Categories
ବିଶେଷ ଖବର ମତାମତ

ମନ୍ତ୍ରୀପଡା ଭାବେ ପରିଚିତ କେନ୍ଦ୍ରାପଡା ମନ୍ତ୍ରୀଛଡା ହୋଇଥିଲା, ଶେଷରେ ଜିଲ୍ଲା ଯୋଜନା କମିଟ ଅଧ୍ୟକ୍ଷ ପଦରୁ ମଧ୍ୟ ବାଦ ପଡିଲେ କେନ୍ଦ୍ରାପଡିଆ ବିଧାୟକ। କାହିଁକି ?

ସମୀକ୍ଷା ବ୍ୟୁରୋ

ଆଜ୍ଞା, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏକ ପ୍ରେସ ବିଜ୍ଞପ୍ତି ଆସିଛି। ଯେଉଁଥିରେ ତିରିଶିଟି ଜିଲ୍ଲାର ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ସାଧାରଣତଃ ଏହି ପଦବୀରେ ମନ୍ତ୍ରୀମାନଙ୍କୁ ନିଆଯାଇଥାଏ। ହେଲେ କେତେକ କ୍ଷେତ୍ରରେ ବିଧାୟକଙ୍କୁ ମଧ୍ୟ ନେବାରେ କୌଣସି ଅସୁବିଧା ନାହିଁ। ଏହି ବିଜ୍ଞପ୍ତିରେ ୧୮ ଜଣ ମନ୍ତ୍ରୀଙ୍କ ସହିତ ୧୨ ଜଣ ବିଧାୟକଙ୍କ ନାମ ମଧ୍ୟ ରହିଛି। ଏହି ବିଧାୟକମାନଙ୍କୁ ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷ କରାଯାଇଛି। ହେଲେ ଦୁଃଖର କଥା ଏହି ତାଲିକାରେ କେନ୍ଦ୍ରାପଡା ଜିଲ୍ଲାର ଟାଣୁଆ ଓ ଶକ୍ତିଶାଳି ବିଧାୟକଙ୍କ ନାମ ମଧ୍ୟ ନାହିଁ। ସେଦିନ ଚା ଖଟିର କାଠ ବେଞ୍ଚ ଉପରେ ବସି କେନ୍ଦ୍ରାପଡାର ଜଣେ ବିଜେଡି ନେତା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ବିଜ୍ଞପ୍ତିକୁ ଏକ ନିଃସ୍ବାସରେ ପଢି ଚାଲିଲେ। ଆମେ ପାଟିରୁ ଗରମ ଚାହାଟା ବାହର କରି କହିଲୁ, କାହିଁ କଣ ହେଲା କି ? ନ ଥିଲେ ନ ଥିବ ଏଥିରେ ଅସୁବିଧା କଣ ହେଲା।

ଭାଇ, ଆପଣ ଜଣେ ସାମ୍ବାଦିକ ଲୋକ। ଆପଣ ମୁଣ୍ଡଟା ଟିକିଏ ଭିତରକୁ ପୁରାନ୍ତୁ। କହିଲେ ଦେଖି, କେନ୍ଦ୍ରାପଡାକୁ ଏକଦା ମନ୍ତ୍ରୀପଡା ବୋଲି କୁହାଯାଉଥିଲା କି ନାହିଁ। ଆମେ ଉତ୍ତରରେ କହିଲୁ ହଁ, ଏଥିରେ କିଛି ଭାବିବାର ନାହିଁ। ହେଲେ ତାହା କିନ୍ତୁ ବର୍ତ୍ତମାନ ଇତିହାସ ପାଲଟି ଯାଇଛି। ବର୍ତ୍ତମାନ କେନ୍ଦ୍ରାପଡା ମନ୍ତ୍ରୀପଡା ନୁହେଁ ,ମନ୍ତ୍ରୀଛଡା ହୋଇଗଲାଣି ଭାଇ। ଆପଣ ସବୁ କଥାକୁ ସାମ୍ବାଦିକିଆ ଠାଣିରେ ଦେଖୁଛନ୍ତି। ଟିକିଏ ଅଭିମାନ ଭରା କଣ୍ଠରେ ସେ କହିଲେ। ଆମେ କହିଲୁ ଭାଇ ଖରାପ ଭାବନ୍ତୁ ନାହିଁ, ବର୍ତ୍ତମାନ କେନ୍ଦ୍ରାପଡା ମନ୍ତ୍ରୀଛଡା ହୋଇଛି କି ନାହିଁ। ପୂର୍ବରୁ ମନ୍ତ୍ରୀଛଡା ଏବେ ସେମାନଙ୍କୁ ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷ ମଧ୍ୟ କରାଗଲା ନାହିଁ। ଏହାଠୁ ବଡ ଲଜ୍ଜାଜନକ ସ୍ଥିତ କଣ ଅଛି କହୁନ ? ଆପଣଙ୍କ ଜିଲ୍ଲାରେ ଯେଉଁମାନେ ବିଧାୟକ ଅଛନ୍ତି ସେମାନେ କଣ ମନ୍ତ୍ରୀ ପାଇଁ ଅଯୋଗ୍ୟ କି ? ହେଲେ କଣ ପାଇଁ ସେମାନଙ୍କୁ ମନ୍ତ୍ରୀ ପଦ ଦିଆଗଲା ନାହିଁ ? କଣପାଇଁ ସେମାନଙ୍କୁ ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷ କରଗଲା ନାହିଁ ?

