Categories
ବିଶେଷ ଖବର ମତାମତ

ଓଡିଶାକୁ ଏବେ ଛପର ଫାଡି ଅଜାଡି ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜ୍ଞା ତାହାର କାରଣ କଣ ଟିକିଏ କହିବେ କି ?

ପଞ୍ଚାନନ ଦଳାଇ

ଭାଇ ନମସ୍କାର। କେମିତି ଅଛନ୍ତି, ଆପଣମାନେ ପେପରରେ ଗୋଟିଏ ବଢିଆ ଖବରଟିଏ ଦେଇଥିଲେ। ହେଲେ ସେଇଟା ପ୍ରଥମ ପୃଷ୍ଠାରେ ବଡବଡ ଅକ୍ଷରରେ ଛାପିବାର ଥିଲା। ଏମିତି ବଡ ପାଟିରେ କହି କହି ଆମ ପାଖକୁ ଆସିଲେ ବିଜେପିର ଜଣେ ନେତା। ଅବଶ୍ୟ ସେ ବିଜେପିରେ ଅଛନ୍ତି, ହେଲେ ବର୍ତ୍ତମାନ ପରିସ୍ଥିତିରେ ସେ ବିଜେପି ସହିତ ଖାପ ଖୁଆଇ ଚଳିପାରୁ ନାହିଁନ୍ତି। ସେଥିପାଇଁ ସେ ବିଜେପିର ଜଣେ ସକ୍ରିୟ ନେତା ନୁହଁନ୍ତି ବୋଲି କହିବାକୁ ପଡିବ। ତାଙ୍କ କଥା ସରିବା ପରେ ଆମେ ପଚାରିଲୁ ଭାଇ କେଉଁ ଖବର କଥା କହୁଛନ୍ତି କି? ଏଇ ଅଳ୍ପଦିନ ତଳେ ଯେଉଁ ବାହାରିଥିଲା, କାମ୍ପା ଟଙ୍କା, ସେହି ଖବର କଥା କହୁଛି। କେନ୍ଦ୍ର ସରକାର ଓଡିଶାକୁ ଦେଲେ ଏକାଥରକେ ୫ ହଜାର ୯ଶହ ୩୪କୋଟି ଟଙ୍କା। ଭାଇ ସତ କହିଲ ଏତେ ଟଙ୍କା ଏହି ଫଣ୍ଡରୁ ଓଡିଶାକୁ କେବେ ମିଳିଥିଲା ?୨୭ଟି ରାଜ୍ୟକୁ ୪୭ହଜାର କୋଟି ଟଙ୍କା ଦିଆଯାଇଛି। ହେଲେ ସବୁଠୁ ଅଧିକା ଟଙ୍କା ପାଇଛି ଓଡିଶା। ଭାଇ ଆପଣ ତ ସାମ୍ବାଦିକ ଲୋକ, ଟିକିଏ କହିଲେ, ମୋଦି ଏତେ ଟଙ୍କା ଓଡିଶାକୁ କାହିଁକି ଦେଲେ। ପ୍ରଶ୍ନଟିଏ ଆମ ଉପରକୁ ଫୋପାଡି ଦେଇ ଅନେଇ ରହିଲେ। ଆମେ ମଧ୍ୟ ହଠାତ୍ କଥାଟିକୁ ଠଉରେଇ ପାରିଲୁ ନାହିଁ। କହିଲୁ ସେମାନେ ଓଡିଶାରୁ ଏହି ଟଙ୍କା ନେଇଥିଲେ, ଓଡିଶାକୁ ଦେଲେ। ଏଥିରେ ପ୍ରଶ୍ନ କରିବାର କଣ ଅଛି।

ଚା ଦୋକାନ ପାଖରେ ଥିବା କାଠ ବେଞ୍ଚରେ ବସି ପଡି ମୁଣ୍ଡ ହଲାଇ କହିଲେ, ନା ନା ସେ କଥା ନୁହେଁ ସାମ୍ବାଦିକ ଭାଇ। ଏ ଟଙ୍କା ସେମାନେ କଣ ଏବେ ନେଲେ କି, ବର୍ଷବର୍ଷ ଧରି ଖଣି କଂପାନୀମାନେ ଏ ଟଙ୍କା ସରକାରଙ୍କୁ ଦେଉଛନ୍ତି। କାହିଁ ଆଗରୁ ତ କେବେ ଏତେ ଟଙ୍କା ଆସୁ ନ ଥିଲା। ସମୁଦ୍ରରୁ ଟୋପାଏ ଟୋପାଏ ଜଳ ଦେବା ଭଳିଆ ଟଙ୍କା ମିଳୁଥିଲା। ହଠାତ୍ ଏତେ ଟଙ୍କା ଦେବା, ସେ ପୁଣି ଓଡିଶା ରାଜ୍ୟ…କୁ ! କିଛି ବୁଝି ହେଉ ନାହିଁ ଭାଇ। ଆପଣ ଠିକ୍ ଜାଣିଛନ୍ତି, କିଛି କହୁ ନାହାଁନ୍ତି। ଏ କଥା ଶୁଣିବା ପରେ ଆମେ କହିଲୁ, ଆପଣଙ୍କୁ ଲୁଚାଇବାରେ କଣ ଅଛି। ଆମେ ପଚାରିଲୁ, ଭାଇ ଆପଣ କୁହନ୍ତୁ ଏତେ ଟଙ୍କା ନରେନ୍ଦ୍ର ମୋଦୀ ନବୀନବାବୁଙ୍କୁ କାହିଁକି ଦେଲେ। କଥା ନ ସରୁଣୁ ସେ ହସି ଉଠିଲେ। ଚଟକରି କହିଲେ ହାଁ..ଏବେ ଠିକ୍ କଥା ଧରିଲ ଭାଇ। ଆମେ ବି ବୁଝିପାରିଲୁ ନାହିଁ, କେଉଁଟା ଠିକ୍ କଥା।

