Categories
ଆଜିର ଖବର ଜାତୀୟ ଖବର

ପୁଣି ସେହି ଦୟନୀୟ ଅବସ୍ଥା, ଲକଡାଉନ ଘୋଷଣା ପରେ ଦିଲ୍ଲୀ ବସଷ୍ଟାଣ୍ଡରେ ଶ୍ରମିକଙ୍କର ଭିଡ

ନୂଆଜିଲ୍ଲୀ, ପୁଣି ଥରେ ଦେଶକୁ ସେହି ଦୟନିୟ ଅବସ୍ଥାକୁ ଫେରି ଆସୁଛି। ଦିଲ୍ଲୀରେ ଛଅ ଦିନ ପାଇଁ ଲକ ଡାଉନ ଘୋଷଣା ହେବା ପରେ ଶ୍ରମିକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ବିଭିନ୍ନ ରାଜ୍ୟରୁ କାମ କରିବାକୁ ଯାଇଥିବା ଶ୍ରମିକମାନେ ବର୍ତ୍ତମାନ ଘରକୁ ଫେରିବା ଆରମ୍ଭ କରିଛନ୍ତି। ଫଳରେ ଦିଲ୍ଲୀର ବିଭିନ୍ନ ବସଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରେ ଶ୍ରମିକଙ୍କର ଭିଡ ଆରମ୍ଭ ହୋଇଯାଇଛି। ଦିଲ୍ଲୀର ଆନନ୍ଦ ବିହାର ବସ ଟରର୍ମିନାଲରେ ଶ୍ରମିକମାନେ ଘରକୁ ଫେରିବା ପାଇଁ ନାହିଁ ନ ଥିବା ଭିଡ କରିଥିଲେ।

ଲକଡାଉନ ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲା ଶ୍ରମିକଙ୍କୁ ଘରକୁ ନ ଫେରିବା ପାଇଁ ହାତ ଯୋଡି କହିଥିଲେ। ହେଲେ ତାଙ୍କ କଥା କେହି ଶୁଣିବାକୁ ନାରାଜ। ଲକଡାଉନ ପୂର୍ବରୁ କିପରି ଘରକୁ ଫେରିବେ ସେ ନେଇ ଶ୍ରମିକମାନେ ବିଭିନ୍ନ ସ୍ଥାନରେ ଭିଡ ଆରମ୍ଭ କରିଦେଲେଣି। ଏହାକୁ ନେଇ ପୁଣି ଥରେ ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଲକ ଡାଉନ ସମୟରେ କଳାବଜାରୀଙ୍କ ଉପରେ କଡା ନଜର ରଖିବାକୁ କେନ୍ଦ୍ରର ରାଜ୍ୟମାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ମହାମାରୀ କାରଣରୁ ଦେଶର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଓ ଲକଡାଉନ ଲାଗୁ ହୋଇଛି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦକାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ଏ ସଂକ୍ରାନ୍ତରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ବିଭାଗର ପ୍ରମୁଖ ସଚିବମାନଙ୍କ ସହିତ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧୀନ ଉପଭୋକ୍ତା ବ୍ୟାପାର ବିଭାଗର ଅତିରିକ୍ତ ସଚିବ ସୁଶ୍ରୀ ନିଧି ଖାରେ ଏହି ବୈଠକରେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ଓ ମୂଲ୍ୟ ସ୍ଥିତି ସମୀକ୍ଷା କରିଥିଲେ। ରାଜ୍ୟଗୁଡ଼ିକର ବିଭିନ୍ନ ମଣ୍ଡିରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସହିତ ମୂଲ୍ୟ ମଧ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ପ୍ରଦାନ କରାଯାଇଥିଲା।

ଏହାବ୍ୟତୀତ ଖାଦ୍ୟ ପଦାର୍ଥ, ଔଷଧ, ସ୍ବଚ୍ଛତା ଉତ୍ପାଦ ଏବଂ ଅତ୍ୟାବଶ୍ୟକ ସେବା ସହିତ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ଏବଂ ଉଚିତ ମୂଲ୍ୟରେ ଏସବୁ ଉପଲବ୍ଧ କରାଇବା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଚାହିଦା କିମ୍ବା ଯୋଗାଣରେ ଅସନ୍ତୁଳନ ସ୍ଥିତିରୁ ରକ୍ଷା ପାଇବା ନିମନ୍ତେ ପ୍ରଭାବୀ ଅନୁଧ୍ୟାନ ଓ ପରିଚାଳନା ଗତିବିଧି ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଆଞ୍ଚଳିକ ତଥା ଜିଲ୍ଲା ସ୍ତରର ଖାଦ୍ୟ ଓ ସାଧାରଣ ବଣ୍ଟନ, ବୈଧ ମାପ ଓଜନ ନିୟନ୍ତ୍ରକ, ଖାଦ୍ୟ ସୁରକ୍ଷା, ସ୍ବାସ୍ଥ୍ୟ ଓ ପୁଲିସର ମିଳିତ ଦଳ ଗଠନ କରିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା। ତରବର ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ଅଧିକ ମାତ୍ରାରେ କ୍ରୟ ଭଳି ସ୍ଥିତିରୁ ରକ୍ଷା ପାଇବା ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପକ୍ଷରୁ ପ୍ରଚାର ଓ ସଚେତନତା ଗତିବିଧି ପରିଚାଳନା ନିମନ୍ତେ ପରାମର୍ଶ ଦିଆଯାଇଥିଲା।

ବୈଠକ ଅବସରରେ ଏଥିପ୍ରତି ଜୋର ଦିଆଯାଇଥିଲା ଯେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀର ନିରନ୍ତର ଯୋଗାଣ ବଜାୟ ରଖିବା ନିମନ୍ତେ ଅସାଧୁ ବ୍ୟବସାୟୀ ଓ ମହଜୁଦକାରୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ରହିଛି।

ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ, ଯୋଗାଣ, ବିତରଣ ଆଦି ଉପରେ ନିୟନ୍ତ୍ରଣ ଆଣିବା ଲାଗି ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ର ଧାରା ୩ରେ କ୍ଷମତା ଦିଆଯାଇଛି ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ମଧ୍ୟ ଏହି ଆଇନ ବଳରେ କ୍ଷମତା ପ୍ରଦାନ କରାଯାଇଛି।

କଳାବଜାରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ରକ୍ଷଣାବେକ୍ଷଣ ନିବାରଣ ଆଇନ, ୧୯୮୦ର ଧାରା ୩ ଅନ୍ତର୍ଗତ ଜନସାଧାରଣଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଣ ବଜାୟ ରଖିବାରେ ବାଧାସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସର୍ବାଧିକ ୬ ମାସ ପର‌୍ୟ୍ୟନ୍ତ ଜେଲ ଦଣ୍ଡ ଦିଆଯାଇପାରେ।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଏବଂ କଳାବଜାରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ରକ୍ଷଣାବେକ୍ଷଣ ନିବାରଣ ଆଇନ, ୧୯୮୦କୁ ଉପଭୋକ୍ତା ବ୍ୟାପାର ବିଭାଗ ଲାଗୁ କରିଥାଏ। ଏହି ଦୁଇଟି ଆଇନ ଉପଭୋକ୍ତାମାନଙ୍କୁ ଉଚିତ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧତା ସୁନିଶ୍ଚିତ କରିବା ଓ ଅସାଧୁ ବ୍ୟବସାୟୀ ଓ ମହଜୁଦକାରୀଙ୍କ ଶୋଷଣରୁ ଉପଭୋକ୍ତାଙ୍କୁ ସୁରକ୍ଷିତ ରଖିବା ଲାଗି ଲାଗୁ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କରୋନା ପାଇଁ ପୁଣି ଥରେ ଲକଡାଉନ ଘୋଷଣା, ଆସନ୍ତାକାଲି ରାତି 8ଟାରୁ ତିନିଦିନ ପାଇଁ ତାଲାବନ୍ଦ

ମୁମ୍ବାଇ, ବର୍ତ୍ତମାନ ମହାରାଷ୍ଟ୍ରରେ କରୋନା ଅଣଆୟତ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ଫଳରେ ମହାରାଷ୍ଟ୍ର ସରକାର ପୁଣି ଥରେ ଲକଡାଉନ ଘୋଷଣା କରିଛନ୍ତି। ବର୍ତ୍ତମାନ ପାଇଁ ସପ୍ତାହନ୍ତ ଏହି ଲକଡାଉନ ଘୋଷଣା ହୋଇଛି। ଆସନ୍ତାକାଲି ଅମରାବତିରେ ଏହି ସପ୍ତାହନ୍ତ ଲକଡାଉନ କରାଯିବ। ଶନିବାର ରାତି 8 ଟାରୁ ଏହି ଲକଡାଉନ ଆରମ୍ଭ ହୋଇ ସୋମବାର ସକାଳ 7ଟା ପର୍ଯ୍ୟନ୍ତ ଲାଗୁ ରହିବ। ଏହି ସମୟରେ ସମସ୍ତ ଦୋକାନବଜାର ବନ୍ଦ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ଏହି ସମୟରେ ଜରୁର କାଳିନ ସେବା ଜାରି ରହିବ।

ସେହିପରି ଯବତମାଳ ଜିଲ୍ଲାରେ ମଧ୍ୟ କରୋନା ପାଇଁ କଟକଣା ଜାରୀ କରାଯାଇଛି। ଏହି ଜିଲ୍ଲାରେ ପାଞ୍ଚରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରୀ କରାଯାଇଛି। ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବା ପାଇଁ କୁହାଯାଇଛି। ଏହି କଟକଣାକୁ ମାନିବା ପାଇଁ ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ନିବେଦନ କରାଯାଇଛି। ଏଥିସହିତ ହୋଟେଲ ରେସ୍ତୋରାଁ ପ୍ରମୁଖ ରାତି 9ଟା ପରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ କରୋନା ପରିସ୍ଥିତି ମହାରାଷ୍ଟ୍ରରେ ଅଣଆୟତ କରି ରଖିଛି। ଗତକାଲି ରାଜ୍ୟରେ 5 ହଜାର କରୋନା ପଜେଟିଭ ଚିହ୍ନଟ ହୋଇଥିଲେ। ରାଜ୍ୟରେ ଲଗାତାର ଭାବେ ଗତ 6ଦିନ ଧରି 3 ହଜାରରୁ ଉର୍ଦ୍ଧ କରୋନା ପଜେଟିଭ ଚିହ୍ନଟ ହେବାରେ ଲାଗିଛନ୍ତି। ସେହିପରି ଏହି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ପ୍ରାୟ 51 ହଜାର ଟପିଲାଣି। ଯାହା ଦେଶରେ ସର୍ବାଧିକ କୋରନା ମୃତ୍ୟୁ ହାର ବୋଲି ଜଣାପଡିଛି।

ଏ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି। ଲୋକମାନଙ୍କୁ କଟକଣା ମାନିବା ପାଇଁ ଅନୁରୋଧ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତାହା ନ ହୁଏ ତେବେ ଏହି କଟକଣାକୁ କଡାକଡି କରିବା ପାଇଁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଏହି ଦେଶରେ ମିଳିଲା କରୋନାର ଶକ୍ତିଶାଳୀ ଷ୍ଟ୍ରେନ, କଡାକଡି ହେବ ଲକଡାଉନ

ଲଣ୍ଡନ‌ : ଦୁନିଆରେ କରୋନା ଭାଇରସର କାୟା ଥମିବାରେ ନାଁ ନେଉନାହିଁ । ପ୍ରତ୍ୟେକ ଦିନ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।  ଏହା ମଧ୍ୟରେ ବ୍ରିଟେନ୍‌ରେ ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି ।  ବ୍ରିଟେନ୍‌ରେ ଏବେ ଦେଖାଦେଇଥିବା କରୋନାରେ ଶକ୍ତିଶାଳୀ ଷ୍ଟ୍ରେନ୍‌ ଦେଖିବାକୁ ମିଳିଛି । ବ୍ରିଟେନ୍‌ରେ ଚିହ୍ନଟ ହୋଇଥିବାର କରୋନା ମାମଲାରେ ଏବେ ନୂତନ ପ୍ରକାର ଦେଖଯାଉଛି ଅର୍ଥାତ୍‌ ଏହି ଭାଇରସ୍‌ ଏବେ ନୂତନ ପ୍ରକାରରେ ଚିହ୍ନଟ ହୋଇଛି । ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ୍‌ ସରକାର ଶକ୍ତ ଲକ୍‌ଡାଉନ୍‌ ଜାରି କରିବା ନେଇ ନିଷ୍ପତ୍ତି ନେଇଛନ୍ତି ।  ଏହାପରେ ବ୍ରିଟେନ୍‌ରେ ଲକ୍‌ଡାଉନ୍‌ର ଘୋଷଣା କରାଯାଇଛି ।  କରୋନା ମାମଲାରେ ନୂତନ ପ୍ରକାରର ଚିହ୍ନଟ ହେବା ପରେ ଦେଶର ରାଜଧାନୀ ତଥା ଏହାର ଆଖପାଖ ଅଞ୍ଚଳରେ ବୁଧବାର ଦିନ କଡା ଲକ୍‌ଡାଉନ୍‌ ଲଗାଯିବା ନେଇ ସୂଚନା ରହିଛି । ଏହି ନୂତନ କରୋନା ଭାଇରସ୍‌ ଦ୍ରୁତ ଗତିରେ ବ୍ୟାପୁଥିବାର କାରଣ ବୋଲି ଜଣାପଡିଛି ।

