Categories
ଆଜିର ଖବର

ଏଥର ନିର୍ବାଚନ ଲଢ଼ିବେନି ଶରଦ ପାୱାର

୧୭ତମ ସାଧାରଣ ନିର୍ବାଚନରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି)ର ସୁପ୍ରିମୋ ଶରଦ ପାୱାର ପ୍ରାର୍ଥୀ ହେବେ ନାହିଁ । ତାଙ୍କ ପରିବାରର ଦୁଇ ଜଣ ନିର୍ବାଚନ ଲଢୁଥିବାରୁ ସେ ଏଥର ନିର୍ବାଚନ ଲଢିବେ ନାହିଁ ବୋଲି ଏହି ବର୍ଷୀୟାନ ନେତା ନିଷ୍ପତ୍ତି ନେଇଛନ୍ତି । ସେ ମଧା ଲୋକସଭା ଆସନରୁ ଲଢିବେ ବୋଲି ସୂଚନା ରହିଥିଲା । ମହାରାଷ୍ଟ୍ରରେ କଂଗ୍ରେସ-ଏନସିପି ମେଣ୍ଟ ସାଧାରଣ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ସମସ୍ତ ପ୍ରାର୍ଥୀ ତାଲିକା ଏକପ୍ରକାର ପ୍ରସ୍ତୁତ ହୋଇସାରିଥିବା ବେଳେ ବିଧିବଦ୍ଧ ଘୋଷଣା ହେବାକୁ ବାକି ଅଛି । ଶ୍ରୀ ପାୱାର ୟୁପିଏ ନେତୃତ୍ଵାଧୀନ ମନମୋହନ ସିଂହ ସରକାରରେ କୃଷିମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ସେ ୧୪ ଥର ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ଚଳିତ ନିର୍ବାଚନରେ ତାଙ୍କ ପରିବାରର ଦୁଇ ଜଣ ସଦସ୍ୟ ନିର୍ବାଚନ ଲଢିବାକୁ ଯାଉଛନ୍ତି ତେଣୁ  ତାଙ୍କର ନିର୍ବାଚନରୁ  ବିରତି ନେବାର ସମୟ ଆସିଯାଇଛି ବୋଲି ସେ କହିଛନ୍ତି ।

Categories
ଆଜିର ଖବର

ମାସୁଦ ଆଝାର ଭାଇ ସମେତ ୪୪ ଆତଙ୍କବାଦୀଙ୍କୁ ଗିରଫ କଲା ପାକିସ୍ତାନ

ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାରର ଭାଇ ଅବଦୁଲ ରାଉଫ୍‌ ଅସଗର ସମେତ ୪୪ଜଣ ଆତଙ୍କବାଦୀକୁ ପାକିସ୍ତାନ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ଚାପରେ ପଡ଼ି ପାକିସ୍ତାନ ପ୍ରତିବନ୍ଧକ ଥିବା ସଙ୍ଗଠନ ଦ୍ୱାରା ଜଡ଼ିତ ଥିବା ଏହି ୪୪ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିବା କୁହାଯାଉଛି। ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ ମୁଫତି ଅବଦୁଲ ରାଉଫ ଅସଗର ଓ ଜେଏମ୍‌ ପ୍ରମୁଖ ମସୁଦ ଆଝାରର ଭାଇ ସାମିଲ ଅଛି। ରାଉଫ୍‌ ଅସଗରକୁ  ବିଚାର ବିଭାଗ ହେପାଜତରେ ରଖାଯାଇଛି। ଏହି ଖବରର ଘୋଷଣା ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସହରୟାର ଅଫ୍ରିଦି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ନେଇ ତୁରନ୍ତ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା। ଏହାପରେ ଏହି ପଦକ୍ଷେପ ପାକିସ୍ତାନ ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ଦିଆଯାଇଥିବା ଚାପ ହେତୁ ନେଇଥିବା କୁହାଯାଉଛି।

Categories
ବିଶେଷ ଖବର

ରାହୁଲ ଗାନ୍ଧୀଙ୍କ ଟାଉନହଲ ; ଗଣତନ୍ତ୍ରରେ ନେତା ଓ ନାଗରିକଙ୍କ ସମ୍ପର୍କ ଏମିତି ହିଁ ହେବା ଉଚିତ

କେଦାର ମିଶ୍ର

ରାଜନୀତିରେ ବିରୋଧ ଏକ ସ୍ଵାଭାବିକ ପ୍ରକ୍ରିୟା। ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜନୈତିକ ଦଳ ଗୁଡିକ ପରସ୍ପରକୁ ଆକ୍ଷେପ ପ୍ରତି ଆକ୍ଷେପ କରନ୍ତି, କରିବା ନିହାତି ଉଚିତ। ସେହି ଦୃଷ୍ଟିରୁ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ଯେତେବେଳେ ନିଜର ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରନ୍ତି ତାକୁ ନେଇ ବିଶେଷ ଚର୍ଚ୍ଚା କରିବାର କୌଣସି କାରଣ ନାହିଁ। ରାଜନୀତିରେ କ୍ଷମତା ହାସଲର ରଣନୀତି ଏବଂ ଗଣତାନ୍ତ୍ରିକ ଜୀବନବୋଧ ଦୁଇଟି ଅଲଗା କଥା। ରଣନୀତି ରେ ଜଣେ କିଛି ବି କରିପାରେ କିନ୍ତୁ ଗଣତାନ୍ତ୍ରିକ ମୂଲ୍ୟବୋଧ  ବ୍ୟକ୍ତି ଓ ନାଗରିକ ପାଖରୁ ନିର୍ଦ୍ଦିଷ୍ଟ ମର୍ଯାଦା ଦାବୀ କରିଥାଏ। ରାହୁଲ ଗାନ୍ଧୀ ଗତ ୨୫ ତାରିଖ ଭୁବନେଶ୍ୱର ଆସିଥିବା ସମୟରେ ଏକ ଓଡିଆ ଖବର କାଗଜ ଦ୍ଵାରା ଆୟୋଜିତ ଟାଉଲହଲ କାର୍ଯକ୍ରମରେ ଯୋଗ ଦେଇ ବିଭିନ୍ନ ବର୍ଗର ନାଗରିକଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିଥିଲେ। ଗୋଟେ ବଡ ହଲରେ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯକ୍ରମକୁ ରାହୁଲ ବିନା ପ୍ରସ୍ତୁତିରେ ସାମ୍ନା କରିଥିଲେ। ତାଙ୍କ ହାତରେ କୌଣସି କାଗଜ କଲମ ନଥିଲା, କିମ୍ବା ତାଙ୍କ ଆଗରେ ଟେଲି ପ୍ରମ୍ପ୍ତର ଲଗା ଯାଇନଥିଲା। ରାହୁଲ କହୁଥିବା କଥା ହୁଏତ ଆପଣଙ୍କୁ ଭଲ ଲାଗି ନଥାଇପାରେ , କିନ୍ତୁ ସେ ଯାହା କହୁଥିଲେ, ମନରୁ କହୁଥିଲେ ଓ ନିଷ୍ଠାର ସହିତ ତାଙ୍କୁ ପଚରାଯାଉଥିବା ପ୍ରଶ୍ନ ଗୁଡିକର ଉତ୍ତର ସେ ଦେଉଥିଲେ।

