Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ସମ୍ବଲପୁରରେ ପ୍ରଣବ ପ୍ରକାଶଙ୍କ ଜୋରଦାର ପ୍ରଚାର, ଖଣିଜ ସଂପଦକୁ ନେଇ କେନ୍ଦ୍ରକୁ କଲେ ଟାର୍ଗେଟ

ଭୁବନେଶ୍ବର: ସମ୍ବଲପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ବର୍ତ୍ତମାନ ପ୍ରଚାର ଜୋରଦାର କରିବାରେ ଲାଗିଛନ୍ତି। ସେ ଏହି ଅଧିନରେ ଥିବା ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ସ୍ତରରେ ପ୍ରଚାର କରିବାରେ ଲାଗିଛନ୍ତି। ବିଭିନ୍ନ ସ୍ଥାନରେ ତାଙ୍କୁ ବେଶ ଜନ ସମର୍ଥନ ମିଳିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଥିବା ମତଭେଦକୁ ଦୂର କରି ସେ ସଂଗଠନକୁ ସୁଦୃଢ କରିବାରେ ଲାଗିଛନ୍ତି।

କୁଚିଣ୍ଡାର ଏକ ସଭାରେ ପ୍ରଣବ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କୁଚିଣ୍ଡା ଖଣିଜ ସଂପଦରେ ଭରପୁର। କେନ୍ଦ୍ର ସରକାରଙ୍କ ନାଲକୋ, ଏସିଏଲ ପରି ବଡବଡ ସଂସ୍ଥା ଏଠାରୁ ଖଣିଜ ନେଉଛନ୍ତି। ହେଲେ ତା ପ୍ରତିବଦଳରେ ସେମାନେ ଦେଉଛନ୍ତି କଣ ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି। ସେମାନେ କେବଳ ପାଉଁଶ ଓ ଧୂଆଁ ଦେଉଛନ୍ତି ବୋଲି ସେ ଜନସଭାକୁ କହିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନର ପ୍ରବଳ ଚାପ ସତ୍ବେ ରକ୍ତଦାନ କଲେ ସମ୍ବଲପୁର ଲୋକସଭାର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ବର: ଚଳିତ ଗ୍ରୀଷ୍ମ ଋତୁ ତଥା ବର୍ତ୍ତମାନର ନିର୍ବାଚନୀ ମାହୋଲରେ ସବୁ ଦଳ ବ୍ୟସ୍ତ ଥିବା ବେଳେ ସମ୍ବଲପୁରରେ ଉତ୍କଟ ରକ୍ତାଭାବକୁ ଲକ୍ଷ୍ୟ କରି ସମ୍ବଲପୁର ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ସୌଜନ୍ୟରୁ ଏକ ଜରୁରୀକାଳୀନ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି ।

ଏହି ଶିବିରରେ ନିଜେ ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ରକ୍ତଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ “ପ୍ରତିଟି ଜୀବନ ମୁଲ୍ୟବାନ” ଉକ୍ତିକୁ ସାର୍ଥକ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳ ସବୁ ସମୟ ଅସମୟରେ ଲୋକଙ୍କ ସହ ରହେ ଏହା ଶ୍ରେଷ୍ଠ ପ୍ରମାଣ।

ଏହି ଶିବିରରେ ଅତିଥି ଭାବେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ, ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଜିଲ୍ଲା ଛାତ୍ର ସଭାପତି ସୁଭ୍ରାଶୁଂ ପାଢ଼ୀ, ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜିକା କବିତା ପୁରୋହିତ, ରାଜ୍ୟ ଛାତ୍ର କାର୍ଯ୍ୟକାରୀ ସଭାପତି ରାଜେଶରାଜ ସ୍ବାଇଁ, ସମ୍ବଲପୁର ଜୋନ୍ ସାଧାରଣ ସଂପାଦକ ସୁଧିର ପଣ୍ଡା, ସମ୍ବଲପୁର ନିର୍ବାଚନୀ କୋଅର୍ଡିନେଟର ଦେବୀ ଲେଙ୍କା, ଜିଲ୍ଲା ଯୁବ ଉପସଭାପତି ମଞ୍ଜୁ ଓରାମ, ଜିଲ୍ଲା ଯୁବ ସମ୍ପାଦକ ଉତ୍ତମ ବାଗଙ୍କ ସହ ଅନ୍ୟ ସମସ୍ତ ନେତୃ ବୃନ୍ଦ ସହଯୋଗ କରିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଭେଟିଲେ ପ୍ରଣବ ପ୍ରକାଶ ଦାସ

ସମ୍ବଲପୁର: ଗତକାଲି ଓଡିଶାର ପ୍ରତିଷ୍ଠିତ ନାଟ୍ୟକାର ବିନୋଦ ପଶାୟତଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ଆଜି ତାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି ସମ୍ବଲପୁର ଲୋକସଭାର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ଏ ନେଇ ସେ ନିଜ ସାମାଜିକ ଗଣମାଧ୍ୟମରେ ମଧ୍ୟ ସେ ସୂଚନା ପ୍ରଦାନ କରିଛନ୍ତି।

ସେ ଲେଖିଛନ୍ତି ଯେ, ” ସମ୍ବଲପୁର ମାଟିର ବିଶିଷ୍ଟ ନାଟ୍ୟକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଶ୍ରୀ ବିନୋଦ କୁମାର ପଶାୟତଙ୍କୁ ଭେଟି ସମ୍ବର୍ଦ୍ଧିତ କରିବାର ସୌଭାଗ୍ୟ ମିଳିଲା। ଶ୍ରୀ ପଶାୟତଙ୍କ ଓଜସ୍ବୀ ସାହିତ୍ୟ ସର୍ଜନା ସାରା ଦେଶରେ ଆମ ମାଟିର ଯଶକୁ ବଢ଼ାଇଛି। ସେ ସବୁବେଳେ ସୁସ୍ଥ ରୁହନ୍ତୁ ଏବଂ ତାଙ୍କ ରଚନା ଆମ ସମାଜକୁ ଆହୁରି ପ୍ରେରଣା ଯୋଗାଉ, ମା’ ସମଲେଶ୍ୱରୀଙ୍କ ନିକଟରେ ଏତିକି ପ୍ରାର୍ଥନା।’

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନେତାଙ୍କୁ ଜନତା ଦରକାର, ଜନତାଙ୍କୁ ନେତା ନୁହେଁ : ପ୍ରଣବ ପ୍ରକାଶ ଦାସ

ସମ୍ବଲପୁର: ସମ୍ବଲପୁର ଲୋକସଭା କ୍ଷେତ୍ର ଅର୍ନ୍ତଗତ କୁଚିଣ୍ଡା ବିଧାନସଭା ମଣ୍ଡଳୀ ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ସ୍ଥାନୀୟ ସିନେମା ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମ୍ୱଲପୁର ଲୋକସଭା ପ୍ରାର୍ଥୀ ତଥା ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ କର୍ମକର୍ତ୍ତା ମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ।

ପ୍ରଣବ ପ୍ରକାଶ ଦାସଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା କରିଥିବାରୁ କୁଚିଣ୍ଡାବାସୀଙ୍କୁ କୃତଜ୍ଞତା ଜଣାଇଥିଲେ। ବିଜୁ ଜନତା ଦଳ ଲୋକଙ୍କ ଦଳ। ନେତାଙ୍କୁ ଜନତା ଦରକାର, ଜନତା ଙ୍କୁ ନେତା ନୁହେଁ। ତେଣୁକରି ଆମେ ସମସ୍ତେ ସମାନ ବୋଲି କହି ପ୍ରଣବ ପ୍ରକାଶ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆଙ୍କୁ ପ୍ରାର୍ଥୀ କରିଛନ୍ତି।

ଏଣୁ ସମସ୍ତ ମତଭେଦ ଦୂର କରି ସମସ୍ତେ ଏକ ହୋଇ ଦଳ ପାଇଁ କାମ କରିବା ସହିତ ଶଙ୍ଖ ଚିହ୍ନରେ ବିପୁଳ ମାତ୍ରାରେ ଭୋଟଦେଇ ବିଜୟୀ କରାଇବା ବୋଲି କହିଥିଲେ। ସମ୍ୱଲପୁର ଜିଲ୍ଲାରେ ଯେପରି ଶଙ୍ଖ ଚିହ୍ନରେ ଅଧିକରୁ ଅଧିକ ଭୋଟ ହୋଇପାରିବ ସେଥିପାଇଁ ସମସ୍ତଙ୍କୁ କାମ କରିବାକୁ ପଡିବ ବୋଲି ଆହ୍ୱାନ କରିଥିଲେ।

ସଭା କାର୍ଯ୍ୟକ୍ରମରେ ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ଏନଏସି ଅଧ୍ୟକ୍ଷ ପ୍ରଦ୍ୟୁତ କୁମାର ମହାନ୍ତି, ସଞ୍ଜିତ ମହାନ୍ତି, ପୂର୍ବତନ ନଗର ସଭାପତି ଗଣେଶ ରାମ ଅଗ୍ରୱାଲ, ଭୀମରାଜ ପ୍ରସାଦ, ଗଗନ ଶର୍ମା, ସଞ୍ଜୟ ବେହେରା, ଲକ୍ଷ୍ମଣ ସା, ଗଣେଶ ଅଗ୍ରୱାଲ, ମିଳନ ଖୁଣ୍ଟିଆ, ତନୟା ଧୁରୁଆ, ଜିଲ୍ଲା ପରିଷଦ ସଭ୍ୟ ଜମନକିରା ସୁଜତା ଖୁଣ୍ଟିଆ, ଅଜିତ ମହାପାତ୍ର, ଭୁବନେଶ୍ୱର କିଷାନ, ମୁନୁ ମିଶ୍ର, ଅଶୋକ ପରିଡାଙ୍କ ସହିତ ବାମରା, କୁଚିଣ୍ଡା ଓ ଜମନକିରା ଅଞ୍ଚଳର ନେତୃବୃନ୍ଦ ଓ ଶତାଧିକ କର୍ମୀ ଉପସ୍ଥିତ ରହି କାର‌୍ୟ୍ୟକ୍ରମକୁ ସଫଳ କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ରୋଚକ ମୋଡରେ ସମ୍ବଲପୁର ଲୋକସଭା ନିର୍ବାଚନ, ଏନଏଚ ପ୍ରସଂଗ ନେଇ ଧର୍ମେନ୍ଦ୍ରଙ୍କୁ ବାଣ ମାରିଲେ ପ୍ରଣବ ଦାସ

ଭୁବନେଶ୍ବର: ଧୀରେ ଧୀରେ ଏକ ରୋଚକ ମୋଡକୁ ଯାଉଛି ସମ୍ବଲପୁର ଲୋକସଭା ନିର୍ବାଚନ। ସାରା ଓଡିଶାର ବର୍ତ୍ତମାନ ସମ୍ବଲପୁର ନିର୍ବାଚନ ଉପରେ ଆଖି। କାରଣ ହେଲା ଏହି ଆସନରେ ଦୁଇ ଦଳର ହେଭିୱେଟଙ୍କ ଲଢେଇ ହେଉଛି। ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ ବନାମ ବିଜେଡିରୁ ପ୍ରଣବ ପ୍ରକାଶ ଦାସ।

ସେହି ଲଢେଇ ଭିତରେ ଆଜି ପ୍ରଣବ ପ୍ରକାଶ ଦାସ ସାମାଜିକ ଗଣମାଧ୍ୟମରେ ଏକ ବାଣ ଫୁଟାଇ ଦେଇଛନ୍ତି। ସେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ଦୁଇଟି ଫଟୋ ପୋଷ୍ଟିଂ କରିଛନ୍ତି। ସେଥିରୁ ଗୋଟିଏ NH 55 ର ଅବସ୍ଥା ଥିବା ବେଳେ ଆଉ ଏକ ଫଟୋରେ ଚକଚକିଆ ବିଜୁ ଏକ୍ସପ୍ରେସ ୱେ ଫଟୋ ରହିଛି।

ସେ ଉଲ୍ଲେଖ କରିଛନ୍ତି ଯେ, ଧର୍ମେନ୍ଦ୍ର ଭାଇ, ଏହି ଦୁଇଟି ଫଟୋକୁ ଟିକେ ଭଲ ଭାବେ ଦେଖନ୍ତୁ। ଫଟୋ – ୦୧ : ଏହା ବିଜୁ ଏକ୍ସପ୍ରେସ ୱେ । ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ, ଦେଶର ଅନ୍ୟତମ ଶ୍ରେଷ୍ଠ ରାସ୍ତା ଫଟୋ – ୦୨ : ଏହା ଏନଏଚ-୫୫, ୧୦ ବର୍ଷ ହେଲା କାମ ସରୁନି ଧର୍ମେନ୍ଦ୍ର ଭାଇ, ଏନଏଚ-୫୫ ରେ ଗତ ୫ ବର୍ଷରେ ୪୦୦ରୁ ଅଧିକ ଦୁର୍ଘଟଣାରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି।

ଏହି ବିପର୍ଯ୍ୟସ୍ତ ଅବସ୍ଥା ପାଇଁ ଅଂଚଳବାସୀ, ନିର୍ଦ୍ଦିଷ୍ଟ ଭାବେ ସମ୍ବଲପୁରବାସୀଙ୍କ ମନରେ ଥିବା କ୍ଷୋଭକୁ ମୁଁ ଅନୁଭବ କରିପାରୁଛି। ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଗିଡି ଗଲା ଧର୍ମେନ୍ଦ୍ରଙ୍କ ଗଣିତ, ବିଜେଡିରେ ସାମିଲ ହେଲେ ସମ୍ବଲପୁର ସାଂସଦଙ୍କ ପତ୍ନୀ ଅରୁନ୍ଧତି ଦେବୀ

ଭୁବନେଶ୍ବର: ବର୍ତ୍ତମାନ ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଣିତ ବିଗିଡି ଗଲା। କାରଣ ହେଲା ଆଜି ନବୀନ ନିବାସରେ ସମ୍ବଲପୁର ସାଂସଦ ତଥା ଦେବଗଡ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଶ୍ରୀମତୀ ଅରୁନ୍ଧତୀ ଦେବୀ ବିଜେଡିରେ ସାମିଲ ହୋଇଛନ୍ତି।

ତାଙ୍କ ସହ ତାଙ୍କ ପୁତ୍ର ନମନ ଗଙ୍ଗଦେବ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି। ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ସେମାନେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ଏହି ସମୟରେ ସାଂସଦ ତଥା ସମ୍ବଲପୁର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ।

ତେବେ ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରାର୍ଥୀ ହେବା ପରେ ସାଂସଦ ନୀତିଶ ଗଙ୍ଗଦେବ ସେହି ଅଞ୍ଚଳରେ ଆଉ ଦେଖିବାକୁ ମିଳୁ ନାହିଁ। ସେ ଏକ ପ୍ରକାରର ରାଜନୈତିକ ବନବାସ ଜୀବନ ବିତାଉଛନ୍ତି ବୋଲି ଶୁଣିବାକୁ ମିଳୁଛି। ହେଲେ ଏପଟେ ତାଙ୍କ ପତ୍ନୀ ଓ ପୁତ୍ର ବିଜେଡିରେ ସାମିଲ ହେବା ପରେ ଓଡିଶା ରାଜନୀତିରେ ଏକ ବଡ ସମୀକରଣ ହେବାକୁ ଯାଉଛି ବୋଲି ଅନୁମାନ କରାଯାଉଛି।

