Categories
ଆଞ୍ଚଳିକ

ପେନସନ୍, ସୁରକ୍ଷା ଦାବୀରେ ରେଢାଖୋଲରେ ସାମ୍ବାଦିକ ୟୁନିୟନ (ଓୟୁଜେ) ର ପ୍ରତିବାଦ ଦିବସ

ରେଢାଖୋଲ: ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ଆହ୍ବାନକ୍ରମେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ସାମ୍ବାଦିକ ୟୁନିୟନ ରେଢାଖୋଲ ୟୁନିଟ୍ ତରଫରୁ ପ୍ରତିବାଦ ଦିବସ ପାଳନ କରାଯାଇଛି। ସାମ୍ବାଦିକ ମାନଙ୍କୁ ପେନସନ ରାଶି ପ୍ରଦାନ ଏବଂ ସାମ୍ବାଦିକ ମାନଙ୍କ ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଆଦି ଦାବୀରେ ରେଢାଖୋଲ ୟୁନିଟ୍ ର ସମସ୍ତ ସଦସ୍ୟ କଳା ବ୍ୟାଚ୍ ପିନ୍ଧି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ।

ଏଥିରେ ୟୁନିୟନର ସଭାପତି ଜୟନ୍ତ କୁମାର ଖଡିରତ୍ନ, ସଂପାଦକ ଶଙ୍କର ପ୍ରୁଷ୍ଟି, ରମାକାନ୍ତ ମହାନନ୍ଦ, ମିଡିଆ କୋଅଡିନେଟର କନ୍ଦର୍ପ ବେହେରା, ପ୍ରସନ୍ନ କୁମାର ପ୍ରଧାନ, ଅନୀଲ କୁମାର ପ୍ରୁଷ୍ଟି, ତପନ କୁମାର ବିଶ୍ବାଳ, ସରୋଜ କୁମାର ସାହୁ, ବିଦ୍ୟାଧର ମାଝୀ, ଲିଙ୍ଗରାଜ ସାହୁ, ମମତା ପାତ୍ର, ରୋହିତ ଭୋଇ, ମଦନ ବେହେରା ପ୍ରମୁଖ ସାମିଲ୍ ହୋଇଥିଲେ।

Categories
ଆଞ୍ଚଳିକ

ଅଜଣା ଗାଡି ଧକ୍କାରେ ଯୁବକ ମୃତ: ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକ

ରେଢାଖୋଲ (କନ୍ଦର୍ପ ବେହେରା): ଆଜି ଅପରାହ୍ନ ୩ ଟା ସମୟରେ ଉଦ୍ୟାନ ବିଭାଗ ଅଫିସ୍ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜନୈକ ଯୁବକ ମୃତ୍ୟୁବରଣ କରିଥିବା ଜଣା ପଡିଛି। ମୃତକ ଜଣଙ୍କ ହେଲେ ଚାରମାଳ ଗ୍ରାମର ଲିଟୁ ଦାସ ବୋଲି ଜଣାପଡିଛି।

ଖବରରୁ ପ୍ରକାଶ ଯେ, ଲିଟୁ ଦାସ କୌଣସି କାମରେ ରେଢାଖୋଲ ଯାଇଥିଲେ। କାମ ସାରି ଅପରାହ୍ନ ପ୍ରାୟ ୩ ଟା ସମୟରେ ଚାରମାଳ ନିଜ ଘରକୁ ଫେରୁଥିବା ସମୟରେ ଉଦ୍ୟାନ ବିଭାଗ ଅଫିସ୍ ପାଖାପାଖି ସମ୍ବଲପୁର ପଟୁ ଆସୁଥିବା ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ଲିଟୁଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଡାକ୍ତରଖାନା ପଠାଇଥିଲା।

