Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରକୁ ମିଳିଲା ପୂର୍ବାଞ୍ଚଳ ଶ୍ରେଷ୍ଠ ସ୍ମାର୍ଟ ସିଟି ପୁରସ୍କାର

ଭୁବନେଶ୍ବର: ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରକୁ ଶ୍ରେଷ୍ଠ ପୂର୍ବାଞ୍ଚଳ ସ୍ମାର୍ଟ ସିଟି ପୁରସ୍କାର ପ୍ରଦାନ କରିଛନ୍ତି। ମଧ୍ୟ ପ୍ରଦେଶ ଇନ୍ଦୋରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ପୁରସ୍କାର ଗ୍ରହଣ କରିଥିଲେ।

ଏଥିସହିତ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍)ର ମହାପ୍ରବନ୍ଧକ ସୁବ୍ରତ କୁମାର ବେହେରା ପୁରସ୍କାର ଗ୍ରହଣ ବେଳେ ଉପସ୍ଥିତ ଥିଲେ।

ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସ୍ମାର୍ଟ ସିଟି ମିଶନ ଅଧୀନରେ ୨୦୧୮ରୁ ଆଇଏସ୍‌ଏସି ଆୟୋଜନ କରାଯାଉଛି। ଏହି ସମ୍ମିଳନୀରେ ମଧ୍ୟପ୍ରଦେଶ ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ସି. ପଟେଲ, ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ରାଷ୍ଟ୍ର ମନ୍ତ୍ରୀ କୌଶଲ କିଶୋର ଏବଂ ମଧ୍ୟପ୍ରଦେଶର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ସିଂହଙ୍କ ସମେତ ବିଭିନ୍ନ ବ୍ୟକ୍ତି ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀର ଘରୋଇ ହସ୍ପିଟାଲରେ ଚାଲିଛି ଯାଞ୍ଚ

ଭୁବନେଶ୍ବର : ବ୍ଲୁ ହୁଇଲ୍‌ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଉକ୍ତ ହସ୍ପିଟାଲକୁ ସିଲ୍‌ କରାଯାଇଛି । ଏହା ପରେ ରାଜଧାନୀ ଭୁବନେଶ୍ବରର ଅନ୍ୟ ସବୁ ଘରୋଇ ହସ୍ପିଟାଲଗୁଡିକୁ ଯାଞ୍ଚ କରାଯାଉଛି। ବିଡିଏ, ବିଏମ୍‌ସି ଓ ସ୍ମାର୍ଟ ସିଟି ପକ୍ଷରୁ ମିଳିତ ବିଭିନ୍ନ  ଘରୋଇ ହସ୍ପିଟାଲଗୁଡିକ ଉପରେ ମିଳିତ ଚଢାଉ କରାଯାଇଛି । ଘରୋଇ ହସ୍ପିଟାଲଗୁଡିକରେ କୋଭିଡ୍‌ ଗାଇଡ୍‌ ଲାଇନ୍‌ କିଭଳି ପାଳନ ହେଉଛି ସେ ନେଇ ଯାଞ୍ଚ କରାଯାଉଛି ।

ସୂଚନାଯୋଗ୍ୟ,  ଗତକାଲି ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବ୍ଲୁ ହ୍ୱିଲ ହସ୍ପିଟାଲରୁ 27 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି  କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ରୋଗୀଙ୍କ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ ଷ୍ଟାଫ ଅଛନ୍ତି ଆଇସୋଲେସନରେ।

ଅନ୍ୟପକ୍ଷେ  ରାଜ୍ୟରେ ଅଧିକ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀ କରୋନାରେ ଆକ୍ରାନ୍ତ ହେଉଥିବାରୁ ସଂକ୍ରମଣ ରୋକିବା ପାଇଁ DMET  ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସମସ୍ତ ଗାଇଡ୍‌ଲାଇନ ପାଳିବାକୁ ସମସ୍ତ ହସ୍ପିଟାଲକୁ ଡିଏମ୍‌ଇଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Categories
ବିଶେଷ ଖବର

