Categories
ଆଜିର ଖବର

ଡିପ୍‌ ଡିପ୍ରେସନ୍‌ ରୂପ ନେଲା ଫାନୀ

ଡିପ୍ରେସନର ରୂପ ନେଇଛି ସାମୁଦ୍ରିକ ବାତ୍ୟା ‘ଫାନୀ’। ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନ ରୂପ ନେଇଛି। ରବିବାର ସକାଳୁ ମିଳିଥିବା ସୂଚନା ଅନୁଯାୟୀ ଏହି ବାତ୍ୟା ବର୍ତ୍ତମାନ ଆନ୍ଧ୍ର ଉପକୂଳରୁ ୧୩୦୦ କିମି ଏବଂ ଚେନ୍ନାଇରୁ ୧୧୦୦ କିମି ଦୂରରେ ରହିଛି। ରବିବାର ସନ୍ଧ୍ୟା ସୁଦ୍ଧା ଏହି ବାତ୍ୟା ଘନୀଭୂତ ହୋଇ ଉଭୟ ରାଜ୍ୟରେ ଝଡ ତୋଫାନର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତାମିଲନାଡୁ ଏବଂ ଆନ୍ଧ୍ର ମଧ୍ୟ ଦେଇ ଗତିକରିବାକୁ ଥିବା ଏହି ବାତ୍ୟାରେ ୪୦-୫୦ କିମି ବେଗରେ ପବନ ଏବଂ ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି। ୨୪ ଘଣ୍ଟା ମଧ୍ୟରେ ଉଭୟ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ମଧ୍ୟ ଜାରି କରିଛି ପାଣିପାଗ ବିଭାଗ। ଓଡିଶାରେ ବାତ୍ୟାର ପ୍ରଭାବ ପଡିବନି ବୋଲି କହିଲେ ପାଣିପାଗ ବିଭାଗ। କିନ୍ତୁ ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।