Categories
ଆଜିର ଖବର ରାଜ୍ୟ ଖବର

ଭିସି ମାଧ୍ୟମରେ ବୌଦ୍ଧ ମହୋତ୍ସବ ଉଦ୍‌ଘାଟନ, ୧୧୪ କୋଟି ଟଙ୍କାର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, ୦୨/୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆର ବୌଦ୍ଧ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି। କଳାର ପ୍ରସାରରେ ବୌଦ୍ଧ ମହୋତ୍ସବ ରାଜ୍ୟ ତଥା ଦେଶର କଳାକାରଙ୍କ ପାଇଁ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲା ପାଇଁ ୨୭ଟି ନୂତନ ପ୍ରକଳ୍ପର ଘୋଷଣା କରିବା ସହିତ ଏହାର ଉଦ୍‌ଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ୨୭ଟି ପ୍ରକଳ୍ପରେ ୧୧୪ କୋଟି ଟଙ୍କା ବିନିଯୋଗ ହେବ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପାନୀୟ ଜଳ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତି ପ୍ରସ୍ତର କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୬୦କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ସରକାରଙ୍କ ପକ୍ଷରୁ ସଡକ ପ୍ରକଳ୍ପ, ସ୍ପୋର୍ଟସ୍‌, ଛାତ୍ରୀ ନିବାସ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା, ବିଭିନ୍ନ ବିଭାଗର ସଚିବ ଏବଂ ବୌଦ୍ଧ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବୌଦ୍ଧ ଜିଲ୍ଲାର କଳାକାର ମାନେ ପ୍ରସ୍ତୁତ କରିଥିବା ମାଟିର ଏକ ବୌଦ୍ଧ ମୂର୍ତ୍ତି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।

 

 

Categories
ଆଜିର ଖବର

27 ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : 9 ହଜାର କୋଟିର ବ୍ୟୟବରାଦ, 12 ହଜାର ନୂତନ ନିଯୁକ୍ତି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,30/11: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ 27ଟି ନୂତନ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରାଯାଇଛି । ଖାରବେଳ ଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସମସ୍ତ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । 27 ପ୍ରକଳ୍ପ ମଧ୍ୟରୁ 5ଟି ନୂତନ ପ୍ରକଳ୍ପ ହୋଇଥିବା ବେଳେ 22ଟି ପ୍ରକଳ୍ପ ନେଇ ପୂର୍ବରୁ ଘୋଷଣା କରାଯାଇଥିବା ଜଣାପଡିଛି । ସମୁଦାୟ ପ୍ରକଳ୍ବ ନିମନ୍ତେ 8938.81 କୋଟିର ବ୍ୟୟବରାଦ ରହିଥିବା ବେଳେ ଏହା ଦ୍ବାରା 12 ହଜାର 142 ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡିଛି ।
ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର, ଶାସନ ସଚିବଅସିତ୍‌ ତ୍ରିପାଠୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏପ୍ରିଲ୍‌-ସେପ୍ଟେମ୍ବର ମଧ୍ୟରେ ଓଡିଶା ଦେଶର ହୋଇଥିବା ନିବେଶର 18 ପ୍ରତିଶତ ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଏହା ସହିତ ଆଗାମୀ ଦିନରେ ଓଡିଶା ଦେଶର ଏକ ନମ୍ବର ନିବେଶ ହାସଲକାରୀ ରାଜ୍ୟର ମାନ୍ୟତା ହାସଲ କରିବ ବୋଲି ନବୀନ କହିଥିଲେ । ରାଜ୍ୟ ସରକାରଙ୍କ 5ଟି ଯୋଜନାରେ ଏହା ସମ୍ଭବ ହେବ ବୋଲି ନବୀନ ପ୍ରକାଶ କରିଥିଲେ । ଏହାସହିତ ନଭେମ୍ବର 30ରୁ ଡିସେମ୍ବର 4 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମେକ୍‌ ଇନ ଓଡିଶା କନ୍‌କ୍ଲେଭ୍‌ରେ ନିବେଶ କରିବା ପାଇଁ ଆହ୍ବାନ ଦେଇଥିଲେ ।2020ରେ ଅନୁଷ୍ଠିତ ହେବାକୁ ଥିବା ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ ପାଇଁ ଏକ 365 ଦିନିଆ କାଉଣ୍ଟ ଡାଉନ୍‌ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଓଡିଶା ଫିଲ୍ମ ନିର୍ମାଣ ସଂଘ ପାଇଁ ଏକ ଓ୍ବେବ୍‌ସାଇଟ୍‌ ଲଞ୍ଚ କରିଛନ୍ତି ନବୀନ ।