ବ୍ରିଟେନ୍‌ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ସମ୍ପୃକ୍ତ ଅଞ୍ଚଳରେ କେବଳ ସାତ ଦିନ ମଧ୍ୟରେ ଏହି ଘାତକ ଭାଇରସ୍‌ର ମାମଲା ଦୁଇଗୁଣ ହାରରେ ବଢିବାରେ ଲାଗିଛି । ଏଥିପାଇଁ ତତ୍କାଳ ତଥା ନିର୍ଣ୍ଣାୟକ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି । ଏଥିପାଇଁ ଲଣ୍ଡନ୍‌ ଓ ଏହାର ଆଖପାଖ ଅଞ୍ଚଳରେ ‘ଟିୟର୍‌-3’ ସ୍ତରର ପ୍ରତିବନ୍ଧକ ଲାଗୁ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ନିକଟରେ ବ୍ରିଟେନ୍‌ରେ କରୋନା ଭ୍ୟାକ୍‌ସିନ୍‌ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ପୁଣି ଥରେ ଲାଗୁ ହେବ ଲକ୍‌ଡାଉନ୍‌ ! ଜାଣନ୍ତୁ ଏ ସମ୍ପର୍କରେ କ’ଣ କହିଲେ କେଜ୍‌ରୀଓ୍ବାଲ

ନୂଆଦିଲ୍ଲୀ : ଦିଲ୍ଲୀକୁ ପୁଣି ଫେରିବ ଲକଡାଉନ୍। କରୋନା ସଂକ୍ରମଣ ବଢୁଥିବା ଦେଖି ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।ଦିଲ୍ଲୀରେ ଶୀତ ବଢ଼ିବା ସହିତ ଗତ କିଛି ଦିନ ହେଲା ସଂକ୍ରମଣର ମାତ୍ରା ଖୁବ ବଢ଼ିଯାଇଛି। ଯାହାକୁ ନେଇ ଏବେ ଦିଲ୍ଲୀ ସରକାର ପୁଣି ଚିନ୍ତାରେ ପଡ଼ିଯାଇଛି। ତେଣୁ ଦିଲ୍ଲୀରେ ଛୋଟ ଧରଣର ଲକଡାଉନ୍ ନିୟମ ପୁଣି ଜାରି ହୋଇପାରେ ବୋଲି କେଜରିୱାଲ କହିଛନ୍ତି। କେଜରୀଓ୍ବାଲ ଏଲ୍‌ଜିଙ୍କୁ ଏନେଇ ପ୍ରସ୍ତାବ ପଠାଇଛନ୍ତି ।

ଆବଶ୍ୟକତା ପଡିଲେ ଦିଲ୍ଲୀ ସରକାର ବଜାର ବନ୍ଦ ନେଇ ନିଷ୍ପତ୍ତି ନେଇପାରନ୍ତି । ଯେଉଁ ବଜାରଗୁଡିକରେ କରୋନା ନିୟମ ଶକ୍ତ ରୂପେ ପାଳନ ହେଉନାହିଁ ବା କରୋନା ହଟସ୍ପଟ୍‌ ରହିଛି ସେହି ସମସ୍ତ ବଜାରକୁ ବନ୍ଦ କରିବା ଲାଗି ମଧ୍ୟ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି ।ଅପରପକ୍ଷରେ ଦିଲ୍ଲୀରେ କୋଭିଡ୍‌ କଟକଣାକୁ ଆହୁରି କଡାକଡି କରାଯାଇଛି । ପୂର୍ବରୁ ଦିଲ୍ଲୀରେ ବିବାହ କାର୍ଯ୍ୟକ୍ରମରେ 200 ଅତିଥିଙ୍କୁ ଯୋଗଦେବାକୁ ଅନୁମତି ମିଳୁଥିଲା। ହେଲେ ଏବେ ଏହାକୁ 50କୁ କମାଇ ଦିଆଯାଇଛି।

କରୋନା ସଂକ୍ରମଣର ତୃତୀୟ ଲହର ଦିଲ୍ଲୀଠାରେ ଆରମ୍ଭ ହୋଇଛି । ଦିଲ୍ଲୀରେ ଏବେ ପ୍ରତ୍ୟେକ ସପ୍ତାହରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରୁ ଏବେ ସୁଦ୍ଧା ମୋଟ 4 ଲକ୍ଷ 89 ହଜାର 202 କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ଏଠାରେ 40ହଜାରରୁ ଉର୍ଦ୍ଧ୍ବ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କରୋନାର ଦ୍ବିତୀୟ ଲହର : ପୁଣି ଥରେ ଏହି ଦେଶରେ ଜାରି ହେଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ : କରୋନା ସଂକ୍ରମଣର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମେକ୍ରାନ୍‌ ରାଷ୍ଟ୍ରବ୍ୟାପୀ ଲକ୍‌ଡାଉନ୍‌ ଜାରି କରିବା ନେଇ ଘୋଷଣା କରିଛନ୍ତି । ଫ୍ରାନ୍ସରେ କରୋନାରେ ଦିନକୁ ଦିନ ଅଧିକାଂଶ ଲୋକ ଆକ୍ରାନ୍ତ ହେଉଥିବା ଦେଖାଯାଉଛି। ଯାହାକୁ ଆଖି ଆଗରେ ରଖି ଦେଶରେ ପୁଣିଥରେ ଲକ୍‌ଡାଉନ୍ ଲାଗୁ କରାଯାଉଛି । ତେବେ ଏହି ଲକ୍‌ଡାଉନ୍‌ ସମୟରେ ସ୍କୁଲ ଓ କିଛି କାର୍ଯ୍ୟସ୍ଥଳୀ ଖୋଲା ରହିବ । ଶୁକ୍ରବାରଠାରୁ ଏହି ଲକ୍‌ଡାଉନ୍‌ ଜାରି ହେବ ବୋଲି ସୂଚନା ରହିଛି । ଏହି ସମୟରେ ଫ୍ରାନ୍ସର ସମସ୍ତ ରେସ୍ତେରାଁ, ବାର ଓ ଅଣ ଆବଶ୍ୟକ ବ୍ୟବସାୟ ବନ୍ଦ ରହିବ । ତେବେ ଫ୍ୟାକ୍ଟ୍ରି, କ୍ଷେତ ଓ ନିର୍ମାଣ କାର୍ଯ୍ୟ ଜାରି ରହିବ । ନର୍ସିଂ ହୋମ୍‌  ଖୋଲା ରହିବ ।

ତେବେ ଏହି ଲକ୍‌ଡାଉନକୁ‌ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ଠାରୁ ଟିକେ କୋହଳ କରାଯାଇଛି । ଲୋକଙ୍କୁ ବିନା କାର୍ଯ୍ୟରେ ଘରୁ ବାହାରିବାକୁ ବାରଣ କରାଯାଇଛି । ବାହାରକୁ ଯିବାକୁ ହେଲେ ସାଙ୍ଗରେ ଉପଯୁକ୍ତ ପ୍ରମାଣପତ୍ର ନେଇ ଯିବାକୁ ପଡିବ ।ଯାହାକୁ ପୋଲିସ୍‌ ଯାଞ୍ଚ କରିବ । ତେବେ ପୂର୍ବରୁ ଫ୍ରାନ୍ସରେ ନାଇଟ୍‌ କର୍ଫ୍ୟୁକୁ କଡାକଡି କରାଯାଇଥିବାବେଳେ ଏବେ ପୁନଃ ଲକଡାଉନ୍‌ ଜାରି କରାଯାଉଛି ।

କରୋନା ଦ୍ବାରା ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଫ୍ରାନ୍ସ ପଞ୍ଚମ ସ୍ଥାନରେ ରହିଛି । ଗତ 24 ଘଣ୍ଟା ମଧ୍ୟରେ ଫ୍ରାନ୍ସରେ 523 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।ଏପ୍ରିଲ୍‌ ପରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ରହିଛି । ଫ୍ରାନ୍ସ ସରକାର ଏହି ତାଲାବନ୍ଦକୁ ଡିସେମ୍ବର ମାସ ପର୍ଯ୍ୟନ୍ତ କରିବେ ବୋଲି ସୂଚନା ରହିଛି। କରୋନାର ଦ୍ବିତୀୟ ଲହର ବେଶ୍‌ ବିପଦଜ୍ଜନକ ରହିଛି । ଯଦି ଏହାକୁ ଅଣଦେଖା କରାଯିବ, ତେବେ ମୃତକଙ୍କ ସଂଖ୍ୟା 4 ଲକ୍ଷ ଟପିପାରେ ବୋଲି ଆକଳନ କରାଯାଉଛି । କରୋନାକୁ ଦୃଷ୍ଟିରେ ୟୁରୋପରେ ମଧ୍ୟ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ହୋଇଥିବା ଯୋଗୁଁ ଏହାକୁ ଲୋକେ ବିରୋଧ କରିଛନ୍ତି। (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପୁଣି ଫେରିଲା ଲକ୍‌ଡାଉନ୍‌ ଓ କର୍ଫ୍ୟୁ : କରୋନାକୁ ଦୃଷ୍ଟିରେ ରଖି ପୁଣି ଏହି ଦେଶରେ ଲାଗିଲା କର୍ଫ୍ୟୁ

ନୂଆଦିଲ୍ଲୀ : ବିଶ୍ୱରେ କରୋନା ପ୍ରକୋପ ଜାରି ରହିଛି। ଭାରତରେ ଅନଲକ୍‌ ପ୍ରକ୍ରିୟା ଚାଲୁ ରହିଛି । ଅନେକ ଦେଶର କରୋନା ପ୍ରକୋପ କମିଥିବା ବେଳେ ଅନେକ ଦେଶରେ ଏବେ ବି କୋଭିଡ଼ ସଂକ୍ରମଣ ବଢିଚାଲିଛି। ତେବେ ଏହା ମଧ୍ୟରେ ୟୁରୋପରେ ଚିନ୍ତାର ଖବର ସାମ୍ନାକୁ ଆସିଛି । ୟୁରୋପର ଅନେକ ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହରୀ ଆରମ୍ଭ ହୋଇଛି । ଯାହା ପ୍ରଥମ ଲହରଠାରୁ ଅଧିକ ବିପଜ୍ଜନକ ରହିଛି ।  ଯାହାକୁ ନେଇ ଦେଶମାନେ ପଦକ୍ଷେପ ନେବା ଆରମ୍ଭ କରିଲେଣି । ଖବର ଅନୁଯାୟୀ, ଶୁକ୍ରବାର ମଧ୍ୟରାତ୍ରିରୁ ପ୍ୟାରିସ୍‌ ଓ ଫ୍ରାନ୍ସର 8ଟି ସହରରେ କଫ୍ୟୁ କଟକଣା କାର୍ଯ୍ୟକାରୀ କରାଯାଇଛି । ରାତି 9ଟାରୁ ସକାଳ 6ଟା ପର୍ଯ୍ୟନ୍ତ କଫ୍ୟୁ କଟକଣା ରହିବ । ଏହାକୁ ଚାରି ସପ୍ତାହ ପାଇଁ କାର୍ଯ୍ୟକାରୀ କରାଯିବ ରାଷ୍ଟ୍ରପତି ଘୋଷଣା କରିଛନ୍ତି । ଯେପରି କରୋନା ସଂକ୍ରମଣ ଅଧିକ ନବ୍ୟାପେ , ସେଥିପାଇଁ ଏପରି କଟକଣା ନିଆଯାଇଛି ବୋଲି ସୂଚନା ଦିଆଯାଇଛି । ଯଦି ଏହି କଟକଣାକୁ କେହି ଭାଙ୍ଗୁଥିବାର ଦେଖିବାକୁ ମିଳେ, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଫାଇନ୍‌ ଆଦାୟ ହେବ ବୋଲି ଘୋଷଣା କରାଯାଇଛି ।

ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି ବିଶ୍ବ ମହାମାରୀ ପ୍ରଥମେ ୟୁରୋପରେ ପ୍ରକୋପ ଦେଖାଇଥିଲା । ଏହାପରେ ଏହା ଆମେରିକରେ ମଧ୍ୟ ପ୍ରକୋପ ଦେଖାଇବାସହିତ ପୂରା ଏସିଆରେ ବ୍ୟାପିଥିଲା । ୟୁରୋପର କିଛି ଦେଶ ଯେପରିକି ଫ୍ରାନ୍ସ, ବ୍ରିଟେନ୍‌, ଇଟଲୀ, ଜର୍ମାନୀ ଆଦି ଦେଶରେ କରୋନା ସ୍ଥିତି ବେଶ୍‌ ଚିନ୍ତାଜନକ ରହିଥିଲା । ଏହି ଦେଶରେ କରୋନା ପ୍ରତିବନ୍ଧକ ହଟାଯିବା ସହିତ ସ୍ବାଭାବିକ ଜୀବନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ ଦଶ ଦିନ ଭିତରେ ଏହି ଚିତ୍ର ପୂରା ବଦଳି ଯାଇଛି ।ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମୁତାବକ ଗତ ଏକ ସପ୍ତାହ ଧରି କରୋନା ଯୋଗୁଁ ଏପର୍ଯ୍ୟନ୍ତ 16 ପ୍ରତିଶତ ମୃତ୍ୟୁ ହୋଇଛି । ଯାହା ଅତ୍ୟନ୍ତ ଭୟାନକ । ଫ୍ରାନ୍ସ, ଜର୍ମାନୀ ଆଦି ଦେଶରୁ ଅଧିକସଂଖ୍ୟକ କରୋନା ମାମଲା ସାମ୍ନାକୁ ଆସିଛି । ଦିନକୁ 20 ହଜାରରୁଅଧିକ ନୂତନ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । ଯାହାକି କରୋନାର ୨ୟ ଲହରୀ ବୋଲି କୁହାଯାଉଛି ।

ଗୋଟିଏ ପଟରେ ୟୁରୋପରେ ଲକ୍‌ଡାଉନ୍‌ ଓ କର୍ଫ୍ୟୁ ଫେରିଥିବାବେଳେ ଭାରତରେ ଅନଲକ୍‌ ପ୍ରକ୍ରିୟା ଚାଲିଛି । 15 ଅକ୍ଟୋବରରୁ ସିନେମା ହଲ୍‌ ଓ ଅନ୍ୟାନ୍ୟ ସ୍ଥାନ ଖୋଲା ଯାଇଛି । କିଛି ରାଜ୍ୟ ଏବେ ବି କରୋନାକୁ ଦୃଷ୍ଟିରେ ରଖି କଡା କାର୍ଯ୍ୟାନୁଷ୍ଠାନ ନେଉଥିବାବେଳେ ଆଉ କେଉଠି ଦାୟିତ୍ବହୀନତାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଏବେ ପାର୍ବଣ ଋତୁ ଆସୁଥିବାରୁ ଏହାକୁ ନେଇ ଟିକିଏ ଚିନ୍ତା ବଢିଛି। ଏହି ସମୟରେ ଅଧିକ ସଚେତନତା ଓ ସତର୍କତା ଅତ୍ୟନ୍ତ ଆବଶ୍ୟକତା । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କରୋନା ଲାଗି ଦ୍ବିତୀୟ ଥର ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍ ଜାରି କଲା ଏହି ଦେଶ

ଇସ୍ରାଏଲ୍‌ : ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ଦ୍ବିତୀୟଥର ପାଇଁ ଦେଶରେ ଦେଶବ୍ୟାପୀ ଲକ୍‌ଡାଉନ୍‌ର ଘୋଷଣା କରିଛନ୍ତି । ଘୋଷଣା ଅନୁଯାୟୀ ଏହି  ଲକ୍‌ଡାଉନ୍‌ ଏବେ ଦେଶରେ ତିନି ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ । ଅକ୍ଟୋବର 9 ପର୍ଯ୍ୟନ୍ତ ଦେଶରେ ଲକ୍‌ଡାଉନ୍‌ ଜାରି ରହିବା ନେଇ ଘୋଷଣା କରାଯାଇଛି । ତେବେ ଇସ୍ରାଏଲ୍‌ ପ୍ରଥମ ରାଷ୍ଟ୍ର ଭାବେ ଦ୍ବିତୀୟ ଥର ପାଇଁ ଲକ୍‌ଡାଉନ୍‌ ଜାରି କରିଛି ।

ଇସ୍ରାଏଲ୍‌ର ରାଷ୍ଟ୍ରତି ବେଞ୍ଜାମିନ୍‌ ନେତନ୍ୟାହୁ ଦ୍ବିତୀୟ ଥର ପାଇଁ ଲକ୍‌ଡାଉନ୍‌କୁ ନେଇ କହିଛନ୍ତି ଯେ, ଏଥିପାଇଁ ସାଧାରଣ ଜନତାଙ୍କୁ ବହୁତ ଅସୁବିଧା ହେବ । ଇସ୍ରାଏଲ୍‌ରେ ଏବେ ସାମୂହିକ ପର୍ବ ପାଳିବା ସମୟରେ ଲକ୍‌ଡାଉନ୍‌କୁ ନେଇ ଅସନ୍ତୋଷ ଦେଖାଦେଇଛି । ତେବେ ଘରେ ରହି ସୀମିତ ସଦସ୍ୟଙ୍କ ମଧ୍ୟରେ ପର୍ବ ପାଳିବାକୁ ନେତନ୍ୟାହୁ ପରାମର୍ଶ ଦେଇ କହିଛନ୍ତି ଯେ, ଆମେ ଯଦି ସମେସ୍ତ ପ୍ରତିବଦ୍ଧପୂର୍ଣ୍ଣ ଭାବେ ନିୟମକୁ ପାଳନ କରିବା ତେବେ କରୋନାକୁ ମାତ୍‌ ଦେଇପାରିବା । ସେହିପରି ଭ୍ୟାକ୍‌ସିନ୍‌ ଓ ଦ୍ରୁତ ଟେଷ୍ଟିଂକୁ ନେଇ ମଧ୍ୟ ନିଜର ମତ ରଖିଛନ୍ତି ନେତନ୍ୟାହୁ ।

ତେବେ ସରକାରଙ୍କ ଏହି ନିୟମକୁ ବିରୋଧ କରି ଜଣେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ତେବେ ରାଷ୍ଟ୍ରରେ ଦ୍ବିତୀୟ ଥର ପାଇଁ ଲକ୍‌ଡାଉନ୍‌ ଜାରି ପ୍ରସଙ୍ଗକୁ ନେଇ ରବିବାର ଦିନ ବହୁ ଲୋକେ ପ୍ରଦର୍ଶନ କରିବା ସହିତ ନେତନ୍ୟାହୁଙ୍କ ଇସ୍ତଫା ଦାବି କରିଥିଲେ।  ଏପରିକି ଏୟାରପୋର୍ଟ ଯିବା ରାସ୍ତାରେ ନେତନ୍ୟାହକୁ ଘେରିଥିଲେ । ନେତନ୍ୟାହୁ ଆମେରିକା, ବାହାରିନ୍‌ ଓ ୟୁଏଇ ସହିତ ଏକ ଚୁକ୍ତି କରିବାକୁ ଯିବା ସମୟରେ ବିରୋଧ ପ୍ରଦର୍ଶନର ସମ୍ମୁଖୀନ ହୋଇଥିଲେ । ଏଠାରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି ।  ତେବେ କରୋନାକୁ ରୋକିବା ଲାଗି ଦେଶରେ ଦ୍ବିତୀୟ ଥର ପାଇଁ ଲକ୍‌ଡାଉନ୍‌ ଜାରି କାରଣରୁ ୟେହୁଦୀଙ୍କ ପର୍ବ ମଧ୍ୟ ପାଳିତ ହୋଇପାରିବ ନାହିଁ । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଲକଡାଉନ ହଟିଥିବାରୁ ଏଣିକି ନିୟମିତ ଚାଲିବ ଟ୍ରେନ

ଭୁବନେଶ୍ୱର: ଆସନ୍ତା 12 ତାରିଖରେ ପଶ୍ଚିମବଙ୍ଗରୁ ସମ୍ପୂର୍ଣ୍ଣ ଲକଡାଉନ ହଟୁଥିବାରୁ  ଏଣିକି ନିୟମିତ ଟ୍ରେନ ଚାଲିବ । ପୂର୍ବରୁ ବାତିଲ ଟ୍ରେନଗୁଡ଼ିକ ନିୟମିତ ଚାଲିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି । ତଦନୁଯାୟୀ ଭୁବନେଶ୍ୱର-ହାୱଡ଼ା ଜନଶତାବ୍ଦୀ, ହାୱଡ଼ା-ଯଶୋବନ୍ତପୁର ଦୂରନ୍ତ ଟ୍ରେନ ନିୟମିତ ଚାଲିବ। ଏହାଛଡ଼ା ଆଂଶିକ ବାତିଲ ହୋଇଥିବା ଫାଲକନୁମା ଏକ୍ସପ୍ରେସ ମଧ୍ୟ ପୂର୍ବସୂଚୀ ଅନୁସାରେ ଚାଲିବ। ରାଜଧାନୀ ଓ ପୁରୁଷୋତ୍ତମ ଏକ୍ସପ୍ରେସ ମଧ୍ୟ ପୂର୍ବ ନିର୍ଦ୍ଧାରିତ ଷ୍ଟପେଜରେ  ରହିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି । ପ୍ରକାଶ ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ  ଜାରି ଲକଡାଉନ ଯୋଗୁଁ ଅଧିକାଂଶ ଟ୍ରେନକୁ ବାତିଲ କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

କାଲିଠୁ ଭଦ୍ରକ, ଧାମନଗରରେ ଲକ୍‌ଡାଉନ୍‌

ଭଦ୍ରକ : ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନ୍‌ଏସି ଲକ୍‌ଡାଉନ୍‌ । ଆସନ୍ତାକାଲିଠୁ ଶୁକ୍ରବାର ପର୍ଯ୍ୟନ୍ତ ପାଞ୍ଚଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଆସନ୍ତା ଜୁଲାଇ 31 ଯାଏଁ ସପ୍ତାହାନ୍ତ ସଟ୍‌ଡାଉନ୍‌ ସହ ଲାଗୁ ହେବ 5 ଦିନିଆ ଲକ୍‌ଡାଉନ୍‌ । ତେବେ ପୂର୍ବ ଭଳି ଶନିବାର ଓ ରବିବାର ସଟ୍‌ଡାଉନ୍‌ ବଳବତ୍ତର ରହିବ ବୋଲି ସୂଚନା ରହିଛି । ଲକ୍‌ଡାଉନ୍‌ରେ ସକାଳ 5ରୁ ଦିନ 1ଟା ଯାଏଁ ଦୋକାନ ବଜାର ଖୋଲା ରହିବ । କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନେଇଛି ।

Categories
ବିଶେଷ ଖବର

ଲକ ଡାଉନର ଲେଉଟାଣି , ପୂର୍ବରୁ କିଛି ହୋଇନି, ଆଗକୁ ମଧ୍ୟ କିଛି ହେବାର ନାହିଁ!!    

