Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପିରେ ସାମିଲ ହେଲେ କେନ୍ଦ୍ରାପଡା ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ

ଭୁବନେଶ୍ୱର: ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ। ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ସମସ୍ତ ବର୍ଗର ଲୋକେ ବିଜେପିକୁ ଆପଣାଉଛନ୍ତି। ଓଡିଶାର ବିକାଶ ପାଇଁ ଆମେ କାର୍ଯ୍ୟ କରିବା ବୋଲି ସଂକଳ୍ପ ନେବା। ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରି ବିଜେପିର ସଦସ୍ୟ ହୁଅନ୍ତୁ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରାପଡା ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ଡେରାବିଶ ବ୍ଲକର ପୂର୍ବତନ ବ୍ଲକ ଚେୟାରମ୍ୟାନ ତଥା ବିଜେଡି ନେତା ସରୋଜକାନ୍ତ ସାହୁ ଏବଂ ପ୍ରଭାତୀ ମଲ୍ଲିକ, ଡ.ପ୍ରିୟବ୍ରତ ମିଶ୍ର ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି କେ.ଭି ସିଂହଦେଓ, ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ନେତୃବୃନ୍ଦ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।

ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ରାଜ୍ୟ ସାଧାରଣ ସମ୍ପାଦକ ଡ.ଯତୀନ ମହାନ୍ତି, ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିନୋଦ ଦାସ, ବିଷ୍ଣୁ ଦାସ, ଜିଲ୍ଲା ସଭାପତି କିଶୋର ପଣ୍ଡା, ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା, ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଖାକିରେ କଳଙ୍କ : ଚାକିରି ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଏସ୍‌ଆଇଙ୍କ ଦୁଷ୍କର୍ମ ଅଭିଯୋଗ

ରମେଶ ମହାନ୍ତି
ଜଗତସିଂହପୁର : ପୁଣି ଖାକିରେ ଲାଗିଛି କଳଙ୍କ । ଜଣେ ଯୁବ ପୋଲିସ୍‌ ଅଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜନୈକା ଯୁବତୀ । କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟରତ ଜନୈକ ଯୁବ ପୋଲିସ୍‌ ଅଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି କୁଜଙ୍ଗର ଜନୈକ ଯୁବତୀ । କେନ୍ଦ୍ରାପଡା ଥାନାରେ ଏସ୍‌ଆଇ ଭାବରେ କାର୍ଯ୍ୟରତ ଏହି ଏସ୍‌ଆଇ ଜଣଙ୍କ ଚାକିରି ଏବଂ ବିବାହର ପ୍ରଲୋଭନ ଦେଖାଇ ଦୀର୍ଘ ଏକ ବର୍ଷ ଧରି ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଆସିଥିଲେ ବୋଲି ଯୁବତୀ ଜଣକ କୁଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ।

Categories
ଆଞ୍ଚଳିକ

କୋରନ୍ଦ ଗ୍ରାମରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

ରାଜକନିକା: ସମଗ୍ର ବିଶ୍ବ ଆଜି ମହାମାରୀ କରୋନା କବଳରେ କବଳିତ। ଭାରତରେ ମଧ୍ୟ କରୋନାର କାୟା ମେଲିସାରିଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 5000 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 149ରେ ପହଞ୍ଚିଛି। ସେହିପରି ରାଜ୍ୟରେ ମଧ୍ୟ କରୋନା ସ୍ଥିତି ବେଶ୍‌ ସଙ୍ଗୀନ ରହିଛି। ଏପର୍ଯ୍ୟନ୍ତ 42 ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବାବେଳେ ଜଣକର ମୃତ୍ୟୁ ହୋଇଯାଇଛି। କରୋନା ସହ ବିଶ୍ବ ଯୁଦ୍ଧ କରୁଥିବାବେଳେ ବିଭିନ୍ନ ମହଲରୁ ସହାୟତାର ସୁଅ ମଧ୍ୟ ଛୁଟୁଛି।

ଏହି ଧାରାରେ ନିଜକୁ ସାମିଲ କରିଛନ୍ତି ରାଜକନିକା ବ୍ଲକ୍ ଅନ୍ତର୍ଗତ ଦୁଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ। କୋରନ୍ଦ ଗ୍ରାମ ସ୍ଥିତ ମା ଜଞ୍ଜାଳୀ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଜୟ ହନୁମାନ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ନିରାଶ୍ରୟ ତଥା ଗରିବ  ୨୦୦ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା। ତେବେ ଖାଦ୍ୟ ବଣ୍ଟନ ପୂର୍ବରୁ ସରକାରଙ୍କ ନିର୍ଦ୍ଦେଶିତ କରୋନା କଟକଣାକୁ ମାନିଥିବାର ଦେଖାଯାଇଛି। ସାମାଜିକ ଦୂରତ୍ୱକୁ ଗୁରୁତ୍ବ ଦେଇ ମହିଳା ମାନେ ଘରଘର ବୁଲି ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ। ଖାଦ୍ୟ ବଣ୍ଟନ କରିବା ପୂର୍ବରୁ ହାତକୁ ସାନିଟାଇଜ୍ କରିବା ସହିତ ସାଧାରଣ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ ମଧ୍ୟ କରାଇଥିଲେ। ସ୍ବୟଂସହାୟକ ଗୋଷ୍ଠୀଙ୍କ ଏପରି ନିଆରା ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି।

Categories
ଆଞ୍ଚଳିକ ରାଜ୍ୟ ଖବର

ଜାତୀୟ ମତଦାତା ଦିବସ ପାଳନ ଅବସରରେ ସାଇକେଲ ଶୋଭାଯାତ୍ରା

ଧୃତିରଞ୍ଜନ ବାରିକ
କେନ୍ଦ୍ରାପଡା : ଜାତୀୟ ମତଦାତା ଦିବସ ପାଳନ ଅବସରରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ତରଫରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । 10ମ ମତଦାତା ଦିବସ ଅବସରରେ କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଶତାଧିକ ଛାତ୍ରଛାତ୍ରୀ ସାଇକେଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସଚେତନତା ବାର୍ତା ପ୍ରଚାର କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶୋଭାଯାତ୍ରାକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ପ୍ରସାରଣ ବିଭାଗର ଉପ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସମାଜ ମଙ୍ଗଳ ଓ ଭିନ୍ନକ୍ଷମ ଅଧିକାରୀ ପ୍ରଭାସ ଦାସ , ଜିଲ୍ଲା ନିର୍ବାଚନ ଅଫିସର ସମ୍ବିତ ଶତପଥି ପ୍ରମୁଖ ଯୋଗ ଦେଇଥିଲେ ।

Categories
ଆଞ୍ଚଳିକ

ନେତାଜୀ ମଡେଲ୍‌ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ

ସମୀକ୍ଷା ବ୍ୟୁରୋ

ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ପବିତ୍ର ଜନ୍ମତିଥି ଉପଲକ୍ଷେ କେନ୍ଦ୍ରାପଡା ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନେତାଜୀ ମଡେଲ ସ୍କୁଲ ତରଫରୁ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ପୃଷ୍ଟି ନେତାଜୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ସହର ପରିକ୍ରମା କରି ନେତାଜୀଙ୍କ ଜୟଜୟକାର କରିଥିଲେ। ଏହି ଅବସରରେ ସହରର ପୁରୁଣା ମଟର ଷ୍ଟାଣ୍ଡ ଠାରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ବିଶେଷ ଖବର ମତାମତ

ମନ୍ତ୍ରୀପଡା ଭାବେ ପରିଚିତ କେନ୍ଦ୍ରାପଡା ମନ୍ତ୍ରୀଛଡା ହୋଇଥିଲା, ଶେଷରେ ଜିଲ୍ଲା ଯୋଜନା କମିଟ ଅଧ୍ୟକ୍ଷ ପଦରୁ ମଧ୍ୟ ବାଦ ପଡିଲେ କେନ୍ଦ୍ରାପଡିଆ ବିଧାୟକ। କାହିଁକି ?

ସମୀକ୍ଷା ବ୍ୟୁରୋ

ଆଜ୍ଞା, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏକ ପ୍ରେସ ବିଜ୍ଞପ୍ତି ଆସିଛି। ଯେଉଁଥିରେ ତିରିଶିଟି ଜିଲ୍ଲାର ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ସାଧାରଣତଃ ଏହି ପଦବୀରେ ମନ୍ତ୍ରୀମାନଙ୍କୁ ନିଆଯାଇଥାଏ। ହେଲେ କେତେକ କ୍ଷେତ୍ରରେ ବିଧାୟକଙ୍କୁ ମଧ୍ୟ ନେବାରେ କୌଣସି ଅସୁବିଧା ନାହିଁ। ଏହି ବିଜ୍ଞପ୍ତିରେ ୧୮ ଜଣ ମନ୍ତ୍ରୀଙ୍କ ସହିତ ୧୨ ଜଣ ବିଧାୟକଙ୍କ ନାମ ମଧ୍ୟ ରହିଛି। ଏହି ବିଧାୟକମାନଙ୍କୁ ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷ କରାଯାଇଛି। ହେଲେ ଦୁଃଖର କଥା ଏହି ତାଲିକାରେ କେନ୍ଦ୍ରାପଡା ଜିଲ୍ଲାର ଟାଣୁଆ ଓ ଶକ୍ତିଶାଳି ବିଧାୟକଙ୍କ ନାମ ମଧ୍ୟ ନାହିଁ। ସେଦିନ ଚା ଖଟିର କାଠ ବେଞ୍ଚ ଉପରେ ବସି କେନ୍ଦ୍ରାପଡାର ଜଣେ ବିଜେଡି ନେତା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ବିଜ୍ଞପ୍ତିକୁ ଏକ ନିଃସ୍ବାସରେ ପଢି ଚାଲିଲେ। ଆମେ ପାଟିରୁ ଗରମ ଚାହାଟା ବାହର କରି କହିଲୁ, କାହିଁ କଣ ହେଲା କି ? ନ ଥିଲେ ନ ଥିବ ଏଥିରେ ଅସୁବିଧା କଣ ହେଲା।

