Categories
ଜାତୀୟ ଖବର ବଜେଟ ୨୦୨୪ ବିଶେଷ ଖବର

ଉତ୍ପାଦକତା ବୃଦ୍ଧି ଏବଂ ଜଳବାୟୁ ସହନଶୀଳ ପ୍ରଜାତିର ବିକାଶ ପାଇଁ କୃଷି ଗବେଷଣା ବ୍ୟବସ୍ଥା ଉପରେ ଧ୍ୟାନ

ନୂଆଦିଲ୍ଲୀ: କୃଷିକ୍ଷେତ୍ରରେ ଉତ୍ପାଦକତା ଏବଂ ସ୍ଥିରତା ବୃଦ୍ଧି ପାଇଁ କେନ୍ଦ୍ର ବଜେଟ୍ ୨୦୨୪-୨୫ରେ କୃଷି ଗବେଷଣା, ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ ଏବଂ ଜାତୀୟ ସମବାୟ ନୀତି ସମେତ ଅନେକ ପଦକ୍ଷେପ ଘୋଷଣା କରାଯାଇଛି।

କୃଷି ଗବେଷଣାରେ ପରିବର୍ତ୍ତନ

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଉତ୍ପାଦକତା ବୃଦ୍ଧି ଏବଂ ଜଳବାୟୁ ସହନଶୀଳ ପ୍ରଜାତି ବିକାଶ ଉପରେ ଧ୍ୟାନ ଦେବା ପାଇଁ ସରକାର କୃଷି ଗବେଷଣା ବ୍ୟବସ୍ଥାର ଏକ ବ୍ୟାପକ ସମୀକ୍ଷା କରିବେ । ଆଜି ସଂସଦରେ ୨୦୨୪-୨୦୨୫ ବଜେଟ୍ ଉପସ୍ଥାପନ କରି ସେ କହିଛନ୍ତି ଯେ କୃଷି ଗବେଷଣାକୁ ପ୍ରୋତ୍ସାହନ ପାଇଁ ଘରୋଇ କ୍ଷେତ୍ର ସମେତ ଚ୍ୟାଲେଞ୍ଜ ମୋଡରେ ପାଣ୍ଠି ଯୋଗାଇ ଦିଆଯିବ। କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଉଭୟ ସରକାରୀ ଏବଂ ବାହାରୁ ବିଶେଷଜ୍ଞମାନଙ୍କୁ ଅଣାଯାଇ ଏଭଳି ଗବେଷଣାର ତଦାରଖ କରାଯିବ। ବଜେଟରେ ଏହା ମଧ୍ୟ ଘୋଷଣା କରାଯାଇଛି ଯେ ୩୨ଟି କ୍ଷେତ ଏବଂ ଉଦ୍ୟାନ କୃଷି ଫସଲର ନୂତନ ୧୦୯ ଟି ଉଚ୍ଚ ଉତ୍ପାଦନକାରୀ ଏବଂ ଜଳବାୟୁ ସହନଶୀଳ ପ୍ରଜାତି ଚାଷ ପାଇଁ ପ୍ରଦାନ କରାଯିବ।

ପ୍ରାକୃତିକ ଚାଷ

ଆସନ୍ତା ଦୁଇ ବର୍ଷ ମଧ୍ୟରେ ସାର୍ଟିଫିକେସନ୍ ଏବଂ ବ୍ରାଣ୍ଡିଂ ସହାୟତାରେ ସାରା ଦେଶରେ ୧ କୋଟି କୃଷକଙ୍କୁ ପ୍ରାକୃତିକ ଚାଷ ପାଇଁ ପଦକ୍ଷେପ ନିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ବୈଜ୍ଞାନିକ ଅନୁଷ୍ଠାନ ଓ ଇଚ୍ଛୁକ ଗ୍ରାମ ପଞ୍ଚାୟତ ଜରିଆରେ ଏହାର କାର୍ଯ୍ୟକାରିତା କରାଯିବ ଏବଂ ଏଥିପାଇଁ ୧୦ ହଜାର ଆବଶ୍ୟକତା ଭିତ୍ତିକ ବାୟୋ ଇନପୁଟ୍ ରିସୋର୍ସ ସେଣ୍ଟର ପ୍ରତିଷ୍ଠା କରାଯିବ।

ଜାତୀୟ ସମବାୟ ନୀତି

ସମବାୟ କ୍ଷେତ୍ରର ଶୃଙ୍ଖଳିତ, ବ୍ୟବସ୍ଥିତ ଏବଂ ସର୍ବାଙ୍ଗୀନ ବିକାଶ ପାଇଁ ସରକାର ଏକ ଜାତୀୟ ସମବାୟ ନୀତି ପ୍ରଣୟନ କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ଗ୍ରାମୀଣ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ଏବଂ ବୃହତ ସ୍ତରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ମେଣ୍ଟ ସରକାର ଗଠନ ହେବା ମାତ୍ରେ କୃଷକଙ୍କ ଛାଡ ହେବ ଋଣ: ପଞ୍ଜାବରେ ରାହୁଲ ଗାନ୍ଧୀଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: ସମସ୍ତ ରାଜନୈତିକ ଦଳ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ନିଜର ଶକ୍ତି ଲଗାଇଛନ୍ତି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପଞ୍ଜାବର ଲୁଧିଆନାରେ ଏକ ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟ ମଧ୍ୟରେ ରାହୁଲ ଗାନ୍ଧୀ ଚାଷୀଙ୍କୁ ଏକ ବଡ଼ ପ୍ରତିଶୃତି ଦେଇଛନ୍ତି। ଇଣ୍ଡିଆ ମେଣ୍ଟ ସରକାର ଗଠନ ପରେ ତୁରନ୍ତ କୃଷକ ଋଣ ଛାଡ ଆୟୋଗ ଗଠନ ବିଷୟରେ ସେ କହିଛନ୍ତି।

