିଦର୍ଶନ କରିଥିଲେ। ସେ ଭକ୍ତମାନଙ୍କ ସହ ଆଲୋଚନା ସମଲେଇ ପ୍ରକଳ୍ପ ବିଷୟରେ ସେମାନଙ୍କ ମତାମତ ନେଇଥିଲେ। ଭକ୍ତମାନେ ଏହି ପ୍ରକଳ୍ପକୁ ନେଇ ବେଶ ଖୁସି ବୋଲି ପାଣ୍ଡିଆନଙ୍କ ଆଗରେ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଫୁଙ୍କିବେ ନିର୍ବାଚନ ବିଗୁଲ

ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଧାରିତ ସମୟରେ ଓଡିଶାରେ ପହଞ୍ଚିଛନ୍ତି। ସେ ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡାରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ସାଂସଦ ସୁରେଶ ପୂଜାରୀ, ବିଧାୟକ ସାରଦା ନାୟକ ଏବଂ ବରିଷ୍ଠ ଅଧିକାରୀ ସ୍ବାଗତ କରିିଥିଲେ।

ଏହାପରେ ସେଠାରୁ ମୋଦି ସ୍ବତନ୍ତ୍ର ହେଲିକାପ୍ଟରରେ ସମ୍ବଲପୁରରେ ପହଞ୍ଚିଛନ୍ତି। ସେଠାରେ ଆଇଆଇଏମ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦବୋଧନ ଦେବେ। ସେଠାରେ ସେ ଆସନ୍ତା ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବେ ବୋଲି ଅନୁମାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀ ଲେଖିଲେ, ‘ଅନ ଦ ୱେ ଟୁ ସମ୍ବଲପୁର’, ଏବେ ଝାରସୁଗୁଡାରେ

ଭୁବନେଶ୍ବର: ଏବେ ଝାରସୁଗୁଡାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏକ ସ୍ବତନ୍ତ୍ର ବିମାନରେ ସେ ଝାରସୁଗୁଡାରେ ପହଞ୍ଚିଛନ୍ତି। ସେଠାରେ ସେ ଏକ ସ୍ବତନ୍ତ୍ର ହେଲିକାପ୍ଟରରେ ସମ୍ବଲପୁରରେ ପହଞ୍ଚିବେ।

ଏ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, On the way to Sambalpur, Odisha. I look forward to being among the people there. It is a matter of immense joy that development works worth over Rs. 68,000 crore will be inaugurated or their foundation stones would be laid. These works are linked to the energy, coal, connectivity, railways and more. The permanent campus of IIM-Sambalpur will also be inaugurated, which will improve educational infrastructure as well.

ଝାରସୁଗୁଡା ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିବା ପାଇଁ ଅଛନ୍ତି ବରଗଡ ବିଜେପି ସାଂସଦ ସୁରେଶ ପୂଜାରୀ ଏବଂ ବିଜେଡି ବିଧାୟକ ସାରଦା ନାୟକ।

Categories
ଆଜିର ଖବର

ସାରା ରାଜ୍ୟ ବୁଲି ବୁଲି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ, ସମ୍ବଲପୁରରେ କହିଲେ ନୂଆ କଥା

ଭୁବନେଶ୍ୱର: ଏନଏଚ-୫୫ ର କଦର୍ଯ୍ୟ ଅବସ୍ଥା ଓ ପଦ୍ମପୁର ଉପ-ନିର୍ବାଚନ ବେଳେ କେନ୍ଦୁପତ୍ର ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୁଣି ମନେ ପକାଇ ଦେଲେ ଫାଇଭ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଓ ରେଢାଖୋଲ ନିର୍ବାଚନ ମଣ୍ଡଳିରେ ଆୟୋଜିତ ସଭାରେ ନାଆଁ ନ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଏ ଦୁଇଟି ପ୍ରସଂଗ ଚେତାଇ ଦେଇଛନ୍ତି ପାଣ୍ଡିଆନ। ଏହି ଦୁଇ ସଭାରେ ପାଣ୍ଡିଆନ କହିଛନ୍ତି ଯେ, ଦୀର୍ଘ ୧୦ବର୍ଷ ହେଲା କଟକ-ସମ୍ବଲପୁର ଜାତୀୟ ରାଜପଥ କାମ ଶେଷ ହେଉନି। ନିର୍ବାଚନ ଆସିଲେ କିଛି ନେତା ବଡବଡ ଭାଷଣ ମାରୁଛନ୍ତି, ହେଲେ ଜାତୀୟ ରାଜପଥ କାମ ସରିପାରୁନି।

ଅପର ପକ୍ଷରେ ଏନଏଚ କାମ ଆରମ୍ଭ ହେବାର ବହୁଦିନ ପରେ ବରଗଡରୁ ଆମ୍ବପାଣୀ ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ୱେ କାମ ଆରମ୍ଭ ହୋଇ କେବେଠୁ ଶେଷ ହୋଇ ସାରିଲାଣି। ୨୦୧୭ରେ ଆରମ୍ଭ ହୋଇଥିଲା ବିଜୁ ଏକ୍ସପ୍ରେସ ୱେ କାମ। ୨୮୦କିଲୋମିଟର ଲମ୍ବା ଏହି ରାସ୍ତାରେ ୧୦୦ କିଲୋମିଟର ସମ୍ପୂର୍ଣ୍ଣ ନୂଆ ଭାବେ ତିଆରି ହୋଇଥିଲା।

କିନ୍ତୁ ମାତ୍ର ୨୯୦ କିଲୋମିଟର ଜାତୀୟ ରାଜପଥର କେବଳ ମରାମତି କାମ ସରୁ ନ ଥିବା ଦୁର୍ଭାଗ୍ୟ ଜନକ। ଏହି ଅଞ୍ଚଳର ନେତା କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି ବୋଲି କହିବା ସହ ଆଉ ବିଳମ୍ବ ନ କରି ଜାତୀୟ ରାଜପଥ ମରାମତି କାମ ଶୀଘ୍ର ଶେଷ କରିବାକୁ ପାଣ୍ଡିଆନ ବିନମ୍ର ଅନୁରୋଧ କରିଛନ୍ତି।