ମୁରୁକା ମୁରୁକା ହସି ସେ ବନ୍ଧୁ ଟିକିଏ ପାଖକୁ ଲାଗି ଆସିଲେ। ଚୁପଚୁପ କରି କହିଲେ, ପ୍ରକୃତରେ ଭାରତ ସରକାର ଓଡିଶା ସରକାରଙ୍କୁ ଏତେ ଟଙ୍କା ଦେଇ ନାହାଁନ୍ତି। ଆମେ ଆଁ କରି ତାଙ୍କ ମୁହଁକୁ ଅନାଇଲୁ। ଏ ଟଙ୍କା ନବୀନବାବୁଙ୍କୁ ମୋଦି ଜି ଦେଇଛନ୍ତି। ଟିକିଏ ଦବା ଗଳାରେ ସେ କହିଲେ। ଆମେ କହିଲୁ ଭାଇ ସବୁ ଏକା କଥା, କେନ୍ଦ୍ର ସରକାର ରାଜ୍ୟକୁ ଦିଅନ୍ତୁ କିମ୍ବା ମୋଦି ନବୀନଙ୍କୁ ଦିଅନ୍ତୁ, ଏସବୁ ଗୋଟିଏ କଥା। ଆମ ଉତ୍ତର ଶୁଣି ସେ ଚା ପିଇସାରି ପୁଣି ଟିକିଏ ହସିଲେ। କହିଲେ ଭାଇ ଆପଣ ସବୁକଥା ଜାଣିଛନ୍ତି। ମୁଁ ଭାବୁଛି ମୋଦିସାହା ଭୟରେ ଆପଣ କିଛି କହୁ ନାହାଁନ୍ତି। ଚା ଟା ପାଟିରେ ପଶୁଥିଲା ,ହଠାତ କଥା ଶୁଣି ତଣ୍ଟିରେ ଚା ଲାଗିଗଲା। ତା ସହିତ ଜୋରରେ ହସ ମଧ୍ୟ ଲାଗିଲା। ଚା ଗ୍ଲାସଟି କାଠ ଉପରେ ଥୋଇ ତାଙ୍କୁ କହିଲୁ ଭାଇ ଆମେ ତ ଓଡିଶା ସାମ୍ବାଦିକ, ମୋଦିସାହା କିଏ ଆମେ କିଏ। ସେ ଆମକୁ କାହିଁକି ପଚାରିବେ ଆମେ ବା ତାଙ୍କୁ କାହିଁକି ଡରିବୁ। ଛାଡ, ମୁଖ୍ୟ କଥାଟି କଣ କହୁନ।

ପୁଣି ଟିକିଏ ପାଖକୁ ଘୁଞ୍ଚି ଆସି ସେ କହିଲେ, ଦେଖ ଭାଇ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ନବୀନ ପଟ୍ଟନାୟକ ସମର୍ଥନ କରି ତାଙ୍କୁ ସାହାର୍ଯ୍ୟ କଲେ। ହିଁ ନା ନାହିଁ ? ଆମେ କହିଲୁ ହଁ । ଗୋଟିଏ ରାଜ୍ୟସଭା ପ୍ରାର୍ଥୀ ଦେବାରେ ନବୀନବାବୁଙ୍କର କିଛି କ୍ଷତି ହୋଇଛି କି ? ଆମେ କହିଲୁ ନାଁ, ବିଜେଡିର ସେମିତି କିଛି କ୍ଷତି ହୋଇ ନାହିଁ। ବରଂ ବିଜେପିର ଲାଭ ହୋଇଛି। ଓ..କେ । ଆଚ୍ଛା, ନବୀନବାବୁ ଯେତେବେଳେ ବିଜେପି ପ୍ରାର୍ଥୀକୁ ସର୍ମଥନ ଦେଲେ, ଆପଣମାନେ ତାଙ୍କୁ ବହୁ ସମାଲୋଚନା କଲେ। ହଁ ନା ନାହିଁ। ଆମେ କହିଲୁ ହଁ । ନବୀନବାବୁଙ୍କ ପାଖରେ ସଂଖ୍ୟା ଥାଇ ମଧ୍ୟ ସେ କାହିଁକି ସମର୍ଥନ କଲେ ଆପଣମାନେ ପ୍ରଶ୍ନ କଲେ କି ନାହିଁ। ଆମେ ହଁ କଲୁ। ମୋଦିସାହାଙ୍କୁ ଡରି ନବୀନବାବୁ ତାଙ୍କୁ ସାହାର୍ଯ୍ୟ କରୁଛନ୍ତି ବୋଲି ଆପଣମାନେ ସମାଲୋଚନା କଲେ। ହିଁ ନା ନାହିଁ। ଆମେ ହଁ କହିଲୁ।

ଏତେ ପ୍ରଶ୍ନ ଆମକୁ ପଚାରିବା ଭିତରେ ଆମେ ଠିକରେ ଜାଣିପାରୁଲୁ ଯେ, ସେ କଣ କହୁଛନ୍ତି। ତଥାପି ନ ବୁଝିଲା ପରି ତାଙ୍କୁ ପଚାରିଲୁ ଭାଇ କିଛି ବୁଝି ହେଲା ନାହିଁ। ଆପଣ ଯାହା କହିବା କଥା ସିଧା କହୁ ନାହାଁନ୍ତି। ସେ ଟିକିଏ ମୁରୁକି ହସିଲେ। କହିଲେ ଭାଇ କାମ୍ପା ପଇସା ଆସିବା ପୂର୍ବରୁ ଓଡିଶାକୁ କେନ୍ଦ୍ର ସରକାର ଫନୀ ସହାୟତା ଦେଇଥିଲେ। ଟିକିଏ ଚଢା ଗଳାରେ କହିଲେ, କେତେ ଟଙ୍କା ଦେଇଥିଲେ? ଆମେ କହିଲୁ ସେହି 3 ହଜାର 3ଶହ 38 କୋଟି ଟଙ୍କା ବୋଧହୁଏ। ତା ପୂର୍ବରୁ ମୋଦି ୫ଶହ କୋଟି ଦେଇଥିଲେ। ହଁ ନା ନାହିଁ। ଆମେ ହଁ କଲୁ। ସେ କହିଲେ କାମ୍ପା ଓ ଫନୀ ସହାୟତା, ଏ ସବୁ ମିଶାଇଦେଲେ କେତେ ହେବ ? ଏତକ କହି ସେ ଚା ଦୋକାନୀକୁ ବଡ ପାଟିରେ କହିଲେ, ହଇରେ ବିରଞ୍ଚି ଭାଇ ତମ କାଲକୁଲେଟରଟା ଦେଲ। ଚଟାପଟ ସେ ସବୁ ଟଙ୍କା ମିଶାଇ ଦେଲେ। ଆମେ ତାଙ୍କୁ କହିଲୁ ଭାଇ ତା ପୂର୍ବରୁ ଆହୁରି ଟଙ୍କା ଆସିଛି ତାର ହିସାବ କରୁ ନାହାଁନ୍ତି। ସେ ସାଙ୍ଗେ ସାଙ୍ଗେ କହିଲେ ନା..ନା..। ସେଗୁଡିକ ଛାଡ, ବର୍ତ୍ତମାନ ବିଜେଡି ଅଶ୍ବିନୀ ବୈଷ୍ଣବଙ୍କୁ ସାହାଯ୍ୟ କରିବା ପରେ କେତେ ଟଙ୍କା ମିଳିଛି, ତାହାର ହିସାବ କରିବା।

