Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭିଜିଲାନସ ନିର୍ଦ୍ଦେଶକ ଦେବାଶୀଷ ପାଣିଗ୍ରାହୀ ଗୁରୁତର, ଏୟାରଲିଫ୍ଟରେ ନିଆଗଲା କୋଲକାତା

କଟକ, ଭିଜିଲାନସ ନିର୍ଦ୍ଦେଶକ ଦେବାଶୀଷ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର ହେବାରେ ଲାଗିଛି। ଫଳରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଆଜି ଏୟାରଲିଫ୍ଟରେ କୋଲକାତା ନିଆଯାଇଛି। ସେ ଗତ 29 ତାରିଖରେ କରୋନା ଆକ୍ରାନ୍ତ ହୋଇ କଟକସ୍ଥିତ ଅଶ୍ବନୀ ହସପିଟାଲରେ ଭର୍ତ୍ତି ହୋଇଥିଲେ।

ହେଲେ ଗତ କିଛିଦିନ ତଳେ ସେ ଗୁରୁତର ହୋଇପଡିଥିଲେ। ଫଳରେ ଗତକାଲି ତାଙ୍କୁ ଏୟାରଲିଫ୍ଟରେ କୋଲକାତା ନେବାର ଥିଲା। ହେଲେ ତାହା ସମ୍ଭବ ହୋଇପାରି ନ ଥିଲା। ଆଜି ମଧ୍ୟାହ୍ନରେ ତାଙ୍କୁ ଏକ ସ୍ବତନ୍ତ୍ର ଆମ୍ବୁଲାନସରେ କଟକ ଅଶ୍ବନୀ ହସପିଟାଲରୁ ଏୟାରପୋର୍ଟ ନିଆଯାଇଥିଲା। ସେଥିପାଇଁ ପୋଲିସ ତରଫରୁ ରାସ୍ତା ସାରା ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

Categories
ଆଜିର ଖବର

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ : ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସମୀକ୍ଷା ବ୍ୟୁରୋ
ସମ୍ବଲପୁର,20/12 : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏନଏସିର ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି । ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲପୁର, ସୁନ୍ଦରଗଡ଼, ରାଉରକେଲା, ଦେଓଗଡ଼, ବଲାଙ୍ଗିର ଓ ଝାରସୁଗୁଡ଼ାର ଟିମ୍ ଏହି ଚଢ଼ଉରେ ସାମିଲ ହୋଇଛନ୍ତି । ସହକାରୀ ଯନ୍ତ୍ରୀଙ୍କ ଘୋଷାସ୍ଥିତ ବାସଭବନ, କୁଚିଣ୍ଡାସ୍ଥିତ ବାସଭବନ ଓ ଶ୍ୱଶୁର ଘରେ ଯାଞ୍ଚ ଚାଲିଥିବା ଜଣାଯାଇଛି । ସେହିପରି ଏନଏସି କାର୍ଯ୍ୟାଳୟରେ ବି ଚଢ଼ଉ ହେବ ବୋଲି ଜଣାଯାଇଛି ।

Categories
ବିଶେଷ ଖବର ମତାମତ

ଦୁର୍ନୀତି ନିବାରଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଆଜି ମଧ୍ୟ ଆଖିଦୃଶିଆ ନୁହେଁ, ନବୀନ ସରକାର ଏ କ୍ଷେତ୍ରରେ ଆହୁରି ଶକ୍ତିଶାଳୀ ପଦକ୍ଷେପ ନେବା ଜରୁରୀ