କିଛି ସମୟ ପାଇଁ ସେ ହାତରେ ଚା ଗ୍ଲାସ ଧରି ମୋ ମୁହଁକୁ ଅନାଇ ରହିଲେ। ଆମେ କହିଲୁ ଭାଇ ଉତ୍ତର ଦିଅ। ତାପରେ ସେ ଗ୍ଲାସଟି ତଳେ ଥୋଇ କହିଲେ, ଆଚ୍ଛା ଠିକ୍ କଥା। ବର୍ତ୍ତମାନ ମୁଁ ସେ ଦିଗକୁ ଯାଉ ନାହିଁ। ଆପଣଙ୍କୁ ଗୋଟିଏ କଥା ପଚାରୁଛି। ପ୍ରଥମ କଥା କୁହ କେନ୍ଦ୍ରାପଡା ବାସୀ ନବୀନବାବୁଙ୍କୁ କଣ ନ ଦେଇଛନ୍ତି। ଆମେ ପଚାରୁଲୁ ମାନେ ? ମାନେ ହେଉଛି କେନ୍ଦ୍ରାପଡା ବାସୀ ନବୀନବାବୁଙ୍କ ସମସ୍ତ କଥାକୁ ମାନି ସାହାର୍ଯ୍ୟ କରି ଆସିଛନ୍ତି। ଧରି ନିଆନ୍ତୁ, କେନ୍ଦ୍ରପଡାରେ ଶଶିଭୂଷଣ ବେହେରାଙ୍କୁ ପ୍ରାର୍ଥୀ କରାଗଲା। ସେ କେନ୍ଦ୍ରାପଡା ଲୋକ ନ ହେଲେ ମଧ୍ୟ ନବୀନବାବୁଙ୍କ ମୁହଁକୁ ଚାହିଁ ତାଙ୍କୁ ଜିତାଇଲେ। ହଁ ନା ନାହିଁ। ତାପରେ ଦ୍ବୀତିୟ କଥା ହେଲା, ସାଂସଦ ଭାବେ କେନ୍ଦ୍ରାପଡାବାସୀ ଅନୁଭବ ମହାନ୍ତିଙ୍କୁ ଜିତାଇଲେ। ଖାଲି ଜିତାଇଲେ ନୁହେଁ ଭାଇ.. ଦେଢ ଲକ୍ଷ ଭୋଟ ବ୍ୟବଧାନରେ ଜିତାଇଲେ। ହଁ ନା ନାହିଁ। କହିଲ ଦେଖି, ସେ କଣ କେନ୍ଦ୍ରାପଡା ଲୋକ।