ଆମର ଆଗୋଚରରେ ଆଗରୁ ଆଉ କେତେ ଜଣ ଆମ ଆଲୋଚନାରେ ସାମିଲ ହୋଇ ସାରିଥିଲେ। ତାଙ୍କ କଥା ଶୁଣି ସେମାନେ ଏକା ସାଙ୍ଗରେ ହସି ଉଠିଲେ। ତାଙ୍କ ହସିବା ଦେଖି ଆମର ବନ୍ଧୁ ରାଗରେ କହିଲେ ହେ..ଚୁପ ରୁହ। କିଛି ସମୟ ମଧ୍ୟରେ ସେ ଚଟାପଟ ହିସାବ କରି କହିଲେ ୯ହଜାର ୨ଶହ ୭୨କୋଟି ଟଙ୍କା ହେଲା। ହେଲା ତ ହେଲା କଣ ହେଲା, ଆମେ ପଚାରିଲୁ। ସେ ପୁଣି ହସିଲେ। କହିଲେ ଭାଇ, ଖେଳ, ବଡ ଖେଳ। ତୁଚ୍ଛାକୁ ନବୀନବାବୁ ପାଞ୍ଚଥର ଜିତିକି ଆସିଛନ୍ତି। ଦଳରୁ ଗୋଟିଏ ରାଜ୍ୟସଭା ଆସନ ମୋଦିଙ୍କ ପାଖକୁ ଫୋପାଡି ଦେଲେ, ଆଉ ତା ବଦଳରେ..ହାଁ ହାଁ, ମୋଦି ଛପର ଫାଡିକି ଅଜିଡି ଦେଲେ। ଓଡିଶାର ଚାରିକୋଟି ଲୋକଙ୍କ ଦାୟ ନା ଅଶ୍ବିନୀ ବୈଷ୍ଣବ ଦାୟ। ଭାଇ ମୁଁ କଣ ଭୁଲ କହିଲି କି। ସେ ଯିବାକୁ ଉଦ୍ୟତ ହେବାର ଦେଖି ଆମେ ପଚାରିଲୁ ଭାଇ ଏହାପରେ ଦୁଇଦଳ ଭିତରେ କଣ ହେବ ଟିକିଏ କହୁନ। ସେ ହସି ହସି କହିଲେ ଭାଇ ନମସ୍କାର ନମସ୍କାର ପରେ କଥା ହେବା।

 

Categories
ଆଜିର ଖବର

ପୁରୀରେ ଫନି କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରି ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ସର୍କଟ ହାଉସ୍‌ରେ ବାତ୍ୟା ଫନିର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ମେ ୩ ତାରିଖରେ ପ୍ରଳୟଙ୍କାରୀ ବାତ୍ୟା ଫନି ପୁରୀଠାରେ ଲ୍ୟାଣ୍ଡ କରିଥିଲା। ପନି ପୁରୀ ସହରକୁ ଅନେକ କ୍ଷୟକ୍ଷତି କରିଛି। ବିଦ୍ୟୁତ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ଅନେକଙ୍କ ଘର ମଧ୍ୟ ମାଟିରେ ମିଶିଯାଇଛି। ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରି କାର୍ଯ୍ୟର ସମୀକ୍ଷା କରିବା ସହିତ ପ୍ୟାକେଜ ଘୋଷଣା କରିଛନ୍ତି। ପ୍ରତି ପରିବାରକୁ ମାଗଣାରେ ଅଢେଇ ଲିଟର କିରୋସିନି ମିଳିବ ବୋଲି ସୂଚନା ରହିଛି। ୧୦ ଦିନରେ ଥରେ ଏହି କିରୋସିନ ମିଳିବ। ସେହିପରି ପ୍ରତି ପରିବାରକୁ ୫୦ କିଲୋ ଚାଉଳ ଯୋଗାଇ ଦିଆଯିବ। ରାସନକାର୍ଡ ନଥିବା ପରିବାରଙ୍କୁ ମଧ୍ୟ ଏହି ସୁବିଧା ଦିଆଯିବ। ପ୍ରଭାବିତ ଅଞ୍ଚଳରେ  ୧୦ ଲକ୍ଷ ମହମବତୀ ମାଗଣା ବଣ୍ଟନ କରାଯିବ ଓ ୨ ମାସ ପାଇଁ ମାଗଣାରେ ସାନିଟାରୀ ନାପକିନ୍‌ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ପୁରୀର ବିଦ୍ୟୁତ ବ୍ୟବସ୍ଥାର ସମୀକ୍ଷା କରି କହିଛନ୍ତି ଯେ, ଏହି କାର୍ଯ୍ୟ ପାଇଁ ୧୦ ହଜାର ଲୋକ କାମ କରୁଛନ୍ତି। ବହୁତ ଶୀଘ୍ର ସମସ୍ତ ପୁରୀର ସମସ୍ତ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ କରାଯିବ।

Categories
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ ଏକ ହଜାର କୋଟିର ବାତ୍ୟା ସହାୟତା ଘୋଷଣା, ମୃତକଙ୍କ ପରିବାରକୁ ମିଳିବ 2 ଲକ୍ଷ ଟଙ୍କା

