Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମୋଦି ତ ନବୀନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି କହିଲେ, ଏଣିକି ବିଜେପି ନେତାମାନେ ମଧ୍ୟ ତାହା କୁହନ୍ତୁ

ଭୁବନେଶ୍ବର: ଗତକାଲି ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବୋଧିତ କରିବା ବେଳେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି କହିଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ଖୋଦ ପ୍ରଧାନମନ୍ତ୍ରୀ ନବୀନଙ୍କୁ ଏପରି ପ୍ରଶଂସା ଯେତେବେଳେ କରୁଛନ୍ତି ତାହା ନିଶ୍ଚିତ ଆଲୋଚନା ହେବ ଏଥିରେ ସନ୍ଦେହ ନାହିଁ।

ତେବେ ଏହାକୁ ନେଇ ରାଜ୍ୟ ବିଜେପି ନେତାଙ୍କ କିପରି ଶିର ବିନ୍ଧା ହେଉଛି ତାହା ମଧ୍ୟ ଅନୁମେୟ। କାରଣ ସେ ଦୀର୍ଘଦିନ ଧରି ଅପେକ୍ଷା କରିଥିଲେ ଯେ, ମୋଦି ଆସିବେ କିଛି ଗୁରୁମନ୍ତ୍ର ଦେବେ। ରାଜ୍ୟ ସରକାରଙ୍କୁ ସମାଲୋଚନା କରିବେ। ହେଲେ ତାହା ତ ହେଲା ନାହିଁ, ବରଂ ମୋଦି ନବୀନଙ୍କୁ ପ୍ରଶଂସା କରି ଦେଇଗଲେ। ନିର୍ବାଚନ ସମୟରେ ନବୀନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।

ସେତିକି ନୁହେଁ ଗତ ଫେବୃୟାରୀ ମାସରେ ପ୍ରଧାନମନ୍ତ୍ର ଯେତେବେଳେ ସମ୍ବଲପୁର ଗସ୍ତରେ ଆସିଥିଲେ ସେତେବେଳେ ମଧ୍ୟ ନବୀନଙ୍କ ବିରୋଧରେ କିଛି କହି ନ ଥିଲେ। ବରଂ ସେଠାରେ ଆୟୋଜିତ ସରକାରୀ ସଭାରେ ନବୀନ ପଟ୍ଟନାୟକଙ୍କୁ ମୋର ମିତ୍ର ବୋଲି କହି ମୋଦି ସମ୍ବୋଧୀତ କରିଥିଲେ। ଯାହାକୁ ନେଇ ସେତେବେଳେ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା।

ମୋଦିଙ୍କ ଦୁଇଥର ଓଡିଶା ଗସ୍ତକୁ ନେଇ ରାଜ୍ୟ ବିଜେପି ନେତାମାନେ ହତାସ ହୋଇ ପଡିଲେଣି। କାରଣ ସେମାନେ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ବରଂ ନବୀନଙ୍କୁ ସମାଲୋଚନା ନ କରନ୍ତୁ ପଛେ ହେଲେ ଏମିତି ପରୋକ୍ଷରେ ପ୍ରଶଂସା ନ କରନ୍ତୁ। ଯାହାକୁ ନେଇ ସେମାନେ ବିଚଳିତ। ବାହାରକୁ ଏ ନେଇ ସେମାନେ କିଛି କହିପାରୁ ନ ଥିଲେ ମଧ୍ୟ ଭିତରେ ସେମାନେ ସହିପାରୁ ନାହାଁନ୍ତି। ଯିଏ ଦଳର ସର୍ବୋଚ୍ଚ ନେତା ସିଏ ଯଦି ଏମିତି କହିବେ ତେବେ ଆମେ କଣ କହିବୁ ବୋଲି ନିଜକୁ ନିଜେ ପ୍ରଶ୍ନ କରିଛନ୍ତି।