ପୂର୍ବରୁ ଧର୍ମେନ୍ଦ୍ର ସମ୍ବଲପୁରରୁ ପ୍ରାର୍ଥୀ ହେବେ ବୋଲି ଜଣାପଡିବା ପରେ ସେ ସାଂସଦ ନୀତିଶ ଗଙ୍ଗଦେବଙ୍କୁ ଏକ ପ୍ରକାରର କଣଠୋସା କରିଦେଇଛନ୍ତି। ଯାହାକୁ ନେଇ ତାଙ୍କ ପତ୍ନୀ ଅରୁନ୍ଧତୀ ସିଧା ଧର୍ମେନ୍ଦ୍ରଙ୍କ ନାଁ ନେଇ ତୀବ୍ର ସମାଲୋଚନା କରିଛନ୍ତି। ନିଜର ସାମାଜିକ ଗଣମାଧ୍ୟମରେ ଅରୁନ୍ଧତି ଧର୍ମେନ୍ଦ୍ରଙ୍କୁ ଗାଳି ମଧ୍ୟ କରିବାକୁ ପଛାଇ ନାହାଁନ୍ତି।

ବର୍ତ୍ତମାନ ଅରୁନ୍ଧତୀ ବିଜେଡିରେ ଯୋଗଦେବା ପରେ ସେ ଧର୍ମେନ୍ଦ୍ର ବିରୋଧରେ ପ୍ରଚାର କରିବେ। ଏହାଦ୍ବାରା ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପଲା ନିଶ୍ଚିତ ଭାରି ହେବ ଏଥିରେ ସନ୍ଦେହ ନାହିଁ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ଗଡରେ ବିଜେଡି ସେନାପତି, କେବଳ ସମ୍ବଲପୁର ନୁହେଁ, ପୁରା ପଶ୍ଚିମ ଓଡିଶାର ମଙ୍ଗ ଧରିଲେ ପ୍ରଣବ

ଭୁବନେଶ୍ବର: ପଶ୍ଚିମ ଓଡିଶା ନିର୍ବାଚନୀ ଯୁଦ୍ଧ କ୍ଷେତ୍ରରେ ବିଜୁ ଜନତା ଦଳ ଏଥର ନିଜର ସେନାପତିଙ୍କୁ ଅବତୀର୍ଣ୍ଣ କରିଛି। ସେଠାରେ ସେ କେବଳ ଗଡ ବିଜୟ କରିବେ ନାହିଁ, ନିଜେ ବିଜୟୀ ହେବା ସହିତ ବିଜେପି ଗଡକୁ ଧୂଳିସାତ କରିବାକୁ ବ୍ୟୁହ ରଚନା କରିବେ।

ବିଜେଡିର ଏହି ସେନାପତି ହେଲେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଗୋଟିଏ ରାଜନୈତିକ ପରିବାରରୁ ଆସିଥିବା ବିଜେଡିର ଏହି ଚାଣକ୍ୟ ଯାଜପୁର ଆସନରୁ ବିଧାୟକଭାବେ ନିର୍ବାଚିତ ହେବା ସହିତ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ। ବର୍ତ୍ତମାନର ଦଳର ରଣନୀତି ନିର୍ଦ୍ଧାରଣ ଓ ପରିଚାଳନାଭାର ତାଙ୍କ କାନ୍ଧରେ।

ତେବେ ଉପକୂଳ ଓଡିଶାର ଏହି ନେତାଙ୍କୁ ଚଳିତ ନିର୍ବାଚନରେ ବିଜେଡି ପଶ୍ଚିମ ଓଡିଶାର ଗଡ ସମ୍ଭାଳିବାକୁ ପଠାଇଛି । ସେ ଏଥର ସମ୍ବଲପୁର ଲୋକସଭା ପାଇଁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ସିଧାସଳଖ ଲଢେଇ ହେବ ବିଜେପିର ଜାତୀୟ ଚେହେରା ତଥା କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସହିତ ।

ଛାତ୍ର ରାଜନୀତିରୁ କ୍ୟାରିଅର ଆରମ୍ଭ କରିଥିବା ଧର୍ମେନ୍ଦ୍ର ଏବେ ଜାତୀୟ ସ୍ତରରେ ଆଗଧାଡିର ରାଜନେତା। ତାଙ୍କୁ ଟକ୍କର ଦେବେ ରାଜ୍ୟରେ ୨୫ବର୍ଷ ଧରି କ୍ଷମତାରେ ଥିବା ବିଜେଡିର ସାଂଗଠନିକ ସମ୍ପାଦକ। ତେଣୁ ସମ୍ବଲପୁରର ରୋଚକ ଲଢେଇକୁ ସମସ୍ତେ ଚାହିଁ ବସିଛନ୍ତି।

ପ୍ରଣବ ପଶ୍ଚିମ ଓଡିଶା ଯିବା ପଛରେ ରହିଛି ତାଙ୍କର ଓ ଦଳର ସୁଚିନ୍ତିତ ରଣନୀତି। କାରଣ ୨୦୧୯ ନିର୍ବାଚନରେ ପଶ୍ଚିମଓଡିଶାର ୫ଟି ଲୋକସଭା ଆସନ ଯଥା ସମ୍ବଲପୁର, ବରଗଡ, ସୁନ୍ଦରଗଡ, ବଲାଙ୍ଗିର ଓ କଳାହାଣ୍ଡିକୁ ବିଜେପି ହାତେଇ ନେଇଥିଲା। କେବଳ ବରଗଡକୁ ବାଦ୍‍ଦେଲେ ଅନ୍ୟ ୪ଟି ଲୋକସଭା ନିର୍ବାଚନମଣ୍ଡଳୀ ଅର୍ନ୍ତଗତ କେତେକ ବିଧାନସଭା କ୍ଷେତ୍ରରେ ବିଜେପିର ବିଧାୟକ ଜିଣିଥିଲେ।

ଏହି ୫ଟି ଆସନକୁ ବାଦ୍‍ ଦେଲେ ମୟୁରଭଞ୍ଜ, ବାଲେଶ୍ୱର ଓ ଭୁବନେଶ୍ୱର ଆସନ ମଧ୍ୟ ବିଜେପି ଦଖଲ କରିଥିଲା । ତେବେ ବିଜେଡିର ସଫଳ ଗୋଟିଚାଳନା ଯୋଗଁ ବିଜେପି ଉପକୂଳରେ ପଶ୍ଚିମଓଡିଶା ଭଳି ଫଳାଫଳ କରିପାରିନଥିଲା।

ଖୋଦ ସାଂଗଠନିକ ସମ୍ପାଦକ ଏଥର ସମ୍ବଲପୁରରେ ଲଢିବା ଫଳରେ ସେ ଗୋଟିଏ ତୀରରେ ଏକାଧିକ ଶିକାର କରିବେ ବୋଲି ଆଶା କରାଯାଉଛି। ପ୍ରଥମତଃ ବିଜେଡି ଶିବିର ଅଧିକ ଚଳଚଞ୍ଚଳ ହୋଇ ଲଢିବ। ଦ୍ୱିତୀୟରେ ନିର୍ବାଚନୀ ରଣନୀତିରେ ଓସ୍ତାଦ କୁହାଯାଉଥିବା ଧର୍ମେନ୍ଦ୍ରଙ୍କୁ ସମ୍ବଲପୁରରେ ପ୍ରଣବ ରୋକି ପାରିବେ।

କାରଣ ଧର୍ମେନ୍ଦ୍ର ସମ୍ବଲପୁରରେ ପ୍ରାର୍ଥୀ ହେବା ପରେ ବିଜେପି ପଶ୍ଚିମ ଓଡିଶାର ଅନ୍ୟ ଲୋକସଭା ଓ ଏହା ଅର୍ନ୍ତଗତ ବିଧାନସଭା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । ଏଥି ସହିତ ଧର୍ମେନ୍ଦ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚାର କରିବେ। କିନ୍ତୁ ବିଜେଡିର ସେନାପତି ମଇଦାନକୁ ଓହ୍ଲାଇବା ପରେ ଚିତ୍ର ଧିରେ ଧିରେ ବଦଳିବାରେ ଲାଗିଛି ।

