Categories
ଆଜିର ଖବର

ବାତ୍ୟା ପାଇଁ କୌଣସି ଭୟଭୀତ ନ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନସାଧାରଣଙ୍କୁ ନିବେଦନ

ସାମୁଦ୍ରିକ ଝଡ଼ ‘ଫାନି’ରେ ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‍ କରି କହିଛନ୍ତି। ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଛି ବୋଲି ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ବାତ୍ୟା ପାଇଁ କୌଣସି ଭୟଭୀତ ହେବାର କାରଣ ନାହିଁ, ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ବାତ୍ୟା ସମୟରେ ମହିଳା, ଶିଶୁ, ଗର୍ଭବତୀ ମହିଳା, ଭିନ୍ନକ୍ଷମ ଏବଂ ବୃଦ୍ଧବୃଦ୍ଧାମାନଙ୍କ ଯତ୍ନ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ବିଭିନ୍ନ ଜିଲ୍ଲାପାଳଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଏପରିକି ଟେଲିଫୋନ ସର୍ଭିସ ପ୍ରୋଭାଇଡରଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି। ବାତ୍ୟା ସମୟରେ କିପରି ସେବା ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ର ବିଭିନ୍ନ ବିଭାଗୀୟ ସଚିବ ଏବଂ ଅଧିକାରୀଙ୍କ ସହିତ ବାତ୍ୟା ମୁକାବିଲା ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା କରିଛନ୍ତି।