ତେବେ ସବୁଠାରୁ ଯାହାର ମନୋବଳ ଭାଙ୍ଗିଛି ସେମାନେ ହେଉଛନ୍ତି ତଳ ସ୍ତରର ବିଜେପି କର୍ମୀ। ଯେଉଁମାନେ ଚାରିହାତ ଉପରକୁ ଡେଇଁ ବିଜେପି ଜିନ୍ଦାବାଦ କରୁଛନ୍ତି। ଦଳର ସର୍ବୋଚ୍ଚ ନେତା ରାଜ୍ୟ ସରକାରଙ୍କ ବିରୋଧରେ ଚୁପ ରହିବା ନେଇ ସେମାନେ ଅତିମାତ୍ରାରେ ହତୋତ୍ସାହ ହୋଇପଡିଛନ୍ତି। ଆଗକୁ କେଉଁ ଦମ୍ଭରେ ବିଜେଡି ବିରୋଧରେ ମୁକାବିଲା କରିବେ ଚିନ୍ତାରେ ପଡିଯାଇଛନ୍ତି।

ଏବେ ପ୍ରଶ୍ନ ଉଠୁଛି ଯେ, ଯଦି ମୋଦି ନବୀନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହିଲେ ତେବେ ଓଡିଶା ନେତାମାନେ ତାହା କହିବା ଉଚିତ କି ନାହିଁ ? କାରଣ ବର୍ତ୍ତମାନ ପରିସ୍ଥିତିରେ ଓଡିଶା ବିଜେପି ନେତାମାନେ ନବୀନଙ୍କୁ ଯେତେ ବିରୋଧ କଲେ ମଧ୍ୟ ତାହା ଆଉ ତଳସ୍ତରରେ ଗ୍ରହଣୀୟ ହେବ ନାହିଁ। ଏ କଥା ସମସ୍ତେ ଅନୁଭବ କରିସାରିଲେଣି। ତେଣୁ ଏଥର ବିଜେପି ନିର୍ବାଚନ ବୈତରଣୀ କିପରି ପାର ହେବେ ତାହାକୁ ନେଇ ଚିନ୍ତାଗ୍ରସ୍ତ।

Categories
ବିଶେଷ ଖବର

ଏକ ଦେଶ-ଏକ ନିର୍ବାଚନ ବ୍ୟବସ୍ଥାକୁ ବିଜେଡ଼ିର ସମର୍ଥନ, ଭବିଷ୍ୟତ ଲାଗି ଏକ ମାରାତ୍ମକ ଭୁଲ

କେଦାର ମିଶ୍ର

ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ର ସମ୍ପର୍କ ଟେଲିଭିଜନ ପରଦାରେ ଯେତେ ତିକ୍ତ ଜଣାପଡୁଥାଏ, ବାସ୍ତବ କ୍ଷେତ୍ରରେ ଏ ଦୁଇ ଦଳର ସମ୍ପର୍କ ମାତ୍ରାଧିକ ମଧୁର। ୨୦୧୪ ରୁ ଆଜି ପର୍ଯ୍ୟନ୍ତ ସଂସଦ ଭିତରେ ବିଜେଡି ବିଜେପିକୁ ନିଜର ଆନ୍ତରିକ ସମର୍ଥନ ଦେଇ ଆସିଛି। ବିଜେପି ସରକାରର ଦୁଇଟି ପ୍ରମୁଖ ଜନବିରୋଧୀ ନୀତି- ବିମୁଦ୍ରାକରଣ ଓ ପରିବର୍ତ୍ତିତ ଭୂମି ଅଧିଗ୍ରହଣ ବିଲ ସପକ୍ଷରେ ବିଜେଡି ଠିଆ ହୋଇଛି। ତେବେ ୨୦୧୯ ନିର୍ବାଚନ ବିଜେଡି ମୁଖ୍ୟତଃ ବିଜେପି ବିରୋଧରେ ହିଁ ଜିତିଛି। ୨୦୧୭ ପଞ୍ଚାଯତ ନିର୍ବାଚନ ପରଠାରୁ ବିଜେପି ଓ ବିଜେଡି ଭିତରେ ସମ୍ପର୍କ ଅତି ତିକ୍ତ ଅବସ୍ଥାକୁ ଚାଲି ଆସିଥିଲା। ୨୦୧୯ ସାଧାରଣ ନିର୍ବାଚନ ବେଳକୁ ବିଜେଡି ର ଏକନମ୍ବର ଶତ୍ରୁ ଭାବରେ ବିଜେପି ଉଭା ହେଲା। ନିର୍ବାଚନ ସମୟରେ ବିଜେପି ସଭାପତି ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅତ୍ୟନ୍ତ ଆକ୍ରାମକ ଭାଷାର ବ୍ୟବହାର କରିଥିଲେ। ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ବିଜେପି ବିରୋଧରେ ନିଜର ସ୍ପଷ୍ଟ ମତ ରଖିଥିଲେ। ତେବେ ନିର୍ବାଚନ ପରେ ପରେ, ନବୀନ ବାବୁଙ୍କ ପ୍ରତି ବିଜେପିର ପ୍ରେମ ଉଛୁଳିବା ଆରମ୍ଭ କରିଥିଲା ଓ ଏହାର ପ୍ରତି ଜବାବରେ ନବୀନ ବାବୁ ବିଜେପି ପ୍ରତି ନିଜର ଅକୁଣ୍ଠ ସମର୍ଥନ ଜାହିର କରୁଛନ୍ତି।

