Categories
ବିଶେଷ ଖବର

ଦୋଧାରୀ ତଲୁଆରରେ ଓଡିଶା ସରକାରଙ୍କର ମନ୍ଦିର ରାଜନୀତି ଓ ଅର୍ଥନୀତି

କେଦାର ମିଶ୍ର

୨୦୧୯ରେ ପଞ୍ଚମ ଥର ଲାଗି ବିପୁଳ ଆସନ ପାଇ ପୁଣିଥରେ ବିଜେଡି ସରକାର ଗଠିତ ହେବା ପରେ, ହଠାତ ନବୀନ ପଟ୍ଟନାୟକ ସରକାରଙ୍କ ଆଭିମୁଖ୍ୟରେ ଏକ ବିରାଟ ପରିବର୍ତ୍ତନ ଆସିଛି। ଗତ ୧୯ ବର୍ଷ ଶାସନରେ ଥିବା ବେଳେ ପ୍ରାୟତଃ ରାଜ୍ୟର ଐତିହ୍ୟ ବିଷୟରେ ଉଦାସୀନ ରହି ଆସିଥିବା ସରକାର, ଏବେ ଓଡିଶାର ମନ୍ଦିର ଓ ଐତିହ୍ୟ ସ୍ଥଳଗୁଡିକୁ ବିକଶିତ କରିବା ଲାଗି ସ୍ଵତନ୍ତ୍ର ଉଦ୍ୟମ ଆରମ୍ଭ କରିଛନ୍ତି। ୨୦୨୦-୨୧ ରାଜ୍ୟ ବଜେଟରେ “ମନ୍ଦିର” ଶବ୍ଦର ବିଶେଷ ପ୍ରୟୋଗ ଦେଖିବାକୁ ମିଳିଛି। ନିଜ ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ-“ ୩୨୦୮ କୋଟି ଟଙ୍କା ନିବେଶରେ ପୁରୀକୁ ଏକ ବିଶ୍ଵ ଐତିହ୍ୟ ସହର ରେ ପରିଣତ କରିବା ପାଇଁ ବୃହତ ଯୋଜନା କରାଯିବ”। ୩୨୦୮ କୋଟିରୁ ଚଳିତ ବର୍ଷ ପୁରୀକୁ “ଅବଢା” ଯୋଜନାରେ ୬୯୫ କୋଟି ଟଙ୍କା ଦିଆ ଯାଇଛି। ରାଜ୍ୟର ସମୁଦାୟ ପର୍ୟଟନ, ଭାଷା ଓ ସଂସ୍କୃତି ବଜେଟ ଠାରୁ ଏହା ଅଧିକ। ୨୦୨୦- ୨୧ ବର୍ଷ ପାଇଁ ରାଜ୍ୟ ସରକାର ପର୍ୟଟନ ପାଇଁ ୪୦୦.୬୯କୋଟି ଏବଂ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ୧୬୧.୮୧କୋଟି ଟଙ୍କା ଦେଇଛନ୍ତି। ସେହି ତୁଳନାରେ କେବଳ ପୁରୀର ବିକାଶ ଲାଗି ଅଧିକ ଅର୍ଥ ଦିଆ ଯାଇଛି।

ଏହା ସହିତ ଭୁବନେଶ୍ବର ଏକାମ୍ର କ୍ଷେତ୍ର ଓ ଲିଙ୍ଗରାଜ ମନ୍ଦିରର ବିକାଶ ଲାଗି ଏକାମ୍ର ଯୋଜନାରେ ୭୦୦ ଟଙ୍କା ଖର୍ଚ୍ଚ ହେବ ଓ ସେଥିରୁ ୧୫୦ ଟଙ୍କା ଏହି ବର୍ଷ ଲାଗି ପ୍ରଦାନ କରା ଯାଇଛି। ତାରା ତାରିଣୀ ମନ୍ଦିର ଓ ସମ୍ବଲପୁରର ସମଲେଶ୍ଵରୀ ମନ୍ଦିର ଲାଗି ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ଏଠି ପ୍ରଶ୍ନ ଉଠିପାରେ, ହଠାତ ମନ୍ଦିର ପ୍ରତି ସରକାରଙ୍କର ଏ ଆଗ୍ରହ କାହିଁକି? ଓଡିଶାର ଅର୍ଥନୀତି ଓ ରାଜନୀତିରେ ମନ୍ଦିରର ଐତିହାସିକ ପ୍ରଭାବ ରହି ଆସିଛି। ସରକାର ସେହି ଐତିହାସିକ ସତ୍ୟକୁ ଆଉ ଥରେ ଆବିଷ୍କାର କରିଛନ୍ତି କି? ଅନ୍ୟ ଏକ ମତ ଅନୁସାରେ ରାଜ୍ୟରେ ଭାରତୀୟ ଜନତା ପାର୍ଟିର କ୍ରମ ବର୍ଦ୍ଧିଷ୍ଣୁ ପ୍ରଭାବକୁ ସୀମିତ କରିବା ଲାଗି, ବିଜେପିର ଆକ୍ରାମକ ମନ୍ଦିର ରାଜନୀତି ବିରୋଧରେ ଏହା ଏକ ବିକଳ୍ପ ମନ୍ଦିର ରାଜନୀତି କି?

ଓଡିଶାର ସାଂସ୍କୃତିକ ଜୀବନ ଧାରାରେ ମନ୍ଦିର ଗୁଡିକର ବ୍ୟାପକ ପ୍ରଭାବ ରହିଛି। ପୁରୀ ଜଗନ୍ନାଥ ମନ୍ଦିରର ଆଧ୍ୟାତ୍ମିକ ଏବଂ ଧାର୍ମିକ ପ୍ରଭାବ ତ ରହିଛି। ଏହା ବ୍ୟତୀତ ରାଜ୍ୟର ଅର୍ଥନୀତିକୁ ପୁରୀର ଏକ ଭିନ୍ନ ଅବଦାନ ରହିଛି। ରାଜ୍ୟକୁ ଆସୁଥିବା ଦେଶୀ ଏବଂ ବିଦେଶୀ ପର୍ୟଟକଙ୍କ ଭିତରୁ ୯୦ ଭାଗ ପୁରୀକୁ ହିଁ ଆସନ୍ତି। ୨୦୧୮-୧୯ରେ ରାଜ୍ୟକୁ ୧୫୫.୧୦ ଲକ୍ଷ ଭାରତୀୟ ଓ ୧.୧୪ ଲକ୍ଷ ବିଦେଶୀ ପର୍ୟଟକ ଆସିଥିବାର ଆକଳନ କରାଯାଇଛି। ଏଥିରୁ ସର୍ବାଧିକ ପୁରୀକୁ ହିଁ ଆସିଥିବେ। ତେଣୁ ପୁରୀର ବିକାଶ ସହିତ ରାଜ୍ୟର ଅର୍ଥନୀତି ଜଡିତ। ରାଜ୍ୟକୁ ଆସୁଥିବା ପର୍ୟଟକଙ୍କ ତୁଳନାରେ ଆମର ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ଆମ ପାଖରେ ସମ୍ଭାବନା ଅଛି, ହେଲେ ତାର ଉପଯୋଗ ହୋଇ ପାରୁନି। ଗତ ପାଞ୍ଚ ବର୍ଷ ଧରି ଓଡିଶାରେ ହୋଟେଲ ଶିଳ୍ପ ସ୍ଥିର ହୋଇ ରହିଛି। ଗତ ବର୍ଷ ଫନି ବାତ୍ୟାରେ ପୁରୀ-କୋଣାର୍କ-ଭୁବନେଶ୍ବରର ହୋଟେଲ ଶିଳ୍ପ ଏକ ପ୍ରକାର ଉଜୁଡି ଯାଇଥିଲା। ଏହାର ପୁନରୁଦ୍ଧାର ଆମର ପ୍ରଥମ ଆବଶ୍ୟକତା ହେବା ଉଚିତ।

ଓଡ଼ିଶାକୁ ଆସୁଥିବା ପର୍ୟଟକମାନେ ଅଧିକ ଦିନ ଓଡିଶାରେ ରହୁ ନାହାନ୍ତି। ଗମନାଗମନ ଓ ସେବାକାରୀ ହୋଟେଲ ବ୍ୟବସ୍ଥାର ଅଭାବ ଯୋଗୁଁ, ସାରା ଓଡିଶା ବୁଲିବାକୁ ପର୍ଯଟକଙ୍କର ଆଗ୍ରହ ଆସୁନାହିଁ। ଓଡିଶାରେ ଜଣେ ବିଦେଶୀ ପର୍ୟଟକ ହାରାହାରି ୧୧ ଦିନ ଓ ଦେଶୀ ପର୍ୟଟକ ୩.୭ ରହିଥାନ୍ତି। ଉତ୍ତର ପ୍ରଦେଶ,ଉତ୍ତରାଖଣ୍ଡ, କେରଳ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ତୁଳନାରେ ଏହା ଯଥେଷ୍ଟ କମ। ଧାର୍ମିକ ପର୍ୟଟକଙ୍କ ପାଇଁ ପୁରୀ ଓ ଏହାର ଆଖପାଖରେ ସୁବିଧା ଯଥେଷ୍ଟ କମ।

ପ୍ରାଚୀନ କାଳରେ “ଯାତ୍ରୀପଣ୍ଡା” ବ୍ୟବସ୍ଥା ଯୋଗୁଁ ତୀର୍ଥାଟନ ପାଇଁ ଆସୁଥିବା ପର୍ୟଟକଙ୍କ ପାଇଁ ସହଜ ଓ ସୁଗମ ବ୍ୟବସ୍ଥା ଥିଲା। ଆଜିର ପୁରୀରେ ସାଧାରଣ ପର୍ୟଟକ ପାଇଁ ରହିବାର ବା ଖାଇବାର ସହଜ ବ୍ୟବସ୍ଥା କିଛି ରହିଛି କି? ପୁରୀର ମଠ ଓ ଧର୍ମଶାଳା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଉଠି ଯାଇଥିବାରୁ ଏବେ ସରକାର ଏହାର ବିକଳ୍ପ ବ୍ୟବସ୍ଥା ତୁରନ୍ତ କରିବା ଜରୁରୀ। ସେହିପରି ମହାପ୍ରସାଦ ଦର ସାଧାରଣ ଗରିବ ଭକ୍ତର କ୍ରୟଶକ୍ତି ବାହାରକୁ ଚାଲି ଯାଉଛି। ସେ ସମ୍ପର୍କରେ ସରକାର ଓ ମନ୍ଦିର ପ୍ରଶାସନ ଏକ ବିକଳ୍ପ ବ୍ୟବସ୍ଥା କଥା ଚିନ୍ତା କରୁଛନ୍ତି କି?