ସମ୍ବଲପୁର ଜିଲ୍ଲା ଦାୟିତ୍ୱରେ ଦୀର୍ଘଦିନ ଧରି ପ୍ରଣବ ରହିଥିବାବେଳେ ଜିଲ୍ଲାରେ ଅନେକ ଉନ୍ନୟନ ଓ ରୂପାନ୍ତରଣ କାର୍ଯ୍ୟ ହାତକୁ ନେଇ ପ୍ରତ୍ୟେକ୍ଷ ଭାବେ ଜିଲ୍ଲା ରାଜନୀତି ସହିତ ଜଡିତ ହୋଇଛନ୍ତି। ଫଳରେ ବିଜେଡିର ଏହି ସେନାପତି ଏବେ ସମ୍ବଲପୁରରେ ରହି ସମଗ୍ର ପଶ୍ଚିମଓଡିଶାକୁ ପ୍ରଭାବିତ କରିବେ। ଉପକୂଳ ଓଡିଶାରେ ବିଜେଡିର ପ୍ରଭାବ ଭଲ ରହିଥିବା ଏବଂ ପ୍ରଣବଙ୍କର ଜନସମ୍ପର୍କ ଭଲ ଥିବାରୁ ଉପକୂଳରେ ଅଳ୍ପ ସମୟ ଦେଇ ପୂର୍ବଭଳି ଦଳକୁ ସଫଳ କରାଇ ପାରିବେ ବୋଲି ବିଜେଡି ଆଶା ରଖିଛି।

ତେବେ ପଶ୍ଚିମଓଡିଶାରେ ଲୋକସଭା ମଇଦାନକୁ ବିଜେପି ତାହାର ଜଣେ କେନ୍ଦ୍ରମନ୍ତ୍ରୀ, ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଦୁଇ ଜଣ ରାଣୀ ଓ ପୂର୍ବତନ ବିଧାୟକଙ୍କୁ ମଇଦାନକୁ ଓହ୍ଲାଇ ଥିବାରୁ ବିଜେଡିର ସେନାପତି ସେମାନଙ୍କୁ ମାତ୍‍ ଦେବାପାଇଁ କେଉଁ ରଣନୀତି ଆପଣେଇବେ ତାହା ଉପରେ ଏବେ ସମସ୍ତଙ୍କ ନଜର।

ଉଲ୍ଲେଖନୀୟ ଯେ ସୁନ୍ଦରଗଡ ଲୋକସଭା ଆସନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରାର୍ଥୀ ହୋଇଥିବାବେଳେ ବଲାଙ୍ଗିରରେ ରାଣୀ ସଙ୍ଗୀତା କୁମାରରୀ ସିଂହଦେଓ ଓ କଳାହାଣ୍ଡିରେ ରାଣୀ ମାଳବିକା କେଶରୀ ଦେଓ ଏବଂ ବରଗଡରେ ପୂର୍ବତନ ବିଧାୟିକ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ କରିଛି। ଏମାନଙ୍କୁ ବିଜେଡିର ଏହି ସେନାପତି ପରାସ୍ତ କରିବା ସହିତ କିଭଳି ବିଜେଡିର ବିଜୟବାନା ଉଡାଉଛନ୍ତି ତାହା ଉପରେ ଏବେ ସମଗ୍ର ରାଜ୍ୟବାସୀଙ୍କ ନଜର।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ବିଜେପିରେ ଶକ୍ତିହୀନ ହୋଇଗଲେ ଧର୍ମେନ୍ଦ୍ର, ଶୀର୍ଷ ନେତୃତ୍ବଙ୍କ ଶୁଭ ଦୃଷ୍ଟିରେ ଆଉ ନାହାଁନ୍ତି କି ?

ଭୁବନେଶ୍ବର: ଏକଦା ଓଡିଶା ବିଜେପିରେ ଦବଦବା ରଖୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ନିର୍ବାଚନରେ ସଂପୂର୍ଣ୍ଣ ଶକ୍ତିହୀନ ହୋଇପଡିଛନ୍ତି। ଯାହାର ଗଣ୍ଡଗଣ୍ଡା ପ୍ରମାଣ ଏଥର ଦେଖିବାକୁ ମିଳିଛି। କାରଣ ଗତ ନିର୍ବାଚନରେ ଧର୍ମେନ୍ଦ୍ର ଯାହାକୁ ଚାହୁଁଥିଲେ ତାଙ୍କୁ ଟିକେଟ ଦେଇପାରୁ ଥିଲେ। ହେଲେ ଏଥର ତାଙ୍କ କଥା କେନ୍ଦ୍ରୀୟ ବିଜେପି ଟିମ ଅଣଦେଖା କରିଚାଲିଛନ୍ତି ବା ତାଙ୍କ ଅନୁରୋଧକୁ ଗୁରୁତ୍ବ ଦେଉ ନାହାଁନ୍ତି।

ଧର୍ମେନ୍ଦ୍ର ଗୁରୁତ୍ବହୀନ ହେବାର ବଡ ପ୍ରମାଣ ହେଲା ନିକଟରେ ବିଜେପି ଛାଡି ବିଜେଡିରେ ଯୋଗଦେଇଥିବା ଭୃଗୁ ବକ୍ସିପାତ୍ର ଏବଂ ଲେଖାଶ୍ରୀ ସାମନ୍ତସିଂହାର। ଉଭୟ ଧର୍ମେନ୍ଦ୍ରଙ୍କର ଦ୍ବିତୀୟ ଅବତାର ଥିଲେ। ଧର୍ମେନ୍ଦ୍ରଙ୍କ ପୂର୍ଣ୍ଣପ୍ରାଣ ସମର୍ଥନ ଦେଇ ନିଜ ରାଜନୈତିକ ଜୀବନକୁ ବାଜି ଲଗେଇ ଦେଇଥିଲେ। ହେଲେ ଏଥର ସେହି ଦୁଇଜଣଙ୍କୁ ଧର୍ମେନ୍ଦ୍ର ଟିକେଟ ଦେବାରେ ବିଫଳ ହେଲେ। ଫଳରେ ଧର୍ମେନ୍ଦ୍ରଙ୍କ ଉପରେ ଅସନ୍ତୁଷ୍ଠ ହୋଇ ଉଭୟ ବିଜେପି ଛାଡିଲେ।

ସେହିପରି ବିଗତ ଦିନରେ ନିର୍ବାଚନ ରଣନୀତି ପାଇଁ ଓଡିଶା ପ୍ରଭାରୀ ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ବସିଥିବା ବିଭିନ୍ନ ବୈଠକରେ ଧର୍ମେନ୍ଦ୍ର ଅନୁପସ୍ଥିତ। ବିଗତ ନିର୍ବାଚନରେ ବିଜେପିର ରାଜ୍ୟ କାର୍ଯ୍ୟାଳୟ ଏମିତି କୌଣସି ବୈଠକ ନ ଥିଲା ଯେଉଁଥିରେ ଧର୍ମେନ୍ଦ୍ର ଉପସ୍ଥିତ ନାହାଁନ୍ତି। ହେଲେ ଏଥର ନିର୍ବାଚନରେ କେବଳ ସେ ସଦସ୍ୟଥିବା କମିଟ ବୈଠକ ଛାଡିଦେଲେ ଅନ୍ୟ କୌଣସି ଦଳିୟ ସଭାରେ ସେ ଉପସ୍ଥିତ ରହି ନାହାଁନ୍ତି। ସେତେବେଳୁ ସ୍ପଷ୍ଟ ହୋଇଗଲାଣି ଯେ, ଓଡିଶା ବିଜେପିରେ ଧର୍ମେନ୍ଦ୍ରଙ୍କ ପତିୟାରା ହ୍ରାସ ପାଇଛି।