ବିଜେଡି ବିଜେପି ପ୍ରତି ନିଜର ସମର୍ଥନ ଦେବାବେଳେ ଏକଥା ଭଲ ଭାବରେ ଜାଣେ ଯେ, ଆଗାମୀ ଦିନରେ ବିଜେପି ଓଡିଶାରେ ନରମ ଆଭିମୁଖ୍ୟ ଗ୍ରହଣ କରିବ ନାହିଁ। କେବଳ ସାମୟିକ ଭାବରେ ଏ ପ୍ରେମ ଦିଆନିଆ ଚାଲିବ ଓ ଆବଶ୍ୟକତା ଅନୁଯାୟୀ ଉଭୟ ଦଳ ପରଷ୍ପରକୁ ସହଯୋଗ କରିବେ। ତେବେ ବିଜେପିର ଦୀର୍ଘସ୍ଥାୟୀ ଯୋଜନା ହେବ, ବିଜେଡ଼ିର ବିନାଶ। ଓଡିଶାରେ କ୍ଷମତା ଦଖଲ କରିବାକୁ ହେଲେ ବିଜେଡ଼ିକୁ  ଦୁର୍ବଳ କରିବା ବିଜେପିର ପ୍ରାଥମିକ ଲକ୍ଷ୍ୟ। ବିଜେପି ସେ ଲକ୍ଷ୍ୟରୁ ଅଲଗା ହେବନାହିଁ। ସେହି ପୃଷ୍ଟଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ଏକ ଦେଶ- ଏକ ନିର୍ବାଚନ” ପ୍ରତି ବିଜେଡ଼ିର ସମର୍ଥନ କୁ ଆଲୋଚନା କରିବାକୁ ପଡିବ।

ଏକ ଦେଶ- ଏକ ନିର୍ବାଚନ ଆମ ସମ୍ବିଧାନର ମୌଳିକ ଢାଞ୍ଚା ବିରୋଧୀ ଓ ଏହାକୁ ସମର୍ଥନ କଲାବେଳେ ବିଜେଡି ନିଜର ସଙ୍ଘୀୟ ଦାୟିତ୍ଵ ପ୍ରତି ସଚେତନ ଥିବା ପରି ଲାଗୁନାହିଁ। ଯେହେତୁ ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହେଉଛି, ସେଥିଲାଗି ଏ ବ୍ୟବସ୍ଥା ପ୍ରତି ଆମର ସ୍ଵାଭାବିକ ସମର୍ଥନ ରହିଛି ବୋଲି ବିଜେଡି କହୁଛି। ହେଲେ ସଙ୍ଘୀୟ ବ୍ୟବସ୍ଥାରେ ବିଧାନସଭା ଭାଙ୍ଗିବାର ଅଧିକାର କେବଳ ବିଧାନସଭାର ରହିଛି। ପାଞ୍ଚ ବର୍ଷ ପୂରିବା ଆଗରୁ କୌଣସି ବିଧାନସଭାକୁ ଭାଙ୍ଗିବା ଲାଗି ସମ୍ବିଧାନ ସଂଶୋଧନ ପ୍ରସ୍ତାବ ସମ୍ବିଧାନର ମୌଳିକ ଢାଞ୍ଚା ବିରୋଧୀ ଓ ମାନ୍ୟବର ସୁପ୍ରିମ କୋର୍ଟଙ୍କ ପ୍ରସିଦ୍ଧ କେଶବାନନ୍ଦ ଭାରତୀ ବନାମ ଭାରତ ସରକାର ରାୟ ଅନୁସାରେ ଏହା ଗ୍ରହଣୀୟ ନୁହେଁ। ପାଞ୍ଚ ବର୍ଷ ପୂର୍ବରୁ ଯଦି ସରକାର ଭାଙ୍ଗିଯାଏ ତାହେଲେ, ବାକି ଥିବା ସମୟ ଲାଗି ନିର୍ବାଚନ ମଧ୍ୟ ଏକ ପିଲାଳିଆ ବ୍ୟବସ୍ଥା।