ଭାଇ, ଆପଣ ଜଣେ ସାମ୍ବାଦିକ ଲୋକ। ଆପଣ ମୁଣ୍ଡଟା ଟିକିଏ ଭିତରକୁ ପୁରାନ୍ତୁ। କହିଲେ ଦେଖି, କେନ୍ଦ୍ରାପଡାକୁ ଏକଦା ମନ୍ତ୍ରୀପଡା ବୋଲି କୁହାଯାଉଥିଲା କି ନାହିଁ। ଆମେ ଉତ୍ତରରେ କହିଲୁ ହଁ, ଏଥିରେ କିଛି ଭାବିବାର ନାହିଁ। ହେଲେ ତାହା କିନ୍ତୁ ବର୍ତ୍ତମାନ ଇତିହାସ ପାଲଟି ଯାଇଛି। ବର୍ତ୍ତମାନ କେନ୍ଦ୍ରାପଡା ମନ୍ତ୍ରୀପଡା ନୁହେଁ ,ମନ୍ତ୍ରୀଛଡା ହୋଇଗଲାଣି ଭାଇ। ଆପଣ ସବୁ କଥାକୁ ସାମ୍ବାଦିକିଆ ଠାଣିରେ ଦେଖୁଛନ୍ତି। ଟିକିଏ ଅଭିମାନ ଭରା କଣ୍ଠରେ ସେ କହିଲେ। ଆମେ କହିଲୁ ଭାଇ ଖରାପ ଭାବନ୍ତୁ ନାହିଁ, ବର୍ତ୍ତମାନ କେନ୍ଦ୍ରାପଡା ମନ୍ତ୍ରୀଛଡା ହୋଇଛି କି ନାହିଁ। ପୂର୍ବରୁ ମନ୍ତ୍ରୀଛଡା ଏବେ ସେମାନଙ୍କୁ ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷ ମଧ୍ୟ କରାଗଲା ନାହିଁ। ଏହାଠୁ ବଡ ଲଜ୍ଜାଜନକ ସ୍ଥିତ କଣ ଅଛି କହୁନ ? ଆପଣଙ୍କ ଜିଲ୍ଲାରେ ଯେଉଁମାନେ ବିଧାୟକ ଅଛନ୍ତି ସେମାନେ କଣ ମନ୍ତ୍ରୀ ପାଇଁ ଅଯୋଗ୍ୟ କି ? ହେଲେ କଣ ପାଇଁ ସେମାନଙ୍କୁ ମନ୍ତ୍ରୀ ପଦ ଦିଆଗଲା ନାହିଁ ? କଣପାଇଁ ସେମାନଙ୍କୁ ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷ କରଗଲା ନାହିଁ ?

କିଛି ସମୟ ପାଇଁ ସେ ହାତରେ ଚା ଗ୍ଲାସ ଧରି ମୋ ମୁହଁକୁ ଅନାଇ ରହିଲେ। ଆମେ କହିଲୁ ଭାଇ ଉତ୍ତର ଦିଅ। ତାପରେ ସେ ଗ୍ଲାସଟି ତଳେ ଥୋଇ କହିଲେ, ଆଚ୍ଛା ଠିକ୍ କଥା। ବର୍ତ୍ତମାନ ମୁଁ ସେ ଦିଗକୁ ଯାଉ ନାହିଁ। ଆପଣଙ୍କୁ ଗୋଟିଏ କଥା ପଚାରୁଛି। ପ୍ରଥମ କଥା କୁହ କେନ୍ଦ୍ରାପଡା ବାସୀ ନବୀନବାବୁଙ୍କୁ କଣ ନ ଦେଇଛନ୍ତି। ଆମେ ପଚାରୁଲୁ ମାନେ ? ମାନେ ହେଉଛି କେନ୍ଦ୍ରାପଡା ବାସୀ ନବୀନବାବୁଙ୍କ ସମସ୍ତ କଥାକୁ ମାନି ସାହାର୍ଯ୍ୟ କରି ଆସିଛନ୍ତି। ଧରି ନିଆନ୍ତୁ, କେନ୍ଦ୍ରପଡାରେ ଶଶିଭୂଷଣ ବେହେରାଙ୍କୁ ପ୍ରାର୍ଥୀ କରାଗଲା। ସେ କେନ୍ଦ୍ରାପଡା ଲୋକ ନ ହେଲେ ମଧ୍ୟ ନବୀନବାବୁଙ୍କ ମୁହଁକୁ ଚାହିଁ ତାଙ୍କୁ ଜିତାଇଲେ। ହଁ ନା ନାହିଁ। ତାପରେ ଦ୍ବୀତିୟ କଥା ହେଲା, ସାଂସଦ ଭାବେ କେନ୍ଦ୍ରାପଡାବାସୀ ଅନୁଭବ ମହାନ୍ତିଙ୍କୁ ଜିତାଇଲେ। ଖାଲି ଜିତାଇଲେ ନୁହେଁ ଭାଇ.. ଦେଢ ଲକ୍ଷ ଭୋଟ ବ୍ୟବଧାନରେ ଜିତାଇଲେ। ହଁ ନା ନାହିଁ। କହିଲ ଦେଖି, ସେ କଣ କେନ୍ଦ୍ରାପଡା ଲୋକ।

ଆଉ ଗୋଟିଏ ଉଦାହରଣ ଦେଉଛି। ୨୦୧୪ ନିର୍ବାଚନରେ କେନ୍ଦ୍ରାପଡାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳିରୁ ଆମ ବିଜେଡି ମାତ୍ର ତିନୋଟିରେ ଜିତିଥିଲା। ହେଲେ ସେତେବେଳେ ନବୀନବାବୁ ଗୋଟିଏ ମନ୍ତ୍ରୀପଦ ଦେଇଥିଲେ। ସେ ହେଉଛନ୍ତି ଅତନୁ ସବ୍ୟସାଚୀ ନାୟକ। ଏଥର ନିର୍ବାଚନରେ କେନ୍ଦ୍ରାପଡାବାସୀ ପୁରା ୫ରୁ ୫ ଆସନ ବିଜେଡିକୁ ଦେଇଦେଲେ। ସେହି ହିସାବ ଅନୁସାରେ ଏଥର ଆମ ଜିଲ୍ଲାରୁ ଅନ୍ତତଃ ଦୁଇଜଣ ମନ୍ତ୍ରୀ ହେବା କଥା। ହେଲେ କିଛି ହେଲେ ନାହିଁ। କେନ୍ଦ୍ରାପଡାବାସୀ ନବୀନବାବୁଙ୍କ କଥାକୁ ଗ୍ରହଣ କରି, ମଥାପାତି ସମ୍ମାନ ଦେଉଛନ୍ତି। ସେଥିପାଇଁ ନବୀନବାବୁ କେନ୍ଦ୍ରାପଡା ବାସୀଙ୍କ ତ୍ୟାଗକୁ ବୁଝିବା ଦରକାର ଭାଇ।

ଦୀର୍ଘ ସମୟ ଧରି ଏତେ କଥା କହିବା ପରେ ଆମେ କହିଲୁ, ଠିକ୍ ଅଛି, ତା ହେଲେ କହିଲ, ଯଦି କେନ୍ଦ୍ରାପଡାବାସୀ ଏତେ ତ୍ୟାଗ କରିଛନ୍ତି, ତେବେ ନବୀନବାବୁ କାହିଁକି ସେ କଥାକୁ ହୃଦୟଙ୍ଗମ କରିପାରୁ ନାହାଁନ୍ତି। ଏହାର କାରଣ କଣ ହୋଇପାରେ ବୋଲି ଆପଣ ଭାବୁଛନ୍ତି। ସେ ଟିକିଏ ରହି ଦୀର୍ଘ ନିଃସ୍ବାସ ପକାଇ କହିଲେ, ଭାଇ କଣ କହିବା, ଘର କଥା ପରକୁ କହିବାକୁ ଲାଜ ଲାଗୁଛି। ଆମେ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଅନାଇଲୁ। କଣ ହେଲା ସିଧାସିଧା କହୁ ନାହାଁନ୍ତି। ପୁଣି ଦୀର୍ଘ ନିଶ୍ବାସ ପକାଇ କହିଲେ, ସେ ଅତନୁ ଓ ପ୍ରତାପ ପାଇଁ ତ ଏତେ କଥା। ଆମେ ଏ ଦୁଇ ଜଣଙ୍କ ନାଁ ଶୁଣି ହସିବାକୁ ଚାହୁଁଥିଲୁ ହେଲେ ହସକୁ ଚାପିଦେଇ କହିଲୁ, କଣ ହେଲା? ଅତନୁ ଓ ପ୍ରତାପ କଣ ଅସୁବିଧା କଲେ କି? ନାହିଁ… ହେ… ଭାଇ ସେ ଦୁଇ ଜଣଙ୍କ ଭିତରେ ଠିକରେ ପଟୁନି। ଜଣଙ୍କୁ ମନ୍ତ୍ରୀ କରିଦେଲେ ଆଉ ଜଣେ ଖପ୍ପା। ତେଣୁ ନବୀନବାବୁ ଭାବିଲେ ବଂର କାହାକୁ ପଦପଦବୀ ନ ଦେଇ ଚୁପ ବସାଇ ଦେବା ଠିକ୍ ହେବ। ସେଇଥି ପାଇଁ ସେ କେନ୍ଦ୍ରାପଡାକୁ ମନ୍ତ୍ରୀଛଡା କରିଦେଲେ। ଆଉ ନ ହେଲେ କିଛି ନାହିଁ।

ଆମେ ଭାବି ନେଲୁ ଯେ, ବାବୁ ଜଣଙ୍କ ଏବେ ଠିକ୍ ବାଟକୁ ଆସିଯାଇଛନ୍ତି। ଭାବି ଚିନ୍ତି ମଞ୍ଜି କଥା କହିଛନ୍ତି। ତଥାପି ଆଉ କିଛି କଥା ଆଦାୟ କରିବା ପାଇଁ ପଚାରି ଦେଲୁ, ତାଙ୍କ ଦୁଇ ଜଣଙ୍କୁ ଛାଡି କଣ ଆଉ କାହାକୁ ମନ୍ତ୍ରୀ କଲେ କିଛି ଅସୁବିଧା ହେବ କି? ହଠାତ୍ ସେ ଉପରେ ମାଡି ବସି ବଡ ପାଟିରେ କହିଲେ ନାଇଁ ଆଜ୍ଞା ..ନାଇଁ ଆଜ୍ଞା, ସେ କଥା ହେବ ନାହିଁ। ପ୍ରଳୟ, ଘୋର ପ୍ରଳୟ, ୧୯୯୯ ମସିହାର ମହାବାତ୍ୟା ହୋଇଯିବ। ନବୀନବାବୁ ସମ୍ଭାଳି ପାରିବେ ନାହିଁ। ତା ହେଲେ ଏବେ କୁହନ୍ତୁ ନବୀନବାବୁ ବର୍ତ୍ତମାନ ଯାହା କରିଛନ୍ତି ଠିକ୍ କରିଛନ୍ତି ନା ଭୁଲ କରିଛନ୍ତି। ସେ ଆବାକ୍ ହୋଇ ଆମ ମୁହଁକୁ ଚାହିଁ କହିଲେ ଆଁ…….ଭାଇ ମୁଁ ଆସିଛି, ଟିକିଏ ସଚିବାଳୟ ଯିବାର ଅଛି। ନମସ୍କାର। ଏତକ କହି ତରତର ହୋଇ ସେ ଚାଲିଗଲେ। ଆମେ ପଛରୁ ତାଙ୍କୁ ବାଏ ବାଏ କରିବା ଛଡା ଆଉ କିଛି ଉପାୟ ନ ଥିଲା।

Categories
ବିଶେଷ ଖବର

କେନ୍ଦ୍ରାପଡା ଜିଲ୍ଲାରେ ପ୍ରତି ଦୁଇ ଜଣରେ ଜଣେ ବ୍ୟକ୍ତି ବାଂଲାଦେଶ ଅନୁପ୍ରବେଶକାରୀ କି?