କେଦାର ମିଶ୍ର

ଓଡିଶା ସରକାର ପୁଣିଥରେ ରାଜ୍ୟର ତିନି ପ୍ରମୁଖ ମହାନଗରୀ କଟକ, ଭୁବନେଶ୍ୱର ଓ ରାଉରକେଲା ସମେତ ଗଞ୍ଜାମ, ଖୁର୍ଦ୍ଧା, କଟକ ଓ ଯାଜପୁର ଜିଲାକୁ ଆସନ୍ତା ଦୁଇ ସପ୍ତାହ ଯାଏ ଲକ ଡାଉନ ଘୋଷଣା କରିଛନ୍ତି। ଲକ ଡାଉନ ଘୋଷଣା ପୂର୍ବରୁ ସ୍ଵାଭାବିକ ଭାବରେ ସରକାରୀ ଅଧିକାରୀମାନେ ଯାହା କହିଛନ୍ତି, ତାହା ଗତ ଚାରିମାସ ହେଲା ଆମେ ଶୁଣି ଆସୁଛୁ। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି, ହେଲେ ସେଥିସହିତ ଦେଶରେ “ଅନଲକ” ପ୍ରକ୍ରିୟା ମଧ୍ୟ ଅବ୍ଯାହତ ରହିଛି। ଜୁନ ଓ ଜୁଲାଇ ମାସରେ ସାରା ଦେଶରେ “ଅନଲକ” ପ୍ରକ୍ରିୟା ଚାଲିଥିବା ବେଳେ ଓଡିଶା ସରକାର ଏହି ଦୁଇ ମାସ ଏକ ପ୍ରକାର ମନମୁଖି ଶୈଳୀ ରେ ୧୦ ଟି ଜିଲ୍ଲାକୁ ୧୨ ଦିନ ପୂରା ଶତ ଡାଉନ କରି ରଖିଥିଲେ। ପ୍ରବାସୀ ଶ୍ରମିକଙ୍କ ଆସିବା ପରେ ସେମାନଙ୍କର ସଠିକ ପରୀକ୍ଷା ନ କରିବା, ସଙ୍ଗରୋଧ ବ୍ୟବସ୍ଥାର ଦୁରୁପଯୋଗ କରିବା ଏବଂ ମାତ୍ରାଧିକ ଆତ୍ମବିଶ୍ଵାସ କାରଣରୁ ଜୁଲାଇ ମାସରେ ଓଡିଶାର କରୋନା ସ୍ଥିତି ବିଗିଡି ଯାଇଛି। ଏହାର ମୁକାବିଲା କରିବାକୁ ପୁଣି ଲକ ଡାଉନକୁ ରାଜ୍ୟ ସରକାର ନିଜର ଏକମାତ୍ର ଆଶ୍ରୟ ବୋଲି ଭାବିଛନ୍ତି।

ଆମେରିକା ଓ ୟୁରୋପୀୟ ଦେଶ ଗୁଡିକ କରୋନା ଭୂତାଣୁ ଦ୍ଵାରା ସର୍ବାଧିକ ଆକ୍ରାନ୍ତ ହୋଇଥିଲେ ମଧ୍ୟ, ସେମାନେ ଏବେ କ୍ରମଶଃ ଲକ ଡାଉନକୁ ଉଠାଇବା ଆରମ୍ଭ କରିଛନ୍ତି। ଆମେରିକା ସବୁଠୁ ଅଧିକ ଆକ୍ରାନ୍ତ ଦେଶ ଭାବରେ ୩୭ ଲକ୍ଷ କରୋନା ପୀଡିତ ଓ ପ୍ରାୟ ୧ ଲକ୍ଷ ୪୧ ହଜାର ମୃତ ଲୋକଙ୍କ ସଙ୍କଟ ସତ୍ତ୍ୱେ ଆମେରିକାର ବିଭିନ୍ନ ରାଜ୍ୟ ଏବେ ଲକ ଡାଉନ ହଟାଇବା ଆରମ୍ଭ କରିଛନ୍ତି। ଆମେରିକାର ସଙ୍ଘୀୟ ବ୍ୟବସ୍ଥାରେ ଜାତୀୟ ଲକ ଡାଉନ ଘୋଷଣା କରିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ପକ୍ଷରେ ସମ୍ଭବ ନଥିଲା। ଅବଶ୍ୟ ସେ ନିଜେ ଲକ ଡାଉନର ସମର୍ଥକ ନଥିଲେ। ଗତ କିଛିମାସ ଭିତରେ ରାଷ୍ଟ୍ରପତି ଟ୍ରମ୍ଫ ଓ ତାଙ୍କର ସମର୍ଥକ ତଥା ତାଙ୍କ ବିରୋଧୀମାନେ ଲକ ଡାଉନ ଉଠାଇବା ଦାବୀରେ ଧାରଣା, ପ୍ରଦର୍ଶନ ଓ ଆନ୍ଦୋଳନ ଚଳାଇଛନ୍ତି। ତେବେ କରୋନା ସଂକ୍ରମଣର ବ୍ୟାପକତା ଯୋଗୁଁ ଅନେକ ରାଜ୍ୟ ରାଷ୍ଟ୍ରପତି ଟ୍ରମ୍ଫଙ୍କର ଏ ପ୍ରସ୍ତାବ ମାନିବାକୁ ପ୍ରସ୍ତୁତ ନାହାନ୍ତି।  ତେବେ ସମୟ କ୍ରମେ ଲକ ଡାଉନ ଆମେରିକାର ବିଭିନ୍ନ ରାଜ୍ୟରେ କୋହଳ ହେଉଛି।

କରୋନା ଦ୍ଵାରା ସର୍ବାଧିକ ପୀଡିତ ଇଟାଲି ଓ ସ୍ପେନ ମଧ୍ୟ ଲକ ଡାଉନ ଉଠାଇବାର ପ୍ରକ୍ରିୟା ଆରମ୍ଭ କଲେଣି। ଚୀନ ନିଜ ଦେଶରେ ପ୍ରଥମେ ଲକ ଡାଉନକୁ ସ୍ଥାନୀୟ ସ୍ତରରେ ସୀମିତ ରଖିଥିଲା ଓ ଏହାର ସୁଫଳ ମଧ୍ୟ ପାଇଥିଲା। ଏସିଆର ଦେଶ ଗୁଡିକ ସବୁ କ୍ଷେତ୍ରରେ ଲକ ଡାଉନକୁ ସୀମିତ ଏବଂ ହଟ ସ୍ପଟ କୈନ୍ଦ୍ରିକ ରଖିଛନ୍ତି। ଲକ ଡାଉନ ସମୟରେ ବ୍ୟାପକ ପରୀକ୍ଷା କରିବା ସହିତ କୁଆରେଣ୍ଟାଇନ ନିୟମକୁ ଲାଗୁ କରିଛନ୍ତି। ଏସିଆରେ କେବଳ ଭାରତ ସବୁଠୁ ଅଧିକ ସମୟ ଲକ ଡାଉନ ଲାଗୁ କରିଛି ଓ ଏହାକୁ ଅଧିକ କଡାକଡି ଲାଗୁ କରୁଛି। ତେବେ ଲକ ଡାଉନ ସତ୍ତ୍ୱେ ପୂରା ଏସିଆର ୫୬% କରୋନା ଆକ୍ରାନ୍ତ ଏବେ କେବଳ ଭାରତରୁ ବାହାରୁଛନ୍ତି। ସରକାରୀ ଅଧିକାରୀମାନେ ଲକ ଡାଉନ କୁ ଯେତେ ବିଜ୍ଞାନ ସମ୍ମତ ଓ ସଂକ୍ରମଣ ରୋକିବାର ଏକମାତ୍ର ପନ୍ଥା ବୋଲି କହିଲେ ମଧ୍ୟ, ଆମ ରାଜ୍ୟରେ ଏହାର କୌଣସି ପ୍ରଭାବ ପଡିନାହିଁ କିମ୍ବା ଆଗକୁ ପଡିବାର ସମ୍ଭାବନା ଦିଶୁନାହିଁ।

ସାରା ପୃଥିବୀ ଏବେ କରୋନା ସହିତ କେମିତି ବଞ୍ଚିହେବ ଓ ଅର୍ଥନୀତିକୁ ମଧ୍ୟ କେମିତି ବଞ୍ଚାଇ ହେବ, ସେ ବାଟ ଖୋଜୁଛି।ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କର ବିଭିନ୍ନ ଭାଷଣରେ ସେ କଥାର ଆଭାସ ମଧ୍ୟ ଦେଇଥିଲେ। “ବଚନା ଭି ହୈ, ଆଗେ ବଢନା ଭି ହୈ”। ତେବେ ଅନଲକ-୧ ଓ ୨ ବେଳକୁ ଓଡିଶା ନିଜକୁ ତାଲାବନ୍ଦ କରି ରଖିବା ପରେ ଏବେ ରାଜ୍ୟର ପ୍ରମୁଖ ବ୍ୟବସାୟ କେନ୍ଦ୍ରଗୁଡ଼ିକୁ ତାଲା ପକାଇ ରଖିଛି। ଏହାର ପରିଣାମ ଆଗକୁ ଯଥେଷ୍ଟ  ମହଙ୍ଗା ସାବ୍ୟସ୍ତ ହେବ। ଏବେ ଅର୍ଥନୀତିକୁ ଆମେ ବଞ୍ଚାଇବାର ବାଟ ଖୋଜିବା ନା ଏକ ଦୀର୍ଘକାଳୀନ ଅର୍ଥନୈତିକ ଆତ୍ମହତ୍ୟାର ବାଟ ବାଛିବା, ତାହା ହିଁ ବଡ ପ୍ରଶ୍ନ। ଲକ ଡାଉନ ଖୋଲିବା ବା ଆଗକୁ ବଢାଇବା ଉପରେ ଅର୍ଥନୀତି ଆଜି ଆଉ ନିର୍ଭର କରୁନାହିଁ। ଏବେ ଆଇସିୟୁ ରେ ଥିବା ଅର୍ଥନୀତି ଓ ରାଜ୍ୟର ଆର୍ଥିକ ପରିଚାଳନାକୁ ଜୀବନ ଦେଇ ହେବ କି ନାହିଁ, ତାହା ହିଁ ପ୍ରଶ୍ନ।

ପୂର୍ବର ଲକ ଡାଉନ ସମୟରେ ଆମର ଉତ୍କଟ ଦାରିଦ୍ର୍ୟ ଓ ଅସହାୟତାର ଚିତ୍ର ଅଧିକ ସ୍ପଷ୍ଟ ହୋଇଛି।ରାଜ୍ୟ ସରକାର ବିଜ୍ଞାପନ ଜରିଆରେ ଆମକୁ ଯାହା ଦେଖାଉଛନ୍ତି, ସେଥିରେ ମିଛର ପରିମାଣ ବହୁ ଅଧିକ। ଗଞ୍ଜାମ ଓ ଖୁର୍ଦ୍ଧା ଜିଲାରେ ସଂକ୍ରମଣ ବ୍ୟାପକ ହେବାର କାରଣ ଲୋକ ନୁହନ୍ତି। ଖୋଦ ରାଜ୍ୟ ସରକାର ପ୍ରବାସୀ ଶ୍ରମିକ ଓ ପ୍ରବାସୀ ଓଡିଆଙ୍କ ଫେରନ୍ତା ଗସ୍ତର ସଠିକ ପରିଚାଳନା କରିବାରେ ବିଫଳ ହୋଇଛନ୍ତି। ସରକାରୀ ବିଫଳତା ର ଦଣ୍ଡ ଏବେ ସାଧାରଣ ଲୋକେ ଭୋଗୁଛନ୍ତି। ରୋଗର ଭୟ ଓ ଜୀବିକା ସଂପୂର୍ଣ୍ଣ ଧ୍ଵଂସ ହୋଇଯିବାର ମଝି ଦରିଆରେ ଏବେ ସାଧାରଣ ଲୋକ ଅତ୍ୟନ୍ତ ଅସହାୟ। ଚାରିମାସ ଧରି ଓଡିଶା ସରକାର ଆମକୁ କେବଳ ପ୍ରବଚନ ଶୁଣାଉଛନ୍ତି, ହେଲେ ସଂକ୍ରମଣ ରୋକିବାରେ ସରକାରଙ୍କର କୌଣସି ଉଦ୍ୟମ ସଫଳ ହେଉନାହିଁ। “ଲକ ଡାଉନ” କୁ କରୋନା ସଂକ୍ରମଣ ରୋକିବାର ଏକ ମାର୍ଗ ଭାବେ ବିବେଚନା ନ କରି ଏହାକୁ ଆଉ ଏକ “ମଣିଷ ସଙ୍କଟ” ରେ ଆମର ସରକାର ଜାଣିଶୁଣି ରୂପାନ୍ତରିତ କରିଚାଲିଛନ୍ତି।

ଆଜି ଲକ ଡାଉନ ଆମ ସମୟର ଦୁର୍ଭାଗ୍ୟ ପାଲଟି ଯାଇଛି।ଆଜି ପ୍ରତ୍ଯେକ ଓଡିଶାବାସୀ ଓଡିଶା ସରକାରଙ୍କ ଲକ ଡାଉନ ପରୀକ୍ଷାରେ “ଗିନିଆଁ ପିଗ” ଭଳି ପଡିରହିବାକୁ ବାଧ୍ୟ। ଏଠି ପ୍ରତିଦିନ ପୋଲିସ ଓ ସରକାରୀ ବାବୁ ଆମର “ମାଇଁ ବାପ”।

Categories
ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍‌ ନିୟମ ନ ମାନିଲେ ଏହି ଦେଶରେ ଲୋକଙ୍କୁ କରାଯାଉଛି ହତ୍ୟା