କୃଷକଙ୍କ ଋଣ ଛାଡ ଘୋଷଣା କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ଇଣ୍ଡିଆ ମେଣ୍ଟ ସରକାର ଗଠନ ହେବା ମାତ୍ରେ ଆମେ ଚାଷୀଙ୍କ ଋଣ ଛାଡ କରିବୁ। ସେ କହିଛନ୍ତି ଯେ, ଯେପରି ସେମାନେ (ବିଜେପି) କୋଟିପତିଙ୍କ ଋଣ ଛାଡ କରନ୍ତି।

କଂଗ୍ରେସ ସାଂସଦ କହିଛନ୍ତି ଯେ, ଆମେ କେବଳ ଥରେ କୃଷକଙ୍କ ଋଣ ଛାଡ କରିବୁ ନାହିଁ, ଏଥିପାଇଁ ଆମେ ଏକ କମିଶନ ଗଠନ କରିବୁ ଯାହାକୁ କୃଷକ ଋଣ ଛାଡ ଆୟୋଗ କୁହାଯିବ। ସେ କହିଛନ୍ତି ଯେ, ଯେତେବେଳେ ବି କୃଷକମାନେ ଋଣ ଛାଡ ଆବଶ୍ୟକ କରନ୍ତି, ଆୟୋଗ ସରକାରଙ୍କୁ ଜଣାଇବେ ଏବଂ ଆମେ ଋଣ ଛାଡ କରିବୁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଥରେ, ଦୁଇଥର, ତିନିଥର, ଯେତେଥର ଚାଷୀଙ୍କ ଆବଶ୍ୟକତା ଅଛି, ଆମେ ତାଙ୍କ ଋଣ ଛାଡ କରିବୁ। ଆମକୁ ଏଥିରେ କୌଣସି ଫରକ ପଡିବନାହିଁ। ସେ କହିଛନ୍ତି ଯେ, କୃଷକମାନେ ଦେଶର ମେରୁଦଣ୍ଡ ଏବଂ ସେମାନଙ୍କୁ ସୁରକ୍ଷା ଦିଆଯିବା ଉଚିତ୍।

Categories
ଆଜିର ଖବର ରାଜ୍ୟ ଖବର

ଚାଷୀଙ୍କୁ ମଳିବ ଦୁଇ ଲକ୍ଷ ପର୍ଯ୍ୟନ୍ତ ଋଣ

ଭୁବନେଶ୍ବର: ରାଜ୍ୟରେ ଏଣିକି ସମବାୟ ବ୍ୟାଙ୍କ ଜରିଆରେ ଚାଷୀଙ୍କୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ବଳରାମ ଯୋଜନାରେ ଚାଷୀଙ୍କୁ ମିଳିବ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ। ଏଥିପାଇଁ ପ୍ରତି ପଞ୍ଚାୟତରେ ଋଣ ପାଇନଥିବା ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯିବ। ରାଜ୍ୟ କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି। ପୂର୍ବରୁ କୃଷି ସମବାୟ ବ୍ୟାଙ୍କରୁ ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମିଳୁଥିଲା। ଏଥିସହିତ ଏବେ ଭାଗ ଚାଷୀ ଏବଂ ଭୂମିହୀନଙ୍କୁ ମଧ୍ୟ ଋଣ ମିଳିବ ବୋଲି ସୂଚନା ରହିଛି। ଏହା ଫଳରେ ରାଜ୍ୟର ୧୪ ହଜାର ଚାଷୀ ଏହି ଯୋଜନାରୁ ଉପକୃତ ହୋଇପାରିବେ।

Categories
ବିଶେଷ ଖବର

କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ : ଧାନ ସମେତ 14ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ବୈଠକରେ ଜାଭଡେକରଙ୍କ ସହିତ କେନ୍ଦ୍ର ସଡ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏବଂ ନରେନ୍ଦ୍ର ସିଂ ତୋମାର ମଧ୍ୟ ଉପସ୍ଥିତ ଥିଲେ । ଏହି ପ୍ରେସ୍‌ମିଟ୍‌ରେ ଏମ୍‌ଏସ୍‌ଏମ୍‌ଇ ଏବଂ କୃଷିକ୍ଷତ୍ର ପାଇଁ ଘୋଷିତ ବିଭିନ୍ନ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିଲେ ।

ସେ କହିଛନ୍ତି ଯେ କୃଷକ ଓ ଛୋଟ ଉଦ୍ୟୋଗ ସମ୍ପର୍କରେ ଆଲୋଚନା ହୋଇଛି । କୃଷକଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କୃଷକଙ୍କ 3 ଲକ୍ଷ ଟଙ୍କା ଯାଏଁ ଋଣ ଉପରେ 4 ପ୍ରତିଶତରେ ପ୍ରଦାନ କରାଯିବ ଏବଂ ପ୍ରଥମ ଏକବର୍ଷ ପାଇଁ 2 ପ୍ରତିଶତ ସୁଧ ଛାଡ଼ ହେବ । ମଣ୍ଡି ଆଇନରେ ପରିବର୍ତ୍ତନ କରାଯାଇଛି । ଏହା ଫଳରେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ଅଧିକ ଦେବେ ସରକାର । ଧାନ ସମେତ 14 ଟି ଫସଲର ମୂଲ୍ୟବୃଦ୍ଧି କରାଯାଇଛି । ମୂଲ୍ୟବୃଦ୍ଧି ପରେ ଧାନ କ୍ବିଣ୍ଟାଲ ମୂଲ୍ୟ 1868 ଟଙ୍କାରେ ପହଞ୍ଚିଛି । ପଶୁପାଳନ ପ୍ରୋତ୍ସାହନ ପାଇଁ 15ହଜାର କୋଟି ସହାୟତା ଘୋଷଣା କରାଯାଇଥିବା ବେଳେ ମତ୍ସ୍ୟଚାଷୀକୁ ପ୍ରୋତ୍ସାହନ ପାଇଁ 20 ହଜାର କୋଟି ଟଙ୍କା ଘୋଷଣା କରାଯାଇଛି ।