ଐତିହ୍ୟ ସହରର ନିର୍ମାଣ ଓ ଐତିହ୍ୟର ସୁରକ୍ଷା ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ ଏହାର ରାଜନୈତିକ ଦିଗଟି ଅତ୍ୟନ୍ତ ସ୍ପର୍ଶକାତର। ଐତିହ୍ୟ ସ୍ଥଳ ଓ ଧାର୍ମିକ ସ୍ଥଳକୁ ନେଇ ସାମ୍ପ୍ରଦାୟିକ ରାଜନୀତିର ଏକ ଲମ୍ବା ଇତିହାସ ଆମ ଦେଶରେ ରହିଛି। ପୁରୀରେ ଧର୍ମ ସହିତ ରାଜନୀତିକୁ ଯୋଡିବାର ପ୍ରୟାସ କରି ଗତ ନିର୍ବାଚନରେ ବିଜେପି ଯଥେଷ୍ଟ ଲାଭ ଉଠାଇଛି। ମନ୍ଦିର ରାଜନୀତି ବିଜେପିକୁ ସବୁବେଳେ ଅଧିକ ସୁଯୋଗ ଦେଇ ଆସିଛି। ଏକଥା ନବୀନ ବାବୁ ଓ ତାଙ୍କ ପ୍ରଶାସନ ଭଲ ଭାବରେ ବୁଝିଥିବେ ନିଶ୍ଚୟ!!

Categories
ବିଶେଷ ଖବର

ଓଡିଶା ରାଜନୀତିର ଭବିଷ୍ୟତ ; ବିଜେପିର “ସର୍ବଦଳ ଗିଳା” ଲାଳସାରୁ ନିଜକୁ ବଞ୍ଚାଇ ପାରିବ କି ବିଜୁ ଜନତା ଦଳ?

କେଦାର ମିଶ୍ର 

କିଛିଦିନ ତଳେ ବିଶିଷ୍ଟ ସାମ୍ବାଦିକ ଶବା ନକଭି ଭାରତୀୟ ରାଜନୀତିର ଭବିଷ୍ୟତ ବିଷୟରେ ଏକ ଆଲେଖ୍ୟ ପ୍ରସ୍ତୁତ କରିଥିଲେ। ଶବାଙ୍କ ଆକଳନ ଅନୁସାରେ ଆଗାମୀ ପାଞ୍ଚ ବର୍ଷ ଭିତରେ ଭାରତର ପ୍ରାୟ ସବୁ ଆଞ୍ଚଳିକ ଦଳ ବିଜେପିରେ ମିଶିଯିବାକୁ ଏକ ପ୍ରକାର ବାଧ୍ୟ ହେବେ। ଦିଲ୍ଲୀରେ ରହୁଥିବା ସାମ୍ବାଦିକମାନେ ଅନେକ ସମୟରେ ଏମିତି ଭବିଷ୍ୟବାଣୀ ସବୁ କରିଥାନ୍ତି। ସେଥିରୁ କିଛିଟା ସତ ହୁଏ ଆଉ କିଛିଟା କଲ୍ପନା ବୋଲି ପ୍ରମାଣିତ ହୁଏ। ଭାରତୀୟ ରାଜନୀତିରେ ସ୍ଵାଧୀନତା ପରବର୍ତ୍ତୀ ପ୍ରଥମ ତିରିଶ ବର୍ଷ କଂଗ୍ରେସ ନାମରେ ହିଁ ରହିଥିଲା। କଂଗ୍ରେସର ବିରୋଧୀ ଥିବା କମ୍ୟୁନିଷ୍ଟ, ସୋସିଆଲିଷ୍ଟ, ଜନସଙ୍ଘ, ସ୍ଵତନ୍ତ୍ର ପାର୍ଟି ଓ ଦ୍ରାବିଡ ମୁନ୍ନେତ୍ରା କାଡାକାମ ନିଜ ନିଜ ପରିସରରେ ଅତ୍ୟନ୍ତ ସୀମିତ ହୋଇ ରହିଥିଲେ। ଷାଠିଏ ଦଶକରେ ପ୍ରଥମେ କେରଳରେ ଓ ପରବର୍ତ୍ତୀ ଦଶକରେ ପଶ୍ଚିମ ବଙ୍ଗରେ କମ୍ୟୁନିଷ୍ଟ ଶାସନ ଆସିଥିଲା। ତାମିଲନାଡୁରେ ଦ୍ରାବିଡ ରାଜନୀତିର ଅଭ୍ୟୁଦୟ ପରେ କଂଗ୍ରେସ ସେଠାରେ କ୍ରମଶଃ ଦୁର୍ବଳ ହୋଇ ଅତି ଗୁରୁତ୍ଵହୀନ ସ୍ଥାନକୁ ଖସି ଆସିଲା। ତେବେ ଉତ୍ତର ଭାରତରେ ସୋସିଆଲିଷ୍ଟ ଓ କେବେ କେବେ ସ୍ଵତନ୍ତ୍ର ପାର୍ଟି କଂଗ୍ରେସକୁ କିଛିଟା ବିରୋଧ କରୁଥିଲେ।

୧୯୭୫ର ଜରୁରୀକାଳୀନ ପରିସ୍ଥିତି ପରେ ଅଣକଂଗ୍ରେସ ରାଜନୀତିରେ ଏକ ନୂଆ ମୋଡ ଆସିଲା ଓ ସବୁ କଂଗ୍ରେସ ବିରୋଧୀ ଶକ୍ତିଙ୍କୁ ନେଇ ୧୯୭୭ରେ ଦେଶର ପ୍ରଥମ ଅଣ କଂଗ୍ରେସ ସରକାର ଗଠିତ ହେଲା। ୧୯୭୫ ରୁ କଂଗ୍ରେସ ବିରୋଧୀ ଶକ୍ତିମାନେ ନିଜର ସାମର୍ଥ୍ୟ ବଢାଇବାର ଅଭିଯାନ ଆରମ୍ଭ କରିଥିଲେ ଓ ତାର ପରିଣତି ସ୍ୱରୂପ ୪୪ ବର୍ଷ ପରେ ଆଜି କଂଗ୍ରେସ ନିଜର ଅସ୍ତିତ୍ଵ ବଞ୍ଚାଇବାକୁ ସଂଘର୍ଷ କରୁଛି। ଅଣ କଂଗ୍ରେସ ରାଜନୀତିର ଆଉ ଏକ ଦାର୍ଶନିକ ପୃଷ୍ଠଭୂମି ମଧ୍ୟ ରହିଛି। ଧର୍ମନିରପେକ୍ଷ ଓ ସମାଜବାଦୀ ଚରିତ୍ର ବହନ କରୁଥିବା ବିରୋଧୀ ଶକ୍ତି ଗୁଡିକ ଆସ୍ତେ ଆସ୍ତେ ଦୁର୍ବଳ ହେଉଥିବାବେଳେ ହିନ୍ଦୁତ୍ଵ ରାଜନୀତିର ଶକ୍ତି ବୃଦ୍ଧି ଘଟିଛି। ପଚାଶରୁ ସତୁରୀ ଦଶକ ପର୍ୟନ୍ତ କଂଗ୍ରେସର ଯେଉଁ ସର୍ବଗ୍ରାସି ଚରିତ୍ର ରହିଥିଲା, ତାହା ଆଜିର ଶାସକ ଦଳ ବିଜେପିକୁ ସଂକ୍ରମିତ ହୋଇଛି। ଏବେ ବିଜେପି ଦେହରେ ଜନସଙ୍ଘ ବା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ପରିଚୟ ରଖିଥିଲେ ମଧ୍ୟ, ଏହାର ମାନସିକ କଂଗ୍ରେସୀକରଣ ହୋଇସାରିଛି। ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଯେଉଁ ଏକଛତ୍ରବାଦୀ ଚରିତ୍ର ରହିଥିଲା, ତାହା ଆଜି ନରେନ୍ଦ୍ର ମୋଦୀଙ୍କ ବିଜେପିକୁ ମାଡିସାରିଛି।

