ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଉପଖଣ୍ଡ କଦଳୀଗଡ଼ର ଅର୍ଜୁନ ଡିଗ୍ରୀ କଲେଜରେ ଚତୁର୍ଥ ପ୍ରତିଷ୍ଠା ଦିବସ ଓ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ ଧୁମଧାମରେ ପାଳିତ ହୋଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଖିଳେନ୍ଦ୍ର ଶାସନୀ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ମହାବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରତିଷ୍ଠାଠାରୁ ଆଜି ପର୍ଯ୍ୟନ୍ତ ମହାବିଦ୍ୟାଳୟର ଶିକ୍ଷାଗତ ଅଗ୍ରଗତି, ଉପଲବ୍ଧି ଓ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ସେ ଆଲୋକପାତ କରିଥିଲେ।
ସମାରୋହରେ ପ୍ରଫେସର ହରେକୃଷ୍ଣ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷାର ମହତ୍ତ୍ୱ, ନୈତିକ ମୂଲ୍ୟବୋଧ ଓ ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ଶିକ୍ଷାନୁଷ୍ଠାନର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ। ରେଢ଼ାଖୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା, ନିଷ୍ଠା ଓ ଆତ୍ମବିଶ୍ୱାସ ସହ ଲକ୍ଷ୍ୟ ହାସଲ କରିବାକୁ ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ରେଢ଼ାଖୋଲ ବିଡିଓ ରାଜେନ୍ଦ୍ର ନାରାୟଣ ସେନାପତି, ପରିଚାଳନା କମିଟି ସଭାପତି କେ.ସି. ହୋତା ଏବଂ ଗଭର୍ଣ୍ଣିଂ ବଡି ସଭାପତି ଭୁବନେଶ୍ୱର ପ୍ରଧାନ ଉପସ୍ଥିତ ଥିଲେ। ଅତିଥିମାନେ ମହାବିଦ୍ୟାଳୟର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ସମାରୋହର ମୁଖ୍ୟ ଆକର୍ଷଣ ଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ବଡ଼ମାଳର ମା’ ମାହେଶ୍ୱରୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯିବା ସହ ମହାବିଦ୍ୟାଳୟର ଶିକ୍ଷାଗତ ଓ ସାଂସ୍କୃତିକ ଯାତ୍ରାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ଛାତ୍ରୀ ସାଇ ଦର୍ଶିତା ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ, କର୍ମଚାରୀ, ପୁରାତନ ଛାତ୍ରଛାତ୍ରୀ ଓ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସମାରୋହ ସଫଳତାର ସହ ସମ୍ପନ୍ନ ହୋଇଥିଲା।