ଜଣେ ରାଜନେତା ଭାବରେ ଏହା ରାହୁଲଙ୍କୁ ଗୋଟେ ଭଲ ପରିଚୟ ଦେଉଛି। ଯେଉଁ ସମୟରେ ପୃଥିବୀର ସର୍ବ ବୃହତ ଗଣତନ୍ତ୍ରର ନିର୍ବାଚିତ ପ୍ରଧାନମନ୍ତ୍ରୀ ନିଜର ୪ ବର୍ଷ ୮ ମାସର ଶାସନକାଳ ଭିତରେ ଗୋଟିଏ ବି ସାମ୍ବାଦିକ ସମ୍ମିଳନୀ କରିନାହାନ୍ତି କିମ୍ବା କୌଣସି ଖୋଲାମଞ୍ଚରେ ଲୋକଙ୍କ ପ୍ରଶ୍ନର ଉତ୍ତର ରଖିନାହାନ୍ତି, ସେଇ ସମୟରେ ରାହୁଲ ଖୋଲାମନରେ ଲୋକଙ୍କ ସହ କଥା ହେବା ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ। ।  ତଥାପି ରାହୁଲ ଆହୁରି କଡା ପ୍ରଶ୍ନର ସମ୍ମୁଖୀନ ହେବା ଦରକାର ଥିଲା ବୋଲି କେହି କେହି ବନ୍ଧୁ ବିଶ୍ଵାସ କରନ୍ତି। ଯେମିତି ଆମ ଆଦମୀ ପାର୍ଟିର ଜଣେ ପୁରୁଣା ସ୍ଵେଚ୍ଚ୍ହାସେବୀ ରଙ୍ଗାଚରଣ ପ୍ରଧାନଙ୍କ କହିବା କଥା ହେଲା- ସେଠି ଯେଉଁ ପ୍ରଶ୍ନ ସବୁ ପଚରାଯାଉଥିଲା ସେ ଗୁଡିକ ସହଜିଆ ଲଲିପପ ଭଳି ପ୍ରଶ୍ନ ଥିଲା। ଆମ ମତରେ ତାହା ସତ ନୁହେଁ। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରାହୁଲଙ୍କୁ ପଚରାଯାଇଥିଲା। ଯେଉଁମାନେ ପ୍ରଶ୍ନକର୍ତ୍ତା ଥିଲେ ତାଙ୍କ ଭିତରେ ସାମ୍ବାଦିକଙ୍କ ସମେତ ବହୁ ବିଶିଷ୍ଟ ନାଗରିକ ଥିଲେ। ସବୁ ପ୍ରଶ୍ନକୁ ଧୈର୍ୟର ସହିତ ଶୁଣି ସମ୍ମାନର ସହିତ ଉତ୍ତର ଦେବାରେ ରାହୁଲ ପଛଘୁଞ୍ଚା ଦେଇନଥିଲେ।

ଏଇ ଟାଉନହଲ କାର୍ୟକ୍ରମକୁ ଟିଭିରେ ଦେଖୁଥିବା ବେଳେ ମୋର ଜଣେ ବରିଷ୍ଠ ସାମ୍ବାଦିକ ସାଥିଙ୍କ ପ୍ରତିକ୍ରିୟା ଥିଲା- Rahul does not have depth. ସତ କଥା କହିବାକୁ ଗଲେ ଗତ ପାଞ୍ଚ ବର୍ଷ ଧରି ପ୍ରଧାନମନ୍ତ୍ରୀ ଓ ଶାସକ ଦଳର ସଭାପତିଙ୍କ ଫାଙ୍କା ଭାଷଣ ଶୁଣି ଶୁଣି ଆମେ ଆଉ ରାଜନୀତିରେ ଗାମ୍ଭୀର୍ୟ କଥା ଚିନ୍ତା କରୁନାହୁଁ।  ରାହୁଲଙ୍କ ଭାଷଣରେ ହୁଏତ ମନମୋହନ ସିଂ ଙ୍କ ଗାମ୍ଭୀର୍ୟ ନଥିଲା, କିନ୍ତୁ ତାଙ୍କର କଥା କହିବାରେ ଗୋଟେ ପ୍ରକାର ସତ୍ୟତା ଥିଲା। ରାଜନୀତିରେ ଏ ପ୍ରକାର ବିତର୍କ, କଥାବାର୍ତ୍ତା ଓ ପ୍ରଶ୍ନୋତ୍ତରର ଆବଶ୍ୟକତା ରହିଛି। ଗାଳି ଗୁଲଜ ଓ ଅପମାନିତ କରିବାର ରାଜନୀତି ବିରୋଧରେ ଏକ ସଭ୍ୟ ରାଜନୈତିକ ବିମର୍ଷର ଆବଶ୍ୟକତା ଆଜି ନିହାତି ଆବଶ୍ୟକ।

ଏ ଟାଉନହଲରେ ରାହୁଲ ନିଜର ଭଲପାଇବା ଓ ସମସ୍ତଙ୍କୁ ମତ ପ୍ରକାଶର ସ୍ଵାଧୀନତା ଦେବା ସପକ୍ଷରେ ଯାହା କହିଛନ୍ତି, ସେଇଟା ଭାରତ ଭବିଷ୍ୟତ ଲାଗି ନିହାତି ଜରୁରୀ। ତେବେ ବିରୋଧୀ ଦଳରେ ଥିବାବେଳେ ଗଣତାନ୍ତ୍ରିକ ଜୀବନବୋଧ କଥା କହିବାକୁ ସମସ୍ତେ ଚାହାନ୍ତି, କିନ୍ତୁ ଥରେ କ୍ଷମତା ମିଳିଗଲା ପରେ ସବୁ ରାଜନେତା ହଠାତ ଭଗବାନଙ୍କ ପରି ଅପହଞ୍ଚ ହୋଇ ପଡନ୍ତି। ତେଣୁ ରାହୁଲ ଆଜି ଯାହା କହୁଛନ୍ତି, କାଲୀ ତାଙ୍କ ଦଳ କ୍ଷମତାକୁ ଆସିଲେ ସେ ଯେ ସମାନ ବ୍ୟବହାର କରିବେ, ତାହାର କିଛି ଗ୍ୟାରେଣ୍ଟି ନାହିଁ।

ଫଟୋ-ସଂଜୀବ ମୁଖାର୍ଜି

Categories
ଆଜିର ଖବର

Pak violates ceasefire on LoC again, Indian Army retaliates

Jammu, Jan 23 (UNI) In yet another incident of ceasefire violation, Pakistani Army on Wednesday fired unprovoked along the Line of Control in Poonch district of Jammu and Kashmir.

Meanwhile Indian Army effectively retaliated to the firing.

?Pakistani Rangers this morning at around 1100 hours fired small arms in Hiranagar area,? official spokesman here said.

?Pakistan continues its nefarious activities along the LoC and this evening at about 1600 hours, they initiated unprovoked ceasefire violation by small arms fire and also shelling with mortars in Mendhar Sector of Poonch,? defence spokesman here said.

He said that Indian Army is retaliating strongly and effectively while no injury or damage has been reported so far.

Earlier on January 20, Pakistani Rangers violated the ceasefire along international border in Hiranagar sector of Kathua while BSF troops responded by limited fire.

On January 18 also Pakistan fired small arms and violated the ceasefire on international border and on January 15, a BSF soldier attained martyrdom in sniper fire from across the border along international border in Hiranagar sector of Kathua district.

Pakistani Army has also opened the front along the Line of Control and firing unprovoked for the past two weeks in Poonch and Rajouri sectors.

Northern Command Army Commander Lt Gen Ranbir Singh had recently said that five Pakistani soldiers were killed and some injured some by the Indian Army in retaliation along the Line of Control over the last few days.