କେଦାର ମିଶ୍ର

୨୦୧୧ ଜନଗଣନା ତଥ୍ୟ ଅନୁସାରେ କେନ୍ଦ୍ରାପଡା ଜିଲ୍ଲାର ଜନସଂଖ୍ୟା ହେଉଛି ୧୪.୪ ଲକ୍ଷ ଓ ତହିଁରୁ ଅଧା ବେଆଇନ ଅନୁପ୍ରବେଶକାରୀ ବୋଲି ଆମେ କହିଲେ କେହି ହୁଏତ ବିଶ୍ଵାସ କରିବେ ନାହିଁ। ହେଲେ ଏକଥା ଏକ ସଂବେଦନଶୀଳ ସୂତ୍ର କହୁଛି ଓ ଏହାକୁ ନେଇ କେନ୍ଦ୍ରାପଡାର ପୂର୍ବତନ ଲୋକସଭା  ସଦସ୍ୟ ବୈଜୟନ୍ତ ପଣ୍ଡା ଅତ୍ୟନ୍ତ ଉଦବିଗ୍ନ ଥିବା ଜଣାପଡୁଛି। “ଓଡିଶାରେ ଅତି କମରେ ୭-୮ ଲକ୍ଷ ବେଆଇନ ଅନୁପ୍ରବେଶକାରୀ ରହିଛନ୍ତି ଓ ସେମାନଙ୍କ ଭିତରୁ ଅଧିକାଂଶ କେବଳ କେନ୍ଦ୍ରାପଡା ଜିଲାରେ ଅଛନ୍ତି-“ ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଓଡିଶା ହାଇକୋର୍ଟଙ୍କୁ ଅନୁପ୍ରବେଶକାରୀ ମାମଲାରେ ସହାୟତା କରୁଥିବା ଆମିକସ କ୍ୟୁରୀ ମୋହିତ ଅଗ୍ରୱାଲ। ସେ କେନ୍ଦ୍ରାପଡାରେ ନେସନାଲ ରେଜିଷ୍ଟ୍ରାର ଅଫ ସିଟିଜନସିପ ପ୍ରସ୍ତୁତି ଲାଗି ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ଆମିକସ କ୍ୟୁରୀଙ୍କ ପ୍ରସ୍ତାବକୁ  ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ କେନ୍ଦ୍ର ସରକାରଙ୍କୁ ପଠାଇଦେଇଛନ୍ତି। ରାଜ୍ୟ ସରକାର ଅତ୍ୟନ୍ତ ଚତୁରତାର ସହିତ ନିଜେ କିଛି ମନ୍ତବ୍ୟ ନଦେଇ ଏହାକୁ କେନ୍ଦ୍ର ସରକାରଙ୍କୁ ପଠାଇଦେଇଛନ୍ତି।

ଏଠି ପ୍ରଶ୍ନ ଉଠୁଛି ଏତେ ସଂଖ୍ୟକ ଅନୁପ୍ରବେଶକାରୀ ସତରେ କେନ୍ଦ୍ରାପଡାରେ ଅଛନ୍ତି କି? ଭିତରକନିକାଚିଲିକାରେ ଯେତେସବୁ ବେଆଇନ ଚିଙ୍ଗୁଡି ଘେରି ରହିଛି ସବୁଗୁଡିକ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ଦ୍ଵାରା ନିୟନ୍ତ୍ରିତ ହେଉଛି କି? ଆମିକସ କ୍ୟୁରୀ କେଉଁ ତଥ୍ୟ ଆଧାରରେ ୭-୮ ଲକ୍ଷ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିଛନ୍ତି? ୨୮,ମାର୍ଚ୍ଚ, ୨୦୧୭ରେ ଦି ଇକୋନମିକ ଟାଇମ୍ସ ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଲୋକସଭାରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ଓଡିଶାରେ ମାତ୍ର ୩୭୦୦ ବେଆଇନ ଅନୁପ୍ରବେଶକାରୀ ଅଛନ୍ତି ଓ ସେମାନେ ଛୋଟ ମୋଟ ଚୋରୀ ବା ବେଆଇନ ମାଛଧରା କାମରେ ନିୟୋଜିତ ଅଛନ୍ତି ବୋଲି କହିଥିଲେ। ୩୭୦୦ ସଂଖ୍ୟାଟି ହଠାତ ୭-୮ ଲକ୍ଷ ହୋଇଗଲା କେମିତି? ହଠାତ ଓଡିଶାରେ ଓ ବିଶେଷକରି କେନ୍ଦ୍ରାପଡା ଜିଲାରେ ବର୍ଷକ ଭିତରେ ୨୦୦୦% ଅନୁପ୍ରବେଶକାରୀ ବଢିଗଲେ କେମିତି? ମାନ୍ୟବର ହାଇକୋର୍ଟଙ୍କ ଦ୍ଵାରା ନିଯୁକ୍ତ ଆମିକସ କ୍ୟୁରୀ ଯେହେତୁ ଏକଥା କହୁଛନ୍ତି, ତେଣୁ ଏହାର ବୈଧାନିକ ଆଧାର ନିଶ୍ଚୟ ରହିଥିବ।ତେବେ ଆମ ଜାଣିବାରେ ରାଜ୍ୟ ସରକାର ସବୁବେଳେ ଏହି ସଂଖ୍ୟାକୁ ୩-୪ ହଜାର ବୋଲି କହି ଆସିଛନ୍ତି।

କେନ୍ଦ୍ରାପଡା ଜିଲାରେ କିଛି ଅଞ୍ଚଳରେ ବାଂଲାଦେଶ ଅନୁପ୍ରବେଶକାରୀ ରହୁଥିବାର ଖବର ଅସତ୍ୟ ନୁହେଁ। ହେଲେ ଜିଲ୍ଲାର ଅଧାଲୋକ ଅନୁପ୍ରବେଶକାରୀ ବୋଲି କହିବା ପଛରେ କିଛି ଗୋଟେ ଭିନ୍ନ ରାଜନୈତିକ ଷଡଯନ୍ତ୍ରର ଗନ୍ଧ ବାରି ହୋଇପଡୁଛି। ଲୋକସଭା ନିର୍ବାଚନମଣ୍ଡଳୀ ୱାରି ଦେଖିଲେ କେନ୍ଦ୍ରାପଡା ଓ ଭଦ୍ରକ, ଏ ଦୁଇଟି ନିର୍ବାଚନମଣ୍ଡଳୀରେ ସଂଖ୍ୟାଲଘୁ ଭୋଟରଙ୍କ ସଂଖ୍ୟା ଆପାତତଃ ଅଧିକ।ଏନଆରସି ମାଧ୍ୟମରେ ଏହି ଦୁଇଟି କ୍ଷେତ୍ରର ସଂଖ୍ୟାଲଘୁ ଭୋଟରଙ୍କୁ ଭୟଭୀତ କରିବା ଲାଗି ଏହା ଏକ ଯୋଜନାବଦ୍ଧ ଉଦ୍ୟମ ନୁହେଁ ତ! କେନ୍ଦ୍ରାପଡାରେ ଏଥର ନିର୍ବାଚନ ହାରିବା ପରେ ବୈଜୟନ୍ତ ପଣ୍ଡା ହଠାତ ନାଗରିକ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇ ଚାଲିଛନ୍ତି। ଏହା ପଛରେ ତାଙ୍କର ଉଦ୍ଦେଶ୍ୟ ଅତି ସ୍ପଷ୍ଟ। ଯେହେତୁ କେନ୍ଦ୍ରାପଡାର ସଂଖ୍ୟାଲଘୁ ଭୋଟର ବିଜେପିକୁ ଭୋଟ ଦେଇନଥିବେ, ତେଣୁ ତାଙ୍କୁ ଚାପରେ ରଖିବାର ଉଦ୍ୟମ ଏବଠୁ କରାଯାଉଛି। ଯାହା ଫଳରେ ୨୦୧୪ ବେଳକୁ ଏମାନେ ଅଧିକ ଅସହାୟ ଓ ଭୟଭୀତ ରହିଥିବେ।

ନାଗରିକ ରେଜିଷ୍ଟ୍ରାର କୁ ଦେଶବ୍ୟାପୀ କରାଇବା ପଛରେ ବିଜେପିର ବଡ ଉଦ୍ଦେଶ୍ୟ ହେଉଛି ଭାରତର ସଂଖ୍ୟାଲଘୁ ଭୋଟରଙ୍କ ମୁଣ୍ଡରେ ନିରନ୍ତର ଖଣ୍ଡା ଝୁଲାଇ ରଖିବା। ଓଡିଶାରେ ଯେଉଁ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଦିଆଯାଉଛି, ତାହାର ବିଶେଷ କିଛି ଆଧାର ନାହିଁ। ହେଲେ ଏହି ସଂଖ୍ୟାକୁ କ୍ରମେ କ୍ରମେ ଅଧିକ ବ୍ୟାପକ କରାଯିବ। ଲୋକଙ୍କ ଭିତରେ ଗୁଜବ ଓ ଅପତଥ୍ୟ ମାଧ୍ୟମରେ ଏହି ଧାରଣା ସୃଷ୍ଟି କରାଯିବ ଯେ, ସବୁ ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ଅନୁପ୍ରବେଶକାରୀ ବା ବେଆଇନ ନାଗରିକ ହୋଇଥାଇ ପାରନ୍ତି। ଭିନ୍ନ ଭିନ୍ନ ଗୁଜବ ଓ କାହାଣୀ ମାଧ୍ୟମରେ ସେମାନଙ୍କୁ ନିନ୍ଦିତ ତଥା ଅପମାନିତ କରାଯିବ ଏବଂ ପରିଶେଷରେ ସେମାନଙ୍କୁ ନାଗରିକ ହେବାର ପ୍ରମାଣ ଦେଖାଅ ବୋଲି ବାଧ୍ୟ କରାଯିବ। ଭୋଟର ପରିଚୟ ପାତ୍ର ବା ରାସନ କାର୍ଡ କୁ ନେଇ ସନ୍ଦେହ ପ୍ରକଟ କରାଯିବ। ଅନେକ ସମୟରେ ଦେଖାଯାଉଛି, ଭୋଟର କାର୍ଡ, ଆଧାର କାର୍ଡ ବା ରାସନ କାର୍ଡକୁ ଜାଲ ବୋଲି କୁହାଯାଉଛି। ତାହେଲେ କେଉଁ ନାଗରିକ ପ୍ରମାଣପତ୍ର ଆଧାରରେ ନିଜକୁ ଜେନ ନାଗରିକ ବୋଲି ସାବ୍ୟସ୍ତ କରିବ? ଯେହେତୁ ଭାରତର ସଂଖ୍ୟାଧିକ ଲୋକଙ୍କର ଜମି ପଟ୍ଟା ନାହିଁ, ସେଥିରୁ ଅଧାରୁ ଅଧିକ ଲୋକ ନାଗରିକ ହେବାରୁ ବଞ୍ଚିତ ହୋଇଯିବେ।