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶ ମାର୍ଗରୁ ପୁରୀର କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗୋଟିଏ ହେଲିକାପ୍ଟରରେ ଯାଇଥିଲେ। ଆକାଶ ମାର୍ଗରୁ ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ଏକ ହଜାର କୋଟି ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ ବାତ୍ୟା ଯୋଗୁଁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନିକଟ ସଂପର୍କୀୟଙ୍କୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଯେଉଁମାନେ ଆହାତ ହୋଇଛନ୍ତି ସେମାନଙ୍କ ଚିକିତ୍ସା ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି।

Categories
ବିଶେଷ ଖବର

ଫନି ଖାଇଗଲା ଭୁବନେଶ୍ବରର ସୌନ୍ଦର୍ଯ୍ୟ, ସ୍ମାର୍ଟ ସିଟି ପୁଣି ଥରେ ରୂପ ଫେରିପାଇବାକୁ ଲାଗିବ ଆହୁରି ଅନେକ ବର୍ଷ

ସମୀକ୍ଷା ବ୍ୟୁରୋ

ବାତ୍ୟା ଫନିର ପ୍ରଭାବ ରାଜଧାନୀରେ ଏତେବେଶୀ ପଡିବ ବୋଲି କେହି କେବେ ଚିନ୍ତା କରି ନ ଥିଲେ। ପୁରୀରେ ଫନି ସ୍ଥଳଭାଗ ଛୁଇଁବାର ଅଧ ଘଣ୍ଚା ମଧ୍ୟରେ ଭୁବନେଶ୍ବରକୁ ଉଜାଡି ଦେଇଥିଲା। ଭୁବନେଶ୍ବରର ହଜାର ହଜାର ଗଛ ଉପୁଡି ପଡିଥିବା ବେଳେ ଶହ ଶହ ସଂଖ୍ୟାରେ ବିଜୁଳି ଖୁଣ୍ଟ ଓ ଟ୍ରାନସଫରମର ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ସହରର ଏମିତି କୌଣସି ରାସ୍ତା ନାହିଁ ଯାହା ଗଛ ପଡି ଅବରୋଧ ହୋଇ ନ ଥିଲା। ଫନି ଅତିକ୍ରମ କରିବା ପରେ ରାଜ୍ୟ ସରକାରଙ୍କ ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ ଓ ଏନଡିଆରଏଫ 24 ଘଣ୍ଟା ମଧ୍ୟରେ ରାସ୍ତା ସଫା କାମ ସାରିଛନ୍ତି। ରାଜଧାନୀରେ ଇଣ୍ଟରନେଟ ଓ ଟେଲିଫୋନ ସେବା ସଂପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି। ତେବେ ମେ 4 ତାରିଖ ଅପରାହ୍ନ ବେଳକୁ ସାମୟିକ ଭାବେ ଟେଲିଫୋନ ଓ ଇଣ୍ଟରନେଟ ସେବା ବାହାଲ ହୋଇଛି। ତେବେ ବିଜୁଳି ସେବା ଆସିବାକୁ ଆହୁରି କିଛି ଦିନ ଲାଗିଯାଇପାରେ।

Bhubaneswar situation after Fani

ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ଆଜି ସକାଳୁ ପାଇପ ଯୋଗେ ପାଣି ଯୋଗାଇବାରେ ସଫଳ ହୋଇଛନ୍ତି। 1999 ମହାବାତ୍ୟା ସମୟରେ ରାଜଧାନୀ ଭୁବନେଶ୍ବରର ବହୁ ପୁରୁଣା ଗଛ ଉପୁଡି ପଡିଥିଲା। ସେଥିରୁ ବର୍ତ୍ତି ପଡିଥିବା ଅନେକ ଗଛ ଫନି କବଳରେ ଧରାଶାୟୀ ହୋଇଛନ୍ତି। ହକି ବିଶ୍ବପକ ପାଇଁ ରାଜଧାନୀକୁ ଯେଉଁ ନୂଆ ରୂପ ଦିଆଯାଇଥିଲା, ତାହା ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ରାଜଧାନୀର ପ୍ରମୁଖ ପାର୍କଗୁଡିକ ପୁରା ଉଜୁଡି ଯାଇଛି। ଏକାମ୍ର କାନନ, ଆଇଜି ପାର୍କ, ଫରେଷ୍ଟ ପାର୍କ, ଜୟଦେବ ବାଟିକା ଇତ୍ୟାଦିରେ ଫନି ତାଣ୍ଡବ ରଚନା କରିଛି।

ଭୁବନେଶ୍ବର ସହିତ ପୁରୀ କାକଟପୁର ଅସ୍ତରଂଗ, କଟକ ଓ ଜଗତସିଂପୁର ଅଞ୍ଚଳରେ ଫନିର ପ୍ରଭାବ ଦେଖିବାକୁ ମିଳିଛି। ସରକାରୀ ଭାବେ ପ୍ରାୟ 11 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଯାହା ଫଳରେ ବାତ୍ ୟାରେ ମୃତାହତଙ୍କ ସଂଖ୍ୟା କମ ରହିଛି। ସରକାରୀ ଭାବେ ବାତ୍ୟା ଜନିତ ମୃତ୍ୟୁ ସଂଖ୍ୟା 9 ବୋଲି ସରକାରୀ ସୁତ୍ରରୁ ଜଣାପଡିଛି। ରିଲିଫ ଓ ପୁନର୍ବାସ ବ୍ୟବସ୍ଥା ଉପରେ ସରକାର କଡା ନଜର ରଖିଛନ୍ତି। ଆସନ୍ତା 6 ତାରିଖରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବର ଆସି ବାତ୍ୟା ପରବର୍ତ୍ତି ସ୍ଥିତିର ସମୀକ୍ଷା କରିବେ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ପୂର୍ବରୁ ଓ ପରେ ଘଟଣାର ସମୀକ୍ଷା କରିଛନ୍ତି। ଭୁବନେଶ୍ବରରେ ସାଧାରଣ ସ୍ଥିତି ଫେରାଇ ଆଣିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଆରମ୍ଭ ହୋଇଛି। ବହୁ ସଂଖ୍ୟକ ବିଜୁଳି ବିଭାଗର

