ନୂଆଦିଲ୍ଲୀ : ଡିଜିଟାଲ ବ୍ୟାଙ୍କିଂ ଯେତିକି ସହଜ ହୋଇଛି, ସାଇବର ଠକେଇର ବିପଦ ମଧ୍ୟ ସେତିକି ବଢ଼ିଛି। ଗୋଟିଏ ଅଜଣା ଲିଙ୍କ୍ରେ କ୍ଲିକ୍, ଏକ ଓଟିପି ସେୟାର କିମ୍ବା ନକଲି ଆପ୍ ଡାଉନଲୋଡ୍ କରିବା ମାତ୍ରେ ଖାଲି ହୋଇଯାଉଛି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ। ଅନେକ ସମୟରେ ଗ୍ରାହକ କିଛି ବୁଝିବା ପୂର୍ବରୁ ତାଙ୍କ ଜୀବନଯାକର ସଞ୍ଚିତ ଅର୍ଥ ଠକଙ୍କ ହାତକୁ ଚାଲିଯାଉଛି। ଏଭଳି ଡିଜିଟାଲ ଠକେଇ ଉପରେ ରୋକ୍ ଲଗାଇବାକୁ ଏବେ ବଡ଼ ପଦକ୍ଷେପ ନେବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)। ଗ୍ରାହକଙ୍କ ବ୍ୟାଙ୍କ ଜମାକୁ ଅନଧିକୃତ କାରବାରରୁ ସୁରକ୍ଷା ଦେବା ପାଇଁ ଆରବିଆଇ ପ୍ରସ୍ତାବ ଦେଇଛି ଦୁଇଟି ନୂଆ ବ୍ୟବସ୍ଥା। ଏହା ମଧ୍ୟରେ ରହିଛି ‘ଷ୍ଟପ୍ ସ୍ୱିଚ୍’ ଏବଂ ‘ଟ୍ରଷ୍ଟେଡ୍ ପର୍ସନ୍ ମେକାନିଜିମ୍’। ଏହି ଦୁଇ ବ୍ୟବସ୍ଥା ଲାଗୁ ହେଲେ ସାଇବର ଠକେଇ ସନ୍ଦେହ ହେବା ମାତ୍ରେ ଗ୍ରାହକ ନିଜ ଆକାଉଣ୍ଟରୁ ଟଙ୍କା ବାହାରିବାର ରାସ୍ତା ବନ୍ଦ କରିପାରିବେ।
ଆରବିଆଇର ପ୍ରସ୍ତାବିତ ‘ଷ୍ଟପ୍ ସ୍ୱିଚ୍’ ହେଉଛି ଏକ ଜରୁରୀକାଳୀନ ସୁରକ୍ଷା ବ୍ୟବସ୍ଥା। ଧରନ୍ତୁ, ଆପଣଙ୍କ ମୋବାଇଲ୍କୁ କୌଣସି ଅଜଣା ଲିଙ୍କ୍ ଆସିଲା ଏବଂ ଭୁଲ୍ରେ ତାହା ଉପରେ କ୍ଲିକ୍ କରିଦେଲେ। ଏହାପରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥିବା କିମ୍ବା ଅନଧିକୃତ କାରବାରର ଆଶଙ୍କା ଦେଖାଦେଲା। ଏଭଳି ସ୍ଥିତିରେ ଗୋଟିଏ କ୍ଲିକ୍ରେ ‘ଷ୍ଟପ୍ ସ୍ୱିଚ୍’ ସକ୍ରିୟ କରି ଆକାଉଣ୍ଟରୁ ସମସ୍ତ ନୂଆ ଡିଜିଟାଲ ଡେବିଟ୍ ବା ଟଙ୍କା ବାହାରିବା ପ୍ରକ୍ରିୟାକୁ ଅଟକାଇ ହେବ। ଏହା ସକ୍ରିୟ ହେବା ପରେ ନୂଆ ଡିଜିଟାଲ କାରବାର, ନୂଆ ପେମେଣ୍ଟ ନିର୍ଦ୍ଦେଶ ଏବଂ ସ୍ଥାୟୀ ପେମେଣ୍ଟ ନିର୍ଦ୍ଦେଶ ସୃଷ୍ଟି ଉପରେ ରୋକ୍ ଲାଗିବ। ଏପରିକି ନୂଆ ଥାର୍ଡ ପାର୍ଟି UPI ଆପ୍ ପଞ୍ଜୀକରଣ ମଧ୍ୟ କରାଯାଇପାରିବ ନାହିଁ।