Categories
ଆଜିର ଖବର

ଉତ୍କଳ ବିଶ୍ବବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦୦ କୋଟି ଘୋଷଣା

ଭୁବନେଶ୍ବର ୨୩.୧୧(ସମୀକ୍ଷା ବ୍ୟୁରୋ): ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ବିଶ୍ବବିଦ୍ୟାଳୟ ନିମନ୍ତେ ୧୦୦ କୋଟିର ଅନୁଦାନ ଘୋଷଣା କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ୬ଟି ଶାଖା ନିମନ୍ତେ ଏହି ୧୦୦ କୋଟିର ଅନୁଦାନ ରାଶି ପ୍ରଦାନ କରାଯାଇଛି। ଚଳିତ ଶିକ୍ଷାବର୍ଷରେ ୪୦ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ୫ ଦିନିଆ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏହି ଅର୍ଥ ବିଶ୍ବ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ନିମନ୍ତେ ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି। ଯୁବଶକ୍ତି ଦେଶର ପ୍ରକୃତ ସମ୍ପଦ। ଶିକ୍ଷା,ଜ୍ଞାନ ଏବଂ ସୃଜନଶୀଳତା ବଳରେ ଯୁବଶକ୍ତି ଦେଶର ନେତୃତ୍ବ ନେବେ ବୋଲି ନିଜ ଅଭିଭାଷଣରେ କହିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେଣ୍ଟ୍ରାଲ ଇନ୍‌ଷ୍ଟ୍ରୁମେଣ୍ଟେସନ୍‌ ସେଣ୍ଟର ଏବଂ ଡିଜିଟାଲ ଲାଇବ୍ରେରୀର ଉଦ୍‌ଘାଟନ କରିଥିଲେ। ଏତଦ୍‌ବ୍ୟତିତ ବିଶ୍ବବିଦ୍ୟାଳୟ ଚତୁଃପାର୍ଶ୍ବରେ ପାଚେରୀ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ।

Categories
ବିଶେଷ ଖବର

ପଞ୍ଚମ ପାଳିରେ କଣ ରହିବ ନବୀନ ପଟ୍ଟନାୟକଙ୍କ ପ୍ରଥମ ଶହେ ଦିନର ଲକ୍ଷ୍ୟ !

କେଦାର ମିଶ୍ର

ଓଡିଶାର ରାଜନୈତିକ ଇତିହାସରେ ବାରମ୍ବାର ନୂଆ ଅଧ୍ୟାୟ ଯୋଡି ଚାଲିଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ମଇ ୨୯ ତାରିଖ ଦିନ ୧୧ଟାରେ ପଞ୍ଚମଥର ଲାଗି ପଦ ଓ ଗୋପନୀୟତାର ଶପଥ ନେବେ। ଲଗାତାର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେବାରେ ନବୀନ ବାବୁ ହେଉଛନ୍ତି ଜ୍ୟୋତି ବସୁ ଓ ପବନ କୁମାର ଚାମଲିଙ୍ଗ ଙ୍କ ପରେ ତୃତୀୟ ରାଜନେତା। ପ୍ରଥମ ଦୁଇ ପାଳି ବିଜେପି ସହ ମେଣ୍ଟ ସରକାରର ନେତୃତ୍ୱ ନେଇଥିବା ନବୀନ ବାବୁ ଗତ ତିନୋଟି ଯାକ ନିର୍ବାଚନରେ ନିଜ ଦଳକୁ ଦୁଇ ତୃତୀୟାଁଶ ଆସନରେ ଜିତାଇବାର ବିରଳ ଗୌରବ ପାଇଛନ୍ତି। ୧୯ ବର୍ଷ ଶାସନରେ ରହିବା ପରେ ମଧ୍ୟ ଓଡିଶାର ଜନସାଧାରଣ ନବୀନଙ୍କ ଉପରେ ଆସ୍ଥା ପୋଷଣ କରିଛନ୍ତି ଓ ବିଜୁ ଜନତା ଦଳକୁ ୧୧୨ ଆସନରେ ବିଜୟୀ କରାଇଛନ୍ତି।

ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ ନବୀନଙ୍କ ଲାଗି ବହୁ ଆହ୍ଵାନ ରହିଛି। ୨୦୦୦ ମସିହାରେ ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ, ତାର ଠିକ ବର୍ଷକ ପୂର୍ବରୁ ମହାବାତ୍ୟାରେ ଓଡିଶା ଏକ ପ୍ରକାର ଉଜୁଡି ଯାଇଥିଲା। ସଂପୂର୍ଣ୍ଣ ଭାବରେ ଉଜୁଡି ଯାଇଥିବା ଗୋଟେ ରାଜ୍ୟର ଅର୍ଥନୀତିକୁ ସଜାଡିବାର ଗୁରୁ ଦାୟିତ୍ଵ ନବୀନ ତୁଲାଇ ଆସିଛନ୍ତି। ୨୦୧୯ ନିର୍ବାଚନ ସରିବା ପରେ ପରେ ଗତ ମଇ ୩ ତାରିଖ ଦିନ ପ୍ରବଳ ବାତ୍ୟା ମାଡରେ ପୁରୀ, ଭୁବନେଶ୍ୱର ଓ କଟକ ତଥା ଅନ୍ୟ ୬ ଟି ଉପକୂଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେଣୁ ପଞ୍ଚମ ପାଳିରେ ସରକାର ଗଢିବାକୁ ଯିବାବଳେ ପ୍ରାକୃତିକ ଦୁର୍ବିପାକକୁ ମୁକାବିଲା କରିବାର ଏକ ବଡ ଏଜେଣ୍ଡା ନବୀନ ବାବୁଙ୍କ ପାଖରେ ରହିଛି। ପଞ୍ଚମ ପାଳିର ନବୀନ ସରକାର ପାଇଁ ପ୍ରଥମ ୧୦୦ ଦିନର ଏଜେଣ୍ଡା କଣ ରହିବ ସେ ବିଷୟରେ ଏକ ଆକଳନ ଆମେ ପ୍ରସ୍ତୁତ କରୁଛୁ-

ପ୍ରଥମ ଦିନରେ “କାଳିଆ” ଯୋଜନା ଲାଗି ପଇସା

ନିର୍ବାଚନ ସମୟରେ ନୂଆ ସରକାର ଗଢା ହେବାର ପ୍ରଥମ ଦିନରେହିଁ “କାଳିଆ” ଯୋଜନା ପାଇଁ ଦ୍ଵିତୀୟ ତାଲିକାର ପଇସା କୃଷକଙ୍କ ବ୍ୟାଙ୍କ ଖାତାରେ ପଇଠ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଗତ ସରକାର ଅତିରିକ୍ତ ବଜେଟରେ ଏଥିଲାଗି ଅର୍ଥ ବରାଦ କରିଥିଲେ ମଧ୍ୟ ନିର୍ବାଚନ ଆଚରଣ ବିଧି ଆଳରେ ନିର୍ବାଚନ କମିଶନ ଏହି ଅର୍ଥକୁ ଅଟକ ରଖିଥିଲେ। ଏଥିପାଇଁ ନିଜେ ମୁଖ୍ୟମନ୍ତ୍ରୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ତୁରନ୍ତ ଚାଷୀ ମାନଙ୍କୁ କାଳିଆ ପଇସା ଦେବାକୁ ଦାବୀ କରିଥିଲେ ମଧ୍ୟ କମିଶନ ତାହା କାର୍ଯ୍ୟକାରୀ କରି ନଥିଲେ। ତେଣୁ ପ୍ରତିଶ୍ରୁତି ମୁତାବକ ନୂଆ ସରକାରର ପ୍ରଥମ ଦିନରେ ଏହା କରାଯିବ ବୋଲି ଆଶା କରାଯାଉଛି।

ରଥଯାତ୍ରା ଆୟୋଜନ ଓ ଶ୍ରୀମନ୍ଦିର ସଂସ୍କାର

“ଫନୀ” ବାତ୍ୟାରେ ଐତିହାସିକ ପୁରୀ ସହର ପୂରା ଛାରଖାର ହୋଇଯାଇଛି। ସହରର ବିଜୁଳି ଓ ପାନୀୟ ଜଳ ବ୍ୟବସ୍ଥା ଏଯାଏ ସ୍ଵାଭାବିକ ହୋଇନାହିଁ। ମାସେ ପାଖାପାଖି ପୁରୀ ସହରବାସୀ ଅନ୍ଧାରରେ ରହିଛନ୍ତି। ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ଭିତରେ ରଥଯାତ୍ରା କେମିତି ସଠିକ ଭାବରେ ଆୟୋଜନ କରାଯିବ ତାହା ଏବେ ସରକାରଙ୍କର ସବୁଠୁ ବଡ ଚିନ୍ତା ହେବାକୁ ଯାଉଛି। ପୁରୀରେ ତୀର୍ଥଯାତ୍ରୀ ଓ ପର୍ୟଟକ ରହିବାର ସବୁ ବ୍ୟବସ୍ଥା ଉଜୁଡି ଯାଇଛି। ହୋଟେଲ ଶିଳ୍ପ ପୂରା ଠପ। ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ, ପାନୀୟ ଜଳ ଓ ଲୋକଙ୍କ ରହିବା ବ୍ୟବସ୍ଥାକୁ ନେଇ ବିରାଟ କାମ ପଡିଛି। ତେଣୁ ନୂଆ ସରକାର ଯୁଦ୍ଧକାଳୀନ ଭିତ୍ତିରେ ରଥଯାତ୍ରା ଆୟୋଜନ ଉପରେ ସର୍ବାଗ୍ରେ ଗୁରୁତ୍ଵ ଦେବେ। ଏହା ସହିତ ମନ୍ଦିର ପରିଚାଳନା ଓ ସେବାୟତଙ୍କୁ ନେଇ ବାରମ୍ବାର ଉପୁଜୁଥିବା ଅସନ୍ତୋଷ ଓ ବିଶ୍ରୂଙ୍ଖଳା ଉପରେ ମଧ୍ୟ ସରକାରଙ୍କୁ କିଛି ଗୋଟାଏ ନିଷ୍ପତ୍ତି ନେବାକୁ ପଡିବ। ତେବେ ସୁପ୍ରିମ କୋର୍ଟର ନିର୍ଦ୍ଦେଶ ଓ ସେବାୟତଙ୍କ ସନ୍ତୋଷ ଭିତରେ ସମନ୍ଵୟ ରଖିବା ସରକାରଙ୍କ ପ୍ରାଥମିକ ଦାୟିତ୍ଵ ହେବ।

ବାତ୍ୟା ପରବର୍ତ୍ତୀ ଓଡିଶା ପୁନର୍ଗଠନ

ବାତ୍ୟାରେ ଉଜୁଡି ଯାଇଥିବା ଭୁବନେଶ୍ୱର, ପୁରୀ, କଟକ ଓ ଖୁର୍ଦ୍ଧା ସହର ସମେତ ଗ୍ରାମାଞ୍ଚଳର ପୁନର୍ଗଠନ ଲାଗି “ଓଡିଶା ନବନିର୍ମାଣ” ପ୍ରକଳ୍ପ ଉପରେ ସରକାର ଗୁରୁତ୍ଵ ଦେବେ। ବିଜୁଳି, ଟେଲି ଯୋଗାଯୋଗ ଓ ପାନୀୟ ଜଳ କ୍ଷେତ୍ରରେ ସରକାର “ଫନି” ରୁ ଅନେକ ଶିକ୍ଷା ପାଇଛନ୍ତି। ଭୂତଳ ବିଦ୍ୟୁତ କେବଲ ବିଛାଇବା ପ୍ରକ୍ରିୟା ଉପରେ ସରକାର ପ୍ରଥମ ଗୁରୁତ୍ଵ ଦେବେ। ହୁଏତ ପ୍ରାକୃତିକ ବିପର୍ୟୟ ମୁକାବିଲା ଲାଗି ଏକ ସ୍ଵତନ୍ତ୍ର ଏକ୍ସନ ପ୍ଳାନ ପ୍ରସ୍ତୁତ କରାଯାଇପାରେ ବୋଲି ଶୁଣାଯାଉଛି। ବାତ୍ୟାରେ କଳିଙ୍ଗ ଷ୍ଟାଡିୟମର ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଉ ଅଳ୍ପ ଦିନ ପରେ ଅଲିମ୍ପିକ୍ସ ହକି ଲାଗି ଚୟନ ମ୍ୟାଚ ଗୁଡିକ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ତେଣୁ ଭୁବନେଶ୍ବରକୁ ପୁଣିଥରେ ସଜାଡିବା ଓ କଳିଙ୍ଗ ଷ୍ଟାଡିୟମର ମରାମତି କାମ ସାରିବା ସରକାରଙ୍କ ସବୁଠୁ ବଡ ଦାୟିତ୍ଵ ହେବ।

ପୌର ନିର୍ବାଚନ ଓ ପାଟକୁରା ଉପ ନିର୍ବାଚନ

ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ପୌର ନିର୍ବାଚନ ହେବା କଥା। ଆଇନଗତ ଅସୁବିଧା କାରଣରୁ ଏହା ଅଟକି ରହିଛି। ବର୍ତ୍ତମାନର ପରିସ୍ଥିତିରେ ସରକାର ତୁରନ୍ତ ପୌର ନିର୍ବାଚନ କରାଇବାକୁ ଚାହିଁବେ। ରାଜ୍ୟରେ ବିଜେଡି ହାୱା ବରକରାର ରହିଥିବାରୁ ଏହାରି ଭିତରେ ପୌର ନିର୍ବାଚନ କରାଇବା ରାଜ୍ୟ ସରକାରଙ୍କ ପ୍ରାଥମିକତା ପାଇପାରେ। ଏହା ସହିତ ବେଦପ୍ରକାଶ ଅଗ୍ରୱାଲାଙ୍କ ମୃତ୍ୟୁ ପରେ ସ୍ଥଗିତ ରହିଥିବା ପାଟକୁରା ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବ। ରାଜନୈତିକ ଦୃଷ୍ଟିରୁ ପାଟକୁରାରେ ବିଜୟ ଲାଗି  ବିଜୟ ମହାପାତ୍ରଙ୍କୁ ହରାଇବାକୁ ପଡିବ। ଆଗାମୀ ଦୁଇ ମାସ ଭିତରେ ପାଟକୁରା ବିଜେଡି ସରକାର ଲାଗି ପ୍ରଥମ ରାଜନୈତିକ ଆହ୍ଵାନ ହେବାକୁ ଯାଉଛି।

Categories
ଆଜିର ଖବର

ରାଜଭବନ ନୁହେଁ, ପ୍ରଦର୍ଶନୀ ପଡିଆରେ ହେବ ନବୀନଙ୍କ ଶପଥ ଗ୍ରହଣ ଉତ୍ସବ, 29 ତାରିଖ ଦିନ 11ଟା 10ରେ ନେବେ ଶପଥ

ସମୀକ୍ଷା ବ୍ୟୁରୋ

ପ୍ରଥମ ଥର ପାଇଁ ନବୀନ ଓଡିଶା ରାଜନୀତିରେ ଏକ ନୂଆ କଥା କରିବାକୁ ଯାଉଛନ୍ତି। ଏଥର ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ଚିରାଚରିତ ରାଜଭବନ ନ ହୋଇ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ। ଏନେଇ ବିଜୁ ଜନତା ଦଳ ତରଫରୁ ଆରମ୍ଭ ହୋଇଯାଇଛି ବ୍ୟାପକ ପ୍ରସ୍ତୁତି। 29 ତାରିଖ ଦିନ 11ଟ 10 ମିନିଟ୍ ରେ ନବୀନ ଶପଥ ନେବେ ବୋଲି ସମୟ ନିର୍ଦ୍ଧାରିତ ହୋଇଛି। ପଞ୍ଚମ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିବାରୁ ଏହାକୁ ବେଶ ଯାକଜମକରେ କରିବା ପାଇଁ ବିଜେଡି ଆଗ୍ରହ ପ୍ରକାଶ କରିଛି। ରାଜଭବନ ଭିତରେ ଥିବା ଖୋଲା ସ୍ଥାନରେ ଏହି ଶପଥ ଗ୍ରହଣ କରିବାରେ ଅସୁବିଧା ସୃଷ୍ଟି ହେଉଛି। 2014 ମସିହାରେ ନବୀନ ରାଜଭବନ ଭିତରେ ଥିବା ଖାଲି ସ୍ଥାନରେ ଶପଥ ନେଇଥିଲେ। ତେବେ ରାଜଭବନ ଭିତରକୁ ପ୍ରବେଶ କରିବା କଟକଣା ଥିବାରୁ ଏହି ଶପଥ ଗ୍ରହଣ ଉତ୍ସବକୁ ବହୁ ଅତିଥି ଯାଇ ପାରନ୍ତି ନାହିଁ। ପଞ୍ଚମ ପାଳିରେ ଯେପରି ବହୁ ସଂଖ୍ୟାରେ ଅତିଥି ଆସିବେ ସେଥିପାଇଁ ଦଳ ପ୍ରଦର୍ଶନୀ ପଡିଆରେ ସମାରୋହ କରିବାକୁ ନିଷ୍ପତି କରିଛି।

Categories
ବିଶେଷ ଖବର

ବିନା ବିଶ୍ଵାସଘାତକତାରେ ରାଜନୀତିର କାହାଣୀ କାହିଁ- ନବୀନ ବନାମ ବୈଜୟନ୍ତ କାହାଣୀରେ ବିଶ୍ଵାସଘାତକତାର ନୂଆ ଟୁଇଷ୍ଟ

କେଦାର ମିଶ୍ର

ଯୁଗେ ଯୁଗେ ରାଜନୀତି ଓ ବିଶ୍ଵାସଘାତକତା ହାତ ଧରାଧରି ହୋଇ ଚାଲିଛନ୍ତି। ସିଂହାସନ ଲାଗି ବିଶ୍ଵାସଘାତକତାର ସୁଦୀର୍ଘ ଇତିହାସ ଆମେ ପଢିଛୁ। କ୍ଷମତା ଲାଗି ସବୁ କିଛି କରାଯାଇପାରେ ବୋଲି ଆମେ ବୁଝିଛୁ। ଗଣତନ୍ତ୍ରରେ ବିଶ୍ଵାସଘାତକତାର ଚେହେରା ଯଦିଓ ବଦଳିଛି, ଚରିତ୍ର କିନ୍ତୁ ସମାନ ରହିଛି। ଆଜି ବି କ୍ଷମତା ଆଗରେ ସବୁକିଛି ତୁଚ୍ଛ ଓ ନଗଣ୍ୟ। ରାଜନୀତିର ନିର୍ଦ୍ଦୟ ଖେଳରେ କିଏ କେତେବେଳେ କାହାର ବିଶ୍ଵାସ ଭାଙ୍ଗିବ ତାହାର ଆକଳନ କରିବା ସମ୍ଭବ ନୁହେଁ। ନିର୍ବାଚନ ସମୟରେ ବିଶ୍ଵାସଘାତକତା ଓ ବିଶ୍ବାସର ସଉଦା କେମିତି ହୁଏ, ତାହା ଦେଖିବାକୁ ହେଲେ ଆମର ରାଜନୈତିକ ଦଳ ମାନଙ୍କର ଇତିହାସ ଆମକୁ ଆଡେଇବାକୁ ପଡିବ। ଇତିହାସକୁ ନଯାଇ ଆମ ନିଜ ଆଖି ଆଗର ରାଜନୀତିକୁ ଦେଖିବା ଆସନ୍ତୁ। ମନେ ପକାନ୍ତୁ,  ୨୯, ମଇ, ୨୦୧୨ ର ଓଡିଶା ଖବର କୁ। ସେଦିନ ଓଡିଶାର ସବୁଠୁ ବଡ ଟେଲିଭିଜନ ଚାନେଲରେ ଦେଖିବାକୁ ମିଳିଲା ଭୁବନେଶ୍ୱର ଶହୀଦ ନଗରରୁ ଏକ ବିଚିତ୍ର ରାଜନୈତିକ ନାଟକର ସିଧା ପ୍ରସାରଣ। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଣ୍ଡନ ଗସ୍ତରେ ଥିବାବେଳେ ତାଙ୍କର ଅନୁପସ୍ଥିତିରେ ତାଙ୍କୁ ଗାଦିଚ୍ୟୁତ କରିବାର ଷଡଯନ୍ତ୍ର ରଚନା କରାଯାଉଥିବାର ସବିଶେଷ ବିବରଣୀ ସେତେବେଳେ ଆମେ ଓଡିଶା ଟେଲିଭିଜନରେ ଦେଖିଛୁ। କହିବା ବାହୁଲ୍ୟ ଯେ, ଓଡିଶା ଟେଲିଭିଜନ ବା ଓ ଟିଭି ର ମାଲିକ ହେଉଛନ୍ତି ଆଜିର ବିଜେପି ନେତା ଓ ସେଦିନର ବିଜେଡି ନେତା ବୈଜୟନ୍ତ ପଣ୍ଡା।

ସେଦିନ  ବୈଜୟନ୍ତଙ୍କ ଓ ଟିଭି ସେ ଘଟଣାର ମୁଖ୍ୟ ନାୟକ ପ୍ୟାରୀ ମୋହନ ମହାପାତ୍ରଙ୍କୁ ସବୁଠୁ ବଡ ବିଶ୍ଵାସଘାତକ ବୋଲି ଚିତ୍ରିତ କରିଥିଲା। ପରବର୍ତ୍ତୀ ସମୟରେ ପ୍ୟାରୀ ବାବୁ ଯେତେ ସଫେଇ ଦେଲେ ମଧ୍ୟ ତାଙ୍କ କଥା ଆଉ କେହି ଶୁଣିନଥିଲେ। ବିଶ୍ଵାସଘାତକ ର ଅପବାଦ ନେଇ ପ୍ୟାରୀ ବାବୁ ଇହଧାମରୁ ଚାଲିଗଲେ। ନବୀନ ପଟ୍ଟନାୟକ, ଯିଏ ନିଜ ବିରୋଧୀଙ୍କ ପ୍ରତି ମଧ୍ୟ ସାଧାରଣରେ ଶାଳୀନ ବ୍ୟବହାର ପ୍ରଦର୍ଶନ କରିଥାନ୍ତି, ସେ ବୋଧେ ପ୍ରଥମ ଥର ଲାଗି ପ୍ୟାରୀ ବାବୁଙ୍କ ପ୍ରତି “ବେଇମାନ” ଶବ୍ଦର ପ୍ରୟୋଗ କରିଥିଲେ। ଆଜି ପ୍ୟାରୀ ବାବୁଙ୍କ ଆତ୍ମା ଯଦି କେଉଁଠି ଥିବ, ସେ ନିଶ୍ଚୟ ଟିକେ ଆଶ୍ବସ୍ତ ହେଉଥିବ। ଏକଦା ଯେଉଁ ଟିଭି ଚାନେଲ ର ମାଲିକ ତାଙ୍କର ବିଶ୍ଵାସଘାତକତାକୁ ନେଇ ଘଣ୍ଟା ଘଣ୍ଟାର କାହାଣୀ ଗଢୁଥିଲା, ସେ ଚାନେଲର ମାଲିକ ଆଜି ଖୋଦ ବିଶ୍ଵାସଘାତକ ହେବାର ଅପବାଦ ମୁଣ୍ଡାଇବାକୁ ବାଧ୍ୟ ହୋଇଛନ୍ତି।

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଓ ପରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଭଲ ନଥିବାର ଏକ ଗୁଜବ ସବୁଠି ଖେଳିବୁଲୁଥିଲା। ପ୍ରତିଷ୍ଠିତ ଡିଜିଟାଲ ସଂସ୍ଥା କୋବ୍ରା ପୋଷ୍ଟ ଏ ପ୍ରସଙ୍ଗରେ ଏକ ବିଶେଷ ଖବର ମଧ୍ୟ ପରିବେଷଣ କରିଥିଲା। କେବେ କେମିତି ଦେହ ଖରାପ ହେବାର ସାଧାରଣ ପ୍ରକ୍ରିୟା ବ୍ୟତୀତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସ୍ଵାଭାବିକ କାମ କରିଚାଲିଛନ୍ତି। ତା ସତ୍ତ୍ୱେ ଏ ପ୍ରକାର ଗୁଜବ ରଟନା କଲା କିଏ ଓ କାହିଁକି ? ଘଟଣା ଘଟିବାର ଅନେକ ବର୍ଷ ପରେ ଗତକାଲି ନବୀନ ବାବୁ ନିଜର ପାଟି ଖୋଲିଛନ୍ତି ଓ ଦଳର ଜଣେ ପୂର୍ବତନ ସାଂସଦ ଏ ପ୍ରକାର ଗୁଜବ ପ୍ରସାରିତ କରିଥିଲେ ବୋଲି କହିଛନ୍ତି। ଏନଡି ଟିଭିର ଶ୍ରୀନିବାସ ଜୈନଙ୍କୁ ଦେଇଥିବା ଏକ ସ୍ଵତନ୍ତ୍ର ସାକ୍ଷାତ୍କାରରେ ନବୀନ କହିଛନ୍ତି ଯେ, ତାଙ୍କର ପୂର୍ବତନ ସହଯୋଗୀ ବୈଜୟନ୍ତ ପଣ୍ଡା ନିଜର ବ୍ୟକ୍ତିଗତ ରାଜନୈତିକ ଉଚ୍ଚାଭିଳାଷ ଲାଗି ଏ ପ୍ରକାର ମିଛ ଖବର ପ୍ରସାରିତ କରାଇଥିଲେ । ସାଧାରଣତଃ ବ୍ୟକ୍ତିଗତ ପ୍ରସଙ୍ଗକୁ ସାଧାରଣରେ ଆଲୋଚନା କରୁନଥିବା ନବୀନ, ପ୍ରଥମ ଥର ଲାଗି ଏମିତି ଏକ ମନ୍ତବ୍ୟ ରଖିଛନ୍ତି।

ନବୀନଙ୍କ ବିରୋଧରେ ବୈଜୟନ୍ତଙ୍କ ଷଡଯନ୍ତ୍ରକୁ ନେଇ ଏହା ପୂର୍ବରୁ ବିଭିନ୍ନ କ୍ଷମତା ଅଳିନ୍ଦରେ ଚର୍ଚ୍ଚା ହେଉଥିଲା। ଏହାକୁ ନେଇ ବହୁ ରୋଚକ କାହାଣୀ ମଧ୍ୟ ଶୁଣାଯାଉଥିଲା। ତେବେ ଏ ପ୍ରସଙ୍ଗରେ ନିଜେ ମୁଖ୍ୟମନ୍ତ୍ରୀ ବା ବିଜୁ ଜନତା ଦଳ କେବେ କିଛି କହିନଥିଲେ। ହଠାତ ଏ ପ୍ରସଙ୍ଗ ଉଠିବା ଓ ତାହା ପୁଣି ନିର୍ବାଚନର ଠିକ ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବା, ବୈଜୟନ୍ତଙ୍କୁ ଅଡୁଆରେ ପକାଇଛି। ନିଜର ପ୍ରାରମ୍ଭିକ ମାପଚୁପ ପ୍ରତିକ୍ରିୟାରେ ବୈଜୟନ୍ତ ଟୁଇଟ କରି ଲେଖିଛନ୍ତି- “ଏହା ମିଥ୍ୟା ଓ ଅବାଞ୍ଛିତ କଥା। ମୋ ବିଷୟରେ ନବୀନଙ୍କ ଏ ପ୍ରକାର ଭୟ ଦୁଃଖଦାୟକ।  ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ସେ ଏ ପ୍ରକାର ନିର୍ବୋଧ ଷଡଯନ୍ତ୍ରର ଚିନ୍ତାରୁ ନିବୃତ୍ତ ହେବାର ଜ୍ଞାନ ତାଙ୍କୁ ମିଳୁ ଓ ସେ ସୁସ୍ଥ ଓ ଦୀର୍ଘଜୀବୀ ରହିଥାନ୍ତୁ। “ ତେବେ ଏ ପ୍ରକାର ପ୍ରତିକ୍ରିୟାରୁ ମୁଖ୍ୟମନ୍ତ୍ରୀ ଉଠାଇଥିବା ପ୍ରସଙ୍ଗ ନିଜର ଓଜନ ହରାଇବ କି?  ବୈଜୟନ୍ତ ଯେ ବିଜେଡ଼ିରୁ କୌଣସି ବୈଚାରିକ କାରଣରୁ ନୁହଁ, ବରଂ ଦଳ ମୁଖ୍ୟଙ୍କ ବିରୋଧରେ ଷଡଯନ୍ତ୍ର କରିଥିବାରୁ ଦଳ ତାଙ୍କୁ ନିଷ୍କାସିତ କରିଛି, ଏ ପ୍ରକାର ଖବର ଏବେ ବିଜୁଳି ବେଗରେ ଖେଳି ବୁଲୁଛି। ବୈଜୟନ୍ତଙ୍କ “ବିଶ୍ଵାସଘାତକତା” ଏବେ ସର୍ବ ସାଧାରଣରେ ଚର୍ଚ୍ଚାର ବିଷୟ କରି ଦିଆଯାଇଛି। ଯେତେବେଳେ ଖୋଦ ନବୀନ ଏକଥା କହୁଛନ୍ତି, ତାକୁ ଗାଲୁଆମିରେ ଉଡାଇଦେବା ସମ୍ଭବ ନୁହେଁ। ତେଣୁ ଏ ନୂଆ ରାଜନୈତିକ ପ୍ରସଙ୍ଗରେ “ବିଶ୍ଵାସଘାତକତା ଓ ବେଇମାନି” ପ୍ରସଙ୍ଗ ଏବେ ମୁଖ୍ୟ ହୋଇପଡିବ। ଏ ବିଶ୍ଵାସଘାତକତା କେବଳ ନବୀନଙ୍କ ପ୍ରତି ନୁହଁ, ବରଂ ବିଜୁ ପରିବାର ପ୍ରତି ବୋଲି ଏକ ବାର୍ତ୍ତା ଦିଆ ସରିଛି। ଆଗାମୀ ନିର୍ବାଚନରେ ଏହି ଅପବାଦକୁ ବୈଜୟନ୍ତ କେମିତି ସାମ୍ନା କରୁଛନ୍ତି, ତାହା ସମୟକ୍ରମେ ଜଣା ପଡିବ ।