ନବେ ଦଶକରେ କଂଗ୍ରେସର ବର୍ଚ୍ଚସ୍ଵ ଭାଙ୍ଗିବାକୁ ଯାଇ ବିଭିନ୍ନ ରାଜ୍ୟଗୁଡିକରେ ଆଞ୍ଚଳିକ ଦଳଗୁଡିକ ନିଜର ପ୍ରାଧାନ୍ୟ ବିସ୍ତାର କାଲେ। ଆନ୍ଧ୍ରପ୍ରଦେଶରେ ସିନେ ତାରକା ଏନ.ଟି.ରାମାରାଓଙ୍କ ସଫଳତାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପରବର୍ତ୍ତୀ ସମୟରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି, ବିହାରରେ ରାଷ୍ଟ୍ରୀୟ ଜନତା ଦଳ ଓ ସଂଯୁକ୍ତ ଜନତା ଦଳ,ତାମିଲନାଡୁରେ ଏଆଇଡିଏମକେ ଓ ଡିଏମକେ, ଆନ୍ଧ୍ରରେ ତେଲୁଗୁ ଦେଶମ ଓ ୱାଇଏସଆର, କର୍ଣ୍ଣାଟକରେ ଧର୍ମନିରପେକ୍ଷ ଜନତାଦଳ, ମହାରାଷ୍ଟ୍ରରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି, ପଶ୍ଚିମବଙ୍ଗରେ ତୃଣମୂଳ ଓ ଓଡିଶାରେ ବିଜୁ ଜନତା ଦଳର ସଫଳ ନେତୃତ୍ଵ ପ୍ରତିଷ୍ଠା କରିଥିଲା। ଅଶି ରୁ ୨୦୧୪ ପର୍ୟନ୍ତ ଆଞ୍ଚଳିକ ଦଳମାନେ ଜାତୀୟ ରାଜନୀତିର ମୁଖ୍ୟ ନିର୍ଣ୍ଣାୟକ ଭୂମିକା ନେଉଥିଲେ। ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି ଲୋକସଭାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇ ସରକାର ଗଢିଲା ପରେ ଏହା ଗୋଟିଏ ପରେ ଗୋଟିଏ ଆଞ୍ଚଳିକ ଦଳକୁ ଖତମ କରିଦେବାର ସୁଚିନ୍ତିତ ରଣ କୌଶଳ ଆରମ୍ଭ କରି ସେଥିରୁ ଅନେକଙ୍କୁ ମାଟିରେ ମିଶାଇ ସାରିଥିବା ବେଳେ ଆଉ କିଛି ଏବେ ବିଜେପିର ଳୋଲୁପ ନଜରରେ ରହିଛନ୍ତି। ସେଥିରୁ ଓଡିଶାରେ ବିଜୁ ଜନତା ଦଳ ଅନ୍ୟତମ ବୋଲି କୁହାଯାଉଛି।

ଗତ ଦୁଇଟି ନିର୍ବାଚନରେ ଯେଉଁ ଦୁଇ ତିନିଟି ଆଞ୍ଚଳିକ ଶକ୍ତିକୁ ସାମ୍ନା କରିବାରେ ବିଜେପି ଅସମର୍ଥ ହୋଇଛି ସେଥିରୁ ବିଜୁ ଜନତା ଦଳ ଅନ୍ୟତମ। ଓଡିଶାରେ ନବୀନ ପଟ୍ଟନାୟକଙ୍କୁ ମାତ ଦେବାକୁ ଗତ ୬ ବର୍ଷ ଧରି ପ୍ରବଳ ଉଦ୍ୟମ କରିଆସୁଥିବା ବିଜେପି ଏବେ ବିଜେଡି ସହିତ ସନ୍ଧି କରିବା ଆରମ୍ଭ କରିଛି। ଏହାର କାରଣ କଣ? ବିଜେଡ଼ିକୁ ବିଜେପିର ସହଯୋଗ ପଛରେ ତଥାକଥିତ ସହଯୋଗୀ ସଙ୍ଘୀୟ ବିଚାର ରହିଛି ନା ଏହା ବିଜେପିର “ସର୍ବଦଳ ଗିଳା” ଅଭିଯାନର ଏକ ଅଂଶ ବିଶେଷ ତାକୁ ନେଇ ବେଶ ଚର୍ଚ୍ଚା ଚାଲିଛି। ନବୀନ ଥିବା ଯାଏ ଓଡିଶାରେ ବିଜେପିର ଭବିଷ୍ୟତ ଉଜ୍ଜଳ ନୁହେଁ, ଏକଥା ଗତ ଦୁଇଟି ନିର୍ବାଚନରେ ପ୍ରମାଣିତ ହୋଇସାରିଛି।ବିଧାନସଭାରେ ବିଜେଡ଼ିର ପ୍ରଚଣ୍ଡ ବହୁମତ ରହିଥିବାରୁ କିଣାବିକା ଓ ଭଙ୍ଗାଗଢା ରାଜନୀତି କରିବା ଭଳି ଅନୁକୂଳ ସ୍ଥିତି ବିଜେପି ପାଖରେ ନାହିଁ। ଅଗତ୍ୟା ବିଜେଡି ସହିତ ସନ୍ଧି କରି ବିଜେଡ଼ିକୁ ଅକ୍ତିଆର କରିବାର ଏକ ଦୂରଗାମୀ ଲକ୍ଷ୍ୟ ବିଜେପି ପାଖରେ ରହିଛି।

ବିଜେଡି ଭିତରେ ନବୀନଙ୍କ ପରବର୍ତ୍ତୀ ନେତୃତ୍ଵ ପ୍ରସଙ୍ଗରେ କୌଣସି ସ୍ପଷ୍ଟ ଯୋଜନା ନାହିଁ। ତେଣୁ ତାକୁ ବିଜେପି ଏକ ସୁଯୋଗ ବୋଲି ଭାବୁଛି। ନବୀନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ସଭାପତି ଅମିତ ଶାହ ଗୋଟେ କଥା ସ୍ପଷ୍ଟ କରିଦେଇଛନ୍ତି ଯେ ନିକଟ ଭବିଷ୍ୟତରେ ବିଜେପି-ବିଜେଡି ଭିତରେ ବିଶେଷ ବିରୋଧର ସମ୍ଭାବନା ନାହିଁ। କିନ୍ତୁ ଗୋଟିଏ ପରେ ଗୋଟିଏ ସରକାର ଭାଙ୍ଗୁଥିବା ଓ ବିରୋଧୀ ଦଳଙ୍କର ଘର ଉଜାଡିଦେବାରେ ଦକ୍ଷତା ହାସଲ କରିଥିବା ବିଜେପି ର ବିଜେଡି ପ୍ରତି ଏ ଯେଉଁ ଅଭିନବ ପ୍ରେମ ଏଥିରେ ମା ର ମମତା ଅଛି ନା ପୁତନା ର ବିଷ ଭରି ରହିଛି, ତାହା ସମୟକ୍ରମେ ସ୍ପଷ୍ଟ ହୋଇଯିବ।

Categories
ବିଶେଷ ଖବର

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ; ବିରୋଧୀ ବୁଝି ପାରୁନାହାନ୍ତି ଏହାର ଗଣିତ ଓ କେମିଷ୍ଟ୍ରି

କେଦାର ମିଶ୍ର

ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ମନ୍ତ୍ରୀମଣ୍ଡଳ ଗଠନ ହେଲା ପରେ ଯେଉଁ କିଛି ପ୍ରତିକ୍ରିୟା ବିଭିନ୍ନ ଶିବିରରୁ ଆସିଛି, ସେଥିରୁ ପ୍ରଥମ ପ୍ରତିକ୍ରିୟା ହେଉଛି- ଆରେ, ଏମିତି କେମିତି ହେଲା! ଏତେ ବଡ ବଡ ମୁଣ୍ଡ ଥାଉ ଥାଉ ହଠାତ ନୂଆ ମୁହଁକୁ ଗୁରୁତ୍ଵ ଦିଆଗଲା କାହିଁକି? ଯେଉଁ ମୁଣ୍ଡମାନେ କେବଳ ନିଜେ ହିଁ ମନ୍ତ୍ରୀପଦର ଶିରୋପା ବାନ୍ଧିବାକୁ ଯୋଗ୍ୟ ବୋଲି  ଭାବୁଥିଲେ, ସେମାନେ ହଠାତ ନିରାଶ ହୋଇ ପଡିଛନ୍ତି। ସେମାନଙ୍କ ନିରାଶା ଭିତରେ ନବୀନ ବିରୋଧୀ ଶିବିର ଭବିଷ୍ୟତର “ଅସନ୍ତୋଷ” କଥା କଳ୍ପନା କରି ଶିହରି ଉଠୁଛନ୍ତି। ସେମାନଙ୍କୁ ଲାଗୁଛି, ଯେଉଁମାନଙ୍କୁ ଆଜି ମନ୍ତ୍ରୀପଦ ମିଳିନାହିଁ, ସେମାନେ କାଲି ହୁଏତ “ବିଦ୍ରୋହୀ” ହୋଇ ପାରନ୍ତି।

ଆଞ୍ଚଳିକ ଭେଦର ପ୍ରଶ୍ନ ବି କମ ଉଠୁନାହିଁ। ପଶ୍ଚିମ ଓଡିଶାର ପାଞ୍ଚଟି ଯାକ ଲୋକସଭାରେ ବିଜେଡି ପରାଜିତ ହୋଇଛି। ତା ସତ୍ତ୍ୱେ ପଶ୍ଚିମ ଓଡ଼ିଶାକୁ ଏଥର ମନ୍ତ୍ରୀମଣ୍ଡଳର ଏକ ସିଂହ ଭାଗ ଯାଇଛି। ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ଶ୍ରମ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ଏବଂ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର- ଏମାନେ ସମସ୍ତେ ପଶ୍ଚିମ ଓଡିଶାର। ବୋଧ ହୁଏ ଓଡିଶା ଇତିହାସରେ ଏତେ ସଂଖ୍ୟକ ପ୍ରଭାବଶାଳୀ ମନ୍ତ୍ରୀ ପଶ୍ଚିମ ଓଡିଶାରୁ କେବେ ହେଲେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇନଥିଲେ।