Bhubaneswar situation after Fani

କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆସନ୍ତା 48 ଘଣ୍ଟା ମଧ୍ୟରେ ସହରର ବିଦ୍ୟୁତ ବ୍ୟବସ୍ଥା ବାହାଲ ହୋଇପାରିବ ବୋଲି ଆଶା କରାଯାଉଛି।

ସହରତଳି ଅଞ୍ଚଳ ଓ ବିଭିନ୍ନ ବସ୍ତିରେ ରହୁଥିବା ଲୋକଙ୍କୁ ରିଳିଫ ଖାଦ୍ୟ ଯୋଗାଇ ଦିଆଯାଉଛି। ଭୁବନେଶ୍ବରର ସ୍ଥିତି ଯଥାଶିଘ୍ର ସୁଧୁରି ଯିବାରେ ସ୍ଥାନୀୟ ନାଗରିକ ସହଯୋଗ କରନ୍ତୁ ବୋଲି ସରକାର ଅନୁରୋଧ କରିଛନ୍ତି। ଇତି ମଧ୍ୟରେ ସ୍ବତନ୍ତ୍ର ରେଳ ଓ ବିମାନ ସେବା ଆରମ୍ଭ କରାଯାଇଛି। ଭୁବନେଶ୍ବର ରେଳ ଷ୍ଟେସନ ଓ ବିମାନ ବନ୍ଦରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ 4 ତାରିଖ ଅପରାହ୍ନରୁ ଏହା କାର୍ଯ୍ୟକ୍ଷମ ହେବା ଆରମ୍ଭ କରିଛି। ଆମେ ଆଶା ରଖିବା ଫନିର ପ୍ରଭାବରୁ ଭୁବନେଶ୍ବର ଶିଘ୍ର ମୁକ୍ତ ହେବ ଓ ଏହାର ପୁରୁଣା ସୌନ୍ଦର୍ଯ୍ୟ ଯଥା ଶିଘ୍ର ଫେରି ଆସିବ।

Categories
ଆଜିର ଖବର

ଆରମ୍ଭ ହେଲା ଫନିର ତାଣ୍ଡବ, ପୁରୀଠାରୁ ମାତ୍ର 80 କିମି ଦୂରରେ ରହିଛି ଫନି, କିଛି ସମୟ ପରେ କରିବ ଭୂମିସ୍ପର୍ଶ

ଫନିର ପ୍ରଭାବ ବର୍ତ୍ତମାନ ଉପକୂଳ ଓଡିଶାରେ ଆରମ୍ଭ ହୋଇଯାଇଛି। ଆଜି ସକାଳୁ ଜଗତସିଂହପୁର, କେନ୍ଦ୍ରାପଡା,ଭୁବନେଶ୍ବର,ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି ପ୍ରଭୃତି ଜିଲ୍ଲାରେ ପବନ ସହିତ ଝଡବର୍ଷା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ତାଜା ସୂଚନା ଅନୁସାରେ ବର୍ତ୍ତମାନ ଫନି ପୁରୀର ପଶ୍ଚିମକେନ୍ଦ୍ରୀୟ ବଙ୍ଗୋବସାଗରଠାରୁ 80 କିଲୋମିଟର, ଦକ୍ଷିଣପୂର୍ବ ଗୋପାଳପୁରଠାରୁ 65 କିଲୋମିଟର ଏବଂ ବିଶାଖପାଟଣାମ୍ର ପୂର୍ବ-ଉତ୍ତରପୂର୍ବ 280 କିଲୋମିଟର ଦୂରରେ ରହିଛି ଫନି। ବର୍ତ୍ତମାନ ଘଣ୍ଟାକୁ 185 କିଲୋମିଟରରେ ବେଗରେ ପବନ ବହୁଥିବାର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଘଣ୍ଟାକୁ 200 କିଲୋମିଟର ବେଗର ପବନ ବହିବ ବୋଲି ଅନୁମାନ କରାଯାଉଛି। ଗତକାଲି ରାତିରୁ ଏହାର ପ୍ରଭାବ ଧିରେ ଧିରେ ଆରମ୍ଭ ହୋଇଯାଇଛି। କେତେକ ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ପାଣିପାଗ ବିଭାଗ ଅନୁସାରେ ଗୋପାଳପୁରରେ 15 ସେଣ୍ଟିମିଟର, ପୁରୀରେ 10 ସେମି,ଭୁବନେଶ୍ବରରେ 5 ସେମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଏହି ସମୟରେ ପବନରେ ବେଗ ଘଣ୍ଟାକୁ 53 କିଲୋମିଟର ଥିଲା। ଆଉ ଅଳ୍ପ ସମୟ ମଧ୍ୟରେ ଫନି ଭୂମି ସ୍ପର୍ଶ କରିବ ବୋଲି ଅନୁମାନ କରାଯାଉଛି।

Categories
ଆଜିର ଖବର

ବାତ୍ୟା ପାଇଁ କୌଣସି ଭୟଭୀତ ନ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନସାଧାରଣଙ୍କୁ ନିବେଦନ

ସାମୁଦ୍ରିକ ଝଡ଼ ‘ଫାନି’ରେ ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‍ କରି କହିଛନ୍ତି। ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଛି ବୋଲି ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ବାତ୍ୟା ପାଇଁ କୌଣସି ଭୟଭୀତ ହେବାର କାରଣ ନାହିଁ, ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ବାତ୍ୟା ସମୟରେ ମହିଳା, ଶିଶୁ, ଗର୍ଭବତୀ ମହିଳା, ଭିନ୍ନକ୍ଷମ ଏବଂ ବୃଦ୍ଧବୃଦ୍ଧାମାନଙ୍କ ଯତ୍ନ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ବିଭିନ୍ନ ଜିଲ୍ଲାପାଳଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଏପରିକି ଟେଲିଫୋନ ସର୍ଭିସ ପ୍ରୋଭାଇଡରଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି। ବାତ୍ୟା ସମୟରେ କିପରି ସେବା ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ର ବିଭିନ୍ନ ବିଭାଗୀୟ ସଚିବ ଏବଂ ଅଧିକାରୀଙ୍କ ସହିତ ବାତ୍ୟା ମୁକାବିଲା ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା କରିଛନ୍ତି।