ଆଉ ଗୋଟିଏ ଉଦାହରଣ ଦେଉଛି। ୨୦୧୪ ନିର୍ବାଚନରେ କେନ୍ଦ୍ରାପଡାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳିରୁ ଆମ ବିଜେଡି ମାତ୍ର ତିନୋଟିରେ ଜିତିଥିଲା। ହେଲେ ସେତେବେଳେ ନବୀନବାବୁ ଗୋଟିଏ ମନ୍ତ୍ରୀପଦ ଦେଇଥିଲେ। ସେ ହେଉଛନ୍ତି ଅତନୁ ସବ୍ୟସାଚୀ ନାୟକ। ଏଥର ନିର୍ବାଚନରେ କେନ୍ଦ୍ରାପଡାବାସୀ ପୁରା ୫ରୁ ୫ ଆସନ ବିଜେଡିକୁ ଦେଇଦେଲେ। ସେହି ହିସାବ ଅନୁସାରେ ଏଥର ଆମ ଜିଲ୍ଲାରୁ ଅନ୍ତତଃ ଦୁଇଜଣ ମନ୍ତ୍ରୀ ହେବା କଥା। ହେଲେ କିଛି ହେଲେ ନାହିଁ। କେନ୍ଦ୍ରାପଡାବାସୀ ନବୀନବାବୁଙ୍କ କଥାକୁ ଗ୍ରହଣ କରି, ମଥାପାତି ସମ୍ମାନ ଦେଉଛନ୍ତି। ସେଥିପାଇଁ ନବୀନବାବୁ କେନ୍ଦ୍ରାପଡା ବାସୀଙ୍କ ତ୍ୟାଗକୁ ବୁଝିବା ଦରକାର ଭାଇ।

ଦୀର୍ଘ ସମୟ ଧରି ଏତେ କଥା କହିବା ପରେ ଆମେ କହିଲୁ, ଠିକ୍ ଅଛି, ତା ହେଲେ କହିଲ, ଯଦି କେନ୍ଦ୍ରାପଡାବାସୀ ଏତେ ତ୍ୟାଗ କରିଛନ୍ତି, ତେବେ ନବୀନବାବୁ କାହିଁକି ସେ କଥାକୁ ହୃଦୟଙ୍ଗମ କରିପାରୁ ନାହାଁନ୍ତି। ଏହାର କାରଣ କଣ ହୋଇପାରେ ବୋଲି ଆପଣ ଭାବୁଛନ୍ତି। ସେ ଟିକିଏ ରହି ଦୀର୍ଘ ନିଃସ୍ବାସ ପକାଇ କହିଲେ, ଭାଇ କଣ କହିବା, ଘର କଥା ପରକୁ କହିବାକୁ ଲାଜ ଲାଗୁଛି। ଆମେ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଅନାଇଲୁ। କଣ ହେଲା ସିଧାସିଧା କହୁ ନାହାଁନ୍ତି। ପୁଣି ଦୀର୍ଘ ନିଶ୍ବାସ ପକାଇ କହିଲେ, ସେ ଅତନୁ ଓ ପ୍ରତାପ ପାଇଁ ତ ଏତେ କଥା। ଆମେ ଏ ଦୁଇ ଜଣଙ୍କ ନାଁ ଶୁଣି ହସିବାକୁ ଚାହୁଁଥିଲୁ ହେଲେ ହସକୁ ଚାପିଦେଇ କହିଲୁ, କଣ ହେଲା? ଅତନୁ ଓ ପ୍ରତାପ କଣ ଅସୁବିଧା କଲେ କି? ନାହିଁ… ହେ… ଭାଇ ସେ ଦୁଇ ଜଣଙ୍କ ଭିତରେ ଠିକରେ ପଟୁନି। ଜଣଙ୍କୁ ମନ୍ତ୍ରୀ କରିଦେଲେ ଆଉ ଜଣେ ଖପ୍ପା। ତେଣୁ ନବୀନବାବୁ ଭାବିଲେ ବଂର କାହାକୁ ପଦପଦବୀ ନ ଦେଇ ଚୁପ ବସାଇ ଦେବା ଠିକ୍ ହେବ। ସେଇଥି ପାଇଁ ସେ କେନ୍ଦ୍ରାପଡାକୁ ମନ୍ତ୍ରୀଛଡା କରିଦେଲେ। ଆଉ ନ ହେଲେ କିଛି ନାହିଁ।

