ନୂଆଦିଲ୍ଲୀ : ପିଲାମାନଙ୍କଠାରେ ଟାଇପ୍-୧ ମଧୁମେହ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା। ବାରମ୍ବାର ପରିସ୍ରା, ଅତ୍ୟଧିକ ଶୋଷ, ନିରନ୍ତର ଥକ୍କାପଣ ଏବଂ ହଠାତ୍ ଓଜନ ହ୍ରାସ ଏହି ରୋଗର ପ୍ରାରମ୍ଭିକ ସଙ୍କେତ ହୋଇପାରେ। ତେଣୁ ଏହି ଲକ୍ଷଣଗୁଡ଼ିକୁ ଅଣଦେଖା ନକରି ସମୟରେ ପରୀକ୍ଷା ଓ ଚିକିତ୍ସା କରାଇବା ଜରୁରୀ।
ମଧୁମେହ କହିଲେ ସାଧାରଣତଃ ବୟସ୍କ ଲୋକଙ୍କ କଥା ମନକୁ ଆସେ। କିନ୍ତୁ ଏବେ ପିଲାମାନଙ୍କଠାରେ ମଧ୍ୟ ଟାଇପ୍-୧ ମଧୁମେହକୁ ନେଇ ସଚେତନତାର ଆବଶ୍ୟକତା ବଢ଼ିଛି। ବିଶେଷକରି ଏହି ରୋଗର ପ୍ରାରମ୍ଭିକ ଲକ୍ଷଣକୁ ଅଭିଭାବକମାନେ ଚିହ୍ନି ନପାରିଲେ ଶିଶୁଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇପାରେ। ତେଣୁ ପିଲାଙ୍କ ଦୈନନ୍ଦିନ ଅଭ୍ୟାସ ଓ ଶାରୀରିକ ପରିବର୍ତ୍ତନ ଉପରେ ନଜର ରଖିବା ଜରୁରୀ।
ଏହି ଦିଗରେ ଦିଲ୍ଲୀ ଏମ୍ସ (AIIMS) ଏବଂ HRIDAY ପକ୍ଷରୁ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ଡାକ୍ତର, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ, ଶିକ୍ଷକ, ଅଭିଭାବକ ଏବଂ ଟାଇପ୍-୧ ମଧୁମେହରେ ପୀଡ଼ିତ ପିଲାମାନେ ଯୋଗ ଦେଇଥିଲେ। ରୋଗର ଚିହ୍ନଟ, ଚିକିତ୍ସା ଏବଂ ପିଲାଙ୍କ ଦୈନନ୍ଦିନ ଜୀବନକୁ କିପରି ସହଜ କରାଯାଇପାରିବ, ସେନେଇ ଆଲୋଚନା ହୋଇଥିଲା।
ପିଲାଙ୍କଠାରେ ଟାଇପ୍-୧ ମଧୁମେହର ପ୍ରାରମ୍ଭିକ ଲକ୍ଷଣ ଚିହ୍ନିବା ପାଇଁ ‘4Ts’ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିରେ ପ୍ରଥମଟି ହେଉଛି ‘Toilet’ ଅର୍ଥାତ୍ ବାରମ୍ବାର ପରିସ୍ରା କରିବା। ଦ୍ୱିତୀୟଟି ‘Thirst’ ବା ଅତ୍ୟଧିକ ଶୋଷ ଲାଗିବା। ତୃତୀୟଟି ‘Tired’ ଅର୍ଥାତ୍ ନିରନ୍ତର ଥକ୍କାପଣ ଓ ଦୁର୍ବଳ ଅନୁଭବ କରିବା। ଚତୁର୍ଥଟି ‘Thinner’ ବା କୌଣସି ସ୍ପଷ୍ଟ କାରଣ ନଥାଇ ହଠାତ୍ ଓଜନ ହ୍ରାସ ପାଇବା। ଏହି ଚାରୋଟି ଲକ୍ଷଣ ମଧ୍ୟରୁ କୌଣସିଟି ପିଲାଙ୍କଠାରେ ଦେଖାଗଲେ ଅଭିଭାବକମାନେ ସତର୍କ ହେବା ଆବଶ୍ୟକ। ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ରକ୍ତରେ ଶର୍କରା ସ୍ତର ପରୀକ୍ଷା କରାଇବା ଉଚିତ।