ସେହିଭଳି ସଙ୍କଟମୟ ପରସ୍ଥିତି ଦେଇ ଗତି କରୁଥିବା ଏମଏସଏମଇକୁ ଋଣ ଦେବା ପାଇଁ ବିଭିନ୍ନ ସରଳୀକରଣ ବ୍ୟବସ୍ଥା କରାଯାଇଛି । ଏମଏସଇ କ୍ଷେତ୍ର ନିମନ୍ତେ 3 ଲକ୍ଷ କୋଟି ଋଣ ଦେବା ଯୋଜନା ହୋଇଛି । ପ୍ରାୟ 6 କୋଟି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଏହା ଦ୍ବାରା ଲାଭବାନ ହେବେ । ସେହିପରି ପ୍ରଧାନମନ୍ତ୍ରୀ ସ୍ବ ନିଧି ଯୋଜନାରେ ଉଠା ଦୋକାନୀଙ୍କୁ 10 ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ବ୍ୟବସ୍ଥା କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

କରୋନା ମୁକାବିଲା ପାଇଁ ୫୦ ହଜାର ଦାନ କଲେ କୃଷକ

ହାଇଦ୍ରାବାଦ : କରୋନା ମୁକାବିଲା ପାଇଁ ବିଭିନ୍ନ ଶିଳ୍ପପତି ଓ କଳାକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ପ୍ରଦାନ କରାଯାଉଥିବା ବେଳେ ମାତ୍ର ୫୦ ହଜାର ଟଙ୍କା ପ୍ରଦାନ କରି ଚର୍ଚ୍ଚାକୁ ଆସିଛନ୍ତି ତେଲେଙ୍ଗାନାର ଜନୈକ କ୍ଷୁଦ୍ର ଚାଷୀ । ଏହି ଚାଷୀ ଜଣକ ତେଲେଙ୍ଗାନା ସରକାରଙ୍କ ରିଲିଫ୍ ପାଣ୍ଠିକୁ ୫୦ ହଜାର ଟଙ୍କା ଦାନ କରି ଚର୍ଚ୍ଚାରେ ରହିଛନ୍ତି । ଆଦିଲାବାଦର ମୋରା ହମାନ୍ଦଲୁ ନାମକ ଏହି ଚାଷୀ ଜଣକ ସାଢେ୪ ଏକର ଜମିରେ ଚାଷ କରନ୍ତି । ଚଳିତ ବର୍ଷର ଆୟର ଅର୍ଥକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ପ୍ରଦାନ କରିଛନ୍ତି ଏହି ଚାଷୀ । ହମାନ୍ଦଲୁଙ୍କ ବିଷୟରେ ଟ୍ୱିଟ୍ଟରରେ ଉଲ୍ଲେଖ କରିଛନ୍ତି ତେଲେଙ୍ଗାନା କ୍ୟାବିନେଟ୍ ମନ୍ତ୍ରୀ କେଟିଆର୍ । ‘ହମାନ୍ଦୁଲା ଜଣେ କ୍ଷୁଦ୍ର ଚାଷୀ ଯାହାଙ୍କ ହୃଦୟ ବିଶାଳ’ ବୋଲି ଟ୍ୱିଟ୍ କରିଥିଲେ କେଟିଆର୍ ।

Categories
ଫଟୋ ଖବର

ଶୋରିଷ ଜମିରେ କାମ କରୁଥିବା ଅବସରରେ ଅମ୍ରିତସରର ଜଣେ ଚାଷୀ

Amritsar: A farmer busy working at a mustard field on the outskirts of Amritsar, on Dec 7, 2019. (Photo: IANS)

Categories
ଆଜିର ଖବର

ଆଶା କର୍ମୀଙ୍କ ପରେ କୃଷକଙ୍କୁ ଭେଟି ଦେଲେ ଜଗନ ମୋହନ

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କୃଷକଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ରାଜ୍ୟରେ ଅକ୍ଟୋବର ୧୫ରୁ ରାୟତୁ ଭରୋଷା ଯୋଜନା ଲାଗୁ ହେବାକୁ ଯାଉଛି। ଏହି ଯୋଜନା ଆଧାରରେ କୃଷକଙ୍କୁ ପ୍ରତିବର୍ଷ ୧୨,୫୦୦ ଟଙ୍କା ଦିଆଯିବ। ତେବେ ଏହି ଯୋଜନା ଲାଗୁ କରିବା କରିବା ପୂର୍ବରୁ ଜଗନ ମୋହନ ରେଡୀ ୨୦୧୯ ରେ ନାଇଡୁ ସରକାରଙ୍କ ଦ୍ବାରା ପ୍ରଚଳିତ ଥିବା ‘ଅନ୍ନଦାତା ସୁଖୀଭବ ଯୋଜନା’ ରଦ୍ଦ କରିଦେଇଛନ୍ତି। ଏହି ଯୋଜନା ଜରିଆରେ କୃଷକଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦିଆଯାଇଥିଲା। ଏହା ପୂର୍ବରୁ ବୃଦ୍ଧ, ଯୁବ ବର୍ଗ, ଏବଂ ଆଶା କର୍ମୀଙ୍କ ପାଇଁ ଘୋଷଣା ହୋଇ ସାରିଛି। ଏତଦ୍ ବ୍ୟତୀତ ଆନ୍ଧ୍ର ପ୍ରଦେଶରେ ଗ୍ରାମ୍ୟ ସଚିବାଳୟ ସ୍ଥାପନ କରିବା ପାଇଁ ଯୋଜନା କରାଯାଉଛି।

