Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ଉନବିଂଶତମ ‘ଅର୍ବାନ୍ ମୋବିଲିଟି ଇଣ୍ଡିଆ’ ସମ୍ମିଳନୀ ଓ ପ୍ରଦର୍ଶନୀ
ଆଜିର ଖବର

ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ଉନବିଂଶତମ ‘ଅର୍ବାନ୍ ମୋବିଲିଟି ଇଣ୍ଡିଆ’ ସମ୍ମିଳନୀ ଓ ପ୍ରଦର୍ଶନୀ

October 22, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅକ୍ଟୋବର ୨୩ରୁ ରାଜଧାନୀରେ ଜାତୀୟ ସ୍ତରର ଦୁଇଟି ବଡ଼ ସହରାଞ୍ଚଳ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଏଥିରେ ଦେଶର ସହରାଞ୍ଚଳ ପରିବହନ, ସ୍ମାର୍ଟ ସିଟି, ଡିଜିଟାଲ୍ ପ୍ରଯୁକ୍ତି, ସୁଲଭ ଆବାସ, ସହରୀ ଭିତ୍ତିଭୂମି ଓ ନାଗରିକ ସେବାର ଉନ୍ନତି ନେଇ ବ୍ୟାପକ ଆଲୋଚନା ହେବ। ଏହି ଦୁଇଟି କାର୍ଯ୍ୟକ୍ରମ ମଧ୍ୟରେ ରହିଛି ୧୯ତମ ‘ଅର୍ବାନ୍ ମୋବିଲିଟି ଇଣ୍ଡିଆ’ (UMI) ସମ୍ମିଳନୀ ଓ ପ୍ରଦର୍ଶନୀ ଏବଂ ଦ୍ୱିତୀୟ ‘ଜାତୀୟ ସହରାଞ୍ଚଳ ସମ୍ମିଳନୀ’। ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ସହଯୋଗରେ ଏହି ଦୁଇଟି କାର୍ଯ୍ୟକ୍ରମ ଆୟୋଜିତ ହେବ।

ଇ-ବସ୍ ସେବାଠୁ ଡିଜିଟାଲ୍ ପରିବହନ, ରାଜଧାନୀରେ ହେବ ବଡ଼ ଆଲୋଚନା

ଅକ୍ଟୋବର ୨୩ ଓ ୨୪ରେ ଆୟୋଜିତ ହେବ ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ପ୍ରଦର୍ଶନୀ। ଚଳିତବର୍ଷ ଏହାର ବିଷୟବସ୍ତୁ ରହିଛି ‘ଡିଜିଟାଲ୍ ଯୁଗରେ ସହରାଞ୍ଚଳ ସୁଗମତା ଓ ଜୀବନଧାରଣର ମାନ’। ସହରରେ ସହଜ, ସୁରକ୍ଷିତ ଓ ପ୍ରଦୂଷଣମୁକ୍ତ ଯାତାୟାତ ସହ ଆଧୁନିକ ପରିବହନ ବ୍ୟବସ୍ଥାର ବିକାଶ ଉପରେ ଏହି ସମ୍ମିଳନୀରେ ଗୁରୁତ୍ୱ ଦିଆଯିବ।

ଏଥିରେ ପ୍ରାୟ ୧୫୦୦ ପ୍ରତିନିଧି ଯୋଗଦେବାର ଆଶା ରହିଛି। କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଏହାର ଉଦ୍‌ଘାଟନ କରିବେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟର ଅନ୍ୟ ବିଶିଷ୍ଟ ଅତିଥିମାନେ ମଧ୍ୟ ଏଥିରେ ଯୋଗଦେବେ।

