ହାଇଦ୍ରାବାଦ: ଦେଶର ରାଜନୀତିରେ ପୁଣି ତେଜିଲା ବିଜେପି-କଂଗ୍ରେସ ବାକ୍ଯୁଦ୍ଧ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିଶାନା କରି ବଡ଼ ରାଜନୈତିକ ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତାଙ୍କ କହିବା କଥା, ଦେଶକୁ ବଦନାମ କରି କେହି କ୍ଷମତା ହାସଲ କରିପାରିବେ ନାହିଁ। ଆନ୍ତର୍ଜାତୀୟ ମଞ୍ଚରେ ଭାରତର ଛବିକୁ ଖରାପ କରିବା ପାଇଁ କଂଗ୍ରେସ ନେତାମାନେ ଉଦ୍ୟମ କରୁଥିବା ଅଭିଯୋଗ କରି ଶାହ ରାହୁଲଙ୍କୁ ଘେରିଛନ୍ତି। ଲଗାତାର ତିନୋଟି ନିର୍ବାଚନୀ ପରାଜୟ ପରେ କଂଗ୍ରେସ ହତାଶ ହୋଇପଡ଼ିଥିବା ମଧ୍ୟ ସେ କଟାକ୍ଷ କରିଛନ୍ତି।
ହାଇଦ୍ରାବାଦରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀକୁ ନେଇ ଅମିତ ଶାହ କଂଗ୍ରେସକୁ ଘେରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ଦେଶର ନାମ ସହ ଯୋଡ଼ିଥିଲା। ଦେଶର ବିଭିନ୍ନ ସ୍ଥାନରୁ ବାମପନ୍ଥୀ ଚିନ୍ତାଧାରାର ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏଥିରେ ରାହୁଲ ଗାନ୍ଧୀ ମଧ୍ୟ ଯୋଗ ଦେଇଥିଲେ।
ଶାହଙ୍କ ଅଭିଯୋଗ, ଦେଶର ନାମରେ ଆୟୋଜିତ ଏହି ମଞ୍ଚରେ ଭାରତ ବିରୋଧୀ ବୟାନ ଦିଆଯାଇଥିଲା। ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଦେଶର ଆନ୍ତର୍ଜାତୀୟ ଛବିକୁ କ୍ଷତି ପହଞ୍ଚାଇଛି। ଦେଶକୁ ବଦନାମ କରି ରାଜନୈତିକ ଫାଇଦା ନେବାର ଉଦ୍ୟମ କେବେ ସଫଳ ହେବ ନାହିଁ ବୋଲି ସେ କହିଛନ୍ତି।
କଂଗ୍ରେସକୁ ଘେରିବାକୁ ଯାଇ ଅମିତ ଶାହ ପୂର୍ବତନ ୟୁପିଏ ସରକାରର କାର୍ଯ୍ୟକାଳକୁ ମଧ୍ୟ ମନେ ପକାଇଛନ୍ତି। ସେ କହିଛନ୍ତି, ଦେଶର ଲୋକମାନେ କଂଗ୍ରେସକୁ ୧୦ ବର୍ଷ ଶାସନ କରିବାର ସୁଯୋଗ ଦେଇଥିଲେ। କିନ୍ତୁ ସେହି ସମୟରେ ୧୨ ଲକ୍ଷ କୋଟି ଟଙ୍କାର ଘୋଟାଲା ହୋଇଥିବା ଅଭିଯୋଗ ରହିଛି।
