ରୋଚକ ମୋଡରେ ସମ୍ବଲପୁର ଲୋକସଭା ନିର୍ବାଚନ, ଏନଏଚ ପ୍ରସଂଗ ନେଇ ଧର୍ମେନ୍ଦ୍ରଙ୍କୁ ବାଣ ମାରିଲେ ପ୍ରଣବ ଦାସ

Published: Apr 18, 2024, 7:54 pm IST

ଭୁବନେଶ୍ବର: ଧୀରେ ଧୀରେ ଏକ ରୋଚକ ମୋଡକୁ ଯାଉଛି ସମ୍ବଲପୁର ଲୋକସଭା ନିର୍ବାଚନ। ସାରା ଓଡିଶାର ବର୍ତ୍ତମାନ ସମ୍ବଲପୁର ନିର୍ବାଚନ ଉପରେ ଆଖି। କାରଣ ହେଲା ଏହି ଆସନରେ ଦୁଇ ଦଳର ହେଭିୱେଟଙ୍କ ଲଢେଇ ହେଉଛି। ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ ବନାମ ବିଜେଡିରୁ ପ୍ରଣବ ପ୍ରକାଶ ଦାସ।

ସେହି ଲଢେଇ ଭିତରେ ଆଜି ପ୍ରଣବ ପ୍ରକାଶ ଦାସ ସାମାଜିକ ଗଣମାଧ୍ୟମରେ ଏକ ବାଣ ଫୁଟାଇ ଦେଇଛନ୍ତି। ସେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ଦୁଇଟି ଫଟୋ ପୋଷ୍ଟିଂ କରିଛନ୍ତି। ସେଥିରୁ ଗୋଟିଏ NH 55 ର ଅବସ୍ଥା ଥିବା ବେଳେ ଆଉ ଏକ ଫଟୋରେ ଚକଚକିଆ ବିଜୁ ଏକ୍ସପ୍ରେସ ୱେ ଫଟୋ ରହିଛି।

ସେ ଉଲ୍ଲେଖ କରିଛନ୍ତି ଯେ, ଧର୍ମେନ୍ଦ୍ର ଭାଇ, ଏହି ଦୁଇଟି ଫଟୋକୁ ଟିକେ ଭଲ ଭାବେ ଦେଖନ୍ତୁ। ଫଟୋ – ୦୧ : ଏହା ବିଜୁ ଏକ୍ସପ୍ରେସ ୱେ । ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ, ଦେଶର ଅନ୍ୟତମ ଶ୍ରେଷ୍ଠ ରାସ୍ତା ଫଟୋ – ୦୨ : ଏହା ଏନଏଚ-୫୫, ୧୦ ବର୍ଷ ହେଲା କାମ ସରୁନି ଧର୍ମେନ୍ଦ୍ର ଭାଇ, ଏନଏଚ-୫୫ ରେ ଗତ ୫ ବର୍ଷରେ ୪୦୦ରୁ ଅଧିକ ଦୁର୍ଘଟଣାରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି।

ଏହି ବିପର୍ଯ୍ୟସ୍ତ ଅବସ୍ଥା ପାଇଁ ଅଂଚଳବାସୀ, ନିର୍ଦ୍ଦିଷ୍ଟ ଭାବେ ସମ୍ବଲପୁରବାସୀଙ୍କ ମନରେ ଥିବା କ୍ଷୋଭକୁ ମୁଁ ଅନୁଭବ କରିପାରୁଛି। ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

Related posts