ସହରାଞ୍ଚଳ ପରିବହନକୁ ଅଧିକ ଆଧୁନିକ ଓ ଲୋକାଭିମୁଖୀ କରିବା ପାଇଁ ଇ-ବସ୍ ସେବା, ବିଭିନ୍ନ ପରିବହନ ମାଧ୍ୟମ ମଧ୍ୟରେ ସମନ୍ୱୟ, ଜିପିଏସ୍‌ ଆଧାରିତ ସେବା ଏବଂ ‘ମୋବିଲିଟି ଆଜ୍ ଏ ସର୍ଭିସ୍’ ଭଳି ବ୍ୟବସ୍ଥା ଉପରେ ଆଲୋଚନା ହେବ। ଯାତ୍ରାର ଆରମ୍ଭରୁ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ନିରବଚ୍ଛିନ୍ନ ପରିବହନ ସୁବିଧା ଯୋଗାଇବା ମଧ୍ୟ ଏହାର ଅନ୍ୟତମ ଲକ୍ଷ୍ୟ।

ଅକ୍ଟୋବର ୨୪ରୁ ଜାତୀୟ ସହରାଞ୍ଚଳ ସମ୍ମିଳନୀ

ଅକ୍ଟୋବର ୨୪ ଓ ୨୫ରେ ଭୁବନେଶ୍ୱରରେ ଆୟୋଜିତ ହେବ ଦ୍ୱିତୀୟ ଜାତୀୟ ସହରାଞ୍ଚଳ ସମ୍ମିଳନୀ। ‘ସହରାଞ୍ଚଳ ବିକାଶ: ସହରାଞ୍ଚଳ ବ୍ୟବସ୍ଥା, ସମାଧାନ ଓ ସେବା ପ୍ରଦାନ ପ୍ରକ୍ରିୟାର ପୁନର୍ବିଚାର’ ଏହାର ମୁଖ୍ୟ ବିଷୟବସ୍ତୁ।

ଏହି ସମ୍ମିଳନୀରେ ନୀତି ନିର୍ଦ୍ଧାରକ, ସହରାଞ୍ଚଳ ପ୍ରଶାସକ, ବୈଷୟିକ ବିଶେଷଜ୍ଞ, ଶିଳ୍ପ ପ୍ରତିନିଧି ଓ ବିଭିନ୍ନ ଅଂଶୀଦାର ଯୋଗଦେଇ ଭାରତୀୟ ସହରଗୁଡ଼ିକର ଭବିଷ୍ୟତ ନେଇ ବିଚାରବିମର୍ଶ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଏହାକୁ ଉଦ୍‌ଘାଟନ କରିବେ। ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁରାଗ ଜୈନ ଓ ସଦସ୍ୟ ରାଜୀବ ଗୌବା ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସହର ବିକାଶ ପାଇଁ ୭ଟି ପ୍ରମୁଖ ପ୍ରସଙ୍ଗରେ ହେବ ମାନସମନ୍ଥନ

ଜାତୀୟ ସହରାଞ୍ଚଳ ସମ୍ମିଳନୀରେ ସହରଗୁଡ଼ିକର ବିକାଶ ଓ ପରିଚାଳନା ସହ ଜଡ଼ିତ ସାତଟି ପ୍ରମୁଖ ବିଷୟ ଉପରେ ଆଲୋଚନା ହେବ।

ପ୍ରଥମେ, ପଦଚାରୀଙ୍କ ପାଇଁ ସୁରକ୍ଷିତ ଫୁଟପାଥ, ବିଦ୍ୟାଳୟ ନିକଟରେ ସୁରକ୍ଷିତ ଯାତାୟାତ ଓ ରାସ୍ତା ପାର ହେବାର ସୁବିଧା ଉପରେ ଗୁରୁତ୍ୱ ଦିଆଯିବ। ଦ୍ୱିତୀୟରେ, ଜଳ ଅପଚୟ ହ୍ରାସ, ବିଶୋଧିତ ଜଳର ପୁନଃବ୍ୟବହାର ଓ ବର୍ଜ୍ୟବସ୍ତୁରୁ ସମ୍ପଦ ସୃଷ୍ଟି ଉପରେ ଆଲୋଚନା ହେବ।