ପରିବାର ଲୋକେ ଆସିବା ବେଳକୁ ମୃତଦେହ ଡାକ୍ତରଖାନାରେ ଥିବା ଜାଣି ଲୋକମାନେ ଉତ୍ୟକ୍ତ ହୋଇପଡିଥିଲେ। ଘଟଣା ସ୍ଥଳରେ ହିଁ ଉତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଉଭୟ ପଟେ ଶହ ଶହ ଗାଡି ଦୀର୍ଘ ୩ ଘଂଟା ଅଟକି ରହିଥିବାରୁ ଟ୍ରାଫିକ୍ ସମସ୍ୟା ଦେଖା ଦେଇଥିଲା।

ଘଟଣା ସ୍ଥଳରେ ରେଢାଖୋଲ ଏସ୍ ଡି ପିଓ ଏଵଂ ରେଢାଖୋଲ ଉପଜିଲ୍ଲାପାଳ ପହଂଚି ରାସ୍ତାରୋକ କରିଥିବା ଜନସାଧାରଣଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।  ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Categories
ଆଞ୍ଚଳିକ

ଜଙ୍ଗଲ ନିଆଁ ନିରାକରଣ ପାଇଁ ସଚେତନତା ସଭା

ରେଢାଖୋଲ: ରେଢାଖୋଲ ବନଖଣ୍ଡ ଗିରିଶ୍ଚନ୍ଦ୍ରପୁର ରେଞ୍ଜଠାରେ ଜଙ୍ଗଲରେ ନିଆଁ ଓ ତାର ନିରାକରଣ ସଂପର୍କରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିକାରୀ ସୁରେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଏସିଏଫ୍ ଅଶ୍ବିନୀ ବେହେରା ମୁଖ୍ୟଅତିଥି, ମୁଖ୍ୟ ବକ୍ତା ଭାବରେ ସଦାନନ୍ଦ ଭୋଇ, ସମ୍ମାନୀତ ଅତିଥି ଭାବରେ ଗିରିଶ୍ଚନ୍ଦ୍ରପୁର ସରପଞ୍ଚ ଶୁଭେନ୍ଦ୍ର ପ୍ରଧାନ, ପାଣିମୋରା ସରପଞ୍ଚ ଜଗବନ୍ଧୁ ସାହୁ, ସମାଜସେବୀ ରଘୁନାଥ ପ୍ରଧାନ, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିପିନ୍ ବିହାରୀ ପ୍ରଧାନ, କିସିଣ୍ଡା ରେଞ୍ଜ ଅଧିକାରୀ ଦେବକୀ ପ୍ରଧାନ, କିସିଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରିତା ଭୋଇ, କିସିଣ୍ଡା ସମିତି ସଭ୍ୟା ଯାଜ୍ଞସେନୀ କୁଅଁର ପ୍ରମୁଖ ଯୋଗଦେଇ ଜଙ୍ଗଲ ନିଆଁ ନିରାକରଣ ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ଆବଶ୍ୟକ ଏବଂ ଜଙ୍ଗଲରେ ଯେଉଁ ବ୍ୟକ୍ତି ନିଆଁ ଲଗାଇଵ ସେ ବ୍ୟକ୍ତି ବିରିଦ୍ଧରେ ଦ୍ରୁଢ କାର୍ଯ୍ୟନୁଷ୍ଠାନ ନେବାର ଆବଶ୍ୟକତା ଅଛି ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ।

