Categories
ବିଶେଷ ଖବର

କଂଗ୍ରେସ ଓ ବିଜେପିର ପୁରୁଣା ମୁହଁ ବନାମ ବିଜେଡ଼ିର ନୂଆ ମୁହଁ, କିଏ କାହାକୁ ଚକମା ଦେବ?

କେଦାର ମିଶ୍ର

୧୯୯୮ ମସିହାରେ ବିଜୁ ଜନତା ଦଳ ଗଠନ ହେବା ପରଠୁ ଏହି ଦଳ ନିରନ୍ତର ଭାବରେ ଓଡିଶାର ସବୁ ନିର୍ବାଚନ ଜିଣି ଆସୁଛି। ୨୦ ବର୍ଷରୁ ଅଧିକ କାଳ କେନ୍ଦ୍ର(ନବୀନ ବାବୁ ପ୍ରଥମେ ବାଜପାୟୀ ସରକାର ରେ ମନ୍ତ୍ରୀ ଥିଲେ ଏବଂ ୨୦୦୪ ପର୍ୟନ୍ତ  ବିଜେଡି ଏନଡିଏ ସରକାରର ଅଂଶୀଦାର ଥିଲା) ଓ ରାଜ୍ୟରେ କ୍ଷମତା ଭୋଗ କରିଥିବା ବିଜେଡି ରେ ସ୍ଵାଭାବିକ ଭାବରେ ପୁରୁଣା ତଥା ଅଭିଜ୍ଞ ନେତାଙ୍କ ଭିଡ ରହିବା ଉଚିତ ହୁଅନ୍ତା। କିନ୍ତୁ ବାସ୍ତବ କ୍ଷେତ୍ରରେ ଦେଖା ଯାଉଛି, ବିଜେଡିରେ ଏବେ ପୁରୁଣାଙ୍କର ଆଉ କୌଣସି ଭୂମିକା ରହୁନାହିଁ। ଏବେ ବିଜେଡ଼ିର ଅଳ୍ପ କେତେଜଣ ମନ୍ତ୍ରୀଙ୍କୁ ବାଦ ଦେଲେ ଏହା ମୁଖ୍ୟତଃ ତରୁଣ ଓ ମଧ୍ୟବୟସ୍କଙ୍କର ଏକ ଦଳ। ଅପର ପକ୍ଷରେ ବିରୋଧୀ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସରେ ଏବେ ମଧ୍ୟ ପୁରୁଣା ନେତାଙ୍କର ରାଜୁତି ଚାଲିଛି। କ୍ଷମତାରେ ନଥିବା ଦଳକୁ ଶକ୍ତିଶାଳୀ କରିବାକୁ ହେଲେ ନୂଆ ପ୍ରଜନ୍ମର ନେତା ବାହାରିବା ନିହାତି ଜରୁରୀ। ବିଜେପି ଓ କଂଗ୍ରେସ ଗତ ଦଶ ବର୍ଷ ଭିତରେ ପ୍ରଭାବଶାଳୀ ନୂଆ ମୁହଁ ତିଆରି କରିବାରେ ବିଫଳ ହୋଇଛନ୍ତି।

ଆମେ କେବଳ ଆଗାମୀ ନିର୍ବାଚନର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରୁ ଏହି ପ୍ରସଙ୍ଗକୁ ବିଶ୍ଳେଷଣ କରିବା । ଉଭୟ ବିଜେପି ଓ କଂଗ୍ରେସର ସମ୍ଭାବ୍ୟ ଲୋକସଭା ତଥା ବିଧାନସଭା ପ୍ରାର୍ଥୀ କିଏ ହେବେ ତାର କିଛି ତାଲିକା ଏବେ ଜନ ସାଧାରଣରେ ଚର୍ଚ୍ଚିତ ହେଉଛି। କଂଗ୍ରେସ ଆଜି ମଧ୍ୟ ଶରତ ପଟ୍ଟନାୟକ, କାମାକ୍ଷା ପ୍ରସାଦ ସିଂ ଦେଓ, ଜଗନ୍ନାଥ ପଟ୍ଟନାୟକ, ଭକ୍ତ ଚରଣ ଦାସ, ପଂଚାନନ କାନୁନଗୋ, ଅନନ୍ତ ପ୍ରସାଦ ସେଠୀ, ବିଭୁ ପ୍ରସାଦ ତରାଇଙ୍କ ପରି ପୁରୁଖା ନେତାଙ୍କ କାନ୍ଧ ଉପରେ ନିର୍ଭର କରୁଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ପାଇଁ ଏକ ତରୁଣ ଶକ୍ତି ନିର୍ମାଣ କରିପାରିନାହାନ୍ତି। ଯେଉଁ ଜଣେ ଦୁଇ ଜଣ ତରୁଣ ନେତା କଂଗ୍ରେସ ଟିକଟରେ ଲୋକସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଚାଲିଛି, ସେମାନେ ବିଭିନ୍ନ ରାଜନୈତିକ ପରିବାରରୁ ଆସିଛନ୍ତି। ପିସିସି ସଭାପତି ଓ ବିରୋଧୀ ଦଳ ନେତାଙ୍କ ପୁଅଙ୍କ ନାମ ଏଇ ତାଲିକାରେ ରହିଛି।