Categories
ବିଶେଷ ଖବର

କାଳିଆ ଟଙ୍କାକୁ କେହି ରୋକିପାରିବେ ନାହିଁ, ନିର୍ବାଚନ ପ୍ରତିଶୃତିକୁ ପାଳନ କଲେ ନବୀନ, କାଳିଆ ଟଙ୍କା ବାଣ୍ଟିବାକୁ ଦେଲେ ନିର୍ଦ୍ଦେଷ

ସମୀକ୍ଷା ବ୍ୟୁରୋ

କାଳିଆ ଟଙ୍କାକୁ କେହି ରୋକି ପାରିବେ ନାହିଁ। ସରକାର ଆସିଲେ ପ୍ରଥମ ଦିନରେ ଏହି ଟଙ୍କା ଦିଆଯିବ। ସେହି ପ୍ରତିଶୃତିକୁ ହିଁ କାର୍ଯ୍ୟରେ କରି ଦେଖାଇ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶପଥ ଗ୍ରହଣ ପରେ ନବୀନ ତାଙ୍କର ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ରାଜ୍ୟ ସଚିବାଳୟରେ କରିଥିଲେ ବୈଠକ। ପ୍ରଥମେ ମନ୍ତ୍ରୀ ପରିଷଦ, ପରେ କ୍ୟାବିନେଟ ବୈଠକ କରି ନେଲେ ଏହି ବଡ ନିଷ୍ପତି। ତାହା ହେଲା ଆଜିଠାରୁ କାଳିଆ ଟଙ୍କା ବାଣ୍ଟିବା ପାଇଁ ଦେଲେ ନିର୍ଦ୍ଦେଶ। ସପ୍ତାହ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ। ସେତିକି ନୁହେଁ ଏଥର କାଳିଆ ଯୋଜନାରେ ରାଜ୍ୟର 75 ଲକ୍ଷ ଚାଷୀ ପରିବାର ସାମିଲ କରିବାକୁ ନବୀନ ଘୋଷଣା କରିଛନ୍ତି । ପୂର୍ବରୁ ଏହି ଯୋଜନାରେ 42 ଲକ୍ଷ ପରିବାର ଉପକୃତ ହେବାର ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ ଆଉ ଅଧିକ 33 ଲକ୍ଷ ପରିବାରଙ୍କୁ ଏହି ଯୋଜନାରେ ସାମିଲ କରାଗଲା।

ଏହି ଘୋଷଣା କରି ନବୀନ ବିଜେପି ଦଳକୁ ଏକ ଶକ୍ତ ଚାପୁଡା ମାରିଛନ୍ତି ବୋଲି କହିଲେ ଅତ୍ୟୁକ୍ତ ହେବ ନାହିଁ। କାରଣ ନିର୍ବାଚନ ସମୟରେ କାଳିଆ ଟଙ୍କାକୁ ନେଇ ସୃଷ୍ଟି ହୋଇଥିଲା ତୁମ୍ବି ତୋଫାନ। ନିର୍ବାଚନ କଟକଣା ନେଇ କାଳିଆ ଟଙ୍କା ପ୍ରଦାନକୁ ସେତେବେଳେ ରୋକାଯାଇଥିଲା। ଏ ନେଇ ବିଜେଡି ନିର୍ବାଚନ କମିଶନରଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ବହୁ ଦିନ ପରେ ନିର୍ବାଚନ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କୁ ଏ ସଂପର୍କରେ ତଥ୍ୟ ମାଗି ନିରବ ରହିଥିଲେ। ହେଲେ ପୂର୍ବରୁ ପ୍ରଦାନ କରାଯାଉଥିବା ଏହି ଟଙ୍କାକୁ ସେତେବେଳେ କଳେବଳେ ରୋକି ଦିଆଗଲା। ଭୟଥିଲା କାଳେ ବିଜେଡି ଏହାକୁ ନେଇ ଅଧିକ ଭୋଟ ହାତେଇ ନେଇଯିବ। ଶେଷରେ ରାଜନୈତିକ ଚାପରେ ଏହି ଟଙ୍କା ପ୍ରଦାନ ନେଇ କୌଣସି ରାସ୍ତା ନ ଖୋଲିବାରୁ ଟଙ୍କା ପ୍ରଦାନ ବନ୍ଦ ରଖାଯାଇଥିଲା। ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ସେତେବେଳେ ନିର୍ବାଚନୀ ସଭାରେ କାଳିଆ ଟଙ୍କାକୁ କୌଣସି ଶକ୍ତି ରୋକିପାରିବ ନାହିଁ ବୋଲି କହିଥିଲେ। ଏପରିକି ସରକାର ଆସିଲେ ପ୍ରଥମ ଦିନରେ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ସେହି ପ୍ରତିଶୃତିକୁ ପାଳନ କରି ନବୀନ ପଞ୍ଚମ ପାଳିର ପ୍ରଥମ ଦିନରେ କାଳିଆ ଟଙ୍କା ବାଣ୍ଟିବା ପାଇଁ ଦେଇଛନ୍ତି ନିର୍ଦ୍ଦେଶ।

