Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପୁଣି ଫେରିଲା ଲକ୍‌ଡାଉନ୍‌ ଓ କର୍ଫ୍ୟୁ : କରୋନାକୁ ଦୃଷ୍ଟିରେ ରଖି ପୁଣି ଏହି ଦେଶରେ ଲାଗିଲା କର୍ଫ୍ୟୁ

ନୂଆଦିଲ୍ଲୀ : ବିଶ୍ୱରେ କରୋନା ପ୍ରକୋପ ଜାରି ରହିଛି। ଭାରତରେ ଅନଲକ୍‌ ପ୍ରକ୍ରିୟା ଚାଲୁ ରହିଛି । ଅନେକ ଦେଶର କରୋନା ପ୍ରକୋପ କମିଥିବା ବେଳେ ଅନେକ ଦେଶରେ ଏବେ ବି କୋଭିଡ଼ ସଂକ୍ରମଣ ବଢିଚାଲିଛି। ତେବେ ଏହା ମଧ୍ୟରେ ୟୁରୋପରେ ଚିନ୍ତାର ଖବର ସାମ୍ନାକୁ ଆସିଛି । ୟୁରୋପର ଅନେକ ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହରୀ ଆରମ୍ଭ ହୋଇଛି । ଯାହା ପ୍ରଥମ ଲହରଠାରୁ ଅଧିକ ବିପଜ୍ଜନକ ରହିଛି ।  ଯାହାକୁ ନେଇ ଦେଶମାନେ ପଦକ୍ଷେପ ନେବା ଆରମ୍ଭ କରିଲେଣି । ଖବର ଅନୁଯାୟୀ, ଶୁକ୍ରବାର ମଧ୍ୟରାତ୍ରିରୁ ପ୍ୟାରିସ୍‌ ଓ ଫ୍ରାନ୍ସର 8ଟି ସହରରେ କଫ୍ୟୁ କଟକଣା କାର୍ଯ୍ୟକାରୀ କରାଯାଇଛି । ରାତି 9ଟାରୁ ସକାଳ 6ଟା ପର୍ଯ୍ୟନ୍ତ କଫ୍ୟୁ କଟକଣା ରହିବ । ଏହାକୁ ଚାରି ସପ୍ତାହ ପାଇଁ କାର୍ଯ୍ୟକାରୀ କରାଯିବ ରାଷ୍ଟ୍ରପତି ଘୋଷଣା କରିଛନ୍ତି । ଯେପରି କରୋନା ସଂକ୍ରମଣ ଅଧିକ ନବ୍ୟାପେ , ସେଥିପାଇଁ ଏପରି କଟକଣା ନିଆଯାଇଛି ବୋଲି ସୂଚନା ଦିଆଯାଇଛି । ଯଦି ଏହି କଟକଣାକୁ କେହି ଭାଙ୍ଗୁଥିବାର ଦେଖିବାକୁ ମିଳେ, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଫାଇନ୍‌ ଆଦାୟ ହେବ ବୋଲି ଘୋଷଣା କରାଯାଇଛି ।

ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି ବିଶ୍ବ ମହାମାରୀ ପ୍ରଥମେ ୟୁରୋପରେ ପ୍ରକୋପ ଦେଖାଇଥିଲା । ଏହାପରେ ଏହା ଆମେରିକରେ ମଧ୍ୟ ପ୍ରକୋପ ଦେଖାଇବାସହିତ ପୂରା ଏସିଆରେ ବ୍ୟାପିଥିଲା । ୟୁରୋପର କିଛି ଦେଶ ଯେପରିକି ଫ୍ରାନ୍ସ, ବ୍ରିଟେନ୍‌, ଇଟଲୀ, ଜର୍ମାନୀ ଆଦି ଦେଶରେ କରୋନା ସ୍ଥିତି ବେଶ୍‌ ଚିନ୍ତାଜନକ ରହିଥିଲା । ଏହି ଦେଶରେ କରୋନା ପ୍ରତିବନ୍ଧକ ହଟାଯିବା ସହିତ ସ୍ବାଭାବିକ ଜୀବନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ ଦଶ ଦିନ ଭିତରେ ଏହି ଚିତ୍ର ପୂରା ବଦଳି ଯାଇଛି ।ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମୁତାବକ ଗତ ଏକ ସପ୍ତାହ ଧରି କରୋନା ଯୋଗୁଁ ଏପର୍ଯ୍ୟନ୍ତ 16 ପ୍ରତିଶତ ମୃତ୍ୟୁ ହୋଇଛି । ଯାହା ଅତ୍ୟନ୍ତ ଭୟାନକ । ଫ୍ରାନ୍ସ, ଜର୍ମାନୀ ଆଦି ଦେଶରୁ ଅଧିକସଂଖ୍ୟକ କରୋନା ମାମଲା ସାମ୍ନାକୁ ଆସିଛି । ଦିନକୁ 20 ହଜାରରୁଅଧିକ ନୂତନ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । ଯାହାକି କରୋନାର ୨ୟ ଲହରୀ ବୋଲି କୁହାଯାଉଛି ।