ଶାହ ଆହୁରି କହିଛନ୍ତି, ନିର୍ବାଚନରେ ଜିତିବା କିମ୍ବା ହାରିବା ଦଳର ନେତୃତ୍ୱ ଓ କାର୍ଯ୍ୟଦକ୍ଷତା ଉପରେ ନିର୍ଭର କରେ। କଂଗ୍ରେସ ନେତାମାନେ ଏହି ସତ୍ୟକୁ ସ୍ୱୀକାର କରିବା ଆବଶ୍ୟକ। ପରାଜୟ ପାଇଁ ଅନ୍ୟକୁ ଦୋଷ ଦେବା ପରିବର୍ତ୍ତେ ନିଜ ଦଳର ପ୍ରଦର୍ଶନ ଉପରେ ଆତ୍ମସମୀକ୍ଷା କରିବା ଉଚିତ ବୋଲି ତାଙ୍କ ବୟାନରୁ ସ୍ପଷ୍ଟ ହୋଇଛି।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନକାଳର ଉପଲବ୍ଧିକୁ ନେଇ ଅମିତ ଶାହ କଂଗ୍ରେସ ସରକାର ସହ ତୁଳନା କରିଛନ୍ତି। ତାଙ୍କ କହିବା ଅନୁସାରେ, ଦେଶର ଲୋକମାନେ କଂଗ୍ରେସକୁ କ୍ଷମତାରୁ ହଟାଇ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଥିଲେ।ଶାହ ଦାବି କରିଛନ୍ତି ଯେ ମୋଦିଙ୍କ ୧୨ ବର୍ଷର ଶାସନକାଳରେ ତାଙ୍କ ବିରୋଧରେ ଗୋଟିଏ ପଇସାର ଦୁର୍ନୀତି ଅଭିଯୋଗ ମଧ୍ୟ ଆସିନାହିଁ। ଏହାକୁ ସେ ପୂର୍ବ ୟୁପିଏ ସରକାରର ଶାସନ ସହ ତୁଳନା କରିଛନ୍ତି।
ମୋଦି ସରକାରଙ୍କ ବିକାଶମୂଳକ କାର୍ଯ୍ୟର ଉଦାହରଣ ଦେଇ ଶାହ କହିଛନ୍ତି, କୃଷି କ୍ଷେତ୍ରର ଉନ୍ନତିଠାରୁ ଶିଳ୍ପ ବିକାଶ, ମହାକାଶ ଗବେଷଣାଠାରୁ ରେଳବାଇର ଆଧୁନିକୀକରଣ ଏବଂ ନୂତନ ଶିକ୍ଷାନୀତି ପ୍ରଣୟନ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ଦେଶ ଆଗକୁ ବଢ଼ିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତର ସଫଳତା, ଶିଳ୍ପ କ୍ଷେତ୍ରରେ ଅଗ୍ରଗତି, ରେଳବାଇର ବିକାଶ ଏବଂ ଦେଶରେ ବିଶାଳ ମେଟ୍ରୋ ନେଟୱାର୍କର ସମ୍ପ୍ରସାରଣକୁ ସେ ମୋଦି ସରକାରଙ୍କ ଉପଲବ୍ଧି ଭାବେ ଉପସ୍ଥାପନ କରିଛନ୍ତି।
ଅମିତ ଶାହଙ୍କ ଏହି ବୟାନକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ରାହୁଲ ଗାନ୍ଧୀ ଓ କଂଗ୍ରେସ କେନ୍ଦ୍ର ସରକାରଙ୍କ ନୀତି ଓ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଉଥିବା ବେଳେ ଅନ୍ୟପଟେ ବିଜେପି କଂଗ୍ରେସର ପୂର୍ବ ଶାସନ ଓ ବିରୋଧୀ ଦଳର ବୟାନକୁ ଅସ୍ତ୍ର କରୁଛି।ରାହୁଲଙ୍କ ମନ୍ତବ୍ୟକୁ ନେଇ ଶାହଙ୍କ ଏହି ଆକ୍ରମଣ ଆଗାମୀ ଦିନରେ ବିଜେପି-କଂଗ୍ରେସ ରାଜନୈତିକ ବାକ୍ଯୁଦ୍ଧକୁ ଆହୁରି ତୀବ୍ର କରିବାର ସଙ୍କେତ ଦେଉଛି।