କଟକ-ସମ୍ବଲପୁର ଜାତୀୟ ରାଜପଥ କାର‌୍ୟ୍ୟରେ ଅହେତୁକ ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କରିବା ସହ ଫାଇଭ ଟି ଅଧ୍ୟକ୍ଷ କହିଛନ୍ତି ଯେ, ଖରାପ ରାସ୍ତା ଯୋଗୁଁ କେନ୍ଦ୍ରମନ୍ତ୍ରୀ ଏବେ କଟକ-ସମ୍ବଲପୁର ଜାତୀୟ ରାଜପଥରେ ନ ଯାଇ ରାଜ୍ୟ ରାଜପଥରେ ଯିବାକୁ ପସନ୍ଦ କରୁଛନ୍ତି। ଦେଶରେ ଏହା ଏକ ମାତ୍ର ଜାତୀୟ ରାଜପଥ, ଯେଉଁଠି କାମ ସବୁଠୁ ଅଧିକ ମନ୍ଥର ଗତିରେ ଚାଲିଛି। ଖରାପ ରାସ୍ତା ଯୋଗୁଁ ପ୍ରତିଦିନ ବହୁତ ଦୁର୍ଘଟଣା ହେଉଛି ଏବଂ ବହୁ ଲୋକ ମୃତ୍ୟୁବରଣ କରୁଛନ୍ତି।

କେବଳ ନିର୍ବାଚନ ସମୟରେ ବଡବଡ କଥା ନ କହି କାମରେ ବିଶ୍ୱାସ କରନ୍ତି ନବୀନ ପଟ୍ଟନାୟକ। ଏହା ବିଜେଡି କି ନବୀନ ପଟ୍ଟନାୟକଙ୍କ ସରକାର ନୁହେଁ। ଏହା ଲୋକଙ୍କ ସରକାର ବୋଲି ସବୁବେଳେ କହିଥାନ୍ତି ନବୀନ ପଟ୍ଟନାୟକ।

ସେଥିପାଇଁ ତାଙ୍କ ନିର୍ଦ୍ଦେଶରେ ଲୋକଙ୍କ ସବୁ ଦରଖାସ୍ତକୁ ଉପଯୁକ୍ତ ସମ୍ମାନ ଦେଇ ସମାଧାନ କରାଯାଉଛି। କିନ୍ତୁ କିଛି ନେତା କେବଳ କଥାରେ ବିଶ୍ୱାସ କରନ୍ତି। ନିର୍ବାଚନ ସମୟରେ ଆସି ବଡ ବଡ କଥା କହି ଚାଲିଯିବେ। ନିର୍ବାଚନ ସରିଲେ ଆଉ ଦେଖା ମିଳିବ ନାହିଁ।

ସେହିଭଳି କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ପ୍ରସଂଗରେ କେନ୍ଦ୍ରମନ୍ତ୍ରୀଙ୍କ ଉଦାସୀନତା ନେଇ ଉଦବେଗ ପ୍ରକାଶ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ପଦ୍ମପୁର ଉପନିର୍ବାଚନ ସମୟରେ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ ପାଇଁ କେନ୍ଦ୍ରମନ୍ତ୍ରୀ ଘୋଷଣା କରିଥିଲେ।

ଏପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ପାଳନ କରି ନ ଥିବା ବେଳେ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଉପରୁ ନିଜ ଭାଗର ୮ ପ୍ରତିଶତ ଟିକସ ଛାଡ କରିଛନ୍ତି। ରାଜ୍ୟ ସରକାର ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଭାବେ କେନ୍ଦ୍ରୁପତ୍ର ତୋଳାଳିଙ୍କୁ ବୋନସ ଦେଉଛି।

ଖୁବଶୀଘ୍ର କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ନୂଆ ପ୍ୟାକେଜ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ। କେନ୍ଦୁପତ୍ର ତୋଳାଳିଙ୍କ ଆବେଦନ କ୍ରମେ ସେମାନଙ୍କ ପରିବାର ସଦସ୍ୟଙ୍କ ବିବାହ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ପାଣ୍ଡିଆନ ସୂଚନା ଦେଇଛନ୍ତି। ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରିବେ ବୋଲି ପାଣ୍ଡିଆନ କହିଛନ୍ତି।

Categories
ଆଜିର ଖବର

ସମ୍ବଲପୁର ଲୋକସଭା ପାଇଁ ବିଜେଡିର ରଣନୀତି, ଧର୍ମେନ୍ଦ୍ରଙ୍କୁ ଟକ୍କର ଦେବା ପାଇଁ ଛିଡା ହେବେ ବବି ଦାସ !!

ଭୁବନେଶ୍ବର: ଲୋକସଭା ଓ ଓଡିଶା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡିକ ସେମାନଙ୍କର ରଣନୀତି ତିଆରି କରିବାରେ ଲାଗିଛନ୍ତି। ତେବେ ଏଥର ସମ୍ବଲପୁର ଲୋକସଭା ଆସନ ଉପରେ ପୁରା ରାଜ୍ୟର ନଜରରେ ରହୁଛି। ଏହାର କାରଣ ହେଲା ଯେ, ସେହି ଆସନରୁ ଲଢେଇ କରିବାକୁ ସଜବାଜ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ତେବେ ଏକ ବିଶେଷ ସୁତ୍ର ଅନୁସାରେ ଧର୍ମେନ୍ଦ୍ରଙ୍କୁ ଟକ୍କର ଦେବା ପାଇଁ ବିଜେଡିର ଟାଣୁଆ ତଥା ପାୱାରଫୁଲ ନେତା ପ୍ରଣବ ପ୍ରକାଶ ଦାସ ବା ବବି ଦାସଙ୍କୁ ପ୍ରସ୍ତୁତ କରାଯାଉଛି। କାରଣ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେବା ପାଇଁ ହେଲେ ବିଜେଡିର ଜଣେ ଟାଣୁଆ ନେତାର ଆବଶ୍ୟକ ରହିଛି। ବର୍ତ୍ତମାନ ପରିସ୍ଥିତିରେ ସମ୍ବଲପୁରରେ ସେପରି କେହି ନେତା ଦୃଷ୍ଟିକୁ ଆସୁ ନ ଥିବାରୁ କୁଆଡେ ବବିଙ୍କୁ ଛିଡା ହେବା ପାଇଁ ନିଷ୍ପତି ହେଉଛି ବୋଲି ଜଣାପଡିଛି।