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀ ପଦବୀ ଓ ଅନୁଷ୍ଠାନ; ନରେନ୍ଦ୍ର ମୋଦୀ ଏ ଦୁଇଟିରୁ କାହାକୁ ବି ମର୍ୟାଦା ଦେବାରେ ସମର୍ଥ ହୋଇ ନାହାନ୍ତି

କେଦାର ମିଶ୍ର

ଯେଉଁ ଭାରତୀୟ ମାନେ ସ୍ବାଧୀନତା ଅନ୍ଦୋଳନ ଅଥବା ସ୍ବାଧୀନତା ପରେ ପରେ ଜନ୍ମ ହେଇଥିଲେ, ସେମାନେ ଭାରତୀୟ ରାଜନୀତିର ଅସ୍ଥିରତା ଓ ଦୋଦୁଲ୍ୟମାନ ସ୍ଥିତି ଦେଖିନଥିଲେ.।  ସେମାନଂକ ଆଗରେ ଜଣେ ବିଶାଳକାୟ ନେତା ଥିଲେ, ଯାହାଂକର କୌଣସି ବିକଳ୍ପ ନଥିଲା।  ୧୯୪୭ ରୁ ୧୯୬୪, ସତର ବର୍ଷ ଧରି ପଣ୍ଡିତ ଜବାହରଲାଲ ନେହେରୁଂକୁ ଦେଶର ସର୍ବଶ୍ରେଷ୍ଠ ନେତା, ଶାସକ ଓ ଗଣତନ୍ତ୍ର ର ମହାନାୟକ ଭାବରେ ଦେଖିଲାବେଳେ ତାଂକ ଆଗରେ ବିକଳ୍ପ ହୋଇ ଛିଡା ହେଲା ଭଳି ନେତୃତ୍ବ କାହାର ନଥିଲା।  ଯଦିଓ ସେଇ ସମାନ ସମୟରେ ଜୟପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ, ଇ ଏମ ଏସ ନମ୍ବୁଦ୍ରିପାଦଙ୍କ ଭଳି ନେତା କଂଗ୍ରେସ ବାହାରେ ରହି ବେଶ ଚର୍ଚ୍ଚିତ ଓ ନେହେରୁଂକ ସମାଲୋଚକ ଭାବରେ ବେଶ ଜଣା ଶୁଣା, ତଥାପି ଶାସନତନ୍ତ୍ରରେ ଓ ଭୋଟ ରାଜନୀତିରେ ନେହେରୁ ନିର୍ବିକଲ୍ପ ନେତା।  ସେତେବେଳେ କଂଗ୍ରେସ ଭିତରେ ବି କିଛି କମ ବଡ ନେତା ନଥିଲେ, ହେଲେ ପଣ୍ଡିତଜୀଙ୍କ ବରଗଛ  ତଳେ ଆଉ କେହି ଉଧେଇପାରିବାର ସମ୍ଭାବନା ନଥିଲା।  ନେହେରୁଂକ ପରେ ଅଳ୍ପ ସମୟ ଲାଗି ଲାଲ ବାହାଦୁର ଶାସ୍ତ୍ରୀ ନିଜ ସରଳତା ଓ ଦୃଢ଼ତା କାରଣରୁ ନେତୃତ୍ବର  ନୂତନ ପରିଭାଷା ନିର୍ମାଣ କରିବାରେ ସଫଳ ହୋଇଥିଲେ।  ୧୯୪୭ ରୁ ୧୯୮୪ ପର୍ଯନ୍ତ ଦେଶବାସୀ ମାତ୍ର ପାଂଚ ଜଣ ପ୍ରଧାନମତ୍ରୀ ଦେଖିଥିଲେ।  ନେହେରୁ, ଶାସ୍ତ୍ରୀଜୀ,ଇନ୍ଦିରା ଗାନ୍ଧୀ ଓ ମୋରାରଜୀ ଭାଇ ଦେଶାଇ।  ମଝିରେ ଅଳ୍ପ ସମୟ ଲାଗି କାମ ଚଳା ପ୍ରଧାନମତ୍ରୀ ଭାବରେ ଗୁଲାଜାରୀ ଲାଲ ନନ୍ଦା ଦାୟିତ୍ବ ନିର୍ବାହ କରିଥିଲେ।  ନେହେରୁଂକ ବ୍ୟକ୍ତିତ୍ବର ଏକ ଅଦଭୁତ ପ୍ରଭାବ ଭାରତୀୟ ରାଜନୀତି ରେ ରହିଥିଲା।  ଇନ୍ଦିରା ଗାନ୍ଧୀ ନେହେରୁଂକ ପ୍ରଭାବ ରୁ ମୁକ୍ତ ହୋଇ ଏକ ସ୍ବତନ୍ତ୍ର ନେତୃତ୍ବ ପ୍ରତିଷ୍ଠା କରିବାକୁ ଢେର ସମୟ ଲାଗିଥିଲା।  ମୋଟାମୋଟି ପ୍ରଥମ ୪୭ ବର୍ଷ ଭାରତୀୟ ରାଜନୀତିରେ ଆମେ ଯେଉଁ ପ୍ରଧାନମନ୍ତ୍ରୀ ମାନଂକୁ ଦେଖିଥିଲେ ସେମାନେ ନିଜ ନିଜ ମର୍ୟାଦା ଓ ଗରିମା କୁ ପ୍ରତିଷ୍ଠିତ କରିଛନ୍ତି।  କେବଳ ଜରୁରୀ କାଳୀନ ପରିସ୍ଥିତି ସମୟରେ ଇନ୍ଦିରାଙ୍କୁ ଗଣତନ୍ତ୍ର ବିରୋଧୀ ଓ ଏକଛତ୍ରବାଦୀ ଭାବରେ ନିନ୍ଦିତ ହେବାକୁ ପଡିଥିଲା।  ତେବେ ଅଳ୍ପ ସମୟ ଭିତରେ ଇନ୍ଦିରା ନିଜ ପୁରୁଣା ପ୍ରତିଷ୍ଠା ଫେରି ପାଇଥିଲେ ଓ ଅଶୀ ନିର୍ବାଚନରେ ତାଂକ ନେତୃତ୍ବ ପୁଣିଥରେ ଲୋକଂକ ଦ୍ବାରା ସ୍ବୀକୃତି ପାଇଥିଲା।