ଫନି ଖାଇଗଲା ଭୁବନେଶ୍ବରର ସୌନ୍ଦର୍ଯ୍ୟ, ସ୍ମାର୍ଟ ସିଟି ପୁଣି ଥରେ ରୂପ ଫେରିପାଇବାକୁ ଲାଗିବ ଆହୁରି ଅନେକ ବର୍ଷ

ସମୀକ୍ଷା ବ୍ୟୁରୋ

ବାତ୍ୟା ଫନିର ପ୍ରଭାବ ରାଜଧାନୀରେ ଏତେବେଶୀ ପଡିବ ବୋଲି କେହି କେବେ ଚିନ୍ତା କରି ନ ଥିଲେ। ପୁରୀରେ ଫନି ସ୍ଥଳଭାଗ ଛୁଇଁବାର ଅଧ ଘଣ୍ଚା ମଧ୍ୟରେ ଭୁବନେଶ୍ବରକୁ ଉଜାଡି ଦେଇଥିଲା। ଭୁବନେଶ୍ବରର ହଜାର ହଜାର ଗଛ ଉପୁଡି ପଡିଥିବା ବେଳେ ଶହ ଶହ ସଂଖ୍ୟାରେ ବିଜୁଳି ଖୁଣ୍ଟ ଓ ଟ୍ରାନସଫରମର ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ସହରର ଏମିତି କୌଣସି ରାସ୍ତା ନାହିଁ ଯାହା ଗଛ ପଡି ଅବରୋଧ ହୋଇ ନ ଥିଲା। ଫନି ଅତିକ୍ରମ କରିବା ପରେ ରାଜ୍ୟ ସରକାରଙ୍କ ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ ଓ ଏନଡିଆରଏଫ 24 ଘଣ୍ଟା ମଧ୍ୟରେ ରାସ୍ତା ସଫା କାମ ସାରିଛନ୍ତି। ରାଜଧାନୀରେ ଇଣ୍ଟରନେଟ ଓ ଟେଲିଫୋନ ସେବା ସଂପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି। ତେବେ ମେ 4 ତାରିଖ ଅପରାହ୍ନ ବେଳକୁ ସାମୟିକ ଭାବେ ଟେଲିଫୋନ ଓ ଇଣ୍ଟରନେଟ ସେବା ବାହାଲ ହୋଇଛି। ତେବେ ବିଜୁଳି ସେବା ଆସିବାକୁ ଆହୁରି କିଛି ଦିନ ଲାଗିଯାଇପାରେ।

Bhubaneswar situation after Fani

ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ଆଜି ସକାଳୁ ପାଇପ ଯୋଗେ ପାଣି ଯୋଗାଇବାରେ ସଫଳ ହୋଇଛନ୍ତି। 1999 ମହାବାତ୍ୟା ସମୟରେ ରାଜଧାନୀ ଭୁବନେଶ୍ବରର ବହୁ ପୁରୁଣା ଗଛ ଉପୁଡି ପଡିଥିଲା। ସେଥିରୁ ବର୍ତ୍ତି ପଡିଥିବା ଅନେକ ଗଛ ଫନି କବଳରେ ଧରାଶାୟୀ ହୋଇଛନ୍ତି। ହକି ବିଶ୍ବପକ ପାଇଁ ରାଜଧାନୀକୁ ଯେଉଁ ନୂଆ ରୂପ ଦିଆଯାଇଥିଲା, ତାହା ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ରାଜଧାନୀର ପ୍ରମୁଖ ପାର୍କଗୁଡିକ ପୁରା ଉଜୁଡି ଯାଇଛି। ଏକାମ୍ର କାନନ, ଆଇଜି ପାର୍କ, ଫରେଷ୍ଟ ପାର୍କ, ଜୟଦେବ ବାଟିକା ଇତ୍ୟାଦିରେ ଫନି ତାଣ୍ଡବ ରଚନା କରିଛି।