କଲମ୍ବିଆ : କରୋନା ମହାମାରୀ ସହ ଲଢେଇ ପାଇଁ ଦୁନିଆରେ ଅର୍ଦ୍ଧାଧିକ ଜାଗାରେ ଏବେ ଲକ୍‌ଡାଉନ୍‌ ଜାରି ରହିଛି। ପରିସ୍ଥିତିକୁ ଦେଖି କେତେକ ଜାଗାରେ ଲକ୍‌ଡାଉନ୍‌ କୋହଳ କରାଯାଇଥିବାବେଳେ ଆଉ କୋଉଠି ଏହାକୁ ଆହୁରି କଡାକଡି କରାଯାଇଛି । କିନ୍ତୁ ଏମିତି ଏକ ଦେଶ ଅଛି ଯେଉଁଠି ଲକ୍‌ଡାଉନ୍‌ ନିୟମ ନ ମାନିଲେ ସେଠାରେ ନିୟମ ଉଲ୍ଲଂଘନକାରୀଙ୍କୁ ହତ୍ୟା କରାଯାଉଛି। ତେବେ ସବୁଠୁ ଅବସୋସର କଥା ହେଉଛି ଯେ, ଏହି ଦେଶର ସରକାର ଏଭଳି ହତ୍ୟାକୁ ରୋକିବାରେ ମଧ୍ୟ ଅସଫଳ ହେଉଛନ୍ତି।

ତେବେ ଲକ୍‌ଡାଉନ୍‌ ଉଲ୍ଲଂଘନକାରୀଙ୍କୁ ହତ୍ୟା କରୁଥିବା ଦେଶର ନାମ ହେଉଛି କଲମ୍ବିଆ ।  ଏଠାରେ ସରକାରଙ୍କ ତରଫରୁ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଏଠାକାର ଡ୍ରଗ୍‌ ମାଫିଆ ଅଲଗା ପ୍ରକାରର ଲକଡାଉନ୍‌ ଘୋଷଣା କରିଛନ୍ତି । ଯିଏ ଏହି ଲକ୍‌ଡାଉନ୍‌କୁ ମାନୁ ନାହାନ୍ତି ତାଙ୍କୁ ଏହି ମାଫିଆ ହତ୍ୟା କରୁଛନ୍ତି। ଏପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଯୋଗୁଁ 8 ଜଣଙ୍କ ହତ୍ୟା କରାଯାଇଥିବାର ସୂଚନା ରହିଛି।

ଦ ଗାର୍ଜିଅନ୍‌ରେ ପ୍ରକାଶିତ ଏକ ଖବର ଅନୁସାରେ ହତିଆରଧାରୀ ଏହି ଡ୍ରଗ୍‌ ମାଫିଆମାନେ ସମୂହ ଲୋକଙ୍କୁ ହ୍ବାଟସ୍‌ଆପ୍‌ ଓ ପ୍ରଚାର ପତ୍ର ଜରିଆରେ ଲକ୍‌ଡାଉନ୍‌ ନିୟମକୁ ଶକ୍ତ ରୂପେ ପାଳନ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି । ଏହି ଡ୍ରଗ୍‌ ମାଫିଆମାନେ ଗ୍ରାମୀଣ ଅଞ୍ଚଳରେ ଅତ୍ୟାଚାର କରୁଥିବାର ମଧ୍ୟ ସୂଚନା ରହିଛି । ଏଠାରେ ରହିଥିବା ତୁମାକୋ ସହରରେ ଅଧିକାଂଶ ସମୟ ମାଫିଆ ଓ ପୋଲିସ୍‌ଙ୍କ ମଧ୍ୟରେ ହିଂସା ହେଉଥିବାର ସୂଚନା ରହିଛି ।

ଏହି ସହରରେ ଡ୍ରଗ୍‌ ମାଫିଆମାନେ ସାଧାରଣ ଜନତାଙ୍କୁ ନଦୀରୁ ମାଛ ଧରିବାକୁ ବାରଣ କରିଥିବାବେଳେ ସନ୍ଧ୍ୟା 5ଟା ପରେ ଦୋକାନ ବଜାର ଖୋଲିବାକୁ ବନ୍ଦ କରିଛନ୍ତି । ସେହିପରି ଏହି ସମୟରେ କେହି ଠେଲା ଗାଡି ଦ୍ବାରା ମଧ୍ୟ ବ୍ୟବସାୟ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଯିଏ ଏହି ନିୟମ ନ ମାନୁଛନ୍ତି ତାଙ୍କୁ ଗୁଳି ମାରି ଉଡାଇ ଦେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିଗୁଡିଛି କରୋନା ସ୍ଥିତି : ପୁଣି ଥରେ ଏହି ରାଜ୍ୟଗୁଡିକ ଜାରି କଲେ ଲକ୍‌ଡାଉନ୍‌

ନୂଆଦିଲ୍ଲୀ :  ଆମେରିକା ଓ ବ୍ରାଜିଲ୍‌ ପରେ ଭାରତ ପ୍ରଭାବିତ ଦେଶ ତାଲିକାରେ ତୃତୀୟ ସ୍ଥାନରେ ରହିଛି । ଆଜି ଦେଶରେ ରେକର୍ଡ ସଂଖ୍ୟକ 26 ହଜାରରୁ ଉର୍ଦ୍ଧ୍ବ କରୋନା ମାମଲା ଚିହ୍ନଟ ହୋଇଛି ।

ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଏପର୍ଯ୍ୟନ୍ତ 21 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଲାଣି । ସେହିପରି ପ୍ରାୟ ଆଠ ଲକ୍ଷ ଲୋକେ କରୋନା ସଂକ୍ରମିତ ହୋଇଛନ୍ତି । ତେବେ କରୋନାର ପ୍ରକୋପକୁ ଦେଖି କିଛି ରାଜ୍ୟ ନିଜ ପ୍ରଦେଶରେ ପୁନର୍ବାର ଲକ୍‌ଡାଉନ୍‌ ଜାରି କରିବା ନେଇ ଘୋଷଣା କରିଛନ୍ତି ।

ତେବେ ପୁନର୍ବାର ଲକ୍‌ଡାଉନ୍‌ ଜାରି ହୋଇଥିବା ରାଜ୍ୟଗୁଡିକ ମଧ୍ୟରେ ରହିଛି ଉତ୍ତର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ । ତେବେ ଆସନ୍ତୁ ଜାଣିବା ଏହି ରାଜ୍ୟରେ ଲକ୍‌ଡାଉନ୍‌କୁ ନେଇ କ’ଣ ସବୁ ନିୟମ କରାଯାଇଛି ।

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଜୁଲାଇ 10 ତାରିଖ ରାତ୍ରି 10ଟାରୁ ଜୁଲାଇ 13 ତାରିଖ କାଳ ପାଞ୍ଚ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ ଜାରି ରହିବ । ତେବେ ଏହି ସମୟରେ କେବଳ ଅତି ଆବଶ୍ୟକୀୟ ସେବା ଉପଲବ୍ଧ ରହିବ ।  ସମସ୍ତ ଅଫିସ୍‌, ବ୍ୟବସାୟିକ ପ୍ରତିଷ୍ଠାନ, ହାଟ, ବଜାର ଆଦି ବନ୍ଦ ରହିବ । ସେହିପରି ଆବଶ୍ୟକୀୟ ସେବା ଯୋଗାଉଥିବା ବ୍ୟକ୍ତିବିଶେଷ ଯେପରିକି କରୋନା ଯୋଦ୍ଧା, ସ୍ବଚ୍ଛତାକର୍ମୀ ଓ ହୋମ୍‌ ଡେଲଭରୀ କରୁଥିବା ବ୍ୟକ୍ତିମାନେ ଯିବା ଆସିବା କରିପାରିବେ । ସେହିପରି ଏହି ସମୟରେ ରେଳ ସୁବିଧା ବନ୍ଦ ରଖିବାର ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ରେଳରେ ଯିବା ଆସିବା କରୁଥିବା ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ସୁବିଧା କରିବେ । ସେହିପରି ପେଟ୍ରୋଲ୍‌ ପମ୍ପ ଓ ଢାବା ଖୋଲା ରହିବ ।

ପାଟନା : ବିହାରରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଦେଖି ଜିଲ୍ଲା ପ୍ରଶାସନ ରାଜଧାନୀ ପାଟନାକୁ ପୁନର୍ବାର 7 ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ପାଟନାରେ ଜୁଲାଇ 10ରୁ ଜୁଲାଇ 16 ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି ରହିବ । ତେବେ ଏହି ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ । ସେହିପରି ଜିଲ୍ଲା ବର୍ଡରରେ ଯାନବାହନ ଚେକିଂକୁ ମଧ୍ୟ କଡାକଡି କରାଯାଇଛି । ସେହିପରି ପାଟନାରେ ଅତ୍ୟାବଶ୍ୟକ ଦୋକାନଗୁଡିକୁ ସକାଳ 6ରୁ ଦିନ 10 ଓ ସନ୍ଧ୍ୟା 4ରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ରହିଛି ।

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ମମତା ସରକାର ଆଜି ସନ୍ଧ୍ୟା 5 ଘଟିକାଠାରୁ ଲକଡାଉନ୍‌ ଜାରି କରିବା ନେଇ ଘୋଷଣା କରିଛନ୍ତି । ତେବେ ଏହି ଘୋଷଣା ରାଜ୍ୟର କଣ୍ଟେନେମେଣ୍ଟ ଜୋନ ଓ ବଫର ଜୋନ୍‌ରେ ଶକ୍ତ ରୂପେ ପାଳନ କରାଯିବ। ପଶ୍ଚିମ ବଙ୍ଗର ସରକାରର ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ କହିଛନ୍ତି ଯେ, ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଆଦେଶ ଅନୁାଯାୟୀ କଣ୍ଟନେମେଣ୍ଟ ଜୋନ୍‌ରେ ଶକ୍ତ କଟକଣା ଲାଗୁ କରାଯାଇଥିବାବେଳେ ସମସ୍ତ ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟ, ସମାରୋହ, ବଜାର ଓ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ସେହିପରି ସ୍ଥାନୀୟ ପ୍ରଶାସନ ଅଞ୍ଚଳଗୁଡିକରେ  ଅତ୍ୟାବଶ୍ୟକ ସେବା ପହଞ୍ଚାଇବେ ବୋଲି ସୂଚନା ରହିଛି ।

ସେହିପରି ମହାରାଷ୍ଟ୍ରରେ ମଧ୍ୟ ଉଦ୍ଧବ ସରକାର ଜୁଲାଇ 31 ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବଢାଇଥିବାବେଳେ, କେରଳ, ମଧ୍ୟପ୍ରଦେଶ ପରି ରାଜ୍ୟଗୁଡିକ ମଧ୍ୟ ଲକ୍‌ଡାଉନ୍‌ କରିଛନ୍ତି । ଓଡ଼ିଶାରେ ମଧ୍ୟ  ସଂକ୍ରମିତ ଜିଲ୍ଲାଗୁଡିକରେ ସପ୍ତାହାନ୍ତ ଲକ୍‌ଡାଉନ୍‌ ଜାରି ରହିଛି । (ଏଜେନ୍ସି)

Categories
ଆଜିର ଖବର

ଝାଡଖଣ୍ଡରେ ଲକଡାଉନ ସମୟରେ ପ୍ରତିଦିନ ହାରାହାରି ୫ ରୁ ଅଧିକ ଲୋକ ଆତ୍ମହତ୍ୟା କରୁଛନ୍ତି

ରାଞ୍ଚି:ଝାଡଖଣ୍ଡର କରୋନା ଭାଇରସ୍ ଅପେକ୍ଷା ମାନସିକ ଅବସାଦ ଅଧିକ ବିପଜ୍ଜନକ ପ୍ରମାଣିତ ହେଉଛି। ଲକଡାଉନ୍ ଏବଂ ଅନଲକ୍-୧.୦ ସମୟରେ ରାଜ୍ୟରେ ଘଟିଥିବା ଆତ୍ମହତ୍ୟା ତଥ୍ୟରୁ ଜଣାପଡିଛି ଯେ  ପ୍ରତିଦିନ ଆତ୍ମହତ୍ୟା କରୁଥିବା ଲୋକଙ୍କ ହାରାହାରି ସଂଖ୍ୟା ୫.୫ ଅଟେ।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ମାର୍ଚ୍ଚ, ଏପ୍ରିଲ ଏବଂ ଜୁନ୍ ୨୫ ତାରିଖ  ପର୍ଯ୍ୟନ୍ତ ୪୪୯  ଜଣ ଆତ୍ମହତ୍ୟା କରିଛନ୍ତି। କେବଳ ଜୁନ୍ ମାସରେ ୧୩୪ ଜଣ ଆତ୍ମହତ୍ୟା କରିଛନ୍ତି। ଝାଡଖଣ୍ଡରେ ପ୍ରତି ୪.୫ ଘଣ୍ଟାରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରୁଥିବା ଜଣାପଡିଛି।

ମନସ୍ତତ୍ତ୍ୱବିତ ମାନେ କହିଛନ୍ତି ଯେ ଲକଡାଉନ୍ ଯୋଗୁଁ ମାନସିକ ବିଷାଦ ଲୋକଙ୍କ ମନରେ ଗଭୀର ପ୍ରଭାବ ପକାଊଛି। (ଏଜେନ୍ସି)

 

Categories
ବିଶେଷ ଖବର

୨୦୨୦ ବର୍ଷସାରା ଲକ ଡାଉନ ଅବ୍ଯାହତ ରହିବ କି?  