ସେହି ସୁତ୍ର ଅନୁସାରେ ଜଣାପଡିଛି ଯେ, ନିକଟରେ ସମ୍ବଲପୁରରେ ଏକ ରୁଦ୍ଧ ଦ୍ବାର ବୈଠକ କରାଯାଇଥିଲା। ସେଥିରେ ପଶ୍ଚିମ ଓଡିଶାର ଅନ୍ୟତମ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବରିଷ୍ଠ ନେତାଙ୍କୁ ନେଇ ଏହି ବୈଠକ ବସିଥିଲା। ସେହି ବୈଠକରେ ସମ୍ବଲପୁର ଲୋକସଭା ବା ଧର୍ମେନ୍ଦ୍ର ପ୍ରଧାନଙ୍କୁ କିଏ ଟକ୍କର ଦେବ ସେ ଉପରେ ଆଲୋଚନା ହୋଇଥିଲା। ସେଥିରେ ସମସ୍ତେ ବବି ଦାସ ଛିଡା ହୁଅନ୍ତୁ ବୋଲି କୁଆଡେ ମତ ପ୍ରକାଶ କରିଥିଲେ। ସେହି ଅନୁସାରେ ଦଳ ବବିଙ୍କୁ ଆଗକୁ ଆଣିବ ବୋଲି ଜଣାପଡିଛି।

ଧର୍ମେନ୍ଦ୍ର କେଉଁଠି ଛିଡା ହେବେ ତାହା ଜଣାପଡି ନ ଥିଲେ ମଧ୍ୟ ସେ ନିଶ୍ଚିତ ଭାବେ ଲୋକସଭା ନିର୍ବାଚନରେ ଲଢେଇ କରିବେ ବୋଲି ସ୍ପଷ୍ଟ ହୋଇଛି। ସେଥିପାଇଁ ତାଙ୍କୁ ବିଜେଡି ଏବେଠାରୁ ଟାର୍ଗେଟ କରିବାରେ ଲାଗିଛି। ଖୋଦ ବିଜେଡି ନେତା ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ତାଙ୍କୁ ତୀବ୍ର ସମାଲୋଚନା କରିବାରେ ଲାଗିଛନ୍ତି। ଏପରିକି ତାଙ୍କର ନିଜ ଜିଲ୍ଲାରେ ପାଣ୍ଡିଆନ ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କରିବାରେ ଲାଗିଛନ୍ତି।

ଏହାଦ୍ବାରା ସ୍ପଷ୍ଟ ହୋଇଛି ଯେ, କୌଣସି ପ୍ରକାରରେ ଧର୍ମେନ୍ଦ୍ରଙ୍କ ବିଜୟକୁ ବିଜେଡି ରୋକିବା ପାଇଁ ସମସ୍ତ କଳ ବଳ କୌଶଳ ପ୍ରୟୋଗ କରିବ। ଯେପରିକି ଗତ ନିର୍ବାଚନରେ ବୈଜୟନ୍ତ ପଣ୍ଡାଙ୍କୁ କରିଥିଲେ। ବର୍ତ୍ତମାନ ବିଜେଡି ଚାହୁଁ ନାହିଁ ଯେ, ଧର୍ମେନ୍ଦ୍ର ପ୍ରଧାନ କୌଣସି ପ୍ରକାରରେ ବିଜୟ ହୋଇ ପୁଣି କେନ୍ଦ୍ରରେ ମନ୍ତ୍ରୀ ହୁଅନ୍ତୁ। ସେଥିପାଇଁ ବିଜେଡି ବର୍ତ୍ତମାନଠାରୁ ଧର୍ମେନ୍ଦ୍ରଙ୍କ ବିଜୟ ରାସ୍ତାକୁ ରୁନ୍ଧିବାରେ ଲାଗିଛି।

ପୂର୍ବରୁ ବବିଙ୍କୁ ବିଜେଡିର ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଫଳରେ ପର୍ଯ୍ୟବେକ୍ଷକଙ୍କ ନାମରେ ସେ ଲୋକସଂପର୍କ ରଖିବା କାର୍ଯ୍ୟ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷରେ ପାଣ୍ଡିଆନ ମଧ୍ୟ ସମ୍ବଲପୁରକୁ ଗସ୍ତ କରି ସେଠାକାର ଲୋକସଂପର୍କକୁ ମଜବୁତ କରିବାରେ ଲାଗିଛନ୍ତି। ସେଥିପାଇଁ ବବି ଦାସ ସମ୍ବଲପୁର ଲୋକସଭା ପାଇଁ ଉପଯୁକ୍ତ ପ୍ରାର୍ଥୀ ହେବେ ବୋଲି ଦଳ ନିଷ୍ପତି କରିଛି।

ଅନ୍ୟପକ୍ଷରେ ବବି ଦାସ ବା ପ୍ରଣବ ପ୍ରକାଶ ଦାସ ହେଉଛନ୍ତି ବିଜେଡିର ଜଣେ ଟାଣୁଆ ତଥା ତୃତୀୟ କ୍ଷମତା କେନ୍ଦ୍ର ନେତା। ଦଳରେ ନବୀନ ପଟ୍ଟନାୟକଙ୍କ ପରେ ପାଣ୍ଡିଆନ ଏବଂ ଏହାପରେ ବବି ଦାସ ହିଁ ହେଉଛନ୍ତି ଦଳର ହର୍ତ୍ତାକର୍ତ୍ତା। ଉଭୟ ପାଣ୍ଡିଆନ ଏବଂ ବବି ଆଜି ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନ ଓ ଉପନିର୍ବାଚନରେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି। ସେଥିପାଇଁ ବବି ହିଁ ବିଜେଡିର ଉପଯୁକ୍ତ ପ୍ରାର୍ଥୀ ହେବେ ବୋଲି ନିଷ୍ପତି କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ, ମା’ଙ୍କ ପାଇଁ ପ୍ରତି ଘରୁ ଆସିବ ସିନ୍ଦୁର

ଭୁବନେଶ୍ବର: ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆଗାମୀ ୨୭ ତାରିଖରେ ହେବ ପ୍ରକଳ୍ପର ଲୋକାର୍ପଣ। ଏହି ପରିପ୍ରେକ୍ଷୀରେ ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀ ମାନେ ନବୀନ ନିବାସ ଆସି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଥିଲେ ଏବଂ ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ଦେଇଥିଲେ।

