କରୋନା ପାଇଁ ପୁଣି ଥରେ ଲକଡାଉନ ଘୋଷଣା, ଆସନ୍ତାକାଲି ରାତି 8ଟାରୁ ତିନିଦିନ ପାଇଁ ତାଲାବନ୍ଦ

Published: Feb 19, 2021, 1:02 pm IST

ମୁମ୍ବାଇ, ବର୍ତ୍ତମାନ ମହାରାଷ୍ଟ୍ରରେ କରୋନା ଅଣଆୟତ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ଫଳରେ ମହାରାଷ୍ଟ୍ର ସରକାର ପୁଣି ଥରେ ଲକଡାଉନ ଘୋଷଣା କରିଛନ୍ତି। ବର୍ତ୍ତମାନ ପାଇଁ ସପ୍ତାହନ୍ତ ଏହି ଲକଡାଉନ ଘୋଷଣା ହୋଇଛି। ଆସନ୍ତାକାଲି ଅମରାବତିରେ ଏହି ସପ୍ତାହନ୍ତ ଲକଡାଉନ କରାଯିବ। ଶନିବାର ରାତି 8 ଟାରୁ ଏହି ଲକଡାଉନ ଆରମ୍ଭ ହୋଇ ସୋମବାର ସକାଳ 7ଟା ପର୍ଯ୍ୟନ୍ତ ଲାଗୁ ରହିବ। ଏହି ସମୟରେ ସମସ୍ତ ଦୋକାନବଜାର ବନ୍ଦ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ଏହି ସମୟରେ ଜରୁର କାଳିନ ସେବା ଜାରି ରହିବ।

ସେହିପରି ଯବତମାଳ ଜିଲ୍ଲାରେ ମଧ୍ୟ କରୋନା ପାଇଁ କଟକଣା ଜାରୀ କରାଯାଇଛି। ଏହି ଜିଲ୍ଲାରେ ପାଞ୍ଚରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରୀ କରାଯାଇଛି। ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବା ପାଇଁ କୁହାଯାଇଛି। ଏହି କଟକଣାକୁ ମାନିବା ପାଇଁ ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ନିବେଦନ କରାଯାଇଛି। ଏଥିସହିତ ହୋଟେଲ ରେସ୍ତୋରାଁ ପ୍ରମୁଖ ରାତି 9ଟା ପରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ କରୋନା ପରିସ୍ଥିତି ମହାରାଷ୍ଟ୍ରରେ ଅଣଆୟତ କରି ରଖିଛି। ଗତକାଲି ରାଜ୍ୟରେ 5 ହଜାର କରୋନା ପଜେଟିଭ ଚିହ୍ନଟ ହୋଇଥିଲେ। ରାଜ୍ୟରେ ଲଗାତାର ଭାବେ ଗତ 6ଦିନ ଧରି 3 ହଜାରରୁ ଉର୍ଦ୍ଧ କରୋନା ପଜେଟିଭ ଚିହ୍ନଟ ହେବାରେ ଲାଗିଛନ୍ତି। ସେହିପରି ଏହି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ପ୍ରାୟ 51 ହଜାର ଟପିଲାଣି। ଯାହା ଦେଶରେ ସର୍ବାଧିକ କୋରନା ମୃତ୍ୟୁ ହାର ବୋଲି ଜଣାପଡିଛି।

ଏ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି। ଲୋକମାନଙ୍କୁ କଟକଣା ମାନିବା ପାଇଁ ଅନୁରୋଧ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତାହା ନ ହୁଏ ତେବେ ଏହି କଟକଣାକୁ କଡାକଡି କରିବା ପାଇଁ କୁହାଯାଇଛି।

Related posts