ଚାଟୁକାରିତାର ଚରମ ସୀମା : ଜଗନଙ୍କ ନାମରେ ଶପଥ ଗ୍ରହଣ କଲେ ବିଧାୟକ

Published: Jun 13, 2019, 4:38 pm IST

ରାଜନୀତିରେ ସମର୍ଥକମାନେ ତାଙ୍କ ନେତାମାନଙ୍କୁ ଅକୁଣ୍ଠିତ ସମର୍ଥନ ସହ ଚାଟୁକାରିତା ମଧ୍ୟ କରିଥା’ନ୍ତି। କିନ୍ତୁ ଆନ୍ଧ୍ରପ୍ରଦେଶରେ ରାଜନୀତିରେ ଚାଟୁକାରିତାର ଚରମ ସୀମା ଦେଖିବାକୁ ମିଳିଛି। ଚଳିତ ଥର ଆନ୍ଧ୍ରପ୍ରଦେଶରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ସରକାର ଗଠନ କରିଛି। ଜଗନମୋହନଙ୍କ ନେତୃତ୍ବାଧୀନ ସରକାରର ଶପଥ ଗ୍ରହଣ ଉତ୍ସବରେ ଏହାର ଝଲ୍‌କ ଦେଖିବାକୁ ମିଳିଛି। ଏହି ଦଳର ନବନିର୍ବାଚିତ ନବନିର୍ବାଚିତ ବିଧାୟକ ଈଶ୍ୱରଙ୍କ ନାମରେ ନୁହେଁ, ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନାମରେ ଶପଥ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନେଲ୍ଲୋରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା କୋଟାମରେଡ୍ଡୀ ଶ୍ରୀଧର ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ହେବା ପାଇଁ ଏଭଳି ପନ୍ଥା ଗ୍ରହଣ କରିଥିଲେ। ଜଗନମୋହନ ତାଙ୍କ ପାଇଁ ଭଗବାନ ସଦୃଶ ବୋଲି ସେ କହିଛନ୍ତି। ପ୍ରୋଟେମ ସ୍ପିକର ଶବାଙ୍ଗୀ ଅପାଲା ନାଇଡୁ ଶ୍ରୀଧର ରେଡ୍ଡୀଙ୍କୁ ଦ୍ୱିତୀୟଥର ଶପଥ ନେବା ପାଇଁ କହିଥିଲେ। ପରେ ସେ ଇଶ୍ୱରଙ୍କ ନାମରେ ଶପଥ ନେଇଥିଲେ। ମୁଁ ଗରିବ ପରିବାରରୁ ଆସିଛି। ମୋର କୌଣସି ରାଜନୈତିକ ପୃଷ୍ଠଭୂମି ନାହିଁ ତଥାପି ମୁଖ୍ୟମନ୍ତ୍ରୀ ମୋ ଉପରେ ଭରସା କରି ଟିକେଟ ଦେଲେ। ତେଣୁ ମୁଁ ତାଙ୍କ ପାଖରେ ଚିର କୃତଜ୍ଞ ବୋଲି ସେ କହିଛନ୍ତି। ପୂର୍ବରୁ ଟିଡିପିର କିଛି ବିଧାୟକ ଏନ୍‌ଟି ରାମାରାଓ୍ବଙ୍କ ନାମରେ ଶପଥ ନେଇଥିଲେ ଏବଂ ତାଙ୍କୁ ଅନୁମତି ଦିଆଯାଇଥିଲା ବୋଲି ଦାବି କରିଥିଲେ। ଚଳିତ ଥର ଆନ୍ଧ୍ରପ୍ରଦେଶରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିକୁ ମାତ୍‌ ଦେଇଛନ୍ତି। ବିଧାନସଭାର ମୋଟ୍‌ ୧୫୧ଟି ଆସନରୁ ଟିଡିପି ମାତ୍ର ୨୩ଟି ଆସନ ପାଇଛି।

Related posts