Categories
ଆଜିର ଖବର

ବାତ୍ୟା ପାଇଁ ଶ୍ରୀମନ୍ଦିରରେ ବାନା ପରିବର୍ତ୍ତନ ହେଲା, ବଡ ବାନା ବଦଳରେ ଆଜି ଲାଗିଲା ଛୋଟ ବାନା

ବାତ୍ୟା ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ ପଦକ୍ଷେପ। ଶ୍ରୀମନ୍ଦିରର ନୀଳଚକ୍ରରେ ଉଡୁଥିବା ବାନାକୁ ପରିବର୍ତ୍ତନ କରାଯାଇ ଏକ ଛୋଟ ବାନା ଲଗାଯାଇଛି। ସାଧାରଣତଃ ବାତ୍ୟା ସମୟରେ ନୀଳଚକ୍ରରେ ବନ୍ଧା ଯାଇଥିବା ୧୨ ହାତ ଲମ୍ବା ପତକା ମନ୍ଦିର ପ୍ରତି ବିପଦ ସୃଷ୍ଟି କରିଥାଏ। ଏତବଡ ବାନା ପ୍ରବଳ ପବନରେ ଉଡିବା ବେଳେ ତାହା ନୀଳଚକ୍ର ଏପରିକି ମନ୍ଦିର ଉପରେ ପ୍ରଭାବ ପକାଇଥାଏ। ବନାଟି ଏପରି ବନ୍ଧାଯାଇଥାଏ ଯେ, ତାହା ସହଜରେ ଖସେ ନାହିଁ। ଫଳରେ ବାତ୍ୟା ସମୟରେ ବାନାଟି ନ ଖସି ତାହା ନୀଳଚକ୍ରକୁ ହଲଚଲ କରିଥାଏ। ପ୍ରତି ଥର ବାତ୍ୟା ବେଳେ ଏହି ଲମ୍ବା ବାନା ବିପଦ ସୃଷ୍ଟି କରୁଥିବାରୁ ଏଥର ଶ୍ରୀମନ୍ଦିର ପ୍ରଶାସନ ଏଥର ଆଗୁଆ ପଦକ୍ଷେପ ନେଇଛି। ଗତକାଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏକ ବୈଠକ ବସି ଏହି ବାନା ପରିବର୍ତ୍ତନ ନେଇ ଆଲୋଚନା ହୋଇଥିଲା। ସର୍ବସମ୍ମତି କ୍ରମେ ଏହି ବାନାକୁ ପରିବର୍ତ୍ତନ କରିବା ପାଇଁ ନିଷ୍ପତି ହୋଇଥିଲା। ଫଳରେ ଆଜି ସକାଳେ ଏହି ବାନା ପରିବର୍ତ୍ତନ କରାଯାଇଛି।

Categories
ଆଜିର ଖବର

ଫାନି ପ୍ରଭାବ : ପର୍ଯ୍ୟଟକଙ୍କ ନିମନ୍ତେ ସ୍ବତନ୍ତ୍ର ବସ୍‌ ଓ ଟ୍ରେନ୍‌

ସାମୁଦ୍ରିକ ଝଡ ଫାନି ଧିରେ ଧିରେ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ଏହା ଓଡିଶାରୁ ମାତ୍ର ୪୫୦ କିମି ଦୂରରେ ରହିଛି। ଆସନ୍ତାକାଲି ସଂଧ୍ୟାରେ ଏହା ପୁରୀ ନିକଟବର୍ତ୍ତୀ କୌଣସି ଅଞ୍ଚଳରେ ଲ୍ୟାଣ୍ଡଫଲ କରିବାର ଅନୁମାନ କରାଯାଉଛି। ଏହାର ମୁକାବିଲା ପାଇଁ ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ କେନ୍ଦ୍ର ପୁରୀରେ ରହିଥିବା ବାହାର ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗତକାଲି ପୁରୀ ଜିଲ୍ଲାପାଳ ଆଜି ସୁଧା ପର୍ଯ୍ୟଟକଙ୍କୁ ପୁରୀ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ ଏବଂ ବସ ଆରମ୍ଭ ହୋଇଛି। ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ୫ଟି ଓଏସଆରଟିସି ବସ କରାଯାଇଛି। ଏଥିରେ ୬୫୦ଟଙ୍କା ଦେଇ କୋଲକାତା ଯାଇପାରିବେ। ଏହା ସକାଳ ୧୦ଟାରେ ଛାଡିବ। ସେହିପରି ପୁରୀରୁ ସାଲିମାର ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ଏହା ଦିନ ୧୨ ଟାରେ ପୁରୀ ଛାଡିବା ସହ ଦିନ ଦେଢଟାରେ ଭୁବନେଶ୍ୱରରେ ପହଁଚିବ। ଏହାପରେ ଟ୍ରେନ କଟକ, ଯାଜପୁର, କେନ୍ଦୁଝର ରୋଡ, ଭଦ୍ରକ ଏବଂ ବାଲେଶ୍ୱର ଦେଇ ଖଡଗପୁର ଯିବ।

Categories
ବିଶେଷ ଖବର ମତାମତ

“ଫନି” ଆସୁଛି ତ ଆସୁ, ହେଲେ ତାକୁ ନେଇ ଆମ ସାମ୍ବାଦିକମାନେ ଆତଙ୍କର ମହାନାଟକ ରଚନା ନ କରନ୍ତୁ !