ତେବେ ଭିନ୍ନ ଏକ ତଥ୍ୟ ଅନୁସାରେ ଜଣାପଡିଛି ଯେ, ତାଙ୍କର ପତିୟାରା ନ ଥିବା ସତ୍ବେ ସେ ଏଥର କେତୋଟି ଆସନରେ ପ୍ରାର୍ଥୀ ଦେବାରେ ସକ୍ଷମ ହୋଇଛନ୍ତି। ହେଲେ ସେମାନଙ୍କ ନାମ ଘୋଷଣା ହେବା ପରେ ସେହି ନିର୍ବାଚନ ମଣ୍ଡଳିରେ ବିଦ୍ରୋହ ସୃଷ୍ଟି ହୋଇଛି। ଯାହା ଧର୍ମେନ୍ଦ୍ରଙ୍କ ପାଇଁ ଆହୁରି ଅଡୁଆ ବଢିବାରେ ଲାଗିଛି। ଯାହାର ସଦ୍ୟତମ ଉଦାହରଣ ହେଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ବିଜେପି ପ୍ରାର୍ଥୀ। ତେବେ ଧର୍ମେନ୍ଦ୍ର ପ୍ରାର୍ଥୀ ଦେଇଥିବା ଆସନରେ ଟିକେଟ ବଦଳାଇବା ପାଇଁ କୁଆଡେ ମନମୋହନ ସାମଲ ଦିଲ୍ଲୀ ନେତୃବୃନ୍ଦଙ୍କୁ ଅନୁରୋଧ କରିଛନ୍ତି।

ଗତ ନିର୍ବାଚନର ଫଳାଫଳ ଧର୍ମେନ୍ଦ୍ରଙ୍କ ପାଇଁ କାଳ ହୋଇଛି। ଗତ ନିର୍ବାଚନରେ କେନ୍ଦ୍ର ବିଜେପି ଓଡିଶାରୁ ଯଥେଷ୍ଠ ଭଲ ଆଶା ରଖିଥିଲା। ହେଲେ ତାହାକୁ ଠିକ ଭାବେ ପରିଚାଳନା କରିବା ଦିଗରେ ଧର୍ମେନ୍ଦ୍ର ବିଫଳ ହୋଇଥିଲେ। ଯାହାର ରିପୋର୍ଟ ଓଡିଶା ପ୍ରଭାରୀ ସୁନୀଲ ବଂଶଲ ଶୀର୍ଷ ନେତୃତ୍ବଙ୍କୁ ବୁଝାଇ ଦେଇଥିଲେ। ମୁଖ୍ୟତଃ ଧର୍ମେନ୍ଦ୍ରଙ୍କ ଅଂହଙ୍କାର ହିଁ ତାଙ୍କ ପତିୟାରା ହ୍ରାସ କରିଛି। ଏଥର ନିର୍ବାଚନରେ ଯଦି ଧର୍ମେନ୍ଦ୍ର ହାରିଯାଆନ୍ତି ତେବେ ଦଳ ଭିତରେ ସେ ସଂପୂର୍ଣ୍ଣ କଣଠୋସା ହୋଇଯିବେ ତାହା ଜଳଜଳ ହୋଇ ଦେଖାଯାଉଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ସମ୍ବଲପୁର ଲୋକସଭା ପାଇଁ ପ୍ରଚାର ଜୋରଦାର କଲେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ବର: ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରଚାର ଜୋରଦାର କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ସେ ଦେବଗଡ ବିଧାନସଭା କ୍ଷେତ୍ରରେ ପ୍ରଚାରକୁ ଓହ୍ଲାଇଛନ୍ତି। ସେଠାରେ ସେ ବିଜେଡି ନେତାଙ୍କ ଗହଣରେ ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ସାକ୍ଷାତ କରିଛନ୍ତି। ସେମାନଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ଏଥିସହିତ ସେ ବିଭିନ୍ନ ଦଳୀୟ ସଭାରେ ଯୋଗଦେଇ ବିଜେଡିକୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି।

ସେ ଏକ ସଭାରେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେପି ଓଡିଶାକୁ ଏକ ବିନ୍ଦୁ ବୋଲି ଭାବିଛି। ହେଲେ ବିଜେଡି ଓଡିଶାକୁ ଏକ ସିନ୍ଧୁ ବୋଲି ଭାବିଛି। ଏହାପରେ ସେ ବରିଷ୍ଠ ଲୋକଙ୍କୁ ସାକ୍ଷାତ କରି ସେମାନଙ୍କର ଆର୍ଶିବାଦ ଭିକ୍ଷା କରିଛନ୍ତି। ପ୍ରଣବ ପ୍ରକାଶ କିଛିଦିନ ତଳେ ମା ସମଲେଶ୍ବରୀଙ୍କୁ ଦର୍ଶନ କରି ସମ୍ବଲପୁରରେ ପ୍ରଚାର କରିଥିଲେ। ବର୍ତ୍ତମାନ ସେ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳି ପ୍ରଚାର ଆରମ୍ଭ କରିଦେଇଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରବଳ ଜନସମାଗମ ଭିତରେ ମା ସମଲେଇଙ୍କ ଆର୍ଶିବାଦ ନେଇ ପ୍ରଚାର ଆରମ୍ଭ କଲେ ବବି ଦାସ

ସମ୍ବଲପୁର: ଆଜି ସମ୍ବଲପୁର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମା ସମଲେଇଙ୍କୁ ଦର୍ଶନ କରି ତାଙ୍କର ପ୍ରଚାରର ଶୁଭାରମ୍ଭ କରିଛନ୍ତି। ସେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ମାଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ସେଠାରେ ସେ ପୂଜା ଅର୍ଚ୍ଚନା କରିବା ପରେ ଏକ ସାଧାରଣ ସଭାରେ ଜନସମାଗମକୁ ସମ୍ବୋଧିତ କରିଛନ୍ତି।

ଏହି ଜନସମାଗମରେ ପ୍ରଣବ କହିଛନ୍ତି ଯେ, ସମ୍ବଲପୁର ଆସିବା ପରେ ଲାଗୁଛି ଏହା ମୋର ଘର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସମ୍ବଲପୁରର ବିକାଶ ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ଯାହାର ଏକ ବଡ ଉଦାହରଣ ହେଲା ମା ସମଲେଇ ପ୍ରକଳ୍ପ। ମୋତେ ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ଲଢେଇ କରିବା ପାଇଁ ପଠାଇଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞ।

ସେ ଆହୁରି କହିଛନ୍ତି ଯେ, ସମ୍ବଲପୁର ହେଉଛି ମୋର ପିୟୁଶି ଏଠାରେ ଥିଲେ। ମୋ ବାପାଙ୍କର ସମ୍ବଲପୁର ସହିତ ପ୍ରାୟ 70 ବର୍ଷର ସଂପର୍କ ରହିଛି। ସେଥିପାଇଁ ଆଜି ସମ୍ବଲପୁର ମୋର ଘରପରି ମନେହେଉଛି।ସମ୍ବଲପୁରରେ ପ୍ରଣବଙ୍କୁ ଯେପରି ସ୍ବାଗତ କରାଯାଇଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ସମ୍ବଲପୁରରେ ବର୍ତ୍ତମାନ ବିଗ ଫାଇଟ ହେବ। ଏଠାରେ ବିଜେଡିରୁ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି। ଦୁଇ ପ୍ରମୁଖ ଦଳର ଦୁଇ ସିଂହ ମୁହାଁମୁହିଁ ଲଢେଇ କରିବେ। ଯାହା ଓଡିଶା ରାଜନୀତିରେ ବେଶ୍ ଚର୍ଚ୍ଚାର ପରିସରକୁ ଆସିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସମ୍ବଲପୁରରେ ଉନ୍ନତିର ବର୍ଷା କରି ସବୁଜ ପତାକା ଉଡାଇଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ସମ୍ବଲପୁରରେ ହେବ ବିଗ ଫାଇଟ। ସେଠାରେ ଲଢେଇ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କୁ ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେଥିପାଇଁ ସେ ସେହି ଅଞ୍ଚଳର ବିକାଶ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାରେ ଲାଗିଛନ୍ତି। ଆଜି ବଡି ଭୋରରୁ ସମ୍ବଲପୁର ଗସ୍ତ କରି ସେ ସେହି ଅଞ୍ଚଳରେ ବିକାଶର ବର୍ଷା କରି ବିଜେଡିର ସବୁଜ ପତାକା ଉଡାଇଛନ୍ତି।