ଭୁବନେଶ୍ବର ସହିତ ପୁରୀ କାକଟପୁର ଅସ୍ତରଂଗ, କଟକ ଓ ଜଗତସିଂପୁର ଅଞ୍ଚଳରେ ଫନିର ପ୍ରଭାବ ଦେଖିବାକୁ ମିଳିଛି। ସରକାରୀ ଭାବେ ପ୍ରାୟ 11 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଯାହା ଫଳରେ ବାତ୍ ୟାରେ ମୃତାହତଙ୍କ ସଂଖ୍ୟା କମ ରହିଛି। ସରକାରୀ ଭାବେ ବାତ୍ୟା ଜନିତ ମୃତ୍ୟୁ ସଂଖ୍ୟା 9 ବୋଲି ସରକାରୀ ସୁତ୍ରରୁ ଜଣାପଡିଛି। ରିଲିଫ ଓ ପୁନର୍ବାସ ବ୍ୟବସ୍ଥା ଉପରେ ସରକାର କଡା ନଜର ରଖିଛନ୍ତି। ଆସନ୍ତା 6 ତାରିଖରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବର ଆସି ବାତ୍ୟା ପରବର୍ତ୍ତି ସ୍ଥିତିର ସମୀକ୍ଷା କରିବେ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ପୂର୍ବରୁ ଓ ପରେ ଘଟଣାର ସମୀକ୍ଷା କରିଛନ୍ତି। ଭୁବନେଶ୍ବରରେ ସାଧାରଣ ସ୍ଥିତି ଫେରାଇ ଆଣିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଆରମ୍ଭ ହୋଇଛି। ବହୁ ସଂଖ୍ୟକ ବିଜୁଳି ବିଭାଗର

Bhubaneswar situation after Fani

କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆସନ୍ତା 48 ଘଣ୍ଟା ମଧ୍ୟରେ ସହରର ବିଦ୍ୟୁତ ବ୍ୟବସ୍ଥା ବାହାଲ ହୋଇପାରିବ ବୋଲି ଆଶା କରାଯାଉଛି।

ସହରତଳି ଅଞ୍ଚଳ ଓ ବିଭିନ୍ନ ବସ୍ତିରେ ରହୁଥିବା ଲୋକଙ୍କୁ ରିଳିଫ ଖାଦ୍ୟ ଯୋଗାଇ ଦିଆଯାଉଛି। ଭୁବନେଶ୍ବରର ସ୍ଥିତି ଯଥାଶିଘ୍ର ସୁଧୁରି ଯିବାରେ ସ୍ଥାନୀୟ ନାଗରିକ ସହଯୋଗ କରନ୍ତୁ ବୋଲି ସରକାର ଅନୁରୋଧ କରିଛନ୍ତି। ଇତି ମଧ୍ୟରେ ସ୍ବତନ୍ତ୍ର ରେଳ ଓ ବିମାନ ସେବା ଆରମ୍ଭ କରାଯାଇଛି। ଭୁବନେଶ୍ବର ରେଳ ଷ୍ଟେସନ ଓ ବିମାନ ବନ୍ଦରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ 4 ତାରିଖ ଅପରାହ୍ନରୁ ଏହା କାର୍ଯ୍ୟକ୍ଷମ ହେବା ଆରମ୍ଭ କରିଛି। ଆମେ ଆଶା ରଖିବା ଫନିର ପ୍ରଭାବରୁ ଭୁବନେଶ୍ବର ଶିଘ୍ର ମୁକ୍ତ ହେବ ଓ ଏହାର ପୁରୁଣା ସୌନ୍ଦର୍ଯ୍ୟ ଯଥା ଶିଘ୍ର ଫେରି ଆସିବ।

Categories
ବିଶେଷ ଖବର ମତାମତ

ସବୁଠୁ କମ ଭୋଟ ଦେଉଥିବା ସ୍ମାର୍ଟ ସିଟି ଭୁବନେଶ୍ବରକୁ ସଲାମ

ରଙ୍ଗାଚରଣ ପ୍ରଧାନ 

କମ୍ ମତଦାନ ହୋଇଥିବାରୁ ଭୁବନେଶ୍ବରବାସୀଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଉଛି ।