କେଦାର ମିଶ୍ର

ଇଂରାଜୀରେ ଗୋଟେ ପଦ ଅଛି- ଡ଼ିଜାଷ୍ଟର ଟୁରିଜମ ବା ବିପର୍ୟୟ ପର୍ୟଟନ। କୌଣସି ବନ୍ୟା, ବାତ୍ୟା, ଦୁର୍ଭିକ୍ଷ ବା ମହାମାରୀ ଭଳି ସ୍ଥିତି ଆସିଲେ ଉକ୍ତ ଘଟନା ପ୍ରତି ସଂବେଦନଶୀଳ ହେବା ପରିବର୍ତ୍ତେ ଏହାକୁ ଖବର ର ଏକ ନାଟକୀୟ ପ୍ୟାକେଜ ଭାବରେ ବ୍ୟବହାର କରିବାର ଚଳଣି ଆମ ସମୟରେ ଗଣମାଧ୍ୟମରେ ବେଶ ପରିଚିତ। ଆମ ସାମ୍ବାଦିକମାନେ ପ୍ରାକୃତିକ ବିପର୍ୟୟ ସମୟରେ ଘଟୁଥିବା ମାନବୀୟ ସଙ୍କଟ ଅପେକ୍ଷା ଏହାର ରାଜନୈତିକ ଦିଗ ପ୍ରତି ଟିକେ ଅଧିକ ଆଗ୍ରହୀ। ଯେ କୌଣସି ବାତ୍ୟାର ରିପୋର୍ଟିଂ କରୁଥିବା ସାମ୍ବାଦିକଙ୍କୁ ଦେଖିଲେ ଆମର ମନେହେବ, ସତେକି ସେ ଜଣେ ଦୁଃସାହସୀ ଖେଳାଳୀ। ଅବଶ୍ୟ ଏଥିରେ ବିଲକୁଲ ଦ୍ଵିମତ ହେବାର ନାହିଁ ଯେ, ୨୦୦ ବା ୩୦୦ ମିଟର ପବନ ଆଗରେ କ୍ୟାମେରା ଧରି ଠିଆ ହେବା କିଛି କମ ସାହସର କଥା ନୁହଁ। ଅନେକ ସମୟରେ ଆମର ଗଣମାଧ୍ୟମ ଏ ପ୍ରକାର ଗ୍ରାଉଣ୍ଡ ଜିରୋ ରିପୋର୍ଟ ମାଧ୍ୟମରେ ଲୋକଙ୍କୁ ବଡ ସାହାଯ୍ୟ ମଧ୍ୟ ଦେଇଛନ୍ତି। ତେବେ ରିପୋର୍ଟିଂ ଓ ନାଟକୀୟତା ଭିତରେ ଗୋଟେ ମୌଳିକ ପାର୍ଥକ୍ୟ ରହିଛି ବୋଲି ଆମର ସାମ୍ବାଦିକ ବନ୍ଧୁମାନେ ଭୁଲି ଯାଆନ୍ତି।

ଏକଥା କହିଲା ବେଳେ ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ, ଗତ ଦୁଇଦିନ ଭିତରେ ହଠାତ ଆଳୁର ଦର କିଲୋ ପିଛା ତିନି ଟଙ୍କା ବଢି ଯାଇଛି, ତାର ଏକମାତ୍ର କାରଣ ହେଉଛି, ସମ୍ଭାବ୍ୟ ବାତ୍ୟା “ଫନି”। ଶୁଣାଯାଉଛି, ଭୀଷଣରୁ ଭୀଷଣ ବାତ୍ୟାର ରୂପ ନେଇ ବାତ୍ୟା “ଫନି” ସ୍ଥଳଭାଗକୁ ଅଗ୍ରସର ହେଉଛି। ପ୍ରଥମେ ଏହା ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳରେ ପଡିବ ବୋଲି ଆଶା କରାଯାଉଥିଲା। ପରେ କୁହାଗଲା, ଏହା ଓଡିଶା ଉପକୂଳରେ ସାତପଡା ଓ ବାଲେଶ୍ଵର ମଝିରେ ସ୍ଥଳଭାଗ ସ୍ପର୍ଶ କରିପାରେ। ଶେଷ ଖବର ମୁତାବକ ଏହା ପୁରୀର କୃଷ୍ଣ ପ୍ରସାଦରେ ସ୍ଥଳଭାଗ ଛୁଇଁ ପାରେ। ତେବେ ବାତ୍ୟା “ମାଡି ଆସୁଛି” ବୋଲି ଏକ ପ୍ରକାର ଆତଙ୍କ ଏବେ ଆମ ଲୋକଙ୍କୁ ଘାରିଛି। ଲୋକଙ୍କୁ ବାତ୍ୟା ସମ୍ପର୍କରେ ସୂଚନା ଦେବାକୁ ଯାଇ ଆମେ ଯେଉଁ ଭାଷାର ପ୍ରୟୋଗ କରୁ, ତାହା ଅନେକାଂଶରେ ଲୋକଙ୍କୁ ଆତଙ୍କିତ ଓ ଆବଶ୍ୟକତାଠାରୁ ଅଧିକ ଭୟାଳୁ କରିଦିଏ।

ବାତ୍ୟା ସମୟରେ ସଜାଗ, ସତର୍କ ଓ ନିର୍ଭୟ ରହିବା ସବୁଠୁ ବଡ ଆବଶ୍ୟକତା। ତେବେ ଆମର ଗଣମାଧ୍ୟମର ଭାଷାରେ ଏତେ ଅଧିକ ନାଟକୀୟତା ଥାଏ ଯେ, ଟିଭି ଦେଖି ବା ଖବର କାଗଜ ପଢି ହଠାତ ଆମେ କୁଇଣ୍ଟାଲେ ଆଳୁ ବା ମହଣେ ଚୂଡା କିଣିବାକୁ ବାହାରିପଡୁ। ଅନେକ ସମୟରେ କଳାବଜାରୀ ଓ ଲାଭଖୋର ବେପାରୀ ଏହାର ଫାଇଦା ଉଠାନ୍ତି। ମୋର ଏବେବି ମନେ ଅଛି, ଫାଇଲିନ ବାତ୍ୟା ସମୟରେ ମହମବତୀ ଗୋଟାକୁ ପଚିଶ ଟଙ୍କାରେ ବିକ୍ରି ହେଲା। ଗଣମାଧ୍ୟମର ଚର୍ଚ୍ଚା ଶୁଣି ଲୋକ ଛାନିଆ ହୋଇପଡିଲେ। ଏଠି ଗଣମାଧ୍ୟମକୁ ଭାବିବାକୁ ପଡିବ ଯେ, ଲୋକଙ୍କୁ ଛାନିଆ କରିବା ଅପେକ୍ଷା ସେମାନଙ୍କୁ ସତର୍କ କରିବା ଆମର କାମ। ସତର୍କ କରିବାକୁ ଯାଇ ଆମେ ଅଧିକ ନାଟକ କାଲେ, ତାର ପ୍ରଭାବ ଗୋଟେ ବଡ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ।

