କୋରନ୍ଦ ଗ୍ରାମରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

Published: Apr 8, 2020, 2:29 pm IST

ରାଜକନିକା: ସମଗ୍ର ବିଶ୍ବ ଆଜି ମହାମାରୀ କରୋନା କବଳରେ କବଳିତ। ଭାରତରେ ମଧ୍ୟ କରୋନାର କାୟା ମେଲିସାରିଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 5000 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 149ରେ ପହଞ୍ଚିଛି। ସେହିପରି ରାଜ୍ୟରେ ମଧ୍ୟ କରୋନା ସ୍ଥିତି ବେଶ୍‌ ସଙ୍ଗୀନ ରହିଛି। ଏପର୍ଯ୍ୟନ୍ତ 42 ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବାବେଳେ ଜଣକର ମୃତ୍ୟୁ ହୋଇଯାଇଛି। କରୋନା ସହ ବିଶ୍ବ ଯୁଦ୍ଧ କରୁଥିବାବେଳେ ବିଭିନ୍ନ ମହଲରୁ ସହାୟତାର ସୁଅ ମଧ୍ୟ ଛୁଟୁଛି।

ଏହି ଧାରାରେ ନିଜକୁ ସାମିଲ କରିଛନ୍ତି ରାଜକନିକା ବ୍ଲକ୍ ଅନ୍ତର୍ଗତ ଦୁଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ। କୋରନ୍ଦ ଗ୍ରାମ ସ୍ଥିତ ମା ଜଞ୍ଜାଳୀ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଜୟ ହନୁମାନ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ନିରାଶ୍ରୟ ତଥା ଗରିବ  ୨୦୦ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା। ତେବେ ଖାଦ୍ୟ ବଣ୍ଟନ ପୂର୍ବରୁ ସରକାରଙ୍କ ନିର୍ଦ୍ଦେଶିତ କରୋନା କଟକଣାକୁ ମାନିଥିବାର ଦେଖାଯାଇଛି। ସାମାଜିକ ଦୂରତ୍ୱକୁ ଗୁରୁତ୍ବ ଦେଇ ମହିଳା ମାନେ ଘରଘର ବୁଲି ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ। ଖାଦ୍ୟ ବଣ୍ଟନ କରିବା ପୂର୍ବରୁ ହାତକୁ ସାନିଟାଇଜ୍ କରିବା ସହିତ ସାଧାରଣ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ ମଧ୍ୟ କରାଇଥିଲେ। ସ୍ବୟଂସହାୟକ ଗୋଷ୍ଠୀଙ୍କ ଏପରି ନିଆରା ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି।

Related posts