କେନ୍ଦ୍ରାପଡ଼ାରେ ନବୀନ : ବୈଜୟନ୍ତ ଉପରେ ବର୍ଷିଲେ

Published: Apr 21, 2019, 6:23 pm IST
naveen pattanaik slams baijanta panda in kendrapada rally

ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବାବେଳେ ଆଉ ଦୁଇଟି ପର୍ଯ୍ୟାୟ ବାକି ଅଛି। ତେବେ ଏଥରର ଚର୍ଚ୍ଚାର ରହିଥିବା କେନ୍ଦ୍ରାପଡ଼ା ଲୋକସଭା ଆସନକୁ ନେଇ ରାଜନୀତି ବେଶ୍‌ ସରଗରମ। କେନ୍ଦ୍ରାପଡ଼ାରୁ ବିଜେଡ଼ି ତରଫରୁ ଅନୁଭବ ମହାନ୍ତି ପ୍ରାର୍ଥୀ ହୋଇଥିବାବେଳେ ବିଜେପି ତରଫରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡ଼ିର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ତେବେ ବୈଜୟନ୍ତଙ୍କ ଦୁର୍ଗ ଥିବା କେନ୍ଦ୍ରାପଡ଼ାରେ ଏଥରର ରାଜନୀତି ସମୀକରଣ କ’ଣ ହେବ, ତାକୁ ନେଇ ବେଶ୍‌ କଳ୍ପନାଜଳ୍ପନା ଲାଗି ରହିଛି। ଏପରି ସମୟରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମାରାଥନ୍‌ ପ୍ରଚାରରେ ଲାଗିପଡିଛନ୍ତି। ଆଜି କେନ୍ଦ୍ରାପଡ଼ାରେ ନିର୍ବାଚନୀ ଗସ୍ତ ଅବସରରେ ସେ କେନ୍ଦ୍ରକୁ ଟାର୍ଗେଟ୍‌ କରିବା ସହିତ ବୈଜୟନ୍ତ ପଣ୍ଡାଙ୍କୁ ଉପରେ ସିଧାସଳଖ ଟାର୍ଗେଟ କରିଛନ୍ତି। ସେ ଏହି ଅବସରରେ କହିଛନ୍ତି ଯେ, କେନ୍ଦ୍ରାପଡ଼ାର ସ୍ବାଭିମାନୀ ଲୋକେ ବିଜୁବାବୁଙ୍କୁ ନିଜ ପରିବାର ବୋଲି ଭାବୁଥିଲେ, ସେଥିପାଇଁ କେନ୍ଦ୍ରାପଡ଼ାରେ ସେ ମହିଳାଙ୍କ ୩୩ପ୍ରତିଶତ ସଂରକ୍ଷଣର ଘୋଷଣା କରିଥିଲେ। ତେବେ କେନ୍ଦ୍ରାପଡ଼ାରେ ଦୁଇ ଦୁଇ ଥର ସାଂସଦ ହୋଇ ଜିତିଥିବା ବୈଜୟନ୍ତ ପଣ୍ଡାଙ୍କୁ ଉପରେ ବର୍ଷିବା ସହିତ କେନ୍ଦ୍ରାପଡ଼ାବାସୀଙ୍କ ବିଶ୍ବାସ ଭାଙ୍ଗିଛନ୍ତି ବୋଲି କହିଛନ୍ତି ନବୀନ। କେନ୍ଦ୍ରାପଡ଼ା ଏକମାତ୍ର ଉପକୂଳବର୍ତ୍ତୀ ଜିଲ୍ଲା, ଯେଉଁଠିକୁ ରେଳସଂଯୋଗ ହୋଇପାରି ନାହିଁ। ବୈଜୟନ୍ତ କେନ୍ଦ୍ରାପଡ଼ାର ବିକାଶ ନୁହେଁ, ବରଂ ନିଜ ଶିଳ୍ପର ବିକାଶକୁ ନେଇ ଚିନ୍ତା କରୁଥିଲେ ବୋଲି କହିଛନ୍ତି ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ାର ଯୁବକଙ୍କ ନିଯୁକ୍ତି ପାଇଁ ନୁହେଁ ବରଂ ନିଜେ ଭଲ ନିଯୁକ୍ତି ପାଇବାରେ ବ୍ୟସ୍ତ ରହିଥିଲେ ବୋଲି କଟାକ୍ଷ କରିଛନ୍ତି ନବୀନ। ଦୁଇ ଦୁଇ ଥର ଭୋଟ୍‌ ପାଇଁ କେନ୍ଦ୍ରାପଡ଼ାବାସୀଙ୍କ ବିଶ୍ବାସ ଭାଙ୍ଗିଛନ୍ତି ବୈଜୟନ୍ତ, କେନ୍ଦ୍ରାପଡ଼ାର ବିକାଶ ଏବେ ତାଙ୍କ ଦାୟିତ୍ବ ବୋଲି କହିବା ସହିତ ଅବିଶ୍ବାସୀଙ୍କୁ ଉଚିତ୍‌ ଜବାବ୍‌ ଜନସାଧାରଣ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ନବୀନ।

Related posts