ଅଶାନ୍ତ ଆମେରିକା : ଓ୍ବାଶିଂଟନ୍‌ ଡିସି ସମେତ 40ଟି ସହରରେ କର୍ଫ୍ୟୁ

Published: Jun 1, 2020, 8:52 am IST

ଆମେରିକା : କରୋନା ସଂକଟ କାଳରେ ଆମେରିକାରେ ଗୃହ ଯୁଦ୍ଧ ପରି ପରିସ୍ଥିତି ଉପୁଜିଛି। ଦୀର୍ଘଦିନ ପରେ ଆମେରିକାରେ ପୁଣିଥରେ କୃଷ୍ଣକାୟ ଓ ଶ୍ବେତାଙ୍ଗ ପ୍ରସଙ୍ଗ ଉଠିଛି ।  ପୋଲିସ୍‌ ହେପାଜତରେ ଥିବା ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆମେରିକାରେ ହିଂସା ଉଗ୍ରରୂପ ଧାରଣ କରିଛି । ଏହି ନିଆଁ ଏବେ ହ୍ବାଇଟ୍‌ ହାଉସ୍‌ ପାଖରେ ପହଞ୍ଚିଲାଣି । ରବିବାର ଦିନ ପଥରମାଡ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁରକ୍ଷିତ ବଙ୍କରରେ ନିଆଯାଇଛି । ହ୍ବାଇଟ୍‌ ହ୍ବାଉସ୍‌ ନିକଟରେ ପ୍ରବଳ ପ୍ରତିବାଦ କରାଯାଉଛି । ଦେଶରେ ଏହି ହିଂସା ସ୍ଥିତି ଯୋଗୁଁ ଆମେରିକାର ରାଜଧାନୀ ଓ୍ବାଶିଂଟନ୍‌ ଡିସି ସମେତ ନ୍ୟୁୟର୍କ, ନ୍ୟୁଜର୍ସି ସମେତ ଆମେରିକାର 40ଟି ସହରରେ କର୍ଫ୍ୟୁ ଜାରି ହୋଇଛି । 15ଟି ପ୍ରୋଭିନ୍ସ ଓ ଓ୍ବାଶିଂଟନ୍‌ ଡିସିରେ 5 ହଜାର ନ୍ୟାସନାଲ୍‌ ଗାର୍ଡ ମୂତୟନ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ମିନ୍ନିଆପଲିସ୍‌ରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍‌ଙ୍କ ମୃତ୍ୟୁ ଘଟଣା ବିପକ୍ଷରେ ପ୍ରତିବାଦରେ ଆମେରିକା ଅଶାନ୍ତ ହୋଇପଡିଛି । ଫ୍ଲଏଡ୍‌ଙ୍କ ମୃତ୍ୟୁ ପାଇଁ ଦାୟୀ ପୋଲିସ୍‌ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ହଜାର ହଜାର ଲୋକେ ଆନ୍ଦୋଳନରେ ସାମିଲ୍‌ ହୋଇଛନ୍ତି  ତେବେ ଏହି ଘଟଣାରେ 1400 ଜଣ ପ୍ରଦର୍ଶନକରୀଙ୍କୁ ଗିରଫ କରାଯାଇଥିବାରସୂଚନା ମିଳିଛି ।

ମେ 26ତାରିଖରେ ମିନ୍ନିଆପଲିସ୍‌ରେ ଜର୍ଜ ଫ୍ଲୋଏଡ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ୍‌ ଧୋକ୍କାଧଡ୍ଡି ଅଭିଯୋଗରେ ଗିରଫ କରିଥିଲେ । ଜଣେ ଶ୍ବେତ ପୋଲିସ୍‌ ଅଫିସର୍‌ ସଡକ ଉପରେ ଫ୍ଲୋଏଡଙ୍କୁ ବେକକୁ ଆଠ ମିନିଟ୍‌ ଦକ ଦବାଇ ରଖିଥିବାବେଳେ ଏହାର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା । ଏହାପରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି । କିନ୍ତୁ ଏହି ଘଟଣା ପରେ ହିଂସା ଦେଖିବାକୁ ମିଳିଥିଲା ପରବର୍ତ୍ତୀ ସମୟରେ ଏହା ଅନ୍ୟ ସହରକୁ ବ୍ୟାପିବାରେ ଲାଗିଥିଲା ।  ହିଂସା ଯୋଗୁଁ ଆମେରିକାରେ ସ୍ଥିତି ଅଣାୟତ୍ତ ହେଉଥିବାରୁ ବିକ୍ଷୋଭକାରୀଙ୍କୁ ରୋକିବାକୁ ଯାଇ ପୋଲିସ୍‌ ଲୁହବୁହା ଗ୍ୟାସ୍‌ ଓ ଲାଠିଚାଳନା କରିଛି । (ଏଜେନ୍ସି)

Related posts