ମା ଙ୍କ ପୀଠର ରୂପାନ୍ତର ପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଥିଲେ। ସେମାନେ କହିଥିଲେ ଯେ ଲୋକାର୍ପଣ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସବୁ ଘରକୁ ନଡିଆ ଦିଆଯିବ ଏବଂ ସବୁ ଘରୁ ମା’ଙ୍କ ପାଇଁ ସିନ୍ଦୁର ଆସିବ।

ମା’ଙ୍କ କାମରେ ସମସ୍ତଙ୍କ ସହଯୋଗ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା’ଙ୍କ ପୀଠ ଓ ସମ୍ବଲପୁର ସହରର ଉନ୍ନତି ପାଇଁ ସେ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ।

5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମା’ଙ୍କ ଆଶୀର୍ବାଦରୁ ସବୁ କାମ ଭଲରେ ଭଲରେ ଚାଲିଛି ଏବଂ ଆଗକୁ ମଧ୍ୟ ସବୁ କାମ ଭଲରେ ହେବ। ସମସ୍ତଙ୍କ ସହଯୋଗରେ ରୂପାନ୍ତର କାମ ଜାରି ରହିବ।

ସୂଚନାଯୋଗ୍ୟ ଯେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିର ଷୋଡଶ ଶତାଦ୍ଦୀର ଏକ ପ୍ରସିଦ୍ଧ ପୀଠ। ଏହାର ଉନ୍ନତି ପାଇଁ ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ ସମଲେଇ (Samaleswari Temple Area Management and Local Economy Initiatives) ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।

ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ଭକ୍ତ ମାନଙ୍କ ପାଇଁ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। ମନ୍ଦିର ସହିତ ମହାନଦୀ ଘାଟର ମଧ୍ୟ ଉନ୍ନତିକରଣ କରାଯାଉଛି। ଏହି ପ୍ରକଳ୍ପର ସଠିକ କାର୍ଯ୍ୟାନ୍ବୟନ ପାଇଁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ଅନେକ ଥର ସମ୍ବଲପୁର ଯାଇ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଙ୍କୁ ନିମନ୍ତ୍ରଣ ପୂର୍ବରୁ ସେମାନେ ମା ସମଲେଶ୍ବରୀ ଙ୍କୁ ପୂଜା କରି ମା ପାଟଣେଶ୍ୱରୀ ମା ଦଶମତୀ ମା ବାଟ ମଙ୍ଗଳା ବାବା ସୋମନାଥ ଙ୍କୁ ଏବଂ ଭୁବନେଶ୍ଵର ରେ ଲିଙ୍ଗରାଜ ମହାପ୍ରଭୁ ଙ୍କୁ ନିମନ୍ତ୍ରଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଆଉ ଜଣଙ୍କୁ କଲା ବହିସ୍କାର

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଜଣେ ନେତାଙ୍କୁ ବହିସ୍କାର କରିଛି। ଏ ନେଇ ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ପ୍ରକାଶ ପାଇଛି ଏକ ବିଜ୍ଞପ୍ତି। ସେଥିରେ କୁହାଯାଇଛି ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିସ୍କାର କରାଯାଇଛି। ତେବେ ଯାହାକୁ ବହିସ୍କାର କରାଯାଇଛି ସେ ହେଲେ ସମ୍ବଲପୁର ବିଜେଡି କମିଟ ଉପଦେଷ୍ଠା ପ୍ରମୋଦ ରଥ।

ଗତକାଲି ସମ୍ବଲପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏବଂ ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବୈଠକ ହୋଇଥିଲା। ସେଥିରେ ପ୍ରମୋଦଙ୍କ ବିରୋଧରେ ଆସିଥିବା ବହୁ ଅଭିଯୋଗର ତର୍ଜମା କରାଯାଇ ତାହାର ପ୍ରମାଣ ମିଳିଥିଲା। ପରବର୍ତ୍ତ ସମୟରେ ଦଳ ତାଙ୍କୁ ବହିସ୍କାର କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବୋରୱେଲରେ ଫିଙ୍ଗାଯାଇଥିବା ନବଜାତକ ଶିଶୁ ଉଦ୍ଧାର, ୬ ଘଣ୍ଟା ଧରି ଚାଲିଥିଲା ଅପରେସନ

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟସ୍ଥ ଲାରିପାଲି ଜଙ୍ଗଲର ଏକ ବୋରୱେଲ ଭିତରୁ ନବଜାତକ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଶିଶୁଟିକୁ କେହି ଜନ୍ମ କରି ସେହି ଜଙ୍ଗଲ ବୋରୱେଲ ଭିତରକୁ ଫିଙ୍ଗି ଦେଇଥିଲା।

ହେଲେ ପିଲାଟିର କାନ୍ଦ ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଅପରେସନ।

ସ୍ଥାନୀୟ ପ୍ରଶାସନର ତ୍ବରିତ ଉଦ୍ୟମ ପରେ ସେଠାରେ ପହଞ୍ଚିଥିଲେ ଓଡ୍ରାଫ ଟିମ, ଅଗ୍ନିଶମ ପୋଲିସ ଏବଂ ହସପିଟାଲ ଟିମ। ପ୍ରଥମେ ବୋରୱେଲ ଭିତରକୁ ଅକ୍ସିଜେନ ପଠାଯାଇଥିଲା।

ଏହାପରେ ତିନୋଟି ଜେସିବି ସାହାର୍ଯ୍ୟରେ ସେହି ବୋରୱେଲ ଚାରପଟୁ ଖୋଳାଯାଇଥିଲା। ପ୍ରାୟ ୬ ଘଣ୍ଟା ଧରି ଚାଲିଥିଲା ଏହି ଉଦ୍ଧାର କାର୍ଯ୍ୟ। ଖୋଳା ଶେଷ ହେବା ପରେ ବୋରୱେଲ ପାଇପକୁ କଟାଯାଇ ଶିଶୁକୁ ଜୀବନ୍ତ ଉଦ୍ଧାର କରାଯାଇଛି।

ଉଦ୍ଧାର ବେଳେ ଶିଶୁଟିର ମୁଣ୍ଡ ତଳକୁ ଥିଲା। ହେଲେ ଶିଶୁଟି କାନ୍ଧୁଥିବାରୁ ତାହାକୁ ଜୀବନ୍ତ ଉଦ୍ଧାର କରାଯାଇପାରିବ ବୋଲି ଆଶା କରାଯାଇଥିଲା।

