Categories
ବିଶେଷ ଖବର ରାଜ୍ୟ ଖବର

ବରଗଡ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ: ୨୧୪୯ କୋଟି ଟଙ୍କା ମୂଲ୍ୟର ୬୨ଟି ବିଭିନ୍ନ ପ୍ରକଳ୍ପର କଲେ ଉଦ୍‌ଘାଟନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ଗସ୍ତରେ ଯାଇ ବିଜେପୁରର କନାପାଲିଠାରେ ବରଗଡ ଜିଲ୍ଲାରେ ୨୧୪୯ କୋଟି ଟଙ୍କା ମୂଲ୍ୟର ୬୨ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି। ଏଥି ସହିତ ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ୨୧ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦେଇଛନ୍ତି।

ଉଦ୍‌ଘାଟିତ ପ୍ରକଳ୍ପ ଗୁଡିକ ମଧ୍ୟରେ ଓଡିଶାର ଜଳସେଚନର ବିକାଶ କ୍ଷେତ୍ରରେ ଆଉ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ୧୬୭୭ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ, ୧୦୬ କୋଟି ୬ ଲକ୍ଷ ଟଙ୍କା ବ୍ୟୟରେ ୫ ମହଲା ବଶିଷ୍ଟ ୧୦୦ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସା କେନ୍ଦ୍ର, ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ୨୨ କୋଟି ୭୮ ଲକ୍ଷ ଟଙ୍କା ବ୍ୟୟରେ ରୂପାନ୍ତରିତ ନୃସିଂହନାଥ ପୀଠ ପ୍ରମୁଖ ରହିଛି। ସୋହେଲା-ନୂଆପଡା ବିଜୁ ଏକ୍ସପ୍ରେସ ୱେ, ୩୧୭ଟି ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟ ମଧ୍ୟ ସଂମ୍ପନ୍ନ ହୋଇଛି। ଏଥି ସହିତ ୫୬ଟି କଲେଜକୁ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥାରେ ରୂପାନ୍ତର କାର୍ଯ୍ୟ, ୫ଟି ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ‘ଆମ ହସ୍ପିଟାଲ’କୁ ରୂପାନ୍ତରଣ, ୧୮୫ଟି ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତମାନଙ୍କୁ ‘ଆମ ବ୍ୟାଙ୍କ’ ସୁବିଧା, ଲକ୍ଷ୍ମୀ ଯୋଜନାରେ ୨୬୨ଟି ବସ୍ ଷ୍ଟପେଜ୍‌, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଅଧିନରେ ୪୩୧ଟି କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର ଓ ଧାର୍ମିକ ସ୍ଥଳୀର ଉନ୍ନତି କାର୍ଯ୍ୟ ଏବଂ ‘ଆମ ଓଡିଶା ନବୀନ ଓଡିଶା’ରେ ୧୨୬ କୋଟି ୫୦ ଲକ୍ଷ ଟଙ୍କା ବିନିମୟରେ ୩୧୩୫ଟି ପ୍ରକଳ୍ପ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି।

ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶାର ଗୌରବ ସ୍ୱଭାବ କବି ଗଙ୍ଗାଧର ମେହେର ଓ ମହାନ ସ୍ୱାଧୀନତା ସଂଗ୍ରାମୀ ମା’ ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ବରଗଡ କଳାର ଭୂମି ଓ ସଂସ୍କୃତିର ଭୂମି । ଏ ଅଞ୍ଚଳର ବୁଣାକାରମାନେ ବିଶ୍ୱରେ ଓଡିଶାର ପରିଚୟକୁ ଉଜ୍ଜ୍ୱଳ କରିଛନ୍ତି। ନିକଟରେ ବୁଣାକାର ଓ କଳାକାର ମାନଙ୍କ ପେନସନ୍ ବୃଦ୍ଧି ସଂପର୍କରେ ସୂଚନା ଦେଇଥିଲେ। ଏବେ ସାରା ରାଜ୍ୟରେ ରୂପାନ୍ତର ପର୍ବ ଚାଲିଛି ବୋଲି କହି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ, ମା’ ସମଲେଇ ପ୍ରକଳ୍ପ ଭକ୍ତମାନଙ୍କ ପାଇଁ ସୁନ୍ଦର ଅନୁଭବ ଆଣିଛି ଏବଂ ଆଜି ଉଦ୍‌ଘାଟିତ ହୋଇଥିବା ରୂପାନ୍ତରିତ ପ୍ରସିଦ୍ଧ ନୃସିଂହନାଥ ପୀଠ ମଧ୍ୟ ଓଡିଶାର ଗୌରବକୁ ଆହୁରି ବୃଦ୍ଧି କରିବ ବୋଲି ସେ କହିଥିଲେ।