ଗୋଟିଏ ପଟରେ ୟୁରୋପରେ ଲକ୍‌ଡାଉନ୍‌ ଓ କର୍ଫ୍ୟୁ ଫେରିଥିବାବେଳେ ଭାରତରେ ଅନଲକ୍‌ ପ୍ରକ୍ରିୟା ଚାଲିଛି । 15 ଅକ୍ଟୋବରରୁ ସିନେମା ହଲ୍‌ ଓ ଅନ୍ୟାନ୍ୟ ସ୍ଥାନ ଖୋଲା ଯାଇଛି । କିଛି ରାଜ୍ୟ ଏବେ ବି କରୋନାକୁ ଦୃଷ୍ଟିରେ ରଖି କଡା କାର୍ଯ୍ୟାନୁଷ୍ଠାନ ନେଉଥିବାବେଳେ ଆଉ କେଉଠି ଦାୟିତ୍ବହୀନତାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଏବେ ପାର୍ବଣ ଋତୁ ଆସୁଥିବାରୁ ଏହାକୁ ନେଇ ଟିକିଏ ଚିନ୍ତା ବଢିଛି। ଏହି ସମୟରେ ଅଧିକ ସଚେତନତା ଓ ସତର୍କତା ଅତ୍ୟନ୍ତ ଆବଶ୍ୟକତା । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

କୋହଳ ନିୟମ ଓଡ଼ିଶାରେ ଲାଗୁ ହେବ ନାହିଁ, ସନ୍ଧ୍ୟା 7ରୁ ସକାଳ 7 ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର

ଭୁବନେଶ୍ବର : ଆଜି ଅନ୍‌ଲକ୍‌ 1.0 ଜାରି ହୋଇଛି । ତେବେ ଏହି ସମୟରେ କେତେଗୁଡିଏ କଟକଣାକୁ ବଳବତ୍ତର ରଖିଛନ୍ତି ରାଜ୍ୟସରକାର । ଅନ ଲକ୍ 1.0ରେ କେନ୍ଦ୍ର ସରକାର ରାତ୍ରୀକାଳୀନ କର୍ଫ୍ୟୁକୁ କୋହଳ କରିଥିବାବେଳେ ରାଜ୍ୟ ସରକାର ଏହାକୁ ଅଧିକ କଡାକଡି କରିଛନ୍ତି । ଏହା ପୂର୍ବବର୍ତ୍ତ ସନ୍ଧ୍ୟା 7ରୁ ସକାଳ 7ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ରହିଛି ।

ସେହିପରି ଛେପପକାଇଲେ ଓ ମାସ୍କ ନ ପିନ୍ଧିଲେ ଅଧିକ ଜରିମାନା ଆଦାୟ କରାଯିବ । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ପ୍ରଥମ ଓ ଦ୍ବିତୀୟ ଥର ନିୟମ ଭାଙ୍ଗି ଧରାପଡିଲେ  500ଟଙ୍କା ଜରିମାନା ଦେବାକୁ ପଡିବ ତୃତୀୟ ଥର ନିୟମ ଭାଙ୍ଗି ଧରାପଡିଲେ 1 ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ମାସ୍କ ନ ପିନ୍ଧିଲେ ଜରିମାନା ସହ ଏପିଡେମିକ୍‌ ଆକ୍ଟ ଅନୁସାରେ ଗିରଫ କରାଯିବ ବୋଲି କହିଛନ୍ତି ଡିଜିପି ଅଭୟ । ବିନା କାରଣରେ କେହି କୁଆଡେ ବୁଲନ୍ତୁ ନାହିଁ ବୋଲି କହିଛନ୍ତି ପୋଲିସ୍‌ ଡିଜି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଅଶାନ୍ତ ଆମେରିକା : ଓ୍ବାଶିଂଟନ୍‌ ଡିସି ସମେତ 40ଟି ସହରରେ କର୍ଫ୍ୟୁ