ଆମେ ଭାବି ନେଲୁ ଯେ, ବାବୁ ଜଣଙ୍କ ଏବେ ଠିକ୍ ବାଟକୁ ଆସିଯାଇଛନ୍ତି। ଭାବି ଚିନ୍ତି ମଞ୍ଜି କଥା କହିଛନ୍ତି। ତଥାପି ଆଉ କିଛି କଥା ଆଦାୟ କରିବା ପାଇଁ ପଚାରି ଦେଲୁ, ତାଙ୍କ ଦୁଇ ଜଣଙ୍କୁ ଛାଡି କଣ ଆଉ କାହାକୁ ମନ୍ତ୍ରୀ କଲେ କିଛି ଅସୁବିଧା ହେବ କି? ହଠାତ୍ ସେ ଉପରେ ମାଡି ବସି ବଡ ପାଟିରେ କହିଲେ ନାଇଁ ଆଜ୍ଞା ..ନାଇଁ ଆଜ୍ଞା, ସେ କଥା ହେବ ନାହିଁ। ପ୍ରଳୟ, ଘୋର ପ୍ରଳୟ, ୧୯୯୯ ମସିହାର ମହାବାତ୍ୟା ହୋଇଯିବ। ନବୀନବାବୁ ସମ୍ଭାଳି ପାରିବେ ନାହିଁ। ତା ହେଲେ ଏବେ କୁହନ୍ତୁ ନବୀନବାବୁ ବର୍ତ୍ତମାନ ଯାହା କରିଛନ୍ତି ଠିକ୍ କରିଛନ୍ତି ନା ଭୁଲ କରିଛନ୍ତି। ସେ ଆବାକ୍ ହୋଇ ଆମ ମୁହଁକୁ ଚାହିଁ କହିଲେ ଆଁ…….ଭାଇ ମୁଁ ଆସିଛି, ଟିକିଏ ସଚିବାଳୟ ଯିବାର ଅଛି। ନମସ୍କାର। ଏତକ କହି ତରତର ହୋଇ ସେ ଚାଲିଗଲେ। ଆମେ ପଛରୁ ତାଙ୍କୁ ବାଏ ବାଏ କରିବା ଛଡା ଆଉ କିଛି ଉପାୟ ନ ଥିଲା।

Categories
ବିଶେଷ ଖବର

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ, ବିଜେଡିର ବଡକୁହା ନେତାଙ୍କ ଲାଗି ସ୍ପଷ୍ଟ ବାର୍ତ୍ତା- ନବୀନ ହିଁ ସବୁକିଛି !