ରାଜ୍ୟରେ 5T ଉପକ୍ରମରେ ଚାଲିଥିବା ରୂପାନ୍ତର କାର୍ଯ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଏହି ରୂପାନ୍ତର କାର୍ଯ୍ୟକ୍ରମରେ ହାଇସ୍କୁଲ ରୂପାନ୍ତରଣ ସଫଳତା ଅର୍ଜନ କରିଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ୪ କୋଟି ଲୋକଙ୍କ ପାଇଁ ଆଶୀର୍ବାଦ ହୋଇଛି। ପରିବହନ ସେବାରେ ଲକ୍ଷ୍ମୀ ବସ୍‌ ଯୋଜନା ଗାଁରେ ଲୋକଙ୍କ ଜୀବନ ଧାରାକୁ ସହଜ କରିଛି। ବଡ ବଡ ଜଳସେଚନ ପ୍ରକଳ୍ପ ଠିକ୍‌ ସମୟରେ ଶେଷ ହେଉଛି। ଆଜି ଓଡିଶା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାରା ଦେଶକୁ ଖାଦ୍ୟ ଯୋଗାଉଛି। ଏଥିରେ ବରଗଡ ଜିଲ୍ଲାର ଚାଷୀ ଭାଇମାନଙ୍କର ବହୁତ ବଡ ଅବଦାନ ରହିଛି ବୋଲି ସେ କହିଥିଲେ। କ୍ରୀଡା କ୍ଷେତ୍ରରେ ଓଡିଶାର ସୁନାମ ବଢିଛି।

ସେଥିରେ ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତଙ୍କର ବିଶେଷ ଅବଦାନ ରହିଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବରଗଡରେ କ୍ୟାନସର ଡାକ୍ତରଖାନା ପାଇଁ ମୁଁ କହିଥିଲି। ଆଜି ମୁଁ ତାହା ପୂରଣ କରିଛି। ପଶ୍ଚିମ ଓଡିଶାର ରୋଗୀମାନଙ୍କୁ ଏହା ଉତ୍ତମ ସେବା ଯୋଗାଇ ଦେବ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ୫-ଟି ଉପକ୍ରମରେ ସାରା ରାଜ୍ୟରେ ୧୧ଟି କ୍ୟାନସର ହସ୍ପିଟାଲ କରାଯାଉଛି। ଏଥିପାଇଁ ୧ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ।