ଆମେରିକା : କରୋନା ସଂକଟ କାଳରେ ଆମେରିକାରେ ଗୃହ ଯୁଦ୍ଧ ପରି ପରିସ୍ଥିତି ଉପୁଜିଛି। ଦୀର୍ଘଦିନ ପରେ ଆମେରିକାରେ ପୁଣିଥରେ କୃଷ୍ଣକାୟ ଓ ଶ୍ବେତାଙ୍ଗ ପ୍ରସଙ୍ଗ ଉଠିଛି ।  ପୋଲିସ୍‌ ହେପାଜତରେ ଥିବା ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆମେରିକାରେ ହିଂସା ଉଗ୍ରରୂପ ଧାରଣ କରିଛି । ଏହି ନିଆଁ ଏବେ ହ୍ବାଇଟ୍‌ ହାଉସ୍‌ ପାଖରେ ପହଞ୍ଚିଲାଣି । ରବିବାର ଦିନ ପଥରମାଡ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁରକ୍ଷିତ ବଙ୍କରରେ ନିଆଯାଇଛି । ହ୍ବାଇଟ୍‌ ହ୍ବାଉସ୍‌ ନିକଟରେ ପ୍ରବଳ ପ୍ରତିବାଦ କରାଯାଉଛି । ଦେଶରେ ଏହି ହିଂସା ସ୍ଥିତି ଯୋଗୁଁ ଆମେରିକାର ରାଜଧାନୀ ଓ୍ବାଶିଂଟନ୍‌ ଡିସି ସମେତ ନ୍ୟୁୟର୍କ, ନ୍ୟୁଜର୍ସି ସମେତ ଆମେରିକାର 40ଟି ସହରରେ କର୍ଫ୍ୟୁ ଜାରି ହୋଇଛି । 15ଟି ପ୍ରୋଭିନ୍ସ ଓ ଓ୍ବାଶିଂଟନ୍‌ ଡିସିରେ 5 ହଜାର ନ୍ୟାସନାଲ୍‌ ଗାର୍ଡ ମୂତୟନ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ମିନ୍ନିଆପଲିସ୍‌ରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍‌ଙ୍କ ମୃତ୍ୟୁ ଘଟଣା ବିପକ୍ଷରେ ପ୍ରତିବାଦରେ ଆମେରିକା ଅଶାନ୍ତ ହୋଇପଡିଛି । ଫ୍ଲଏଡ୍‌ଙ୍କ ମୃତ୍ୟୁ ପାଇଁ ଦାୟୀ ପୋଲିସ୍‌ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ହଜାର ହଜାର ଲୋକେ ଆନ୍ଦୋଳନରେ ସାମିଲ୍‌ ହୋଇଛନ୍ତି  ତେବେ ଏହି ଘଟଣାରେ 1400 ଜଣ ପ୍ରଦର୍ଶନକରୀଙ୍କୁ ଗିରଫ କରାଯାଇଥିବାରସୂଚନା ମିଳିଛି ।

ମେ 26ତାରିଖରେ ମିନ୍ନିଆପଲିସ୍‌ରେ ଜର୍ଜ ଫ୍ଲୋଏଡ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ୍‌ ଧୋକ୍କାଧଡ୍ଡି ଅଭିଯୋଗରେ ଗିରଫ କରିଥିଲେ । ଜଣେ ଶ୍ବେତ ପୋଲିସ୍‌ ଅଫିସର୍‌ ସଡକ ଉପରେ ଫ୍ଲୋଏଡଙ୍କୁ ବେକକୁ ଆଠ ମିନିଟ୍‌ ଦକ ଦବାଇ ରଖିଥିବାବେଳେ ଏହାର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା । ଏହାପରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି । କିନ୍ତୁ ଏହି ଘଟଣା ପରେ ହିଂସା ଦେଖିବାକୁ ମିଳିଥିଲା ପରବର୍ତ୍ତୀ ସମୟରେ ଏହା ଅନ୍ୟ ସହରକୁ ବ୍ୟାପିବାରେ ଲାଗିଥିଲା ।  ହିଂସା ଯୋଗୁଁ ଆମେରିକାରେ ସ୍ଥିତି ଅଣାୟତ୍ତ ହେଉଥିବାରୁ ବିକ୍ଷୋଭକାରୀଙ୍କୁ ରୋକିବାକୁ ଯାଇ ପୋଲିସ୍‌ ଲୁହବୁହା ଗ୍ୟାସ୍‌ ଓ ଲାଠିଚାଳନା କରିଛି । (ଏଜେନ୍ସି)