ବିଜେପି ନିଜକୁ ଯୁବା ଶକ୍ତିର ପ୍ରତୀକ ବୋଲି କହୁଥିଲେ ମଧ୍ୟ ଏହି ଦଳର ମୁଖ୍ୟ ଆସନ ମାଡି ବସିଥିବା ନେତାଏ ଓ ଟିକଟ ଆଶାୟୀମାନେ ଆଜି ମଧ୍ୟ ପୁରୁଣା। ଏହାର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଆଜି ବି ସେଇ ପୁରୁଣା ନାମ ଗୁଡିକର ପ୍ରାଧାନ୍ୟ ରହିଛି। ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ଅନନ୍ତ ନାୟକ, ବସନ୍ତ ପଣ୍ଡା, ପର୍ଶୁରାମ ମାଝୀ, ରୁଦ୍ର ପାଣି, ସୁରେଶ ପୂଜାରୀ, ସଂଗୀତା ସିଂ ଦେଓ, ଜୟରାମ ପାଙ୍ଗିଙ୍କ ଭଳି ପୁରୁଣା ଓ  ବାରମ୍ବାର ହାରିଥିବା ନେତାଙ୍କୁ (ଅବଶ୍ୟ କିଛି ବିଜେଡ଼ିରୁ ଆମଦାନୀ ହୋଇଥିବା ବିଜୟୀ ନେତା ମଧ୍ୟ ଅଛନ୍ତି)  ନେଇ ବିଜେପି ନିଜର ସଫଳତା ହାସଲ କରିବ ବୋଲି ଭାବୁଛି।

ତେବେ ଏମାନଙ୍କ ରଣନୀତିଠୁ ବିଜେଡି ପୂରାପୂରି ଅଲଗା।  ବିଜେଡି ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଏବେ ଅନେକ ନୂଆ ମୁହଁ ସ୍ଥାନ ପାଇବାର ସମ୍ଭାବନା ରହିଛି। ତଥାଗତ ଶତପଥି, ବିଜୟଶ୍ରୀ ରାଉତରାୟ ଙ୍କ ପରି ବିଜେଡ଼ିର ପୁରୁଣା ନେତାମାନେ ନିଜ ତରଫରୁ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି କହିସାରିଲେଣି। ବିଜେଡି ଲୋକସଭା ପାଇଁ ପ୍ରାୟ ନବେ ଭାଗ ନୂଆ ମୁହଁ କଥା ଭାବୁଥିବା ବେଳେ ବିଧାନସଭା ପାଇଁ ୪୦-୫୦% ଯୁବକ ଓ ମହିଳାଙ୍କୁ ସୁଯୋଗ ଦେବ ବୋଲି କୁହାଯାଉଛି। ବିଜେଡ଼ିର ଦଳୀୟ ସଙ୍ଗଠନରେ ମଧ୍ୟ ଏବେ ନୂଆ ମୁହଁ ମାନଙ୍କର ଭୂମିକା ବଢି ଚାଲିଛି। ଦଳ ଭିତରକୁ ପ୍ରତି ଦିନ ନୂଆ ଲୋକ ଆସୁଛନ୍ତି। ବିଜେପି ଭିତରକୁ ଅଧିକରୁ ଅଧିକ ବିଜେଡ଼ିରୁ ବିତାଡିତ କିମ୍ବା ଅସନ୍ତୁଷ୍ଟ ନେତା ପ୍ରବେଶ କରୁଥିବା ବେଳେ ବିଜେଡିରେ ଏବେ ପୂର୍ବତନ ପ୍ରଶାସକ ଓ ତୃଣମୂଳ ସ୍ତରର କର୍ମୀମାନେ ପ୍ରବେଶ କରୁଛନ୍ତି।