ତୃତୀୟରେ, ସୁଲଭ ଆବାସ, ଭଡ଼ା ଘରର ଉପଲବ୍ଧତା ଓ ନିର୍ମାଣ ପ୍ରକ୍ରିୟାକୁ ସରଳ କରିବା ଉପରେ ବିଚାର କରାଯିବ। ଚତୁର୍ଥରେ, ସମନ୍ୱିତ ସହରୀ ଯୋଜନା, ଜିଆଇଏସ୍‌ ଆଧାରିତ ବ୍ୟବସ୍ଥା ଓ ଭିତ୍ତିଭୂମି ବିକାଶରେ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟକୁ ଗୁରୁତ୍ୱ ଦିଆଯିବ।

ପଞ୍ଚମରେ, ପୌର ସଂସ୍ଥାଗୁଡ଼ିକର ଆର୍ଥିକ ସ୍ଥିତି, ଦାୟିତ୍ୱ ଓ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ଦକ୍ଷ କରିବା ନେଇ ଆଲୋଚନା ହେବ। ଷଷ୍ଠରେ, ନିର୍ମାଣ ଉପ-ଆଇନର ସଂଶୋଧନ, କୋଠା ଅନୁମୋଦନର ସରଳୀକରଣ ଓ ଜଳବାୟୁ ସହନଶୀଳ ନିର୍ମାଣ ପ୍ରଯୁକ୍ତି ଉପରେ ଧ୍ୟାନ ଦିଆଯିବ। ସପ୍ତମରେ, ପୌର ସଂସ୍ଥାର ସ୍ୱାୟତ୍ତତା, ନିର୍ବାଚିତ ପ୍ରତିନିଧିଙ୍କ ଭୂମିକା ଓ ସହରାଞ୍ଚଳ ଶାସନରେ ଉତ୍ତରଦାୟିତ୍ୱ ବୃଦ୍ଧି ନେଇ ଆଲୋଚନା ହେବ।

ଏହା ସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନଗର ଉନ୍ନୟନ ମନ୍ତ୍ରୀମାନଙ୍କ ବୈଠକ ମଧ୍ୟ ଆୟୋଜିତ ହେବ। ଏଥିରେ ପୂର୍ବ ବୈଠକର ନିଷ୍ପତ୍ତିଗୁଡ଼ିକର ଅଗ୍ରଗତି ସମୀକ୍ଷା ସହ ଭବିଷ୍ୟତ କାର୍ଯ୍ୟଯୋଜନା ଉପରେ ଆଲୋଚନା ହେବ।

ଓଡ଼ିଶାରେ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଇ-ବସ୍ ସେବା

ଏହି ସମ୍ମିଳନୀ ଅବସରରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଇ-ବସ୍ ସେବାର ଶୁଭାରମ୍ଭ ଯୋଜନା ରହିଛି। ଏହା ସହରାଞ୍ଚଳରେ ସ୍ୱଚ୍ଛ ସାର୍ବଜନୀନ ପରିବହନ ଓ ଯାତାୟାତ ସଂଯୋଗୀକରଣକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

କାର୍ଯ୍ୟକ୍ରମରେ ଓଡ଼ିଶା ସହର ଯୋଜନା ହ୍ୟାଣ୍ଡବୁକ୍, ଅଙ୍କୁର ହ୍ୟାଣ୍ଡବୁକ୍ ଏବଂ ସାର୍ବଜନୀନ ସ୍ଥାନ ନୀତି ଭଳି ପଦକ୍ଷେପ ଉପସ୍ଥାପନ କରାଯିବ। ଏହା ସହ କ୍ରୁଟ୍‌ର ସ୍ୱତନ୍ତ୍ର ପାଭିଲିଅନ୍‌ରେ ଆମ ବସ୍‌, ବୈଦ୍ୟୁତିକ ଯାନ, ଫିଡର୍‌ ସେବା, ମହିଳାଙ୍କ ଅଂଶଗ୍ରହଣ ଓ ପ୍ରଯୁକ୍ତିଭିତ୍ତିକ ଯାତ୍ରୀ ସୁବିଧା ପ୍ରଦର୍ଶିତ ହେବ।