ସାମ୍ବାଦିକ କନ୍ଦର୍ପ ବେହେରା ଆଲୋଚନାରେ ଭାଗ ନେଇ ଜଙ୍ଗଲର ଉପକାରିତା ସଂପର୍କରେ ମତବ୍ୟକ୍ତ କରିଥିଲେ। ଏହି ସଭାରେ ଗିରିଶ୍ଚନ୍ଦ୍ରପୁର ରେଞର ବନ ସୁରକ୍ଷା ସମିତିର ସଭାପତି, ସଭ୍ୟ, ଛାତ୍ରଛାତ୍ରୀ, ମହିଳା ସ୍ବୟଂସହାୟିକା ଗୋଷ୍ଠୀ ଯୋଗଦେଇଥିଲେ। ବନ ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦେଶୀ ବନ୍ଧୁକ ଧରି ଧମକ ଦେବା ଅଭିଯୋଗରେ ଯୁବକ ଗିରଫ, ବନ୍ଧୁକ ଜବତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ଦେଶୀ ବନ୍ଧୁକ ଧରି ଧମକ ଚମକ ଦେବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅଂଚଳର ଜଣେ ଯୁବକକୁ ଗିରଫ କରିଛି ଚାରମାଳ ପୋଲିସ। ଗିରଫ ଯୁବକ ଜଣଙ୍କ ହେଲେ ଚାରମାଳ ଥାନା ବରିହାସାହିର ତପନ ମିର୍ଦ୍ଧା(୨୬)।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଚାରମାଳ ଥାନା ବରିହାସାହିର ତପନ ମିର୍ଦ୍ଧା ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ଏକ ଦେଶୀ ବନ୍ଧୁକ ଧରି ନିଜ ଗାଁ ବରିହାସାହି ର ବାସିନ୍ଦା ଦୁଃଶାସନ ମିର୍ଦ୍ଧା ଙ୍କ ଘର ଭିତରକୁ ଯାଇ ଗାଳି ଗୁଲଜ କରି ଜୀବନ ରେ ମାରି ଦେବାକୁ ଧମକ ଚମକ ଦେଇଥିଲେ। ଯୁବକ ତପନ ମିର୍ଦ୍ଧା ରାଶିବେଡା ଗ୍ରାମ ନିକଟରେ ମଦ ପିଇ ରାସ୍ତା କଡ଼ରେ ପଡ଼ି ରହିଥିବା ବେଳେ ଦୁଃଶାସନ ମୋବାଇଲରେ ଫଟୋ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରି ଦେଇଥିଲେ। ଏହା ଜାଣିବା ପରେ ଯୁବକ ଜଣକ ଉତ୍ତେଜିତ ହୋଇ ତାଙ୍କ ଘର କୁ ଯାଇ ଧମକ ଚମକ ଦେଇ ଚାଲି ଯାଇଥିଲେ। ପରେ ଦୁଃଶାସନ ଙ୍କ ପତ୍ନୀ ବନିତା ମିର୍ଦ୍ଧା ତପନ ମିର୍ଦ୍ଧା ନାମରେ ଚାରମାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ କ୍ରମେ ପୋଲିସ କେସ ନଂ ୧୫/୨୪ ଆର୍ମ ଆକ୍ଟ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଉକ୍ତ ଯୁବକ ଜଣଙ୍କୁ ଗିରଫ କରିବା ସହ ତା ଠାରୁ ଏକ ଦେଶୀ ବନ୍ଧୁକ ଜବତ କରିଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଚାରମାଳ ପୋଲିସ ଏକ ପ୍ରେସ୍ ଇସ୍ତାହାରରେ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କାଠ ପୋଲ ହିଁ ୯ଟି ଗାଁର ସାହା ଭରସା: ସ୍ଥାନୀୟ ବାସିନ୍ଦାଙ୍କ ଚେତାବନୀ, “ସେତୁ ନାହିଁ ତ ଭୋଟ ନାହିଁ”