ଏହାକୁ ନେଇ ଏବେ ଚର୍ଚ୍ଚା ବି କିଛି କମ ନୁହେଁ। ଯାଜପୁର, ଗଞ୍ଜାମ, ବାଲେଶ୍ଵର, କେନ୍ଦ୍ରାପଡା, କଟକ ଓ ପୁରୀ ବଦଳରେ ସୋନପୁର, ବରଗଡ, କଳାହାଣ୍ଡି ଓ ବଲାଙ୍ଗୀର ଆଜି କ୍ଷମତା କେନ୍ଦ୍ର ହେବା କଥାଟିକୁ ହଜମ କରିବା ସହଜ ନୁହେଁ! ଯେଉଁମାନେ ସହରୀ ମଧ୍ୟବିତ୍ତ ସେମାନଙ୍କ ଲାଗି, ଏହା ଏକ ପ୍ରକାର ଆଞ୍ଚଳିକ ଅସ୍ମିତାର ପ୍ରସଙ୍ଗ ହୋଇ ପଡିଛି। ତେଣୁ ଏବେ କୁହା ଯାଉଛି, ଯେଉଁ ସବୁ ଜିଲା ବିଜେଡ଼ିକୁ ବିପୁଳ ଭୋଟ ଦେଇଛନ୍ତି, ସେଇ ସବୁ ଜିଲ୍ଲାରୁ ମନ୍ତ୍ରୀ କମ ହୋଇଛନ୍ତି। ତେବେ ପଶ୍ଚିମ ଓଡିଶାରୁ ବିଜେଡି କିଛି କମ ଆସନ ପାଇନାହିଁ। ପ୍ରଥମଥର ଲାଗି ରାଜ୍ୟର କ୍ଷମତା ରାଜନୀତିରେ ଉପକୂଳ ଓଡିଶା ତୁଳନାରେ ପଶ୍ଚିମ ଓ ଉତ୍ତର ଓଡିଶାର ପ୍ରଭାବ ବଢିଛି। ରାଜସ୍ୱ ମନ୍ତ୍ରୀ ମୟୂରଭଞ୍ଜରୁ ଆସିଥିବା ବେଳେ ଅର୍ଥମନ୍ତ୍ରୀ ସୋନପୁରରୁ ଆସିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ଝାରସୁଗୁଡାର ହୋଇଥିବା ବେଳେ ଶକ୍ତି ଓ ଶିଳ୍ପ ମନ୍ତ୍ରୀ କଳାହାଣ୍ଡିର ବାସିନ୍ଦା। ତେଣୁ ଏହାକୁ କ୍ଷମତା କେନ୍ଦ୍ରର ସଫଳ ବିକେନ୍ଦ୍ରୀକରଣ ବୋଲି ଆମେ କହିପାରିବା।

ତେବେ ଏ ପ୍ରକାର ପରୀକ୍ଷା ନିରୀକ୍ଷାରେ ସଙ୍କଟ ମଧ୍ୟ କିଛି କମ ନୁହେଁ। ଧରନ୍ତୁ, ରଘୁନନ୍ଦନ ଦାସ ଓ ତୁଷାରକାନ୍ତି ବେହେରାଙ୍କୁ ମନ୍ତ୍ରୀ କରିବାକୁ ନେଇ ପୁରୀ ଓ ଜଗତସିଂପୁର ଜିଲ୍ଲାରେ ଅସନ୍ତୋଷ ବଢିଲା। ତାକୁ ସମ୍ଭାଳି ହେବ କି? ଏ ଦୁହେଁ, ନିର୍ବାଚନ ପୂର୍ବରୁ ବିଜେଡ଼ିକୁ ଆସିଛନ୍ତି। ନବ ଦାସ ମଧ୍ୟ କଂଗ୍ରେସର ହାତ ଛାଡି ସିଧା ସିଧା ମନ୍ତ୍ରୀ ହୋଇଛନ୍ତି। ଏଥିରେ ବିଜେଡ଼ିର ପୁରୁଖା ନେତାମାନେ ଅସନ୍ତୁଷ୍ଟ ହେବା ସ୍ଵାଭାବିକ। ତାପରେ ଟୁକୁନି ସାହୁଙ୍କ ଭଳି ଦୁଇ ଥରର ବିଧାୟକଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଗଲା ବେଳେ ତିନି ଥରର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ସେଇ ରାଷ୍ଟ୍ର ମନ୍ତ୍ରୀ କରି ରକ୍ଷା ଯାଉଛି ଓ ତାଙ୍କୁ ଅପେକ୍ଷାକୃତ ଦୁର୍ବଳ ବିଭାଗର ଦାୟିତ୍ଵ ଦିଆ ଯାଉଛି। ଏହା ଦଳ ଭିତରେ ଅସନ୍ତୋଷ ସୃଷ୍ଟି କରିବା ନାହିଁ କି?

ତେବେ ବିଜେଡ଼ିର ଆକଳନ ଏ କ୍ଷେତ୍ରରେ ପୂରା ଭିନ୍ନ। ବିଜେଡି ମୁଖିଆ ନବୀନଙ୍କ ବ୍ୟକ୍ତିତ୍ବ ଆଗରେ ଠିଆ ହୋଇ ବା ତାଙ୍କୁ ବିରୋଧ କରି ତିଷ୍ଠିବା ଯେ ଆଦୌ ସହଜ କଥା ନୁହେଁ, ଏ କଥା ବାରମ୍ବାର ପ୍ରମାଣିତ ହୋଇ ସାରିଛି। ଏଥର ନିର୍ବାଚନ ଆଗରୁ ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ଅର୍ଜୁନ ଚରଣ ସେଠି, ପର୍ଶୁରାମ ମାଝୀଙ୍କ ପରି ନେତା ବିଜେଡି ଛାଡି ଅପଦସ୍ତ ହେବାର ଆମେ ଦେଖିଛୁ। ଅନ୍ତତଃ ଆଜି ବିଜେଡି ମୁଖିଆଙ୍କ ଆଗରେ ନିଜର ଅସନ୍ତୋଷ ବା ବିଦ୍ରୋହ ଜାହିର କରିବା ଭଳି ସ୍ଥିତିରେ କୌଣସି ବିଧାୟକ ଯେ ଅଛନ୍ତି, ସେକଥା ଭାବିବା ନିର୍ବୋଧତା ହେବ।

ତେବେ ଭବିଷ୍ୟତରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ପାଲଟିଥିବା ବିଜେପି, ବିଜେଡି ଭିତରର ଅସନ୍ତୋଷକୁ ପ୍ରୋତ୍ସାହନ ଦେବା ପାଇଁ ନିହାତି ଚେଷ୍ଟା କରିବ। ବିରୋଧୀ ସରକାରକୁ ଅସ୍ଥିର କରିବା ଲାଗି ସବୁ ପ୍ରକାର କୌଶଳ ପ୍ରୟୋଗ କରିବାରେ ବିଜେପି ଏବେ ପୁରୁଣା କଂଗ୍ରେସ କୁ ତାପୀ ସାରିଛି। ସେ ବିଷୟରେ ବିଜେଡି କୁ ସାବଧାନ ରହିବାକୁ ପଡିବ। ଯେ କୌଣସି ସୁଯୋଗରେ ବିଜେଡି ସରକାରକୁ ଓ ଦଳକୁ ଅସୁବିଧାରେ ପକାଇବାକୁ ଏବେ ବିଜେପିର ରଣନୀତି ପ୍ରସ୍ତୁତ ହେଉଛି। ତେଣୁ ଦଳୀୟ ଅସନ୍ତୋଷକୁ ନିୟନ୍ତ୍ରଣରେ ରଖିବାକୁ ଏକ “ସର୍ବ ସନ୍ତୁଷ୍ଟିକରଣ ଯୋଜନା” ବିଷୟରେ ବିଜେଡ଼ିକୁ ଗୁରୁତ୍ଵ ଦେଇ ଚିନ୍ତା କରିବାକୁ ପଡିବ।

Categories
ବିଶେଷ ଖବର

ବିନା ବିଶ୍ଵାସଘାତକତାରେ ରାଜନୀତିର କାହାଣୀ କାହିଁ- ନବୀନ ବନାମ ବୈଜୟନ୍ତ କାହାଣୀରେ ବିଶ୍ଵାସଘାତକତାର ନୂଆ ଟୁଇଷ୍ଟ

କେଦାର ମିଶ୍ର

ଯୁଗେ ଯୁଗେ ରାଜନୀତି ଓ ବିଶ୍ଵାସଘାତକତା ହାତ ଧରାଧରି ହୋଇ ଚାଲିଛନ୍ତି। ସିଂହାସନ ଲାଗି ବିଶ୍ଵାସଘାତକତାର ସୁଦୀର୍ଘ ଇତିହାସ ଆମେ ପଢିଛୁ। କ୍ଷମତା ଲାଗି ସବୁ କିଛି କରାଯାଇପାରେ ବୋଲି ଆମେ ବୁଝିଛୁ। ଗଣତନ୍ତ୍ରରେ ବିଶ୍ଵାସଘାତକତାର ଚେହେରା ଯଦିଓ ବଦଳିଛି, ଚରିତ୍ର କିନ୍ତୁ ସମାନ ରହିଛି। ଆଜି ବି କ୍ଷମତା ଆଗରେ ସବୁକିଛି ତୁଚ୍ଛ ଓ ନଗଣ୍ୟ। ରାଜନୀତିର ନିର୍ଦ୍ଦୟ ଖେଳରେ କିଏ କେତେବେଳେ କାହାର ବିଶ୍ଵାସ ଭାଙ୍ଗିବ ତାହାର ଆକଳନ କରିବା ସମ୍ଭବ ନୁହେଁ। ନିର୍ବାଚନ ସମୟରେ ବିଶ୍ଵାସଘାତକତା ଓ ବିଶ୍ବାସର ସଉଦା କେମିତି ହୁଏ, ତାହା ଦେଖିବାକୁ ହେଲେ ଆମର ରାଜନୈତିକ ଦଳ ମାନଙ୍କର ଇତିହାସ ଆମକୁ ଆଡେଇବାକୁ ପଡିବ। ଇତିହାସକୁ ନଯାଇ ଆମ ନିଜ ଆଖି ଆଗର ରାଜନୀତିକୁ ଦେଖିବା ଆସନ୍ତୁ। ମନେ ପକାନ୍ତୁ,  ୨୯, ମଇ, ୨୦୧୨ ର ଓଡିଶା ଖବର କୁ। ସେଦିନ ଓଡିଶାର ସବୁଠୁ ବଡ ଟେଲିଭିଜନ ଚାନେଲରେ ଦେଖିବାକୁ ମିଳିଲା ଭୁବନେଶ୍ୱର ଶହୀଦ ନଗରରୁ ଏକ ବିଚିତ୍ର ରାଜନୈତିକ ନାଟକର ସିଧା ପ୍ରସାରଣ। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଣ୍ଡନ ଗସ୍ତରେ ଥିବାବେଳେ ତାଙ୍କର ଅନୁପସ୍ଥିତିରେ ତାଙ୍କୁ ଗାଦିଚ୍ୟୁତ କରିବାର ଷଡଯନ୍ତ୍ର ରଚନା କରାଯାଉଥିବାର ସବିଶେଷ ବିବରଣୀ ସେତେବେଳେ ଆମେ ଓଡିଶା ଟେଲିଭିଜନରେ ଦେଖିଛୁ। କହିବା ବାହୁଲ୍ୟ ଯେ, ଓଡିଶା ଟେଲିଭିଜନ ବା ଓ ଟିଭି ର ମାଲିକ ହେଉଛନ୍ତି ଆଜିର ବିଜେପି ନେତା ଓ ସେଦିନର ବିଜେଡି ନେତା ବୈଜୟନ୍ତ ପଣ୍ଡା।