ପ୍ରଥମ ଚାଳିଶ ବର୍ଷରେ ମାତ୍ର ପାଂଚ ଜଣ ପ୍ରଧାନମନ୍ତ୍ରୀଙ୍କୁ ଦେଖିଥିବା ଭାରତୀୟଂକ ତୁଳନା ରେ ସତୁରୀ ଦଶକର ଭାରତରେ ଜନ୍ମିତ ନାଗରିକ ମାନେ ଅନେକ ନୁଆ ରାଜନୈତିକ ନାଟକ ଦେଖିଛନ୍ତି।  ୧୯୮୪ ରୁ ୨୦୧୬, ମାତ୍ର ୩୨ ବର୍ଷରେ ଆମେ ଆଠ ଜଣ ପ୍ରଧାନମନ୍ତ୍ରୀଙ୍କୁ  ଦେଖିଛୁ।  ୧୯୮୪ ରେ ଐତିହାସିକ ଜନମତ ପାଇ ସରକାର ଗଢିଥିବା ରାଜୀବ ଗାନ୍ଧୀ ୧୯୮୯ ରେ ଶୋଚନୀୟ ଭାବେ ପରାସ୍ତ ହେଉଛନ୍ତି।  ତାଂକ ପରେ ମନମୋହନ ସିଂ କୁ ବାଦ ଦେଲେ ଆଉ କୌଣସି ପ୍ରଧାନମନ୍ତ୍ରୀ ଅଧିକ ସମୟ ଶାସନରେ ରହିପାରିବାର ସୁଯୋଗ ପାଇନାହାନ୍ତି। ଅଳ୍ପ ସମୟ ପ୍ରଧାନମନ୍ତ୍ରୀ ପଦବୀ ମଣ୍ଡନ କରିଥିବା ନେତା ମାନଂକ ମଧ୍ୟରେ ଚନ୍ଦ୍ରଶେଖର ଓ ଇନ୍ଦ୍ରକୁମାର ଗୁଜରାଲ ଭାରତୀୟ ରାଜନୀତିରେ ନିଜ ମର୍ୟାଦାବନ୍ତ ଉଚ୍ଚାରଣ ଓ ଆଚରଣ ଲାଗି ବେଶ ପ୍ରସିଦ୍ଧ।  ଦକ୍ଷିଣ ପନ୍ଥୀ ରାଜନୀତିର ପ୍ରଥମ ନେତା ଭାବରେ ଅଟଳ ବିହାରୀ ବାଜପାୟୀ ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବା ପରେ ତାଂକ ଉପରେ ସଂଘ ର ଚାପ ରହିବ ଓ ସେ ଏହାକୁ ଅଣଦେଖା କରିପାରିବେ ନାହିଁ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା , କିନ୍ତୁ ନରମପନ୍ଥୀ  ବାଜପାୟୀ ସବୁ ଚର୍ଚ୍ଚା ଓ ଆଲୋଚନା କୁ ମିଛ  ପ୍ରମାଣିତ କରି ଜଣେ ଗଣତାନ୍ତ୍ରିକ ଓ ଉଦାର ପ୍ରଧାନମନ୍ତ୍ରୀ ଭାବରେ ସବୁ ବର୍ଗର ଲୋକଂକ ଦ୍ବାରା ଗୃହୀତ ହୋଇପାରିଥିଲେ।  ବାଜପୟୀଙ୍କୁ ସେତେବେଳେ ” ଜଣେ ସମର୍ଥ ସଠିକ ରାଜନେତା ଯିଏ ବେଠିକ ଦଳରେ ରହିଛନ୍ତି” ବୋଲି କୁହାଯାଉଥିଲା।  ନେହେରୁଂକ ଠାରୁ ଆରମ୍ଭ କରି ମନମୋହନ   ସିଂଙ୍କ ପର୍ଯନ୍ତ ସବୁ ପ୍ରଧାନମନ୍ତ୍ରୀ ଏ ଦେଶର ସାମ୍ବିଧାନିକ ଦାୟିତ୍ବ ନିଷ୍ଠାର ସହ ତୁଲାଇବା ସହିତ ନିଜ ବ୍ୟକ୍ତିତ୍ବରେ ଉଦାରତା ତଥା ସମସ୍ତଂକୁ ଏକାଠି ସାଂଗରେ ନେଇ ରାଜନୀତି କରିବାର ପ୍ରବଣତା ପ୍ରଦର୍ଶନ କରିଆସିଛନ୍ତି।  ତେଣୁ ପ୍ରଧାନମନ୍ତ୍ରୀ ପଦ ଦଳୀୟ ଭାବନା ର ସଂକୀର୍ଣ୍ଣତାରୁ ଅନେକ ସମୟରେ ମୁକ୍ତ ରହିଛି. ସଂସଦ ଭିତରେ ଓ ବାହାରେ ପ୍ରଧାନମନ୍ତ୍ରୀଙ୍କୁ ଜାତିର ନେତା ଭାବରେ ସମସ୍ତେ ସମ୍ମାନ ଦେଇ ଆସିଛନ୍ତି।

ଏତେ ସବୁ କଥା କହିବାର ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀ ପଦ ର ଗରିମା ଓ ଗୌରବ ସମ୍ପର୍କରେ ଏକ ପୃଷ୍ଠଭୂମି ନିର୍ମାଣ କରିବା। ୨୦୧୪ ସାଧାରଣ ନିର୍ବାଚନ ରେ ଯେତେବେଳେ ପ୍ରବଳ କଂଗ୍ରେସ ବିରୋଧୀ ହାୱା ବୋହିଲା ତାର ସିଧାସଳଖ ଲାଭ ଭାରତୀୟ ଜନତା ପାର୍ଟି କୁ ମିଳିଲା।  ପ୍ରାୟ ତିରିଶ ବର୍ଷ ପରେ ଦେଶର ଜନସାଧାରଣ ଗୋଟିଏ ଦଳକୁ ପୂର୍ଣ ବହୁମତ ଦେଇ ସରକାର ଗଢିବାର ସୁଯୋଗ ପ୍ରଦାନ କଲେ।  ୨୦୦୨ ମସିହାରେ ଗୁଜରାଟ ଦଂଗା ପାଇଁ ନିନ୍ଦିତ ଓ ଜାତୀୟ ରାଜନୀତିରେ ସେଯାଏ ଅସ୍ପୃଶ୍ୟ ରହିଆସିଥିବା ନରେନ୍ଦ୍ର ମୋଦୀ ୨୦୧୪ ବେଳକୁ ମହାନାୟକ ଭାବରେ ଜାତୀୟ ରାଜନୀତିରେ ନିଜର ପତିଆରା ପ୍ରମାଣିତ କଲେ।  ଯେଉଁମାନେ ନରେନ୍ଦ୍ର ମୋଦୀଙ୍କ ରାଜନୀତିର ସମୀକ୍ଷକ ସେମାନେ ଭଲ ଭାବରେ ଜାଣନ୍ତି ଯେ ମୋଦୀ ମୂଳତଃ ସଂଘର ଅନୁଗତ ପ୍ରଚାରକ ଓ ତାଂକ ବ୍ୟକ୍ତିତ୍ବରେ ବାଜପାୟୀଙ୍କ ନରମ ଓ ଉଦାର ପ୍ରକୃତି ନାହିଁ।  ଆଜି ପର୍ଯନ୍ତ ଦେଶର ସମସ୍ତ ପ୍ରଧାନମନ୍ତ୍ରୀ ସକାରାତ୍ମକ ରାଜନୈତିକ ଚିନ୍ତନ ରୁ ଅସିଥିବା ବେଳେ ନରେନ୍ଦ୍ର ଭାଇ ଏକ ନକାରାତ୍ମକ, ଆକ୍ରମକ ତଥା  ଅନୁଦାର ଚିନ୍ତନରୁ ରାଜନୀତିକୁ ଆସିଛନ୍ତି।  ତେଣୁ ତାଂକ ରାଜନୀତି ରୁ ଅଲଗା ପ୍ରକାର ଆକ୍ରମକତା ଦେଖିବାକୁ ମିଳିବ ବୋଲି ସମସ୍ତଂକ ମନରେ ଏକ ପ୍ରକାର ପ୍ରସ୍ତୁତି ରହିଥିଲା। ହେଲେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ପ୍ରଥମ ଦିନ ହଠାତ ଅନ୍ୟ ଜଣେ ମୋଦୀ ଆମକୁ ଟିକେ ହତଚକିତ କରିଦେଲେ।  ନିଜ ଶପଥ ଗ୍ରହଣ ଉତ୍ସବ କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ନବାଜ ଶରିଫଙ୍କୁ  ନିମନ୍ତ୍ରଣ କରି ସେ ବୋଧେ ଏକ ବାର୍ତା ଦେବାକୁ ଚାହିଁଥିଲେ ଯେ , ତାଂକ ଚରମପନ୍ଥୀ ବ୍ୟକ୍ତିତ୍ବ କଥା ସତ ନୁହଁ।  ଅଳ୍ପ ସମୟ ପାଇଁ ହେଉ ପଛେ ମୋଦୀ ନିଜକୁ ଜଣେ ଉଦାରବାଦୀ ରାଜନେତା ଭାବେ ଦେଖେଇବାର ପ୍ରୟାସ ରେ ସଫଳ ହୋଇଥିଲେ।  ପରବର୍ତ୍ତୀ  ଦିନ ଗୁଡିକରେ ଦୃଶ୍ୟପଟ କିନ୍ତୁ ବଦଳିଗଲା. ପ୍ରଧାନମନ୍ତ୍ରୀ ଭାବେ ଗତ ସତୁରୀ ବର୍ଷ ଧରି ଯେଉଁ ଅନୁଷ୍ଠାନ ଓ ପରମ୍ପରା ରହିଥିଲା ତାକୁ ଅନେକ ପ୍ରକାରେ ମୋଦୀ ଭାଂଗିବା ଆରମ୍ଭ କଲେ।  ଅବଶ୍ୟ ଭାଂଗିବା ସହିତ ନୁଆ ଗଢା ହେବାର ସମ୍ପର୍କ ରହିଛି।  ତେଣୁ ମୋଦୀ ଯାହା ଭାଙ୍ଗୁଛନ୍ତି ସେଥିରୁ ନୁଆ କିଛି ଜନ୍ମ ନେଇପାରେ ବୋଲି ଅନେକେ ଭାବୁଥିଲେ।  ଆଜି ପ୍ରଧାନମନ୍ତ୍ରୀ ଆସନରେ ପାଞ୍ଚ  ବର୍ଷ ପୂରଣ କରିବାକୁ ଯାଉଥିବା ଥିବା ମୋଦୀଙ୍କ କାର୍ୟକାଳର ନିରପେକ୍ଷ ଆକଳନ କରିବାର ସମୟ ଆସି ଯାଇଛି. ପ୍ରଧାନମନ୍ତ୍ରୀ ଭାବରେ ସେ ଏହି ସାମ୍ବିଧାନିକ ପଦ କୁ କେତେ ମର୍ୟାଦା ର ସହ ନିଭାଇଛନ୍ତି ଓ ତାଂକ ଉପସ୍ଥିତି ପ୍ରଧାନମନ୍ତ୍ରୀ ଅନୁଷ୍ଠାନ କୁ କେତେ ଅଧିକ ଗୌରବ ମଣ୍ଡିତ କରିଛି , ତାର ଆକଳନ ମଧ୍ୟ ଆଜି ଜରୁରୀ।