କେଦାର ମିଶ୍ର

ଅନେକଙ୍କର ହୁଏତ ମନେଥିବ, ବିଜୁ ପଟ୍ଟନାୟକ ଯେତେବେଳେ ୨୭ ବର୍ଷର ବ୍ୟବଧାନ ପରେ ୫, ମାର୍ଚ୍ଚ, ୧୯୯୦ ରେ  ଦ୍ଵିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ, ସେ ଥିଲେ ତାଙ୍କ ମନ୍ତ୍ରୀ ପରିଷଦର ଏକମାତ୍ର ସଦସ୍ୟ। ସେତେବେଳେ ସାମ୍ବାଦିକମାନେ ତାଙ୍କୁ ପଚାରିଥିଲେ, ଆପଣ ମନ୍ତ୍ରୀମଣ୍ଡଳ କେବେ ଗଢିବେ। ପରିହାସପ୍ରିୟ ବିଜୁ ବାବୁ ରସିକତା କରି କହିଥିଲେ- କାଇଁ, ମୁଁ କଣ ଏକାକୀ ଯଥେଷ୍ଟ ନୁହଁ! ବିଜୁ ବାବୁଙ୍କ ଅବର୍ତ୍ତମାନରେ ତାଙ୍କ ପୁଅ ନବୀନ ପଟ୍ଟନାୟକ ଆଉ ଏକ ଇତିହାସ ରଚନା କରିଛନ୍ତି। ୧୯୯୦ ରୁ ଲଗାତାର ପାଞ୍ଚଟି ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ଲାଭ କରି ନବୀନ ବାବୁ ସରକାର ଗଢି ଆସୁଛନ୍ତି। ଆଜି ପଞ୍ଚମଥର ଲାଗି ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ପୁଣିଥରେ ଶପଥ ନେଉଛନ୍ତି। ତାଙ୍କ ସହିତ ୨୧ ଜଣିଆ ମନ୍ତ୍ରୀମଣ୍ଡଳ ମଧ୍ୟ ଆଜି ଶପଥ ନେଉଛି। ତେବେ ବିଜୁ ବାବୁଙ୍କ ପରି ନବୀନ ହୁଏତ ଏକାକୀ ଶପଥ ନେଉନାହାନ୍ତି, କିନ୍ତୁ ତାଙ୍କ କ୍ୟାବିନେଟ ସଂରଚନା ରୁ ଗୋଟିଏ କଥା ସ୍ପଷ୍ଟ ଯେ, ଏଥିରେ ନବୀନ ହିଁ ସବୁକିଛି। କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କର୨୦ ଜଣ ଯାକ ସହଯୋଗୀ ତାଙ୍କର ଛାୟା ମାତ୍ର। ପଞ୍ଚମ ପାଳିରେ ୧୧୨ ଟି ଆସନ ଜିଣିଥିବା ନବୀନ ଅତ୍ୟନ୍ତ ଆତ୍ମବିଶ୍ବାସର ସହିତ ନୂଆ ମନ୍ତ୍ରୀମଣ୍ଡଳ ବାଛିଛନ୍ତି। ଅନେକ ପୁରୁଣା ସହଯୋଗୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯାଇଛି। ଶଶିଭୂଷଣ ବେହେରା, ପ୍ରଫୁଲ୍ଲ ସାମଲ, ଅନନ୍ତ ଦାସ, ସୂର୍ୟ ନାରାୟଣ ପାତ୍ର, ଉଷା ଦେବୀ, ପ୍ରଦୀପ ମହାରଥୀ, ବଦ୍ରି ନାରାୟଣ ପାତ୍ରଙ୍କ ପରି ପୁରୁଖା ମନ୍ତ୍ରୀଙ୍କୁ (ଏମାନେ ସମସ୍ତେ ପୁନଃ ନିର୍ବାଚିତ ହୋଇଥିବା ସତ୍ତ୍ୱେ) ନୂଆ ମନ୍ତ୍ରୀ ତାଲିକାରୁ ବାଦ ଦିଆ ଯାଇଛି।

ବିଜେଡ଼ିର ବହୁ ତୁଙ୍ଗ ନେତା ଓ ପୂର୍ବତନ ମନ୍ତ୍ରୀଙ୍କ ନୂଆ ମନ୍ତ୍ରୀ ହେବାର ଆଶା ପାଣି ଫାଟି ଯାଇଛି। ବାଚସ୍ପତି ପ୍ରଦୀପ କୁମାର ଅମାତ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ଦେବୀ ପ୍ରସାଦ ମିଶ୍ର, ଶାରଦା ନାୟକ, ସୁବ୍ରତ ତରାଇ, ଭୂପିନ୍ଦର ସିଂ, ରୋହିତ ପୂଜାରୀ, ବିଷ୍ଣୁ ଦାସ, ଅରବିନ୍ଦ ଢାଲି ପ୍ରମୁଖ ଏଥର ନିରାଶ ହୋଇଛନ୍ତି। ଏପରିକି ରାଜ୍ୟସଭା ପଦ ଛାଡି ବିଧାନସଭା ନିର୍ବାଚନ ଲଢିଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରତାପ ଦେବଙ୍କୁ ମୁଖ୍ୟମନ୍ତ୍ରୀ ନିଜର କ୍ୟାବିନେଟ ସହଯୋଗୀ ହେବାର ସୁଯୋଗ ଦେଇନାହାନ୍ତି। ସୂର୍ୟ ପାତ୍ରଙ୍କୁ ବାଚସ୍ପତି ଦାୟିତ୍ଵ ଦେବାକୁ ସ୍ଥିର କରାଯାଇଛି। ପ୍ରମିଳା ମଲ୍ଲିକ ବିଜେଡ଼ିର ମୁଖ୍ୟ ସଚେତକ ଦାୟିତ୍ଵ ତୁଲାଇବେ।

