Categories
ଆଜିର ଖବର

ଚାଟୁକାରିତାର ଚରମ ସୀମା : ଜଗନଙ୍କ ନାମରେ ଶପଥ ଗ୍ରହଣ କଲେ ବିଧାୟକ

ରାଜନୀତିରେ ସମର୍ଥକମାନେ ତାଙ୍କ ନେତାମାନଙ୍କୁ ଅକୁଣ୍ଠିତ ସମର୍ଥନ ସହ ଚାଟୁକାରିତା ମଧ୍ୟ କରିଥା’ନ୍ତି। କିନ୍ତୁ ଆନ୍ଧ୍ରପ୍ରଦେଶରେ ରାଜନୀତିରେ ଚାଟୁକାରିତାର ଚରମ ସୀମା ଦେଖିବାକୁ ମିଳିଛି। ଚଳିତ ଥର ଆନ୍ଧ୍ରପ୍ରଦେଶରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ସରକାର ଗଠନ କରିଛି। ଜଗନମୋହନଙ୍କ ନେତୃତ୍ବାଧୀନ ସରକାରର ଶପଥ ଗ୍ରହଣ ଉତ୍ସବରେ ଏହାର ଝଲ୍‌କ ଦେଖିବାକୁ ମିଳିଛି। ଏହି ଦଳର ନବନିର୍ବାଚିତ ନବନିର୍ବାଚିତ ବିଧାୟକ ଈଶ୍ୱରଙ୍କ ନାମରେ ନୁହେଁ, ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନାମରେ ଶପଥ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନେଲ୍ଲୋରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା କୋଟାମରେଡ୍ଡୀ ଶ୍ରୀଧର ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ହେବା ପାଇଁ ଏଭଳି ପନ୍ଥା ଗ୍ରହଣ କରିଥିଲେ। ଜଗନମୋହନ ତାଙ୍କ ପାଇଁ ଭଗବାନ ସଦୃଶ ବୋଲି ସେ କହିଛନ୍ତି। ପ୍ରୋଟେମ ସ୍ପିକର ଶବାଙ୍ଗୀ ଅପାଲା ନାଇଡୁ ଶ୍ରୀଧର ରେଡ୍ଡୀଙ୍କୁ ଦ୍ୱିତୀୟଥର ଶପଥ ନେବା ପାଇଁ କହିଥିଲେ। ପରେ ସେ ଇଶ୍ୱରଙ୍କ ନାମରେ ଶପଥ ନେଇଥିଲେ। ମୁଁ ଗରିବ ପରିବାରରୁ ଆସିଛି। ମୋର କୌଣସି ରାଜନୈତିକ ପୃଷ୍ଠଭୂମି ନାହିଁ ତଥାପି ମୁଖ୍ୟମନ୍ତ୍ରୀ ମୋ ଉପରେ ଭରସା କରି ଟିକେଟ ଦେଲେ। ତେଣୁ ମୁଁ ତାଙ୍କ ପାଖରେ ଚିର କୃତଜ୍ଞ ବୋଲି ସେ କହିଛନ୍ତି। ପୂର୍ବରୁ ଟିଡିପିର କିଛି ବିଧାୟକ ଏନ୍‌ଟି ରାମାରାଓ୍ବଙ୍କ ନାମରେ ଶପଥ ନେଇଥିଲେ ଏବଂ ତାଙ୍କୁ ଅନୁମତି ଦିଆଯାଇଥିଲା ବୋଲି ଦାବି କରିଥିଲେ। ଚଳିତ ଥର ଆନ୍ଧ୍ରପ୍ରଦେଶରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିକୁ ମାତ୍‌ ଦେଇଛନ୍ତି। ବିଧାନସଭାର ମୋଟ୍‌ ୧୫୧ଟି ଆସନରୁ ଟିଡିପି ମାତ୍ର ୨୩ଟି ଆସନ ପାଇଛି।

Categories
ବିଶେଷ ଖବର

୧୯ ନୂଆ ମୁହଁ ସମେତ ୫୮ ମନ୍ତ୍ରୀଙ୍କ ଶପଥ ଗ୍ରହଣ : ୨୪ ଜଣଙ୍କୁ କ୍ୟାବିନେଟ ପାହ୍ୟା

ସପ୍ତଦଶ ଲୋକସଭାରେ ଦେଶର ୧୫ ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦୀ। କ୍ରମାଗତ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ମୋଦିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି। ମୋଦିଙ୍କ ସମେତ ୫୮ ଜଣ ଏନ୍‌ଡିଏ ସଦସ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତନ୍ମଧ୍ୟରୁ ୨୪ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି। ୯ ଜଣଙ୍କୁ ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ) ଦାୟିତ୍ବ ମିଳିଥିବା ବେଳେ ବାକି ସମସ୍ତଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ଆଶ୍ଚର୍ଯ୍ୟ ଜନକ ଭାବରେ ସୁଷମା ସ୍ବରାଜଙ୍କୁ କ୍ୟାବିନେଟ ତଥା ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯାଇଛି। ଅସୁସ୍ଥତା କାରଣରୁ ଚଳିତ ବର୍ଷ ନିର୍ବାଚନ ଲଢିନଥିଲେ ସୁଷମା ସ୍ବରାଜ। ଓଡିଶାରୁ ମଧ୍ୟପ୍ରଦେଶ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ କ୍ୟାବିନେଟ ପାହ୍ୟା ମିଳିଥିବା ବେଳେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ଗତଥରର ଆବଦିବାସୀ ମନ୍ତ୍ରାଳୟ ଦାୟିତ୍ବରେ ରହିଥିବା ଜୁଏଲ୍‌ ଓରାମଙ୍କୁ କୌଣସି ଦାୟିତ୍ବ ଦିଆଯାଇ ନାହିଁ। ଚଳିତ ମନ୍ତ୍ରୀ ମଣ୍ଡଳରେ ସମୁଦାୟ ୧୯ ଜଣ ନୂତନ ଚେହେରା ଦେଖିବାକୁ ମିଳିଥିବା ବେଳେ ୬ ଜଣ ପ୍ରଥମ ଥର ପାଇଁ କ୍ୟାବିନେଟରେ ସ୍ଥାନ ପାଇଛନ୍ତି।

ବିଶ୍ୱର ସର୍ବବୃହତ୍‍ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ବହୁ ରାଷ୍ଟ୍ରମୁଖ୍ୟ, ଶାସନ ମୁଖ୍ୟ, ସମ୍ବିଧାନ ବିଶେଷଜ୍ଞ ଓ କୂଟନୈତୀଜ୍ଞ ମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଛନ୍ତି। ସରକାରଙ୍କ ପ୍ରଥମେ ପଡ଼ୋଶୀ ନୀତି ଦୃଷ୍ଟିରୁ ଭାରତ ବିମ୍‍ଷ୍ଟେକ୍‍ ରାଷ୍ଟ୍ରସମୂହର ମୁଖ୍ୟମାନଙ୍କୁ ଏହି ଉତ୍ସବକୁ ଆମନ୍ତ୍ରଣ କରିଛି। ବାଂଲାଦେଶ, ଶ୍ରୀଲଙ୍କା, କିରଗିଜ୍‍ ସାଧାରଣତନ୍ତ୍ର ଓ ମ୍ୟାଁମାର ରାଷ୍ଟ୍ରପତି ଏବଂ ମରିସସ୍‍, ନେପାଳ, ଭୁଟାନର ପ୍ରଧାନମନ୍ତ୍ରୀ ତଥା  ଥାଇଲାଣ୍ଡର ସ୍ୱତନ୍ତ୍ର ଦୂତ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି।