ନୂଆ ଭୋଟରଙ୍କୁ ପୁରୁଣା ମୁହଁ ଦ୍ଵାରା ପ୍ରଭାବିତ କରିବା ସହଜ ନୁହେଁ। ନେତା ଭାବରେ ହୁଏତ ନବୀନ ପଟ୍ଟନାୟକ, ଧର୍ମେନ୍ଦ୍ର ପ୍ରଧାନ ଓ ନିରଞ୍ଜନ ପଟ୍ଟନାୟକଙ୍କ ଲୋକପ୍ରିୟତା ରହିଛି। ହେଲେ ନିର୍ବାଚନ ଲଢିବା ପାଇଁ ନୂଆ ଶକ୍ତି ଓ ନୂଆ ମୁହଁ ଯାହାର ଅଧିକ ରହିବ,  ସେମାନଙ୍କ ପକ୍ଷରେ ନିର୍ବାଚନ ଜିଣିବା ସହଜ ହେବ।

Categories
ବିଶେଷ ଖବର

ପିସିସି ର ଦୁରବସ୍ଥା; ବୁଡି ଯାଉଥିବା ଜାହାଜର କପ୍ତାନ ନିରଞ୍ଜନ ପଟ୍ଟନାୟକ, ଏବେ କରିବେ କଣ?

କେଦାର ମିଶ୍ର

କଂଗ୍ରେସର ଜାହାଜ ବୁଡି ଯାଉଛି, କିନ୍ତୁ ଜାହାଜର କପ୍ତାନ କହୁଛନ୍ତି, ନା – ଆମର କିଛି ହୋଇନି। ମୂଷା ମାନେ ଡେଇଁ ସାରିଲେଣି। ଯିଏ ଯୁଆଡେ ଯିବା କଥା ଫେରାର ମାରିଲେଣି। କପ୍ତାନ ନିରଞ୍ଜନ ପଟ୍ଟନାୟକ କିନ୍ତୁ ନିଜ ମଙ୍ଗକୁ ଆଣ୍ଟ କରି ଭିଡିଛନ୍ତି। କିଛି କିଛି ମୂଷାଙ୍କୁ ବରଖାସ୍ତ ମଧ୍ୟ କରୁଛନ୍ତି। ଗତ କାଲି  ଦଳର ଦୁଇଜଣ ତଗଡା ମୂଷାଙ୍କୁ ଜାହାଜରୁ ବହିଷ୍କାର କରି କପ୍ତାନ ପ୍ରମାଣିତ କରିବାକୁ  ଚେଷ୍ଟା କରିଛନ୍ତି ଯେ, ଏବେବି ଜାହାଜର ସବୁ କ୍ଷମତା ତାଙ୍କ ହାତରେ ରହିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରା ଯାଇଛି। ତେବେ ଯେଉଁ ଦଳର ଅସ୍ତିତ୍ଵ ଆଜି ସଙ୍କଟରେ ସେ ଦଳରୁ ବହିଷ୍କୃତ ହେବା ଗୋଟେ ସୁଯୋଗ ହୋଇପାରେ। ଶ୍ରୀକାନ୍ତ ଓ କୃଷ୍ଣ ଗତ କିଛି ମାସ ହେଲାଣି କଂଗ୍ରେସର ଯାହା କ୍ଷତି କରିବା କଥା କରିସାରିଛନ୍ତି।

ଦଳର ଜଣେ ପରେ ଜଣେ ବିଧାୟକ କଂଗ୍ରେସ ଛାଡୁଛନ୍ତି। ନବ ଦାସ ଓ ଯୋଗେଶ ସିଂଙ୍କ ପରେ ପ୍ରକାଶ ବେହେରା, ପ୍ରଫୁଲ୍ଲ ମାଝୀ ଓ ଆଉ କିଛି ବିଧାୟକ ଦଳ ଛାଡି ପାରନ୍ତି। ଦଳରୁ ଇସ୍ତଫାର ସୁଅ ଛୁଟୁଛି। ସେଥିରେ ଦଳକୁ ସଜାଡି ହେବ କେମିତି? ବୁଡି ଯାଉଥିବା ଜାହାଜର କପ୍ତାନ ନିଜର ଦମ୍ଭ ଯେତେ ଦେଖାଇଲେ ମଧ୍ୟ, ତାର କିଛି ପ୍ରଭାବ ଜାହାଜର ଭାଗ୍ୟ ଉପରେ ପଡେ ନାହିଁ। ଜାହାଜ ବୁଡୁଥାଏ, ଲୋକେ ଡିଆଁ ଡେଇଁ କରୁଥାନ୍ତି, ହେଲେ କପ୍ତାନ କହୁଥାଏ, ଅପେକ୍ଷା କର, ସବୁକିଛି ଠିକ ହୋଇଯିବ। କଂଗ୍ରେସର ଅବସ୍ଥା ଏବେ ଠିକ ସେମିତି।

