ନୂଆଦିଲ୍ଲୀ: ଭାରତରେ ଜନସଂଖ୍ୟା ବୃଦ୍ଧି ହାର କମିବା ଏବଂ ପ୍ରଜନନ ହାର ହ୍ରାସ ପାଇବା ପରେ ସ୍ଥାନୀୟ ନିର୍ବାଚନ ପାଇଁ ଥିବା ଦୁଇଟି ସନ୍ତାନର କଟକଣା ନିୟମ ଆଉ ପ୍ରାସଙ୍ଗିକ ନୁହେଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ ମତ ଦେଇଛନ୍ତି। ଦେଶର ଜନସଂଖ୍ୟା ସ୍ଥିତିରେ ବଡ଼ଧରଣର ପରିବର୍ତ୍ତନ ଆସିଥିବାରୁ ପୂର୍ବରୁ ଏହିଭଳି କଠୋର ଆଇନ ପ୍ରଣୟନ କରିବାର ଯେଉଁ କାରଣ ରହିଥିଲା, ତାହା ବର୍ତ୍ତମାନ ଦୁର୍ବଳ ହୋଇଯାଇଛି। କୋର୍ଟଙ୍କ ଏହି ମହତ୍ତ୍ବପୂର୍ଣ୍ଣ ରାୟ ପରେ ଦେଶର ବିଭିନ୍ନ ରାଜ୍ୟରେ ଲାଗୁ ହୋଇଥିବା ଏହି ବାଧ୍ୟବାଧକତା ଉପରେ ପୁନର୍ବିଚାର ହେବାର ଆବଶ୍ୟକତା ରହିଛି ବୋଲି ଆଲୋଚନା ହେଉଛି।
ଦୀର୍ଘ ବର୍ଷ ପୂର୍ବେ, ଅର୍ଥାତ୍ ୨୦୦୩ ମସିହାରେ ‘ଜାଭେଦ୍ ବନାମ ହରିୟାଣା ସରକାର’ ମାମଲାରେ ସୁପ୍ରିମକୋର୍ଟଙ୍କ ଏକ ତିନିଜଣିଆ ଖଣ୍ଡପୀଠ ହରିୟାଣା ପଞ୍ଚାୟତି ରାଜ ଆଇନ, ୧୯୯୪କୁ ବୈଧ ବୋଲି ଘୋଷଣା କରିଥିଲେ। ସେହି ଆଇନ ଅନୁଯାୟୀ, ଦୁଇଟିରୁ ଅଧିକ ଜୀବିତ ସନ୍ତାନ ଥିବା ବ୍ୟକ୍ତିମାନେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ବା ପଞ୍ଚାୟତ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ ବିବେଚିତ ହେଉଥିଲେ। ମାତ୍ର ବର୍ତ୍ତମାନର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ହୋଇଥିବାରୁ ସେହି ପୁରୁଣା ଆଇନଗୁଡ଼ିକର ପୁନର୍ବିଚାର କରାଯିବା ଜରୁରୀ ବୋଲି ସର୍ବୋଚ୍ଚ ଅଦାଲତ ମତ ଦେଇଛନ୍ତି।
ନ୍ୟାୟମୂର୍ତ୍ତି ପି.ଏସ୍. ନରସିଂହ ଏବଂ ନ୍ୟାୟମୂର୍ତ୍ତି ଅଲୋକ ଆରାଧେଙ୍କୁ ନେଇ ଗଠିତ ଖଣ୍ଡପୀଠ ମହାରାଷ୍ଟ୍ରର କାକୋଡ଼ା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ମଙ୍ଗଳା ଭୀମରାଓଙ୍କ ଅଯୋଗ୍ୟତା ଆଦେଶକୁ ରଦ୍ଦ କରିଛନ୍ତି। ତୃତୀୟ ସନ୍ତାନ ଜନ୍ମ ହେବା ପରେ ମହାରାଷ୍ଟ୍ର ଗ୍ରାମ ପଞ୍ଚାୟତ ଆଇନ, ୧୯୫୯ର ଏକ ନିର୍ଦ୍ଦିଷ୍ଟ ଧାରା ଅନୁଯାୟୀ ତାଙ୍କୁ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହି ନିୟମ ଅନୁସାରେ ୨୦୦୦ ମସିହା ସେପ୍ଟେମ୍ବର ମାସରୁ ଦୁଇଟିରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ନିର୍ବାଚନ ଲଢ଼ିବା ନିଷିଦ୍ଧ କରାଯାଇଥିଲା। ମାତ୍ର ସୁପ୍ରିମକୋର୍ଟ ଏହି ମାମଲାରେ ପୂର୍ବତନ ସରପଞ୍ଚଙ୍କ ସପକ୍ଷରେ ରାୟ ଦେଇ ତାଙ୍କ ଅଯୋଗ୍ୟତାକୁ ଖାରଜ କରିଛନ୍ତି।