ଅର୍ଥାତ୍ ଠକମାନେ ଯେକୌଣସି ନୂଆ ଡିଜିଟାଲ ମାଧ୍ୟମରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚେଷ୍ଟା କଲେ ତାହାକୁ ଅଟକାଇବାର ସୁଯୋଗ ମିଳିବ। ଏହି ବ୍ୟବସ୍ଥାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଏହାକୁ କେବଳ ମୋବାଇଲ୍ ଆପ୍ ମାଧ୍ୟମରେ ନୁହେଁ, ବରଂ ଇଣ୍ଟରନେଟ୍ ବ୍ୟାଙ୍କିଂ, ATM, ବ୍ୟାଙ୍କ ଶାଖା କିମ୍ବା ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ମାଧ୍ୟମରେ ମଧ୍ୟ ସକ୍ରିୟ କିମ୍ବା ନିଷ୍କ୍ରିୟ କରିବାର ବ୍ୟବସ୍ଥା ପ୍ରସ୍ତାବିତ ହୋଇଛି। ଫଳରେ ମୋବାଇଲ୍ ହ୍ୟାକ୍ ହୋଇଥିଲେ ମଧ୍ୟ ଗ୍ରାହକଙ୍କ ପାଖରେ ଅନ୍ୟ ବିକଳ୍ପ ରହିବ।
ତେବେ ଏହି ସୁରକ୍ଷା ବ୍ୟବସ୍ଥାକୁ ଯେପରି ସାଇବର ଅପରାଧୀମାନେ ନିଜ ସ୍ୱାର୍ଥରେ ବ୍ୟବହାର କରିନପାରନ୍ତି, ସେଥିପାଇଁ ଏହାକୁ ବନ୍ଦ କରିବା ବା ଡିଆକ୍ଟିଭ୍ କରିବା ପ୍ରକ୍ରିୟା ମଧ୍ୟ କଠୋର ରଖିବାକୁ ପ୍ରସ୍ତାବ ରହିଛି। ଗ୍ରାହକଙ୍କ ଅନୁରୋଧ ପରେ ବ୍ୟାଙ୍କ ପକ୍ଷରୁ ଆବଶ୍ୟକ ଯାଞ୍ଚ କରାଯିବ। ଏହା ସହିତ ଏକ ନିର୍ଦ୍ଦିଷ୍ଟ ‘କୁଲିଂ ଅଫ୍ ପିରିୟଡ୍’ ମଧ୍ୟ ରହିବ। ଅର୍ଥାତ୍ ଷ୍ଟପ୍ ସ୍ୱିଚ୍କୁ ନିଷ୍କ୍ରିୟ କରିବା ପାଇଁ ଅନୁରୋଧ କରିବା ମାତ୍ରେ ତାହା ତୁରନ୍ତ କାର୍ଯ୍ୟକାରୀ ହେବ ନାହିଁ। ଏହାଦ୍ୱାରା ଠକମାନେ ମୋବାଇଲ୍ କିମ୍ବା ବ୍ୟାଙ୍କିଂ ଆକାଉଣ୍ଟର ନିୟନ୍ତ୍ରଣ ହାସଲ କରି ଏହି ସୁରକ୍ଷା ବ୍ୟବସ୍ଥାକୁ ସହଜରେ ହଟାଇ ପାରିବେ ନାହିଁ।
ଅନ୍ୟପକ୍ଷରେ, ଡିଜିଟାଲ ବ୍ୟାଙ୍କିଂ ସମ୍ପର୍କରେ କମ୍ ଜ୍ଞାନ ରଖିଥିବା ବୟସ୍କ ନାଗରିକ ଓ ଅନ୍ୟ ଗ୍ରାହକଙ୍କ ପାଇଁ ଆଉ ଏକ ସୁରକ୍ଷା କବଚ ଭାବେ ‘ଟ୍ରଷ୍ଟେଡ୍ ପର୍ସନ୍ ମେକାନିଜିମ୍’ ପ୍ରସ୍ତାବ ରହିଛି। ଏହି ବ୍ୟବସ୍ଥାରେ ଜଣେ ବ୍ୟାଙ୍କ ଗ୍ରାହକ ନିଜ ଇଚ୍ଛାରେ ପରିବାରର କୌଣସି ସଦସ୍ୟ କିମ୍ବା ଅନ୍ୟ ଜଣେ ବିଶ୍ୱସ୍ତ ବ୍ୟକ୍ତିଙ୍କୁ ନିଜ ଆକାଉଣ୍ଟ ପାଇଁ ମନୋନୀତ କରିପାରିବେ। ତେବେ ଏଥିପାଇଁ ମନୋନୀତ ବ୍ୟକ୍ତିଙ୍କ ବୟସ ୧୮ ବର୍ଷରୁ ଅଧିକ ହେବା ଆବଶ୍ୟକ।