ନୂଆ ମନ୍ତ୍ରୀମଣ୍ଡଳରେ ବହୁ ବର୍ଷ ପରେ ନବୀନଙ୍କ ଆସ୍ଥା ପାଇ ଫେରିଛନ୍ତି ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଏକଦା ପ୍ୟାରୀମୋହନ ମହାପାତ୍ରଙ୍କ ସହିତ ମନାନ୍ତର ପରେ ରାଜା ସ୍ଵାଇଁ ଏକ ପ୍ରକାର କ୍ଷମତା ଠାରୁ ନିର୍ବାସିତ ଥିଲେ। ଏଥର ତାଙ୍କୁ ମନ୍ତ୍ରୀ ପଦ ମିଳିଛି। ଗତ ମନ୍ତ୍ରୀମଣ୍ଡଳରେ ସଦସ୍ୟଥିବା  ପ୍ରତାପ ଜେନା, ପ୍ରଫୁଲ୍ଲ ମଲ୍ଲିକ, ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ, ଅଶୋକ ଚନ୍ଦ୍ର ପଣ୍ଡା ଓ ବିକ୍ରମ କେଶରୀ ଆରୁଖ  ନିଜ ପଦ ବଜାୟ ରଖିଛନ୍ତି। ତା ପୂର୍ବରୁ ମନ୍ତ୍ରୀ ଥିବା ଅରୁଣ କୁମାର ସାହୁ, ପଦ୍ମନାଭ ବେହେରା  ଓ ସୁଦାମ ମାରାଣ୍ଡି ମଧ୍ୟ ମନ୍ତ୍ରୀ ମଣ୍ଡଳକୁ ଫେରିଛନ୍ତି। ପ୍ରଥମ ଥର ଲାଗି କ୍ୟାବିନେଟ ମନ୍ତ୍ରୀ ଭାବରେ ନବ କିଶୋର ଦାସ ଓ ଶ୍ରୀମତୀ ଟୁକୁନି ସାହୁଙ୍କୁ ସୁଯୋଗ ମିଳିଛି। ରାଷ୍ଟ୍ରମନ୍ତ୍ରୀ ଭାବରେ ଦିବ୍ୟ ଶଙ୍କର ମିଶ୍ର, ସମୀର ରଞ୍ଜନ ଦାଶ, ତୁଷାରକାନ୍ତି ବେହେରା, ପ୍ରେମାନନ୍ଦ ନାୟକ, ପଦ୍ମିନୀ ଦିଆନ, ଜଗନ୍ନାଥ ସାରକା, ରଘୁନନ୍ଦନ ଦାସ ଓ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଜି ଶପଥ ନେଉଛନ୍ତି।