ସତୁରୀ ବର୍ଷର ଗଣତନ୍ତ୍ର ଓ ପାଞ୍ଚ ବର୍ଷର ମୋଦୀତନ୍ତ୍ର କୁ ଅଲଗା କରି ଦେଖିବା ହୁଏତ ଟିକେ ଅବାନ୍ତର ମନେ ହୋଇପାରେ ।  ତେବେ, ଏହି ଅବାନ୍ତର ପ୍ରସଂଗ ଭିତରେ କିଛିଟା ବାସ୍ତବତା ନିହାତି ରହିଛି।  ମୋଦିଂକ ରାଜନୀତିରେ ଯେଉଁ ଆକ୍ରାମକ ପ୍ରଚାରକଟି ରହିଥିଲା ସେ ହଠାତ ବିଶ୍ବ ରାଜନୀତିରେ ମହାନ ନାୟକ ହେବା ଲାଗି ଯୋଜନା ପ୍ରସ୍ତୁତ କଲା ଓ  ସେଇ ଯୋଜନା ର ଅଂଶ ଭାବରେ ମୋଦୀ ପ୍ରଥମ ତିନି ବର୍ଷ ପ୍ରୁଥିବୀ ପରିଭ୍ରମଣରେ ବାହାରିଲେ। ଏହି ସମୟ ରେ ଦେଶ ତୁଳନାରେ ବିଦେଶ ମୋଦିଂକ ଲାଗି ପ୍ରାଥମିକତା ପାଲଟିଗଲା।  ହିନ୍ଦୀ ରେ ଆମେରିକା ରେ ଓଜସ୍ଵୀ ଭାଷଣ ଦେଇ ପ୍ରବାସୀ ଭାରତୀୟଂକୁ ପ୍ରଭାବିତ କରିବା ଓ ନିଜସ୍ବ ମୌଳିକ କୂଟନୀତି ମାଧ୍ୟମରେ ବିଶ୍ବ ରାଜନୀତିକୁ ଦିଗଦର୍ଶନ ଦେବା ଦୁଇଟି ଅଲଗା କଥା, ତାହା ମୋଦିଂକ ଉପଦେଷ୍ଟା ମାନେ ଆକଳନ କରିପାରିନଥିଲେ।  ସେମାନେ ଭାବିଲେ, ନେହେରୁଂକୁ ଖର୍ବ କରି ଦେଖେଇଲେ ମୋଦୀ ବିରାଟ ହୋଇ ଦିଶିବେ।  ସେଥିଲାଗି ଦେଶରେ ନେହେରୁଂକ ବିରୋଧରେ ଏକ ଅପପ୍ରଚାରର ବାତାବରଣ ସୃଷ୍ଟି କରାଗଲା। . ନେହେରୁଂକ ପ୍ରତି ସେ ସମୟର ବିଶ୍ବ ନେତୃତ୍ବର ଯେଉଁ ଆସ୍ଥା ଥିଲା,ତାହା କେବଳ ପ୍ରଚାର ସର୍ବସ୍ବ ଧାରଣାରୁ ଜନ୍ମ  ନେଇନଥିଲା।  ନେହେରୁ ଥିଲେ ବିଶ୍ବ ଯୁଦ୍ଧ ପରବର୍ତ୍ତୀ ପୃଥିବୀ ରେ ତୃତୀୟ ବିଶ୍ବର ପ୍ରଚଣ୍ଡ ପ୍ରବକ୍ତା।  ତେଣୁ ନେହେରୁଙ୍କ  ନେତୃତ୍ବର ପ୍ରଭାବ କେନେଡିଂକ ଉପରେ ଯେତିକି ପଡୁଥିଲା, ସେତିକି ପତିଆରା ଷ୍ଟାଲିନଙ୍କ ଉପରେ ମଧ୍ୟ ଥିଲା। ମୋଦିଂକ ପାଖରେ ନେହେରୁଂକ ବ୍ୟକ୍ତିତ୍ବ ନାହିଁ, କିନ୍ତୁ ନେହେରୁଂକ ସ୍ଥାନ ହାସଲ କରିବାର ଏକ ପ୍ରଚଣ୍ଡ ଲାଳସା ରହିଛି।  ତେଣୁ ତାଂକର ବିଦେଶ ନୀତିରେ ଅଧିକ ବ୍ୟାକୁଳତା ରହିଛି।  ଏକ ବ୍ୟାକୁଳ ବିଦେଶ ନୀତି ଗଭୀର କୂଟନୈତିକ ପ୍ରଭାବ ପକେଇପାରିବ ନାହିଁ।  ଗତ ପାଞ୍ଚ  ବର୍ଷ ଭିତରେ ମୋଦିଂକ ବିଦେଶ ନୀତି କେବଳ ପ୍ରଚାର ସର୍ବସ୍ବ କୋଳାହଳ ର ରୂପ ନେଇଛି।

ତେଣୁ ମୋଦୀ, କେବଳ ପ୍ରଧାନମନ୍ତ୍ରୀ ହୋଇଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ପଦ ଓ ଅନୁଷ୍ଠାନକୁ ଗୌରବ ଦେବାରେ ନିର୍ଘାତ ଭାବରେ ବିଫଳ ହୋଇଛନ୍ତି। ,

 

Categories
ବିଶେଷ ଖବର

ପିସିସି ର ଦୁରବସ୍ଥା; ବୁଡି ଯାଉଥିବା ଜାହାଜର କପ୍ତାନ ନିରଞ୍ଜନ ପଟ୍ଟନାୟକ, ଏବେ କରିବେ କଣ?