ସେମାନେ ପୁଣି ଥରେ ପ୍ରମାଣ କରିଦେଲେ ଯେ ଅଧିକ ଉନ୍ନତି ପାଇଁ ଭୋଟ ପ୍ରତିଶତ ବଢିବା ଜରୁରୀ ନୁହେଁ । ଲଗାତର ଭୋଟ ପ୍ରତିଶତ ବଢାଇ କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିକୁ ମିଳିଛି କ’ଣ ? ଦେଶକୁ ଲୁଟୁଥିବା ଶକ୍ତି ଓ ଟଙ୍କା ନେଇ ଟୁଇଟ୍ କରୁଥିବା ସେଲିବ୍ରିଟିମାନେ ଏକ ଅଯୁକ୍ତିକର ପ୍ରଚାର ଚଳାଇଛନ୍ତି ଯେ ଅଧିକ ଭୋଟିଂ ହେବା ଗଣତନ୍ତ୍ର ପାଇଁ ଭଲ । ତା’ମାନେ ଆମେ ମଲେଇ ଖାଉଥିବୁ ଆଉ ତମେ ପାଞ୍ଚ ବର୍ଷରେ ଥରେ ଆଙ୍ଗୁଠିରେ କାଳି ଲଗେଇ ଖୁସି ହୁଅ ଯେ ଆମେ ପୄଥିବୀର ସର୍ବବୄହତ ଗଣତନ୍ତ୍ର ।

ମୁଁ ଜାଣୁଛି ବହୁତ ବନ୍ଧୁ ମୋ ସହିତ ଅସହମତ ହେବେ । ସେମାନେ ମୋତେ ବୁଝେଇ ଦେଲେ ମୁଁ ଖୁସିରେ ମାନିଯିବି । ଯେଉଁମାନେ ରାଜନିତୀରେ ଆମ୍ବ କ’ଣ ଆମ୍ବଡା କ’ଣ ଜାଣି ନାହାନ୍ତି ସେମାନଙ୍କୁ ଭୋଟ ଦେବା ପାଇଁ ବାଧ୍ୟ କଲେ ସେମାନେ କି ପ୍ରକାର ନିଷ୍ପତ୍ତି ନେଇ ଭୋଟ ଦେବେ ? ଜାମ୍ମୁ କାଶ୍ମୀର କଥା ଅଲଗା । ସେଠାରେ ଭୋଟ ପ୍ରତିଶତ ବଢିଲେ ଆମେ ବୁଝିବା ଯେ ସେଠିକାର ଲୋକଙ୍କ ମନରେ ବିଛିନ୍ନତାବାଦ ମନୋଭାବ କମୁଛି । କିନ୍ତୁ ଆମ ଭୁବନେଶ୍ବରରେ ତ ଲୋକଙ୍କ ମନରେ ବିଛିନ୍ନତାବାଦ ନାହିଁ ? ସେମାନଙ୍କୁ କାହିଁକି ବାଧ୍ୟ କରିବା ଭୋଟ ଦେବାକୁ ?

ସେମାନେ ଜାଣିଛନ୍ତି ଦେଶ ଚାଲୁଛି । ଆମେ ଭୋଟ ଦେବାକୁ ନଗଲେ ବି ଦେଶ ଏମିତି ଚାଲିବ । ଯେତେ ପରିବର୍ତନ କଲେ ବି ସେମିତି ଚାଲିବ । ପଡି ଉଠି କରି ହିସାବ ଏପଟ ସେପଟ କରି ୬ରୁ ୮% ବିକାଶ ବୄଦ୍ଧି ଦର ହାରରେ ଦେଶ ଚାଲିଛି । ଏତିକି ବିକାଶ ଦର ହାରରେ କିଛି ହବନି । ଦେଶର ପ୍ରକୄତ ବିକାଶ କରିବାକୁ ହେଲେ ଅତି କମରେ ଆମକୁ ବୄଦ୍ଧି ଦର ଲଗାତର ୧୦% ରେ ପହଞ୍ଚାଇବାକୁ ପଡିବ ଯାହା ଗତ ୨୦ ବର୍ଷରେ କେବଳ ଗୋଟିଏ ବର୍ଷ ହୋଇଛି । ଭୁଟାନ୍ ଆମଠାରୁ ଅଧିକ ଆର୍ଥିକ ଉନ୍ନତି କରିଛି । ବଙ୍ଗଳାଦେଶ, ଯାହାକୁ ଆମେ ୧୯୭୧ ମସିହାରେ ଜନ୍ମ ଦେଇଥିଲୁ, ସିଏ ବି ଅଧିକାଂଶ ଆର୍ଥିକ ମାପଦଣ୍ଡରେ ଆଜି ଆମଠାରୁ ଆଗରେ । ଆମକୁ କିନ୍ତୁ ଅମିତାଭ ବଚନମାନେ କହୁଛନ୍ତି ତମେ ଖାଲି ଭୋଟ ଦିଅ ।