ଶେଷରେ ତାହା ସଫଳ ହେଲା। ଉଦ୍ଧାର ପରେ ସେଠାରେ ଥିବା ମେଡିକାଲ ଟିମ ତୁରନ୍ତ ସେଠାରେ ପ୍ରାଥମିକ ଚିକିତ୍ସା କରି ହସପିଟାଲରେ ଭର୍ତ୍ତି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗାଁର ନାମ ରଙ୍ଗବତୀ, ଜାଣନ୍ତୁ କାହିଁକି ବଦଳିଲା ଗାଁର ନାମ

ସମ୍ବଲପୁର : ଲୋକପ୍ରିୟ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ ଗୀତ ନାଁରେ ଗାଁର ନାମକୁ ନାମିତ କରାଯାଇଛି । ବିଖ୍ୟାତ ଲୋକ ସଙ୍ଗୀତ ରଙ୍ଗବତୀ ନାଁରେ ନାମିତ ହେଲା ଗାଁ । ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ‘ବିଲୁଙ୍ଗ’ର ନାମ ପରିବର୍ତ୍ତନ କରାଯାଇ ରଙ୍ଗବତୀ ବିଲୁଙ୍ଗ ନାମରେ ନାମିତ କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟର ସବୁଜ ସଂକେତ ପରେ ନାଁ ବଦଳିଛି । ଗ୍ରାମ ନାମ ରଙ୍ଗବତୀ ନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ମିତ୍ରଭାନୁ ଗୌନ୍ତିଆଙ୍କ ରଚିତ ରଙ୍ଗବତୀ ଗୀତ ଓଡ଼ିଶା ସମେତ ପଶ୍ଚିମ ବଙ୍ଗ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ଓ ଭାରତର ଅନ୍ୟାନ୍ୟ ସ୍ଥାନରେ ଜନାଦୃତ ହୋଇଛି । ଜିତେନ୍ଦ୍ର ହରିପାଲ ଏବଂ କ୍ରୀଷ୍ଣା ପଟେଲ ‘ରଙ୍ଗବତୀ’ ଗୀତ ଗାଇ ପ୍ରସିଦ୍ଧ ପାଇଥିଲେ। ରଙ୍ଗବତୀ ଗୀତଟି 2007 ମସିହାରେ ଦିଲ୍ଲୀଠାରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ର ଓଡ଼ିଶା ଝାଙ୍କିରେ ବଜାଯାଇଥିଲା । ବିବିସି ଲଣ୍ଡନ କେନ୍ଦ୍ରରୁ ଏହି ଗୀତର ପ୍ରସାରଣ କରାଯାଇଥିଲା । ତେବେ ଏହି ଗୀତର ରଚୟିତାଙ୍କ ସମ୍ମାନରେ ତାଙ୍କ ଜନ୍ମସ୍ଥାନକୁ ରଙ୍ଗବତୀ ନାମରେ ନାମିତ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ବସ୍‌କୁ ଧକ୍କା ଦେଲା ଟ୍ରକ୍‌ : 5 ଆହତ

ସମୀକ୍ଷା ବ୍ୟୁରୋ

ସମ୍ବଲପୁର : ଆଜି ସମ୍ବଲପୁର ଜିଲ୍ଲା ବୁର୍ଲାର କଟାପାଲି ଛକରେ ବସ୍‌ ଓ ଟ୍ରକ୍‌ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ 5ଜଣ ଆହତ ହୋଇଛନ୍ତି ।  ଟ୍ରକ୍ ଧକ୍କାରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଥିଲା ।  ଆହତଙ୍କୁ ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ବସ୍‌ ଡ୍ରାଇଭର୍ ଓ ହେଲ୍‌ପର୍ ଅଛନ୍ତି। ବସ୍‌ଟି ଜୟପୁରରୁ ସମ୍ବଲପୁର ଆସୁଥିଲା। ତେବେ କଟାପାଲି ଛକ ନିକଟରେ ଏକ ଟ୍ରକ୍ ଏହି ବସ୍‌କୁ ପଛ ପଟୁ ଧକ୍କା ଦେଇଥିଲା। ଏହା ପରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Categories
ଆଜିର ଖବର ରାଜ୍ୟ ଖବର

ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ସମ୍ବଲପୁର ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଆଜିଠାରୁ ପକ୍ଷୀ ଗଣନା ଆରମ୍ଭ କରାଯାଇଛି । ହୀରାକୁଦ ଜଳଭଣ୍ଡାର ସମେତ ବରଗଡ଼ ଏବଂ ଝାରସୁଗୁଡ଼ାର କିଛି ଅଞ୍ଚଳରେ ଏହି ପକ୍ଷୀ ଗଣନା ହେବ । ସମ୍ବଲପୁର ବନ୍ୟପ୍ରାଣୀ ବିଭାଗ ପକ୍ଷରୁ 21ଟି ଟିମ୍ ଏହି ପକ୍ଷୀ ଗଣନାରେ ସାମିଲ ହେଇଛନ୍ତି । ସକାଳ 6ଟାରୁ ଆରମ୍ଭ ହୋଇଥିବା ଏହି ଗଣନା ଦିନ ପ୍ରାୟ 11ଟା ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରରେ ପାଣି ଅଧିକ ଥିବାରୁ ପକ୍ଷୀ ସଂଖ୍ୟା କମିବାର ଆଶଙ୍କା କରାଯାଉଛି ।

Categories
ଆଜିର ଖବର

ଅନ୍ତରାଜ୍ୟ ଏଟିଏମ୍ ଲୁଟେରା ଗ୍ୟାଙ୍ଗ ଗିରଫ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,20/12 : ଏକ ଅନ୍ତରାଜ୍ୟ ଏଟିଏମ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ସମ୍ବଲପୁର ପୁଲିସ୍‌ । ସେମାନଙ୍କଠାରୁ 1 ଲକ୍ଷ 47 ହଜାର ଟଙ୍କା ସମେତ ହ୍ୟାକିଂରେ ବ୍ୟବହୃତ ବହୁ ଉପକରଣ ଜବତ କରାଯାଇଛି । ସେଥିମଧ୍ୟରୁ ଦୁଇଟି ସ୍ଲଟ ମେସିନ , 30ଟି ଏଟିଏମ୍ କାର୍ଡ , 4ଟି ମୋବାଇଲ ଫୋନ , ଲାପ୍‌ଟପ୍‌ ସମେତ ଏକ କାର୍‌ ଜବତ ହୋଇଛି । ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ଗିରଫ କରିବା ପାଇଁ 4ଟି ଟିମ୍‌ ଗଠନ କରାଯାଇଥିବା ସମ୍ବଲପୁର ଏସ୍.ପି ସୂଚନା ଦେଇଛନ୍ତି ।