ସେ ଆଜି ସକାଳ ୬ ଟା ସମୟରେ ସମ୍ବଲପୁରର ପ୍ରଥମ ମହାନାଦୀ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ମାରାଥନରେ ୪୦୦୦ ରୁ ଅଧିକ ବିଭିନ୍ନ ବର୍ଗ ଲୋକେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି ଯେ ସମ୍ବଲପୁରର ଭଲ କ୍ରୀଡା ସଂସ୍କୃତି ରହିଛି ଏବଂ ଏହି ଜିଲ୍ଲାର ପ୍ରତିଭାମାନଙ୍କର ଆହୁରି ବିକାଶ କରିବା ପାଇଁ ସର୍ବୋତ୍ତମ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ୩୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ବୁର୍ଲାସ୍ଥିତ ଇନଡୋର ଷ୍ଟାଡିୟମର ଉଦଘାଟନ କରାଯାଇଛି।

ସମୁଦାୟ ୧୦୦ କୋଟି ଟଙ୍କା ବ୍ୟୟରେ ହକି ଷ୍ଟାଡିୟମ ଏବଂ ଇନଡୋର କ୍ରୀଡା ସୁବିଧା ସମେତ ସମ୍ବଲପୁର ଫୁଟବଲ ଏକାଡେମୀ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏକ ନୂତନ ଫୁଟବଲ ଷ୍ଟାଡିୟମ ନିର୍ମାଣ ଏବଂ ଭିଏସଏସ କ୍ରିକେଟ ଷ୍ଟାଡିୟମକୁ ଆଧୁନିକ ଷ୍ଟାଡିୟମରେ ନବୀକରଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଷ୍ଟାଡିୟମଗୁଡିକର ଆନୁମାନିକ ମୂଲ୍ୟ ୩୫୦ କୋଟିରୁ ଅଧିକ ହେବ। ଏହା ଦ୍ବାରା ଜିଲ୍ଲାର କ୍ରୀଡା ବିକାଶ ପାଇଁ ଏକ ପ୍ରମୁଖ ପେଣ୍ଠ ପାଲଟିବ।

କାର୍ତ୍ତିକ ପାଣ୍ଡିଆନ୍ ଭିଏସ୍ଏସ୍ ଷ୍ଟାଡିୟମ୍ ପରିଦର୍ଶନ କରି ଖେଳାଳିଙ୍କ ସହ କଥାବାର୍ତ୍ତା କରିଥିଲେ। ସେ ନିଜେ ଜଣେ କ୍ରୀଡ଼ାବିତ୍ ଥିଲେ ଏବଂ ସ୍ପୋର୍ଟସ୍ ହଷ୍ଟେଲରେ ରହିଥିଲେ। ସେଠାରେ ସେ ଖେଳାଳିଙ୍କ ସହ ତାଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ଏଥିସହିତ ସେ ଖେଳାଳିଙ୍କ ସହ କ୍ରିକେଟ୍ ମଧ୍ୟ ଖେଳିଥିଲେ। ଖେଳାଳିମାନେ କାର୍ତ୍ତିକ ପାଣ୍ଡିଆନଙ୍କୁ ପଡ଼ିଆରେ ଖେଳୁଥିବା ଦେଖି ଉତ୍ସାହିତ ହୋଇଥିଲେ।

ପରେ କାର୍ତ୍ତିକ ପାଣ୍ଡିଆନ୍ ନିର୍ଦ୍ଦେଶକ ତଥା ବରିଷ୍ଠ ଡାକ୍ତର ଏବଂ କର୍ମଚାରୀଙ୍କ ସହ ବୀର ସୁରେନ୍ଦର ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ର ବିକାଶ ବିଷୟରେ ଆଲୋଚନା କରିଥିଲେ। ପ୍ରଥମ ପର‌୍ୟ୍ୟାୟରେ ୭୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସହିତ ମା ଏବଂ ଶିଶୁ ସ୍ୱାସ୍ଥ୍ୟ ସେବା (ପେଡିଆଟ୍ରିକ୍ସ) କୁ ପ୍ରାଥମିକତା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

କ୍ରୀଡା କମ୍ପ୍ଲେକ୍ସ ସହିତ ହଷ୍ଟେଲ କ୍ୟାମ୍ପସକୁ ଉନ୍ନତି କରାଯିବ। କର୍ମଚାରୀଙ୍କ ଆବାସକୁ ମଧ୍ୟ ପ୍ରାଥମିକତା ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ। ଏହି ପ୍ରକଳ୍ପ ମୂଲ୍ୟ ୧୦୦୦ କୋଟି ଟଙ୍କା ହେବ ବୋଲି ସେ କହିଥିଲେ। ଜମି ଉପଲବ୍ଧତା ଅନୁଯାୟୀ ବିଭିନ୍ନ ପର୍ଯ୍ୟାୟରେ କ୍ୟାମ୍ପସର ସାମଗ୍ରିକ ବିକାଶ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯିବ ବୋଲି ପାଣ୍ଡିଆନ କହିଛନ୍ତି।

କାର୍ତ୍ତିକ ପାଣ୍ଡିଆନ୍ ଖିଣ୍ଡାରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନର ବିକାଶ ପାଇଁ ଏହି ପ୍ରକଳ୍ପର ସମୀକ୍ଷା କରିଥିଲେ। କାର୍ଯ୍ୟର ଅଗ୍ରଗତିକୁ ତ୍ୱରାନ୍ୱିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ସେ ମା ସମାଲେଶ୍ୱରୀ ମନ୍ଦିର ପରିଦର୍ଶନ କରିଥିଲେ। ସେ ଭକ୍ତମାନଙ୍କ ସହ ଆଲୋଚନା ସମଲେଇ ପ୍ରକଳ୍ପ ବିଷୟରେ ସେମାନଙ୍କ ମତାମତ ନେଇଥିଲେ। ଭକ୍ତମାନେ ଏହି ପ୍ରକଳ୍ପକୁ ନେଇ ବେଶ ଖୁସି ବୋଲି ପାଣ୍ଡିଆନଙ୍କ ଆଗରେ କହିଥିଲେ।

Categories
ଆଜିର ଖବର

ସମ୍ବଲପୁର ଲୋକସଭା ପାଇଁ ବିଜେଡିର ରଣନୀତି, ଧର୍ମେନ୍ଦ୍ରଙ୍କୁ ଟକ୍କର ଦେବା ପାଇଁ ଛିଡା ହେବେ ବବି ଦାସ !!

ଭୁବନେଶ୍ବର: ଲୋକସଭା ଓ ଓଡିଶା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡିକ ସେମାନଙ୍କର ରଣନୀତି ତିଆରି କରିବାରେ ଲାଗିଛନ୍ତି। ତେବେ ଏଥର ସମ୍ବଲପୁର ଲୋକସଭା ଆସନ ଉପରେ ପୁରା ରାଜ୍ୟର ନଜରରେ ରହୁଛି। ଏହାର କାରଣ ହେଲା ଯେ, ସେହି ଆସନରୁ ଲଢେଇ କରିବାକୁ ସଜବାଜ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ତେବେ ଏକ ବିଶେଷ ସୁତ୍ର ଅନୁସାରେ ଧର୍ମେନ୍ଦ୍ରଙ୍କୁ ଟକ୍କର ଦେବା ପାଇଁ ବିଜେଡିର ଟାଣୁଆ ତଥା ପାୱାରଫୁଲ ନେତା ପ୍ରଣବ ପ୍ରକାଶ ଦାସ ବା ବବି ଦାସଙ୍କୁ ପ୍ରସ୍ତୁତ କରାଯାଉଛି। କାରଣ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେବା ପାଇଁ ହେଲେ ବିଜେଡିର ଜଣେ ଟାଣୁଆ ନେତାର ଆବଶ୍ୟକ ରହିଛି। ବର୍ତ୍ତମାନ ପରିସ୍ଥିତିରେ ସମ୍ବଲପୁରରେ ସେପରି କେହି ନେତା ଦୃଷ୍ଟିକୁ ଆସୁ ନ ଥିବାରୁ କୁଆଡେ ବବିଙ୍କୁ ଛିଡା ହେବା ପାଇଁ ନିଷ୍ପତି ହେଉଛି ବୋଲି ଜଣାପଡିଛି।