ଦେଶରେ ସ୍ବାକ୍ଷର ସଂଖ୍ୟା ବଢିଛି । ମାତ୍ର ସେମାନଙ୍କ ମଧ୍ୟରୁ ଶିକ୍ଷିତଙ୍କ ସଂଖ୍ୟା କେତେ ? ଏହି ସ୍ବାକ୍ଷରମାନେ ହ୍ବାଟସପ୍ ପାଇଁ ଫିଟ୍ । ସେଥିପାଇଁ ଆଜି ନେହେରୁଙ୍କ ବାପା ମୋଇନୁଦ୍ଦିନ୍ ହେଇଗଲେ । ହ୍ବାଟସପ୍ ସ୍ବାକ୍ଷରଙ୍କ ମଧ୍ୟରେ ବାଦ ବିବାଦ ଚାଲିଲା ଯେ ଏଇଟା ସତ ନା ଫେକ୍ ନ୍ୟୁଜ୍ । କିନ୍ତୁ କେହି ବି ଜଣେ ଶିକ୍ଷିତ ବାହାରିକରି ପଚାରୁନି ଯେ ନେହେରୁଙ୍କ ବାପା ଯଦି ସତରେ ମୋଇନୁଦ୍ଦିନ୍ ହୋଇଥାନ୍ତି ସେଥିରେ ପ୍ରୋବ୍ଲେମ୍ କେଉଁଠି ? ଦେଶରେ ବହି ପଢୁଥିବା ଲୋକଙ୍କ ସଂଖ୍ୟା କମୁଛି । ପ୍ରେମଚନ୍ଦଙ୍କ ଅମର କୄତିକୁ କେତେ ଜଣ ପଢୁଛନ୍ତି ? ଆଉ କାହା କଥା କ’ଣ କହିବା, ଆମ ସାମ୍ବାଦିକମାନେ ଯେଉଁମାନଙ୍କୁ ବୄତ୍ତିର ଆବଶ୍ୟକତା ଯୋଗୁଁ ବହି ପଢିବା ନିହାତି ଦରକାର, ସେମାନେ ବି ପଢୁ ନାହାନ୍ତି । ସବୁ ନହେଲେ ବି ଅଧିକାଂଶ । ସେମାନଙ୍କ ପାଇଁ ଆଜିକାଲି ବହି ଅପେକ୍ଷା ବୁମ୍ ଅଧିକ ଜରୁରୀ । ସେମାନଙ୍କ ଉପରେ ପୁଣି ଦାୟିତ୍ବ ଦିଆଯାଇଛି ଆମକୁ ଅଫିସରୁ ଫେରିବା ପରେ ଜଣେଇବେ ଦେଶରେ କ’ଣ ସବୁ ଘଟୁଛି । ସେଇମାନଙ୍କୁ ଲଗେଇ ଗୋଟିଏ ମାସ ଭିତରେ ଏମିତି ଘୋ କରାଯାଉଛି ଯେ ସତେ ଯେପରି ଦେଶରେ ଆଉ କିଛି ସମସ୍ୟା ନାହିଁ କେବଳ ସେହି ଘୋ ଭିତର ସମସ୍ୟାଟି ହିଁ ସମସ୍ୟା ।

ଆଜି ସମ୍ବାଦ ଟୁଇଟ୍ କରିଛି –

” ଓଡିଶାରେ ତୄତୀୟ ପର୍ଯ୍ୟାୟ ମତଦାନ ଶେଷ : ୪୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ।'”