ଏନଆରସି ଜରିଆରେ ଆସାମରେ ଯେଉଁ ଗଣ ବିଭୀଷିକା ଚାଲିଛି, ତାକୁ କେନ୍ଦ୍ରାପଡାକୁ ଆଣିବା ଲାଗି କିଏ ଯୋଜନା କରୁଛି, ତାହା ସ୍ପଷ୍ଟ ଭାବରେ ଜଣା ପଡୁଛି। ହେଲେ ଏ କ୍ଷେତ୍ରରେ ରାଜ୍ୟ ସରକାର ସ୍ପଷ୍ଟ ପକ୍ଷ ନ ରଖି, ବହୁ ଲୋକଙ୍କ ଜୀବନ ଓ ଜୀବିକା ସହିତ ଖେଳ ଖେଳୁଛନ୍ତି। ବିଭିନ୍ନ ସମୟରେ ହାଇକୋର୍ଟରେ ସରକାର ଯେଉଁ ତଥ୍ୟ ରଖିଛନ୍ତି, ତାକୁ ଆମିକସ କ୍ୟୁରୀଙ୍କୁ ଦେଇ ନାହାନ୍ତି କି? ଯଦି ବା ଆମିକସ କ୍ୟୁରୀ କିଛି ରିପୋର୍ଟ ଦେଲେ ତା ଉପରେ ସରକାର ନିଜର ଟିପ୍ପଣୀ ଦେଇନାହାନ୍ତି କାହିଁକି?

ଭବିଷ୍ୟତରେ ଭଦ୍ରଖ ଓ କେନ୍ଦ୍ରାପଡାରେ ବ୍ୟାପକ ସଂଖ୍ୟାଲଘୁ ଶୋଷଣ ଲାଗି ଏହା ଏକ ସୁଚିନ୍ତିତ ଯୋଜନା ଭଳି ମନେ ହେଉଛି।

Categories
ଆଜିର ଖବର

ବୁଥ ପରିଦର୍ଶନରେ ଆସି କେନ୍ଦ୍ରାପଡାର ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ହଟହଟା

ସମୀକ୍ଷା ବ୍ୟୁରୋ

ଭୋଟ ଚାଲିଥିବା ବେଳେ କେନ୍ଦ୍ରାପଡାରର ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ହଟାହଟା ହୋଇଛନ୍ତି। ଆଜି ବୈଜୟନ୍ତ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲ ବ୍ଲକ ଅନ୍ତର୍ଗତ ଶୁକରପଡା ବୁଥକୁ ବୁଲିବାକୁ ଯାଇଥିଲେ। ହେଲେ ସେ ସେଠାରେ ପହଁଚିବା ପରେ ବିଜେଡି କର୍ମିଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏପରିକି କର୍ମିମାନେ ତାଙ୍କୁ ବୁଥ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥିଲେ। କର୍ମିମାନଙ୍କ ସହିତ ବୈଜୟନ୍ତଙ୍କ ଯୁକ୍ତିତର୍କ ଦେଖି ପୋଲିସ ସେଠାରେ ପହଁଚି ହସ୍ତକ୍ଷେପ କରିଥିଲା। ଏହାପରେ ବୈଜୟନ୍ତଙ୍କ ସହିତ ବିଜେଡି କର୍ମି ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କିଛି ସମୟ ଧରି ଯୁକ୍ତି ତର୍କ ହେବା ପରେ ସେ ବାଧ୍ୟ ହୋଇ ସେଠାରୁ ଫେରିଯାଇଥିଲେ। ବିଜେଡି କର୍ମିଙ୍କ ଯୁକ୍ତି ହେଲା ଯେ, ବୈଜୟନ୍ତ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବୁଥ ଭିତରକୁ ପ୍ରବେଶ କରୁଥିଲେ। ସେଥିପାଇଁ ତାଙ୍କୁ ବିରୋଧ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଶୁକରପଡା ବୁଥରେ କୌଣସି ଅସୁବିଧା ନ ହୋଇଥିବା ବେଳେ ବୈଜୟନ୍ତ କଣ ପାଇଁ ଆସିଥିଲେ ବୋଲି କର୍ମିମାନେ ପ୍ରଶ୍ନ କରିଥିଲେ। କିଛି ସମୟ ପାଇଁ ବୈଜୟନ୍ତଙ୍କୁ ନେଇ ସେଠାରେ ଉତ୍ତେଜନା ଦେଖାଯାଇଥିଲା।

Categories
ବିଶେଷ ଖବର

କେନ୍ଦ୍ରାପଡା, ନିର୍ବାଚନର ଅନ୍ତିମ ସମୟରେ ଭୟ ଓ ଆଶଙ୍କାର ଅବାସ୍ତବ ରାଜନୀତି

ସମୀକ୍ଷା ବ୍ୟୁରୋ

ଶେଷ ଖବର ମୁତାବକ କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରତି ଭୋଟରଙ୍କ ଆସ୍ଥା ବଢୁଛି ଓ ସେ ଜିତି ଯାଇପାରନ୍ତି ବୋଲି ଏକ ଧାରଣା ସବୁଠି ଘୂରି ବୁଲୁଛି। ତା ସତ୍ତ୍ୱେ ବିଜେପିର ଏକ ସାତ ଜଣିଆ ପ୍ରତିନିଧି ଦଳ ଆଜି ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରି କହିଛନ୍ତି ଯେ କୁଆଡେ କେନ୍ଦ୍ରାପଡାର ୧୯୯୨ ଟି ଯାକ ବୁଥରେ ରିଗିଂ କରାଯିବ। ନବୀନ ସରକାରର ପୋଲିସ ଓ ସରକାରୀ କର୍ମଚାରୀ କୁଆଡେ ସବୁ ଭୋଟ ନିଜ ଆଡକୁ ନେଇଯିବେ। ଏହା ସହିତ ବିଜେପିର କୁହାଳିଆ ଉପ ସଭାପତି ପୀତାମ୍ବର ଆଚାର୍ୟ ଏୟା ବି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ରୁ ୫୦ କୋଟି ଟଙ୍କା କେନ୍ଦ୍ରାପଡାରେ ବାଣ୍ଟି ଫେରିଛନ୍ତି। ବିଜେପିର ଏ ପ୍ରକାର ଅଭିଯୋଗ ଶୁଣି ଯେ କେହି ବି ଚିନ୍ତାରେ ପଡିବ ଯେ, ସତରେ କଣ ବୈଜୟନ୍ତ ଜିତୁଛନ୍ତି! ନା ବୈଜୟନ୍ତ ହାରନ୍ତୁ ବୋଲି ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଚକ୍ରାନ୍ତ କରି ଏ ପ୍ରକାର ମିଛ କାହାଣୀ ବୁଣୁଛନ୍ତି? କେନ୍ଦ୍ରାପଡା ନକ୍ସଲ ପୀଡିତ ଅଞ୍ଚଳ ନୁହେଁ କିମ୍ବା ସେଠି ନିର୍ବାଚନୀ ହିଂସା ଏତେ ବ୍ୟାପକ ହୋଇନାହିଁ ଯେ ନିର୍ବାଚନ କମିଶନ ପୂରା ନିର୍ବାଚନ ମଣ୍ଡଳୀରେ ପାରା ମିଲିଟାରୀ ବାହିନୀ ମୁତୟନ କରିବେ। ଜଣେ ତଥାକଥିତ ଜିତୁଥିବା ପ୍ରାର୍ଥୀ ଏତେ ଡରିବାର କାରଣ କଣ? ଲୋକେ ଯଦି ଆପଣଙ୍କୁ ସମର୍ଥନ କରୁଛନ୍ତି, ସେମାନେ କଣ ଏତେ ଭୟାଳୁ ଯେ ଡରରେ ବା ପ୍ରଲୋଭନରେ ବିଜେଡ଼ିକୁ ଭୋଟ ଦେଇଦେବେ ?

ସତ କହିବାକୁ ଗଲେ ବିଜେପିର ଏ ପ୍ରକାର ଉଦ୍ଦେଶ୍ୟ ପଛରେ କିଛି ଗୋଟେ ଭିତିରି ରହସ୍ୟ ରହିଛି। ଯଦି ମୁଖ୍ୟମନ୍ତ୍ରୀ ୪୫-୫୦ କୋଟି ଟଙ୍କା କେନ୍ଦ୍ରାପଡାରେ ବାଣ୍ଟିକି ଚାଲି ଆସିଲେ, କେନ୍ଦ୍ରାପଡାରେ ବାବୁ ବୈଜୟନ୍ତ ଓ ତାଙ୍କ ଚୌକିଦାରମାନେ କରୁଥିଲେ କଣ? ତେବେ ମୁଖ୍ୟମନ୍ତ୍ରୀଙ୍କ ଆଗରୁ କେନ୍ଦ୍ରାପଡାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଯାଇଥିଲେ। ଆମେ କଣ କହିବା ଯେ ପ୍ରଧାନମନ୍ତ୍ରୀ ସେଠି ବୈଜୟନ୍ତଙ୍କୁ ଜିତାଇବାକୁ ୫୦-୬୦ କୋଟି ବାଣ୍ଟି ଦେଇ ଚାଲି ଆସିଛନ୍ତି! ଯଦି ସାରା ଦେଶର ନଜର ଥିବା ଓ ଏ ପର୍ୟନ୍ତ ନିର୍ବାଚନୀ ହିଂସାରୁ ବିରତ ରହିଥିବା ଏକ ନିର୍ବାଚନ ମଣ୍ଡଳୀ ବିଷୟରେ ଏତେ ଭୟ ଓ ଆଶଙ୍କା ବିଜେପି ତରଫରୁ ସୃଷ୍ଟି କରାଯାଉଛି କାହିଁକି? ହୁଏତ ବିଜେଡି କୁ ଚାପରେ ରଖିବାକୁ ଏହା ବିଜେପିର ଏକ କୌଶଳ ହୋଇଥାଇପାରେ। ହେଲେ ଏ ପ୍ରକାର ବାର୍ତ୍ତାକୁ ଭୋଟର ଭିନ୍ନ ବାଗରେ ଗ୍ରହଣ କରନ୍ତି ଯଦି, ତାହେଲେ ସବୁ କିଛି ଓଲଟ ପାଲଟ ହୋଇଯାଇପାରେ।