କେଦାର ମିଶ୍ର

ଆରମ୍ଭରୁ ଲାଗୁଥିଲା କୋଭିଡ-୧୯ ସହିତ ଆମର ଲଢେଇ ଅତି ବେଶୀରେ ତିନିମାସ ଲାଗିବ। ଆଜି ବିଲକୁଲ କହି ହେଉନି, ଏହା କେବେ ସରିବ, ଏପରିକି ଏ ଲଢେଇ ପୂରା ବର୍ଷ ଲାଗି ରହିପାରେ ବୋଲି କୁହା ଯାଉଛି। ଲକ ଡାଉନ ମାଧ୍ୟମରେ ଆମେ ଏହାକୁ ଅଟକାଇ ପାରିବା ବୋଲି ଭାବୁଥିଲେ। ହେଲେ ଅର୍ଥନୈତିକ ଦୃଷ୍ଟିରୁ ଦେଶକୁ ଯେଉଁ ମୂଲ୍ୟ ଦେବାକୁ ପଡୁଛି, ତାହା ଅଧିକ ଦିନ ଦେଇ ହେବନାହିଁ। ପ୍ରତିଦିନ ଜିଡିପିରୁ ୩୫ ହଜାରରୁ ୪୫ ହଜାର କୋଟି ଟଙ୍କା କ୍ଷୟ ହେଉଛି। ପ୍ରାୟ ତିନି ମାସର ଜାତୀୟ ଲକ ଡାଉନ, ତା ପୂର୍ବର ଜନତା ଜନତା କର୍ଫ୍ୟୁ ଏବଂ ବିଭିନ୍ନ ରାଜ୍ୟର ଲକ ଡାଉନ ଜନିତ କ୍ଷତି କୋଡିଏ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ସ୍ପଷ୍ଟ ହୋଇସାରିଛି। ତେବେ କରୋନା ସଂକ୍ରମଣ ରୋକିବା ଲାଗି ଏ ପ୍ରକାର କ୍ଷତି ସହିବାକୁ ଆମେ ବାଧ୍ୟ। ଭାରତର ଜନ ବହୁଳତା ଓ ସ୍ୱାସ୍ଥ୍ୟ ସେବାରେ ଆମର ସୀମିତ ସାଧନ ଯୋଗୁଁ ଏହାର ସଂକ୍ରମଣ ରୋକିବା ଜରୁରୀ।

ଆଜି ପ୍ରଶ୍ନ ହେଉଛି, ଲକ ଡାଉନ ଉଠିଗଲା ପରେ, ଆମର ସାଧାରଣ ଜୀବନ ପୂର୍ବପରି ରହିବ କି? କେହି କେହି କହିପାରନ୍ତି, ଲକ ଡାଉନ ଆଉ ଅଛି କି? ଆଜ୍ଞା ହଁ, ଜୁନ ମାସରେ ଯାହା ଖୋଲିଛି ବୋଲି ଦେଖା ଯାଉଛି, ତାହା ପଚାଶ ଭାଗ ମାତ୍ର। ଏବେବି ଟ୍ରେନ ଓ ବିମାନ ଚଳାଚଳ ସ୍ଵାଭାବିକ ହୋଇନାହିଁ। ସପିଙ୍ଗ ମଲ, ମନ୍ଦିର, ଧାର୍ମିକ ସ୍ଥଳ, ହୋଟେଲ, ମନୋରଞ୍ଜନ ଶିଳ୍ପ ଇତ୍ୟାଦିରେ ଆଜି ବି ତାଲା ପଡିଛି।  ଅନ୍ତତଃ ଆଗାମୀ ଛଅ ମାସ ଦେଶର ଜନ ଜୀବନ ସାମାଜିକ ନିୟନ୍ତ୍ରଣ ଭିତରେ ରହିବାକୁ ବାଧ୍ୟ।

ଦୀର୍ଘଳାଳୀନ ଲକ ଡାଉନ ସମୟରେ ଦେଶର ସାମାଜିକ ମନସ୍ତତ୍ତ୍ଵର ଅଧ୍ୟୟନ ସବୁଠୁ ବେଶୀ ଜରୁରୀ। ଏକ ଧାର୍ମିକ ଆସ୍ଥାର ଦେଶ ଭାବରେ ବର୍ଷ ବର୍ଷ ଧରି ଆମେ ଧର୍ମ ସ୍ଥଳ ଓ ଧାର୍ମିକ ପାର୍ବଣ ଉପରେ କଟକଣା ଲଗାଇ ପାରିବା କି?  ଦେଶର ସବୁ ଧାର୍ମିକ ସମାଗମ ଓ ସମାବେଶକୁ ଅନିର୍ଦ୍ଦିଷ୍ଟ କାଳ ବନ୍ଦ ରଖିବା ସତରେ ସମ୍ଭବ ହେବ କି? କ୍ରମଶଃ ଧର୍ମ ଓ ଆସ୍ଥାକୁ ନେଇ ଲୋକଙ୍କ ଭିତରେ ବିଚଳନ ଆରମ୍ଭ ହେବ। ଏବେ ଲକ ଡାଉନ କୁ ଅଣଦେଖା କରି ଅନେକ ଧାର୍ମିକ ପର୍ବ ଲୁଚାଚୋରାରେ ପାଳିତ ହେଉଛି। ମହାମାରୀର ମୁକାବିଲା ସମୟରେ ଧାର୍ମିକ ସଦଭାବନା ନଷ୍ଟ ହେଲେ, ଏହାର ବ୍ୟାପକ ପ୍ରଭାବ ଆମର ସାମାଜିକ ଜୀବନକୁ ବିପନ୍ନ କରିବ। ତେଣୁ ଘୃଣା ଓ ବିଦ୍ଵେଷ ବାତାବରଣ ଯେମିତି ବ୍ୟାପକ ନ ହୁଏ ସେଥିପ୍ରତି ନିଘା ରଖିବା ସରକାରଙ୍କର ବିଶେଷ ଦାୟିତ୍ଵ ହେବା ଉଚିତ।

ଆଜି ସବୁଠୁ ବଡ ଚିନ୍ତାର ବିଷୟ ହେଉଛି, ପୂର୍ଣ୍ଣାଙ୍ଗ ଲକ ଡାଉନ ହେଉ ବା ଆଂଶିକ ଲକ ଡାଉନ, ଏହାକୁ ବର୍ଷ ତମାମ ଚଳାଇ ରଖିହେବ କି? ଅନ୍ଯାନ୍ଯ ଦେଶ ତୁଳନାରେ ଆମ ଦେଶରେ କୋଭିଡ ସଂକ୍ରମଣର ଗତି ବଡ ବିଚିତ୍ର। ଅନ୍ୟ ସବୁଠି ସଂକ୍ରମଣ ବଢିଗଲା ପରେ, ଆସ୍ତେ ଆସ୍ତେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଇଟାଲିରେ ମାର୍ଚ୍ଚ ୧୫ ରୁ ଏପ୍ରିଲ ୧୫ ପର୍ୟନ୍ତ ହାରାହାରି ଦୈନିକ ୫୦୦୦ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ତେବେ ଏପ୍ରିଲ ୧୫ ପରଠୁ ଏହା କମିବା ଆରମ୍ଭ ହୋଇ ଜୁନ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ହାରାହାରି ୨୦୦ ରହିଛି। ଅର୍ଥାତ ସଂକ୍ରମଣ ସେଠି ନିମ୍ନଗାମୀ ହୋଇଛି। ନ୍ୟୁଜିଲାଣ୍ଡ ଭଳି ଦେଶ ନିଜକୁ ସଂପୂର୍ଣ୍ଣ କରୋନା ମୁକ୍ତ ବୋଲି ଘୋଷଣା କରିଛି। ନ୍ୟୁଜିଲାଣ୍ଡରେ ମାର୍ଚ୍ଚ ୧୮ ତାରିଖ ଦିନ ସର୍ବାଧିକ ୧୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମଇ ୧୯ ରୁ ଆଉ ଗୋଟିଏ ବି ଆକ୍ରାନ୍ତ ସେହି ଦେଶରେ ଚିହ୍ନଟ ହୋଇନାହାନ୍ତି।

ଲକ ଡାଉନ ଯଦି ସଂକ୍ରମଣ ରୋକିବାରେ ସଫଳ ହେଉନାହିଁ, ତାହେଲେ ଏହାର ଅର୍ଥନୈତିକ ମୂଲ୍ୟ ଭୂତାଣୁ ଠାରୁ ଭୟଙ୍କର ସାବ୍ୟସ୍ତ ହେବ। ଆମେ ହୁଏତ କୋଭିଡ-୧୯କୁ ନିଜ ସ୍ତରରେ  ମୁକାବିଲା କରିପାରିବା, ହେଲେ ଆର୍ଥିକ ସ୍ଥିତିର ଅବନତି ସହ ଯୁଝିବା ଆମ ପକ୍ଷରେ ଆଗକୁ ଅସମ୍ଭବ ହୋଇପଡିବ। ଏବେ ଜୀବନ ସହିତ ଭୂତାଣୁର ଉପସ୍ଥିତିକୁ ମାନିନେବାକୁ ପଡିବ।

ସାଢେ ତିନିମାସର ଲକ ଡାଉନ ପରେ, ଆଗକୁ ହୁଏତ ପୁଣି ଲକ ଡାଉନ ବା ଶଟ ଡାଉନ କିମ୍ବା ରାତ୍ରୀକାଳୀନ କର୍ଫ୍ଯୁ ବଳବତ୍ତର ରହିପାରେ। ହେଲେ ତାର ସୁଫଳ ଗତ ତିନିମାସରେ ମିଳିନାହିଁ। ଆଗକୁ ମଧ୍ୟ ମିଳିବାର ସମ୍ଭାବନା ନାହିଁ। କେବଳ ଗାଣିତିକ ଅନୁମାନରେ ଆମେ ଏତେ ଲକ୍ଷ ଜୀବନ ବଞ୍ଚାଇ ପାରିଲେ ବୋଲି କହି ନିଜକୁ ସାନ୍ତ୍ଵନା ଦେବା। ହେଲେ ଲକ ଡାଉନ ମାଧ୍ୟମରେ ଆମେ ଦେଶର ଜୀବିକା କ୍ଷେତ୍ରରେ ଅଗଣିତ ଜୀବନକୁ ଦାରିଦ୍ର୍ଯ ଭିତରକୁ ଠେଲିଦେବାର ଗାଣିତିକ ଅନୁମାନ କରିବାକୁ ଚାହୁଁନାହୁଁ କାହିଁକି? ଆଜି ଜୀବିକାର ମାଡ ଜୀବନକୁ ଅଧିକ ଦୁର୍ବିସହ କରିଦେଲାଣି।

ଯଦି ବର୍ଷ ସାରା ଲକ ଡାଉନ ଜାରି ରହେ , ତା ହେଲେ ଆମେ ଅଣ୍ଟା ସଳଖି ଠିଆ ହେବାର ସାହସ ସବୁଦିନ ଲାଗି ହରାଇ ବସିବା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ସବ୍‌ ଡିଭିଜନ୍‌ରେ ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି

ସୀତାରାମ ଅଗ୍ରଓ୍ବାଲ
ବାଣପୁର : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଖୋର୍ଦ୍ଧା ସବ୍‌ଡିଭିଜନ୍‌ରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍‌ ବଳବତ୍ତର ରହିବ। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସକାଳ ୬ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲା ରହିବ। କେବଳ ଔଷଧ ଦୋକାନ ଏବଂ ପେଟ୍ରୋଲ ପମ୍ପ ଅନ୍ୟ ସମୟରେ ଖୋଲା ରହିବ। ସାଧାରଣ ଲୋକଙ୍କ ମଧ୍ୟରେ କରୋନା ସଚେତନତା ସୃଷ୍ଟି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ନେଇ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ସମୀକ୍ଷା ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ତେବେ ବିଏମ୍‌ସିରେ ଏହି ଲକ୍‌ଡାଉନ୍‌ ଲାଗୁ କରାଯିବ ନାହିଁ ବୋଲି ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଏହି ଲକ୍‌ଡାଉନ୍‌ ୪ ଦିନ ରହିବା ନେଇ ଗୁଜବ ପ୍ରଚାର କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍‌ର କରୁଣ ପରିଣତି :  ମାତ୍ର ତିନିହଜାର ଟଙ୍କାରେ ଅଢେଇ ମାସର ଶିଶୁକୁ ବିକ୍ରି କଲେ ମାତାପିତା

ପଶ୍ଚିମବଙ୍ଗ : ଭୋକ ଆଗରେ ବଳି ପଡିଲା ମାତୃତ୍ବ ଆଉ ମମତା । କରୋନା ମହାମାରୀ ସହ ଲଢେଇ ପାଇଁ ଭାରତରେ ଲକ୍‌ ଡାଉନ୍‌ ଜାରି ରହିଛି । ରୋଗ ସଂକ୍ରମଣରୁ ରକ୍ଷା ପାଇଁ ସାରା ଭାରତରେ ଗୋଟାଏ ପରେ ଗୋଟାଏ ହୋଇ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଏହା ମଧ୍ୟରେ ଭୋକ ବନାମ ଜୀବନର ସଂଘର୍ଷ ଦେଖିବାକୁ ମିଳୁଛି । ରୋଗ ଦାଉରୁ ମଣିଷକୁ ବଞ୍ଚାଇବାକୁ ସରକାର ଚେଷ୍ଟା କରୁଥିବାବେଳେ ଭୋକ କଷ୍ଟରୁ ମଣିଷକୁ ବଞ୍ଚାଇବା ସହଜ ହୋଇପାରୁନାହିଁ ।

ପେଟ ଭୋକ ପାଇଁ ଜଣେ ମା’ ତା’ ମାତୃତ୍ବର ମଧ୍ୟ ବଳି ଚଢାଉ ଦେଉଛି । ଏପରି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀ ପୁର ଅଞ୍ଚଳରୁ । ମାତ୍ର ଅଢେଇ ମାସର ଶିଶୁ କନ୍ୟାକୁ ତା’ର ପିତାମାତା ମାତ୍ର ତିନି ହଜାର ଟଙ୍କାରେ ବିକ୍ରି କରି ଦେଇଛନ୍ତି । ଶିଶୁ କନ୍ୟାଟିର ପିତା ଜଣେ ଶ୍ରମିକ ଥିବାବେଳେ  ତା’ର ମାତା ଅନ୍ୟମାନଙ୍କ ଘରେ କାମ କରି ଜୀବନ ନିର୍ବାହ କରିଥାଏ । କିନ୍ତୁ ଗତ ତିନି ମାସ ଧରି ଲକ୍‌ଡାଉନ୍‌ ଯୋଗୁଁ ଦୁହେଁ ବେକାର ହୋଇ ବସି ରହିଛନ୍ତି । ଅର୍ଥ ଅଭାବ ଯୋଗୁଁ  ସେମାନେ ଏହି ଶିଶୁଟିକୁ ଖାଦ୍ୟ ଦେବାରେ ମଧ୍ୟ ଅସମର୍ଥ ହୋଇପଡିଛନ୍ତି । ଏଥିପାଇଁ ସେ ତାଙ୍କର ଜଣେ ଦୂର ସମ୍ପର୍କୀୟଙ୍କୁ ଏହି ଶିଶୁକନ୍ୟାଟିକୁ ବିକ୍ରି କରି  କରିଦେଇଛନ୍ତି ।

ଏହି ଶିଶୁ କନ୍ୟାଟିକୁ ହାଓ୍ବାଡ ନିକଟରୁ ଉଦ୍ଧାର କରାଯାଇଛି । ଶିଶୁ କନ୍ୟାଟିକୁ ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବାବେଳେ ଶିଶୁ କନ୍ୟାର ମାତା ପିତା ଏପର୍ଯ୍ୟନ୍ତ ଫେରାର ରହିଛନ୍ତି । ପୋଲିସ୍‌ ତଦନ୍ତ ପରେ ଶିଶୁ କନ୍ୟାଟି ବିକ୍ରି ହୋଇଥିବାର ସୂଚନା ମିଳିଥିଲା ।

ମିଳିଥିବା ସୂଚନା ଅନୁଯାୟୀ ଶିଶୁ କନ୍ୟାଟିକୁ ପଡୋଶୀଙ୍କ ସୂଚନା ଅନୁସାରେ ପୋଲିସ୍‌ ଏହି ଘଟଣାର ମୂଳ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା । କିଛିଦିନ ହେବ ପଡୋଶୀମାନେ ଶିଶୁର କ୍ରନ୍ଦନ ଶୁଣିନଥିବାବେଳେ ତାଙ୍କୁ ଦେଖିନଥିବାର ଅଭିଯୋଗ ପରେ ପଡୋଶୀମାନେ ପୋଲିସ୍‌ରେ ଖବର ଦେଇଥିଲେ । ଏହାପରେ ଘଟଣାର ସତ୍ୟ କାହାଣୀ ପଦାକୁ ଆସିଥିଲା ।

Categories
ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍‌ରେ ଚୋରି କରି 15 ଦିନ ପରେ ଫେରାଇଲେ ବାଇକ୍‌

ଚେନ୍ନାଇ : ଲକ୍‌ଡାଉନ୍‌ କାରଣରୁ ସମସ୍ୟାରେ ପଡି ବାଇକ୍‌ ଚୋରି କରିଥିବା ଜଣେ ବ୍ୟକ୍ତି 15 ଦିନ ପରେ ବାଇକ୍‌ ଟିକୁ ଫେରସ୍ତ କରିଛନ୍ତି । କୋଏମ୍ବାଟୋରରେ ଲକ୍‌ଡାଉନ୍‌ରେ ଫସି ରହିଥିବା ବ୍ୟକ୍ତି ଜଣକ ନିଜ ପତ୍ନୀ ଏବଂ ପୁଅକୁ ନେବା ପାଇଁ ବାଇକ୍‌ଟିକୁ ଚୋରି କରିଥିଲେ । ତେବେ ଘରେ ପହଞ୍ଚିବା ପରେ ତୁରନ୍ତ ଏକ କୋରିୟର ସଂସ୍ଥା ସାହାଯ୍ୟରେ ଫେରାଇଛନ୍ତି ଏହି ବ୍ୟକ୍ତି ଜଣକ ।

ଉଲ୍ଲେଖଯୋଗ୍ୟ ଯେ, ଭି ସୁରେଶ କୁମାର କୋଏମ୍ବାଟୁରର ସୁଲୁରର ଜଣେ ଚମଡା ବ୍ୟବସାୟୀ । ତାଙ୍କର ହିରୋ ସ୍ପ୍ଲେଣ୍ଡର ଗାଡିଟି ମେ 18 ତାରିଖରେ ଚୋରି ହୋଇଯାଇଥିଲା । ଗାଡି ଫେରାଇବା ସହିତ ଉକ୍ତ ବ୍ୟକ୍ତି ଜଣକ ଏକ ଧନ୍ୟବାଦ ପତ୍ର ମଧ୍ୟ ଲେଖିଛନ୍ତି । ଲକ୍‌ଡାଉନ୍‌ରେ ଅନ୍ୟ କୌଣସି ରାସ୍ତା ନ ପାଇ ଗାଡିଟିକୁ ନେଇଥିବାରୁ କ୍ଷମା ଚାହୁଁଛି ବୋଲି ଚିଠିରେ ଲେଖାଯାଇଥିଲା । ଏହା ପରେ ସୁରେଶ କୁମାର ଥାନାରେ ଦାଖଲ କରିଥିବା ନିଜର ଅଭିଯୋଗକୁ ପ୍ରତ୍ୟାହାର କରିନେଇଛନ୍ତି ।

Categories
ବିଶେଷ ଖବର

କରୋନା ବିଦ୍ଵେଷ- ଧର୍ମ, ରାଜ୍ୟ ଓ ଶ୍ରେଣୀ ଆଧାରରେ ବିଭାଜନର ଭୟଙ୍କର କାଳ ବୈଶାଖୀ

କେଦାର ମିଶ୍ର

ବିପଦ ମଣିଷକୁ ଏକତା ଶିଖାଏ, ହେଲେ ଆମ ଭାରତୀୟଙ୍କ କ୍ଷେତ୍ରରେ ଏହା ପୂରା ଓଲଟା। ବିପଦକୁ ଏକାଠି ସାମ୍ନା କରିବା ପରିବର୍ତ୍ତେ ଆମେ ବିପଦ ସମୟରେ ବିଭାଜିତ ହେବାକୁ ବେଶୀ ପସନ୍ଦ କରୁଛୁ। କରୋନା ବିପଦ ଆମକୁ ପ୍ରତିଦିନ ନୂଆ ନୂଆ ବାଗରେ ବିଭାଜିତ କରିଚାଲିଛି। ଭୂତାଣୁ ସଂକ୍ରମଣ ତୁଳନାରେ ବିଦ୍ଵେଷ ଓ ବିଭାଜନର ଭୂତାଣୁ ଏବେ ଅଧିକ ବିପଜ୍ଜନକ। ପ୍ରଥମରୁ ଧର୍ମ ଓ ସମ୍ପ୍ରଦାୟ ଆଧାରରେ ଆମେ ବିଦ୍ଵେଷ ବଢାଇ ଚାଲିଲୁ। ମାନବିକତା ଆଗରେ ଧର୍ମ ବଡ ହୋଇ ଦିଶିଲା। ଯାହା ଫଳରେ ପ୍ରଥମ କିଛିଦିନ ଆମେ ଧର୍ମ ଆଧାରରେ କରୋନା ଆକ୍ରାନ୍ତଙ୍କୁ ବାଣ୍ଟିଲୁ। ସମୟକ୍ରମେ ତାକୁ ନେଇ ଯେତେବେଳେ ଦେଶର ବଦନାମ ହେଲା, ତାକୁ ନେଇ ଆରବ ରାଷ୍ଟ୍ରଗୁଡିକ ଯେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ, ତାପରେ ଯାଇ ଭାରତ ସରକାରଙ୍କର ଚେତା ପଶିଲା।  ପ୍ରଧାନମନ୍ତ୍ରୀ କରୋନା ସଂକ୍ରମଣକୁ ନେଇ ବିଭାଜନ ଓ ବିଦ୍ଵେଷ ସୃଷ୍ଟି ନ କରିବାକୁ ନିବେଦନ କଲେ। ଶାସକ ବିଜେପିର ବୌଦ୍ଧିକ ପିତୃ ସଂଗଠନ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କୁ ସର୍ବ ସାଧାରଣରେ ଏ ପ୍ରକାର ବିଭାଜନ ବିରୋଧରେ କହିବାକୁ ପଡିଲା। ଆରବ ରାଷ୍ଟ୍ରଗୁଡିକର ଚାପ ପଡିନଥିଲେ, କଦାପି ସଂଘ ଓ ବିଜେପି ନିଜର ବିଦ୍ଵେଷୀ ଏଜେଣ୍ଡା ବଦଳାଇ ନଥାନ୍ତେ। ତେବେ ଆଜି ମଧ୍ୟ ସରକାରର ପୋଷା ଗଣମାଧ୍ୟମ ସାଜିଥିବା କେତେକେ ନିର୍ଦ୍ଦିଷ୍ଟ ଟେଲିଭିଜନ ଚାନେଲ ଆଜି ମଧ୍ୟ ଧାର୍ମିକ ବିଦ୍ଵେଷ ତିଆରି କରିବାର ଉଦ୍ୟମ ଚଳାଇଛନ୍ତି।

ତେବେ ଧାର୍ମିକ ବିଦ୍ଵେଷ ଓ ବିଭାଜନର ବିଷ ସାମାନ୍ୟ କମି ଆସିଲା ବେଳକୁ ଏବେ ରାଜ୍ୟ ରାଜ୍ୟ ମଧ୍ୟରେ ବିବାଦ ଓ ବିଭାଜନର ବିଷାକ୍ତ ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଛି। କରୋନା ଆକ୍ରାନ୍ତଙ୍କର “ବଙ୍ଗଳା ଲିଙ୍କ” , “ଗୁଜରାଟ ଲିଙ୍କ” କିମ୍ବା “ମହାରାଷ୍ଟ୍ର ଲିଙ୍କ” କଥା ଏବେ ଅଧିକରୁ ଅଧିକ ଉଠୁଛି। ଏବେ ଦିଲ୍ଲୀ ସହର ତିନି ଭାଗରେ ପରଷ୍ପରଠାରୁ ଅଲଗା ହୋଇ ରହିଛନ୍ତି। ଉତ୍ତର ପ୍ରଦେଶ ସରକାର ଦିଲ୍ଲୀ ସହିତ ନିଜର ସୀମାକୁ ସିଲ କରି ଦେଇଛନ୍ତି। ଅପର ପକ୍ଷରେ ହରିୟାନା ସରକାର ମଧ୍ୟ ଦିଲ୍ଲୀ ସୀମାକୁ ବନ୍ଦ କରି ଦେଲେଣି। ଯିଏ ଦିଲ୍ଲୀରୁ ଆସୁଛି, ସେ ହରିୟାନା କୁ କରୋନା ଭୂତାଣୁ ଆଣୁଛି ବୋଲି ହରିୟାନାର ମନ୍ତ୍ରୀ ଅନିଲ ବିଜ କହିଛନ୍ତି। କର୍ଣ୍ଣାଟକ ସରକାର ନିଜ ରାଜ୍ୟକୁ ପାଞ୍ଚଟି ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି। ଉତ୍ତର ପ୍ରଦେଶ ସରକାର ନିଜ ରାଜ୍ୟର ଶ୍ରମିକ ଅନ୍ୟ ରାଜ୍ୟରେ ବିନା ଅନୁମତିରେ କାମ କରିପାରିବେ ନାଇଁ ବୋଲି ହୁକୁମନାମା ଦେଇଛନ୍ତି। ଏମିତି ରାଜ୍ୟ ରାଜ୍ୟ ଭିତରେ ଏବେ ଅବାଞ୍ଛିତ ବାଡ ପଡି ଚାଲିଛି।

ଅନ୍ୟ ରାଜ୍ୟ କଥା କଣ କହିବା, ଆମ ରାଜ୍ୟରେ ଏ କଥା କମ ବ୍ୟାପକ ନୁହେଁ। ଏବେ ପ୍ରତିଦିନ ଟେଲିଭିଜନରେ ଆମେ “କଲିକତା ଫେରନ୍ତା” ଓ  “ପଶ୍ଚିମ ବଙ୍ଗ ଫେରନ୍ତା” “ସୁରତ ଫେରନ୍ତା”ଙ୍କୁ ନେଇ ଆତଙ୍କିତ। ସତେକି ବାହାର ରାଜ୍ୟରେ ଯିଏ ରହିଲା, ସିଏ କରୋନା ଭୂତାଣୁର ବାହନ। ରାଜ୍ୟ ବାହାରୁ ରାଜ୍ୟ ଭିତରକୁ ଯିଏ ଆସିଲା, ସେ ରାଜ୍ୟର ଶତ୍ରୁ!! ଏବେ ରାଜ୍ୟ ବାହାରେ ରହିଥିବା ଲକ୍ଷ ଲକ୍ଷ ଶ୍ରମିକ ଆମ ପାଇଁ ସନ୍ଦେହର କାରଣ ପାଲଟି ଯାଉଛନ୍ତି। ସେମାନେ ରାଜ୍ୟକୁ ଫେରିଲେ ସେମାନଙ୍କ ସହିତ କରୋନା ମାଡି ଆସିବ ବୋଲି ଏକ ଧାରଣା ସବୁଠି ଖେଳି ବୁଲୁଛି।

ଧର୍ମ ଓ ରାଜ୍ୟ ପରେ ଏବେ ଶ୍ରେଣୀ ଓ ଆର୍ଥିକ ସ୍ଥିତି କୁ ମଧ୍ୟ ବିଭାଜନ ଆରମ୍ଭ ହେଲାଣି। ଗରିବ ଓ ଶ୍ରମଜୀବୀ ମଣିଷଙ୍କୁ ଏବେ ଭୂତାଣୁର ବାହକ ବୋଲି କୁହାଗଲାଣି। ସେମାନଙ୍କ ପାଇଁ ଯେଉଁ ସ୍ଵତନ୍ତ୍ର ଟ୍ରେନ ଆସୁଛି, ସେଥିରେ ଖାଦ୍ୟ ବା ପାଣି ଟୋପାଏ ଦେବାକୁ ଲୋକ ନାହାନ୍ତି। ଦେଶର ବଡ ବଡ ସୁପର ଷ୍ଟାର ମାନେ ଏବେ ନିଜ ପରିବାର ଲୋକଙ୍କ ପାଇଁ ପୂରା ଉଡାଜାହାଜର ଟିକଟ କିଣି ଯାତ୍ରା କରୁଛନ୍ତି। କାଳେ ସାଧାରଣ ଲୋକ ଦେହରୁ ତାଙ୍କ ଦେହକୁ କରୋନା ଭୂତାଣୁ ମାଡିଆସିବ!!

ପ୍ରଥମେ କରୋନା ଭୂତାଣୁ “ଆମେରିକା ଫେରନ୍ତା”, “ଇଟାଲୀ ଫେରନ୍ତା”, “ୟୁରୋପ ଫେରନ୍ତା” ଙ୍କ ମାଧ୍ୟମରେ ଦେଶରେ ପ୍ରବେଶ କଲା। ଯେଉଁମାନେ ଦେଶ ବାହାରେ ଥିଲେ ସେମାନଙ୍କୁ ଫେରାଇ ଆଣିବାର ମାନବିକ ଦାୟିତ୍ଵ ଆମେ ପାଳନ କଲୁ।ତେବେ ନିଜ ଦେଶରେ ଥିବା ଲୋକଙ୍କ ବେଳକୁ ସେ ମାନବିକତା ବିଭାଜିତ ହେଉଛି କାହିଁକି? ଅନେକ ଲୋକ ଭାବୁଛନ୍ତି, ଲକ ଡାଉନ ଚିରସ୍ଥାୟୀ ହୋଇ ରହୁ ଓ ଯିଏ ଯେଉଁଠି ଅଛନ୍ତି, ସେ ସେଇଠି ଥାନ୍ତୁ। ତାହା ସମ୍ଭବ କି?ଲକ ଡାଉନ ପୂର୍ବରୁ ବିଭିନ୍ନ କାମରେ ଲୋକେ ଅନ୍ୟ ରାଜ୍ୟକୁ ଯାଇଛନ୍ତି। କିଏ ଶ୍ରମଜୀବୀ ଭାବରେ ଯାଇଛି।  କିଏ ବା ପାଠ ପଢିବାକୁ ଯାଇଛି।  ଅନେକ ଯାଇଛନ୍ତି ବୃତ୍ତିଗତ କାମରେ। ଆହୁରି ଅନେକ ତୀର୍ଥ କରିବାକୁ ଯାଇ ଅଟକି ରହିଛନ୍ତି। ଏମାନେ ସମସ୍ତେ ନିଜ ରାଜ୍ୟକୁ କଣ ଫେରିବେ ନାହିଁ?

କୌଣସି ସରକାର ଦେଶ ଭିତରେ ଲୋକଙ୍କର ଗମନାଗମନକୁ ଚିରଦିନ ପାଇଁ ବନ୍ଦ କରି ପାରିବ ନାହିଁ କିମ୍ବା ରାଜ୍ୟ ରାଜ୍ୟ ଭିତରେ ଲୁହାର ବାଡ ପଡି ପାରିବ ନାହିଁ। ୧୩୦ କୋଟି ଲୋକଙ୍କୁ ଭାରତୀୟ ଭାବରେ ଏହି ବିପଦର ସାମ୍ନା କରିବାକୁ ପଡିବ। ଓଡିଆ, ବଙ୍ଗାଳୀ, ଉତ୍ତର ଭାରତୀୟ, ଦକ୍ଷିଣ ଭାରତୀୟ ଇତ୍ୟାଦି ପରିଚୟରେ ଦେଶକୁ କରୋନା ସମୟରେ ଖଣ୍ଡ ଖଣ୍ଡ କରି ଦେଖିବା ଏକ ବିପଜ୍ଜନକ ପ୍ରକ୍ରିୟା। କରୋନାସହ ଲଢେଇ କଲାବେଳେ ସବୁ ଭାରତୀୟ ରାଜ୍ୟ ପରଷ୍ପରର ସହଯୋଗୀ ହେବାକୁ ବାଧ୍ୟ। ନିଜ ନିଜ ଘରକୁ ଫେରିବା ଲାଗି ଅଟକି ରହିଥିବା ସବୁ ଯାତ୍ରୀ ବିକଳ। ସେମାନଙ୍କୁ ସଂକ୍ରମଣର ବାହକ ବୋଲି କହି ଅଟକ ରଖିବା ମାନବୀୟ ହେବନାହିଁ। ସେମାନେ ନିଜ ନିଜ ରାଜ୍ୟକୁ ଫେରିବେ। ହେଲେ ସେମାନଙ୍କ ଫେରିବାର ବାଟକୁ ନିୟନ୍ତ୍ରିତ ତଥା ବିପଦମୁକ୍ତ କରିବା ପାଇଁ ସ୍ଵତନ୍ତ୍ର ରଣନୀତି ତିଆରି କରିବାର ଆବଶ୍ୟକତା ରହିଛି।

Categories
ଆଜିର ଖବର ଜାତୀୟ ଖବର

କରୋନାକୁ ନେଇ ରାହୁଲଙ୍କ ମତାମତକୁ ମୋଦି ଗ୍ରହଣ କରିବା ଉଚିତ୍‌ : ସଞ୍ଜୟ ରାଉତ

ମୁମ୍ବାଇ : କରୋନାକୁ ନେଇ ରାହୁଲ ଗାନ୍ଧୀଙ୍କ ମତାମତକୁ ପ୍ରଧାନମନନ୍ତ୍ରୀ ଗ୍ରହଣ କରିବା ଉଚିତ୍‌ ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ ମତ ଦେଇଛନ୍ତି । ମୋଦି ସରକାର ଏକ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଦେଶ ବର୍ତ୍ତମାନ କରୋନା ଭାଇରସ୍‌ ସହିତ ସଂଘର୍ଷ କରୁଛି । ସରକାରଙ୍କ ନିକଟରେ ଲକ୍‌ଡାଉନ୍‌ର ବାହାରିବାର କୌଣସି ରାସ୍ତା ନଥିବା ବେଳେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ମତାମତକୁ ମୋଦି ଗ୍ରହଣ କରିବା ଉଚିତ୍‌ ବୋଲି ସଞ୍ଜୟ ସାମ୍ନାରେ ଉଲ୍ଲେଖ କରିଛନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କ ଦେଶ ପ୍ରତି କିଛି ଅବଦାନ ରହିଥାଏ ତେଣୁ ସରକାରଙ୍କ ସପକ୍ଷରେ ରହିଥିବା ବ୍ୟକ୍ତିଙ୍କ ମତାମତ ସହିତ ବିରୋଧୀ ଆସନରେ ବସିଥିବା ବ୍ୟକ୍ତିଙ୍କ ମତାମତ ଗ୍ରହଣ କରିବା ଉଚିତ୍‌ ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ ପ୍ରକାଶ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

କଟକରେ ଖୋଲିଲା ପାର୍କ : ଟ୍ବିଟ୍‌ କରି ସିଏମ୍‌ସିର ଘୋଷଣା

ଭୁବନେଶ୍ବର : ଆଜିଠୁ କଟକରେ ଖୋଲିବ ସମସ୍ତ ପାର୍କ । ସକାଳ 7ଟାରୁ 10ଟା ଏବଂ ଅପରାହ୍ନ 4ଟାରୁ 6ଟା ପର୍ଯ୍ୟନ୍ତ ପାର୍କ ଖୋଲିବା ପାଇଁ କଟକ ମହାନଗର ନିଗମ ପକ୍ଷରୁ ଘୋଷଣା କରାଯାଇଛି । ତେବେ ପାର୍କରେ ରହିଥିବା ଜିମ୍‌ ଉପକରଣର ବ୍ୟବହାର ଉପରେ ରୋକ୍‌ ଲଗାଯାଇଥିବା ବେଳେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ବର ପାଳନକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ଛୋଟ ଛୁଆଙ୍କ ପାଇଁ ଉଦ୍ଦିଷ୍ଟ ଦୋଳିର ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।