ଏମ୍ସ ପକ୍ଷରୁ କୁହାଯାଇଛି ଯେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (RBSK) 2.0ର ୨୦୨୬ ନିର୍ଦ୍ଦେଶାବଳୀରେ ଟାଇପ୍-୧ ମଧୁମେହର ପ୍ରାରମ୍ଭିକ ଚିହ୍ନଟକୁ ସାମିଲ କରାଯାଇଛି। ଏହା ଅଧୀନରେ ପିଲାଙ୍କଠାରେ ‘4Ts’ ଲକ୍ଷଣ ଯାଞ୍ଚ କରାଯିବ। ସନ୍ଦେହ ହେଲେ ସେମାନଙ୍କ ରକ୍ତ ଶର୍କରା ସ୍ତର ତୁରନ୍ତ ପରୀକ୍ଷା କରାଯାଇପାରିବ। ଆବଶ୍ୟକତା ଅନୁସାରେ ପିଲାଙ୍କୁ ଜିଲ୍ଲା ଡାକ୍ତରଖାନାର ଅଣସଂକ୍ରାମକ ରୋଗ (NCD) କ୍ଲିନିକ୍କୁ ପଠାଯାଇ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ। ଏହାଦ୍ୱାରା ରୋଗକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରି ଜଟିଳତାର ଆଶଙ୍କା କମାଇବା ସମ୍ଭବ ହୋଇପାରିବ।
ଏମ୍ସର ନିର୍ଦ୍ଦେଶକ ତଥା ଏଣ୍ଡୋକ୍ରାଇନୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ନିଖିଲ ଟଣ୍ଡନ କହିଛନ୍ତି ଯେ କେବଳ ଟାଇପ୍-୧ ମଧୁମେହ ଚିହ୍ନଟ କରିଦେବା ଯଥେଷ୍ଟ ନୁହେଁ। ପିଲାମାନଙ୍କୁ ନିଜ ରୋଗ ସମ୍ପର୍କରେ ବୁଝାଇବା ସହ କିପରି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ, ସେନେଇ ଶିକ୍ଷା ଦେବା ମଧ୍ୟ ଜରୁରୀ। ଏଥିପାଇଁ ନିର୍ଦ୍ଧାରିତ ସମୟରେ ଇନସୁଲିନ୍ ନେବା, ନିୟମିତ ରକ୍ତ ଶର୍କରା ଯାଞ୍ଚ, ସନ୍ତୁଳିତ ଖାଦ୍ୟ ଏବଂ ଦୈନନ୍ଦିନ ଶାରୀରିକ କାର୍ଯ୍ୟକଳାପ ଆବଶ୍ୟକ। ଘର ଓ ସ୍କୁଲରେ ଉପଯୁକ୍ତ ଚିକିତ୍ସା ପରାମର୍ଶ ଏବଂ ସହଯୋଗ ମିଳିଲେ ଏହି ପିଲାମାନେ ଅନ୍ୟ ପିଲାଙ୍କ ପରି ସୁସ୍ଥ ଓ ସ୍ୱାଭାବିକ ଜୀବନ ବିତାଇପାରିବେ।
HRIDAYର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ମୋନିକା ଆରୋରା କହିଛନ୍ତି ଯେ ଆଧୁନିକ ଜୀବନଶୈଳୀ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରୁଛି। ଶାରୀରିକ କାର୍ଯ୍ୟକଳାପର ଅଭାବ, ଅସ୍ୱାସ୍ଥ୍ୟକର ଖାଦ୍ୟ, ନିଦ୍ରାର ଅଭାବ ଓ ମାନସିକ ଚାପ ଭଳି ସମସ୍ୟା ଉପରେ ଧ୍ୟାନ ଦେବା ଜରୁରୀ। ଟାଇପ୍-୧ ମଧୁମେହ ଥିବା ପିଲାଙ୍କୁ ଘର ଓ ସ୍କୁଲରେ ଏପରି ପରିବେଶ ମିଳିବା ଉଚିତ, ଯେଉଁଠାରେ ସେମାନେ ବିନା ସଙ୍କୋଚରେ ଇନସୁଲିନ୍ ନେଇପାରିବେ ଏବଂ ରକ୍ତ ଶର୍କରା ପରୀକ୍ଷା କରିପାରିବେ। ସ୍କୁଲଗୁଡ଼ିକ ମଧ୍ୟ ଆବଶ୍ୟକ ସମୟରେ ଏହି ସୁବିଧା ଯୋଗାଇବା ଉଚିତ। ଏହାସହ ମଧୁମେହ ଥିବା ପିଲାମାନଙ୍କୁ ଖେଳକୁଦ ଓ ଅନ୍ୟାନ୍ୟ ସ୍କୁଲ କାର୍ଯ୍ୟକଳାପରେ ଅନ୍ୟ ପିଲାଙ୍କ ପରି ସମାନ ଭାବେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିବା ଦରକାର। ରୋଗ ପାଇଁ ସେମାନଙ୍କୁ ଏକୁଟିଆ ବା ଅଲଗା ଅନୁଭବ କରାଇବା ଉଚିତ୍ ନୁହେଁ।
ଏହି କାର୍ଯ୍ୟକ୍ରମରେ HRIDAYର ‘Grassroots to Global India Initiative’ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା। ‘Beyond Type 1’ର ସହଯୋଗରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପର ପ୍ରଥମ ପର୍ଯ୍ୟାୟରେ ୧୪ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ସଚେତନତା ବାର୍ତ୍ତା ପହଞ୍ଚିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷ ଲୋକଙ୍କୁ ସଚେତନ କରାଯାଇଛି। ଏହାସହ ଟାଇପ୍-୧ ମଧୁମେହରେ ପୀଡ଼ିତ ପିଲା ଓ ସେମାନଙ୍କ ପରିବାରର ଅଭିଜ୍ଞତା ବାଣ୍ଟିବା ପାଇଁ ଗଠିତ ନେଟୱାର୍କ ମଧ୍ୟ ବୃଦ୍ଧି ପାଇଛି। ପୂର୍ବରୁ ଏଥିରେ ୧୪ ଜଣ ଥିବାବେଳେ ଏବେ ଏହି ସଂଖ୍ୟା ୨୫୦ରୁ ଅଧିକ ହୋଇଛି।
ପିଲାଙ୍କଠାରେ ବାରମ୍ବାର ପରିସ୍ରା, ଅତ୍ୟଧିକ ଶୋଷ, ଥକ୍କାପଣ ଓ ହଠାତ୍ ଓଜନ ହ୍ରାସ ଭଳି ଲକ୍ଷଣ ଦେଖାଗଲେ ଅଭିଭାବକମାନେ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ବାନ୍ତି, ପେଟ ଯନ୍ତ୍ରଣା, ଗଭୀର ବା ଦ୍ରୁତ ଶ୍ୱାସ, ଅତ୍ୟଧିକ ନିଦ୍ରାଳୁପଣ କିମ୍ବା ଚେତନା କମିବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଜରୁରୀ ଚିକିତ୍ସା ନେବା ଆବଶ୍ୟକ। ପ୍ରାରମ୍ଭିକ ଚିହ୍ନଟ, ନିୟମିତ ଚିକିତ୍ସା ଓ ପରିବାର-ସ୍କୁଲର ସହଯୋଗ ହିଁ ପିଲାଙ୍କୁ ଏକ ସୁସ୍ଥ ଓ ସ୍ୱାଭାବିକ ଜୀବନ ଦେଇପାରିବ।


