ମାଣିଆବନ୍ଧ: ପୁରା ଗାଁ ଲୋକେ ମିଶି ଜଣେ ଯୁବକକୁ ମାରିଦେଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଗୁଣି ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ପରେ ପୋଡ଼ି ଦିଆଯିବା ଭଳି ଜଘନ୍ୟକାଣ୍ଡ ଘଟିଛି ବଡ଼ମ୍ବା ବ୍ଲକ୍ ଅନ୍ତର୍ଗତ ତାଳମୁଣ୍ଡଳୀ ଶବରସାହିରେ। ଏହି ଘଟଣାରେ ୨୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଆହୁରି ଅଧିକ ବ୍ୟକ୍ତିଙ୍କର ସଂପୃକ୍ତି ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ ଶ୍ୱେତ ବେହେରାଙ୍କ ପୁଅ ଟିକମ ବେହେରା (୩୦) ଗୁଣିଗାରେଡ଼ି କରୁଥିବାରୁ ଗ୍ରାମର ବିଭିନ୍ନ ପରିବାରରେ ସମସ୍ୟା ହେଉଥିବା ସନ୍ଦେହ କରାଯାଇଥିଲା। ଗତ ୧୦ ତାରିଖ ରାତି ପ୍ରାୟ ୧୧ଟା ବେଳେ ଗ୍ରାମବାସୀ ଟିକମଙ୍କୁ ଘରୁ ଉଠାଇ ନେଇଥିଲା। ଗ୍ରାମରେ ସଭା କରାଯାଇ ଟିକମଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା। ଟିକମଙ୍କୁ ପିଟିପିଟି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଜଙ୍ଗଲ ଭିତରକୁ ନେଇ ପୋଡ଼ି ଦେଇଥିଲେ। ଏ ସଂପର୍କରେ ପ୍ରଥମେ କିଛି ଜଣାପଡ଼ିନଥିଲା। ପରେ ଟିକମଙ୍କ ବାପା ଶ୍ବେତ ବେହେରା ଥାନାରେ ଅଭିଯୋଗ କରିଥିଲେ। ମାଣିଆବନ୍ଧ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨୫ ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ଗାଁ ଏବେ ପୁରୁଷଶୂନ୍ୟ ହୋଇଯାଇଛି।


