ବାଟଗାଁରେ ହାତୀ ଆକ୍ରମଣରେ ମହିଳାଙ୍କ ପ୍ରାଣହାନି

Published: May 23, 2020, 4:44 pm IST

କନ୍ଦର୍ପ ବେହରା
ରେଢାଖୋଲ: ଆଜି ନାକଟିଦେଉଳ ବ୍ଲକର ବାଟଗାଁରେ ଜଣେ ମହିଳା ପତ୍ର ତୋଳାଳିିଙ୍କୁ ହାତୀ ଦଳି ଦେଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ ନାକ୍‌ଟିଦେଉଳ ରେଞ୍ଜ ଅଧିନସ୍ଥ ବାଟଗାଁ ପଂଚାୟତର ବେଠିଆବେନି ଗ୍ରାମରେ ଜଣେ ମହିଳା ପତ୍ର ତୋଳି ଯାଇଥିବା ବେଳେ ଜଙ୍ଗଲରେ ହାତୀ ସାମ୍ନାରେ ପଡିଯାଇଥିଲେ। ହାତୀଟି ଦଳିଦେଇ ସେଠାରୁ ଜଙ୍ଗଲ ଆଡକୁ ପଳାଇଥିବା ଖବର ହସ୍ତଗତ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ଦମୟନ୍ତୀ ଦେହୁରୀ (୬୫)। ବହୁ ସମୟ ଧରି ସେ ଘରକୁ ନ ଆସିବାରୁ ଖୋଜାଖୋଜି ପରେ ତାଙ୍କର ମୃତ ଦେହ ପରିବାର ଲୋକେ ପାଇ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ମୃତ ଦେହ ନିକଟରେ ଜଙ୍ଗଲ ବିଭାଗର କୌଣସି ଅଧିକାରୀ ପହଂଚି ନ ଥିବାର ସୂଚନା ହସ୍ତଗତ ହୋଇଛି।

ନାକଟିଦେଉଳ ରେଞ୍ଜ ଅଧିକାରୀ ଅଶ୍ୱିନୀ ବେହେରାଙ୍କୁ ଯୋଗାଯୋଗ କରିବାରୁ ପୋଲିସ୍‌ ଆସିଲେ ଶବ ପାଖକୁ ଯାଇ ସେ କେଉଁ ଅଂଚଳରେ ମୃତ୍ୟୁବରଣ କରିଛି ସବିଶେଷ ତଥ୍ୟ ଦେଇ ପାରିବୁ ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ଏମିତି ବାରମ୍ବାର ରେଢାଖୋଲ ସବଡିଭିଜନରେ ହାତୀ ହାବୁଡରେ ପଡି ବହୁ ଧନ ଜୀବନ ଯାଉଥିବାର ନଜିର ରହିଛି। ଦିନକୁ ଦିନ ଜଙ୍ଗଲ ଧ୍ୱଂସ ପାଇବା ଫଳରେ ହାତୀମାନେ ଗାଁ ଆଡକୁ ମାଡି ଆସୁଛନ୍ତି।

ନିକଟରେ ରେଢାଖୋଲ ହେମାମୁରା ଗ୍ରାମରେ ମଧ୍ୟ ଜଣେ ମହିଳାକୁ ହାତୀ ଦଳିଦେବା ସହ ବାଟଗାଁ ପଂଚାୟତର ବିନ୍ଧପୁର ଗ୍ରାମରେ ମଧ୍ୟ ଜଣେ ମହିଳାକୁ ହାତୀ ମାରିଦେଇଥିଲା। ମୃତ ମହିଳାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି ହେଉଛି।

Related posts