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଭବାନୀ ପାଟଣା ଅଞ୍ଚଳରେ କର୍ଫ୍ୟୁ ଜାରି: ଗୁଜୁରାଟରୁ ଆସି ପହଞ୍ଚିବ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସମଗ୍ର ଦେଶ କୋଭିଡ-୧୯ ପାଇଁ ଲକଡାଉନ ସ୍ଥିତିରେ ରହିଥିବା ବେଳେ ପ୍ରବାସୀ ଓଡିଆ ଶ୍ରମିକ ମାନେ ଘରମୁହାଁ ହୋଇଯାଇଛନ୍ତି। ଗୁଜରାଟରୁ ଆସୁଥିବା  ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ମଙ୍ଗଳବାର ୧୯.୦୫.୨୦ ଦିନ ଅପରାହ୍ନ ୪.୨୫ ମି.ରେ ଭବାନୀପାଟଣା ପହଂଚିବା ପାଇଁ ସମୟ ନିର୍ଘଣ୍ଟ ହୋଇଥିବା ହେତୁ ସମ୍ଭାବ୍ୟ ଜନଗହଳି ଆଶଙ୍କାରେ ଭବାନୀପାଟଣା ଅଂଚଳକୁ ୧୪୪ ଧାରା ଅନୁସାରେ କର୍ଫ୍ୟୁ ଜାରି କରାଯାଇଥିବା ଜଣାପଡିଛି।

ଭବାନୀପାଟଣା ଟାଉନ ଥାନା ଅଂଚଳ ଏବଂ ସଦର ଥାନା ଅଂଚଳର ରେଲୱେ ଷ୍ଟେସନ ପାଖାପାଖି ୫ଟି ଅଂଚଳକୁ ମଙ୍ଗଳବାର ଦିନ ୧୨ ଟା ଠାରୁ ତା.୨୦.୦୫.୨୦ ବୁଧବାର ସକାଳ ୬ଟା ପର୍ଯ୍ୟନ୍ତ କୁ ଭବାନୀପାଟଣା ଉପଖଣ୍ଡ ମାଜିଷ୍ଟ୍ରେଟ  ଅର୍ଡର ନ.୨୬୨୯ ତା.୧୮.୦୫.୨୦୨୦ ମାଧ୍ୟମରେ ୧୪୪ ଧାରା ଅନୁସାରେ କର୍ଫ୍ୟୁ ଜାରି କରିଛନ୍ତି। ପ୍ରବାସୀମାନେ ଭବାନୀପାଟଣା ପହଂଚିବା ଏବଂ ସେମାନଙ୍କୁ ନିଜ ନିଜ ଅଂଚଳକୁ ପଠାଇବା ପର୍ଯ୍ୟନ୍ତକୁ ସେମାନଙ୍କ ସଂସ୍ପର୍ଶରେ ଯେପରି କେହି ନଆସନ୍ତି ତଥା କୌଣସି ପ୍ରକାର ସଂକ୍ରମଣକୁ ରୋକିବା ପାଇଁ ଦୃଷ୍ଟି ଦିଆଯାଇ କର୍ଫ୍ୟୁ ଜାରି କରାଯାଇଥିବା ପ୍ରକାଶ।

କଳାହାଣ୍ଡି ଜିଲ୍ଲା ସମେତ ଓଡିଶାର ୧୦ଟି ଜିଲ୍ଲାର ୧୬୨୪ ଜଣ ପ୍ରବାସୀ ଓଡିଆଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ ଗୁଜରାଟରେ ରହିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ନେଇ ସୋମବାର ଗୋଟାଏ ସମୟରେ ଗୁଜରାଟର ରାଜକୋଟ ଷ୍ଟେସନରୁ ଭବାନୀପାଟଣା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଜଣାପଡିଛି।

ପ୍ରାପ୍ତ ତଥ୍ୟ ଅନୁସାରେ ୨୪ ଟି ବଗି ଥିବା ଏହି ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ କଳାହାଣ୍ଡି ଜିଲ୍ଲାର ୧୦୭୭, ଅନୁଗୁଳ ଜିଲ୍ଲାର ୫୯,ଭଦ୍ରକର ୪୭,ବୌଦ୍ଧର ୨, ଢେଙ୍କାନାଳର ୯, ଗଂଜାମର ୯୯, ଯାଜପୁରର ୯୫, କେନ୍ଦ୍ରାପଡାର ୪୯, କଟକର ୮୩, ମୟୁରଭଂଜର ୧୩ ଜଣଙ୍କୁ ମିଶାଇ ମୋଟ ୧୬୨୪ ଜଣ ପ୍ରବାସୀ ଓଡିଆ ଶ୍ରମିକ ଆସୁଥିବା ଜଣାପଡିଛି। ପ୍ରବାସୀ ମାନେ ଭବାନୀପାଟଣା ଷ୍ଟେସନ ପହଂଚିବା ପରେ ସମସ୍ତଙ୍କ ପଂଜୀକରଣ, ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଅନେକ କାଉଂଟର କରାଯାଇଥିବା  ଏବଂ  ଶ୍ରମିକ ମାନଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ସମେତ ଏଡିଏମ, ନୋଡାଲ ଅଫିସର ତଥା ପିଡି ଡିଆରଡିଏ, ଉପଜିଲ୍ଲାପାଳ, ସିଡିଏମଓ, ଆରଟିଓ ପ୍ରମୂଖ ରେଳଷ୍ଟେସନ ପରିଦର୍ଶନ କରି ସମସ୍ତ ପ୍ରସ୍ତୃତି ତଦାରଖ କରିଥିବା ପ୍ରକାଶ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଭଦକ୍ରରେ 24 ଘଣ୍ଟିଆ କର୍ଫ୍ୟୁ ଜାରି କଲା ଜିଲ୍ଲା ପ୍ରଶାସନ

ଭଦ୍ରକ : ଭଦ୍ରକରେ 24 ଘଣ୍ଟିଆ କର୍ଫ୍ୟୁ ଜାରି କଲା ଜିଲ୍ଲା ପ୍ରଶାସନ। ଭଦ୍ରକ ଚରମ୍ପା ଅଞ୍ଚଳରେ 24 ଘଣ୍ଟିଆ କର୍ଫ୍ୟୁ ଜାରି ହୋଇଛି । ଆଜି ଦିନ 2ଟାରୁ ଆସନ୍ତାକାଲି ଦିନ 2ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। ଡଗରାସାହି ସ୍କୁଲ ଛକରୁ ଗୁଣୁଣିଆ ବଜାର ଛକ ବଜାର ରାସ୍ତାରେ କର୍ଫ୍ୟୁ ଜାରି କରାଯାଉଛି। ପ୍ରବାସୀଙ୍କୁ ନେଇ 2ଟି ଟ୍ରେନ୍‌ ଆସୁଥିବାରୁ ଜିଲ୍ଲା ପ୍ରଶାସନ ଏନେଇ ପଦକ୍ଷେପ ଗ୍ରହଣ କରିବା ସହିତ କର୍ଫ୍ୟୁ ଜାରି କରିଛି । ଭଦ୍ରକ ଚରମ୍ପା ଷ୍ଟେସନରେ 500 ମିଟର ଅଞ୍ଚଳ ଭିତରେ କର୍ଫ୍ୟୁ ଜାରି କଲା ଜିଲ୍ଲା ପ୍ରଶାସନ। ଯାତ୍ରୀଙ୍କ ସ୍କ୍ରିନିଂ କରାଯିବା ସହ ସେମାନଙ୍କ ସ୍ବାବ ସଂଗ୍ରହ କରାଯିବ। ସେହିପରି ଯାତ୍ରୀମାନଙ୍କ ନାମ ପଞ୍ଜୀକରଣ ହୋଇଛି କି ନାହା ତାହା ତଦାରଖ କରାଯିବ। ଏଠାରେ ପ୍ରାୟ 4ଟି ଜିଲ୍ଲାର ଯାତ୍ରୀମାନେ ପହଞ୍ଚିବେ। ଯାତ୍ରୀମାନଙ୍କ ଯିବା ପାଇଁ ଚାରୋଟି ଜିଲ୍ଲାର ଅଲଗା ଅଲଗା ବସ୍‌ର ବ୍ୟବସ୍ଥା କରାଯାଇଛି ।