କେବଳ ଚାଷୀ ନୁହେଁ ମହିଳାମାନଙ୍କୁ ସଶକ୍ତ କରିବାକୁ ନବୀନ ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ମଧ୍ୟ ବଡ ଘୋଷଣା କରିଛନ୍ତି। ତାହା ହେଲା ସରକାରୀ ସ୍ତରରେ ଆବଶ୍ୟକ ହେଉଥିବା ବିଭିନ୍ନ ପଦାର୍ଥ ଉତ୍ପାଦନ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ପ୍ରଦାନ କରାଯିବ। ଏଥିରେ ବାର୍ଷିକ 10 ହଜାର କୋଟି ଟଙ୍କାର କାମ ଏହି ଗ୍ରୁପଗୁଡିକ ପାଇବେ ବୋଲି ନବୀନ ଘୋଷଣା କରିଛନ୍ତି। ଏଥିରେ ପ୍ରଥମ ପର୍ଯ୍ୟାୟରେ ସ୍କୁଲ ପିଲାଙ୍କ ୟୁନିଫର୍ମ, ନାପକିନ, ମଧ୍ୟାହ୍ନ ଭୋଜନ, ଧାନକିଣା, ଡାକ୍ତରଖାନା ଖାଦ୍ୟ ଏବଂ ମଶାରୀ ପ୍ରଭୃତି ଉତ୍ପାଦନ କାର୍ଯ୍ୟକୁ ସାମିଲ କରାଯାଇଛି।  ନିର୍ବାଚନ ସମୟରେ ମହିଳା ସଶକ୍ତିକରଣ ଉପରେ ମଧ୍ୟ ନବୀନ ଘୋଷଣା କରିଥିଲେ। ମା ମାନଙ୍କ ପାଇଁ ମିଶନ ଶକ୍ତିକୁ ଆହୁରି ସୁଦୃଢ କରାଯିବ ବୋଲି ସେତେବେଳେ ମଧ୍ୟ ନବୀନ କହିଥିଲେ। ଏପରିକି ମିଶନ ଶକ୍ତିର ଜଣେ ମହିଳାଙ୍କୁ ସାଂସଦ ପ୍ରାର୍ଥୀ କରି ନବୀନ ଏକ ଇତିହାସ ସୃଷ୍ଟି କରିଥିଲେ। ଯାହାକୁ ନେଇ ସାରା ଦେଶରେ ଆଲୋଚନା ଚାଲିଛି।

Categories
ବିଶେଷ ଖବର

ବାତ୍ୟା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ଏଥିରେ ଚାଷୀ, ମତ୍ସ୍ୟଜୀବୀ ଏବଂ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବହୁତ କିଛି ରହିଛି

ସମୀକ୍ଷା ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଫନି ବାତ୍ୟା ପ୍ୟାକେଜ ଘୋଷଣା କରିଛନ୍ତି। ଆଜି ସଚିବାଳୟରେ ବସିଥିବା ଏକ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ଫନି ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକର ଜଳସେଟିତ ଜମି ଚାଷିଙ୍କୁ ମିଳିବ ହେକ୍ଟର ପିଛା 18 ହଜାର ଟଙ୍କା। ସେହିପରି ଅଣ ଜଳସେଚିତ ଜମି ଚାଷିଙ୍କୁ ମିଳିବ 6 ହଜାର 8ଶହ ଟଙ୍କା। ଏଥିସହିତ ବିଭିନ୍ନ କୃଷି ତଥା ମତ୍ସ୍ୟଜୀବୀଙ୍କ ପାଇଁ ଯାହା ଘୋଷଣା କରାଯାଇଛି ତାହା ହେଲା..

1-ଜଳସେଚିତ ଜମି ଚାଷୀଙ୍କୁ ହେକ୍ଚର ପିଛା 18 ହଜାର ଟଙ୍କାର କୃଷି ଇନପୁଟ ସବସିଡି ମିଳିବ

2-ଅଣ ଜଣସେଚିତ ଚାଷୀଙ୍କୁ ହେକ୍ଚର ପିଛା 6 ହାଜାର 8ଶହ ଟଙ୍କା ଇନପୁଟ ସବସିଡ

3-ବାତ୍ୟା ପ୍ରଭାବିତ ଅଞ୍ଚଳରେ ପନିପରିବା ଚାଷୀଙ୍କୁ ମିଳିବ ସହାୟତା। ଏଥିରେ ଏକ ଲକ୍ଷ ମିନି କିଟ ପ୍ରଦାନ କରାଯିବ

4-ପାନବରଜ ଚାଷୀଙ୍କୁ 15 ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ

5-ଛତୁ ଚାଷୀଙ୍କୁ ସେଡ୍ ନିର୍ମାଣ କରିବା ପାଇଁ ପ୍ରତି ୟୁନିଟ ପିଛା 40 ହଜାର ଟଙ୍କା ଦିଆଯିବ

6-କଦଳୀ ଚାଷୀଙ୍କୁ ହେକ୍ଟର ପିଛା 25 ହଜାର ଟଙ୍କା ମିଳିବ

7-ବଳଦ ଓ ଗାଈ ମରିଥିଲେ 30 ହଜାର ଟଙ୍କା ଲେଖାଏଁ ସହାୟତା, ଅନ୍ୟ ବଡ ପଶୁ ମରିଥିଲେ 25 ହଜାର ଟଙ୍କା ଏବଂ ଛେଳି ମରିଥିଲେ 3 ହଜାର ଟଙ୍କା ମିଳିବ

8-ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା କରାଯାଇଥିବା ଛେଳି ଓ ଗାଈ ଚାଷୀଙ୍କ ସେଡ୍ ନିର୍ମାଣ ପାଇଁ 50 ହଜାର ଟଙ୍କା

9-ମତ୍ସ୍ୟଜୀବୀଙ୍କୁ 80 ହଜାର ଟଙ୍କାର ନୂଆ ଡଙ୍ଗା କିଣିବା ପାଇଁ 40 ହଜାର ଟଙ୍କା ଏବଂ 20 ହଜାର ଟଙ୍କାର ଜାଲ ପାଇଁ 10 ହଜାର ଟଙ୍କା ପ୍ରଦାନ କରାଯିବ