ଏହି ବ୍ୟବସ୍ଥାରେ ଗ୍ରାହକ ନିଜ ଆକାଉଣ୍ଟରୁ କେତେ ପରିମାଣର ଟଙ୍କା ସ୍ଥାନାନ୍ତର କରିବା ପର୍ଯ୍ୟନ୍ତ କୌଣସି ଅତିରିକ୍ତ ଅନୁମତି ଆବଶ୍ୟକ ହେବ ନାହିଁ, ସେଥିପାଇଁ ଏକ ସୀମା ନିର୍ଦ୍ଧାରଣ କରିପାରିବେ। ଯଦି ଏହି ସୀମାଠାରୁ ଅଧିକ ଟଙ୍କା RTGS କିମ୍ବା NEFT ମାଧ୍ୟମରେ ପଠାଇବାକୁ ଉଦ୍ୟମ ହୁଏ, ତେବେ ବ୍ୟାଙ୍କ ପ୍ରଥମେ ମନୋନୀତ ବିଶ୍ୱସ୍ତ ବ୍ୟକ୍ତିଙ୍କ ନିକଟକୁ ଏକ ସତର୍କ ସୂଚନା ପଠାଇବ। ତାଙ୍କ ଅନୁମୋଦନ ମିଳିବା ପରେ ହିଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅର୍ଥ ସ୍ଥାନାନ୍ତର ହୋଇପାରିବ। ପ୍ରସ୍ତାବ ଅନୁଯାୟୀ, ଅନୁମୋଦନ ମିଳିବାର ଏକ ଘଣ୍ଟା ମଧ୍ୟରେ ଟଙ୍କା ପଠାଯିବାର ବ୍ୟବସ୍ଥା ରହିଛି।
ବିଶେଷକରି ବୟସ୍କ ନାଗରିକ, ଡିଜିଟାଲ କାରବାରରେ ଅଭ୍ୟସ୍ତ ନଥିବା ବ୍ୟକ୍ତି ଏବଂ ଅନଲାଇନ୍ ଠକେଇର ସହଜ ଶିକାର ହେଉଥିବା ଗ୍ରାହକଙ୍କ ପାଇଁ ଏହା ବେଶ୍ ଉପଯୋଗୀ ହୋଇପାରେ। କାରଣ ସାଇବର ଠକମାନେ ଅନେକ ସମୟରେ ଫୋନ୍ କରି ନିଜକୁ ବ୍ୟାଙ୍କ ଅଧିକାରୀ, ପୋଲିସ କିମ୍ବା ସରକାରୀ କର୍ମଚାରୀ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରି ବଡ଼ ଅଙ୍କର ଟଙ୍କା ଟ୍ରାନ୍ସଫର କରାଇଥାନ୍ତି। ଏପରି ସ୍ଥିତିରେ ଆକାଉଣ୍ଟରେ ଟଙ୍କା ପଠାଇବା ସୀମା ଅତିକ୍ରମ କଲେ ବିଶ୍ୱସ୍ତ ବ୍ୟକ୍ତିଙ୍କୁ ସୂଚନା ମିଳିବା ଫଳରେ ଠକେଇକୁ ରୋକିବା ପାଇଁ ଅତିରିକ୍ତ ସମୟ ମିଳିପାରିବ।
ଡିଜିଟାଲ ଯୁଗରେ ଟଙ୍କା କାରବାର ଯେତିକି ଦ୍ରୁତ ହୋଇଛି, ଠକେଇର ଆଶଙ୍କା ମଧ୍ୟ ସେତିକି ଜଟିଳ ହୋଇଛି। ତେଣୁ ଗ୍ରାହକଙ୍କ ଟଙ୍କାର ସୁରକ୍ଷା ପାଇଁ RBIର ଏହି ଦୁଇ ପ୍ରସ୍ତାବିତ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଗୋଟିଏ ପଟେ ଷ୍ଟପ୍ ସ୍ୱିଚ୍ ଜରୁରୀ ସମୟରେ ଡିଜିଟାଲ ଡେବିଟ୍କୁ ଅଟକାଇବାର ସୁଯୋଗ ଦେବ, ଅନ୍ୟପଟେ ଟ୍ରଷ୍ଟେଡ୍ ପର୍ସନ୍ ବ୍ୟବସ୍ଥା ବଡ଼ ଅଙ୍କର ଅର୍ଥ ସ୍ଥାନାନ୍ତର ପୂର୍ବରୁ ଆଉ ଜଣଙ୍କ ନଜର ଓ ଅନୁମୋଦନ ସୁନିଶ୍ଚିତ କରିବ। ତେବେ ଏହି ବ୍ୟବସ୍ଥାଗୁଡ଼ିକ ଏବେ ପ୍ରସ୍ତାବିତ ପଦକ୍ଷେପ; ଏହାର ଚୂଡ଼ାନ୍ତ ନିୟମ ଓ କାର୍ଯ୍ୟକାରିତା ସମ୍ପର୍କରେ RBIର ଔପଚାରିକ ନିର୍ଦ୍ଦେଶକୁ ଅପେକ୍ଷା କରିବାକୁ ପଡ଼ିବ।