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସ୍ବାଧୀନତାର ବହୁ ବର୍ଷ ପରେ ମଧ୍ୟ ଲୋକ ମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। କେଉଁଠି ରାସ୍ତା ନାହିଁ ତ କେଉଁଠି ପୋଲ ନାହିଁ। ଯାହା ଫଳରେ ଗ୍ରାମାଞ୍ଚଳର ଲୋକ ମାନେ ବ୍ଲକ୍ ଅଫିସ୍ ହେଉ ବା ଡାକ୍ତରଖାନା ହେଉ ଯିବା ଆସିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ସେମିତି ଗାଁ କେତୋଟି ରହିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଅଞ୍ଚଳରେ। ଯାହାକି କାଠ ପୋଲ ତିଆରି କରି ଗ୍ରାମବାସୀ ଯିବା ଆସିବା କରୁଛନ୍ତି। ବ୍ଲକ୍ ର ବାଟଗାଁ ଏବଂ ସାଲେଭଟା ପଂଚାୟତ ଦେଇ ଯାଇଥିବା ଟିକିରା ନଦୀ ଉଭୟ ପଂଚାୟତର ଅଧିବାସୀ ମାନଙ୍କ ପାଇଁ ବାଧକ ସାଜିଛି। ନଦୀ ଉପରେ ପୋଲ ଟିଏ ନଥିବାରୁ ସାଲେଭଟା ପଂଚାୟତ ର କଂଢଳ, ବସାଲୋଇ, ବାବୁତଇଲା, ନେଭରାପାଳ, ରୋହିନିଗାଡ଼ିଆ, ଗୋହିରାନାଲି, ତୁଳସୀତଇଲା, ଡେରାପଥର, ଶଙ୍କରପାଲି ଆଦି ଗ୍ରାମବାସୀଙ୍କୁ ଟିକିରା ନଦୀପାଇଁ ତିନି କିଲୋମିଟର ରାସ୍ତାକୁ ୨୦ କିଲୋମିଟର ରାସ୍ତା ବୁଲିକି ଯିବାକୁ ପଡୁଛି। ଏହି ନଅ ଖଣ୍ଡ ଗ୍ରାମରେ ପ୍ରାୟ ତିନି ହଜାର ଆଦିବାସୀ ଓ ହରିଜନ ଲୋକ ବସବାସ କରନ୍ତି।

ଉକ୍ତ ଗ୍ରାମବାସୀ ମାନେ ସାଲେଭଟା ପଂଚାୟତ ଅଧୀନରେ ଥିଲେବି ସ୍କୁଲ, କଲେଜ, ଡାକ୍ତରଖାନା, ବ୍ୟାଙ୍କ ଓ ବଜାର ଆଦି ବିଭିନ୍ନ କାର୍ଯ୍ୟ ପାଇଁ ବାଟଗାଁ ପଂଚାୟତ ଉପରେ ନିର୍ଭର କରିଥାନ୍ତି। ଏହା ସହ କଣ୍ଢଳ ଗ୍ରାମରେ ଏକ ସେବାଶ୍ରମ ସ୍କୁଲ ରହିଥିବା ବେଳେ ଶହେ ଶଯ୍ୟା ବିଶିଷ୍ଟ ଏକ ଛାତ୍ରବାସ ମଧ୍ୟ ରହିଛି। ଯାହା ଫଳରେ କଣ୍ଢଳ ଓ ଗଦାଧରପୁର ରାସ୍ତାର ଟିକିରା ନଦୀରେ ପୋଲଟିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଦିନେ ଲୋକମାନେ ଜୀବନକୁ ବାଜି ଲଗେଇ ନଦୀରେ ଯାତାୟାତ କରନ୍ତି।

ଏହି ଗ୍ରାମ ଗୁଡିକୁ ବର୍ଷାଦିନେ ରୋଗୀ ଏବଂ ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ଆସିପାରେ ନାହିଁ।  ଯାହା ଫଳରେ ରୋଗୀ ମୃତ୍ୟୁମୁଖରେ ପଡେ। ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ସଂପ୍ରୁକ୍ତ ଗ୍ରାମବାସୀ। ଯଦି ଏହି ନାଳ ଉପରେ ଏକ ପୋଲ ତିଆରି କରା ନ ଯାଏ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭୋଟବର୍ଜନ କରିବାକୁ ଧମକ ଦେଇଛନ୍ତି ୯ ଖଣ୍ଡ ଗ୍ରାମର ବାସିନ୍ଦା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନିଜ ଜୀବନକୁ ବାଜି ଲଗାଇ ପାଣିଟାଙ୍କି ଉପରେ ଅନଲାଇନରେ ପାଠପଢୁଛନ୍ତି ଛାତ୍ରଛାତ୍ରୀ