କେଦାର ମିଶ୍ର 

ଓଡିଶା ସରକାର ୨୦୧୮-୧୯ ମସିହା ପାଇଁ ତାଙ୍କର ଯେଉଁ ଅର୍ଥନୈତିକ ସର୍ବେକ୍ଷଣ ବିଧାନସଭାରେ ଉପସ୍ଥାପିତ କରିଛନ୍ତି, ସେଥିରେ ଦୁର୍ନୀତିକୁ ରାଜ୍ୟର ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଏକ ବାଧକ ବୋଲି ମାନିଛନ୍ତି। ସରକାରଙ୍କ ନିଜ ଭାଷାରେ” ଦୁର୍ନୀତି ନିବାରଣ କେବଳ ଏକ ନୈତିକ ଦାୟିତ୍ଵ ନୁହେଁ, ଏହା ଏକ ଅର୍ଥନୈତିକ ଆବଶ୍ୟକତାଯ”। ଏଥିରେ ଦ୍ଵିମତ ହେବାର କୌଣସି କାରଣ ନାହିଁ। ତେବେ ସରକାରୀ ସ୍ତରରେ ଏହାକୁ ଲାଗୁ କରିବ କିଏ? ରାଜ୍ୟ ସରକାର ପ୍ରତିଷ୍ଠା କରିଥିବା ଦୁଇଟି ସ୍ଵତନ୍ତ୍ର ଦୁର୍ନୀତି ନିବାରଣ ଅଦାଲତରେ ମାତ୍ର ୪୩ ଜଣ ପ୍ରଥମ ଶ୍ରେଣୀର ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଛନ୍ତି। ତେବେ ସେମାନଙ୍କ ଭିତରୁ ଉପରିସ୍ଥ ଅଦାଲତରେ କେତେଜଣଙ୍କ ଦଣ୍ଡ କାୟମ ରହିଛି, ତାହାର ତଥ୍ୟ ରାଜ୍ୟ ସରକାର ଦେଇ ନାହାନ୍ତି। ସରକାରୀ ତଥ୍ୟ ଏ ସଙ୍କ୍ରାନ୍ତରେ ଯାହା ମିଳୁଛି, ତାହା ଅତ୍ୟନ୍ତ ନିରାଶାଜନକ।

୨୦୧୮ ବର୍ଷରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ୪୨୯ ଟି ଅପରାଧିକ ମାମଲା ରୁଜୁ କରିଥିଲେ। ମାମଲା ହୋଇଥିବା ଅଧିକାରୀଙ୍କ ଭିତରେ ରହିଛନ୍ତି ୫୨ ଜଣ ପ୍ରଥମ ଶ୍ରେଣୀର ଅଧିକାରୀ, ୪୪ ଜଣ ଦ୍ଵିତୀୟ ଶ୍ରେଣୀ ଅଧିକାରୀ, ୩୯୮ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୧୩ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୧୬୫ ଜଣ ବେସରକାରୀ ବ୍ୟକ୍ତି ବିଶେଷ। ଯେଉଁ ସବୁ ମାମଲା ଦାୟର ହୋଇଛି ସେଥିରୁ ଅଧିକାଂଶ ହେଉଛି ବେଆଇନ ଭାବରେ ସମ୍ପତ୍ତି ଜମା କରିଥିବା ସମ୍ପର୍କିତ। ୯୪.୨୫ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ବିରୋଧରେ ଏହି ସବୁ ମାମଲା ହୋଇଛି। ୧୮୨ ଜଣ କର୍ମଚାରୀଙ୍କୁ ଭିଜିଲାନ୍ସ ଧାରା ପଗଡ କରିଛି।

ସେହିପରି ୪୨୨ ଜଣଙ୍କ ବିରୋଧରେ ଭିଜଲାନ୍ସ ବିଭାଗ ତଦନ୍ତ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୨୨ ଜଣ ପ୍ରଥମ ଶ୍ରେଣୀର ଅଧିକାରୀ, ୩୮ ଜଣ ଦ୍ଵିତୀୟ ଶ୍ରେଣୀ, ୪୦୮ ଜଣ ତୃତୀୟ ଶ୍ରେଣୀ, ୧୧ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୩୪ ଜଣ ବେସରକାରୀ ଲୋକ। ୪୨୨ ଟି ତଦନ୍ତ ମାମଲାରୁ ୩୭୮ ମାମଲାରେ ରେ ବିହିତ କାର୍ୟାନୁଷ୍ଠାନ ହୋଇଛି। ୧୦୮ ଟି ମାମଲାର ତଦନ୍ତ ସାରି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ୟାନୁଷ୍ଠାନ ନେବାକୁ ବିଭିନ୍ନ ବିଭାଗକୁ ସୁପାରିଶ କରାଯାଇଛି। ସେଥିରୁ ୧୮୭ ଟି ମାମଲାକୁ ଅପରାଧିକ ବୋଲି ଘୋଷଣା କରାଯାଇଛି। ୮୩ ଟି ମାମଲା ପ୍ରମାଣ ଅଭାବରୁ ବନ୍ଦ କରି ଦିଆଯାଇଛି।