ଶ୍ରୀମତୀ ଟୁକୁନି ସାହୁଙ୍କୁ କ୍ୟାବିନେଟ ମନ୍ତ୍ରୀ କରି ବିଜେଡି ମୁଖିଆ ବଲାଙ୍ଗୀର ରାଜ ପରିବାରକୁ ଅତ୍ୟନ୍ତ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ବଲାଙ୍ଗୀର ବିଜେଡିରେ ରାଜ ପରିବାରର ବିକଳ୍ପ ଭାବେ ଟୁକୁନି ସାହୁଙ୍କୁ ମୁଖ୍ୟମନ୍ତ୍ରୀ ବାଛିଛନ୍ତି। ଜଗତସିଂପୁର ରେ ପାରମ୍ପରିକ ପ୍ରତିଯୋଗୀ ବିଷ୍ଣୁ ଦାସ ଓ ପ୍ରଶାନ୍ତ ମୁଦୁଲିଙ୍କୁ ଅଣଦେଖା କରି ଦାମୋଦର ରାଉତଙ୍କୁ ହରାଇଥିବା ନବାଗତ ରଘୁନନ୍ଦନ ଦାସଙ୍କୁ ମନ୍ତ୍ରୀ କରିବା ପଛରେ ମଧ୍ୟ ଗୋଟେ ସ୍ପଷ୍ଟ ରାଜନୈତିକ ବାର୍ତ୍ତା ରହିଛି। ଗୋଷ୍ଠୀ କନ୍ଦଳ, ବିବାଦ ଓ ବେପରୁଆ ମନୋଭାବ ରଖୁଥିବା ନେତାଙ୍କୁ ସିଧା ସିଧା ନବୀନ ନିଜ ଟିମରେ ରଖିବାକୁ ମନା କରିଦେଇଛନ୍ତି। ପୁରୀ ଜିଲ୍ଲାରେ ମହେଶ୍ଵର ମହାନ୍ତି ଓ ସଞ୍ଜୟ ଦାସ ବର୍ମାଙ୍କ ପରାଜୟ ଓ ପ୍ରଦୀପ ମହାରଥିଙ୍କ ବିବାଦ ପରେ ସମୀର ରଞ୍ଜନ ଦାଶ ଓ ତୁଷାରକାନ୍ତି ବେହେରାଙ୍କୁ ନୂଆ ଦାୟିତ୍ଵ ମିଳିଛି।ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ଏଥର ପଶ୍ଚିମ ଓଡିଶାର ଭାଗ ଟିକେ ବେଶୀ। ପଶ୍ଚିମ ଓଡିଶାରୁ ପାଞ୍ଚ ଜଣ କ୍ୟାବିନେଟ ଓ ଜଣେ ରାଷ୍ଟ୍ର ପାହ୍ୟା ମନ୍ତ୍ରୀଙ୍କୁ ନିଆ ଯାଇଛି। ପୂର୍ବରୁ ମନ୍ତ୍ରୀ ମଣ୍ଡଳରେ ଅବିଭକ୍ତ କଟକ ଓ ଗଞ୍ଜାମ ଜିଲ୍ଲାର ଯେଉଁ ପ୍ରଭାବ ରହୁଥିଲା ଏଥର ତାହା ଅନେକଟା ହ୍ରାସ ପାଇଛି। ତେବେ ପୂର୍ବ ପରି ମନ୍ତ୍ରୀ ମଣ୍ଡଳରେ ଆଦିବାସୀ ଓ ମହିଳାଙ୍କ ପ୍ରତିନିଧିତ୍ଵ କମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ମହିଳା ସପକ୍ଷବାଦୀ ନୀତି ଅନୁସାରେ ଅତି କମରେ ୪/୫ ମହିଳା ବିଧାୟିକା ମନ୍ତ୍ରୀ ହେବେ ବୋଲି ଆଶା କରାଯାଉଥିଲା। ଆଦିବାସୀ ନେତୃତ୍ବକୁ ମଧ୍ୟ ଟିକେ ଅଧିକ ସ୍ଥାନ ମିଳିବା ଉଚିତ ହୋଇଥାନ୍ତା।

ତେବେ ଯିଏ ବି ମନ୍ତ୍ରୀ ହେଉ, ନବୀନଙ୍କ ବିରାଟ ବରଗଛ ତଳେ, ସେମାନେ ତାଙ୍କ ଛାଇର ଅଂଶ ବା ଅତି ବେଶୀରେ ଓହଳ ହିଁ ହୋଇ ପାରିବେ। ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବାପରେ ନବୀନ ତାଙ୍କ ମନ୍ତ୍ରୀ ମଣ୍ଡଳରୁ ବାଦ ଦେଇଥିବା ଅନେକ ଅସନ୍ତୁଷ୍ଟ ନେତା ଅବଶ୍ୟ ରହିବେ। ହେଲେ ସେମାନେ ନିଜ ଅସନ୍ତୋଷକୁ ଚାପିବାକୁ ବାଧ୍ୟ ହେବେ। ପୂର୍ବରୁ ଅସନ୍ତୁଷ୍ଟ ହୋଇ ବିଜେଡି ନେତାମାନଙ୍କ ଅବସ୍ଥା ଦେଖି ଆଜିର ପରିସ୍ଥିତିରେ ଆଉ କେହି ଯେ ଅସନ୍ତୁଷ୍ଟ ହେବାକୁ ସାହସ କରିବ, ସେ ସମ୍ଭାବନା ଆଜି ଅବଶ୍ୟ ନାହିଁ।