ଭୁବନେଶ୍ୱର: ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ। ଗାଁ ଗାଁରେ ଆରମ୍ଭ ହେଲାଣି ରାଜନୈତିକ ଅଙ୍କକଷା। ପଞ୍ଚାୟତ ଜରିଆରେ ନେତୃତ୍ୱ ନେବା ପାଇଁ ମୁଣ୍ଡ ଟେକିଲେଣି ଆଶାୟୀ। ନିର୍ବାଚନର ପ୍ରାକ୍ ପ୍ରସ୍ତୁତି ଆରମ୍ଭ କଲେଣି ସମସ୍ତେ। ଆଗାମୀ ଦିନରେ କାହା ହାତକୁ ଯିବ ପଞ୍ଚାୟତର ଶାସନ ଡୋରି, କେଉଁ ଦଳ ଗ୍ରାମାଞ୍ଚଳରେ ବିସ୍ତାର କରିବ ନିଜର ପ୍ରଭାବ, କେଉଁଠି ବଦଳିବ ରାଜନୈତିକ ସମୀକରଣ…ଏଇଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ। ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସ୍ୱରୂପ ସବୁ ଦଳଙ୍କ ଫୋକସ୍ରେ ଏବେ ଜେନ୍ ଜି ଅଛନ୍ତି। ଏବେଠୁ ନେତା ଗାଁ ବୁଲିବା ସହ କର୍ମୀଙ୍କୁ ଏକାଠି କରୁଛନ୍ତି। ଶାସକ ଦଳ ବିଜେପି ପାଇଁ ଶୀର୍ଷ ନେତୃତ୍ୱ ବି ପ୍ରଚାରରେ ଲାଗିଲେଣି। ପଞ୍ଚାୟତ ସେମି ଫାଇନାଲ୍ରେ ଭଲ ଗ୍ରେଡ୍ ପାଇବାକୁ ସଂଗଠନକୁ ମଜଭୁତ କରୁଛି ଦଳ। ଅନ୍ୟପଟେ ବିଜେଡି ଓ କଂଗ୍ରେସ୍, ଶାସକ ଦଳର ବିଫଳତାକୁ ନେଇ ଭୋଟରଙ୍କ ପାଖକୁ ଯିବା ଆରମ୍ଭ କରିଛନ୍ତି।
କେନ୍ଦ୍ରମନ୍ତ୍ରୀଙ୍କ ସହ କେନ୍ଦ୍ରୀୟ ନେତୃତ୍ୱରେ ବିଜେପି ଗ୍ରାଉଣ୍ଡକୁ ଓହ୍ଲାଇଲେଣି। ବାଲେଶ୍ୱର, ମୟୂରଭଞ୍ଜ, ବଲାଙ୍ଗୀର ପରେ ରବିବାର ମାଲକାନଗିରିରେ ସଭା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତୃଣମୂଳ ସଂଗଠନ ସଜାଡ଼ିବାକୁ ପ୍ରକ୍ରିୟା ଆରମ୍ଭ। ସତ୍ତାକୁ ଆସିବା ପରେ ବିଜେପି ସରକାରର ପ୍ରଥମ ଏସିଡ୍ ଟେଷ୍ଟ ହେବ ପଞ୍ଚାୟତ ନିର୍ବାଚନ। ଏଥିରେ ଜବରଦସ୍ତ ପ୍ରଦର୍ଶନ ପାଇଁ ଦଳ ରଣନୀତି କରିଛି। ଗାଁରେ ଭୋଟ୍ ବ୍ୟାଙ୍କ ମଜଭୁତ କରିବାକୁ ସରକାରୀ ଦଳ ବିଭିନ୍ନ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଉଛି। ଏହାସହ ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ପଦଯାତ୍ରା ମାଧ୍ୟମରେ ବିରୋଧୀଙ୍କ ଗୁମର, ଭୋଟର୍ ପାଖରେ ପହଞ୍ଚାଉଛି ଦଳ। ମଣ୍ଡଳସ୍ତରରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ଏବେ ସକ୍ରିୟ କାର୍ଯ୍ୟକ୍ରମ କରୁଛି ଦଳ। ନେତା ଓ କର୍ମୀ ସରକାରୀ ଯୋଜନା ଓ ଡବଲ୍ ଇଞ୍ଜିନ ସରକାରର ସଫଳତା ବଖାଣୁଛନ୍ତି ଯୁବ ବର୍ଗ ପାଖରେ। ରାଜ୍ୟ ବିଜେପି ସହ ପ୍ରଭାରୀ ସ୍ୱଦେଶ ସିଂ କହିଛନ୍ତି, ପଞ୍ଚାୟତ ନିର୍ବାଚନରେ ଦୁଇ ତୃତୀୟାଂଶ ଆସନରେ ଜିତିବ ବିଜେପି। ୧୫ ଜିଲ୍ଲା ବୁଲି ବିଭିନ୍ନ ସାଂଗଠନିକ ବୈଠକ ସରିଛି। ଯୁବ, ମହିଳା, ଜନଜାତି ତଥା ସମସ୍ତ ବର୍ଗ ବିଜେପି ସହ ଅଛନ୍ତି।
ସେପଟେ ସରକାରୀ ଦଳର ପଞ୍ଚାୟତ ପ୍ରସ୍ତୁତିକୁ ଦେଖି ବିରୋଧୀ ବିଜେଡି ଓ କଂଗ୍ରେସ ମଧ୍ୟ ଗାଁକୁ ଯିବା ଆରମ୍ଭ କରିଲେଣି। ବିଜେଡି ଜନସଂପର୍କ ଅଭିଯାନକୁ ଗାଁ ଗାଁରେ ଆୟୋଜନ କରୁଛି। ଡବଲ ଇଞ୍ଜିନ୍ ସରକାରର ବିଫଳତା ସହ ଆଇନ ଶୃଙ୍ଖଳାକୁ ମୁଖ୍ୟ ମୁଦ୍ଦା କରିଛି ବିଜୁ ଜନତା ଦଳ। ଅନ୍ୟପଟେ ପିସିସି ସଭାପତି ନିଜେ ଜିଲ୍ଲା ଗସ୍ତ କରି ସଂଗଠନ ସଜାଡ଼ିବା ଆରମ୍ଭ କରିଛନ୍ତି।