ଅଦାଲତ ଦର୍ଶାଇଛନ୍ତି ଯେ ୨୦୦୩ ମସିହାରେ ଯେତେବେଳେ ଜାଭେଦ୍ ମାମଲାରେ ଏହି ଆଇନକୁ କାଏମ ରଖାଯାଇଥିଲା, ସେତେବେଳେ ଭାରତର ସମଗ୍ର ପ୍ରଜନନ ହାର ବା ଟି.ଏଫ୍.ଆର. ୩ ଥିଲା। ମାତ୍ର ବର୍ତ୍ତମାନ ଏହା ହ୍ରାସ ପାଇ ୧.୯ କୁ ଖସିଆସିଛି। ଏହାବ୍ୟତୀତ, ଜନସଂଖ୍ୟା ସ୍ଥିର ରଖିବା ପାଇଁ ଆବଶ୍ୟକ ହେଉଥିବା ୨.୧ ର ସ୍ବାଭାବିକ ପ୍ରଜନନ ସ୍ତରଠାରୁ ମଧ୍ୟ ବର୍ତ୍ତମାନର ହାର ନିମ୍ନରେ ରହିଛି। ଏଭଳି ପରିସ୍ଥିତି ଜାରି ରହିଲେ ଭବିଷ୍ୟତରେ ଦେଶରେ ବୟସ୍କ ଜନସଂଖ୍ୟା ବୃଦ୍ଧି ପାଇବା ସହ କର୍ମକ୍ଷମ ଜନସଂଖ୍ୟାର ଅନୁପାତ କମିଯିବାର ଆଶଙ୍କା ରହିଛି। ତେଣୁ ଜନସଂଖ୍ୟା ବୃଦ୍ଧିକୁ ସୀମିତ ରଖିବା ପାଇଁ କରାଯାଇଥିବା ଆଇନଗୁଡ଼ିକ ବର୍ତ୍ତମାନ ସମୟରେ ସମ୍ପୂର୍ଣ୍ଣ ଅପ୍ରାସଙ୍ଗିକ ହୋଇପଡ଼ିଛି ବୋଲି କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି।
ନ୍ୟାୟମୂର୍ତ୍ତି ନରସିଂହ କହିଛନ୍ତି ଯେ ଯଦି ଏଭଳି ଜନସଂଖ୍ୟାଗତ ପରିବର୍ତ୍ତନକୁ ଠିକ୍ ସମୟରେ ଅନୁଧ୍ୟାନ କରା ନଯାଏ, ତେବେ ଦେଶକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ। ଏହି କାରଣରୁ ମାମଲାଟିକୁ ଏକ ବୃହତ୍ତର ଖଣ୍ଡପୀଠକୁ ପଠାଯାଇଛି। ପୂର୍ବରୁ ଦିଆଯାଇଥିବା ରାୟର ଯୁକ୍ତିକୁ ପ୍ରଶ୍ନ କରି କୋର୍ଟ ମତ ଦେଇଛନ୍ତି ଯେ ଏପରି କଟକଣା ଯୋଗୁଁ ଜନସାଧୁରଣଙ୍କ ଏକ ବଡ଼ବର୍ଗ ରାଜନୀତିରେ ଭାଗ ନେବାରୁ ଏବଂ ନିର୍ବାଚିତ ପ୍ରତିନିଧି ହେବାରୁ ବଞ୍ଚିତ ହେଉଛନ୍ତି। ଜଣେ ବ୍ୟକ୍ତି ସରକାରୀ ଦାୟିତ୍ୱ ସଫଳତାର ସହ ସମ୍ପାଦନ କରିପାରିବେ କି ନାହିଁ, ତାହା ସହ ଏହି ନିୟମର କୌଣସି ସମ୍ପର୍କ ନାହିଁ। ଏହାବ୍ୟତିତ ଏହା ନାଗରିକଙ୍କ ପ୍ରଜନନ ସ୍ୱାଧୀନତା ଏବଂ ଗଣତାନ୍ତ୍ରିକ ଅଧିକାର ଉପରେ ମଧ୍ୟ କୁପ୍ରଭାବ ପକାଉଛି।
ଦେଶର ବିଭିନ୍ନ ରାଜ୍ୟରେ ଏହି ନିୟମକୁ ନେଇ ଭିନ୍ନ ଭିନ୍ନ ସ୍ଥିତି ରହିଛି। ଆଇନଗତ ପରାମର୍ଶଦାତାଙ୍କ ଦ୍ୱାରା ଦାଖଲ ହୋଇଥିବା ତଥ୍ୟ ଅନୁଯାୟୀ, ଦେଶର ୭ଟି ରାଜ୍ୟ ଏହି ଦୁଇଟି ସନ୍ତାନ ନିୟମକୁ ପୂର୍ବରୁ ପ୍ରତ୍ୟାହାର କରିସାରିଥିବାବେଳେ ୧୫ଟି ରାଜ୍ୟରେ ଏଭଳି କୌଣସି ନୀତି ନାହିଁ। ବର୍ତ୍ତମାନ ମଧ୍ୟ ଆସାମ, ଗୋଆ, ଗୁଜୁରାଟ, ମହାରାଷ୍ଟ୍ର, ଓଡ଼ିଶା ଏବଂ ଉତ୍ତରାଖଣ୍ଡ ଭଳି ମାତ୍ର କେତେକ ରାଜ୍ୟରେ ଏହି ନିୟମ କାର୍ଯ୍ୟକାରୀ ହେଉଛି। ତେଣୁ ସମଗ୍ର ଦେଶରେ ଏହି ନିୟମର ପ୍ରାସଙ୍ଗିକତା ହ୍ରାସ ପାଇଥିବାରୁ ଆଗାମୀ ଦିନରେ ଏହା ଉପରେ ଏକ ବ୍ୟାପକ ଆଇନଗତ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି।