ସେହି ସୁତ୍ର ଅନୁସାରେ ଜଣାପଡିଛି ଯେ, ନିକଟରେ ସମ୍ବଲପୁରରେ ଏକ ରୁଦ୍ଧ ଦ୍ବାର ବୈଠକ କରାଯାଇଥିଲା। ସେଥିରେ ପଶ୍ଚିମ ଓଡିଶାର ଅନ୍ୟତମ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବରିଷ୍ଠ ନେତାଙ୍କୁ ନେଇ ଏହି ବୈଠକ ବସିଥିଲା। ସେହି ବୈଠକରେ ସମ୍ବଲପୁର ଲୋକସଭା ବା ଧର୍ମେନ୍ଦ୍ର ପ୍ରଧାନଙ୍କୁ କିଏ ଟକ୍କର ଦେବ ସେ ଉପରେ ଆଲୋଚନା ହୋଇଥିଲା। ସେଥିରେ ସମସ୍ତେ ବବି ଦାସ ଛିଡା ହୁଅନ୍ତୁ ବୋଲି କୁଆଡେ ମତ ପ୍ରକାଶ କରିଥିଲେ। ସେହି ଅନୁସାରେ ଦଳ ବବିଙ୍କୁ ଆଗକୁ ଆଣିବ ବୋଲି ଜଣାପଡିଛି।

ଧର୍ମେନ୍ଦ୍ର କେଉଁଠି ଛିଡା ହେବେ ତାହା ଜଣାପଡି ନ ଥିଲେ ମଧ୍ୟ ସେ ନିଶ୍ଚିତ ଭାବେ ଲୋକସଭା ନିର୍ବାଚନରେ ଲଢେଇ କରିବେ ବୋଲି ସ୍ପଷ୍ଟ ହୋଇଛି। ସେଥିପାଇଁ ତାଙ୍କୁ ବିଜେଡି ଏବେଠାରୁ ଟାର୍ଗେଟ କରିବାରେ ଲାଗିଛି। ଖୋଦ ବିଜେଡି ନେତା ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ତାଙ୍କୁ ତୀବ୍ର ସମାଲୋଚନା କରିବାରେ ଲାଗିଛନ୍ତି। ଏପରିକି ତାଙ୍କର ନିଜ ଜିଲ୍ଲାରେ ପାଣ୍ଡିଆନ ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କରିବାରେ ଲାଗିଛନ୍ତି।

ଏହାଦ୍ବାରା ସ୍ପଷ୍ଟ ହୋଇଛି ଯେ, କୌଣସି ପ୍ରକାରରେ ଧର୍ମେନ୍ଦ୍ରଙ୍କ ବିଜୟକୁ ବିଜେଡି ରୋକିବା ପାଇଁ ସମସ୍ତ କଳ ବଳ କୌଶଳ ପ୍ରୟୋଗ କରିବ। ଯେପରିକି ଗତ ନିର୍ବାଚନରେ ବୈଜୟନ୍ତ ପଣ୍ଡାଙ୍କୁ କରିଥିଲେ। ବର୍ତ୍ତମାନ ବିଜେଡି ଚାହୁଁ ନାହିଁ ଯେ, ଧର୍ମେନ୍ଦ୍ର ପ୍ରଧାନ କୌଣସି ପ୍ରକାରରେ ବିଜୟ ହୋଇ ପୁଣି କେନ୍ଦ୍ରରେ ମନ୍ତ୍ରୀ ହୁଅନ୍ତୁ। ସେଥିପାଇଁ ବିଜେଡି ବର୍ତ୍ତମାନଠାରୁ ଧର୍ମେନ୍ଦ୍ରଙ୍କ ବିଜୟ ରାସ୍ତାକୁ ରୁନ୍ଧିବାରେ ଲାଗିଛି।

ପୂର୍ବରୁ ବବିଙ୍କୁ ବିଜେଡିର ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଫଳରେ ପର୍ଯ୍ୟବେକ୍ଷକଙ୍କ ନାମରେ ସେ ଲୋକସଂପର୍କ ରଖିବା କାର୍ଯ୍ୟ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷରେ ପାଣ୍ଡିଆନ ମଧ୍ୟ ସମ୍ବଲପୁରକୁ ଗସ୍ତ କରି ସେଠାକାର ଲୋକସଂପର୍କକୁ ମଜବୁତ କରିବାରେ ଲାଗିଛନ୍ତି। ସେଥିପାଇଁ ବବି ଦାସ ସମ୍ବଲପୁର ଲୋକସଭା ପାଇଁ ଉପଯୁକ୍ତ ପ୍ରାର୍ଥୀ ହେବେ ବୋଲି ଦଳ ନିଷ୍ପତି କରିଛି।

ଅନ୍ୟପକ୍ଷରେ ବବି ଦାସ ବା ପ୍ରଣବ ପ୍ରକାଶ ଦାସ ହେଉଛନ୍ତି ବିଜେଡିର ଜଣେ ଟାଣୁଆ ତଥା ତୃତୀୟ କ୍ଷମତା କେନ୍ଦ୍ର ନେତା। ଦଳରେ ନବୀନ ପଟ୍ଟନାୟକଙ୍କ ପରେ ପାଣ୍ଡିଆନ ଏବଂ ଏହାପରେ ବବି ଦାସ ହିଁ ହେଉଛନ୍ତି ଦଳର ହର୍ତ୍ତାକର୍ତ୍ତା। ଉଭୟ ପାଣ୍ଡିଆନ ଏବଂ ବବି ଆଜି ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନ ଓ ଉପନିର୍ବାଚନରେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି। ସେଥିପାଇଁ ବବି ହିଁ ବିଜେଡିର ଉପଯୁକ୍ତ ପ୍ରାର୍ଥୀ ହେବେ ବୋଲି ନିଷ୍ପତି କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସମ୍ବଲପୁର ଲୋକସଭା ପ୍ରାର୍ଥୀ ଚୟନକୁ ନେଇ ଦ୍ୱନ୍ଦ୍ୱରେ ୩ ପ୍ରମୁଖ ଦଳ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ସମ୍ବଲପୁର ଲୋକସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରାର୍ଥୀ ଚୟନ ନେଇ ହରଡ଼ଘଣାରେ ପଡ଼ିଯାଇଛନ୍ତି। ବିଜେପି-ବିଜେଡି-କଂଗ୍ରେସ ଆଗାମୀ ନିର୍ବାଚନରେ ଗତଥରର ପ୍ରାର୍ଥୀଙ୍କୁ ଟିକେଟ ଦେବେ କି ନୂଆ ପ୍ରାର୍ଥୀ ଦେବେ ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି।

କଂଗ୍ରେସରୁ ଆସି ବିଜେପିରୁ ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବା ନିତେଶ ଗଙ୍ଗଦେବ ନଳିନୀକାନ୍ତଙ୍କଠାରୁ ୯,୧୬୨ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ। ସେ ୪ଲକ୍ଷ ୭୩ ହଜାର ୭୭୦ ଖଣ୍ଡ (୪୨.୧୩%) ଭୋଟ ପାଇଥିଲେ। ଇତି ମଧ୍ୟରେ ପାରିବାରିକ ବିବାଦରେ ଛନ୍ଦି ହୋଇଥିବା ନିତେଶଙ୍କୁ ଭୋଟ ପରେ ନିର୍ବାଚନ ମଣ୍ଡଳୀର ମତଦାତାମାନେ ଦେଖିବାକୁ ପାଉନାହାନ୍ତି। ‌