10-ମାଛ ଚାଷୀଙ୍କୁ ହେକ୍ଟର ପିଛା 12 ହଜାର 200 ଟଙ୍କା ମିଳିବ

11- ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଅତିରିକ୍ତ 10  ହଜାର ଟଙ୍କାର ମୂଳ ଧନ ପ୍ରଦାନ

12-ଗୋଷ୍ଠୀ ବ୍ୟୟ କରିଥିବା ସ୍ବୟଂ ସହାୟକ ଗୋଷ୍ଠୀକୁ 1 ଲକ୍ଷ ଟଙ୍କା

13-ଘରକୁ ମସଲା ପ୍ରଭୃତି ଯୋଗାଣ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀକୁ 50 ହଜାର ଟଙ୍କା ପ୍ରଦାନ କରାଯିବ।

 

Categories
ଆଜିର ଖବର

ମୋଦିଙ୍କ ବିପକ୍ଷର ନାମାଙ୍କନ ପତ୍ର ଦାଖଲ କଲେ ୫୦ ଜଣ ଚାଷୀ

ତେଲେଙ୍ଗାନାର ନିଜାମବାଦର ୫୦ଜଣ ହଳଦୀ ଚାଷୀ ସମୂହ ରୂପେ ଶନିବାର ଦିନ ବାରାଣାସୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସମସ୍ତେ ସ୍ବାଧୀନ ପ୍ରାର୍ଥୀ ଭାବେ ଏହି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନେ ପ୍ରାର୍ଥୀପତ୍ର ଦାଖଲ ସମୟରେ କହିଛନ୍ତି ଯେ, ସେମାନେ ଏପରି କରି କାହାର ବିରୋଧ କରୁନାହାନ୍ତି, ବରଂ ସେମାନେ ଏହା ଜରିଆରେ ସମସ୍ୟା ପ୍ରତି ସମସ୍ତଙ୍କର ଧ୍ୟାନ କେନ୍ଦ୍ରୀଭୂତ କରିବା ସହିତ ସମାଧାନ କରିବାକୁ ଚାହିଁଛନ୍ତି। ଏହି ଚାଷୀଗୋଷ୍ଠୀଙ୍କର ପ୍ରବକ୍ତା କହିଛନ୍ତି ଯେ, ସେମାନେ ଏକ ଅନନ୍ୟ ଉପାୟରେ ତାଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରଚେଷ୍ଟା କରୁଛନ୍ତି। ହଳଦୀ ଚାଷ ନିମନ୍ତେ ଏକ ବୋର୍ଡ ଗଠନ କରିବାକୁ ସେମାନଙ୍କର ଦାବି ରହିଥିବାବେଳେ ହଳଦୀର ନ୍ୟୁନତମ ସହାୟକ  ମୂଲ୍ୟ (ଏମ୍‌ଏସ୍‌ପି) କୁଇଣ୍ଟାଲ୍‌ ପ୍ରତି ୧୫୦୦୦ କରିବାକୁ ଦାବି ରଖିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ସମସ୍ୟା ବର୍ତ୍ତମାନ ସରକାରରେ ଥିବା ବିଜେପି ସମାଧାନ କରିପାରିଛନ୍ତି ନା ପୂର୍ବର ୟୁପିଏ ସରକାର। କେହି ବି ସେମାନଙ୍କ ସମସ୍ୟାକୁ ଶୁଣିନାହାନ୍ତି। ଚଳିତ ଥର ମୋଦି ବାରାଣାସୀରୁ ନିର୍ବାଚନ ଲଢୁଥିବାବେଳେ ତାଙ୍କ ବିପକ୍ଷରେ କଂଗ୍ରେସ ତରଫରୁ ରହିଛନ୍ତି ଅଜୟ ରାୟ ଓ ସପା ତରଫରୁ ଶାଳିନୀ ଯାଦବ।  ଏଠାରେ ମେ ୧୯ ତାରିଖ ମତଦାନ ଅନୁଷ୍ଠିତ ହେବ।

Categories
ବିଶେଷ ଖବର

ଦିଲ୍ଲୀ ରେ ଓଡିଆ ଚାଷୀକୁ ନ୍ୟାୟ ମିଳିବ ନାହିଁ, ବିଜେଡି ନିଜ ରାଜ୍ୟରେ ଚାଷୀଙ୍କ ପାଇଁ ଜୀବନ ଓ ଜୀବିକାର ସୁରକ୍ଷା ନିଶ୍ଚିତ କରୁ

