ଭୁବନେଶ୍ବର : ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR)କୁ ନେଇ କଂଗ୍ରେସର ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜ ସ୍ୱାର୍ଥ ଓ ଦେଶରେ ଅରାଜକତା ସୃଷ୍ଟି କରିବା ପାଇଁ କଂଗ୍ରେସ ନିର୍ବାଚନ କମିଶନଙ୍କୁ ବଦନାମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, କଂଗ୍ରେସ ନିଜ ସ୍ୱାର୍ଥ ପାଇଁ ନିର୍ବାଚନ କମିଶନଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି । ଯୋଗ୍ୟ ନାଗରିକଙ୍କ ନାଁ ଯେପରି ବାଦ୍ ନପଡ଼େ ଏବଂ ଅଯୋଗ୍ୟ ନାଁ ସାମିଲ ନହୁଏ। ଏହା ଡିଜିଟାଲ୍ ଓ ଘରକୁ ଘର ସତ୍ୟାପନ ପ୍ରକ୍ରିୟାରେ ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଡ୍ରାଫ୍ଟ ତାଲିକାରୁ ବାଦ୍ ପଡ଼ିଥିବା ୨୦.୧୩ ଲକ୍ଷ ଭୋଟରଙ୍କ ମଧ୍ୟରେ ମୃତ, ସ୍ଥାନାନ୍ତରିତ ଓ ଏକାଧିକ ସ୍ଥାନରେ ପଞ୍ଜୀକୃତ ବ୍ୟକ୍ତି ଅଛନ୍ତି; ଏହା ସାଧାରଣ ପ୍ରକ୍ରିୟାର ଅଂଶ। ମୂଳ Form-6ରେ କୌଣସି ପରିବର୍ତ୍ତନ ହୋଇନାହିଁ, କେବଳ ଅତିରିକ୍ତ ଘୋଷଣାପତ୍ର ଯୋଡ଼ାଯାଇଛି। ନୂଆ ଭୋଟରଙ୍କ ପାଇଁ ପଞ୍ଜୀକରଣ ସହଜ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କଂଗ୍ରେସକୁ କଟାକ୍ଷ କରି ମୁଖ୍ୟମନ୍ତ୍ରୀ “ଚାଲୁଣି କହୁଛି ଛୁଞ୍ଚିକୁ” ଓ “ଗୋଳିଆ ପାଣିରୁ ମାଛ ଧରିବାକୁ ଚେଷ୍ଟା କରାଯାଉଛି” ବୋଲି କହିବା ସହ ଦଳ ଆଉ ଶାସନକୁ ଫେରିପାରିବ ନାହିଁ ବୋଲି କହିଛନ୍ତି।