Categories
ଆଜିର ଖବର

ଟ୍ରକ୍‌-ଟ୍ୟାଙ୍କର ଦୁର୍ଘଟଣା : ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ

ସମୀକ୍ଷା ବ୍ୟୁରୋ,ସମ୍ବଲପୁର,14/12 : ସମ୍ବଲପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । 55 ନମ୍ବର ଜାତୀୟ ରାଜପଥର ଯୁଯୁମୁରା ନିକଟରେ ଏହି ଦୁର୍ଘଟଣା ଘଟିଛି । ଗାଡିରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ଦୁଇ ଡ୍ରାଇଭର ପ୍ରାଣ ହରାଇଛନ୍ତି । ଏକ ଲୁହାପଥର ବୋଝେଇ ଟ୍ରକ୍‌ ଏବଂ ଗ୍ୟାସ୍‌ ଟ୍ୟାଙ୍କର ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦୁଇଟି ଯାକ ଗାଡିରେ ନିଆଁ ଲାଗି ଯାଇଥିଲା । ଦୁଇ ଗାଡିର ଡ୍ରାଇଭର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ।

Categories
ବିଶେଷ ଖବର

ହୀରାକୁଦ ନଦୀବନ୍ଧ କୌଣସି ମୁହୂର୍ତ୍ତରେ ଭୁଷୁଡି ଯାଇପାରେ, ଲୋକସଭାରେ ବରଗଡ ସାଂସଦ ସୁରେଶ ପୂଜାରୀଙ୍କ ଚାଞ୍ଚଲ୍ୟକର ବୟାନ

କେଦାର ମିଶ୍ର 

 ଯଦି ବରଗଡ ଲୋକସଭା ସଦସ୍ୟ ସୁରେଶ ପୂଜାରୀଙ୍କ କଥାକୁ ବିଶ୍ଵାସ କରାଯାଏ ତାହେଲେ ଦେଶର ଦୀର୍ଘତମ ମାଟିବନ୍ଧ ହୀରାକୁଦ ବିପଜ୍ଜନକ ସ୍ଥିତିରେ ରହିଛି। ଗତକାଲି ଅର୍ଥାତ ୨ ଅଗଷ୍ଟ ଦିନ ଲୋକସଭାରେ  ବନ୍ଧ ସୁରକ୍ଷା ବିଲ-୨୦୧୯ ପ୍ରସଙ୍ଗରେ ଆଲୋଚନା କରି ବରଗଡର ବିଜେପି ସାଂସଦ ସୁରେଶ ପୂଜାରୀ ଗୋଟେ ଆତଙ୍କଜନକ କଥା କହିଛନ୍ତି। ବିଲ ର ପ୍ରାବଧାନ ବା ବ୍ୟବସ୍ଥା ଉପରେ କିଛି ନକହି ଶ୍ରୀ ପୂଜାରୀ ହୀରାକୁଦ ନଦୀବନ୍ଧ ଏକ ପ୍ରକାର ଭାଙ୍ଗିଯିବା ଅବସ୍ଥାରେ ରହିଛି ବୋଲି କହିଥିଲେ। କେଉଁ ସୂତ୍ର ଓ ତଥ୍ୟ ଆଧାରରେ ସେ ଏ କଥା କହୁଛନ୍ତି, ତାହା ମଧ୍ୟ ଆମକୁ ଜଣାନାହିଁ। ସୁରେଶ ପୂଜାରୀଙ୍କ ନିଜ ଭାଷାରେ- I think, the Hirakud dam is dying a natural death. So, it needs immediate repairing. Unless it is repaired this dam may collapsed at any time. ଏହା ସହିତ ସାଂସଦ ମହାଶୟ ଆହୁରି ମଧ୍ୟ କହିଛନ୍ତି ଯେ- “ବର୍ଷାଦିନରେ ମୋ ନିର୍ବାଚନ ମଣ୍ଡଳୀର ଲୋକମାନେ ଶୋଇପାରୁନାହାନ୍ତି। ସେମାନଙ୍କୁ ଲାଗୁଛି, ଏହା କୌଣସି ମୁହୂର୍ତ୍ତରେ ଭାଙ୍ଗି ପଡିବ। ୧୯୮୨ରେ ଏମିତି ଗୁଜବ ହୋଇଥିବାରୁ ଲୋକେ ପଳାୟନ କରିବା ଆରମ୍ଭ କରିଥିଲେ। ଏମିତି ଆଗରୁ ଦୁଇଥର ହେଲାଣି। ଲୋକଙ୍କର ଏହି ବନ୍ଧ ଉପରେ କୌଣସି ବିଶ୍ଵାସ ନାହିଁ”। ବଡ ସାଂଘାତିକ କଥା- ହୀରାକୁଦ କୁ ନେଇ ଲୋକଙ୍କ ମନରେ ଏତେ ଭୟ ରହିଛି ଅଥଚ ଏହାର କୌଣସି ଆଲୋଚନା ନାହିଁ! ଯଦି ସତରେ ହୀରାକୁଦର ସ୍ଥାୟୀତ୍ଵକୁ ନେଇ ଲୋକଙ୍କ ମନରେ ଅବିଶ୍ଵାସ ରହିଛି, ତାହେଲେ ଏହାକୁ ନେଇ ପୂରା ହୀରାକୁଦ ତଳମୁଣ୍ଡରେ ବ୍ୟାପକ ଜଣ ଅସନ୍ତୋଷ ଦେଖାଦେବା କଥା। କାହିଁ, ସେମିତି କିଛି ଘଟୁଛି କି?