ଫାଇଲିନ, ହୁଡହୁଡ ଓ ତିତିଲି ବାତ୍ୟାରୁ ଆମେ ଅନେକ କଥା ଶିଖିବା କଥା, ହେଲେ ଆଜି ବି ଆମେ ପ୍ରତ୍ୟେକ ବାତ୍ୟାର ସମାନ ଆକଳନ କରୁଛୁ। ଗତ ତିନୋଟି ଯାକ ବାତ୍ୟାରେ ବାତ୍ୟା ପତ୍ତନ ଅଞ୍ଚଳ ତୁଳନାରେ ଆଭ୍ୟନ୍ତରୀଣ ଅଞ୍ଚଳରେ ଏହା ଭୟଙ୍କର କ୍ଷତି କରୁଛି। ଆମର ଫୋକସ ବାତ୍ୟା ସମୟ ଅପେକ୍ଷା ବାତ୍ୟା ପରବର୍ତ୍ତୀ ସ୍ଥିତି ଉପରେ ଅଧିକ କେନ୍ଦ୍ରୀଭୂତ ହେବା ଏବେ ଜରୁରୀ ହୋଇ ପଡିଛି। ବାତ୍ୟା ପରବର୍ତ୍ତୀ ଅଚାନକ ବନ୍ୟା ଓ ଭୂ ସ୍ଖଳନ ବିଷୟକୁ ଆମେ ଗୁରୁତ୍ଵ ଦେଇ ବିଚାର କରୁନାହୁଁ। ଏ ପ୍ରସଙ୍ଗରେ ଗଣମାଧ୍ୟମ ଅଧିକ ସଚେତନତା ସୃଷ୍ଟି କରିବା ଜରୁରୀ।

କେବଳ ପବନର ବେଗ ଓ ସରକାରୀ ପ୍ରସ୍ତୁତି କଥା ନକହି, ଆଭ୍ୟନ୍ତରୀଣ ଅଞ୍ଚଳର ସୁରକ୍ଷା ପ୍ରସଙ୍ଗ ମଧ୍ୟ ଆଲୋଚିତ ହେବା ଜରୁରୀ। ରକ୍ଷା ହୋଇଛି, ଇତି ମଧ୍ୟରେ ଓଡିଶାରେ ନିର୍ବାଚନ ସଋ ଯାଇଛି। ନଚେତ ଏହାକୁ ନେଇ ରାଜନୈତିକ ପବନର ବେଗ ବାତ୍ୟାର ବେଗଠୁ ବଳି ଯାଇଥାନ୍ତା। ଏବେ ଅନ୍ତତଃ ସେ ଆଶଙ୍କା ଆଉ ନାହିଁ। ୧୯୯୯ ପରଠୁ ବିପର୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶା ସରକାରଙ୍କ ପ୍ରସ୍ତୁତିରେ ବ୍ୟାପକ ପରିବର୍ତ୍ତନ ଆସିଛି। ଆମର ବିପର୍ୟୟ ପରିଚାଳନା ବ୍ୟବସ୍ଥା ସବୁଠୁ ଭଲ ସ୍ଥିତିରେ ରହିଛି। ତଥାପି ତିତିଲି ବାତ୍ୟା ପରେ କନ୍ଧମାଳ, ଗଜପତି ଓ ରାୟଗଡା ଜିଲାର ପାହାଡୀ ଅଞ୍ଚଳରେ ଯେଉଁ ଧାନ ଜୀବନ କ୍ଷୟ ହେଲା, ତାକୁ ରୋକିବା ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା ହେବା ନିତାନ୍ତ ଜରୁରୀ।

ଆମେ ଆଶା କରିବା, ଭୟଙ୍କର ଓ  ଆତଙ୍କପ୍ରଦ ଖବର ତିଆରି କରିବା ଅପେକ୍ଷା ଆମର ସାମ୍ବାଦିକମାନେ ଏହି ବନ୍ୟାରେ ଆମର ସହଯୋଗୀ ଭାବରେ ଆମ ସହିତ ରହିବେ!

(ମୋବାଇଲରେ ସଂକ୍ଷିପ୍ତ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ୍, ଏହାପରେ ସ୍କ୍ରିନକୁ ଘଷିଘଷି ପଢିଚାଲନ୍ତୁ ଖବର)

Categories
ଆଜିର ଖବର

ଡିପ୍‌ ଡିପ୍ରେସନ୍‌ ରୂପ ନେଲା ଫାନୀ

ଡିପ୍ରେସନର ରୂପ ନେଇଛି ସାମୁଦ୍ରିକ ବାତ୍ୟା ‘ଫାନୀ’। ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନ ରୂପ ନେଇଛି। ରବିବାର ସକାଳୁ ମିଳିଥିବା ସୂଚନା ଅନୁଯାୟୀ ଏହି ବାତ୍ୟା ବର୍ତ୍ତମାନ ଆନ୍ଧ୍ର ଉପକୂଳରୁ ୧୩୦୦ କିମି ଏବଂ ଚେନ୍ନାଇରୁ ୧୧୦୦ କିମି ଦୂରରେ ରହିଛି। ରବିବାର ସନ୍ଧ୍ୟା ସୁଦ୍ଧା ଏହି ବାତ୍ୟା ଘନୀଭୂତ ହୋଇ ଉଭୟ ରାଜ୍ୟରେ ଝଡ ତୋଫାନର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତାମିଲନାଡୁ ଏବଂ ଆନ୍ଧ୍ର ମଧ୍ୟ ଦେଇ ଗତିକରିବାକୁ ଥିବା ଏହି ବାତ୍ୟାରେ ୪୦-୫୦ କିମି ବେଗରେ ପବନ ଏବଂ ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି। ୨୪ ଘଣ୍ଟା ମଧ୍ୟରେ ଉଭୟ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ମଧ୍ୟ ଜାରି କରିଛି ପାଣିପାଗ ବିଭାଗ। ଓଡିଶାରେ ବାତ୍ୟାର ପ୍ରଭାବ ପଡିବନି ବୋଲି କହିଲେ ପାଣିପାଗ ବିଭାଗ। କିନ୍ତୁ ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।