ପୁଣି ଫେରିଲା ଲକ୍‌ଡାଉନ୍‌ ଓ କର୍ଫ୍ୟୁ : କରୋନାକୁ ଦୃଷ୍ଟିରେ ରଖି ପୁଣି ଏହି ଦେଶରେ ଲାଗିଲା କର୍ଫ୍ୟୁ

Published: Oct 15, 2020, 4:08 pm IST

ନୂଆଦିଲ୍ଲୀ : ବିଶ୍ୱରେ କରୋନା ପ୍ରକୋପ ଜାରି ରହିଛି। ଭାରତରେ ଅନଲକ୍‌ ପ୍ରକ୍ରିୟା ଚାଲୁ ରହିଛି । ଅନେକ ଦେଶର କରୋନା ପ୍ରକୋପ କମିଥିବା ବେଳେ ଅନେକ ଦେଶରେ ଏବେ ବି କୋଭିଡ଼ ସଂକ୍ରମଣ ବଢିଚାଲିଛି। ତେବେ ଏହା ମଧ୍ୟରେ ୟୁରୋପରେ ଚିନ୍ତାର ଖବର ସାମ୍ନାକୁ ଆସିଛି । ୟୁରୋପର ଅନେକ ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହରୀ ଆରମ୍ଭ ହୋଇଛି । ଯାହା ପ୍ରଥମ ଲହରଠାରୁ ଅଧିକ ବିପଜ୍ଜନକ ରହିଛି ।  ଯାହାକୁ ନେଇ ଦେଶମାନେ ପଦକ୍ଷେପ ନେବା ଆରମ୍ଭ କରିଲେଣି । ଖବର ଅନୁଯାୟୀ, ଶୁକ୍ରବାର ମଧ୍ୟରାତ୍ରିରୁ ପ୍ୟାରିସ୍‌ ଓ ଫ୍ରାନ୍ସର 8ଟି ସହରରେ କଫ୍ୟୁ କଟକଣା କାର୍ଯ୍ୟକାରୀ କରାଯାଇଛି । ରାତି 9ଟାରୁ ସକାଳ 6ଟା ପର୍ଯ୍ୟନ୍ତ କଫ୍ୟୁ କଟକଣା ରହିବ । ଏହାକୁ ଚାରି ସପ୍ତାହ ପାଇଁ କାର୍ଯ୍ୟକାରୀ କରାଯିବ ରାଷ୍ଟ୍ରପତି ଘୋଷଣା କରିଛନ୍ତି । ଯେପରି କରୋନା ସଂକ୍ରମଣ ଅଧିକ ନବ୍ୟାପେ , ସେଥିପାଇଁ ଏପରି କଟକଣା ନିଆଯାଇଛି ବୋଲି ସୂଚନା ଦିଆଯାଇଛି । ଯଦି ଏହି କଟକଣାକୁ କେହି ଭାଙ୍ଗୁଥିବାର ଦେଖିବାକୁ ମିଳେ, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଫାଇନ୍‌ ଆଦାୟ ହେବ ବୋଲି ଘୋଷଣା କରାଯାଇଛି ।

ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି ବିଶ୍ବ ମହାମାରୀ ପ୍ରଥମେ ୟୁରୋପରେ ପ୍ରକୋପ ଦେଖାଇଥିଲା । ଏହାପରେ ଏହା ଆମେରିକରେ ମଧ୍ୟ ପ୍ରକୋପ ଦେଖାଇବାସହିତ ପୂରା ଏସିଆରେ ବ୍ୟାପିଥିଲା । ୟୁରୋପର କିଛି ଦେଶ ଯେପରିକି ଫ୍ରାନ୍ସ, ବ୍ରିଟେନ୍‌, ଇଟଲୀ, ଜର୍ମାନୀ ଆଦି ଦେଶରେ କରୋନା ସ୍ଥିତି ବେଶ୍‌ ଚିନ୍ତାଜନକ ରହିଥିଲା । ଏହି ଦେଶରେ କରୋନା ପ୍ରତିବନ୍ଧକ ହଟାଯିବା ସହିତ ସ୍ବାଭାବିକ ଜୀବନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ ଦଶ ଦିନ ଭିତରେ ଏହି ଚିତ୍ର ପୂରା ବଦଳି ଯାଇଛି ।ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମୁତାବକ ଗତ ଏକ ସପ୍ତାହ ଧରି କରୋନା ଯୋଗୁଁ ଏପର୍ଯ୍ୟନ୍ତ 16 ପ୍ରତିଶତ ମୃତ୍ୟୁ ହୋଇଛି । ଯାହା ଅତ୍ୟନ୍ତ ଭୟାନକ । ଫ୍ରାନ୍ସ, ଜର୍ମାନୀ ଆଦି ଦେଶରୁ ଅଧିକସଂଖ୍ୟକ କରୋନା ମାମଲା ସାମ୍ନାକୁ ଆସିଛି । ଦିନକୁ 20 ହଜାରରୁଅଧିକ ନୂତନ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । ଯାହାକି କରୋନାର ୨ୟ ଲହରୀ ବୋଲି କୁହାଯାଉଛି ।

ଗୋଟିଏ ପଟରେ ୟୁରୋପରେ ଲକ୍‌ଡାଉନ୍‌ ଓ କର୍ଫ୍ୟୁ ଫେରିଥିବାବେଳେ ଭାରତରେ ଅନଲକ୍‌ ପ୍ରକ୍ରିୟା ଚାଲିଛି । 15 ଅକ୍ଟୋବରରୁ ସିନେମା ହଲ୍‌ ଓ ଅନ୍ୟାନ୍ୟ ସ୍ଥାନ ଖୋଲା ଯାଇଛି । କିଛି ରାଜ୍ୟ ଏବେ ବି କରୋନାକୁ ଦୃଷ୍ଟିରେ ରଖି କଡା କାର୍ଯ୍ୟାନୁଷ୍ଠାନ ନେଉଥିବାବେଳେ ଆଉ କେଉଠି ଦାୟିତ୍ବହୀନତାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଏବେ ପାର୍ବଣ ଋତୁ ଆସୁଥିବାରୁ ଏହାକୁ ନେଇ ଟିକିଏ ଚିନ୍ତା ବଢିଛି। ଏହି ସମୟରେ ଅଧିକ ସଚେତନତା ଓ ସତର୍କତା ଅତ୍ୟନ୍ତ ଆବଶ୍ୟକତା । (ଏଜେନ୍ସି)

Related posts