କେଦାର ମିଶ୍ର

କଂଗ୍ରେସର ଜାହାଜ ବୁଡି ଯାଉଛି, କିନ୍ତୁ ଜାହାଜର କପ୍ତାନ କହୁଛନ୍ତି, ନା – ଆମର କିଛି ହୋଇନି। ମୂଷା ମାନେ ଡେଇଁ ସାରିଲେଣି। ଯିଏ ଯୁଆଡେ ଯିବା କଥା ଫେରାର ମାରିଲେଣି। କପ୍ତାନ ନିରଞ୍ଜନ ପଟ୍ଟନାୟକ କିନ୍ତୁ ନିଜ ମଙ୍ଗକୁ ଆଣ୍ଟ କରି ଭିଡିଛନ୍ତି। କିଛି କିଛି ମୂଷାଙ୍କୁ ବରଖାସ୍ତ ମଧ୍ୟ କରୁଛନ୍ତି। ଗତ କାଲି  ଦଳର ଦୁଇଜଣ ତଗଡା ମୂଷାଙ୍କୁ ଜାହାଜରୁ ବହିଷ୍କାର କରି କପ୍ତାନ ପ୍ରମାଣିତ କରିବାକୁ  ଚେଷ୍ଟା କରିଛନ୍ତି ଯେ, ଏବେବି ଜାହାଜର ସବୁ କ୍ଷମତା ତାଙ୍କ ହାତରେ ରହିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରା ଯାଇଛି। ତେବେ ଯେଉଁ ଦଳର ଅସ୍ତିତ୍ଵ ଆଜି ସଙ୍କଟରେ ସେ ଦଳରୁ ବହିଷ୍କୃତ ହେବା ଗୋଟେ ସୁଯୋଗ ହୋଇପାରେ। ଶ୍ରୀକାନ୍ତ ଓ କୃଷ୍ଣ ଗତ କିଛି ମାସ ହେଲାଣି କଂଗ୍ରେସର ଯାହା କ୍ଷତି କରିବା କଥା କରିସାରିଛନ୍ତି।

ଦଳର ଜଣେ ପରେ ଜଣେ ବିଧାୟକ କଂଗ୍ରେସ ଛାଡୁଛନ୍ତି। ନବ ଦାସ ଓ ଯୋଗେଶ ସିଂଙ୍କ ପରେ ପ୍ରକାଶ ବେହେରା, ପ୍ରଫୁଲ୍ଲ ମାଝୀ ଓ ଆଉ କିଛି ବିଧାୟକ ଦଳ ଛାଡି ପାରନ୍ତି। ଦଳରୁ ଇସ୍ତଫାର ସୁଅ ଛୁଟୁଛି। ସେଥିରେ ଦଳକୁ ସଜାଡି ହେବ କେମିତି? ବୁଡି ଯାଉଥିବା ଜାହାଜର କପ୍ତାନ ନିଜର ଦମ୍ଭ ଯେତେ ଦେଖାଇଲେ ମଧ୍ୟ, ତାର କିଛି ପ୍ରଭାବ ଜାହାଜର ଭାଗ୍ୟ ଉପରେ ପଡେ ନାହିଁ। ଜାହାଜ ବୁଡୁଥାଏ, ଲୋକେ ଡିଆଁ ଡେଇଁ କରୁଥାନ୍ତି, ହେଲେ କପ୍ତାନ କହୁଥାଏ, ଅପେକ୍ଷା କର, ସବୁକିଛି ଠିକ ହୋଇଯିବ। କଂଗ୍ରେସର ଅବସ୍ଥା ଏବେ ଠିକ ସେମିତି।

ତେବେ କଂଗ୍ରେସର ଏ ବିପର୍ଯୟ ପାଇଁ ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟୀ କରାଯାଇ ପାରିବ ନାହିଁ। ନିରଞ୍ଜନ ବାବୁ ପିସିସି ସଭାପତି ହେବାର ବହୁତ ଆଗରୁ କଂଗ୍ରେସର ମରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା। ବରଂ ସଭାପତି ହେବା ପରେ ନିରଞ୍ଜନ ବାବୁ ସେ ପ୍ରକ୍ରିୟାକୁ କିଛିଟା ଅଟକେଇ ପାରିଥିଲେ। ସଭାପତି ଦାୟିତ୍ଵ ନେବା ପରେ  ପ୍ରଥମ ତିନିମାସ, କଂଗ୍ରେସକୁ ନୂଆ ଉତ୍ସାହ ଦେବାରେ ନିରଞ୍ଜନଙ୍କର ବେଶ ଅବଦାନ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜର ଅନୁଗତ ମାନଙ୍କୁ ନେଇ ଯେଉଁ ଟିମ ଗଢିଲେ, ସେଥିରୁ ଅନେକ ହେଉଛନ୍ତି, ଆଜିର ରାଜନୀତିରେ ଅଚଳ ଦୋ ଆଣି। ଦଳର ସଙ୍ଗଠନକୁ ମଜବୁତ କରିବା ଲାଗି ନୂଆ ସମୟର ଯେଉଁ ଆହ୍ଵାନ ଥିଲା, ତାକୁ ବୁଝିବାରେ ନିରଞ୍ଜନ ବାବୁ ସଫଳ ହେଲେ ନାହିଁ। ଏମିତିରେ ବି ଓଡିଶା ପାଇଁ କଂଗ୍ରେସର ଆହ୍ଵାନ ଅଲଗା ଥିଲା। ଏଠି ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ସହିତ ସମାନ୍ତରାଳରେ କଂଗ୍ରେସକୁ ଲଢିବାର ଥିଲା। ଗତ କୋଡିଏ ବର୍ଷ ଧରି ସବୁ ନିର୍ବାଚନରେ ପରାସ୍ତ ହୋଇ ହୋଇ ଦଳର ମନୋବଳ ପୂରା ଭାଙ୍ଗି ସାରିଥିଲା। ସେଥିରେ ଦଳର ସଂଗଠନ ଓ ଶକ୍ତିକୁ ଉଜ୍ଜୀବିତ କରିବା ଛୋଟିଆ କଥା ନୁହେଁ।

ନିରଞ୍ଜନ ବାବୁ ଚେଷ୍ଟା କରିଛନ୍ତି। ଅଶି ବର୍ଷ ବୟସ ଟପି ସାରିଥିଲେ ମଧ୍ୟ ଯୁବକ ଭଳି ପରିଶ୍ରମ କରିଛନ୍ତି ଓ କରୁଛନ୍ତି। ହେଲେ ଏ ପରିଶ୍ରମର କିଛି ମୂଲ୍ୟ ମିଳୁନି। ଦଳର ଜାହାଜ ଏବେ ଚାଲୁଣି ପରି। ସବୁଠି ଶତ ସହସ୍ର କଣା। ପାଣି ପଶି ଆସୁଛି ଜାହାଜ ଭିତରକୁ। କପ୍ତାନ କହୁଛନ୍ତି, କଣା ପୋତିବେ, ପାଣି ପଶିବା ବନ୍ଦ ହୋଇଯିବ। ହେଲେ ବନ୍ଦ ହେବା ପରିବର୍ତ୍ତେ ଘଳିଆ ସଂଖ୍ୟା ବଢୁଛି। ଏବେ ଜାହାଜ ବୁଡିବ, ଏକଥା କପ୍ତାନ ଓ ତାଙ୍କର ନାବିକ ମାନେ ଜାଣି ସାରିଲେଣି। ତଥାପି ବିଭିନ୍ନ ଯୋଜନା ଚାଲିଛି ଶେଷ ମୁହୂର୍ତ୍ତରେ ଜାହାଜକୁ ବଞ୍ଚାଇବା ପାଇଁ।