କନ୍ଦର୍ପ ବେହେରା
ରେଢାଖୋଲ: ବିଶ୍ୱରେ କରୋନା ଯୋଗୁଁ ଛାତ୍ରଛାତ୍ରୀମାନେ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ସରକାର ଗତ ମାର୍ଚ୍ଚ ମାସରୁ ବିଦ୍ୟାଳୟ, ମହାବିଦ୍ୟାଳୟ ଗୁଡିକୁ ସଂପୂର୍ଣ ବନ୍ଦ କରିଥିବା ବେଳେ ଛାତ୍ରଛାତ୍ରୀମାନେ ଅନଲାଇନରେ ପାଠ ପଢିବାକୁ ସରକାର ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଗ୍ରାମାଂଚଳର ସମସ୍ତ ପିଲାମାନଙ୍କ ଠାରେ ଏସବୁର ସୁବିଧା ଉପଲବ୍ଧ ହୋଇପାରୁନାହିଁ। ସେମିତି ଏକ ଗାଁ ସମ୍ବଲପୁର ଜିଲ୍ଲାରେ ରହିଛି ଯେଉଁଠି ପିଲାମାନେ ପାଣିଟାଙ୍କି ଉପରକୁ ଚଢି ପାଠପଢୁଥିବାର ଦେଖିବାକୁ ମିଳିଛି।

ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ଘୋଷରାମାଳ ପଂଚାୟତର ଲାଣ୍ଡିମାଳ ଗ୍ରାମର ଛାତ୍ରଛାତ୍ରୀମାନେ ଗାଁରେ କୌଣସି ନେଟୱର୍କର ସୁବିଧା ନ ଥିବାରୁ ସେମାନେ ବାଧ୍ୟ ହୋଇ ଗ୍ରାମରେ ଥିବା ପାଣି ଟାଙ୍କି ଉପରେ ଚଢି ଜୀବନକୁ ବାଜି ଲଗାଇ ଅନଲାଇନରେ ପାଠ ପଢୁଥିବାର ଦୃଶ୍ୟ ଆମ ପ୍ରତିନିଧିଙ୍କ ନଜରକୁ ଆସିଛି।

ସରକାର ପିଲାମାନେ ଅନଲାଇନରେ ପାଠ ପଢିବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହେଲେ ଗ୍ରାମାଂଚଳରେ ଏସବୁର ସୁବିଧା ଓ ସମସ୍ତଙ୍କ ପାଖରେ ମୋବାଇଲ ଫୋନର ସୁବିଧା ଅଛି କି ନାହିଁ ସେ ସଂପର୍କରେ ଅବଗତ ନାହାନ୍ତି। ଯାହା ପାଖରେ ଅଛି ସେଇ ଗାଁରେ ନେଟୱର୍କର ସୁବିଧା ମଧ୍ୟ ନାହିଁ। ସରକାର କେମିତି ଅନଲାଇନ ପାଠ ପଢାକୁ ଗୁରୁତ୍ୱ ଦେଲେ ତାହା ଆଦୌ ବୁଝାପଡୁନାହିଁ ବୋଲି ଲାଣ୍ଡିମାଳର ଏହି ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି। ସରକାର ଏ ସଂପର୍କରେ ଚିନ୍ତା କରିବାର ସମୟ ଆସିଛି ବୋଲି ଅଭିଭାବକ ମାନେ ମଧ୍ୟ ପ୍ରକାଶ କରିଛନ୍ତି।

