ଅଜଣା ଗାଡି ଧକ୍କାରେ ଯୁବକ ମୃତ: ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକ

Published: Feb 21, 2024, 8:20 pm IST

ରେଢାଖୋଲ (କନ୍ଦର୍ପ ବେହେରା): ଆଜି ଅପରାହ୍ନ ୩ ଟା ସମୟରେ ଉଦ୍ୟାନ ବିଭାଗ ଅଫିସ୍ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜନୈକ ଯୁବକ ମୃତ୍ୟୁବରଣ କରିଥିବା ଜଣା ପଡିଛି। ମୃତକ ଜଣଙ୍କ ହେଲେ ଚାରମାଳ ଗ୍ରାମର ଲିଟୁ ଦାସ ବୋଲି ଜଣାପଡିଛି।

ଖବରରୁ ପ୍ରକାଶ ଯେ, ଲିଟୁ ଦାସ କୌଣସି କାମରେ ରେଢାଖୋଲ ଯାଇଥିଲେ। କାମ ସାରି ଅପରାହ୍ନ ପ୍ରାୟ ୩ ଟା ସମୟରେ ଚାରମାଳ ନିଜ ଘରକୁ ଫେରୁଥିବା ସମୟରେ ଉଦ୍ୟାନ ବିଭାଗ ଅଫିସ୍ ପାଖାପାଖି ସମ୍ବଲପୁର ପଟୁ ଆସୁଥିବା ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ଲିଟୁଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଡାକ୍ତରଖାନା ପଠାଇଥିଲା।

ପରିବାର ଲୋକେ ଆସିବା ବେଳକୁ ମୃତଦେହ ଡାକ୍ତରଖାନାରେ ଥିବା ଜାଣି ଲୋକମାନେ ଉତ୍ୟକ୍ତ ହୋଇପଡିଥିଲେ। ଘଟଣା ସ୍ଥଳରେ ହିଁ ଉତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଉଭୟ ପଟେ ଶହ ଶହ ଗାଡି ଦୀର୍ଘ ୩ ଘଂଟା ଅଟକି ରହିଥିବାରୁ ଟ୍ରାଫିକ୍ ସମସ୍ୟା ଦେଖା ଦେଇଥିଲା।

ଘଟଣା ସ୍ଥଳରେ ରେଢାଖୋଲ ଏସ୍ ଡି ପିଓ ଏଵଂ ରେଢାଖୋଲ ଉପଜିଲ୍ଲାପାଳ ପହଂଚି ରାସ୍ତାରୋକ କରିଥିବା ଜନସାଧାରଣଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।  ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Related posts