ବନ୍ଧ ସୁରକ୍ଷା ବିଲ ଆଳରେ କେନ୍ଦ୍ର ସରକାର ରାଜ୍ୟ ଅଧୀନରେ ଥିବା ନଦୀବନ୍ଧଗୁଡିକ ଉପରେ ନିଜର କର୍ତ୍ତୃତ୍ଵ ଜାହିର କରିବାକୁ ଚାହୁଁଛନ୍ତି କି, ଏ ପ୍ରଶ୍ନକୁ ନେଇ ଲୋକସଭାରେ ବିତର୍କ ଚାଲିଥିବାବେଳେ ସୁରେଶ ବାବୁ ହୀରାକୁଦ ପ୍ରସଙ୍ଗରେ ଏକ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି। ଲୋକସଭାରେ ହୀରାକୁଦ ବନ୍ଧ ବିପଦରେ ଅଛି ବୋଲି ଜଣେ ସାଂସଦ କହିଲା ବେଳେ, ଏହାର ଗୁରୁତ୍ଵ ରହିଛି ବୋଲି ଆମେ ବିଚାର କରୁଛୁ। ହେଲେ ବିଲର ଆଲୋଚନା ପରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ ଯେଉଁ ଉତ୍ତର ରଖିଲେ, ସେଥିରେ ସେ ସୁରେଶ ପୂଜାରୀ ଉଠାଇଥିବା ପ୍ରସଙ୍ଗର ଉତ୍ତର ରଖି କହିଲେ ଯେ ବନ୍ଧର ମରାମତି ଲାଗି ୬୦୦ କୋଟି ଟଙ୍କାର ଯୋଜନା ଲାଗୁ ହୋଇଛି। ପୁରୁଣା ନଦୀବନ୍ଧ ଗୁଡିକର ମରାମତି ଏକ ନିରନ୍ତର ପ୍ରକ୍ରିୟା ଓ ଏଥିଲାଗି ଲୋକେ ଭୟଭୀତ ହେବାର କୌଣସି କାରଣ ନାହିଁ। ଏପରିକି ହୀରାକୁଦ ନଦୀବନ୍ଧ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ବୋଲି ସାଂସଦ ଯାହା କହିଥିଲେ, ତାର କୌଣସି ଉତ୍ତର ମନ୍ତ୍ରୀ ରଖିନଥିଲେ। ସେ ଫରକ୍କା ଓ ହୀରାକୁଦ ଭଳି ପୁରୁଣା ନଦୀବନ୍ଧ ଗୁଡିକର ମରାମତି କରାଯାଉଛି ବୋଲି କହିବା ସହିତ ଶ୍ରୀ ପୂଜାରୀଙ୍କ ଅନ୍ୟ କୌଣସି ପ୍ରସଙ୍ଗର ଉତ୍ତର ରଖିନଥିଲେ।

ହୀରାକୁଦ ନଦୀବନ୍ଧ ବିଷୟରେ ବିଭ୍ରାନ୍ତିକର ଓ ଭୟ ସୃଷ୍ଟି କଳା ପରି ବକ୍ତବ୍ୟ ରଖିବା ପଛରେ ସୁରେଶ ପୂଜାରୀଙ୍କର କି ଉଦ୍ଦେଶ୍ୟ ରହିଛି, ତାହା ବୁଝା ପଡୁନାହିଁ।  ନଦୀବନ୍ଧର ମୌଳିକ ସମସ୍ୟା ବିଷୟରେ ଶ୍ରୀ ପୂଜାରୀ କିଛି ନ କହି କେବଳ ଉପରଠାଉରିଆ ଭାବରେ ବିସ୍ଥାପନ ଓ ବନ୍ଧର ଜଳ ଯୋଗାଣ କଥାକୁ ଉଠାଇଥିଲେ। ଏକଥା ସତଯେ ହୀରାକୁଦ ନଦୀବନ୍ଧ ମରିବାକୁ ଯାଉଛି। ହେଲେ ଏହାର ମୃତ୍ୟୁ କାରଣ ଏହାର ମରାମତିର ଅଭାବ ନୁହଁ, ବରଂ ପାଣିର ଅଭାବ। ଛତିଶଗଡ ସରକାର ମହାନଦୀକୁ ଏକ ମୃତନଦୀରେ ପରିଣତ କରିଦେବାର ସବୁ ବ୍ୟବସ୍ଥା କରି ସାରିଛନ୍ତି। ବନ୍ଧ ସୁରକ୍ଷା ବିଲର ଆଲୋଚନା ବେଳେ ବନ୍ଧର ଉପର ମୁଣ୍ଡ ଓ ବେସିନରେ ରହିଥିବା ଜଳ ବଣ୍ଟନକୁ ନେଇ କିଛି ଆଲୋଚନା ହେଲାନାହିଁ। ହୀରାକୁଦ ନଦୀବନ୍ଧ ବିସ୍ଥାପିତଙ୍କ ପ୍ରସଙ୍ଗ ଶ୍ରୀ ପୂଜାରୀ ଉଠାଇଲେ, ହେଲେ ଏ ସମ୍ପର୍କରେ ତାଙ୍କ ପାଖରେ ବିଶେଷ କିଛି ତଥ୍ୟ ଥିଲାପରି ମନେହେଲାନାହିଁ।

ହୀରାକୁଦ ନିର୍ମାଣ ସମୟରେ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଆଜି ମଧ୍ୟ କ୍ଷତିପୂରଣ ମିଳିନାହିଁ ବୋଲି ଶ୍ରୀ ପୂଜାରୀ ଯାହା କହିଛନ୍ତି, ତାହା ସତ୍ୟ। ତେବେ ଏହି ପ୍ରସଙ୍ଗ ରଖିଲା ବେଳେ ବାସ୍ତବ ତଥ୍ୟ ଓ ସଠିକ ପ୍ରସ୍ତାବ ତାଙ୍କ ପାଖରେ ନଥିଲା। ହୀରାକୁଦ ପାଣି ବିଷାକ୍ତ ହେଉଛି ଓ ଏହାର ପ୍ରଭାବରେ ବରଗଡ ଅଞ୍ଚଳରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢୁଛି ବୋଲି ସେ ଯାହା କହିଛନ୍ତି, ତାହା ଉଦ୍ବେଗଜନକ। ହେଲେ ଏ ବିଷୟରେ କିଏ ଓ କି ପ୍ରକାର ଅନୁଧ୍ୟାନ କରିଛି, ତାର ସଠିକ ତଥ୍ୟ ରଖିଥିଲେ, ତାହାର ଭିନ୍ନ ପ୍ରଭାବ ପଡିଥାନ୍ତା।

ହୀରାକୁଦ ନଦୀବନ୍ଧ ଭୁଷୁଡି ପଡିବା ଭଳି ସ୍ଥିତିରେ ଅଛି ବୋଲି କୌଣସି ରିପୋର୍ଟ ନଥିବା ବେଳେ ଏହାକୁ ନେଇ ଅଯଥା ଲୋକଙ୍କ ମନରେ ଭୟ ଓ ବିଭ୍ରାନ୍ତି ସୃଷ୍ଟି କରିବା, ଆଦୌ ଗ୍ରହଣୀୟ ନୁହେଁ।