ଯେତେବେଳେ ଖରାପ ସମୟ ଆସେ ସେତେବେଳେ ସବୁ ନିଷ୍ପତ୍ତିର ପରିଣତି ମଧ୍ୟ ଖରାପ ସାବ୍ୟସ୍ତ ହୁଏ। ପିସିସି ସଭାପତି ହେବାପରେ ନିରଞ୍ଜନ ବାବୁ ନିଜର ଏକ ପ୍ରଭାବଶାଳୀ ମିଡିଆ ଟିମ ଗଢିବାକୁ ଚେଷ୍ଟା କରିଥିଲେ। କିନ୍ତୁ ରାଜ୍ୟ କଂଗ୍ରେସର ମିଡିଆ ଟିମ ବହ୍ଵାଡମ୍ବରେ ଲଘୁ କ୍ରିୟାର ଗୋଟେ ସଫଳ ଉଦାହରଣ। ସୋସିଆଲ ମିଡିଆ ଓ ମୁଖ୍ୟଧାରାର ମିଡିଆରେ କଂଗ୍ରେସ ଏବେ ଯାବତୀୟ ଖରାପ କାରଣ ପାଇଁ ଚର୍ଚ୍ଚିତ। ସେହିପରି ଦଳର ଛାମୁଆ ସଂଗଠନ ଗୁଡିକରେ ଯେଉଁମାନଙ୍କୁ ନିଯୁକ୍ତି ଦିଆଗଲା, ସେମାନେ କେହି ତୃଣମୂଳ ସ୍ତରର ପ୍ରଭାବଶାଳୀ ନେତା ନୁହନ୍ତି। ସେଥିରେ କଂଗ୍ରେସ ସଙ୍ଗଠନଯେ ଦୁର୍ବଳ ହେବ, ଏକଥା ସ୍ଵାଭାବିକ।

ତେବେ ନିର୍ବାଚନର ଠିକ ମାସେ ଆଗରୁ କଂଗ୍ରେସ ଭିତରେ ଯାହା ଘଟୁଛି, ତାହା ଦଳର ଅସ୍ତିତ୍ଵକୁ ଦୋହଲାଇ ଦେଇଛି। ଜାତୀୟ ସ୍ତରରେ କଂଗ୍ରେସର ଅଭ୍ୟୁଦୟ ଘଟୁଥିବା ବେଳେ ଓଡିଶାରେ ଏହାର ବିପର୍ୟୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେବେ ଆଜିର ପରିସ୍ଥିତିରେ କଂଗ୍ରେସର ଜାହାଜ ବୁଡୁଛି ବୋଲି କହିବା ବେଳେ ପ୍ରସିଦ୍ଧ ହଲିଉଡ ସିନେମା “ଟାଇଟେନିକ” ର ଗୋଟେ ଦୃଶ୍ୟ କଥା ମନେ ପଡୁଛି। ବୁଡି ଯାଉଥିବା ଜାହାଜରୁ ଯେତେବେଳେ ଗୋଟେ ପରେ ଗୋଟେ ଲୋକ ଡେଇଁ ଯାଉଛନ୍ତି, ସେତେବେଳେ ଦଳେ ସଙ୍ଗୀତଜ୍ଞ ମସଗୁଲ ହୋଇ ନିଜର ଗୀଟାର ଓ ଭାଓଲିନ  ବଜାଇ ଚାଲିଛନ୍ତି। କଂଗ୍ରେସର ଏ ବିପର୍ୟୟ କାଳରେ ଯେତେବେଳେ ବି ନିରଞ୍ଜନ ବାବୁ ଦମ୍ଭ ଦେଖାଉଛନ୍ତି, ତାଙ୍କ ମୁହଁ ରେ ମୋତେ ସେ ସଙ୍ଗୀତଜ୍ଞମାନଙ୍କ ଛବି ଦିଶି ଯାଉଛି!

Categories
ବିଶେଷ ଖବର

ଓଡିଶା ପ୍ରାକ ନିର୍ବାଚନୀ ସମୀକ୍ଷା ; ବିରୋଧୀଙ୍କ ଭଙ୍ଗା ଘର ଓ ବିଜେଡ଼ିର ଅଭେଦ୍ୟ ଦୁର୍ଗ

କେଦାର ମିଶ୍ର

– ଶୁଣା ଯାଉଛି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଯୋଗାଯୋଗରେ ଅଛନ୍ତି। ଆସନ୍ତା ୩୧ ଜାନୁଆରୀ କେଜ୍ରିୱାଲଙ୍କ ଓଡିଶା ଗସ୍ତ ସମୟରେ ହୁଏତ କିଛି ଗୋଟେ ନୂଆ ଘଟିପାରେ!

– ଶୁଣା ଯାଉଛି, ନବ ଦାସ ଓ ଯୋଗେଶ ସିଂଙ୍କ ପରେ ଆହୁରି ଚାରି ଜଣ କଂଗ୍ରେସ ବିଧାୟକ ଦଳ ଛାଡିବା ଲାଗି ନିଷ୍ପତ୍ତି ନେଇ ସାରିଛନ୍ତି।

– ଶୁଣା ଯାଉଛି, ପୁରୁଣା କଂଗ୍ରେସ ନେତାଏ ଦଳ ଛାଡିଲା ପରେ ତାଙ୍କ ସ୍ଥାନରେ ପୁରୁଣା ବିଜେଡି ନେତାଏ ଅକ୍ତିଆର କରିବେ। ଅର୍ଥାତ ଦଳ ଛେଉଣ୍ଡ ହୋଇ ବୁଲୁଥିବା ବିଜେଡ଼ିର ପୁରୁଣା ନେତାମାନେ କଂଗ୍ରେସ ଶିବିରରେ ଯୋଗଦେବେ।

ଏଇ ତିନୋଟି ଯାକ ଶୁଣାକଥା କୁ ଆମେ ଖବର ବୋଲି ଭାବି ପାରିବା କି? ଅନେକ ସମୟରେ ରାଜନୀତିରେ ଶୁଣାକଥା ଇ ପରବର୍ତ୍ତୀ ସମୟରେ ପକ୍କା ଖବର ପାଲଟିଥାଏ। ତେବେ ଉପରେ ଦିଆ ଯାଇଥିବା ଶୁଣାକଥା ଗୁଡିକ ଯେଉଁ ମହଲରୁ ଶୁଣା ଯାଇଛି, ସେଠି ଏ ସବୁ କଥାର ଆପାତତଃ ପ୍ରାମାଣିକତା ରହିଛି। ଶ୍ରୀକାନ୍ତ ଜେନା ଆମ ଆଦମୀ ପାର୍ଟିକୁ ଆସିବେ କି ନା, ସେକଥା ଯଦିଓ ଏବେ କୁହା ଯାଇପାରିବ ନାହିଁ, କିନ୍ତୁ ସେ କେଜ୍ରିୱାଲଙ୍କ ସହ ଯୋଗାଯୋଗରେ ଥିବା ନିହାତି ସତ। ସେହିପରି କଂଗ୍ରେସରେ ଏବେ ବିଧାୟକଦଳ ଉଜୁଡିଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳର ଅର୍ଦ୍ଧାଧିକ ବିଧାୟକ ଏବେ ଆଉ କଂଗ୍ରେସରେ ରହିବାକୁ ଚାହାନ୍ତି ନାହିଁ।

ତେଣୁ କଂଗ୍ରେସକୁ ଏ ବିଷମ ପରିସ୍ଥିତିରୁ ରକ୍ଷା କରିବା ଲାଗି ପ୍ରଦେଶ କଂଗ୍ରେସ ସଭାପତି ଏବେ ବିଜେଡ଼ିରୁ ବିତାଡିତ/ବହିଷ୍କୃତ ନେତାମାନଙ୍କୁ ଦଳ ଭିତରକୁ ଆଣିବା ଲାଗି ଅଣ୍ଟା ଭିଡିଛନ୍ତି। ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ପଂଚାନନ କାନୁନଗୋ ଓ ବ୍ରଜ କିଶୋର ତ୍ରିପାଠୀଙ୍କୁ କଂଗ୍ରେସରେ ସାମିଲ ହେବାକୁ ପ୍ରବର୍ତ୍ତାଇବାରେ ନିରଞ୍ଜନ ଲାଗି ପଡିଛନ୍ତି। ତେବେ ନିର୍ବାଚନ ର ଅବ୍ୟବହିତ ପୂର୍ବରୁ ଏ ନେତା ମାନେ କଂଗ୍ରେସକୁ ଯଦି ଆସନ୍ତି, ତାହେଲେ କଂଗ୍ରେସର ଶକ୍ତି ବୃଦ୍ଧି ହେବ କି?

ବିଜେପିରୁ ମୋହ ଭଙ୍ଗ ହେବାପରେ ବୈଜୟନ୍ତ ଏବେ କଂଗ୍ରେସ ସହିତ ହାତ ମିଳାଇଥିବାର ସୂଚନା ମିଳିଛି। ବୈଜୟନ୍ତଙ୍କ ସମେତ ବାକି ସବୁ ନେତା ଜୀବନ ତମାମ କଂଗ୍ରେସ ବିରୋଧରେ କହିଛନ୍ତି ଓ କାମ କରିଛନ୍ତି। ଏବେ ସେମାନେ ଯଦି କଂଗ୍ରେସକୁ ଆସନ୍ତି ପୁରୁଣା କଂଗ୍ରେସ କର୍ମୀମାନେ ତାଙ୍କୁ କେମିତି ଗ୍ରହଣ କରିବେ, ସେ ଏକ ବିରାଟ ପ୍ରଶ୍ନବାଚୀ। ତେବେ  ବୈଜୟନ୍ତଙ୍କୁ ଆଣିବା ପଛରେ କଂଗ୍ରେସର ସବୁଠୁ ବଡ ଲୋଭ ହେଉଛି ଓ ଟିଭି । ବୈଜୟନ୍ତ ଯଦି ଆସନ୍ତି ତାହେଲେ ଏକ ବଡ ଗଣମାଧ୍ୟମର ସମର୍ଥନ ଆପେ ଆପେ କଂଗ୍ରେସକୁ ଚାଲି ଆସିବ ବୋଲି ହୁଏତ ଦଲ ଭାବୁଥାଇ ପାରେ। ହେଲେ ବିଚାରରେ ଓ ସଂଯୋଗରେ ବୈଜୟନ୍ତ ସଂଘ ପରିବାରର ସବୁଠୁ ନିକଟବର୍ତ୍ତୀ ଲୋକ। ସେ କଂଗ୍ରେସ ଭିତରେ ନିଜକୁ କେମିତି ଖାପ ଖୁଆଇବେ ତାହା ଦେଖିବା, ବେଶ ମଜାଳିଆ ହେବ!

ତେବେ ଏତେସବୁ କଥା ଭିତରେ ଆଉ କିଛି ଶୁଣା କଥା ବି ରହିଛି-

  • ଯେମିତି, ଏୟା ବି ହୋଇପାରେ ଯେ ବୈଜୟନ୍ତ, ଦାମୋଦର, ବିଜୟ ଓଗେର ଓଡିଶା ଜନତା ଦଳ ନାମରେ ଗୋଟେ ନୂଆ ଦଳ ଗଢିପାରନ୍ତି ଓ ଏ ଦଳ କଂଗ୍ରେସ ସହିତ ଆସନ ବୁଝାମଣା କରିପାରେ!
  • ଯେମିତି ଅଣ ବିଜେପି ଓ ଅଣ ବିଜେଡି ଦଳଙ୍କର ଏକ ମେଣ୍ଟ କଂଗ୍ରେସ ନେତୃତ୍ଵରେ ହେବ ଓ ଏମାନେ ବିଜେଡି-ବିଜେପି ବୁଝାମଣା ପ୍ରସଙ୍ଗ ଉଠାଇ ଲାଭ ପାଇବାର ଉଦ୍ୟମ କରିବେ!
  • ଯେମିତି, ୧୦୦ ଓ ୪୭ ର ଏକ ଭାଗମାପ କଥା ମଧ୍ୟ ଉଠିପାରେ। କଂଗ୍ରେସ ୧୦୦ ଟି ଆସନରେ ଲଢି ବାକି ୪୭ ଟି ଆସନ ସହଯୋଗୀ ମାନଙ୍କୁ ଛାଡି ଦେଇପାରେ।

ଏତେ ସବୁ ଶୁଣାକଥା ଭିତରେ ଓଡିଶା ରାଜନୀତିର ମରମକଥା କିନ୍ତୁ ଅଲଗା। ଏବେବି ବିରୋଧୀ ଦଳ ଗୁଡିକ ନିଜର ଘର ସଜାଡିବାରେ ବ୍ୟସ୍ତ ଥିବାବେଳେ ବିଜେଡି ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଲାଣି। ଫେବୃଆରି ୧୫ ତାରିଖ ପୂର୍ବରୁ ସରକାରୀ ସ୍ତରରେ ବିଜେଡି ନିଜର ପ୍ରଚାର ଅବ୍ୟାହତ ରଖିବା। ନିର୍ବାଚନ ଲାଗି ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଅଧିକରୁ ଅଧିକ ଲୋଭନୀୟ ଯୋଜନା ସରକାରୀ ସ୍ତରରେ ଘୋଷଣା କରାଯିବ। ନିର୍ବାଚନ ତାରିଖ ଘୋଷଣା ପରେ କେବଳ ଔପଚାରିକ ଦଳୀୟ ପ୍ରଚାର ବାକିଥିବ।

ବିଜେଡ଼ିର ଏହି ପ୍ରସ୍ତୁତିକୁ ରୋକିବା ଲାଗି ବିରୋଧୀ ଦଳ ଗୁଡିକର ସାମର୍ଥ୍ୟ ଅପେକ୍ଷା ସେମାନଙ୍କ ଦୁର୍ବଳତା ଏବେ ଅଧିକ ଦୃଶ୍ୟମାନ ହେଉଛି। ଏଯାବତ ବିଜେପି ରାଜ୍ୟ ଶାଖା ଶକ୍ତିଶାଳୀ ଲାଗୁଥିବାବେଳେ ହଠାତ ବିଜେପି ଭିତରେ ଏବେ ଅସନ୍ତୋଷ ବାରି ହୋଇ ପଡୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଏବେ ଖୋଲାଖୋଲି ବିଦ୍ରୋହ ଦେଖା ଦେଲାଣି। ଉଭୟ କଂଗ୍ରେସ ଓ ବିଜେପି ନିଜ ଭଙ୍ଗାଘର ଗଢିବାରେ ଲାଗିଥିବା ସମୟରେ ବିଜୁ ଜନତା ଦଳ ନିଜର ଦୂର୍ଗ ଗଢି ସାରିଛି ବୋଲି, ଆମେ କହିପାରିବା।