Categories
ଆଞ୍ଚଳିକ

୧୪ ଦିନ ପାଇଁ ଜଗତସିଂହପୁରରେ ଦୈନିକ ୧୨ ଘଣ୍ଟିଆ କର୍ଫ୍ୟୁ

ରଞ୍ଜିତ ପଣ୍ଡା

କୁଜଙ୍ଗ: ଜଗତସିଂହପୁର ଜିଲ୍ଲାରେ ୧୨ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରାଯାଇଛି। ଆଜି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଦୁଇ ସପ୍ତାହ ପର୍ଯ୍ୟନ୍ତ ସନ୍ଧ୍ୟା ୭ ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସାରା ଜିଲ୍ଲାରେ କର୍ଫ୍ୟୁ ବଳ ବତ୍ତର ରହିବ। ଏହା ସହିତ ଜନଗହଳିକୁ ଦୃଷ୍ଟିରେ ରଖି କର୍ଫ୍ୟୁ ଘୋଷଣା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।ଆସନ୍ତା ୧୪ ଦିନ ପାଇଁ ଏହି କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ ଜଗତସିଂହପୁର ଏବେ ଗ୍ରୀନ ଜୋନରେ ରହିଛି। ବର୍ତ୍ତମାନ ଜନସାଧାରଣ ଅଧିକ ସଚେତନ ହେବା ସହ କଡ଼ା ପଦକ୍ଷେପ ନେବାର ସମୟ ଆସିଛି। ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ସେହିପରି ଭାବେ ଜିଲ୍ଲାରେ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର

ପୋଲିସ ଲାଠି ମାଡ଼ରେ ଆନ୍ଦୋଳନକାରୀ ଶ୍ରମିକର ମୃତ୍ୟୁ , ୧୪୪ ଧାରା ଜାରି

କଳାହାଣ୍ଡି ଜିଲ୍ଲା ବେଦାନ୍ତ ଆଲୁମିନା ସମ୍ମୁଖରେ ପୋଲିସ ଓ ଶ୍ରମିକ ମୁହାଁମୁହିଁ ବେଳେ ପୋଲିସର ଲାଠି ଚାର୍ଜରେ ଆନ୍ଦୋଳନକାରୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଲାଠି ଚାର୍ଜ କରିଥିବା ବେଳେ ୩୦ଜଣରୁ ଅଧିକ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି। ସୂଚନା ଯୋଗ୍ୟ, କଳାହାଣ୍ଡି ଜିଲ୍ଳା ଭବାନୀପାଟଣାସ୍ଥିତ ବେଦାନ୍ତ ଆଲୁମିନିଅମ ବେଦାନ୍ତ କମ୍ପାନୀରେ  ସ୍ଥାନୀୟ ଲୋକଙ୍କୁ ଚାକିରି ଦେବା ଦାବିରେ ଶ୍ରମିକମାନେ ଆନ୍ଦୋଳନ କରୁଥିଲେ। ପୋଲିସ ସେମାନଙ୍କୁ ଆନ୍ଦୋଳନରୁ ବଳ ପ୍ରୟୋଗ କରି ହଟାଉଥିବାବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ ଓ ଶ୍ରମିକ ଧସ୍ତାଧସ୍ତି ହୋଇଛନ୍ତି। ପୋଲିସ ଲାଠି ଚାଳନା କରିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ସହ ପ୍ରାୟ ୩୦ଜଣରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ବେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରିସ୍ଥିତି ଅସମ୍ଭାଳ ହେବାରୁ କମ୍ପାନୀ ଆଗରେ ପୋଲିସ ୧୪୪ ଧାରା ଜାରି କରିଛି।