ଆଜି ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ ଜରିଆରେ ଜିଲ୍ଲାର ଚାଷୀମାନଙ୍କର ଜମିକୁ ପାଣି ଯୋଗାଇବା ଆରମ୍ଭ ହେଲା। ଏହି ପ୍ରକଳ୍ପ ଜରିଆରେ ଜିଲ୍ଲାର ୬୦ ହଜାର ଏକରରୁ ଅଧିକ ଜମିକୁ ପାଣି ମିଳିବ। ଜିଲ୍ଲାର ସୋହେଲା, ବିଜେପୁର, ବରପାଲି ଓ ଡୁଙ୍ଗୁରିପାଲି ବ୍ଲକର ଚାଷୀମାନେ ଏହା ଦ୍ୱାରା ବିଶେଷ ଉପକୃତ ହେବେ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଚାଷୀ ଭାଇଭଉଣୀ, ମିଶନ ଶକ୍ତି ମା ଓ ଯୁବ ବର୍ଗଙ୍କୁ ବିନା ସୁଧରେ ଋଣ ଦିଆଯାଉଛି। କଲେଜ ପିଲାମାନଙ୍କ ମଧ୍ୟରେ ନୂଆ-ଓ ଛାତ୍ରବୃତ୍ତି ଆଶା ସଞ୍ଚାର କରିଛି। ସମସ୍ତଙ୍କ ସହଯୋଗରେ ଓଡିଶାରେ ଆଜି ରୂପାନ୍ତର ଆସିଛି ବୋଲି କହି ଏହି ଧାରା ଆହୁରି ଆଗକୁ ବଢିବ ଏବଂ ଆମେ ସମସ୍ତେ ମିଶି ଏକ ନୂଆ ଓଡିଶା ଗଢିବା ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଲେ ଯେ ଯେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗଙ୍ଗାଧର ମେହେର ପ୍ରକଳ୍ପ ଘୋଷଣା କରିଥିଲେ ସେତେବେଳେ ବହୁ ଲୋକ ଏହା ଉପରେ ସନ୍ଦେହ ସୃଷ୍ଟି କରିଥିଲେ। ହିରାକୁଦ ବନ୍ଧରୁ ବିଜେପୁର ୩୫ ମିଟର ଉଚ୍ଚରେ ଅବସ୍ଥିତ। କିନ୍ତୁ ସବୁ ସନ୍ଦେହକୁ ଦୂର କରି ମୁଖ୍ୟମନ୍ତ୍ରୀ ଦୃଢ ଇଚ୍ଛାଶକ୍ତି ବଳରେ ଆଧୁନିକ ଟେକନୋଲୋଜି ପ୍ରୟୋଗରେ ଏହାକୁ ସଫଳ କରିଛନ୍ତି। ଆଜି ମହାନଦୀରୁ ପାଇପ ଯୋଗେ ହଜାର ହଜାର ଏକର ଜମିକୁ ପାଣି ମିଳିଲା।

ନିକଟରେ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡିକରେ ହିତାଧିକାରୀମାନଙ୍କର ଭତ୍ତା ବୃଦ୍ଧି କରିଛନ୍ତି। ଉପସ୍ଥିତ ଜନସାଧାରଣଙ୍କ ସହିତ ମତ ବିନିମିୟ କରି କାର୍ତ୍ତିକ ପାଣ୍ଡିଆନ ମମତା, ମଧୁବାବୁ ଯୋଜନା, ବୁଣାକାର, କଳାକାର, କେନ୍ଦୁପତ୍ର ତୋଳାଳୀ ଆଦି ସମସ୍ତଙ୍କ ପାଇଁ ହୋଇଥିବା ନୂଆ ବର୍ଦ୍ଧିତ ସହାୟତା ଉପରେ ସଚେତନ କରିଥିଲେ।

କାର୍ଯ୍ୟକ୍ରମରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ  ରୀତା ସାହୁ, ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟିକା ବର୍ଷା ସିଂ ବରିହା ପ୍ରମୁଖ ଯୋଗ ଦେଇ କହିଥିଲେ ଯେ ବରଗଡ ଜିଲ୍ଲା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଧ୍ୟାନ ରହିଛି। ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କ ଆନ୍ତରିକତା ଯୋଗୁ ଆଜି ବରଗଡ ଜିଲ୍ଲାର ବିକାଶ ସମ୍ଭବ ହୋଇଛି ବୋଲି ସେମାନେ କହିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ ଓ ଜିଲ୍ଲା ପରିଷଦ ସଭାପତି ମାନିନୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର

ଦୁଇ ବର୍ଷରେ ତିନୋଟି ନିର୍ବାଚନ- ବିଜେପୁର ଭୋଟରଙ୍କ ପାଇଁ ବିକାଶର ବର୍ଷା ନା ଅଦୃଶ୍ୟ ମନସ୍ତାତ୍ତ୍ଵିକ ଚାପ

କେଦାର ମିଶ୍ର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ଉଭୟ ବିଜେପୁର ଓ ହିଂଜିଳି ବିଧାନସଭା ଆସନରୁ ଜିତିଥିବାରୁ, ବିଧି ମୁତାବକ ତାଙ୍କୁ ଗୋଟିଏ ଆସନ ଛାଡିବାକୁ ପଡିଛି। ଶେଷ ନିଷ୍ପତ୍ତି କ୍ରମେ ନବୀନ ବାବୁ ତାଙ୍କର ପୁରୁଣା ଆସନ ହିଂଜିଳିକୁ ରଖିଥିବା ବେଳେ ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି। ଏହାର ପରିଣତି ସ୍ଵରୂପ ଆସନ୍ତା ମାସେ ଦୁଇ ମାସ ଭିତରେ ବିଜେପୁରରେ ଇଉପିଏ ନିର୍ବାଚନ ଅନୁଷ୍ଠିତ ହେବ। ହୁଏତ ପାଟକୁରା ଓ ବିଜେପୁର ଆସନ ପାଇଁ ଏକା ସାଙ୍ଗରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ମନ୍ତ୍ରୀ ମଣ୍ଡଳ ଗଠନ ଓ ବିଭାଗ ବଣ୍ଟନ ବେଳେ ପଶ୍ଚିମ ଓଡିଶା ଉପରେ ଯେଉଁ ପ୍ରକାର ଗୁରୁତ୍ଵ ଦିଆଗଲା, ସେଥିରୁ ଗୋଟେ ସଙ୍କେତ ସ୍ପଷ୍ଟ ଥିଲା ଯେ, ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡୁଛନ୍ତି। ତାହା ସହିତ, ବିଜେପୁରକୁ ଏକ ସ୍ଵତନ୍ତ୍ର ପ୍ୟାକେଜ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସମ୍ଭାବ୍ୟ ଉପ ନିର୍ବାଚନକୁ ମିଶାଇ ଗତ ଦୁଇ ବର୍ଷରେ ବିଜେପୁରରେ ଏହା ହେବ ତୃତୀୟ ନିର୍ବାଚନ। ଓଡିଶାର ନିର୍ବାଚନୀ ଇତିହାସରେ ଲଗାତାର ଏମିତି ତିନୋଟି ନିର୍ବାଚନ ହେବାରେ ବିଜେପୁର ବୋଧେ ପ୍ରଥମ ଇତିହାସ ସୃଷ୍ଟି କରିବ।

ଐତିହାସିକ ଦୃଷ୍ଟିରୁ ବିଜେପୁର ପଶ୍ଚିମ ଓଡିଶାର ଏକ ପ୍ରମୁଖ ଶକ୍ତି କେନ୍ଦ୍ର ଭାବରେ ରହି ଆସିଛି। ବିଶେଷ କରି କଂଗ୍ରେସ ରାଜନୀତିରେ ବିଜେପୁରର ସ୍ଥାନ ସ୍ଵତନ୍ତ୍ର। ୧୯୬୧ ରେ ବିଜେପୁର ନିର୍ବାଚନ ମଣ୍ଡଳୀ ଗଠିତ ହେବା ପରଠୁ ଏଠାରୁ ୮ ଥର କଂଗ୍ରେସ ପ୍ରାର୍ଥୀ ମାନେ ଜିତି ଆସିଛନ୍ତି। ୨୦୦୪ ରୁ ୨୦୧୪ ପର୍ୟନ୍ତ ବିଜେଡି ହାୱାକୁ ପ୍ରତିହତ କରି ଏଠାରୁ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ତିନିଥର ନିର୍ବାଚିତ ହୋଇଥିଲେ। ୨୦୧୮ରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ। ସେ ବର୍ଷ ଅନୁଷ୍ଠିତ ଉପ ନିର୍ବାଚନରେ କଂଗ୍ରେସ ଓ ବିଜେଡ଼ିର ପାରମ୍ପରିକ ସଂଘର୍ଷ ଭିତରକୁ ବିଜେପି ଧସେଇ ପଶିଥିଲା ଓ କେନ୍ଦ୍ର ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ବିଜେପୁର ଉପ ନିର୍ବାଚନକୁ ୨୦୧୯ ସାଧାରଣ ନିର୍ବାଚନର ସେମିଫାଇନାଲ ବୋଲି କୁହାଗଲା। ତେବେ ସେଇ ସେମିଫାଇନାଲରେ ବିଜେଡି ବିପୁଳ ବିଜୟ ହାସଲ କରିଥିଲା। ସ୍ଵର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିପୁଳ ଭୋଟରେ ସେଠାରୁ ନିର୍ବାଚନ ଜିଣିଥିଲେ।