ଭୋଟ ଗ୍ରହଣର ପୂର୍ବ ୨୪ ଘଣ୍ଟା ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବୁଥ ପରିଚାଳନା ଓ ପ୍ରତ୍ୟେକ ବୁଥରେ ନିଜର ବିଶ୍ଵସ୍ତ ଏଜେଣ୍ଟ ରଖିପାରିବା ପ୍ରାର୍ଥୀଙ୍କ ପାଇଁ ବଡ ଆହ୍ଵାନ। ବିଜେପି ଓ ବୈଜୟନ୍ତଙ୍କ ପାଖରେ ଏତେ ସଂଖ୍ୟକ ବିଶ୍ଵସ୍ତ ଏଜେଣ୍ଟ ନାହାନ୍ତି କି? ନଚେତ ୧୯୯୨ ଟି ଯାକ ବୁଥ ରିଗିଂ ହୋଇପାରେ ବୋଲି ଅଭିଯୋଗର କୌଣସି ଭିତ୍ତି ନାହିଁ। କାଳ୍ପନିକ ଅଭିଯୋଗ କରି ଗୁଡାଏ ଆଜେ ବାଜେ କଥା କହିଲେ ଲୋକ ଏବେ ଆଉ ଶୁଣୁନାହାନ୍ତି। ମୁଖ୍ୟମନ୍ତ୍ରୀ ଟଙ୍କା ବାଣ୍ଟୁଛନ୍ତି ବୋଲି କହିଲେ ସେକଥାର ମୂଲ୍ୟ ବା କଣ? ଏ ପ୍ରକାର ଅଭିଯୋଗ କରି ବିଜେପି ପରୋକ୍ଷରେ ବୈଜୟନ୍ତଙ୍କ ଦୁର୍ବଳତାକୁ ପଦାରେ ପକାଉଛି କି ?

ନିର୍ବାଚନରେ ଜିତିବା ହାରିବା ତ ଅନ୍ତିମ କଥା, ହେଲେ ନିର୍ବାଚନ ସମୟରେ ଦଳ ଓ ପ୍ରାର୍ଥୀଙ୍କ ପଦେ ପଦେ କଥାରେ ପାନରୁ ଚୂନ ଖସି ଯାଇପାରେ, ଏ କଥା ବିଜେପି ନିହାତି ବୁଝିବା ଉଚିତ !

(ମୋବାଇଲରେ ଫଟାଫଟ ଖବର ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନକୁ ଠେଲିଠେଲି ପଢି ଚାଲନ୍ତୁ ଖବର)

Categories
ବିଶେଷ ଖବର

କେନ୍ଦ୍ରାପଡା ନିର୍ବାଚନର ଆଚମ୍ବିତ ସମୀକରଣ; କଂଗ୍ରେସ ବିଜେପି ଭାଇ ଭାଇ

କେଦାର ମିଶ୍ର

ତୃତୀୟ ପର୍ୟାୟ ନିର୍ବାଚନ ସରିଗଲା ପରେ ଏବେ ସାରା ରାଜ୍ୟର ଓ କିଛିକାଂଶରେ ପୂରା ଦେଶର ନଜର କେନ୍ଦ୍ରାପଡା ଲୋକସଭା ନିର୍ବାଚନ ଉପରେ ରହିଛି। ଏକଦା ଘନିଷ୍ଠ ବନ୍ଧୁ ଓ ଏବେ ପରଷ୍ପରର ପ୍ରବଳ ଶତ୍ରୁ ପାଲଟିଥିବା ବୈଜୟନ୍ତ ପଣ୍ଡା ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପତିଆରାର ସଂଘର୍ଷ ଏଠାରେ ଦେଖିବାକୁ ମିଳୁଛି। ଅନେକ ସମୟରେ ଆମକୁ ଏ ପ୍ରଶ୍ନର ସାମ୍ନା କରିବାକୁ ପଡୁଛି- କେନ୍ଦ୍ରାପଡାରେ କିଏ ଜିତିବ? ସତେକି କେନ୍ଦ୍ରାପଡା ଏବେ ପୂରା ଓଡିଶାର ପ୍ରତୀକ ପାଲଟି ଯାଇଛି। ସାରା ରାଜ୍ୟ କେନ୍ଦ୍ରାପଡା ବିଷୟରେ ଯାହା ଭାବୁଛି, କେନ୍ଦ୍ରାପଡା ନିଜ ବିଷୟରେ ସେୟା ଭାବୁଛି କି? ଆମେ ସାଲେପୁରରେ ପହଞ୍ଚିବା ଆଗରୁ ଜଣେ ବାଟୋଇଙ୍କୁ ଏକଥା ପଚାରିଥିଲୁ। ତାଙ୍କର ଉତ୍ତର ଥିଲା- ମୁହଁ ବଦଳିଛି, ହେଲେ ଚିହ୍ନ ବଦଳିନାହିଁ, ତେଣୁ ଇଏ ଆଉ ଅନେକ ନିର୍ବାଚନ ପରି ନୂଆ ଏକ ନିର୍ବାଚନ। ଏକଥାର ଯାହା ଅର୍ଥ କରିବେ ଆପଣମାନେ କରନ୍ତୁ। ହେଲେ କେନ୍ଦ୍ରାପଡା କୁ ଜାଣିବାଲାଗି ଓ ଭୋଟରଙ୍କ ମନୋଭାବ ବୁଝିବାଲାଗି ଗୋଟେ ବଡ ସଙ୍କେତ ଆମକୁ ସେଇଠି ମିଳିଗଲା।

ସାଲେପୁର, ମାହାଙ୍ଗା, କେନ୍ଦ୍ରାପଡା, ରାଜନଗର ଓ ଆଳି ଏମିତି ପାଞ୍ଚୋଟି ବିଧାନସଭା କ୍ଷେତ୍ର ବୁଲିବାର ସମୟ ଆମ ପାଖରେ ଥିଲା। ପାଟକୁରା ଓ ମହାକାଳପଡା ଆମେ ଯାଇପାରିଲୁ ନାହିଁ। ସବୁଠାରେ ଭୋଟରଙ୍କ ମୁହଁ ରେ ଗୋଟେ କଥା- କଡା ଟକ୍କର ହେବ। ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ଭିତରୁ ଯିଏ ବି ଜିତିବ, ତାଙ୍କ ପାଇଁ ବିଜୟ ଆଦୌ ସହଜ ନୁହେଁ। ଏକଦା ବିଜେଡ଼ିର ଅଭେଦ୍ୟ ଦୁର୍ଗ କୁହାଯାଉଥିବା କେନ୍ଦ୍ରାପଡାରେ ବୈଜୟନ୍ତ ବିଜେଡି ଲାଗି ଏକ ମୁକାବିଲା ପରିସ୍ଥିତି ସୃଷ୍ଟି କରିଛନ୍ତି, ଯେଉଁଥିରେ ବିଜେଡ଼ିକୁ ନିଜର ସବୁ ଶକ୍ତି ଏଠାରେ ଖଟାଇବାକୁ ବାଧ୍ୟ କରିଛି।

ଭୋଟରଙ୍କ ମନୋଭାବରୁ ବିଲକୁଲ କହି ହେଉନାହିଁ ଯେ, ଏଠାରେ କାହା ସପକ୍ଷରେ ହାୱା ବୋହୁଛି। ବୈଜୟନ୍ତ ଭୋଟରଙ୍କ ପାଇଁ ବ୍ୟକ୍ତି ଭାବରେ ଚର୍ଚ୍ଚିତ, ହେଲେ ବିଜେପି କୁ ନେଇ ସେଠାରେ କୌଣସି ବିଶେଷ ଆଗ୍ରହ ନାଇଁ। ପ୍ରଧାନମନ୍ତ୍ରୀଙ୍କ କେନ୍ଦ୍ରାପଡା ସଭା ପରଦିନ ଆମେ ପଚାରି ବୁଝୁଥିଲୁ ଯେ, କେନ୍ଦ୍ରାପଡା ନିଜର ରଙ୍ଗ ଗେରୁଆ କରିବାକୁ ଚାହେଁ କି? ଏହାର ସିଧାସଳଖ ଉତ୍ତର ହେଉଛି, ଏଠି ପ୍ରାର୍ଥୀ ଭଲଲୋକ, ହେଲେ ଦଳ ପସନ୍ଦ ନୁହେଁ। କେନ୍ଦ୍ରାପଡାର ଯେଉଁମାନେ ମୂଳ ବିଜେପି ଓ ସଂଘ ସଦସ୍ୟ ସେମାନେ ବୈଜୟନ୍ତଙ୍କ ପାଇଁ ଉଦାସୀନ ବା ନୀରବ। ବୈଜୟନ୍ତଙ୍କ ପ୍ରଚାର କିନ୍ତୁ ଭଲ ଜମୁଛି। ବୈଜୟନ୍ତଙ୍କ ସମର୍ଥକ ଓ ପ୍ରଶଂସକ ତାହେଲେ କିଏ? ବିଜେଡ଼ିର ଅଳ୍ପ କିଛି ଅସନ୍ତୁଷ୍ଟ ନେତା ଅଛନ୍ତି, ଯେଉଁ ମାନେ ତାଙ୍କର ସମର୍ଥକ। ତେବେ ସବୁଠୁ ବଡ ବୈଜୟନ୍ତ ସମର୍ଥକ ଏବେ ଏକ ଆଚମ୍ବିତ ଗୋଷ୍ଠୀରୁ ଆସିଛନ୍ତି। କଂଗ୍ରେସ ଦଳର ପ୍ରାୟ ନବେ ଭାଗ ସମର୍ଥକ ଏବେ ବୈଜୟନ୍ତଙ୍କ ପତାକା ଧରି ବୁଲୁଛନ୍ତି। ସାଲେପୁର କଂଗ୍ରେସ ବିଧାୟକ ତ ସହଜେ ବିଜେପିରେ ଅଛନ୍ତି, ହେଲେ ସେଠିକାର କଂଗ୍ରେସ ପ୍ରାର୍ଥୀ ମଧ୍ୟ ବୈଜୟନ୍ତଙ୍କୁ ଭିତିରି ସମର୍ଥନ ଦେଉଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଆଳି ବଜାରରେ ଆମକୁ ଜଣେ କଂଗ୍ରେସ କର୍ମୀ କହିଥିଲେ- ଆମ ପରିବାର ଦେବଶର୍ମାଙ୍କ ସମର୍ଥକ କିନ୍ତୁ ମୋ ଝିଅ ବୈଜୟନ୍ତଙ୍କ ଲାଗି ପ୍ରଚାର କରୁଛି। ଆମେ ବିଧାୟକଙ୍କୁ ହାତରେ ଓ ସାଂସଦଙ୍କୁ ଫୁଲରେ ଭୋଟ ଦେବୁ। ଗତ ଥର କଂଗ୍ରେସ ପାଖାପାଖି ଚାରି ଲକ୍ଷ ଭୋଟ ଏଠାରୁ ପାଇଥିଲା, ଏଥର ତାର ଅଧା ଭୋଟ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କୁ ମିଳିବାର ସମ୍ଭାବନା ନାହିଁ। ଧରଣୀବାବୁଙ୍କ ପ୍ରଚାର ଏବେ କେବଳ ସାମ୍ବାଦିକ ସମ୍ମିଳନୀରେ ସୀମିତ ରହିଛି। ଆଳି, ରାଜନଗର, କେନ୍ଦ୍ରାପଡା ଓ ସାଲେପୁରର ଏକ ବଡ କଂଗ୍ରେସ ଭୋଟ ଅଂଶ ବୈଜୟନ୍ତଙ୍କ ପାଖକୁ ଯିବ। ସାରା ଦେଶରେ କଂଗ୍ରେସ ଓ ବିଜେପି ଭିତରେ  ଅହି ନକୁଳ ସମ୍ପର୍କ ରଖିଥିବା ବେଳେ, କେନ୍ଦ୍ରାପଡାରେ ଏମାନେ ଭାଇ ଭାଇ ହୋଇ ଲଢୁଛନ୍ତି। ଗତ ନିର୍ବାଚନରେ ଆଳି, ରାଜନଗର ତଥା ସାଲେପୁର ଆସନ କଂଗ୍ରେସ ହାତକୁ ଯାଇଥିଲା। ଏଥର କେବଳ ରାଜନଗର ଆସନରେ କଂଗ୍ରେସ ସ୍ଥିତି ସାମାନ୍ୟ ଭଲ ରହିଛି। ତେବେ ସବୁ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ଭୋଟ ବୈଜୟନ୍ତଙ୍କ ପାଖକୁ ଯେମିତି ଆସେ, ସେମିତି ଏକ “ଡିଲ” ହୋଇଛି ବୋଲି ଅନେକ କଂଗ୍ରେସ ସମର୍ଥକ ଖୋଲାଖୋଲି ସ୍ଵୀକାର କରିଛନ୍ତି।