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ବାଲୁକାକଳା ମାଧ୍ୟମରେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ଦୀର୍ଘସ୍ଥାୟୀ ପରିବହନର ବାର୍ତ୍ତା ଦିଆଯିବ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ମଧ୍ୟ ସହରର ସ୍ୱଚ୍ଛତା, ଆବାସ, ନଗର ଯୋଜନା, ପାର୍କ, ସବୁଜିମା ଓ ସାର୍ବଜନୀନ ସ୍ଥାନର ବିକାଶ ସମ୍ପର୍କିତ ପଦକ୍ଷେପ ପ୍ରଦର୍ଶନ କରିବେ।

୧୫୦୦ ପ୍ରତିନିଧି, ୪୬ଟି ଗବେଷଣାପତ୍ର; ଗବେଷକଙ୍କୁ ପୁରସ୍କାର

ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀରେ ଯୁବ ଗବେଷକ ଓ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ପାଇଁ ଗବେଷଣା ସିମ୍ପୋଜିୟମ ଆୟୋଜନ କରାଯିବ। ମୋଟ ୪୬ଟି ଗବେଷଣାପତ୍ର ଚୟନ ହୋଇଥିବାବେଳେ ୨୦ଟି ଗବେଷଣାପତ୍ର ମୌଖିକ ଉପସ୍ଥାପନ ଏବଂ ୨୬ଟି ପୋଷ୍ଟର ମାଧ୍ୟମରେ ପ୍ରଦର୍ଶିତ ହେବ।

ବିଚାରକମାନଙ୍କ ଦ୍ୱାରା ମନୋନୀତ ଶ୍ରେଷ୍ଠ ତିନୋଟି ଗବେଷଣାପତ୍ରକୁ ୨୫ ହଜାର ଟଙ୍କାର ନଗଦ ପୁରସ୍କାର ଏବଂ ସମସ୍ତ ଉପସ୍ଥାପକଙ୍କୁ ପ୍ରମାଣପତ୍ର ଦିଆଯିବ। ଏହା ମାଧ୍ୟମରେ ସହରୀ ପରିବହନ କ୍ଷେତ୍ରରେ ନୂଆ ଚିନ୍ତାଧାରା, ଗବେଷଣା ଓ ନବସୃଜନକୁ ପ୍ରୋତ୍ସାହନ ମିଳିବ।

ସହରୀ ବିକାଶରେ ଓଡ଼ିଶାର ଭୂମିକା ଉପରେ ନଜର

ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ କହିଛନ୍ତି ଯେ, ଏହି ଦୁଇଟି ଜାତୀୟ କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ସହରୀ ପରିବର୍ତ୍ତନ ସମ୍ପର୍କିତ ଜାତୀୟ ଆଲୋଚନାରେ ଓଡ଼ିଶାର ଯୋଗଦାନ ଆହୁରି ବୃଦ୍ଧି ପାଇବ। ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା, ପ୍ରଯୁକ୍ତିଭିତ୍ତିକ ପରିବହନ, ସୁଗମ ଯାତାୟାତ ଓ ଉନ୍ନତ ନାଗରିକ ସେବା ଯୋଗାଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।

ସମ୍ମିଳନୀରେ ଐତିହ୍ୟ ପଦଯାତ୍ରା, ସାଇକେଲ୍ ଟ୍ରେଲ୍‌ ଓ ସହରୀ ସ୍ଥାନଗୁଡ଼ିକର ପରିଦର୍ଶନ ମାଧ୍ୟମରେ ଭୁବନେଶ୍ୱରର ଐତିହ୍ୟ ଓ ସହରୀ ବିକାଶକୁ ପ୍ରତିନିଧିମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ। ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଉତ୍ପାଦ ଓ ମହିଳା ଉଦ୍ୟୋଗ ବିକାଶର ଉଦାହରଣ ମଧ୍ୟ ପ୍ରଦର୍ଶିତ ହେବ।

ଦୁଇଟି ସମ୍ମିଳନୀ ମାଧ୍ୟମରେ ସହରୀ ପରିବହନ, ସୁଲଭ ଆବାସ, ଡିଜିଟାଲ୍ ସେବା ଓ ପୌର ପ୍ରଶାସନରେ ନୂଆ ଚିନ୍ତାଧାରା ଏବଂ ଅଭିଜ୍ଞତାର ଆଦାନପ୍ରଦାନ ହେବ। ଏହା ଭବିଷ୍ୟତରେ ଭାରତୀୟ ସହରଗୁଡ଼ିକୁ ଅଧିକ ସୁଗମ, ସମାବେଶୀ, ସ୍ୱଚ୍ଛ ଓ ବାସଯୋଗ୍ୟ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ହେବ ବୋଲି ଆଶା କରାଯାଉଛି।

#DigitalMobility #ElectricBus #NationalUrbanConclave #PMEbusSewa #PublicTransport #UrbanDevelopment #UrbanMobility #UrbanMobilityIndia2026 amabus CRUT MohanCharanMajhi odishagovernment smartcity
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାପିଟାଲ ହସ୍ପିଟାଲରେ ରକ୍ତ ପରୀକ୍ଷା ପାଇଁ ଆଉ ହନ୍ତସନ୍ତ ହେବେନି ରୋଗୀ, ଖୋଲୁଛି ନୂଆ ୟୁନିଟ୍

October 22, 2026

ଯମୁନା ଶୁଦ୍ଧିକରଣ ପାଇଁ ₹୮,୯୪୧ କୋଟିର ପ୍ରକଳ୍ପ, ୨୦୨୯ ସୁଦ୍ଧା ସ୍ୱଚ୍ଛ ହେବ ନଦୀ: ଅମିତ ଶାହ

October 22, 2026

ବିଶ୍ୱ ସ୍ତରରେ ଶକ୍ତିଶାଳୀ ପ୍ରତିଷ୍ଠାନ ଏବଂ ଗ୍ଲୋବାଲ୍ ସାଉଥ୍‌ର ଅଧିକାର ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

October 22, 2026

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର

October 22, 2026
Latest News

କ୍ୟାପିଟାଲ ହସ୍ପିଟାଲରେ ରକ୍ତ ପରୀକ୍ଷା ପାଇଁ ଆଉ ହନ୍ତସନ୍ତ ହେବେନି ରୋଗୀ, ଖୋଲୁଛି ନୂଆ ୟୁନିଟ୍

October 22, 2026

ଯମୁନା ଶୁଦ୍ଧିକରଣ ପାଇଁ ₹୮,୯୪୧ କୋଟିର ପ୍ରକଳ୍ପ, ୨୦୨୯ ସୁଦ୍ଧା ସ୍ୱଚ୍ଛ ହେବ ନଦୀ: ଅମିତ ଶାହ

October 22, 2026

ବିଶ୍ୱ ସ୍ତରରେ ଶକ୍ତିଶାଳୀ ପ୍ରତିଷ୍ଠାନ ଏବଂ ଗ୍ଲୋବାଲ୍ ସାଉଥ୍‌ର ଅଧିକାର ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

October 22, 2026

ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ଉନବିଂଶତମ ‘ଅର୍ବାନ୍ ମୋବିଲିଟି ଇଣ୍ଡିଆ’ ସମ୍ମିଳନୀ ଓ ପ୍ରଦର୍ଶନୀ

October 22, 2026

ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ପ୍ରତିଭାବାନ ଆଥଲେଟ୍

October 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.