ସେଦିନ  ବୈଜୟନ୍ତଙ୍କ ଓ ଟିଭି ସେ ଘଟଣାର ମୁଖ୍ୟ ନାୟକ ପ୍ୟାରୀ ମୋହନ ମହାପାତ୍ରଙ୍କୁ ସବୁଠୁ ବଡ ବିଶ୍ଵାସଘାତକ ବୋଲି ଚିତ୍ରିତ କରିଥିଲା। ପରବର୍ତ୍ତୀ ସମୟରେ ପ୍ୟାରୀ ବାବୁ ଯେତେ ସଫେଇ ଦେଲେ ମଧ୍ୟ ତାଙ୍କ କଥା ଆଉ କେହି ଶୁଣିନଥିଲେ। ବିଶ୍ଵାସଘାତକ ର ଅପବାଦ ନେଇ ପ୍ୟାରୀ ବାବୁ ଇହଧାମରୁ ଚାଲିଗଲେ। ନବୀନ ପଟ୍ଟନାୟକ, ଯିଏ ନିଜ ବିରୋଧୀଙ୍କ ପ୍ରତି ମଧ୍ୟ ସାଧାରଣରେ ଶାଳୀନ ବ୍ୟବହାର ପ୍ରଦର୍ଶନ କରିଥାନ୍ତି, ସେ ବୋଧେ ପ୍ରଥମ ଥର ଲାଗି ପ୍ୟାରୀ ବାବୁଙ୍କ ପ୍ରତି “ବେଇମାନ” ଶବ୍ଦର ପ୍ରୟୋଗ କରିଥିଲେ। ଆଜି ପ୍ୟାରୀ ବାବୁଙ୍କ ଆତ୍ମା ଯଦି କେଉଁଠି ଥିବ, ସେ ନିଶ୍ଚୟ ଟିକେ ଆଶ୍ବସ୍ତ ହେଉଥିବ। ଏକଦା ଯେଉଁ ଟିଭି ଚାନେଲ ର ମାଲିକ ତାଙ୍କର ବିଶ୍ଵାସଘାତକତାକୁ ନେଇ ଘଣ୍ଟା ଘଣ୍ଟାର କାହାଣୀ ଗଢୁଥିଲା, ସେ ଚାନେଲର ମାଲିକ ଆଜି ଖୋଦ ବିଶ୍ଵାସଘାତକ ହେବାର ଅପବାଦ ମୁଣ୍ଡାଇବାକୁ ବାଧ୍ୟ ହୋଇଛନ୍ତି।

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଓ ପରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଭଲ ନଥିବାର ଏକ ଗୁଜବ ସବୁଠି ଖେଳିବୁଲୁଥିଲା। ପ୍ରତିଷ୍ଠିତ ଡିଜିଟାଲ ସଂସ୍ଥା କୋବ୍ରା ପୋଷ୍ଟ ଏ ପ୍ରସଙ୍ଗରେ ଏକ ବିଶେଷ ଖବର ମଧ୍ୟ ପରିବେଷଣ କରିଥିଲା। କେବେ କେମିତି ଦେହ ଖରାପ ହେବାର ସାଧାରଣ ପ୍ରକ୍ରିୟା ବ୍ୟତୀତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସ୍ଵାଭାବିକ କାମ କରିଚାଲିଛନ୍ତି। ତା ସତ୍ତ୍ୱେ ଏ ପ୍ରକାର ଗୁଜବ ରଟନା କଲା କିଏ ଓ କାହିଁକି ? ଘଟଣା ଘଟିବାର ଅନେକ ବର୍ଷ ପରେ ଗତକାଲି ନବୀନ ବାବୁ ନିଜର ପାଟି ଖୋଲିଛନ୍ତି ଓ ଦଳର ଜଣେ ପୂର୍ବତନ ସାଂସଦ ଏ ପ୍ରକାର ଗୁଜବ ପ୍ରସାରିତ କରିଥିଲେ ବୋଲି କହିଛନ୍ତି। ଏନଡି ଟିଭିର ଶ୍ରୀନିବାସ ଜୈନଙ୍କୁ ଦେଇଥିବା ଏକ ସ୍ଵତନ୍ତ୍ର ସାକ୍ଷାତ୍କାରରେ ନବୀନ କହିଛନ୍ତି ଯେ, ତାଙ୍କର ପୂର୍ବତନ ସହଯୋଗୀ ବୈଜୟନ୍ତ ପଣ୍ଡା ନିଜର ବ୍ୟକ୍ତିଗତ ରାଜନୈତିକ ଉଚ୍ଚାଭିଳାଷ ଲାଗି ଏ ପ୍ରକାର ମିଛ ଖବର ପ୍ରସାରିତ କରାଇଥିଲେ । ସାଧାରଣତଃ ବ୍ୟକ୍ତିଗତ ପ୍ରସଙ୍ଗକୁ ସାଧାରଣରେ ଆଲୋଚନା କରୁନଥିବା ନବୀନ, ପ୍ରଥମ ଥର ଲାଗି ଏମିତି ଏକ ମନ୍ତବ୍ୟ ରଖିଛନ୍ତି।

ନବୀନଙ୍କ ବିରୋଧରେ ବୈଜୟନ୍ତଙ୍କ ଷଡଯନ୍ତ୍ରକୁ ନେଇ ଏହା ପୂର୍ବରୁ ବିଭିନ୍ନ କ୍ଷମତା ଅଳିନ୍ଦରେ ଚର୍ଚ୍ଚା ହେଉଥିଲା। ଏହାକୁ ନେଇ ବହୁ ରୋଚକ କାହାଣୀ ମଧ୍ୟ ଶୁଣାଯାଉଥିଲା। ତେବେ ଏ ପ୍ରସଙ୍ଗରେ ନିଜେ ମୁଖ୍ୟମନ୍ତ୍ରୀ ବା ବିଜୁ ଜନତା ଦଳ କେବେ କିଛି କହିନଥିଲେ। ହଠାତ ଏ ପ୍ରସଙ୍ଗ ଉଠିବା ଓ ତାହା ପୁଣି ନିର୍ବାଚନର ଠିକ ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବା, ବୈଜୟନ୍ତଙ୍କୁ ଅଡୁଆରେ ପକାଇଛି। ନିଜର ପ୍ରାରମ୍ଭିକ ମାପଚୁପ ପ୍ରତିକ୍ରିୟାରେ ବୈଜୟନ୍ତ ଟୁଇଟ କରି ଲେଖିଛନ୍ତି- “ଏହା ମିଥ୍ୟା ଓ ଅବାଞ୍ଛିତ କଥା। ମୋ ବିଷୟରେ ନବୀନଙ୍କ ଏ ପ୍ରକାର ଭୟ ଦୁଃଖଦାୟକ।  ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ସେ ଏ ପ୍ରକାର ନିର୍ବୋଧ ଷଡଯନ୍ତ୍ରର ଚିନ୍ତାରୁ ନିବୃତ୍ତ ହେବାର ଜ୍ଞାନ ତାଙ୍କୁ ମିଳୁ ଓ ସେ ସୁସ୍ଥ ଓ ଦୀର୍ଘଜୀବୀ ରହିଥାନ୍ତୁ। “ ତେବେ ଏ ପ୍ରକାର ପ୍ରତିକ୍ରିୟାରୁ ମୁଖ୍ୟମନ୍ତ୍ରୀ ଉଠାଇଥିବା ପ୍ରସଙ୍ଗ ନିଜର ଓଜନ ହରାଇବ କି?  ବୈଜୟନ୍ତ ଯେ ବିଜେଡ଼ିରୁ କୌଣସି ବୈଚାରିକ କାରଣରୁ ନୁହଁ, ବରଂ ଦଳ ମୁଖ୍ୟଙ୍କ ବିରୋଧରେ ଷଡଯନ୍ତ୍ର କରିଥିବାରୁ ଦଳ ତାଙ୍କୁ ନିଷ୍କାସିତ କରିଛି, ଏ ପ୍ରକାର ଖବର ଏବେ ବିଜୁଳି ବେଗରେ ଖେଳି ବୁଲୁଛି। ବୈଜୟନ୍ତଙ୍କ “ବିଶ୍ଵାସଘାତକତା” ଏବେ ସର୍ବ ସାଧାରଣରେ ଚର୍ଚ୍ଚାର ବିଷୟ କରି ଦିଆଯାଇଛି। ଯେତେବେଳେ ଖୋଦ ନବୀନ ଏକଥା କହୁଛନ୍ତି, ତାକୁ ଗାଲୁଆମିରେ ଉଡାଇଦେବା ସମ୍ଭବ ନୁହେଁ। ତେଣୁ ଏ ନୂଆ ରାଜନୈତିକ ପ୍ରସଙ୍ଗରେ “ବିଶ୍ଵାସଘାତକତା ଓ ବେଇମାନି” ପ୍ରସଙ୍ଗ ଏବେ ମୁଖ୍ୟ ହୋଇପଡିବ। ଏ ବିଶ୍ଵାସଘାତକତା କେବଳ ନବୀନଙ୍କ ପ୍ରତି ନୁହଁ, ବରଂ ବିଜୁ ପରିବାର ପ୍ରତି ବୋଲି ଏକ ବାର୍ତ୍ତା ଦିଆ ସରିଛି। ଆଗାମୀ ନିର୍ବାଚନରେ ଏହି ଅପବାଦକୁ ବୈଜୟନ୍ତ କେମିତି ସାମ୍ନା କରୁଛନ୍ତି, ତାହା ସମୟକ୍ରମେ ଜଣା ପଡିବ ।

Categories
ବିଶେଷ ଖବର

ବିଜେଡି ଓ ବିଜେପିର “ଡଷ୍ଟବିନ” ରାଜନୀତି; ନିର୍ବାଚନରେ କାହାକୁ କେତେ ଫାଇଦା ଦେବ ?