ତେବେ କଂଗ୍ରେସର ଏ ବିପର୍ଯୟ ପାଇଁ ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟୀ କରାଯାଇ ପାରିବ ନାହିଁ। ନିରଞ୍ଜନ ବାବୁ ପିସିସି ସଭାପତି ହେବାର ବହୁତ ଆଗରୁ କଂଗ୍ରେସର ମରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା। ବରଂ ସଭାପତି ହେବା ପରେ ନିରଞ୍ଜନ ବାବୁ ସେ ପ୍ରକ୍ରିୟାକୁ କିଛିଟା ଅଟକେଇ ପାରିଥିଲେ। ସଭାପତି ଦାୟିତ୍ଵ ନେବା ପରେ  ପ୍ରଥମ ତିନିମାସ, କଂଗ୍ରେସକୁ ନୂଆ ଉତ୍ସାହ ଦେବାରେ ନିରଞ୍ଜନଙ୍କର ବେଶ ଅବଦାନ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜର ଅନୁଗତ ମାନଙ୍କୁ ନେଇ ଯେଉଁ ଟିମ ଗଢିଲେ, ସେଥିରୁ ଅନେକ ହେଉଛନ୍ତି, ଆଜିର ରାଜନୀତିରେ ଅଚଳ ଦୋ ଆଣି। ଦଳର ସଙ୍ଗଠନକୁ ମଜବୁତ କରିବା ଲାଗି ନୂଆ ସମୟର ଯେଉଁ ଆହ୍ଵାନ ଥିଲା, ତାକୁ ବୁଝିବାରେ ନିରଞ୍ଜନ ବାବୁ ସଫଳ ହେଲେ ନାହିଁ। ଏମିତିରେ ବି ଓଡିଶା ପାଇଁ କଂଗ୍ରେସର ଆହ୍ଵାନ ଅଲଗା ଥିଲା। ଏଠି ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ସହିତ ସମାନ୍ତରାଳରେ କଂଗ୍ରେସକୁ ଲଢିବାର ଥିଲା। ଗତ କୋଡିଏ ବର୍ଷ ଧରି ସବୁ ନିର୍ବାଚନରେ ପରାସ୍ତ ହୋଇ ହୋଇ ଦଳର ମନୋବଳ ପୂରା ଭାଙ୍ଗି ସାରିଥିଲା। ସେଥିରେ ଦଳର ସଂଗଠନ ଓ ଶକ୍ତିକୁ ଉଜ୍ଜୀବିତ କରିବା ଛୋଟିଆ କଥା ନୁହେଁ।

ନିରଞ୍ଜନ ବାବୁ ଚେଷ୍ଟା କରିଛନ୍ତି। ଅଶି ବର୍ଷ ବୟସ ଟପି ସାରିଥିଲେ ମଧ୍ୟ ଯୁବକ ଭଳି ପରିଶ୍ରମ କରିଛନ୍ତି ଓ କରୁଛନ୍ତି। ହେଲେ ଏ ପରିଶ୍ରମର କିଛି ମୂଲ୍ୟ ମିଳୁନି। ଦଳର ଜାହାଜ ଏବେ ଚାଲୁଣି ପରି। ସବୁଠି ଶତ ସହସ୍ର କଣା। ପାଣି ପଶି ଆସୁଛି ଜାହାଜ ଭିତରକୁ। କପ୍ତାନ କହୁଛନ୍ତି, କଣା ପୋତିବେ, ପାଣି ପଶିବା ବନ୍ଦ ହୋଇଯିବ। ହେଲେ ବନ୍ଦ ହେବା ପରିବର୍ତ୍ତେ ଘଳିଆ ସଂଖ୍ୟା ବଢୁଛି। ଏବେ ଜାହାଜ ବୁଡିବ, ଏକଥା କପ୍ତାନ ଓ ତାଙ୍କର ନାବିକ ମାନେ ଜାଣି ସାରିଲେଣି। ତଥାପି ବିଭିନ୍ନ ଯୋଜନା ଚାଲିଛି ଶେଷ ମୁହୂର୍ତ୍ତରେ ଜାହାଜକୁ ବଞ୍ଚାଇବା ପାଇଁ।