୨୦୧୯ ନିର୍ବାଚନ ବେଳକୁ ବିଜେପୁର ପୁଣି ଇତିହାସ ରଚନା କଲା। ନିଜର ୨୦ ବର୍ଷର ରାଜନୈତିକ ଜୀବନରେ ପ୍ରଥମଥର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଏକା ସାଙ୍ଗରେ ଲଢିବାକୁ ନିଷ୍ପତ୍ତି ନେଇଥିଲେ। ସେହି କ୍ରମରେ ହିଂଜିଳି ଓ ବିଜେପୁର ରୁ ନବୀନ ବାବୁ ନିର୍ବାଚନ ଲଢିଥିଲେ ଓ ସ୍ଵାଭାବିକ ଭାବରେ ଦୁଇଟି ଯାକ ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ଏବେ ବିଜେପୁରରେ ପୁଣି ନିର୍ବାଚନ ହେବ।

ହାରା ହାରି ପ୍ରତି ୮ ମାସରେ ଗୋଟିଏ ନିର୍ବାଚନର ସାମ୍ନା କରୁଥିବା ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ଉପରେ ଏହାର କି ପ୍ରକାର ମନସ୍ତାତ୍ତ୍ଵିକ ପ୍ରଭାବ ପଡିବ, ସେ ବିଷୟରେ ଆମେ କ୍ଵଚିତ ଭାବିଥାଉ। ସାଧାରଣ ଭାବରେ ଦେଖିଲେ ନିର୍ବାଚନକୁ ଆଖି ଆଗରେ ରଖି, ଏ ଅଞ୍ଚଳ ଲାଗି ସ୍ଵତନ୍ତ୍ର ପ୍ୟାକେଜ ମିଳୁଛି। ବିକାଶର ଗତି ସହିତ ରାଜନୈତିକ ଚାପ କୁ ଆମେ କେବେ ତୁଳନା କରି ଦେଖିଛୁ କି?

ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ସମୟରେ ଅନ୍ତତଃ ଲୋକଙ୍କର ଏଇ ମାନସିକ ଚାପ ବିଷୟରେ ଭାବିବା ଉଚିତ ଥିଲା। ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ବାରମ୍ବାର ଜିତିଛନ୍ତି। ସେଠାରେ ହୁଏତ ଏକ ଉପ ନିର୍ବାଚନ ନୂଆ ଅନୁଭବ ହୋଇଥାନ୍ତା। ବିଜେପୁର ଲାଗି ଆସନ୍ତା ତିନିମାସ ପୁଣି ରାଜନୈତିକ ଉନ୍ମାଦନାର ପରିବେଶ ରହିବ। ସାଧାରଣ ନିର୍ବାଚନ ତୁଳନାରେ ଉପ ନିର୍ବାଚନର ରାଜନୈତିକ ଚାପ ବହୁତ ବେଶୀ। ଏବେ ଉଭୟ ବିଜେପି ଓ ବିଜେଡି ବିଜେପୁରକୁ ନିଜ ସମ୍ମାନର ପ୍ରଶ୍ନ ଭାବରେ ଗ୍ରହଣ କରିବେ। ଲୋକଙ୍କ ଭିତରେ ରାଜନୀତିକୁ ନେଇ ପ୍ରବଳ ମାନସିକ ଚାପ ରହିବ। ଭୋଟ ଦେବାର ଚାପ, ପ୍ରଲୋଭନ ଓ ପ୍ରଭାବର ଚାପ, ରାଜନୈତିକ ହିଂସାର ଚାପ ଓ ସର୍ବୋପରି ଜୀବନ ରାଜନୀତି ସର୍ବସ୍ଵ ହୋଇଯିବାର ଚାପରୁ ବିଜେପୁର ଜନତା ମୁକ୍ତି ପାଇବା ଉଚିତ। ଏ ଉପ ନିର୍ବାଚନ ବିଜେପୁର ଲୋକଙ୍କ ଉପରେ ଏକ ପ୍ରକାର ମାନସିକ ଅତ୍ୟାଚାର ବୋଲି କୁହା ଯାଇପାରେ।

( Download SANKHIPTA app to read short news on your mobile )

Categories
ଆଜିର ଖବର

ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପାଟକୁରା ସହିତ ବିଜେପୁରରେ ହେବ ଉପନିର୍ବାଚନ

ସମୀକ୍ଷା ବ୍ୟୁରୋ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେ ବିଧାନସଭାର ବାଚସ୍ପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବାଚସ୍ପତି ମଧ୍ୟ ତାଙ୍କ ଇସ୍ତଫାକୁ ଗ୍ରହଣ କରିସାରିଛନ୍ତି ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଆସିଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ତାଙ୍କର ପାରଂପାରିକ ଆସନ ହିଞ୍ଜିଳିର ବିଧାୟକ ପଦକୁ ବଜାଇ ରଖିଲେ। ହେଲେ ବିଜେପୁର ଆସନରୁ ଇସ୍ତଫା ପ୍ରଦାନ କରିଛନ୍ତି। ବିଜେପୁରବାସୀ ଯେପରି ତାଙ୍କୁ ବହୁ ଭୋଟରେ ଜିତାଇଥିଲେ ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ତେବେ ବିଜେପୁରର ବିକାଶ ସେହିପରି ଜାରି ରହିବ ବୋଲି କୁହାଯାଇଛି। ସାଧାରଣତଃ ସାମ୍ବିଧାନିକ ନିୟମ ଅନୁସାରେ ଜଣେ ଦୁଇଟି ଆସନରୁ ନିର୍ବାଚିତ ହୋଇଥିଲେ ମଧ୍ୟ ଶପଥ ନେବା ବେଳେ ସେ ଗୋଟିଏ ଆସନ ପାଇଁ ଶପଥ ନେବେ। ଶପଥ ନେବାର 15 ଦିନ ମଧ୍ୟରେ ଗୋଟିଏ ଆସନ ଛାଡିବାକୁ ବାଧ୍ୟ ହେବେ। ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଆସନର ବିଧାୟକ ଭାବେ ଶପଥ ନେଇ, ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ବିଜେପୁରରୁ ନବୀନ ଇସ୍ତଫା ଦେବା ପରେ ଓଡିଶାରେ ଦୁଇଟି ବିଧାନସଭା ଆସନ ଖାଲି ପଡିଲା। ଗୋଟିଏ ପାଟକୁରା ଏବଂ ବର୍ତ୍ତମାନ ବିଜେପୁର। ବର୍ତ୍ତମାନ ସୁଦ୍ଧା ପାଟକୁରା ଆସନ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନ ଥିବାରୁ ଏକାଥରେ ଏହି ଦୁଇଟି ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ଜଣାପଡିଛି।