କେଦାର ମିଶ୍ର

ଏବେ ଲାଗୁଛି, ଓଡିଶାର ତିନୋଟିଯାକ ପ୍ରମୁଖ ରାଜନୈତିକ ଦଳ- ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ କାର୍ଯ୍ୟାଳୟ ଆଗରେ ଗୋଟେ ଗୋଟେ ସୁନ୍ଦର ଡଷ୍ଟବିନ ଥୋଇଛନ୍ତି। ନିଜ ଦଳ ଭିତରେ ଯେଉଁ ନେତାମାନେ ଅଳିଆ କରୁଛନ୍ତି ବୋଲି ଦଳ ବିଚାର କରୁଛି ସେମାନଙ୍କୁ ଡଷ୍ଟବିନ କୁ ଫୋପାଡି ଦିଆଯାଉଛି। ହେଲେ ସବୁଠୁ ମଜାର କଥା ହେଉଛି, ଏଇ ତିନୋଟି ଯାକ ଦଳ ନିଜ ନିଜର ଡଷ୍ଟବିନକୁ ପ୍ରତିଦିନ ଅଦଳ ବଦଳ କରି ଚାଲିଛନ୍ତି। ବିଜେଡ଼ିର ଅଳିଆ ଏବେ ଯାଇ ବିଜେପିରେ ହାଜର, ସେହିପରି ବିଜେପିର ଅଳିଆ ବିଜେଡି ଅଫିସ ରେ ସୁଶୋଭିତ। ଅବଶ୍ୟ ଏହା ଭିତରେ କଂଗ୍ରେସର ସ୍ଥିତି ଟିକେ ଭିନ୍ନ। ତାଙ୍କ ଦଳରେ ଅଳିଆ ବାହାରୁଛନ୍ତି ବହୁତ, ହେଲେ ଆସୁଛନ୍ତି କମ। କେନ୍ଦ୍ର ଓ ରାଜ୍ୟ ଶାସନରେ ଥିବା ହେତୁ ବିଜେପି ଓ ବିଜେଡିରେ ଲୋକଙ୍କ ଆଶା ଯେତିକି, ଆଶା ଭାଙ୍ଗିବାର କଷ୍ଟ ମଧ୍ୟ ସେତିକି ଅଧିକ।

ବର୍ତ୍ତମାନ ୧୯ ବର୍ଷ ଓଡିଶା ଶାସନରେ ରହି ଆସିଥିବା ବିଜେଡିରେ ନବ କଳେବର ଚାଲିଛି। ୨୦୧୯ ନିର୍ବାଚନରେ ଦଳ ନୂଆ ମୁହଁକୁ ନେଇ ନିର୍ବାଚନ ମଇଦାନକୁ ଯିବାପାଇଁ ଏକ ପ୍ରକାର ସ୍ଥିର କରି ସାରିଛି। ଲୋକସଭା ପାଇଁ ୩୩% ମହିଳା ପ୍ରାର୍ଥୀ ଓ ପୁରୁଣା ମୁହଁ ବଦଳାଇବାର ନୀତି ଯୋଗୁଁ ବିଜେଡ଼ିର ପୁରୁଣା ନେତାମାନେ ଏବେ ସ୍ଵାଭାବିକ ଭାବରେ ଅସନ୍ତୁଷ୍ଟ। ଅନେକ ଟିକେଟ ଆଶାୟୀ ଏବେ ଦଳ ଛାଡୁଛନ୍ତି। ଆଗରୁ ବିଜେଡି ବୈଜୟନ୍ତ ପଣ୍ଡା, ଦାମୋଦର ରାଉତଙ୍କ ପରି ପୁରୁଣା ନେତାଙ୍କୁ ବହିଷ୍କାର କରିସାରିଥିଲା। ଦଳରୁ ବହିଷ୍କୃତ ହେଲାପରେ ଏମାନେ କିଛି ଦିନ ଶହୀଦ ହେବାର ଅଭିନୟ କଲାପରେ ଏବେ ହଠାତ ବିଜେପିରେ ଯୋଗଦାନ କରିଛନ୍ତି। ଅର୍ଥାତ ବିଜେପିର ଡଷ୍ଟବିନରେ ବହିଷ୍କୃତ ଓ ଟିକଟରୁ ବଞ୍ଚିତ ନେତାଙ୍କର ଭରପୂର ଭିଡ। ଆହୁରି ରୋଚକ କଥାହେଲା, ଏବେ ବିଜେପିର ମିଶ୍ରଣ ପର୍ବ ଓଡିଶାରୁ ଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇଛି। ବୋଧହୁଏ, ବିଜେପି ଦିଲ୍ଲୀର ଗଣମାଧ୍ୟମକୁ କହିବାକୁ ଚାହୁଁଛି ଯେ ଓଡିଶା ଦଖଲ ଲାଗି ବିଜେପି ଏବେ ପୂରା ପ୍ରସ୍ତୁତ। ଦଳର ଟିକଟରୁ ବଞ୍ଚିତ ସାଂସଦ ବଳଭଦ୍ର ମାଝୀ ବିଜେଡି ଛାଡିଛନ୍ତି ଓ ତାଙ୍କ ଲାଗି ବିଜେପି ଦୁଆର ଖୋଲା ଅଛି ବୋଲି ଶୁଣା ଯାଉଛି। ସେହିପରି କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ମଧ୍ୟ ବିଜେପି ସହ ଯୋଗାଯୋଗରେ ଅଛନ୍ତି।

ଅପରପକ୍ଷରେ ବିଜେପିକୁ ଯାଉଥିବା ବିଜେଡି ନେତାଙ୍କୁ ଦେଖି ଏବେ ବିଜେପିର ପୁରୁଣା ନେତାମାନେ ପ୍ରମାଦ ଗଣିଲେଣି। ଯେଉଁ ନେତାମାନେ ଦିନରାତି ସେମାନଙ୍କୁ ଶୋଧୁଥିଲେ, ଏବେ ସେମାନେ ବିଜେପିର ଛାମୁଆ ନେତା। ବୈଜୟନ୍ତ ପଣ୍ଡା ତ ଏବେ ରାଷ୍ଟ୍ରୀୟ ଉପ ସଭାପତି। ଦାମ ରାଉତ ମଧ୍ୟ କିଛି ଗୋଟେ ପଦବୀ ହାତେଇ ପାରନ୍ତି। ବୈଜୟନ୍ତ କେନ୍ଦ୍ରାପଡା ଲୋକସଭାରୁ ବିଜେପି ପ୍ରାର୍ଥୀ ହେବେ ଓ ଦାମୋଦର ରାଉତ ବାଲିକୁଦା ଏରସମା ବିଧାନସଭାରୁ ପ୍ରାର୍ଥୀ ହେବେ ବୋଲି ଏକ ପ୍ରକାର ନିଷ୍ପତ୍ତି ହୋଇଛି। ଦାମ ତାଙ୍କ ପାରାଦୀପ ନିର୍ବାଚନ ମଣ୍ଡଳୀରୁ ନ ଲଢିବାର କାରଣ ହେଉଛି, ଏବେବି ସେ ଆଶା କରୁଛନ୍ତି ଯେ କାଳେ ବିଜେଡ଼ିରୁ ତାଙ୍କ ପୁଅ ସମୀର ରାଉତରାୟଙ୍କୁ ଟିକଟ ମିଳିଯିବ। ଇତି ମଧ୍ୟରେ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଦଳକୁ ଫେରି ଆସିବେ ବୋଲି କୁହାଯାଉଛି। ତା ମାନେ ହେଲା, ଏବେ ଓଡିଶା ବିଜେପି ପୁରୁଣା ବିଜୁ ଅନୁଗତଙ୍କ ଦଳପାଲଟିଯିବ।