ନିତେଶ ଲୋକଙ୍କ ସମସ୍ୟାକୁ ଅଣଦେଖା କରି ଅଧିକାଂଶ ସମୟ ଦେବଗଡ଼ କିମ୍ବା ଦିଲ୍ଲୀରେ ବିତାଇବାକୁ ପସନ୍ଦ କରୁଛନ୍ତି। ତେଣୁ, ବିଜେପି ତାଙ୍କୁ ପୁଣିଥରେ ଏଠାରୁ ପ୍ରାର୍ଥୀ କରିବ ନାହିଁ ବୋଲି ଆଲୋଚନା ହେଉଛି।

ଏଭଳି ସ୍ଥିତିରେ ସମ୍ବଲପୁର ଜିଲ୍ଲାର ୪ଟି, ଦେବଗଡ଼ ଜିଲ୍ଲାର ଗୋଟିଏ ଓ ଅନୁଗୁଳ ଜିଲ୍ଲାର ୨ଟି ବିଧାନସଭା ‌କ୍ଷେତ୍ରକୁ ନେଇ ଗଠିତ ସମ୍ବଲପୁର ଲୋକସଭା ଆସନରେ ଗ୍ରହଣୀୟ ହେଲା ଭଳି ଅନ୍ୟଜଣେ ନେତା ହେଉଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଜୟ ନାରାୟଣ ତାଙ୍କ ସୁରକ୍ଷିତ ସମ୍ବଲପୁର ବିଧାନସଭା କ୍ଷେତ୍ର ଛାଡ଼ି ଲୋକସଭା ନିର୍ବାଚନ ଲଢ଼ିବାକୁ କଦାପି ରାଜି ହେବେ ନାହିଁ।

ତେବେ, ଯୁବାବସ୍ଥାରେ ବହୁ ବର୍ଷ ସମ୍ବଲପୁରରେ ବିତାଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ଏଠାରୁ ପ୍ରାର୍ଥୀ କଲେ ଦଳ ସୁବିଧାଜନକ ସ୍ଥିତିରେ ରହିବ କୁହାଯାଉଛି। ନିଜ ଗୃହ ଜିଲ୍ଲା ଅନୁଗୁଳର ଦୁଇଟି ବିଧାନସଭା କ୍ଷେତ୍ରରେ ବିଜେଡିର ଭୋଟ ବିଭାଜନରେ ସେ ସଫଳ ହେବେ। ପୁନର୍ଗଠନ ପୂର୍ବରୁ ସେ ଥରେ ଦେବଗଡ଼ ଲୋକସଭା କ୍ଷେତ୍ରର ସାଂସଦ ଥିଲେ। ଦେବଗଡ଼ ଏବେ ସମ୍ବଲପୁର ଲୋକସଭା କ୍ଷେତ୍ରରେ ଆସୁଛି। ତେବେ, ଧର୍ମେନ୍ଦ୍ର ସମ୍ବଲପୁର ଓ ନିଜ ଗୃହ ଲୋକସଭା କ୍ଷେତ୍ର ଢେଙ୍କାନାଳ ମଧ୍ୟରୁ କାହାକୁ ବାଛିବେ ତାଙ୍କ ଉପରେ ନିର୍ଭର କରୁଛି।

୨୦୧୯ ମସିହା ନିର୍ବାଚନରେ ଅନୁଗୁଳ ଜିଲ୍ଲାରେ ଜନ୍ମିତ ଓ ସମ୍ବଲପୁରରେ ବହୁ ସମୟ ବିତାଇଥିବା ବିଜେଡି ପ୍ରାର୍ଥୀ ହୋଇଥିଲେ ନଳିନୀକାନ୍ତ ପ୍ରଧାନ। ତାଙ୍କୁ ଛେଣ୍ଡିପଦା ଓ ଆଠମଲ୍ଲିକରୁ ଅଧିକ ଭୋଟ ମିଳିଥିଲେ ହେଁ ସମ୍ବଲପୁର ଜିଲ୍ଲାରୁ ଆଶାନୁରୂପ ଭୋଟ ନ ମିଳିବା ଯୋଗୁ ସେ ପରାଜିତ ହୋଇଥିଲେ। ସେ ୪ଲକ୍ଷ ୬୪ ହଜାର ୬୦୮ଖଣ୍ଡ ଭୋଟ (୪୧.୩୨%) ପାଇ ଦ୍ୱିତୀୟ ସ୍ଥାନରେ ଥିଲେ।

ନିର୍ବାଚନରେ ପରାଜିତ ହେବା ପରେ ନଳିନୀକାନ୍ତ ପ୍ରଧାନ ସମ୍ବଲପୁର ଲୋକସଭା କ୍ଷେତ୍ରରେ ଅଧିକ ସକ୍ରିୟ ଥିଲେ। ଗତ ପଞ୍ଚାୟତ ନିର୍ବାଚନ ସମୟରୁ ତାଙ୍କୁ ସମ୍ବଲପୁର ଅପେକ୍ଷା ଆଠମଲ୍ଳିକ ବିଧାନସଭା କ୍ଷେତ୍ରର ରାଜନୀତିରେ ଅଧିକ ସକ୍ରିୟ ‌ରହୁଥିବା ଦେଖିବାକୁ ମିଳୁଛି।ଶାସକ ବିଜେଡି ସମ୍ବଲପୁର ଲୋକସଭା ଆସନରେ ଆଗାମୀ ନିର୍ବାଚନରେ କାହାକୁ ପ୍ରାର୍ଥୀ କରିବ, ଏବେଠୁ ଆକଳନ କରିବା ମୁସ୍କିଲ।

ତଥାପି, ନଳିନୀ ପ୍ରଧାନଙ୍କ ସହିତ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ, ସମ୍ବଲପୁର ଜିଲ୍ଲା ପରିଷଦ ସଭାପତି କୁମୋଦିନୀ ନାୟକ ଓ ଯୁବନେତା ସଂଜିତ ମହାନ୍ତି ପ୍ରମୁଖଙ୍କ ସହିତ ବହୁ ନେତାଙ୍କ ନାମ ଚର୍ଚ୍ଚାରେ ରହିଛି।

ଗତ ନିର୍ବାଚନରେ ମାତ୍ର ୧ଲକ୍ଷ ୩୫ହଜାର ୯୬୯ (୧୨.୦୯%) ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ଏବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଅଛନ୍ତି। ସମ୍ବଲପୁର ଲୋକସଭା କ୍ଷେତ୍ର ତାଙ୍କର ନିର୍ବାଚନ ମଣ୍ଡଳୀ ନୁହେଁ। ସେ ବଲାଙ୍ଗୀରରୁ ଆସି ସମ୍ବଲପୁରରୁ ଲଢ଼ୁଥିଲେ। ଦିଲ୍ଲାରେ କଂଗ୍ରେସର ସଂଗଠନ ବହୁତ ଦୁର୍ବଳ ରହିଛି। ଏଭଳି ସ୍ଥିତିରେ ଶରତ ପୂରା ରାଜ୍ୟର ନିର୍ବାଚନ ଦାୟିତ୍ୱ ସମ୍ଭାଳିବ‌ାକୁ ଥିବାରୁ ସେ ନିଶ୍ଚିତଭାବେ ନିଜ ପାଇଁ କୌଣସି ସୁରକ୍ଷିତ ଆସନ ଦେଖିବେ।

ପୂର୍ବରୁ ସମ୍ବଲପୁର ଆସନରୁ ପ୍ରାର୍ଥୀ ହୋଇଥିବା ସଂଜୟ ଭୋଇ ଏବେ ବିଜେପି ଯୋଗ ଦେଇଛନ୍ତି। ତେଣୁ କଂଗ୍ରେସ ପାଇଁ ସମ୍ବଲପୁରରେ ପ୍ରାର୍ଥୀ ମଡ଼କ ପଡ଼ିଛି ବୋଲି କହିଲେ ଭୁଲ ହେବ ନାହିଁ। ଏଭଳି ସ୍ଥିତିରେ କିଏ ପ୍ରାର୍ଥୀ ହେବ ଦଳୀୟ ନେତାମାନେ କିଛି କହିପାରୁନାହାନ୍ତି।