ସମୀକ୍ଷା ବ୍ୟୁରୋ

ନୂଆଦିଲ୍ଲୀ ରେ ବିଜୁ ଜନତା ଦଳ ତରଫରୁ ଏକ ରାଲିର ଆୟୋଜନ କରି ରାଜ୍ୟର ଚାଷୀଙ୍କୁ ନ୍ୟାୟସଙ୍ଗତ ଭାବରେ ନିଜର ଉତ୍ପାଦନ ବିକ୍ରି ପାଇଁ ସର୍ବନିମ୍ନ ମୂଲ୍ୟ ଦେବାକୁ କେନ୍ଦ୍ର ଉପରେ ଚାପ ପ୍ରୟୋଗ କରିବାର ଉଦ୍ୟମ ହୋଇଛି। ଏକଥା ସତ ଯେ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣରେ ଓ ସ୍ବାମୀନାଥନ କମିଶନର ସୁପାରିଶ ଲାଗୁ କରିବାରେ କେନ୍ଦ୍ର ସରକାର କୌଣସି ଉଚିତ ପଦକ୍ଷେପ ନେଇ ନାହାନ୍ତି। ଭାରତର ଇତିହାସରେ ନରେନ୍ଦ୍ର ମୋଦୀ ସରକାରକୁ ସର୍ବାଧିକ କୃଷକ ବିରୋଧୀ ସରକାର ବୋଲି କହିଲେ ଅତ୍ଯୁକ୍ତି ହେବନାହିଁ। କିନ୍ତୁ ବିଜୁ ଜନତା ଦଳ, ଯିଏ ଓଡିଶାରେ ଗତ ୧୯ ବର୍ଷ ହେଲା ଶାସନ କରି ଆସୁଛି, ସେମାନେ ରାଜ୍ୟର ଚାଷୀଙ୍କ ପାଇଁ ଦିଲ୍ଲୀ ରେ ରାଲି କରିବାର କୌଣସି ଆବଶ୍ୟକତା ନାଇଁ। ବରଂ ରାଜ୍ୟର କୃଷି ଓ କୃଷକର ବିକାଶ ଲାଗି ବିଜେଡ଼ିର ନେତା ନବୀନ ପଟ୍ଟନାୟକଙ୍କ ଭୂମିକା କଣ ରହିଛି, ସେ ବିଷୟରେ ଓଡିଶାବାସୀଙ୍କୁ ଉତ୍ତର ରଖିବା ଅଧିକ ଜରୁରୀ।

କେନ୍ଦ୍ର ସରକାର କୌଣସି କୃଷକ ସଂଗଠନ ବା କୃଷି ପ୍ରସଙ୍ଗରେ ପ୍ରଶ୍ନ ଉଠାଉଥିବା ରାଜନୈତିକ ଦଳମାନଙ୍କ କଥା ଶୁଣୁନାହାନ୍ତି। ସେହି କ୍ରମରେ କେନ୍ଦ୍ର ସରକାର ଯେ ଓଡିଶାର ଦାବୀକୁ ବିଚାର କରିବେ, ତାର କୌଣସି ସମ୍ଭାବନା ନାହିଁ। କଳେ, ବଳେ, କୌଶଳେ ୨୦୧୯ ନିର୍ବାଚନ ଜିଣିବାକୁ ନୂଆ ସ୍ଲୋଗାନ ଓ ନୂଆ ସ୍ଵପ୍ନର ବ୍ଲୁ ପ୍ରିଣ୍ଟ ବିଜେପି ଶିବିରରେ ତିଆରି ଚାଲିଥିବା ବେଳେ ଓଡିଶା ନେତାଙ୍କ ଦିଲ୍ଲୀ ରାଲିର କୌଣସି ପ୍ରଭାବ କେନ୍ଦ୍ର ସରକାର ଉପରେ ପଡିବାର ନାହିଁ। ସେହିପରି ଉଚ୍ଚ ବର୍ଗ ସଂରକ୍ଷଣ ଓ ସିବିଆଇ ମାମଲାରେ ଅଲଝିଥିବା ଥିବା ଦିଲ୍ଲୀ ମିଡିଆ ପାଇଁ ଓଡିଶାର ଚାଷୀ ବଡ ଆକର୍ଷଣ ନୁହନ୍ତି। ଏପରିକି ବିଜେଡି ରାଜନୀତି ମଧ୍ୟ ଦିଲ୍ଲୀରେ ବିଶେଷ ଚର୍ଚ୍ଚାର ବିଷୟ ନୁହେଁ। ସେହି ପୃଷ୍ଠଭୂମିରେ ବିଜେଡ଼ିର ନୂଆଦିଲ୍ଲୀ ରାଲି କେବଳ ସୋସିଆଲ ମିଡିଆରେ ରୋଚକ ଖବର ହୋଇ ରହିଯାଇଛି। ଓଡିଶାର ବିରୋଧୀ ଦଳ ଗୁଡିକ ଚାଷୀ ପ୍ରସଙ୍ଗକୁ ନେଇ ବିଜେଡ଼ିକୁ ଘେରିବା ବାହାନାରେ କେବଳ ସୁଆଙ୍ଗ ଇ କରୁଛନ୍ତି।

ଚାଷ ଓ ଚାଷୀଙ୍କୁ ନେଇ ଯେଉଁ କେତୋଟି ପ୍ରମୁଖ ସମସ୍ଯା ରହିଛି, ତାହାର ସମାଧାନ କରିବା ରାଜ୍ୟ ସରକାରଙ୍କ କାମ। ତାରି ଭିତରେ ସର୍ବ ନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ସ୍ବାମୀନାଥନ କମିଟି ରିପୋର୍ଟ ଲାଗୁ କରିବାର ଦାୟିତ୍ଵ କେନ୍ଦ୍ର ସରକାରଙ୍କର। କିନ୍ତୁ ଓଡିଶା ପ୍ରସଙ୍ଗରେ ଗୋଟିଏ କଥା ଦେଖିବା ରାଜ୍ୟ ସରକାରଙ୍କ ପାଇଁ ଜରୁରୀ। ଯଦିଓ ରାଜ୍ୟ ସରକାର ଓଡିଶାରେ ଚାଷୀଙ୍କ ଆୟ ଦୁଇ ଗୁଣ ବଢିଛି ବୋଲି କହୁଛନ୍ତି, ଆସାଲରେ କିନ୍ତୁ ଆମ ରାଜ୍ୟର ଚାଷୀଙ୍କ ଆୟ ଦେଶର ସବୁଠୁ କମ। କେବଳ ପଶ୍ଚିମବଙ୍ଗ କୁ ବାଦ ଦେଲେ ବାକି ସବୁ ରାଜ୍ୟରେ ଚାଷୀଙ୍କ ଆୟ ଓଡିଶା ତୁଳନାରେ ଢେର ଅଧିକ। ଓଡିଶାରେ ଗୋଟେ ଚାଷୀ ପରିବାର ମାସିକ ହାରାହାରି ୧୪୦୭ ଟଙ୍କା ରୋଜଗାର କରୁଥିବାବେଳେ ପଞ୍ଜାବରେ ଏହା ୧୦,୮୬୨ ଟଙ୍କା। ରାଜ୍ୟ ସରକାର ଚାଷୀଙ୍କ ଆୟ ଦୁଇଗୁଣ ବଢାଇବାର ଲକ୍ଷ୍ୟ ନେଇ କାମ କଲେ ଦୁର୍ଦ୍ଦିନ ସରିବନାହିଁ। ଏହାକୁ ଅତିକମରେ ଚାରି ଗୁଣ ବଢାଇବାର ସୁଯୋଗ ସୃଷ୍ଟି କରିବାକୁ ପଡିବ।