ଏବେ ଅକସ୍ମାତ ବିଜେପି ଭିତରେ ବିଜୁ ପଟ୍ଟନାୟକଙ୍କ ଗୁଣଗାନ ବେଶି ବେଶି ଶୁଣିବାକୁ ମିଳୁଛି। ବିଜେପିଭିତରେ ପୁରୁଣା ସଙ୍ଘୀମାନଙ୍କୁ ଏ ବିଜୁ କୀର୍ତ୍ତନ ଭଲ ନାଲାଗିବା ସ୍ଵାଭାବିକ। ଆଦର୍ଶଗତ କାରଣରୁ ଓ ଟିକଟ ନ ପାଇବାର ରାଗ ଯୋଗୁଁ ଏବେ ଅନେକ ବିଜେପି ନେତା ବିଜେଡି ସହ ଯୋଗସୂତ୍ରରେ ଅଛନ୍ତି। କିଛି ନେତା ତ ନବୀନ ନିବାସରେ ପହଞ୍ଚି ସାରିଲେଣି। ଏ ଯିବା ଆସିବାର ପ୍ରକ୍ରିୟାରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା କଣ? ଲୋକେ ଡଷ୍ଟବିନରୁ ଗୋଟା ହୋଇ ଆସୁଥିବା ନେତାଙ୍କୁ ଭଲ ପାଆନ୍ତି କି? ୨୦୧୪ ନିର୍ବାଚନରେ କଂଗ୍ରେସର ଦୁଇଜଣ ଟାଣୁଆ ନେତା ଅନୁପ କୁମାର ସାଏ ଓ ହେମା ଗମାଙ୍ଗ  ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ, ହେଲେ ବିଜେଡ଼ିର ପ୍ରଚଣ୍ଡ ବିଜୟ ସତ୍ତ୍ୱେ ଏ ଦୁଇ ନେତା ହାରିଥିଲେ। ତେଣୁ ଦଳ ବଦଳକାରୀ ନେତାଙ୍କ ପ୍ରତି ଲୋକଙ୍କର ବିତୃଷ୍ଣା ରହିଛି।

ଦାମୋଦର ରାଉତ ବା ବୈଜୟନ୍ତ ପଣ୍ଡା ନୂଆ ଦଳ ଗଢି ନିର୍ବାଚନ ଲଢିଥିଲେ ହୁଏତ ସେମାନେ ହାରିଥାନ୍ତେ, କିନ୍ତୁ ଏକ ବିକଳ୍ପ ରାଜନୈତିକ ଶକ୍ତି ଭାବରେ ତାଙ୍କର ପରିଚୟ ସୃଷ୍ଟି ହୋଇଥାନ୍ତା। ବିଜେପିରେ ଏମାନଙ୍କର ଯୋଗଦାନ କେବଳ ଗଣମାଧ୍ୟମର ପ୍ରଚାରକୁ ପ୍ରଭାବିତ କରିବା ସିନା, ବାସ୍ତବ କ୍ଷେତ୍ରରେ ଏହାର କୌଣସି ପ୍ରଭାବ ନାହିଁ। ବିଜେଡି, ବିଜେପି ବା କଂଗ୍ରେସ, ଯେଉଁମାନଙ୍କୁ ଟିକଟ ଦେଉନାହାନ୍ତି, ସେମାନେ ସେଇ ଦଳ ଲାଗି ଅନାବଶ୍ୟକ ବୋଝ। ତେଣୁ ବୋଝ ବା ଅଳିଆ ଅନ୍ୟ ଦଳକୁ ଯିବ ବୋଲି ଜଣାଥାଏ। ସାଧାରଣ ଜନତା କିନ୍ତୁ ଏ ପ୍ରକାର ନେତାଙ୍କୁ ଠିକଣା ସମୟରେ ଜବାବ ଦେଇଥାନ୍ତି।

ଓଡିଶାର ସାଧାରଣ ନିର୍ବାଚନରେ ଲୋକ କାହାକୁ ଭୋଟ ଦେବେ ତାହା ଦଳ ବଦଳ କରୁଥିବା ନେତାଙ୍କ ଓଜନ ଉପରେ ନିର୍ଭର କରିବ ନାହିଁ। ଦଳବଦଳ ରାଜନୀତି ଖାଲି କାମେରା ଆଗରେ ନାଟକ ମାତ୍ର। ଯିଏ ଯେଉଁଠି ଜିତିବା ବା ହାରିବା କଥା ସେ ପ୍ରସଙ୍ଗ ଲୋକ ସ୍ଥିର କରି ସାରିଛନ୍ତି।

Categories
ବିଶେଷ ଖବର

ମୁଁ ବି ଦିନେ ମୁଖ୍ୟମନ୍ତ୍ରୀ ହେବି- ମୁଖ୍ୟମନ୍ତ୍ରୀ ହେବା ନିଶାରେ ମନେ ମନେ ମୁଆଁ ଖାଉଥିବା କିଛି ନେତାଙ୍କ କଥା!

ସମୀକ୍ଷା ବ୍ୟୁରୋ

ରାଜ୍ୟ ରାଜନୀତିକୁ ଯଦି ନିରିଖେଇ ଦେଖାଯାଏ ତେବେ ସ୍ପଷ୍ଟ ହେବ ଯେ, ରାଜ୍ୟର ପ୍ରମୁଖ ତିନୋଟି ଦଳର ଅନେକ ନେତା ଅଛନ୍ତି ଯେଉଁମାନେ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ହେବାକୁ ମନେ ମନେ ସ୍ୱପ୍ନ ଦେଖୁଛନ୍ତି ଓ ପାଗ ଭିଡି ବସିଛନ୍ତି । ସ୍ୱପ୍ନ ଦେଖିବାରେ କାହାର ଆପତ୍ତି ନାହିଁ । ହେଲେ ସ୍ୱପ୍ନକୁ ସାକାର କରିବା ପାଇଁ କିଛି ନେତା ଯେପରି କୌଶଳ ଅବଲମ୍ବନ କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାଧାରଣତଃ ଯିଏ ଚାହିଁବ ସେ ନେତା ହୋଇଯିବ ବା ମୁଖ୍ୟମନ୍ତ୍ରୀ ହୋଇଯିବ ତାହା ନୁହେଁ। ଏପରିକି କଳବଳ କୌଶଳଠାରୁ ଆରମ୍ଭ କରି କୋଟି କୋଟି ଟଙ୍କା ଖର୍ଚ୍ଚ କଲେ ମଧ୍ୟ ଜଣେ ବିଧାୟକ କିମ୍ବା ସାଂସଦ ହେବା ସମ୍ଭବ ହୋଇପାରିବ ନାହିଁ। ତାହା ଯଦି ହୋଇଥାନ୍ତା ତାହାହେଲେ ଦେଶର ଧନୀ ସେଠ ଆଜି ସାଂସଦ କିମ୍ବା ବିଧାୟକ ହୋଇଯାଇଥାନ୍ତେ। ହେଲେ ବର୍ତ୍ତମାନ ଯେଉଁମାନେ ନେତା ହୋଇ ସାଂସଦ କିମ୍ବା ବିଧାୟକ ହୋଇଛନ୍ତି, ସେମାନଙ୍କ ମନରେ କେଉଁଠି ନା କେଉଁଠି ମୁଖ୍ୟମନ୍ତ୍ରୀ ହେବାର ଲୋଭଟା ବାହାରକୁ ବାହାରିଯାଉଛି। କେବଳ ସେତିକି ନୁହେଁ ମନେ ମନେ ନିଜକୁ ମୁଖ୍ୟମନ୍ତ୍ରୀ ଭାବି ସେମାନଙ୍କ ଆଚାର ବ୍ୟବହାରରେ ମୁଖ୍ୟମନ୍ତ୍ରୀ ହେବାର ମିଛ ଅହଂକାର ଦିଶି ଯାଉଛି।

ସତ ମୁଖ୍ୟମନ୍ତ୍ରୀଙ୍କ ପରି ମନେମନେ ମୁଖ୍ୟମନ୍ତ୍ରୀ ହୋଇ ଯାଇଥିବା ଏହି ଉଚ୍ଚାଭିଳାଷୀ ନେତାମାନେ ଲୋକଙ୍କଠାରୁ, ଏପରିକି ସାମ୍ବାଦିକଙ୍କଠାରୁ ମଧ୍ୟ କର ଛଡା ଦେଇ ରହୁଛନ୍ତି । ଚାଲିଚଳନରେ ବେଶ୍ ପରିବର୍ତ୍ତନ ଆସିଯାଉଛି। ଏପରି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖି ହାବଭାବରେ ପରିବର୍ତ୍ତନ କରୁଥିବା ଓଡିଶାରେ ପାଞ୍ଚ ଜଣ ନେତା ଅଛନ୍ତି ବୋଲି କୁହାଯାଇପାରେ। ସେହି “ମନେମନେ ମୁଖ୍ୟମନ୍ତ୍ରୀ” ନେତାଙ୍କ ବିଷୟରେ ଆସନ୍ତୁ ଜାଣି ନେବା।

1-ଧର୍ମେନ୍ଦ୍ର ପ୍ରଧାନ(ବିଜେପି)-ଦିନ ନାହିଁ ରାତି ନାହିଁ, ସବୁବେଳେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି ବିଜେପିର ମଙ୍ଗୁଆଳ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀ ହେବାର ନିଶା ତାଙ୍କୁ ଏପରି ଘାରିଛି ଯେ, ସେ ଓଡିଶାର ଲୋକଙ୍କ ଆଚାର, ଚାଲିଚଳନ କଣ ତାହା ଭୁଲି ଯାଉଛନ୍ତି। ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ହେବାର ଗୋଟିଏ ମନ୍ତ୍ର ଶିଖିଛନ୍ତି ତାହା ହେଉଛି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେନତେନ ପ୍ରକାରେଣ ବଦନାମ କରିବା। ଧର୍ମେନ୍ଦ୍ରଙ୍କ ପରାମର୍ଶଦାତାମାନେ ତାଙ୍କୁ ବୁଝାଇ ଦେଇଛନ୍ତି ଯେ, ନବୀନଙ୍କ ଭଲ ଇମେଜକୁ ଯଦି କଳଙ୍କ ଲଗାଇ ଦିଆଯାଏ ତେବେ ସେ ହଟିଯିବେ। ଆଉ ସେ ନ ହଟିବା ପର୍ଯ୍ୟନ୍ତ ଓଡିଶାରେ ଆଉ କେହି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ଏହି ମନ୍ତ୍ରକୁ ସାକାର କରିବା ପାଇଁ ଧର୍ମେନ୍ଦ୍ର ତାଙ୍କର ବାହିନୀକୁ କାମରେ ଲଗାଇ ଦେଇଛନ୍ତି। ସେମାନେ ନବୀନ ପଟ୍ଟନାୟକଙ୍କୁ ବଦନାମ କରିବାକୁ ଦିନରାତି ଚେଷ୍ଟା ଚଳାଇଛନ୍ତି। ଦଳ ବାରମ୍ବାର ଛୋଟବଡ ନିର୍ବାଚନରେ ହାରୁଥିଲେ ମଧ୍ୟ ତାଙ୍କର ମୁଖ୍ୟମନ୍ତ୍ରୀ ହେବା ନିଶା ଏପରି ଧରିଛି ଯେ, ସେଥିରୁ ସେ ହଟି ନୂଆ କୌଶଳ ଅବଲମ୍ବନ କରିବାର ସତସାହସ ଜୁଟାଇ ପାରୁ ନାହାଁନ୍ତି। ନିର୍ବାଚନ ଯେତିକି ପାଖେଇ ଆସୁଛି ତାଙ୍କର ମୁଖ୍ୟମନ୍ତ୍ରୀ ହେବାର ନିଶା ସେତିକି ବଢୁଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖୁଥିବା ଓଡିଆ ନେତାଙ୍କ ତାଲିକାରେ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ହେବେ।