Categories
ଆଜିର ଖବର

ସମ୍ବଲପୁରଠାରେ ଓଡ଼ିଶାରେ ବି ବିଜେପି ସରକାରର ଦୃଢୋକ୍ତି ପ୍ରକାଶ କଲେ ମୋଦି

ଆଜି ସମ୍ବଲପୁରରେ ନିର୍ବାଚନୀ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଉଭୟ କଂଗ୍ରେସ ଏବଂ ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ପ୍ରଥମେ ସମ୍ବଲପୁରୀ ଭାଷାରେ ସଭାକୁ ସମ୍ବୋଧନ କରି  ଓଡ଼ିଶା ଆସିବା ତାଙ୍କ ପାଇଁ ଏକ ତୀର୍ଥଯାତ୍ରା ବୋଲି କହିଛନ୍ତି। ସେହିପରି ଦିଲ୍ଲୀରେ ପୁଣିଥରେ ମୋଦି ସରକାର ଓ ଓଡ଼ିଶାରେ ବିଜେପି ସରକାର ହେବା ନେଇ ବେଶ୍‌ ଦୃଢୋକ୍ତି ପ୍ରକାଶ କରିଛନ୍ତି ମୋଦି। ସ୍ୱାଧୀନତାର ଏତେ ବର୍ଷ ପରେ ବି ଓଡ଼ିଶା ଲୋକ ଗରିବ ରହିଛନ୍ତି। ଏଠାରେ ବିଦ୍ୱେଷ, ଅସମାନତା ଭାବ ସୃଷ୍ଟି କରାଯାଇଛି। ଏଠାରେ ମହାନଦୀ, ହୀରାକୁଦ ପରି ଜଳ ସଂପଦ ରହିଛି। ଏମ୍ଏସପି ବଢ଼ାଯାଇଛି। ରାଜ୍ୟ ସେହି ଲାଭ ଚାଷୀଙ୍କୁ ଦେଉନାହିଁ। ଏଠାରେ ପିଏମ୍ କିଷାନରେ ଚାଷୀମାନେ ଲାଭ ପାଉ ନାହାନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରେ ବି ବିଜେପି ସରକାର ହେବା ଜଣାପଡ଼ିଯାଇଛି। ମୋଦି ସରକାର ଆସିଲେ ଚାଷୀଙ୍କ ଖାତାକୁ ସିଧା ଟଙ୍କା ଯିବ। କୌଣସି ଦଲାଲ ଚାଷୀଙ୍କ ଟଙ୍କାରେ ହାତ ମାରିପାରିବ ନାହିଁ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ,  ଅଟଳ ବିହାରୀଙ୍କ ସରକାର ବେଳେ ଆଦିବାସୀ ମନ୍ତ୍ରାଳୟ ହୋଇଥିଲା। ନୂଆ ସରକାର ଆସିବା ପରେ ମତ୍ସ୍ୟ ମନ୍ତ୍ରାଳୟ ହେବ। ମତ୍ସ୍ୟ ସଂପଦ ଯୋଜନାରେ ୧୦ହଜାର କୋଟି ଖର୍ଚ୍ଚ ହେବ। ମାଛଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡରେ ସାମିଲ କରାଯିବ। ଯେଉଁମାନେ କେବଳ ପିସି ଖାଇବା ପାଇଁ ରହିଛନ୍ତି ସେମାନେ ସାଧାରଣ ଜନତାର ଉନ୍ନତିର ଚିନ୍ତା କରିବେନି। ଖଣି ଏବଂ ଚିଟଫଣ୍ଡ ମାଫିଆଙ୍କୁ ସରକାର ପ୍ରଶ୍ରୟ ଦେଉଛନ୍ତି। ଏଠାରେ ଆଦିବାସୀଙ୍କ ସହ ଧୋକା ହେଉଛି। ବିଜେପି ସରକାର ଖଣି ଖୋଦନ ନିୟମ ପରିବର୍ତନ କରିଥିଲେ। ଡିଏମଏଫ ଆରମ୍ଭ କରିଥିଲେ। ଓଡିଶାକୁ ୬୦୦୦ କୋଟି ମିଳିଲା। କିନ୍ତୁ ଖର୍ଚ୍ଚ ହୋଇପାରିଲା ନାହିଁ। କୌଣସୀ ବିକାଶମୂଳକ କାମ ହୋଇପାରିଲା ନାହିଁ। ପୁନଶ୍ଚ ଚାଉଳ ଗୁମର ବିଷୟରେ ମୋଦି କହିଛନ୍ତି ଯେ, ଏଠାକାର ସରକାର ଚତୁରତାର ସହ କାମ କରୁଛନ୍ତି। ୧ ଟଙ୍କାରେ ଯେଉଁ ଚାଉଳ ଗରୀବଙ୍କୁ ମିଳୁଛି ସେଥିରୁ ୨୯ ଟଙ୍କା କେନ୍ଦ୍ର ଦେଉଛି। ରାଜ୍ୟ ମାତ୍ର ୨ଟଙ୍କା ଦେଉଛନ୍ତି। ଏବଂ କହୁଛନ୍ତି କି ଓଡିଶା ସରକାର ଦେଉଛନ୍ତି ବୋଲି କହିଛନ୍ତି ମୋଦି। ସେହିପରି ବିଜେପିକୁ ଭୋଟ୍‌ ଦେବା ପାଇଁ ଅପିଲ୍‌ କରି କହିଛନ୍ତି ଯେ, ମୋଦି ସରକାର ହେବା ପରେ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ମିଳିବ, ଗତ ୫ ବର୍ଷରେ ଓଡ଼ିଶାର ଗ୍ରାମରେ ୧୨ ଲକ୍ଷ ପକ୍କା ଘର ମିଳିଛି। ଆୟୁଷ୍ମାନ ଯୋଜନା ଲାଗୁ ହେବ। ଗରିବ ପରିବାରକୁ ୫ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟସେବା ମିଳିବ। ଭୁବନେଶ୍ୱର ଏବଂ ଦିଲ୍ଲୀରେ ଡବଲ ଇଂଜିନ ସରକାର ହେବ  ବୋଲି କହିଛନ୍ତି ମୋଦି।