ଲାଣ୍ଡିମାଳରେ କୌଣସି ଟାଓାର ମଧ୍ୟ ନାହିଁ। ପାଣିଟାଙ୍କି ଉପରକୁ ଚଢିଲେ ସେଠାରେ ନାକଟିଦେଉଳ କିମ୍ବା ରିଆମାଳ ନେଟୱର୍କ ଆସିଥାଏ। ଯା’ ଫଳରେ ପିଲାମାନେ କିଛି ସମୟ ପର୍ଯ୍ୟନ୍ତ ପଢିବାର ସୁଯୋଗ ପାଇଥାନ୍ତି। ହେଲେ ବର୍ଷା ଦିନରେ ସେ ସବୁର ସୁବିଧା ମଧ୍ୟ ହୋଇ ପାରି ନଥାଏ। ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଟଗାଁରେ ହାତୀ ଆକ୍ରମଣରେ ମହିଳାଙ୍କ ପ୍ରାଣହାନି

କନ୍ଦର୍ପ ବେହରା
ରେଢାଖୋଲ: ଆଜି ନାକଟିଦେଉଳ ବ୍ଲକର ବାଟଗାଁରେ ଜଣେ ମହିଳା ପତ୍ର ତୋଳାଳିିଙ୍କୁ ହାତୀ ଦଳି ଦେଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ ନାକ୍‌ଟିଦେଉଳ ରେଞ୍ଜ ଅଧିନସ୍ଥ ବାଟଗାଁ ପଂଚାୟତର ବେଠିଆବେନି ଗ୍ରାମରେ ଜଣେ ମହିଳା ପତ୍ର ତୋଳି ଯାଇଥିବା ବେଳେ ଜଙ୍ଗଲରେ ହାତୀ ସାମ୍ନାରେ ପଡିଯାଇଥିଲେ। ହାତୀଟି ଦଳିଦେଇ ସେଠାରୁ ଜଙ୍ଗଲ ଆଡକୁ ପଳାଇଥିବା ଖବର ହସ୍ତଗତ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ଦମୟନ୍ତୀ ଦେହୁରୀ (୬୫)। ବହୁ ସମୟ ଧରି ସେ ଘରକୁ ନ ଆସିବାରୁ ଖୋଜାଖୋଜି ପରେ ତାଙ୍କର ମୃତ ଦେହ ପରିବାର ଲୋକେ ପାଇ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ମୃତ ଦେହ ନିକଟରେ ଜଙ୍ଗଲ ବିଭାଗର କୌଣସି ଅଧିକାରୀ ପହଂଚି ନ ଥିବାର ସୂଚନା ହସ୍ତଗତ ହୋଇଛି।

ନାକଟିଦେଉଳ ରେଞ୍ଜ ଅଧିକାରୀ ଅଶ୍ୱିନୀ ବେହେରାଙ୍କୁ ଯୋଗାଯୋଗ କରିବାରୁ ପୋଲିସ୍‌ ଆସିଲେ ଶବ ପାଖକୁ ଯାଇ ସେ କେଉଁ ଅଂଚଳରେ ମୃତ୍ୟୁବରଣ କରିଛି ସବିଶେଷ ତଥ୍ୟ ଦେଇ ପାରିବୁ ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ଏମିତି ବାରମ୍ବାର ରେଢାଖୋଲ ସବଡିଭିଜନରେ ହାତୀ ହାବୁଡରେ ପଡି ବହୁ ଧନ ଜୀବନ ଯାଉଥିବାର ନଜିର ରହିଛି। ଦିନକୁ ଦିନ ଜଙ୍ଗଲ ଧ୍ୱଂସ ପାଇବା ଫଳରେ ହାତୀମାନେ ଗାଁ ଆଡକୁ ମାଡି ଆସୁଛନ୍ତି।

ନିକଟରେ ରେଢାଖୋଲ ହେମାମୁରା ଗ୍ରାମରେ ମଧ୍ୟ ଜଣେ ମହିଳାକୁ ହାତୀ ଦଳିଦେବା ସହ ବାଟଗାଁ ପଂଚାୟତର ବିନ୍ଧପୁର ଗ୍ରାମରେ ମଧ୍ୟ ଜଣେ ମହିଳାକୁ ହାତୀ ମାରିଦେଇଥିଲା। ମୃତ ମହିଳାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି ହେଉଛି।