ଠିକ୍ ତ ଲେଖିଛି । ନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣୟ ହୁଏ । ଆମର ନୁହେଁ ? ଆମେ କାହିଁକି ଛୁଟି ଦିନଟାରେ ଭୋଟ ଦେବାକୁ ଯିବୁ ? ଆମେ ଭୋଟ ଦେଇଦେଲେ କ’ଣ ୧୨% ନହେଲେ ବି ୧୦% ବିକାଶ ବୄଦ୍ଧି ଦର ଆସିଯିବ ? ଆଉ ଦଳେ ପରିବର୍ତନର ଡାକରା ଦେଉଛନ୍ତି । କି ସୁନ୍ଦର ମାର୍କେଟିଂ ଆହା ! ଆହେ କି ପରିବର୍ତନ ହୋ ?
ପରିବର୍ତନ ହେଲେ ବିକାଶ ହେବ ଏବଂ ତାହାର ସମବଣ୍ଟନ ହେଇଯିବ ? କ’ଣ ରୋଡ୍ ତିଆରି ହେବାକୁ ବିକାଶ କୁହନ୍ତି ? ଏହି ପରିବର୍ତନ ଦ୍ବାରା ସ୍ବାକ୍ଷରମାନେ ଶିକ୍ଷିତ ହୋଇଯିବେ ? ଭୁତଳ ଜଳସ୍ତର କମିବା ବନ୍ଦ ହୋଇଯିବ ? ଓଡିଆ ଭାଷା ବଞ୍ଚିବା ପାଇଁ ଓଡିଆ ମାଧ୍ୟମ ସ୍କୁଲ ଚମକିବ ? କୄଷି ଏମିତି ଲାଭଜନକ ହେବ ଯେ ଚାକିରୀ ବଜାର ଉପରେ ପ୍ରେସର୍ କମିବ ? ଆମ କୄଷି ଉତ୍ପାଦନ ରପ୍ତାନୀଯୋଗ୍ୟ ହୋଇଯିବ ? ଏଠି ପରା ଭୋଟ ଆସିବାରୁ ଗୋଟେ ସରକାର କାଳିଆ ଯୋଜନା ଆରମ୍ଭ କଲା ତ ଆଉ ଗୋଟିଏ ସରକାର ପିଏମ୍-କିଷାନ୍ ଆରମ୍ଭ କଲାଣି । ଆପଣ କି ପରିବର୍ତନ କଥା କହୁଛନ୍ତି ଯେ ଭୁବନେଶ୍ବର ଲୋକେ ଛୁଟିଟା ବରବାଦ କରି ବୁଥ୍ ଆଗରେ ଲାଇନ୍ ଦେବେ ?

ସପ୍ତାହ ସାରା ଭୁବନେଶ୍ବରରେ କାମ କରୁଥିବା ପ୍ରାଇଭେଟ୍ ସଂସ୍ଥା କର୍ମଚାରି କେତେ ପ୍ରେସରରେ ରୁହନ୍ତି ତମକୁ ଜଣା ଅଛି ? ସବୁ ନିୟମ ଭୁବନେଶ୍ବର ବିଧାନସଭାରେ ତିଆରି ହୁଏ କିନ୍ତୁ ଭୁବନେଶ୍ବରରେ ଲାଗୁ ହୁଏନି । ଦିନସାରା ଏକସେଲ୍ ଓ ଓ୍ବାର୍ଡ ଫାଇଲ୍ ତିଆରି କରି କରି ସେମାନେ ସଂଧ୍ୟା ୭ଟା ପରେ ଯାଇ ଅଫିସରୁ ଫେରନ୍ତି । ଚାକିରୀ ନିରାପତ୍ତା ବୋଲି କିଛି ନାହିଁ । କୋଉଦିନ ଯେ ବସ୍ କହିଦବ ‘ରିଜାଇନ୍ କର’, ତାହାର କୌଣସି ଠିକଣା ନାହିଁ । ସପ୍ତାହସାରା ପ୍ରେସରରେ ରହି କାମ କରିବା ପରେ ଛୁଟି ଗୋଟେ କ’ଣ ଦେଇଦେଲ ଯେ କହୁଛ ଖରାରେ ଆସି ଭୋଟ ଦିଅ ? ଭଲ ଆଉ ! ଏମିତି ବି ଆମେ ଭାରତୀୟମାନେ ସବୁବେଳେ ମନଦୁଃଖରେ ରହୁଛୁ । ଗତବର୍ଷ ଜାତିସଂଘ କହିଛି ଯେ ୧୫୬ଟି ଦେଶ ଭିତରେ ଖୁସି ରହିବା କ୍ରମାଙ୍କରେ ଆମେ ପୁର୍ବ ବର୍ଷ ଅପେକ୍ଷା ୭ ପଏଣ୍ଟ ତଳକୁ ଖସି ପାକିସ୍ଥାନ ଓ ବଙ୍ଗଳାଦେଶ ତଳେ ୧୪୦ ନମ୍ବରରେ ଅଛୁ ।