ସେହିପରି ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ବରିଷ୍ଠ କଂଗ୍ରେସ ନେତା ଘୁଲାମ ନବୀ ଆଜାଦ, ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବ, ବିଜେପିର ବରିଷ୍ଠ ନେତା ଏଲ୍‌ କେ ଆଡଭାନୀ ଏବଂ ଭେଟେରାନ୍‌ ମୁରଲୀ ମନୋହର ଯୋଶୀଙ୍କୁ ପ୍ରଥମ ଧାଡିରେ ବସିଥିବାର ନଜର ଆସିଥିଲେ। ଶିଳ୍ବପତି ମୁକେଶ ଅମ୍ବାନୀଙ୍କ ସମେତ ଅନେକ ବଲିଉଡ୍‌ ତାରକା ଶପଥ ଗ୍ରହଣ ତାଲିକାରେ ସାମିଲ ହୋଇଥିଲେ। ବଲିଉଡ୍‌ ତାରକାଙ୍କ ମଧ୍ୟରେ କଙ୍ଗନା ରଣାଓ୍ବତ, ସାହିଦ କପୁର, ଅନୁପମ ଖେର, କରଣ ଜୋହର, ବିବେକ ଓବେରୟ ଏବଂ ଜିତେନ୍ଦ୍ର ଉପସ୍ଥିତ ଥିଲେ। ତେଲୁଗୁ ଷ୍ଟାର ରଜନୀକାନ୍ତ ମଧ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

କ୍ୟାବିନେଟ୍‌ରେ ସ୍ଥାନ ପାଇଥିବା ମନ୍ତ୍ରୀ :
ରାଜନାଥ ସିଂହ
ଅମିତ ଶାହ
ନିତ୍‌ନୀ ଗଡ୍‌କରୀ,
ପିୟୂଷ ଗୋଏଲ୍‌
ନିର୍ମଳା ସୀତାରମଣ
ରାମବିଳାଶ ପାଶ୍ବାନ
ନରେନ୍ଦ୍ର ସିଂ ତୋମାର
ହରସିମରତ୍‌ କୌର୍‌ ବାଦଲ୍‌
ରବିଶଙ୍କର ପ୍ରସାଦ
ପ୍ରକାଶ ଜାଭେଡ଼କର
ସ୍ମୃତି ଇରାନୀ
ଥାଓ୍ବରଚନ୍ଦ ଗେହଲଟ୍‌
ଏସ୍‌ ଜୟଶଙ୍କର
ସଦାନନ୍ଦ ଗୌଡ଼ା
ଧର୍ମେନ୍ଦ୍ର ପ୍ରଧାନ
ମୁଖତାର୍‌ ଅବ୍ବାସ ନକ୍‌ଭୀ
ଡ. ହର୍ଷ ବର୍ଦ୍ଧନ
ଅର୍ଜୁନ ମୁଣ୍ଡା
ପ୍ରହ୍ଲାଦ ଯୋଶୀ
ମହେନ୍ଦ୍ର ନାଥ ପାଣ୍ଡେ
ଅରବିନ୍ଦ ସାଓ୍ବନ୍ତ
ଗିରିରାଜ ସିଂ
ଗଜେନ୍ଦ୍ର ସିଂ ଶେଖାଓ୍ବତ୍‌
ରମେଶ ପୋଖରିୟାଲ ନିଶଙ୍କ

Categories
ଆଜିର ଖବର

ଅରୁଣାଚଳ ପ୍ରଦେଶର ୧୦ମ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଲେ ପେମା ଖାଣ୍ଡୁ

ବିଜେପିର ବରିଷ୍ଠ ନେତା ପେମା ଖାଣ୍ଡୁ ବୁଧବାର ଦିନ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ବିଗ୍ରେଡିୟର୍‌ ବି ଡି ମିଶ୍ରାଙ୍କ ଦ୍ବାରା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପେମାଙ୍କ ସମେତ ମନ୍ତ୍ରିମଣ୍ଡଳର ୧୧ଜଣ ମନ୍ତ୍ରୀଙ୍କର ମଧ୍ୟ ଶପଥ ଗ୍ରହଣ କରାଇଛନ୍ତି ରାଜ୍ୟପାଳ। ଖାଣ୍ଡୁ ଅରୁଣାଚଳ ପ୍ରଦେଶର ୧୦ମ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ଆସାମ, ନାଗାଲାଣ୍ଡ, ମଣିପୁର, ତ୍ରିପୁରା ଓ ମେଘାଳୟର ମୁଖ୍ୟମନ୍ତ୍ରୀ ପ୍ରମୁଖ ସାମିଲ୍‌ ହୋଇଛନ୍ତି। ଖାଣ୍ଡୁଙ୍କ ନେତୃତ୍ବରେ ବିଜେପି ୬୦ ସଦସ୍ୟ ବିଧାନସଭାରେ ୪୧ଟି ଆସନ ଜିତିଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ଏହି ଅବସରରେ ପେମା ଖାଣ୍ଡୁଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଟୁଇଟ୍‌ ମଧ୍ୟ କରିଛନ୍ତି।