ଦୁର୍ନୀତି ଅଭଯୋଗରେ ରାଜ୍ୟର ୨୪୧ ଜଣଙ୍କୁ(୨୬ ପ୍ରଥମଶ୍ରେଣୀ, ୧୯ ଦ୍ଵିତୀୟ ଶ୍ରେଣୀ,୧୭୬ ତୃତୀୟ ଶ୍ରେଣୀ,୯ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୫ ବେସରକାରୀ ଲୋକ)   ଗିରଫ କରାଯାଇଛି। ୩୩ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଦୁର୍ନୀତି ନିବାରଣ ଅଦାଲତ ଦ୍ଵାରା ୨୩୪ ମାମଲାର ବିଚାର କରି ୧୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଯଦିଓ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କ ହାର ୫୧%, ହେଲେ ଅଭଯୋଗ ହାର ଯଥେଷ୍ଟ କମ।

ଉପରେ ଆମେ ଯେଉଁସବୁ ତଥ୍ୟ ଦେଖିଲେ, ସେଥିରୁ ଗୋଟେ କଥା ପ୍ରମାଣିତ ହେଉଛି ଯେ, ଉପରସ୍ତରର ଦୁର୍ନୀତି ବିରୋଧରେ କାର୍ୟାନୁଷ୍ଠାନ ସଂଖ୍ୟା ଆପାତତଃ କମ। ପ୍ରାୟତଃ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ବିରୋଧରେ ଅଧିକ ଚଢାଉ ହେଉଛି। ରାଜନୈତିକ ପ୍ରଶାସକମାନେ ଏ କ୍ଷେତ୍ରରେ ବର୍ତ୍ତି ଯାଉଛନ୍ତି। ଗତ କୋଡିଏ ବର୍ଷ ଭିତରେ ପ୍ରାୟ କୌଣସି ରାଜନୈତିକ ପ୍ରଶାସକ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। କାହିଁ କେତେ ବର୍ଷ ତଳେ ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କୁ ଏକ ନିମ୍ନ ଅଦାଲତ ଦଣ୍ଡିତ କରିଥିଲେ। ତାପରଠୁ କୌଣସି ମନ୍ତ୍ରୀ ବା ବିଧାୟକ ଏ ପ୍ରକାର ମାମଲାର ସାମ୍ନା କରିନାହାନ୍ତି। ସେହିପରି ମାମଲାରେ ପଡିଥିବା ଆଇଏଏସ ଅଧିକାରୀଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ କମ। ଉପରସ୍ତରର ଦୁର୍ନୀତିକୁ ଛୁଇଁବା ଲାଗି ଦୁର୍ନୀତି ନିବାରଣ ବିଭାଗ ବୋଧହୁଏ ସାହସ କରୁନାହାନ୍ତି।

କିରାଣୀ ଓ ତଳ ସ୍ତରର କର୍ମଚାରୀଙ୍କୁ ଗିରଫ କରି ଦୁର୍ନୀତି ବିରୋଧରେ ବଡ ପଦକ୍ଷେପ ନେଉଛୁ ବୋଲି କହିବା ହାସ୍ୟାସ୍ପଦ ହେବ। ଇତି ମଧ୍ୟରେ ରାଜ୍ୟରେ ଲୋକପାଳ ବ୍ୟବସ୍ଥା ଲାଗୁ ହୋଇ ସାରିଛି। ଲୋକପାଳଙ୍କ ରିପୋର୍ଟ ମିଳୁ ମିଳୁ ଆଉ ବର୍ଷେ ସମୟ ଲାଗିବ।ତେଣୁ ଉପରସ୍ତରରର ଦୁର୍ନୀତି ବିରୋଧରେ ଲୋକପାଳ କି ପ୍ରକାର ଆଭିମୁଖ୍ୟ ରଖୁଛନ୍ତି, ତାହା ସମୟ କହିବ। ହେଲେ ସରକାରୀ ତଥ୍ୟ ଆଧାରରେ ଆମେ ଏତିକି କହିପାରିବା ଯେ ଦୁର୍ନୀତି ନିବାରଣ ପ୍ରସଙ୍ଗରେ କେବଳ ଚୂନା ମାଛ ଇ ଧାରା ପଡ଼ୁଛନ୍ତି। ବଡ ମାଛଙ୍କୁ ଧରିବା ଲାଗି ରାଜ୍ୟ ସରକାରଙ୍କ ଜାଲ ଏବେବି ଦକ୍ଷ ହୋଇନାହିଁ।