କେନ୍ଦ୍ରାପଡାରେ କଂଗ୍ରେସ, ବିଜେପି ଓ ଅସନ୍ତୁଷ୍ଟ ବିଜେଡି ମିଶି ଏକ ଶକ୍ତିଶାଳୀ ବିଜେଡି ବିରୋଧୀ ଭୋଟବ୍ୟାଙ୍କ ହୁଏତ ତିଆରି ହୋଇଥାଇପାରେ। ଏହା ବିଜେଡ଼ିର ଦୁର୍ଗ ପତନରେ ସାହାଯ୍ୟ କରିବ କି? ଲୋକଙ୍କ ମତରେ ଆଜି ମଧ୍ୟ ମହାକାଳପଡା, ଆଳି ଓ ମାହାଙ୍ଗାରେ ବିଜେଡ଼ିର ବିଧାୟକମାନେ ଜିତିବା ସ୍ଥିତିରେ ଅଛନ୍ତି। କେନ୍ଦ୍ରାପଡା ଓ ରାଜନଗରରେ କଂଗ୍ରେସ ଓ ବିଜେଡି ଭିତରେ କଡା ମୁକାବିଲା ରହିଛି। କେବଳ ପାଟକୁରାରେ ବିଜେପି ଆଗୁଆ ରହିଛି, ଯାହାର ମୁଖ୍ୟ କାରଣ ବିଜୟ ମହାପାତ୍ରଙ୍କ ପ୍ରତ୍ୟାବର୍ତ୍ତନ। ପାଟକୁରା ଓ ସାଲେପୁର ବ୍ୟତୀତ ବାକି ସବୁ ଆସନରେ ବିଜେପି ତୃତୀୟ ସ୍ଥାନରେ ରହିଛି। ସେହି ଦୃଷ୍ଟିରୁ ପାଞ୍ଚଟି ରୁ ଅତିକମରେ ତିନୋଟି ବିଧାନସଭା ଆସନରେ କଂଗ୍ରେସ ଭୋଟ ସମୂଳେ ବୈଜୟନ୍ତଙ୍କ ଖାତାକୁ ଯାଇପାରିବ କି? ଯଦି ତାହା ସମ୍ଭବ ହୁଏ, ତାହେଲେ କେନ୍ଦ୍ରାପଡାରେ ବୈଜୟନ୍ତ ଜିତିବାର ସମ୍ଭାବନା ସୃଷ୍ଟି ହେବ, ନଚେତ ଆଜି ମଧ୍ୟ ବିଜେଡି ଲାଗି କେନ୍ଦ୍ରାପଡା ବିଜୟର ବାର୍ତ୍ତା ଦେବ।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନର ତଳୁ ଉପରକୁ ଘଷି ଘଷି ପଢି ଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

କେନ୍ଦ୍ରାପଡ଼ାରେ ନବୀନ : ବୈଜୟନ୍ତ ଉପରେ ବର୍ଷିଲେ

ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବାବେଳେ ଆଉ ଦୁଇଟି ପର୍ଯ୍ୟାୟ ବାକି ଅଛି। ତେବେ ଏଥରର ଚର୍ଚ୍ଚାର ରହିଥିବା କେନ୍ଦ୍ରାପଡ଼ା ଲୋକସଭା ଆସନକୁ ନେଇ ରାଜନୀତି ବେଶ୍‌ ସରଗରମ। କେନ୍ଦ୍ରାପଡ଼ାରୁ ବିଜେଡ଼ି ତରଫରୁ ଅନୁଭବ ମହାନ୍ତି ପ୍ରାର୍ଥୀ ହୋଇଥିବାବେଳେ ବିଜେପି ତରଫରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡ଼ିର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ତେବେ ବୈଜୟନ୍ତଙ୍କ ଦୁର୍ଗ ଥିବା କେନ୍ଦ୍ରାପଡ଼ାରେ ଏଥରର ରାଜନୀତି ସମୀକରଣ କ’ଣ ହେବ, ତାକୁ ନେଇ ବେଶ୍‌ କଳ୍ପନାଜଳ୍ପନା ଲାଗି ରହିଛି। ଏପରି ସମୟରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମାରାଥନ୍‌ ପ୍ରଚାରରେ ଲାଗିପଡିଛନ୍ତି। ଆଜି କେନ୍ଦ୍ରାପଡ଼ାରେ ନିର୍ବାଚନୀ ଗସ୍ତ ଅବସରରେ ସେ କେନ୍ଦ୍ରକୁ ଟାର୍ଗେଟ୍‌ କରିବା ସହିତ ବୈଜୟନ୍ତ ପଣ୍ଡାଙ୍କୁ ଉପରେ ସିଧାସଳଖ ଟାର୍ଗେଟ କରିଛନ୍ତି। ସେ ଏହି ଅବସରରେ କହିଛନ୍ତି ଯେ, କେନ୍ଦ୍ରାପଡ଼ାର ସ୍ବାଭିମାନୀ ଲୋକେ ବିଜୁବାବୁଙ୍କୁ ନିଜ ପରିବାର ବୋଲି ଭାବୁଥିଲେ, ସେଥିପାଇଁ କେନ୍ଦ୍ରାପଡ଼ାରେ ସେ ମହିଳାଙ୍କ ୩୩ପ୍ରତିଶତ ସଂରକ୍ଷଣର ଘୋଷଣା କରିଥିଲେ। ତେବେ କେନ୍ଦ୍ରାପଡ଼ାରେ ଦୁଇ ଦୁଇ ଥର ସାଂସଦ ହୋଇ ଜିତିଥିବା ବୈଜୟନ୍ତ ପଣ୍ଡାଙ୍କୁ ଉପରେ ବର୍ଷିବା ସହିତ କେନ୍ଦ୍ରାପଡ଼ାବାସୀଙ୍କ ବିଶ୍ବାସ ଭାଙ୍ଗିଛନ୍ତି ବୋଲି କହିଛନ୍ତି ନବୀନ। କେନ୍ଦ୍ରାପଡ଼ା ଏକମାତ୍ର ଉପକୂଳବର୍ତ୍ତୀ ଜିଲ୍ଲା, ଯେଉଁଠିକୁ ରେଳସଂଯୋଗ ହୋଇପାରି ନାହିଁ। ବୈଜୟନ୍ତ କେନ୍ଦ୍ରାପଡ଼ାର ବିକାଶ ନୁହେଁ, ବରଂ ନିଜ ଶିଳ୍ପର ବିକାଶକୁ ନେଇ ଚିନ୍ତା କରୁଥିଲେ ବୋଲି କହିଛନ୍ତି ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ାର ଯୁବକଙ୍କ ନିଯୁକ୍ତି ପାଇଁ ନୁହେଁ ବରଂ ନିଜେ ଭଲ ନିଯୁକ୍ତି ପାଇବାରେ ବ୍ୟସ୍ତ ରହିଥିଲେ ବୋଲି କଟାକ୍ଷ କରିଛନ୍ତି ନବୀନ। ଦୁଇ ଦୁଇ ଥର ଭୋଟ୍‌ ପାଇଁ କେନ୍ଦ୍ରାପଡ଼ାବାସୀଙ୍କ ବିଶ୍ବାସ ଭାଙ୍ଗିଛନ୍ତି ବୈଜୟନ୍ତ, କେନ୍ଦ୍ରାପଡ଼ାର ବିକାଶ ଏବେ ତାଙ୍କ ଦାୟିତ୍ବ ବୋଲି କହିବା ସହିତ ଅବିଶ୍ବାସୀଙ୍କୁ ଉଚିତ୍‌ ଜବାବ୍‌ ଜନସାଧାରଣ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ନବୀନ।

Categories
ବିଶେଷ ଖବର

ଓଡିଶା ରାଜନୀତିର ଜଣେ ଭୀଷ୍ମ ପିତାମହ ଥିଲେ ବେଦପ୍ରକାଶ ଅଗ୍ରୱାଲା, ୮୩ ବର୍ଷ ବୟସରେ ମଧ୍ୟ ସେ ରାଜନୀତିରେ ଥିଲେ ସକ୍ରିୟ