Categories
ବିଶେଷ ଖବର

ପୁଣି ଥରେ ଆରମ୍ଭ ହେଲା ନବୀନଙ୍କ ପଞ୍ଚମ ଇନିଂସ୍‌, ନବୀନଙ୍କ ସହ ଶପଥ ନେଲେ ୨୦ ଜଣିଆ ଟିମ୍‌

ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ଇନିଂସ୍‌। ନବୀନଙ୍କ ସହ ତାଙ୍କ ପୂରା ଟିମ୍‌ ଅର୍ଥାତ୍‌ ନବୀନଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନବୀନଙ୍କ ସମେତ ସମସ୍ତ କ୍ୟାବିନେଟ୍‌ ଓ ରାଷ୍ଟ୍ର ପାହ୍ୟା ମନ୍ତ୍ରୀଙ୍କ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଶପଥ ପାଠ ସମାରୋହରେ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି। ପ୍ରଥମେ କ୍ୟାବିନେଟ୍‌ ମନ୍ତ୍ରୀଗଣ ଶପଥ ନେଇଥିଲେ ପ୍ରଫୁଲ ମଲ୍ଲିକ। ଏହାପରେ ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଡାକ୍ତର ଅରୁଣ କୁମାର ସାହୁ, ପ୍ରତାପ ଜେନା, ସୁଦାମ ମାରାଣ୍ଡି, ପଦ୍ମନାଭ ବେହେରା, ନବ କିଶୋର ଦାସ ଓ ସୁଶାନ୍ତ ସାହୁ ସିଂହ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ସୁଦାମା ମାରାଣ୍ଡି ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କରିଛନ୍ତି। ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବରେ ଅଶୋକ ପଣ୍ଡା, ସମୀର ଦାଶ, ପଦ୍ମିନୀ ଦିଆନ୍‌, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା, ଜଗନ୍ନାଥ ସାରକା ପ୍ରମୁଖ ଶପଥ ଗ୍ରହଣ କରିଛନ୍ତି।

ଏହି ଉତ୍ସବରେ ପ୍ରାୟ 6 ହଜାର ଦର୍ଶକ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ଏହି ଉତ୍ସବରେ ଦେଶର ଅନେକ ଶିଳ୍ପପତି ଯୋଗଦେଇଥିଲେ। ସେହିପରି ପ୍ରଥମ ଥର ପାଇଁ ନବୀନଙ୍କ ଶପଥ ଉତ୍ସବରେ ଯୋଗଦେଇଥିଲେ ତାଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ ଏବଂ ଭଉଣୀ ଗୀତା ମେହେଟ୍ଟା। ଶପଥ ଗ୍ରହଣ ଶେଷ ହେବା ପରେ ନବୀନ ସଚିବାଳୟ ଯାଇ ନିଜ ଚ୍ୟାମ୍ବରରେ କାମ ଆରମ୍ଭ କରିଥିଲେ। ସଚିବାଳୟରେ ବିଭିନ୍ନ କର୍ମଚାରୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଦେଇ ସ୍ବାଗତ କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ତାଙ୍କ କର୍ମଚାରୀଗଣ। ଏହାପରେ ଡିଜିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ନବୀନଙ୍କୁ ସ୍ବାଗତ କରିଥିଲେ। ବାହାରୁ ଆସିଥିବା ଶିଳ୍ପପତିମାନେ ମଧ୍ୟ ସଚିବାଳୟ ଯାଇ ନବୀନଙ୍କୁ ସ୍ବାଗତ କରି ଓଡିଶାର ପ୍ରଗତି ସହିତ ସାମିଲ ହେବେ ବୋଲି ଜଣାଇଥିଲେ।