ରାଜ୍ୟର ଅଭିବୃଦ୍ଧିରେ କୃଷିର ଭୂମିକା ଦିନକୁ ଦିନ ଗୌଣ ହୋଇଚାଲିଛି। ୧୯୫୦-୫୧ ବେଳକୁ ରାଜ୍ୟର କୃଷି କ୍ଷେତ୍ର ରୁ ୫୬.୧୦% ଜିଡିପି କୁ ଆସୁଥିଲା। ୨୦୧୫-୧୬ ବେଳକୁ ତାହା ୧୫.୪% କୁ ଖସି ଆସିଛି। ରାଜ୍ୟର ୯୦% କ୍ଷୁଦ୍ର, ନାମମାତ୍ର ଓ ଭାଗ ଚାଷୀ ହୋଇଥିବାରୁ ଓ ସେମାନଙ୍କ ପାଖରେ ଜମି ପରିମାଣ ଅତ୍ୟନ୍ତ ସ୍ବଳ୍ପ ରହିଥିବାରୁ, ସେମାନଙ୍କର ଆୟରେ କୌଣସି ବ୍ୟାପକ ପରିବର୍ତ୍ତନ ଆସି ପାରୁନାହିଁ।  ଚାଷୀଙ୍କୁ କେବଳ ପ୍ୟାକେଜ ଦେଇଦେଲେ ସେମାନଙ୍କ ସମସ୍ୟାର ସମାଧାନ ହେବନାହିଁ। ଏଥିପାଇଁ ଠୋସ କାର୍ଯପନ୍ଥା ସ୍ଥିର ହେବା ଜରୁରୀ।

ଚାଷର ପ୍ରଣାଳୀ ଓ କିସ୍ମ ମଧ୍ୟ ବଦଳିବା ଦରକାର। ତେବେ ଚାଷୀଙ୍କ ସମସ୍ୟା ବିଷୟରେ ଭାବିବା ଲାଗି କାହା ପାଖରେ ସମୟ ନାହିଁ। ଶାସକ ବିଜେଡି ନୂଆଦିଲ୍ଲୀରେ କୃଷକ ରାଲି କରୁଥିବାରୁ ତାଙ୍କୁ ପ୍ରତିହତ କରିବାର ଲକ୍ଷ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟ ରାଲି କରୁଛନ୍ତି କିମ୍ବା ବିଜେଡି କୁ ଗାଳି କରୁଛନ୍ତି। ରାଜନୀତିରେ ସେଟା  ସ୍ଵାଭାବିକ। ତେବେ ରାଜ୍ୟର ଗଣମାଧ୍ୟମ କିନ୍ତୁ ଚାଷୀ ପ୍ରସଙ୍ଗରେ କୌଣସି ବାସ୍ତବ ତଥ୍ୟ ନରଖି କେଉଁ ନେତା କେମିତି ଦିଲ୍ଲୀ ଗଲେ, କିଏ ପିଜୁଳି ଖାଇଲେ ନା କୁକୁଡା ମାଂସ, ସେସବୁ ବାଜେ ଖବର ଛାପିବାରେ ଅଭ୍ୟସ୍ତ ହୋଇଯାଇଛି। ଚାଷର ରାଜନୀତି ଚାଷୀର ଅସ୍ତିତ୍ଵଠୁ  ବହୁତ ବଡ ହୋଇଯାଇଛି।

ରାଜ୍ୟ ସରକାର ବିଜୁ କୃଷକ କଲ୍ୟାଣ ଯୋଜନା, କାଳିଆ ଇତ୍ୟାଦି କଥା କହୁଛନ୍ତି, ଭଲକଥା। କିନ୍ତୁ କେବଳ ପାଞ୍ଚ ହଜାର କି ଦଶ ହଜାର ସହାୟତାରେ ଚାଷୀର ଭାଗ୍ୟ ବଦଳିବ ନାହିଁ।  କୃଷି କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜି ଲଗାଇବା ଓ ଚାଷୀକୁ ତାର ଜୀବିକା ର ସୁରକ୍ଷା ଦେବା, ରାଜ୍ୟ ସରକାରଙ୍କ ଦାୟିତ୍ଵ ନିଶ୍ଚୟ। ଦିଲ୍ଲୀ ରେ ରାଲି ବହୁତ ହୋଇଛି ଓ ହେବ, କିନ୍ତୁ ଚାଷୀ ଥରେ ବାଟ ହୁଡିଗଲେ ତା ଜୀବନର ଗୋଟିଏ ବର୍ଷ ଚାଲିଯିବ।   ତେଣୁ ବିରୋଧୀଙ୍କ ତୁଳନାରେ ଶାସକ ବିଜୁ ଜନତା ଦଳ କୃଷକଙ୍କ ପାଖରେ ଅଧିକ ଉତ୍ତରଦାୟୀ ରହିବାକୁ ବାଧ୍ୟ।