ସମୀକ୍ଷା ବ୍ୟୁରୋ

ବେଦପ୍ରକାଶ ଅଗ୍ରୱାଲା। ନିର୍ବାଚନ ଯୁଦ୍ଧରେ ଲଢେଇ କରି ଜିତିବାର ଆଶା ରଖିଥିଲେ , ହେଲେ ତା ପୂର୍ବରୁ ସେ ଜୀବନ ଯୁଦ୍ଧରେ ହାରିଗଲେ। ୮୩ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ରାଜ୍ୟର ବରିଷ୍ଠ ନେତା ବେଦ ପ୍ରକାଶ ଅଗ୍ରୱାଲା। ଏହି ଖବର ଜଣାପଡିବା ପରେ ସାରା ଓଡିଶାରେ ଶୋକର ଛାୟା ଖେଳିଯାଇଛି। କାରଣ ସେ ସାଧାରଣ ଜୀବନରେ ଯେପରି ସରଳ ଓ ଆମାୟିକ ଥିଲେ ରାଜନୀତିରେ ମଧ୍ୟ ବେଶ୍ ଦୃଢ ଥିଲେ। ବେଦପ୍ରକାଶ ଦୀର୍ଘ ଦିନ ଧରି ଅସୁସ୍ଥତା ସତ୍ବେ ସେ ନିର୍ବାଚନ ମଇଦାନରେ ଲଢେଇ କରିବାରେ ସକ୍ଷମ ଥିଲେ। ସେଇଥି ପାଇଁ ବିଜେଡି ତାଙ୍କୁ ଏଥର ପାଟକୁରା ନିର୍ବାଚନ ମଣ୍ଡଳି ପାଇଁ ବିଧାନସଭା ପ୍ରାର୍ଥୀ କରିଛି। ସାମାନ୍ୟ ଭଲ ହେବା ପରେ ସେ ହସପିଟାଲରୁ ଯାଇ ନିଜର ପ୍ରାର୍ଥୀ ପତ୍ର ଦାଖଲ ମଧ୍ୟ କରିଛନ୍ତି। ହେଲେ ବର୍ତ୍ତମାନ ସବୁକିଛି ଓଲଟ ପାଲଟ ହୋଇଯାଇଛି। ତାଙ୍କର ମୃତ୍ୟୁ ପରେ ଏହି ନିର୍ବାଚନ ମଣ୍ଡଳୀର ନିର୍ବାଚନ ସ୍ଥଗିତ ହୋଇ ପୁନଃ ନିର୍ବାଚନ ଅନୁଷ୍ଠିତ ହେବ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଥିଲେ ବେଦପ୍ରକାଶ ଅଗ୍ରୱାଲା। ସେହିସମୟରେ ସେ କେନ୍ଦ୍ରାପଡା ଆସନରୁ ୪ ଥର ବିଧାୟକ ଭାବେ ଜିତି ଥିଲେ। ଏହାପରେ କେନ୍ଦ୍ରପଡା ଆସନ ସୀମା ସଂରକ୍ଷିତ ହେବା ପରେ ସେ ପାଟକୁରାକୁ ନିଜ ନିର୍ବାଚନ ମଣ୍ଡଳି ଭାବେ ବାଛିଥିଲେ। ପାଟକୁରାରୁ ସେ ୨୦୦୯ ଏବଂ ୨୦୧୪ ମସିହା ନିର୍ବାଚନରେ ଜିତି ଦୁଇ ଥର ବିଧାୟକ ମଧ୍ୟ ହୋଇଛନ୍ତି। ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ ସେ ଅର୍ଥମନ୍ତ୍ରୀ ହୋଇ ନିଜର ଦକ୍ଷତା ପ୍ରତିପାଦନ କରାଇଛନ୍ତି। ଏପରିକି ଗ୍ରାମ୍ୟ ଉନ୍ନୟନ, ସାଧାରଣ ବଣ୍ଟନ ପରି ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ବେଦ ପ୍ରକାଶ ଅଗ୍ରୱାଲା। ସେ ନିଜ ନିର୍ବାଚନ ମଣ୍ଡଳିରେ ରହି ଲୋକଙ୍କ ସେବାକୁ ବେଶୀ ଗୁରୁତ୍ବ ଦେଇଆସୁଥିଲେ। ପରିଣତ ବୟସରେ ମଧ୍ୟ ତାଙ୍କ ଉପରେ ନବୀନ ଭରସା କରିଥିଲେ। ଯାହା ଦ୍ବାରା ତାଙ୍କୁ ପାଟକୁରାରୁ ଟିକେଟ ଦେବା ସହିତ ବିଜୁ ଜନତା ଦଳର ଇସ୍ତାହାର କମିଟର ଅଧ୍ୟକ୍ଷ ଭାବେ ମଧ୍ୟ ନିଯୁକ୍ତି ଦେଇଥିଲେ। ବେଦପ୍ରକାଶ ଚଳିତ ନିର୍ବାଚନ ପାଇଁ ଇସ୍ତାହାର ମଧ୍ୟ ପ୍ରସ୍ତୁତ କରିଛନ୍ତି। ହେଲେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କର ଧର୍ମପତ୍ନୀ ତାଙ୍କ ପୁଅଙ୍କୁ ଟିକେଟ ଦେବା ପାଇଁ ଅନୁରୋଧ କରିଥିଲେ। ହେଲେ ନବୀନ ବେଦପ୍ରକାଶଙ୍କୁ ହିଁ ଟିକେଟ ଦେଇ ନିର୍ବାଚନ ମଇଦାନରେ ଲଢେଇ କରିବା ପାଇଁ କହିଥିଲେ। ବହୁ କଷ୍ଟରେ ବେଦପ୍ରକାଶ ନିଜେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ଲୋକଙ୍କୁ ଭୋଟ ଭିକ୍ଷା ମଧ୍ୟ କରିଛନ୍ତି। ହେଲେ ପୁଣି ଥରେ ସେ ଅସୁସ୍ଥ ହୋଇପଡିବାରୁ ଭୁବନେଶ୍ବର ହସପିଟାଲରେ ଭର୍ତ୍ତି ହୋଇଥିଲେ।

ସମସ୍ତଙ୍କର ଆଶା ଥିଲା ସେ ସୁସ୍ଥ୍ୟ ହୋଇ ଫେରିବେ ଆଉ ନିର୍ବାଚନ ଲଢିବେ। ହେଲେ ସେ ଆଶା ହିଁ ଆଶାରେ ରହିଗଲା। ବର୍ତ୍ତମାନ ପାଟକୁରା ଆସନରେ ବେଦୁଙ୍କ ବିରୋଧରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ରାଜ୍ୟ ରାଜନୀତିର ବରିଷ୍ଠ ନେତା ବିଜୟ ମହାପାତ୍ର। ଏକଦା ବିଜୟ ବେଦୁ ଗୋଟିଏ ଦଳରେ ରହି କାର୍ଯ୍ୟ କରୁଥିଲେ। ଆଉ ସେତେବେଳେ କେନ୍ଦ୍ରାପଡାରୁ ଏହି ଦୁଇ ନେତା ରାଜ୍ୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କେନ୍ଦ୍ରାପଡା ସବୁବେଳେ ଓଡିଶା ରାଜନୀତିକୁ ପ୍ରଭାବିତ କରିଥାଏ। ଏଥର ମଧ୍ୟ କେନ୍ଦ୍ରାପଡା ଲୋକସଭା ଓ ବିଧାନସଭା ଉପରେ ସାରା ରାଜ୍ୟ ଏପରିକି ଦିଲ୍ଲୀ ଦରବାରର ମଧ୍ୟ ନଜରରେ ରହିଛି। କାରଣ ଏଠାରେ ଲୋକସଭା ପାଇଁ ହେଭିୱେଟ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସହ ଅନୁଭବ ମହାନ୍ତିଙ୍କ ଲଢେଇ ହେଉଛି। ସେହିପରି କେନ୍ଦ୍ରାପଡାର ପାଟକୁରା ମଧ୍ୟ ସାରା ରାଜ୍ୟର ନଜର ରହଥିଲା। କାରଣ ହେଲା ସେଠାରେ ବେଦୁଙ୍କ ସହିତ ବିଜେପିର ହେଭିୱେଟ ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। ବର୍ତ୍ତମାନ ବେଦପ୍ରକାଶଙ୍କ ଦେହାନ୍ତ ପରେ ସେହି ନିର୍ବାଚନ ମଣ୍ଡଳିର ରାଜନୈତିକ ରୂପରେଖ ସଂପୂର୍ଣ୍ଣ ବଦଳିଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ।

( ଫଟାଫଟ ଖବର ଜାଣିବା ପାଇଁ ଆପଣଙ୍କ ମୋବାଇଲର ପ୍ଲେ-ଷ୍ଟୋରକୁ ଯାଇ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ମୋବାଇଲ ସ୍କ୍ରିନକୁ ଆଙ୍ଗୁଠିରେ ତଳୁ ଉପରକୁ ଘଷି ପଢି ଚାଲନ୍ତୁ ଖବର ପରେ ଖବର )

Categories
ବିଶେଷ ଖବର

ବିଜେପିରେ ଆଭ୍ୟନ୍ତରୀଣ କନ୍ଦଳ ; ଜୟ, ବିଜୟ, ଅପରାଜିତା ଏବଂ ସମ୍ବିତ ପାତ୍ର ହାରିବା ପାଇଁ ବିଜେପିର ଗୋଟିଏ ଗୋଷ୍ଠୀ ଚଳାଇଛନ୍ତି ଷଡଯନ୍ତ୍ର

ସମୀକ୍ଷା ବ୍ୟୁରୋ

ରାଜନୈତିକ ପଶାପାଲିରେ ଦିନକୁ ଦିନ ଅଜବ କଥା ସବୁ ଶୁଣିବାକୁ ମିଳିଛି। ତେବେ ବର୍ତ୍ତମାନ ଯେଉଁ ଖବର ରାଜନୈତିକ ବଜାରରେ ଘୁରି ବୁଲୁଛି ତାହା ଅତି ସାଂଘାତିକ। ଖବରଟି ହେଲା ବିଜେପି ଟିକଟରେ ନିର୍ବାଚନ ଲଢୁଥିବା ବୈଜୟନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ, ବିଜୟ ମହାପାତ୍ର ଏବଂ ସମ୍ବିତ ପାତ୍ର ହାରିବା ପାଇଁ ବିଜେପିର ଗୋଟିଏ ଗୋଷ୍ଠୀ କରୁଛନ୍ତି ଷଢଯନ୍ତ୍ର। ଏହି ଖବରଟି କେତେ ସତ ତାହା କହିବା ମୁସ୍କିଲ, ହେଲେ ଯଦି ସତ ତାହା ହେଲେ ବଡ ସାଂଘାତିକ। ବିଜେପିର ଏହି ପ୍ରଭାବଶାଳୀ ଗୋଷ୍ଠୀର ଭୟ ରହିଛି ଯେ, ଏହି ଚାରିଜଣ କ୍ଷମତାକୁ ଆସିଲେ ରାଜ୍ୟରେ ବେଶ୍ ପ୍ରଭାବଶାଳୀ ହୋଇଯିବେ। ଏପରିକି ଲୋକମାନେ ଓ କର୍ମୀମାନେ ମଧ୍ୟ ସେମାନଙ୍କ ପଟକୁ ଢଳିଯିବେ। ଏହି ଆଶଙ୍କାରେ ସେହି ନିର୍ଦ୍ଦିଷ୍ଠ ଗୋଷ୍ଠୀର ଉପଦେଷ୍ଠାଠାରୁ ଆରମ୍ଭ କରି ଚେଲାଚାମୁଣ୍ଡା ପର୍ଯ୍ୟନ୍ତ ବିଭିନ୍ନ ମାର୍ଗରେ ସେମାନଙ୍କୁ ହରାଇବା ପାଇଁ ରାସ୍ତା ତିଆରି କରୁଛନ୍ତି। ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଥିବା ଏହି ନିର୍ଦ୍ଦିଷ୍ଟ ଗୋଷ୍ଠୀର କର୍ମୀମାନଙ୍କୁ କୁଆଡେ ଏହି କାମରେ ଲଗାଇ ଦିଆଯାଇଛି। ଖାଲି ସେତିକି ନୁହେଁ, ଯାହା ପଇସା ଖର୍ଚ୍ଚ ହେବ ତାହା ମଧ୍ୟ ଭରଣା କରିବା ପାଇଁ କୁଆଡେ ପ୍ରତିଶୃତି ଦିଆଯାଇଥିବା ଚର୍ଚ୍ଚା ଚାଲିଛି।

କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଯିଏକି ବିଜେପିରେ ଯୋଗଦେଇ ନିର୍ବାଚନ ମଇଦାନରେ ଛିଡା ହୋଇଛନ୍ତି, ସେ ହେଉଛନ୍ତି କୁଆଡେ ଏହି ଗୋଷ୍ଠୀର ପ୍ରଥମ ଟାର୍ଗେଟ। କାରଣ ହେଲା ଏହି ଗୋଷ୍ଠୀ ଭଲଭାବରେ ଜାଣିଛନ୍ତି ଯେ, ବୈଜୟନ୍ତ ଥରେ କ୍ଷମତାକୁ ଆସିଗଲେ ସେ ଅଧିକ ଶକ୍ତିଶାଳୀ ହୋଇଯିବେ। ଦିଲ୍ଲୀ ତଥା କେନ୍ଦ୍ର ବିଜେପିରେ ବୈଜୟନ୍ତଙ୍କ ବେଶ୍ ଦବଦବା ରହିଛି। ସେ ସିଧା ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହାଙ୍କ ସହିତ କଥା ହୋଇପାରୁଛନ୍ତି। ବୈଜୟନ୍ତଙ୍କ ବିଜେପି ପ୍ରବେଶକୁ ଏହି ଗୋଷ୍ଠୀ ପ୍ରଥମରୁ ବିରୋଧ କରୁଥିଲେ। ହେଲେ ପରବର୍ତ୍ତି ସମୟରେ ବୈଜୟନ୍ତଙ୍କ ନିଜସ୍ବ ନେଟୱାର୍କ ଦ୍ବାରା ସେ ବିଜେପିରେ ଯୋଗଦେବା ସହିତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀ ମଧ୍ୟ ହାତେଇ ପାରିଛନ୍ତି। ଏହାକୁ ନେଇ ସେହି ଗୋଷ୍ଠୀ କୁଆଡେ ଉତକ୍ଷିପ୍ତ।

ସେହିପରି ଏହି ଗୋଷ୍ଠୀ ବିଜୟ ମହାପାତ୍ର କିପରି ହାରିବେ ସେ ନେଇ ମଧ୍ୟ ରଣନୀତି ପ୍ରସ୍ତୁତ କରୁଛନ୍ତି। କାରଣ ଏହି ଗୋଷ୍ଠୀ ମଧ୍ୟ ନିଶ୍ଚିତ ଯେ, ବିଜୟ ଯଦି କ୍ଷମତାକୁ ଆସନ୍ତି ତାଙ୍କର କାଟତି ମଧ୍ୟ ଦଳରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପୂର୍ବରୁ ସେ ଦଳ ଭିତରେ ଥିଲେ ମଧ୍ୟ ତାଙ୍କୁ ପଙ୍ଗୁ କରିଦିଆଯାଇଥିଲା। ହେଲେ ସେ ଏକ ଅଭୟ ଶକ୍ତି ନେଇ ପୁଣିଥରେ ଦଳକୁ ଫେରିଛନ୍ତି ବୋଲି ଏହି ଗୋଷ୍ଠୀର ଧାରଣା। ତେଣୁ ସେ ଯଦି କ୍ଷମତା ପ୍ରାପ୍ତ ହୁଅନ୍ତି ତେବେ ତାଙ୍କର ଯେଉଁ ଲୋକପ୍ରିୟତା ରହିଛି ସେଥିରେ କର୍ମିମାନେ ତାଙ୍କ ଆଡକୁ ଢଳିବାର ମଧ୍ୟ ସମ୍ଭବାନା ରହିଛି। ତେଣୁ ସେ କିପରି ହାରିବେ ଏ ନେଇ ଏହି ଗୋଷ୍ଠୀ ଗୋଟି ଚାଳନା କରି ଚାଲିଛନ୍ତି।

ଆଉ ଜଣେ ହେଲେ ଅପରାଜିତା ଷଡଙ୍ଗୀ। ସେ ମଧ୍ୟ ଏହି ଗୋଷ୍ଠୀର ବଡ ଟାର୍ଗେଟରେ। କାରଣ ଅପରିଜାତିଙ୍କ ମଧ୍ୟ ଦିଲ୍ଲୀ ଦରବାରରେ ଏବଂ କେନ୍ଦ୍ରୀୟ ନେତାଙ୍କ ପାଖରେ ପହଁଚ ରହିଛି। ସେ ବର୍ତ୍ତମାନ ନୂଆଦିଲ୍ଲୀ ନେତାଙ୍କ ଆର୍ଶିବାଦରେ ଦଳରେ ଯୋଗ ଦେଇଛନ୍ତି। ଅପରାଜିତା ମଧ୍ୟ ଅନେକ ସମୟରେ ମୋଦୀଙ୍କ ପାଇଁ ସେ ରାଜନୀତିକୁ ଆସିଛନ୍ତି ବୋଲି କୁହନ୍ତି। ଅର୍ଥାତ ରାଜ୍ୟ ନେତାମାନେ ତାଙ୍କ ଆସିବାରେ ହାତ ନାହିଁ ବୋଲି ପରୋକ୍ଷରେ କହିଦେଇଛନ୍ତି। ସେ ଯଦି ଜିତିଯାଆନ୍ତି ତେବେ କେନ୍ଦ୍ରୀୟ ପ୍ରଶାସନ ଏବଂ କେନ୍ଦ୍ରୀୟ ନେତାଙ୍କ ସୁସଂପର୍କ,ତାଙ୍କୁ ଅଧିକ କ୍ଷମତାଶାଳୀ କରିଦେବ। ତେଣୁ ଅପରାଜିତା କିପରି ହାରିବେ ସେ ନେଇ ଏହି ଗୋଷ୍ଠୀର ନେତା କୁଆଡେ ରାତି ଅଧିଆ କାମରେ ଲାଗିପଡିଛନ୍ତି। ଭୁବନେଶ୍ବରର ଲୋକସଭା ଅଧିନସ୍ଥ ବିଧାନସଭାରେ କିଏ ପ୍ରାର୍ଥୀ ହେବ ତାହା ଖୋଦ ଅପରାଜିତା ନିର୍ଦ୍ଧାରଣ କରିଛନ୍ତି। ଯାହା ସେହି ଗୋଷ୍ଠୀକୁ ଖୁବ ଜୋରରେ ବାଧିଛି। ପୁରୀରୁ ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ମଧ୍ୟ ଏହି ଗୋଷ୍ଠୀର ଟ୍ୟାର୍ଗଟରେ। ହେଲେ ଏହାଙ୍କ ପଛରେ ଏହି ଗୋଷ୍ଠୀ ସେତେ ସକ୍ରିୟ ନାହିଁନ୍ତି। କାରଣ ପୁରୀରେ ସମ୍ବିତଙ୍କ ଭବିଷ୍ୟତ କଣ ହେବ ଏମାନେ ଠଉରେଇ ସାରିଛନ୍ତି। ସେଥିପାଇଁ ଏହାଙ୍କ ପଛରେ ସେପରି ଜୋରଦାର ଷଢଯନ୍ତ୍ର କରାଯାଇ ନାହିଁ।

ଏହି ଖବରକୁ ନେଇ ରାଜଧାନୀରେ ବେଶ୍ ଚର୍ଚ୍ଚା ଚାଲିଛି। ହେଲେ ବିଜେପିର କୈଣସି ନେତା ଖୋଲାଖୋଲି କିଛି କହିବାକୁ ଶକ୍ତି ନ ଥିଲେ ମଧ୍ୟ ଭିତିରେ ଭିତରେ ଏହାକୁ ନେଇ ବେଶ୍ ଆଲୋଚନା ଚାଲିଛି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

ଏସଏଚଜିଗୁଡିକୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳିବ

ସ୍ବୟଂ ସହାୟକ ଗୋଷ୍ଠୀ ବା ଏସଏଚଜିଗୁଡିକ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ମିଶନ ଶକ୍ତି ମହିଳା ସମାବେଶରେ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏସଏଚଜି ଗୁଡିକୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇ ଦିଆଯିବ । ନୂଆ ଏସଏଚଜିଗୁଡିକୁ  ୧୫ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଥିବାବେଳେ ମଣ୍ଡଳସ୍ତରୀୟ ଏସଏଚଜି ମହାସଂଘ ଗୁଡିକୁ ୨୫ଲକ୍ଷ ଟଙ୍କା ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି  । କେନ୍ଦ୍ରାପଡାରେ ଏକ କୋଟି ଟଙ୍କା ବ୍ୟୟରେ ମିଶନ ଶକ୍ତି ଭବନ  ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ  ଘୋଷଣା କରିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ  ମହିଳାମାନଙ୍କ ବିକାଶ ପାଇଁ ତାଙ୍କ ସରକାର ବଦ୍ଧପରିକର ଥିବା କଥା ଦୋହରାଇଥିଲେ । ବିଜୁ ବାବୁ ମହିଳା ସଶକ୍ତିକରଣ ସାରା ଦେଶରେ  ପାଇଁ ପ୍ରଥମେ ପଦକ୍ଷେପ ନେଇଥିଲେ ।  ତେଣୁ ବିଜୁ ବାବୁଙ୍କ କର୍ମଭୂମିରେ  ଏହି ଭବନ ପ୍ରତିଷ୍ଠା କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।