2-ବୈଜୟନ୍ତ ପଣ୍ଡା (ନୋ ପାର୍ଟି) – ବର୍ତ୍ତମାନ ନୁହେଁ ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନରେ ଭାସୁଛନ୍ତି ବିଜେଡିରୁ ବହିସ୍କୃତ ନେତା ବୈଜୟନ୍ତ ପଣ୍ଡା ଓରଫ ଜୟ ପଣ୍ଡା। ସ୍ୱପ୍ନ ନୁହେଁ ଜୟ ମନେ ମନେ ମୁଖ୍ୟମନ୍ତ୍ରୀ ହୋଇସାରିଲେଣି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଙ୍କର ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖିବାର କାରଣ ହେଉଛି ତାଙ୍କ ପାଖରେ ରହିଛି ଟଙ୍କା, ମିଡିଆ ଆଉ ପଇସାଦିଆ ଲୋକଶକ୍ତି। ତାଙ୍କର ଚାଲିଚଳନ ଆଚାର ବ୍ୟବହାରକୁ ଅନୁଧ୍ୟାନ କଲେ ପ୍ରାୟତଃ ଅନୁଭବ କରିହେଉଛି ଯେ, ଜୟ ପଣ୍ଡା ଜଣେ ମନେମନେ ମୁଖ୍ୟମନ୍ତ୍ରୀ। ସେ କେବେବି ଓଡିଆ ମିଡିଆକୁ ସାକ୍ଷାତକାର ଦେବେ ନାହିଁ । ସାକ୍ଷାତକାର ଦୂରେଥାଉ ଓଡିଶାର କୌଣସି ପ୍ରତିଷ୍ଠିତ ସାମ୍ବାଦିକ କିମ୍ବା ସଂପାଦକଙ୍କ ଫୋନ ମଧ୍ୟ ସେ ଉଠାନ୍ତି ନାହିଁ। ତାଙ୍କ ପ୍ରେସ୍ ବିଜ୍ଞପ୍ତି ତାଙ୍କର ପ୍ରାଇଭେଟ ସେକ୍ରେଟାରୀ ଦିଅନ୍ତି। ଯାହା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର କରିଥାନ୍ତି। ବିଜେଡିରେ ଥିବା ବେଳେ ତାଙ୍କର ଏପରି ଆଚାର ବ୍ୟବହାର ତୀବ୍ରତର ଥିଲା। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରୁ ଅବସର ନେବା ପରେ ସେ ବିଜେଡିର ମଙ୍ଗ ଧରି ମୁଖ୍ୟମନ୍ତ୍ରୀ ହେବାର ଏକ ବଡ ଆଶା ରଖିଥିଲେ। ହେଲେ ଏ କଥା ମୁଖ୍ୟମନ୍ତ୍ରୀ ଜାଣିବା ପରେ ତାଙ୍କୁ ଦଳରୁ ବହିସ୍କାର କରିଥିବା ଚର୍ଚ୍ଚା ଚାଲିଛି। ତେଣୁ ଓଡିଶାର ରାଜନୀତିରେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଦ୍ୱିତୀୟରେ ରହିବେ ଜୟ ପଣ୍ଡା।

3-ଭର୍ତ୍ତୃହରି ମହତାବ(ବିଜେଡି) ଏହି ତାଲିକାରେ ତୃତୀୟରେ ଆସିବେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ଏହାର କାରଣ ହେଲା ସେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଏବଂ ତାଙ୍କ ହାତରେ ମଧ୍ୟ ଏକ ଖବରକାଗଜ ରହିଛି। ତେବେ ସେ କଣ ପାଇଁ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି ବୋଲି ଯଦି ପଚରାଯାଏ ତେବେ ଏହାର ଏକମାତ୍ର ଉତ୍ତର ହେଉଛି ତାଙ୍କର ଚାଲିଚଳନ। ସେ ଜଣେ ସାଂସଦ ମାତ୍ର ହେଲେ ତାଙ୍କର କଥା କହିବାର ଶୈଳୀ, ଲୋକଙ୍କଠାରୁ ଦୂରେଇ ରହି ନିଜକୁ ଏକ ବଡ଼ ଭାବିବାର କାଇଦା ହିଁ ସେ ମନେ ମନେ ନିଜକୁ ମୁଖ୍ୟମନ୍ତ୍ରୀ ଭାବୁଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଜୟ ପଣ୍ଡାଙ୍କ ପରି ସେ ମଧ୍ୟ କୌଣସି ସାମ୍ବାଦିକଙ୍କ ଫୋନ ଉଠାନ୍ତି ନାହିଁ। କେବେ କୌଣସି ସମୟରେ ତାଙ୍କ ସହ କଥା ହେଲେ ସେ ଯେପରି ଉତ୍ତର ରଖନ୍ତି ତାହା ହିଁ ପ୍ରମାଣିତ କରିଦିଏ ଯେ, ସେ ମନେ ମନେ ମୁଖ୍ୟମନ୍ତ୍ରୀ।

4- ନିରଞ୍ଜନ ପଟ୍ଟନାୟକ(କଂଗ୍ରେସ) କେତେବେଳେ ମୁଖ୍ୟମନ୍ତ୍ରୀ ହେବା କେତେବେଳେ ନ ହେବାର ସ୍ୱପ୍ନ ଦେଖୁଥିବା ବ୍ୟକ୍ତିଟିଏ ହେଉଛନ୍ତି ନିରଞ୍ଜନ ପଟ୍ଟନାୟକ। ହେଲେ ଅନ୍ୟମାନଙ୍କ ପରି ନିରଞ୍ଜନ ସବୁବେଳେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିପାରନ୍ତି ନାହିଁ। କାରଣ ତାଙ୍କର ସ୍ଥିତି ମଜବୁତ ନ ଥିବାରୁ ତାଙ୍କୁ ଅଧା ସ୍ୱପ୍ନରେ ବିଭୋର ହେବାକୁ ପଡିଥାଏ। ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନରେ ମସଗୁଲ ରହନ୍ତି ସେତେବେଳେ ତାଙ୍କର ଚାଲିଚଳନ ପୁରା ମୁଖ୍ୟମନ୍ତ୍ରୀଆ ହୋଇଯାଏ। ମୁଖ୍ୟତଃ ତାଙ୍କ ପାଖରେ ପଇସା ଅଛି ଆଉ ପଦବୀ ବି ଅଛି, ହେଲେ ମୁଖ୍ୟମନ୍ତ୍ରୀ ହେବାର ପୁରା ସ୍ୱପ୍ନ ଦେଖିବାରେ ଭାଗ୍ୟ ତାଙ୍କର ସାଥ ଦେଉ ନାହିଁ।

5- ଶ୍ରୀକାନ୍ତ ଜେନା(ବହିସ୍କୃତ କଂଗ୍ରେସ)- ମୁଖ୍ୟମନ୍ତ୍ରୀ କାହିଁକି ପ୍ରଧାନମନ୍ତ୍ରୀ ହେବାର ସ୍ପପ୍ନ ଦେଖୁଥିବାର କେହି ଯଦି ଓଡିଶାରେ ଅଛନ୍ତି ତେବେ ସେ ହେଉଛନ୍ତି ଶ୍ରୀକାନ୍ତ ଜେନା। ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ନିଶା ଏତେ ଘାରିଛି ଯେ, ନିଜେ ମୁଖ୍ୟମନ୍ତ୍ରୀ ହୋଇ ପାରୁ ନ ଥିବାରୁ ବେଳେବେଳେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ରାଗରେ ଗାଳି କରିପକାନ୍ତି। ବର୍ତ୍ତମାନ ଅନ୍ୟାନ୍ୟ ରାଜ୍ୟରେ କଂଗ୍ରେସ ପୁଣି ଥରେ ଲେଉଟିଥିବାରୁ ଶ୍ରୀକାନ୍ତଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ହେବାର ନିଶା ବଢିଯାଇଥିଲା। ଏପରିକି ନିଜ ନାଁ ନ କହି ଜଣେ ଓବିସି ଜାତିର ଲୋକ ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି ଶ୍ରୀକାନ୍ତ ମତ ଦେଇଥିଲେ।

ତେବେ ଏମାନଙ୍କୁ ଛାଡିଦେଲେ ମନେମନେ ମୁଖ୍ୟମନ୍ତ୍ରୀ ଭାବେ ଆଉ କେତେକ ନେତାଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସୁଛି। ସେମାନେ ହେଲେ ବିଜେଡି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ, ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ ମଧ୍ୟ ଅଛନ୍ତି।