ଭୁବନେଶ୍ବରରେ ଥାଇ ଭୋଟ ଦେବାକୁ ଆସି ନଥିବା ଲୋକମାନଙ୍କୁ କେତେକ ବନ୍ଧୁ ଆଜି ଦିନ ସାରା ସମାଲୋଚନା କରୁଛନ୍ତି । ତମେ ସବୁଥର ଭୋଟ ଦେଇ ଦେଶର କ’ଣ କରିଛ ସେକଥା ସେମାନେ କେବେ ତମକୁ ପଚାରିଛନ୍ତି ? ନାହିଁ ନା ? ତାହାଲେ ସେମାନେ ଭୋଟ ଦେଲେ କି ନ ଦେଲେ ସେଥିରେ ତମର କାହିଁକି ମୁଣ୍ଡ ବଥଉଛି ?

ସେମାନେ ଭୋଟ ଦେଉନାହାନ୍ତି ବୋଲି କ’ଣ ସେମାନେ ଇଣ୍ଡିଆନ୍ ନୁହନ୍ତି ନା ଇଣ୍ଡିଆକୁ ଭଲ ପାଉ ନାହାନ୍ତି ? ସରକାରମାନେ ଯେତେ ଟିକସ ମାଗୁଛନ୍ତି ସେମାନେ ଦଉଛନ୍ତି ନା ନାହିଁ ? ଆଉ ତାହେଲେ ?

କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ବୁଲି ଆସି ଥରେ ଦେଖନ୍ତୁ । ଆପଣ ଜାଣିବେ ଯେ ଭୋଟିଂ ପ୍ରତିଶତ ସହିତ ବିକାଶ ଓ ଗଣତନ୍ତ୍ରର କନେକସନ୍ କଟିଯାଇଛି ।

ନହେଲେ ଆପଣ କହୁନାହାନ୍ତି ? ପାଞ୍ଚବର୍ଷ ପୁର୍ବେ ଭୁବନେଶ୍ବର ସ୍ମାର୍ଟସିଟି ପ୍ରତିଯୋଗିତାରେ ଭାଗନେଇ ନମ୍ବର ଓନ୍ ହେଇଥିଲା ଯେ କେତେ ବାଣ ଫୁଟିଲା ତାର ସୀମା ନାହିଁ । ସାରା ଭାରତରେ ସମତେ ଓଠରେ ଆଙ୍ଗୁଠି ଦେଇ ଆମକୁ ଦେଖିଲେ । ସତ କହିଲେ ଗଲା ପାଞ୍ଚ ବର୍ଷରେ ଭୁବନେଶ୍ବରର କ’ଣ ପରିବର୍ତନ ହୋଇଛି । କହିଲେ ଏଇନେ ଇଏ ତାକୁ ଦୋଷ ଦବ ଓ ସିଏ ଆକୁ ଦୋଷ ଦେବ ।

କିନ୍ତୁ ଯାହା କୁହନ୍ତୁ ଭୁବନେଶ୍ବରବାସୀ ପ୍ରକୄତରେ ସ୍ମାର୍ଟ । ଭୋଟ ଗୁଡାଏ ଦେଇ ଦେଲେ ଅଧିକ ସ୍ମାର୍ଟ ହେଇଯିବେନି । ଭୋଟ ଗୁଡାଏ ଦେଇଦେଲେ ସେମାନେ ଅଧିକ ଦେଶପ୍ରେମୀ ହୋଇଯିବେନି । ଆର ମାସରେ ବିଶ୍ବ କପ୍ । ସମସ୍ତେ ଦେଖିବେ ।