ଲକି ଚ୍ୟାୟାର

ନିର୍ବାଚନ ଘୋଷଣା ପରେ ନବୀନ ସଚିବାଳୟ ଯାଇ ନ ଥିଲେ। ଏପରିକି ନିର୍ବାଚନ ସରିବା ପରେ ମଧ୍ୟ ଯାଇ ନ ଥିଲେ। ହେଲେ ଫନୀ ବାତ୍ୟା ସମୀକ୍ଷା ବୈଠକ କରିବାକୁ ଦୀର୍ଘ ଏକ ମାସ ପରେ ସଚିବାଳୟ ଯାଇ ବାତ୍ୟା ମୁକାବିଲା ବୈଠକ କରିଥିଲେ। ଏହାପରେ ଆଉ ନବୀନ ସଚିବାଳୟ ଯାଇ ନ ଥିଲେ। ହେଲେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନବୀନ ତାଙ୍କର ଚିରାଚରିତ ତୃତୀୟ ମହଲାକୁ ଯାଇ କାର୍ଯ୍ୟ ଆରମ୍ଭ କରିଥିଲେ। ତାଙ୍କ ସାଥୀରେ ସମସ୍ତ କର୍ମଚାରୀ ମଧ୍ୟ ଥାଆନ୍ତି। ସେ ମୁଖ୍ୟମନ୍ତ୍ରୀ ବସିବା ପାଇଁ ଉଦ୍ଧିଷ୍ଠ କାଠ ଚ୍ୟାୟରେ ବସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ ‘ଲକି ଚ୍ୟାୟାର’। ଏହାପରେ ସେ ସେହି ଚ୍ୟାୟରରେ ବସି କାମ ଆରମ୍ଭ କରିଥିଲେ

Categories
ଆଜିର ଖବର

ଆସନ୍ତା କାଲି ନବୀନଙ୍କ ଶପଥ ଗ୍ରହଣ ଉତ୍ସବ : ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ

ବୁଧବାର ଦିନ ଶପଥ ନେବେ ପଞ୍ଚମଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍‌। ଆସନ୍ତାକାଲି ଦିନ ସାଢେ ୧୦ଟାରେ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ହେବାକୁ ଥିବାବେଳେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଶପଥ ଗ୍ରହଣ ସ୍ଥାନ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୨୫ ଫ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଅତିଥି ମାନଙ୍କ ପ୍ରବେଶ ପାଇଁ ୫ଟି ପ୍ରବେଶ ପଥ ନିର୍ଦ୍ଧାରଣ କରାଯାଇଛି। ଭିଭିଆଇପି, ଏମ୍‌ପି, ଏମ୍‌ଏଲ୍‌ଏଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶପଥ କରାଯାଇଛି। ଏହି ଶପଥ ଗ୍ରହଣ ଉତ୍ସବକୁ ୭ହଜାର ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି। ତିନୋଟି ସ୍ଥାନରେ ପାର୍କିଂ ପ୍ଲେସ୍‌ କରାଯାଇଛି। ମଞ୍ଚରେ ୧୦୦ ଫୁଟ ଯାଏଁ ସିସିଟିଭି କଭରେଜ୍‌ର ବ୍ୟବସ୍ଥା କରାଯାଇଛି। ଆଜି ସେଠାରେ ସୁରକ୍ଷା ସମ୍ପର୍କିତ ମକ୍‌ଡ୍ରିଲ୍‌ ରିହରସାଲ ହେବ ବୋଲି ପୁଲିସ କମିଶନର କହିଛନ୍ତି। ଏହି ଶପଥ ଗ୍ରହଣ ସମାରୋହ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି। ସେହିପରି ଦେଶର କିଛି ଜଣାଶୁଣା ଉଦ୍ୟୋଗପତି, ସବୁ ଦଳର ନେତା ଓ ମହିଳାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଚଳିତ ଥର ରାଜଭବନ ଭିତରେ ଶପଥଗ୍ରହଣ ଉତ୍ସବ ନ କରାଯାଇ ପ୍ରଦର୍ଶନୀ ପଡ଼ିଆରେ ଆଡମ୍ବର ସହକାରେ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି।