Categories
ଆଜିର ଖବର

ବାରିପଦା ବିଧାନସଭା ପାଇଁ ସରୋଜିନୀ ହେମ୍ବ୍ରମ୍‌ଙ୍କୁ ପ୍ରାର୍ଥୀ କଲା ବିଜେଡ଼ି   

ବାରିପଦା ବିଧାନସଭା ପାଇଁ ଆଜି ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି। ସରୋଜିନୀ ହେମ୍ବ୍ରମଙ୍କୁ ମୟୂରଭଞ୍ଜ ଜିଲାର ବାରିପଦାରୁ ବିଜେଡ଼ି ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ ମିଳିଛି। ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ବିଜେଡ଼ି ମୋଟ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୧୪୬ଟି ବିଧାନସଭା ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ କେବଳ  କେନ୍ଦ୍ରାପଡ଼ା ବିଧାନସଭା ପ୍ରାର୍ଥୀ ଘୋଷଣା ପାଇଁ ବାକି ରହିଛି। ବାରିପଦା ପାଇଁ ଦଳ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍‌ଙ୍କୁ ପ୍ରାର୍ଥୀ କରିଛି। ଗତଥର ଏଠାରୁ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଏହି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏଥର ନିର୍ବାଚନରେ ବିଜେଡ଼ି ସରୋଜିନୀ ହେମ୍ବ୍ରମଙ୍କୁ ମିଶାଇ ମୋଟ ୬ ଜଣ ରାଜ୍ୟସଭା ସାଂସଦଙ୍କୁ ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ କରାଇଛି। ସେଥିରୁ ସରୋଜିନୀଙ୍କୁ ବାରିପଦା ବିଧାନସଭା, ସୌମ୍ୟରଂଜନ  ପଟ୍ଟନାୟକଙ୍କୁ ଖଣ୍ଡପଡ଼ା ବିଧାନସଭା ଓ ପ୍ରତାପ ଦେବଙ୍କୁ ଆଳି ବିଧାନସଭା ଟିକେଟ ଦିଆଯାଇଛି। ସେହିପରି ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବରଗଡ଼ ଓ ଅଚ୍ୟୁତ ସାମନ୍ତଙ୍କୁ କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )