ନବୀନଙ୍କୁ ଭେଟିଲେ ଦିଲ୍ଲୀପ, ଘରବାହୁଡ଼ା ନେଇ ଚର୍ଚ୍ଚା

Published: Mar 17, 2019, 1:25 pm IST
dillip ray meets maveen pattanaik

ବରିଷ୍ଠ ନେତା ଦିଲୀପ ରାୟ ଶନିବାର ଦିନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପରେ ଦିଲୀପ ଖୁବ୍‌ଶୀଘ୍ର ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଚାଲିଛି। ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଦିଲୀପ ତାଙ୍କ ସମର୍ଥକଙ୍କ ସହ ସୋମବାର ବିଜେଡିରେ ଯୋଗଦାନ କରିବେ। ହେଲେ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ବିଜେଡିରେ ମିଶିବା ପୂର୍ବରୁ ଦିଲୀପ କିଛି ସର୍ତ୍ତ ରଖିଛନ୍ତି, ଯାହାକୁ ନେଇ ରବିବାର ଦଳର ଏକ ବୈଠକ ବସିବ। ଦିଲୀପଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା କିଛି  ସର୍ତ୍ତକୁ ନେଇ ଆଲୋଚନା କରାଯିବ। ସେ ବିଜେଡିକୁ ଫେରିଲେ, ତାଙ୍କୁ କେନ୍ଦ୍ରାପଡା କିମ୍ବା ବରଗଡ ଲୋକ ସଭା ଆସନରୁ ପ୍ରାର୍ଥୀ କରାଯିବା ସମ୍ଭାବନା ରହିଛି। ସେହିପରି ଦିଲୀପଙ୍କ ଯୋଗଦାନ ପୂର୍ବରୁ ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପ୍ରମୁଖ ରାଜନୈତିକ ସହଯୋଗୀ ଭାବେ ଦିଲୀପ ଜଣାଶୁଣା। ୨୦୦୯ରେ ଉଭୟେ ଏକସଙ୍ଗେ ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଭାଜପାରେ ମିଶିଥିଲେ। ହେଲେ ଗତବର୍ଷ ଦିଲୀପ ଏବଂ ବିଜୟ ଭାଜପାରୁ ଇସ୍ତଫା ଦେଇଥିଲେ। ରାଉରକେଲାରୁ ପ୍ରତିନିଧିତ୍ୱ କରୁଥିବା ଦିଲୀପ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ବର୍ତ୍ତମାନ  ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି। ଦିଲ୍ଲୀପଙ୍କ ଘରବାହୁଡ଼ା ପକ୍କା ଲାଗୁଥିଲେ ମଧ୍ୟ ବିଜୟ ବିଜେଡ଼ିକୁ ପ୍ରତ୍ୟାବର୍ତ୍ତନକୁ ନେଇ ଏବେବି ସସପେନ୍ସ ଲାଗି ରହିଛି।

Related posts