ଯେତେବେଳେ ଖରାପ ସମୟ ଆସେ ସେତେବେଳେ ସବୁ ନିଷ୍ପତ୍ତିର ପରିଣତି ମଧ୍ୟ ଖରାପ ସାବ୍ୟସ୍ତ ହୁଏ। ପିସିସି ସଭାପତି ହେବାପରେ ନିରଞ୍ଜନ ବାବୁ ନିଜର ଏକ ପ୍ରଭାବଶାଳୀ ମିଡିଆ ଟିମ ଗଢିବାକୁ ଚେଷ୍ଟା କରିଥିଲେ। କିନ୍ତୁ ରାଜ୍ୟ କଂଗ୍ରେସର ମିଡିଆ ଟିମ ବହ୍ଵାଡମ୍ବରେ ଲଘୁ କ୍ରିୟାର ଗୋଟେ ସଫଳ ଉଦାହରଣ। ସୋସିଆଲ ମିଡିଆ ଓ ମୁଖ୍ୟଧାରାର ମିଡିଆରେ କଂଗ୍ରେସ ଏବେ ଯାବତୀୟ ଖରାପ କାରଣ ପାଇଁ ଚର୍ଚ୍ଚିତ। ସେହିପରି ଦଳର ଛାମୁଆ ସଂଗଠନ ଗୁଡିକରେ ଯେଉଁମାନଙ୍କୁ ନିଯୁକ୍ତି ଦିଆଗଲା, ସେମାନେ କେହି ତୃଣମୂଳ ସ୍ତରର ପ୍ରଭାବଶାଳୀ ନେତା ନୁହନ୍ତି। ସେଥିରେ କଂଗ୍ରେସ ସଙ୍ଗଠନଯେ ଦୁର୍ବଳ ହେବ, ଏକଥା ସ୍ଵାଭାବିକ।

ତେବେ ନିର୍ବାଚନର ଠିକ ମାସେ ଆଗରୁ କଂଗ୍ରେସ ଭିତରେ ଯାହା ଘଟୁଛି, ତାହା ଦଳର ଅସ୍ତିତ୍ଵକୁ ଦୋହଲାଇ ଦେଇଛି। ଜାତୀୟ ସ୍ତରରେ କଂଗ୍ରେସର ଅଭ୍ୟୁଦୟ ଘଟୁଥିବା ବେଳେ ଓଡିଶାରେ ଏହାର ବିପର୍ୟୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେବେ ଆଜିର ପରିସ୍ଥିତିରେ କଂଗ୍ରେସର ଜାହାଜ ବୁଡୁଛି ବୋଲି କହିବା ବେଳେ ପ୍ରସିଦ୍ଧ ହଲିଉଡ ସିନେମା “ଟାଇଟେନିକ” ର ଗୋଟେ ଦୃଶ୍ୟ କଥା ମନେ ପଡୁଛି। ବୁଡି ଯାଉଥିବା ଜାହାଜରୁ ଯେତେବେଳେ ଗୋଟେ ପରେ ଗୋଟେ ଲୋକ ଡେଇଁ ଯାଉଛନ୍ତି, ସେତେବେଳେ ଦଳେ ସଙ୍ଗୀତଜ୍ଞ ମସଗୁଲ ହୋଇ ନିଜର ଗୀଟାର ଓ ଭାଓଲିନ  ବଜାଇ ଚାଲିଛନ୍ତି। କଂଗ୍ରେସର ଏ ବିପର୍ୟୟ କାଳରେ ଯେତେବେଳେ ବି ନିରଞ୍ଜନ ବାବୁ ଦମ୍ଭ ଦେଖାଉଛନ୍ତି, ତାଙ୍କ ମୁହଁ ରେ ମୋତେ ସେ ସଙ୍ଗୀତଜ୍ଞମାନଙ୍କ ଛବି ଦିଶି ଯାଉଛି!