ବିଜେଡି ମୁଖ୍ୟତଃ ଏକ ଆଞ୍ଚଳିକ ଦଳ ଓ ସଙ୍ଘୀୟ ବ୍ୟବସ୍ଥାର ସୁରକ୍ଷା ଲାଗି ଏହାର ଗୁରୁ ଦାୟିତ୍ଵ ରହିଛି। ସେହି ଦାୟିତ୍ଵ ପ୍ରତି ଆଖି ବୁଜି ଦେଇ ଏକ ସମ୍ବିଧାନ ଓ ଗଣତନ୍ତ୍ର ବିରୋଧୀ ବ୍ୟବସ୍ଥାକୁ ବିଜେଡ଼ିର ସମର୍ଥନ, ଏହି ଦଳର ମୌଳିକ ଆଦର୍ଶ ବିରୋଧରେ ଯାଉଛି। ନିର୍ବାଚନ ସମୟରେ ଅର୍ଥନୈତିକ ସ୍ଵାୟତ୍ତତାର ପ୍ରସଙ୍ଗ ଉଠାଉଥିବା ମୁଖ୍ୟମନ୍ତ୍ରୀ ଏବେ ବିଜେପିର କେନ୍ଦ୍ରୀୟ ବର୍ଚ୍ଚସ୍ଵବାଦକୁ ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏକା ସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରାଇବାକୁ ହେଲେ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମର  ଆବଶ୍ୟକତା ରହିଛି। ସବୁ ରାଜନୈତିକ ଦଳ ଓ ସବୁ ବିଧାନସଭାର ସହମତି ଏଥିଲାଗି ଆବଶ୍ୟକ। ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ପ୍ରମୁଖ ଜାତୀୟ ଦଳ ଗୁଡିକ ବିରୋଧ କରୁଥିବାବେଳେ କେବଳ ବିଜେଡି ଉପରେ ପଡି ଏହି ବ୍ୟବସ୍ଥାକୁ ସମର୍ଥନ କରୁଛି।

ଆଞ୍ଚଳିକ ଅସ୍ମିତା ଓ ଆଞ୍ଚଳିକ ଦଳମାନଙ୍କ ବିରୋଧରେ ଏକ ଦେଶ-ଏକ ନିର୍ବାଚନ ବ୍ୟବସ୍ଥା ଯେ ଏକ ସୁଚିନ୍ତିତ ଷଡଯନ୍ତ୍ର, ଏକଥା ବିଜେଡି ବୁଝୁନାହିଁ ନା ବୁଝି ମଧ୍ୟ ଅବୁଝା ହେବାର ନାଟକ କରୁଛି, ତାହା ସମୟକ୍ରମେ ସ୍ପଷ୍ଟ ହେବ। ଏହି ପ୍ରସଙ୍ଗରେ ବିଜେଡି ଯଦି ବିଜେପିର ଗୋଡାଣିଆଁ ହେବାର ପ୍ରବୃତ୍ତି ନ ଛାଡେ, ତାହେଲେ ଭବିଷ୍ୟତରେ ଏହା ବିଜେଡି ଭିତରେ ଅସ୍ତିତ୍ଵ ସଙ୍କଟ ସୃଷ୍ଟି କରିବ। ବିରୋଧ କରି ବିଜେଡ଼ିକୁ ଧ୍ଵଂସ କରିବାରେ ବିଜେପି ସମର୍ଥ ହୋଇନାହିଁ, ହେଲେ ସମର୍ଥନ ଦେବା ଆଳରେ ହେଉ ବା ସହଯୋଗୀ ସଙ୍ଘୀୟ ବ୍ୟବସ୍ଥା ନାଁରେ ବିଜେଡ଼ିକୁ ଖତମ କରିବାର ରଣନୀତି ବିଜେପିର ପ୍ରଚ୍ଛନ୍ନ ଭାବରେ ରହିଛି।